Unknown

 

 

 

 

 

 

 

 

 

 

 

କମଳା କୁମାରୀ

ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ

 

ପ୍ରଥମ ପରିଚ୍ଛେଦ

(ବୃଦ୍ଧର ଚାତୁରୀ)

 

ପୌଷ ମାସ । ସକାଳବେଳା । ଭୟଙ୍କର ଶୀତ । ଭାରତର ଉତ୍ତରପଶ୍ଚିମ ଦ୍ୱାରଦେଶରେ ପ୍ରକାଣ୍ତ ହିମାଳୟ ପ୍ରାଭାତିକ ହିମବାୟୁ ବକ୍ଷ ବିସ୍ତାର କରି ଖେଳି ବୁଲୁଅଛି । ନୀଳ ହିମାଦ୍ରିର ମହୋଚ୍ଚ ଶ୍ୱେତ ସ୍ୱଚ୍ଛ ତୁଷାର-ମୌଳି ଶୃଙ୍ଗସମୂହ ବାଳସୂର୍ଯ୍ୟଙ୍କ ସୁବର୍ଣ୍ଣ କିରଣରେ ହସି ଉଠୁଅଛି–ସତେ ଯେପରି ରାଜପୁତ୍ରଙ୍କ ଆଗମନରେ ବିଶାଳ ନଗରୀ ବିବିଧ ଦୀପମାଳାରେ ବିମଣ୍ତିତ । ଏପରି ସମୟରେ ଶୌତ୍ୟ-କମ୍ପିତ ଶରୀର ଜଣେ ବୃଦ୍ଧ ପୃଥିକ ଖାଇବାର ଗିରିସଂକଟ ମଧ୍ୟରେ ଧୀର ପଦ ବିକ୍ଷେପରେ କାବୁଲ ପ୍ରତି ଅଗ୍ରସର ହେଉଥିଲା । ତାହା ଆଜକୁ ପ୍ରାୟ ଅଢ଼ାଇଶ’ ବର୍ଷ ପୂର୍ବର କଥା ।

 

ଗିରିରାଜ ହିମାଚଳରେ ବିଚିତ୍ର ମହିମା ବର୍ଣ୍ଣନାତୀତ । ତାହାର ଗମ୍ଭୀର ବିରାଟ ନୌସର୍ଗିକ ଦୃଶ୍ୟ ଅତୁଳନୀୟ । ଉଚ୍ଚତା, ବିଶାଳତା ଓ ସୃଷ୍ଟି ସୌନ୍ଦର୍ଯ୍ୟ-ବୈଚିତ୍ରରେ ଜଗତର ଅନ୍ୟ କୌଣସି ପର୍ବତ ହିମାଳୟର ଯେ ସମକକ୍ଷ ହୋଇ ନପାରେ, ଏଥିରେ ବିନ୍ଦୁମାତ୍ର ଅତ୍ୟୁକ୍ତି ନାହିଁ । ଗୌରୀଶଙ୍କରାଦି ଅଭ୍ରଭେଦୀ ଚିରତୁଷାରଚ୍ଛନ୍ନ ଶତ ଶତ ଶ୍ୱେତ ଗିରିଶିଖରମାଳା, ବିବିଧ-ବୃକ୍ଷ-ଲତା ଗୁଳ୍ମ-ପରିପୂର୍ଣ୍ଣ ନିବିଡ଼ ଅରଣ୍ୟ, ସହସ୍ରାଧିକବର୍ଷ ବ୍ୟାପୀ କାଳ ସହିତ ଯୁଦ୍ଧ କରି ଆତ୍ମରକ୍ଷା କରି ଆସୁଥିବା ପ୍ରକାଣ୍ତକାୟ ନୀରସ କଠିନ ପାଦପଶ୍ରେଣୀ, ମାଧୁର୍ଯ୍ୟ ଓ ନିର୍ମ୍ମଳତାର ଆଶ୍ରୟ ସ୍ଥଳ ମାନସ-ସରୋବର ଏବଂ ବିସ୍ତୃତ ଅମୃତୋପମ ଜଳପୂର୍ଣ୍ଣ ଅସଂଖ୍ୟ ହ୍ରଦ, ଶ୍ରୀ-ନିବାସଯୋଗ୍ୟ ଶିଳୀମୁଖ-ଚୁମ୍ୱିତ କମନୀୟ କମଳବନ, ପୁରାଣ ପ୍ରଶସ୍ତା ପୂତନୀରା ଗଙ୍ଗା-ଯମୁନା, ପଞ୍ଚସଖା-ସମନ୍ୱିତ ସିନ୍ଧୁ, ଉଦ୍ଦାମ ବେଗପ୍ରବାହୀ- ସୁଦୀର୍ଘ ବ୍ରହ୍ମପୁତ୍ର ଏବଂ ଅଗଣିତ ବୃହତ୍ କ୍ଷୁଦ୍ର ନିସ୍ୟନ୍ଦିତ ନଦ, ନଦୀ ଓ ଉପନଦୀ ଓ ରଜତ-ପଟ-ସଦୃଶ ଅତରଳ ଧବଳ ବରଫ-କ୍ଷେତ୍ରାବଳୀ, ରମଣୀୟ ଅଧିତ୍ୟକା, ଉପତ୍ୟକା ଓ ଜଳପ୍ରପାତ, ପାର୍ବତ୍ୟ-ଜାତି-ଅଧ୍ୟୁଷିତ ବହୁ ଜନପଦ, ଅସଂଖ୍ୟ ସଂକୀର୍ଣ୍ଣ ଦୁର୍ଗମ ଗିରିସଙ୍କଟ ମନୋମୁଗଧକର ମହା-ବିସ୍ମୟକର ଗହ୍ୱରପୁଞ୍ଜ, ଚିର ଅନ୍ଧକାର ମଧ୍ୟରେ ଚିରକାଳ ଅଲକ୍ଷିତ ଭାବରେ ପ୍ରବାହିତା ନିର୍ଝରିଣୀମାଳା, ଅନେକ ଶସ୍ୟ କ୍ଷେତ୍ର, ବିବିଧ ଉତ୍ପନ୍ନ ଦ୍ରବ୍ୟ ଓ ରତ୍ନ-ଖଣି, ଏବଂ ଚମରୀ କସ୍ତୁରୀ-ମୃଗ ପ୍ରଭୃତି ଜନ୍ତୁରେ ହିମାଳୟ ପୂର୍ଣ୍ଣ ହୋଇଥିବା ଯୋଗୁଁ ଜଗତରେ ତାହା ହିଁ ସମସ୍ତ ସୃଷ୍ଟିର ଆଧାର ପ୍ରତୀତ ହୁଏ ।

 

ଦିବସରେ, ରାତ୍ରି ସମୟରେ ଏବଂ ପ୍ରତ୍ୟେକ ଋତୁରେ ହିମାଳୟର ଅନନ୍ତ ମାଧୁରୀ ବିକଶି ଉଠିଥାଏ ! ପ୍ରଚଣ୍ତ ରବି ରଶ୍ମିରେ ତାହାର ଓ ଉପରିଭାଗସ୍ଥ ଗାଢ଼ ନୀଳ ଆକାଶର ଶୋଭା ଅତ୍ୟନ୍ତ ଆହ୍ଲାଦଜନକ ଓ ଚମକପ୍ରଦ । ଶୁକ୍ଳପକ୍ଷ ରାତ୍ରିରେ, ବିମଳ ଚନ୍ଦ୍ର ହିମାଳୟକୁ ଶୁଭ୍ର ସ୍ନିଗଧ ଜ୍ୟୋତ୍ସ୍ନାରେ ସ୍ନାତ କରାଇଦିଏ । ଅନ୍ଧକାର ରାତ୍ରିରେ, ଅଗଣ୍ୟ ଉଜ୍ଜ୍ୱଳ ଜ୍ୟୋତିଃପୁଞ୍ଜ ପ୍ରଭାବରେ ତାହାର ମସ୍ତକସ୍ଥିତ ଗଗନ ମଣ୍ତଳ ଅପୂର୍ବ ଦୀପ୍ତିରେ ଝଲସି ଉଠେ । ବର୍ଷାଋତୁରେ ଘନକୃଷ୍ଣ ମେଘମାଳ ତାହାର କଟି ପ୍ରଦେଶରେ ଗୁରୁ ଗମ୍ଭୀର ଗର୍ଜ୍ଜନ ସହିତ ବିଚରଣ କରେ । ବର୍ଷ । ଶେଷରେ, ଚତୁର୍ଦ୍ଦିଗରେ ସ୍ୱଚ୍ଛ ଝରଣା ସମୂହରୁ ଦୁଗଧଫେନ ତୁଲ୍ୟ ନିର୍ମଳ ଜଳଧାରା ଝର ଝର ଶବ୍ଦରେ ଖସି ଦର୍ଶକ ପ୍ରାଣରେ ଭୀତି ଓ ପ୍ରୀତି ସଞ୍ଚାରିତ କରିଦିଏ । ଝରଣା-ଜଳ ଉପରେ ସୂର୍ଯ୍ୟାଲୋକ ପଡ଼ି ଯେଉଁ ଚିତ୍ତବିନୋଦନ ରାମଧନୁର ସୃଷ୍ଟି କରେ, ତହିଁର ମହିମାମୟ ସୌନ୍ଦର୍ଯ୍ୟ ଦେଖି ସୁଖ ଅନୁଭବ କରିବାର କଥା–କଳ୍ପନା ବା ବର୍ଣ୍ଣନା କରିବାର ବିଷୟ ନୁହେ । ଶରତ୍କାଳରେ ଆକାଶ ଯେତେବେଳେ ନିର୍ମ୍ମେଘ–ସେତେବେଳେ ହିମାଳୟର ଗଭୀର ଅଥଚ ସୁନ୍ଦର ସୌନ୍ଦର୍ଯ୍ୟ ଫୁଟି ଉଠେ ।

 

ଆର୍ଯ୍ୟାବର୍ତ୍ତର ଉତ୍ତର ସୀମାନ୍ତରେ ୧୫୦୦ ମାଇଲ ଦୀର୍ଘ ଏବଂ ୬ ମାଇଲ ଉଚ୍ଚତ୍ରିଶ୍ରେଣୀ-ବିଭକ୍ତ ହିମଗିରି ଭାରତର ପ୍ରସ୍ତର ପ୍ରାଚୀର ତୁଲ୍ୟ ଦଣ୍ତାୟମାନ । ଏକ ଦିଗରେ ଶତଯୋଜନ ବ୍ୟାପୀ ପ୍ରାନ୍ତର ତୁଲ୍ୟ ସମଗ୍ର ହିନ୍ଦୁସ୍ଥାନ । ଅପର ଦିଗରେ ଅସଂଖ୍ୟ ଶୈଳମାଳା, ଅରଣ୍ୟ ତୁଷାର ପାହାଡ଼ । ପୂର୍ବ ଓ ପଶ୍ଚିମରେ କେବଳ ଶୃଙ୍ଗ-ଶୃଙ୍ଗ ପରେ ଶୃଙ୍ଗ-ଶେଷ ନାହିଁ, ବିରାମ ନାହିଁ, ଅନନ୍ତ କହିଲେ ଚଳେ । ଅଘଟନ-ସଂଘଟନକାରୀ ଭଗବାନ ସେଥି ମଧ୍ୟରେ ଗିରିସଙ୍କଟାବଳୀର ସୃଷ୍ଟି କରି ନଥିଲେ ଅତ୍ୟୁଚ୍ଚ ଗିରିରାଜ ଅତିକ୍ରମ କରିବା ସାନ୍ତ ସାମାନ୍ୟ ମନୁଷ୍ୟ ପକ୍ଷରେ ନିତାନ୍ତ କଷ୍ଟକର ଓ ଅସମ୍ଭବ ହୋଇ ଉଠିଥାନ୍ତା । ଭାରତର ବାୟବ୍ୟ କୋଣରେ ଅନେକ ଗିରି-ସଙ୍କଟ । ସେଗୁଡ଼ିକ ମଧ୍ୟରେ ଖାଇବର୍‍ ଓ ବୋଲନ୍‍ର ନାମ ବିଶେଷ ଉଲ୍ଲେଖଯୋଗ୍ୟ । ଖାଇବର୍‍ ଓ ବୋଲନ୍‍ର ନାମ ବିଶେଷ୍ୟ ଉଲ୍ଲେଖଯୋଗ୍ୟ । ଖାଇବର୍‍ ପର୍ବତ ପଥର ଅଶେଷ ଖ୍ୟାତିରେ ଭାରତର ବିବିଧ-ଭାଷା-ରଚିତ ପୁସ୍ତକର ପୃଷ୍ଠାବଳୀ ରଞ୍ଜିତ । ହିନ୍ଦୁସ୍ଥାନରୁ ଆଫଗାନିସ୍ଥାନକୁ ଯିବା ସକାଶେ ଏହାହିଁ ଏକମାତ୍ର ଉତ୍କୃଷ୍ଟ ପଥ । ଏହି ଘାଟିର ଦୈର୍ଘ୍ୟ ୩୦ ମାଇଲରୁ ଅଧିକ । ଏହା ଉତ୍ତର-ପଶ୍ଚିମ-ସୀମାନ୍ତ ପ୍ରଦେଶରେ ରାଜଧାନୀ ପେଶାବାର୍‍ଠାରୁ ପଶ୍ଚିମରେ କାବୁଲ ସମୀପସ୍ଥ ଜଲାଲବାଦ ଦୁର୍ଗ ପର୍ଯ୍ୟନ୍ତ ବିସ୍ତୃତ । ଏହି ମାର୍ଗ ମଧ୍ୟରେ ସ୍ଥାନେ ସ୍ଥାନେ କେତେଗୋଟି କ୍ଷୁଦ୍ର ପଲ୍ଲୀ । ପେଶାବାର୍‍ଠାରୁ ଦଶ ମାଇଲ ଦୂରରେ ଓ ପଶ୍ଚିମରେ ଜନ୍ଦୂର ନଗର, ସେଠାରେ ଦଶମାଇଲ୍‍ ଦୂରରେ ଆଲିମଜ୍ଜିଦ୍ ଓ ଲାଣ୍ତି କୋଟାଲ୍ ନାମକ ଦୁଇ ଗ୍ରାମ । ସେଠାର ଗ୍ରାମସମୂହ ମଧ୍ୟରେ ଶେଷୋକ୍ତ ଦୁଇ ଗ୍ରାମ ଅତି ପ୍ରଧାନ ।

 

ଖାଇବର୍ ପଥର ଉଭୟ ପାର୍ଶ୍ୱରେ ଭୀଷଣ ପର୍ବତଶ୍ରେଣୀ, ଅରଣ୍ୟ ଏବଂ କ୍ଷୁଦ୍ର ଅଥଚ ଖରସ୍ରୋତା ତଟିନୀମାଳା, ଏଣୁ ସେହି ମାର୍ଗରେ ଯିବା ପଥିକର କଷ୍ଟସାଧ୍ୟ । ତଥାପି ସେହି ସ୍ଥାନ ମାନବ-ନିବାସ ଶୂନ୍ୟ ବୋଲି ପାଠକମାନେ ମନେ କରିବେ ନାହିଁ । ମାନବ-ବୃଦ୍ଧି-ଅଗୋଚର ଓ ମାନବ-ଦୁର୍ଗମ ସ୍ଥଳ ଜଗତରେ ବିରଳ କହିଲେ ଚଳେ । ସେହି ପାର୍ବତ୍ୟ ପ୍ରଦେଶର ଉଭୟ ଧାରରେ ଲୋକ-ନିବାସ-ଯୋଗ୍ୟ ସମଭୂମି ଥିବାଯୋଗୁଁ ଅରଣ୍ୟବାସିଗଣ ସେଠାର ବସତି ସ୍ଥାପନ କରି ଅଛନ୍ତି । କେବଳ ଏହା ନୁହେ, ସେଠାରେ ଅଧିବାସିମାନେ ବିଭିନ୍ନ ପଶୁ ସାହାଯ୍ୟରେ ବିବିଧ ବ୍ୟବସାୟ ଚଳାଇ ଏବଂ ନାନା ରକମ ଶସ୍ୟ ଉତ୍ପାଦନ କରି ଜୀବିକା ନିର୍ବାହ କରିଥାନ୍ତି । ପର୍ବତ ଉପରେ ଥିବାଯୋଗୁଁ ସେମାନଙ୍କର ଶସ୍ୟ-କ୍ଷେତ୍ର ସକଳ ନୀଳ ସୋପାନ ଶ୍ରେଣୀ ତୁଲ୍ୟ ଦେଖାଯାଇ ପଥିକର ମନ ପ୍ରାଣ ହରି ନିଏ ।

 

ସେଦିନ ପ୍ରାତଃକାଳରେ ଖାଇବର୍‍ ଗିରିସଙ୍କଟ ମଧ୍ୟରେ ଯାଉଁ ଯାଉଁ ବୃଦ୍ଧ ପଥିକ ମନେ ମନେ କହିଲା–‘ହାୟ, କି ଅନ୍ୟାୟ ! ଏହା ଏଥିପୂର୍ବେ କେବେ ଦେଖାନାହିଁ କିମ୍ୱା ଶୁଣାନାହିଁ । କି ନିଷ୍ଠୁର ! ନିତାନ୍ତ ନିରୀହ ବାଳକକୁ ମାରିବା ପାଇଁ ତା’ ହାତ କିପରି ବାହାରିଲା ! ପଠାଣ କିମ୍ୱା ହିନ୍ଦୁ, ଯେ କୌଣସି ଜାତିର ଶାସ୍ତ୍ରରେ ଦୟା ଦାକ୍ଷିଣ୍ୟ ପ୍ରଭୃତି ଗୁଣର ଅଶେଷ ପ୍ରଶଂସା ଲେଖାଅଛି; ମିତ୍ରଦୋହ, ଦ୍ୱେଷ ଓ ନିଷ୍ଠୁରତା ଆଦୌ ସ୍ଥାନ ପାଇନାହିଁ । ଯାଉ, ଗତକଥା ଭାବନାରେ ଲାଭ କଣ-? ଭବିଷ୍ୟତ ବିଷୟ ଚିନ୍ତା କରିବା ଶ୍ରେୟସ୍କର ସିନା । ଉଃ କି ଶୀତ !

 

‘ୟା ଆଲ୍ଲା, ୟା ଖୋଦା, ପରବର ଦିଗାରା, ଶୀତ ପ୍ରାଣ ନେଉଛି ! ଏତେବେଳ ହୋଇ ସୁଦ୍ଧା ଶୀତ କିଛି କମି ନାହିଁ । ତଳେ ଉପରେ, ଯେଉଁଆଡ଼େ ଅନାଇବ ସେହି ବରଫ, ଏହାଛଡ଼ା ଆଉ କିଛି ଦେଖାଯାଏ ନାହିଁ । ବାଟର ପଥର ବଡ଼ ଥଣ୍ତା–ପ୍ରତି ପଦକ୍ଷେପରେ ମର୍ମାନ୍ତିକ କ୍ଳେଶ । ମଥାଟେକି ଉପରକୁ ଚାହିଁଲେ ଗଗନସ୍ପର୍ଶୀ ପର୍ବତର ଉପରି ଭାବରେ କେବଳ ତୁଷାର ଖଣ୍ତ ଦେଖାଯାଏ । ଏହି ପର୍ବତର ‘ହିମାଳୟ’ ନାମ ବାସ୍ତବିକ ସାର୍ଥକ ହୋଇଅଛି ।’

 

କମ୍ପିତ କଳେବର ପଥିକ ଆପଣାର ଉଭୟ ବାହୁ ସ୍କନ୍ଧ-ଗର୍ତ୍ତ ମଧ୍ୟରେ ରଖି ଅସ୍ପଷ୍ଟ ସ୍ୱରରେ, କେତେବେଳେ ବା ଉଚ୍ଚ ବିରକ୍ତି-ବ୍ୟଞ୍ଜକ କଣ୍ଠରେ ନାନା ସଂସ୍କୃତ ଶ୍ଳୋକ, ଆରବୀ-ପାରସୀ ଭଜନାଦି ଆବୃତ୍ତି କରି କରି ଚାଲିଅଛି । ତାହାର ବୟସ, ଅନୁମାନ ସତୁରୀ ବର୍ଷ । ତାହାର ଶୈତ୍ୟ ନିବାରଣୋଦ୍ଦିଷ୍ଟ କର୍ଣ୍ଣ-ମସ୍ତକଚ୍ଛାଦନ ଲୋମ ଉଷ୍ଣୀଷର ଚଳ, ଦୀର୍ଘ ଶ୍ୱେତଶ୍ମଶ୍ରୁରାଜି, କଣ୍ଠସ୍ଥିତ କୃଷ୍ଣବର୍ଣ୍ଣମାଳା, ଆପାଦଲମ୍ୱିତ ଅଙ୍ଗରଖା, ଶ୍ୱେତ ଉତ୍ତରୀୟ, ପାଦସ୍ଥିତ ଦିଲ୍ଲୀ-ଜୋତା ଏବଂ ‘ଆଲ୍ଲା’ ନାମ ଉଚ୍ଚାରଣରୁ ଅନୁମିତ ହୁଏ ଯେ, ସେ ଜଣେ ନିଷ୍ଠାପର ମୁସଲମାନ । ମଧ୍ୟ ମଧ୍ୟରେ ତାହା ମୁଖରୁ ସଂସ୍କୃତ ଶ୍ଳୋକ ନିଃସୃତ ହେଉଥିବାରୁ, ସେ ଜଣେ ହିନ୍ଦୁ ବୋଲି ମଧ୍ୟ ଧାରଣା ଜନ୍ମେ । କିନ୍ତୁ ଏହି ଧାରଣା ଓ ଅନୁମାନ ଯୁକ୍ତିସଙ୍ଗତ ନୁହେ, କାରଣ ସେହି ସମୟର ମୁସଲମାନଗଣ ସଂସ୍କୃତ ଭାଷାର ଚର୍ଚ୍ଚା କରୁଥିଲେ । ବିଚାର ବୃଦ୍ଧ ଶୀତ-କଷ୍ଟ ଦୂର କରିବା ଉଦ୍ଦେଶ୍ୟରେ ଚାରି ପାଞ୍ଚ ଖଣ୍ତ ଅଙ୍ଗରଖାରେ ନିଜ ଶରୀର ଆବୃତ କରିଥିଲା ? ହିମାଳୟର ପ୍ରଭାବ ନିକଟରେ କିନ୍ତୁ ସେହି ପରିଚ୍ଛଦର ବଳ ବା କେତେ ? କ୍ଳେଶପ୍ରାପ୍ତ ଓ ବୀରକ୍ତ ହେଲେହେଁ ସେ ମନେ ମନେ କହୁଥିଲା, ‘ଦେଖାଯାଉ, ଶୀତ ଜିଣିବ ନା ମୁଁ ଜିଣିବି । ଏ ମୋତେ ବୃଦ୍ଧ ବୋଲି ଭୟ ଦେଖାଉଛି ପରା ! ପ୍ରାଣଯାଉ ପଛକେ କଦାପି ପ୍ରତିଜ୍ଞା ଭଙ୍ଗ କରିବି ନାହିଁ । ରାଜଭକ୍ତି ଅପେକ୍ଷା ମନୁଷ୍ୟର ଉତ୍କୃଷ୍ଟତର ଗୁଣ ଆଉ କାହିଁ ? ଜ୍ୟେଷ୍ଠମଲ୍ଲ ସମ୍ରାଟ ନିକଟରୁ ଅନୁଜ୍ଞା-ପତ୍ର ଦିଆଇ ନଥିଲେ ମୋ କାମନା ବିଫଳ ହୋଇଥାନ୍ତା ସିନା । ତାଙ୍କ ଉପକାର ଭୁଲିବାର ନୁହେ ।’

 

ପଥିକ ଏପରି ନାନାଚିନ୍ତା କରି କରି ଚାଲିଅଛି । ଏହି ସମୟରେ ମାର୍ତ୍ତଣ୍ତଦେବ କ୍ରମେ ଆକାଶ-ମଣ୍ତଳର ମଧ୍ୟବର୍ତ୍ତୀ ହୋଇ ପ୍ରଖର ରଶ୍ମି ଢାଳିଦେଲା । ଏଣୁ ଶୈତ୍ୟ-ଯାତନା ହ୍ରାସ ହେବାରୁ ପଥିକର ହୃଦୟରେ ଧୈର୍ଯ୍ୟ ଏବଂ ପାଦରେ ଗତି-ଶକ୍ତି ସଞ୍ଚାରିତ ହୋଇଗଲା । ସେ ଯୁବକସୁଲଭ ସ୍ଫୂର୍ତ୍ତି ଓ ଉତ୍ସାହରେ ଦ୍ରୁତଗାମୀ ହେବାକୁ ଲାଗିଲା । କ୍ରମେ ସେ ଆଲିମଜ୍ଜିଦ ଦୁର୍ଗ ଓ କତିପୟ ପଲ୍ଲୀ ଅତିକ୍ରମ କରି ଶେଷରେ ଲାଣ୍ତିକୋଟାଲା ଶିଖରରେ ଯାଇ ଉପସ୍ଥିତି ହେଲା । ସେତେବେଳେ ତାହାର ମନରେ ଦୃଢ଼ ଆଶ୍ୱାସନା ଆସିଲା ଯେ ସେ ଅତ୍ୟଳ୍ପ ସମୟ ମଧ୍ୟରେ କାବୁଲ ନଗରରେ ନିରାପଦରେ ପହଞ୍ଚି ପାରିବ ।

 

ଲାଣ୍ତିକୋଟଲ୍ ଖାଇବର୍ ଗିରି-ପଥର ଗୋଟିଏ ଅତ୍ୟୁଚ୍ଚ ପାହାଡ଼ । ତହିଁ ଉପରକୁ ଉଠି ନିମ୍ନଭାଗ ପ୍ରତି ଦୃଷ୍ଟିପାତ କଲେ, ଉଭୟ ପାର୍ଶ୍ୱର ମାର୍ଗ ଓ ଗମନ-ରତ ପଥିକମାନେ ସ୍ପଷ୍ଟ ଦେଖାଯାନ୍ତି । ବୃଦ୍ଧ ସେହି ପାହାଡ଼ ଉପରେ ଠିଆହୋଇ ଦେଖିଲା, ଭୀଷଣାକୃତି ଦୁଇ ଜଣ ପଠାଣ ରାଜ-କର୍ମଚାରୀ ଜଣେ ପଥିକକୁ କାବୁଲ ଦିଗରୁ ଟାଣି ଧରି ଆଣୁଛନ୍ତି । ଆକ୍ରାନ୍ତ ପଥିକର ଦୁଇ ବାହୁ ତାହାର ପୃଷ୍ଠଭାଗରେ ଶକ୍ତ ଶୃଙ୍ଖଳାବଦ୍ଧ–ପଠାଣ ଦୁହିଙ୍କର ଚକ୍ଷୁ ଗାଢ଼ ଆରକ୍ତବର୍ଣ୍ଣ-ସେମାନଙ୍କ ହସ୍ତରେ ତୀକ୍ଷ୍‍ଣଧାର ଉନ୍‍ମୁକ୍ତ ତରବାରି । ଏହି ଦୃଶ୍ୟରେ ବୃଦ୍ଧ ପଥିକର ଭୟ ଓ ସଂଶୟର ଆଉ ପରିସୀମା ରହିଲା ନାହିଁ । କାଳେ ନିଜେ କୌଣସି ବିପଦର ସମ୍ମୁଖୀନ ହୋଇପାରେ, ଏହି ଆଶଙ୍କାରେ ସେ ସେମାନଙ୍କ ସାକ୍ଷାତରୁ ଅତର୍କିତ ଭାବରେ କିପରି ପଳାୟନ କରିବ ତହିଁର ଉପାୟ ଚିନ୍ତା କଲା । ଉପାୟାନ୍ତର ନ ଦେଖି ଶେଷରେ ଇଶ୍ୱର-ଧ୍ୟାନରେ ପ୍ରବୃତ୍ତ ହେଲା । ସେ ଶ୍ମଶ୍ରୁରେ ହାତବୁଲାଇ ଉଚ୍ଚ କଣ୍ଠରେ ବାରମ୍ୱାର ଚିତ୍କାର କଲା,–‘ରହିମାନ୍ ରାସୁଲଇଲ୍ଲା ଆଲ୍ଲା ହୋ ଆକବର ।’ ଏହି ଧ୍ୱନିରେ ପାହାଡ଼-ଶିଖର ନିନାଦିତ ହୋଇଉଠିଲା ।

 

ଦେଖୁ ଦେଖୁ ପଠାଣ କର୍ମଚାରିମାନେ ସେହି ଶୃଙ୍ଖଳାବଦ୍ଧ ଲୋକକୁ ଧରି ବୃଦ୍ଧ ନିକଟକୁ ଆସି ଉପସ୍ଥିତ ହେଲେ । ପ୍ରାୟ ଏକ ମାଇଲ୍‍ ଦୂରରୁ ବୃଦ୍ଧର ପାରସୀ ଓ ଆରବୀ ସ୍ତବ ଗାନାଦି ଶୁଣିପାରି ସେମାନେ ଅନୁମାନ କରିଥିଲେ । ବୃଦ୍ଧ ଜଣେ ବିଶୁଦ୍ଧ ମୁସଲମାନ ପଣ୍ତିତ । ଅତଏବ ସମ୍ମୁଖରେ ବୃଦ୍ଧକୁ ଦେଖିବାମାତ୍ରେ ସେମାନେ ତାହାକୁ ପ୍ରଣାମ କଲେ । ପରେ ସେମାନଙ୍କ ମଧ୍ୟରୁ ଜଣେ ବୃଦ୍ଧକୁ କହିଲା,–ମହାଶୟ, ଆକୃତିରୁ ତୁମେ ଜଣେ ଭଦ୍ରଲୋକ ଭଳି ଦେଖାଯାଉଛ । ତଥାପି କର୍ତ୍ତବ୍ୟକୁ ମାନି ତୁମକୁ କେତୋଟି କଠୋର କଥା କହିବାକୁ ବାଧ୍ୟ ହେଉଛି । ଆଲମ୍‍ଗୀର ବାଦ୍‍ଶାହାଙ୍କ ଆଜ୍ଞା ପତ୍ର ନଧରି କେହି ଏହି ବାଟରେ ଯାଇପାରିବେ ନାହିଁ । ଯେ ଏହି ନିୟମ ଲଘଂନ କରେ, ତାହାକୁ କଠିନ ଦଣ୍ତ ଦେବାପାଇଁ ଆମେମାନେ ଆଦିଷ୍ଟ । ତୁମେ ବାଦ୍‍ଶାହାଙ୍କ ପତ୍ର ଆଣିଛ? ଯଦି ଆଣିଥାଅ, ଦେଖାଅ । ନ ହେଲେ, ବିଳମ୍ୱ ନକରି ଏଠାରୁ ବାହୁଡ଼ । ତୁମପରି ମୁସଲମାନ ପଣ୍ତିତଙ୍କୁ ଦଣ୍ତ ଦେବା ଆମର ଉଦ୍ଦେଶ୍ୟ ନୁହେ। ତୁମ ପ୍ରତି ଏହି ଅପ୍ରୀତିକର ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରୁଁ ।’

 

ବୃଦ୍ଧ ନିଜ ବସ୍ତ୍ରାବରଣ ମଧ୍ୟରୁ ଆଦେଶ-ପତ୍ରଟି ବାହାର କରି ସେମାନଙ୍କୁ ଦେଖାଇଲା । କିଞ୍ଚିତ୍ ଗର୍ବିତ ସ୍ୱରରେ କହିଲା,–‘ପାଗଳଯୁବକ, ଏ ପାଚିଲା ଦାଢ଼ିକୁ ରାଜଭକ୍ତି ଶିଖାଉଛ ! ରାଜଭକ୍ତିରେ ଜନ୍ମି, ରାଜଭକ୍ତିରେ ବଢ଼ି, ସେଥିରେ ହିଁ ଏ ବାଳ ପାଚିଛି । ଆଲ୍ଲା ଓ ଆଲମ୍‍ଗୀର ବାଦ୍‍ଶାହାଙ୍କ ମଧ୍ୟରେ ପ୍ରଭେଦ କଣ ? ସମୟ ସମୟରେ ଆଲ୍ଲାଙ୍କ ଆଦେଶ ଲଘଂନ କରାଯାଇପାରେ, କିନ୍ତୁ ବାଦ୍‍ଶାହଙ୍କ ଆଜ୍ଞା ଅବହେଳା କରିବା ତ ଅସମ୍ଭବ । ତୁମ୍ଭମାନେ ମୋ ଆଗର ପିଲା–ହେଟି କାଲି ଜନ୍ମ ହେବାର ଟୋକା ଗୁଡ଼ାକ । କେବଳ ବର୍ତ୍ତମାନ ବାଦ୍‍ଶାହଙ୍କୁ ନୁହେ, ଏହାଙ୍କର ବାପା ଶାଜାହାନ, ଗୋସାଇଁ ବାପା ଜାହାଙ୍ଗୀରଙ୍କୁ ମଧ୍ୟ ଏ ବୁଢ଼ା ଭଲ କରି ଜାଣେ-। ଜାହାଙ୍ଗୀରଙ୍କୁ ମଧ୍ୟ ଏ ବୁଢ଼ା ଭଲ କରି ଜାଣେ । ଜାହାଙ୍ଗୀର ଉତ୍ତମ ସମ୍ରାଟ । ମୁଁ ଯେତେବେଳେ ଯୁବକ, ମୋଗଲ ସେନାର ସୁବାଦାର ରୂପେ ଦାକ୍ଷିଣାତ୍ୟକୁ ଯାଇ ଚାନ୍ଦବିବି ବିରୁଦ୍ଧରେ ଯୁଦ୍ଧ ଚଲାଇଥିଲି । ଦେବଗଡ଼ ଯୁଦ୍ଧରେ କାଫରମାନଙ୍କୁ ଏହି ହାତରେ ‘କୋତଲ’ କରି ଦେଇଥିଲି-। ଆହା, ସେ କଥା ସବୁ ମନେ ପଡ଼ିଲେ ଭୟ ଲାଗେ, ଦୁଃଖ ଲାଗେ–ଦେହ ରୋମାଞ୍ଚିତ ହୋଇଉଠେ-। କି ଅନ୍ୟାୟ ସେ ଚାନ୍ଦବିବିର ! ସେହି ଯୁଦ୍ଧରେ ଜୟୀହୋଇ ଫେରିବାରୁ ଜାହାଙ୍ଗୀର ମୋତେ ଏ ଖଡ୍‍ଗଟି ଉପହାର ଦେଇଥିଲେ ।’

 

ବୃଦ୍ଧ ନିଜ ଅଙ୍ଗରଖାର ଗୁପ୍ତସ୍ଥାନ ମଧ୍ୟରୁ ସୁବର୍ଣ୍ଣ କୋଷଯୁକ୍ତ ଗୋଟିଏ ଖଡ୍‍ଗ ବାହାର କରି ସେମାନଙ୍କୁ ଦେଖାଇଲା । ତାହାର କଥାରେ ଦୁହେଁ ଚକିତ ହୋଇଗଲେ । କିନ୍ତୁ ସେମାନେ ତାହାର ଆଡ଼ମ୍ୱରପୂର୍ଣ୍ଣ କଥା- ସ୍ରୋତରେ ଭାସିଯାଇ, ଆକବରଙ୍କ ସମସାୟିକ ଚାନ୍ଦବିବି ସହିତ ଜାହାଙ୍ଗୀରଙ୍କ ଯୁଦ୍ଧର ଅପ୍ରାସଙ୍ଗିକତା ଆଦୌ ଲକ୍ଷ୍ୟ କରିପାରିଲେ ନାହିଁ । ପରେ ବୃଦ୍ଧ ପୂର୍ବକାଳରେ ଆହୁରି ଅନେକ ଘଟନା ବର୍ଣ୍ଣନା କରି କହିଲା,–‘ମୋର ସେହି ସମୟ ଓ ସ୍ପୂର୍ତ୍ତି ଯାଇଛି; ବର୍ତ୍ତମାନ ମୁଁ ପତ୍ନୀହୀନ, ପୁତ୍ରହୀନ–ଆଲ୍ଲା ଭିନ୍ନ ମୋ ନିଜର ବୋଲି କେହି ନାହିଁ । ଇସଲାମ ଧର୍ମବୀରମାନଙ୍କ ସମାଧି ଦେଖିବା ଉଦ୍ଦେଶ୍ୟରେ ମୁଁ ଏବେ ଗଜନିକୁ ଯାଉଛି । ଏହି ମାର୍ଗରେ ଯିବା ନିୟମ ଆଗରୁ ଜାଣି ମୁଁ ବାଦ୍‌ସାହଙ୍କ ନିକଟକୁ ନିଜେ ଯାଇ ଏହି ଅନୁମତି-ପତ୍ର ଆଣିଛି ।’

 

ପଠାଣ କର୍ମଚାରୀ ଦୁହେଁ ବୃଦ୍ଧର ଅଦ୍ଭୁତ ବୃତ୍ତାନ୍ତ ଶୁଣି କ୍ଷଣକାଳ ସ୍ତମ୍ଭିତ ହୋଇ ରହିଲେ-। ତାହାର ପ୍ରତ୍ୟେକ କଥାରେ ଦୁହିଙ୍କର ପ୍ରଗାଢ଼ ପ୍ରତ୍ୟୟ ଜନ୍ମିଲା । ତାହାଠାରୁ ଆଦେଶ ପତ୍ର ଲୋଡ଼ିବା ଅପରାଧ ମନେକରି ସେମାନେ ତାହା ନିକଟରେ ପୁଣି କ୍ଷମା ଭିକ୍ଷା କଲେ-। ବୃଦ୍ଧର ହୃଦୟ ଆଶା ଓ ଆନନ୍ଦରେ ନାଚି ଉଠିଲା । ଦୁହିଙ୍କୁ ଆପଣାର ଏକାନ୍ତ ବଶୀଭୂତ ହୋଇଥିବାରୁ ଦେଖି, ତାହା ମନରେ ଆଶ୍ୱାସନାର ଗୋଟିଏ ଶୀତଳ ଛାୟା ଆସି ପଡ଼ିଗଲା । ସେ ଉଭୟଙ୍କୁ କହିଲା,–‘ତୁମ୍ଭେମାନେ କର୍ତ୍ତବ୍ୟ ପାଳିଛ, ସେଥିରେ ବା ଦୋଷ କଣ ?’

 

ବୃଦ୍ଧ ସେମାନଙ୍କ ସହିତ କଥାବାର୍ତ୍ତା କରୁଥିବାବେଳେ ସେହି ଶୃଙ୍ଖଳାବଦ୍ଧ ବ୍ୟକ୍ତି ଉପରେ ଅଲକ୍ଷିତ ଭାବରେ ବାରମ୍ୱାର ଉତ୍ସୁକ ଦୃଷ୍ଟିପାତର ଏକମାତ୍ର ଉଦ୍ଦେଶ୍ୟ–ସେ ଲୋକଟିର ପ୍ରକୃତ ପରିଚୟ ଲାଭ । କିନ୍ତୁ ନିଜର ମନୋଗତ ଭାବ ଗୋପନ ରଖି, ବୃଦ୍ଧ ଶୃଙ୍ଖଳାବଦ୍ଧ ଲୋକକୁ ଲକ୍ଷ୍ୟକରି ସେମାନଙ୍କୁ କହିଲା,–‘ଏ ଲୋକଟି କିଏ ? କାଫ୍‌ର ଭଳି ଦେଖାଯାଉଛି । ସାବଧାନ !’

 

ପଠାଣ ଦୁହେଁ କହିଲେ,–‘ଏ କିଏ ଜଣା ନାହିଁ । ତେବେ ଯଶୋବନ୍ତ ସିଂହଙ୍କୁ ବାଦ୍‌ସାହଙ୍କର ଗୁପ୍ତ କଥା ସବୁ ଜଣାଇବା ପାଇଁ କାବୁଲକୁ ଯାଉଥିଲା । ଆଦେଶପତ୍ର ନ ଧରି ଏହି ମାର୍ଗରେ କେଉଁ ସାହସରେ ଆସିଛି କେଜାଣି ।’

 

ବୃଦ୍ଧ ମୁଖରେ ଗୋଟିଏ ବିସ୍ମୟରେଖା ଫୁଟାଇ ଦେଇ କହିଲା,–‘କି ସାହସ ! ଏହି ପୋଷଣ୍ତକୁ କେତେ କଠିନ ଦଣ୍ତ ଦେଲେ ସୁଦ୍ଧ ପାପ ହେବନାହିଁ । ରାଜଦ୍ରୋହୀକୁ କଠୋର ଶାସ୍ତି ଦେବା ନିମିତ୍ତ କୋରାନରେ ଲେଖାଅଛି । ଏହା ସମ୍ୱନ୍ଧରେ କଣ ସ୍ଥିର କରିଛ ?’

 

ଏହାକୁ ଧରି ବାଦ୍‍ଶାହଙ୍କ ନିକଟକୁ ଯାଉଛୁ । ଏହି ନରାଧମର ଦଣ୍ତ ଆମ ହାତରେ ନୁହେ, ବାଦ୍‌ସାହାଙ୍କ ଖଡ୍‍ଗରେ । ସେ ଏ ପାପିର ଦେହ ଖଣ୍ତ ଖଣ୍ତ କରି ଚିଲ ଶାଗୁଣାଙ୍କୁ ଆହାର ଯୋଗାଇବେ ।’

 

ବୃଦ୍ଧ ପଥିକ ହାଃ ହାଃ କରି ହସି ଉଠିଲା । ତାହା କିନ୍ତୁ ଏକ ମୁହୂର୍ତ୍ତ ସକାଶେ । ଦେଖୁ ଦେଖୁ ତାହାର ମୁଖମଣ୍ତଳରେ ଗୋଟିଏ ପରିବର୍ତ୍ତନ ଦେଖାଗଲା । ସେହି ଉତ୍କଟ ହାସ୍ୟ କେଉଁଆଡ଼େ ଉଭେଇଗଲା, ମୁଖ ସହସା ଗମ୍ଭୀର ହୋଇଉଠିଲା । ସେ କିଛିକ୍ଷଣ ଗଭୀର ଚିନ୍ତାସୂଚକ ଚକ୍ଷୁରେ ଚତୁର୍ଦ୍ଦିଗ ପ୍ରତି ଦୃଷ୍ଟିପାତ କରି ମସ୍ତକ କିଞ୍ଚିତ୍‍ ସଞ୍ଚାଳିତ କଲା । ସେତେବେଳେ ପଠାଣ ଯୁବକଦ୍ୱୟ ବୃଦ୍ଧର ମୁଖ-ଲକ୍ଷଣ ଲକ୍ଷ୍ୟ କରିପାରିଲେ ନାହିଁ । ତାହାର ମନୋଗତ ଭାବ କିପରି ବା ଠଉରାଇ ପାରନ୍ତେ ?

 

କିଛି ସମୟ ପରେ ବୃଦ୍ଧ ପଥିକ ଏକ ବୃକ୍ଷ ଛାୟାରେ ବସି ସେଠାରେ ବସିବା ପାଇଁ ପଠାଣ ଦୁହିଙ୍କୁ ଅନୁରୋଧ କଲା । ସମସ୍ତେ ଉପବିଷ୍ଟ ହେବାପରେ ବୃଦ୍ଧ କହିଲା,–‘ଦେଖୁଛି, ତୁମ୍ଭେମାନେ ଏତେ ବଡ଼ କ୍ଳାନ୍ତ । ତୁମ୍ଭ ଦୁହିଙ୍କ ମୁଖ ମ୍ଳାନ ହୋଇଯାଇଛି । ଏଣୁ ଗୋଟିଏ କାର୍ଯ୍ୟ କର । ଏଠାରୁ କିଛିଦୂରରେ ଗୋଟିଏ ତାଳ ଗଛ ଅଛି ନୁହେ । ତହିଁର ରସ ଆଗରେ ଅମୃତ କିଛି ନୁହେ । ତୁମ୍ଭମାନଙ୍କ ପରି ମୁଁ ମଧ୍ୟ ଶ୍ରାନ୍ତ ହୋଇଥିବା ଯୋଗୁଁ ଏହିକ୍ଷଣି ସେହି ରସ କିଛି ପାନ କରି ଆସିଛି । ଆହା, ତାହା କି ମଧୁର ! ପାନ କରିବା ମାତ୍ରେ ଦେହ ଓ ମନର ବଳ, ଉତ୍ସାହ ଖେଳିଗଲା–ସକଳ ଶ୍ରାନ୍ତି ଏକାବେଳକେ ଘୁଞ୍ଚିଗଲା । ଦରକାର ହେଲେ, ପାତ୍ରଟିଏ ଦେଉଛି–ସେହି ମିଠା ମଦିରାରେ ପେଟ ପୂରାଇ ଆସ । ପରେ ଅନ୍ୟାନ୍ୟ କଥା । ବୃଦ୍ଧ ହେଲେହେଁ ପରୋପକାର କରିବା ମୋର ସ୍ୱଭାବ । ଯାହାହେଉ, ତୁମ୍ଭମାନଙ୍କୁ ଏ ଶ୍ରମ ଦେବାକୁ ଇଚ୍ଛା କରେ ନାହିଁ । ନିଜେ ଯାଇ ଆଣିବି । ଅପେକ୍ଷା କର, ମୁଁ ଆସେଁ ।’

 

ପଠାଣ ମୁଖରୁ ‘ଅମୃତ’ ଶବ୍ଦ ଶୁଣି ନିକଟସ୍ଥ ଶୃଙ୍ଖଳାବଦ୍ଧ ଲୋକଟିର ହୃଦୟ ହଠାତ୍ ଚମକି ଉଠିଲା । କିନ୍ତୁ ଭାବି ସ୍ଥିର କଲା, ଶବ୍ଦଟି ଭୁଲକ୍ରମେ ଉଚ୍ଚାରିତ ହୋଇଅଛି ଏବଂ ବୃଦ୍ଧ ଓ ପଠାଣ ଯୁବକ ଦୁହେଁ ସେହି ଶବ୍ଦର ଅର୍ଥ ବୁଝିଛନ୍ତି ।

 

ବୃଦ୍ଧ ପଥିକ ସେହି ତାଳବୃକ୍ଷ ନିକଟକୁ ଚଞ୍ଚଳ ଚାଲିଗଲା, ନିଜ ସ୍କନ୍ଧ-ଲମ୍ୱିତ ଝୁଲିରୁ ପାତ୍ରଟିଏ ବାହାର କରି ତହିଁରେ ମଦିରା ଭରତି କଲା । ସେଠାରୁ ଶୀଘ୍ର ଫେରି ପଠାଣ ଦୁହିଙ୍କୁ ମଦିରା-ପାତ୍ରଟି ଦେବା ମାତ୍ର ସେମାନଙ୍କର ସନ୍ତୋଷ ଆଉ ସୀମା ମାନିଲା ନାହିଁ । ସେମାନେ ହୃଷ୍ଟ ଚିତ୍ତରେ ତାଳ ରସ ପାନ କଲେ । ଉଭୟଙ୍କ ଶ୍ରାନ୍ତି ଦୂର ହୋଇଗଲା । ସେମାନଙ୍କ ମନରେ ଅପୂର୍ବ ସ୍ଫୂର୍ତ୍ତି ଓ ଆନନ୍ଦ ନାଚି ଉଠିଲା । ଦେଖୁ ଦେଖୁ ମଦିରା ପ୍ରଭାବରେ ସେମାନେ ଅସ୍ପଷ୍ଟ ଅର୍ଥହୀନ ନାନା କଥା କହିବାକୁ ଲାଗିଲେ । ପରେ କିଛି ସମୟ ଲକ୍ଷ୍ୟ-ଶୂନ୍ୟ ବକ ଧ୍ୟାନ କରି ଶେଷରେ କୁମ୍ଭକର୍ଣ୍ଣ ବୃତ୍ତିର ଆଶ୍ରୟ ନେବାକୁ ବାଧ୍ୟ ହେଲେ ।

 

ଦୁହିଙ୍କୁ ଗାଢ଼ ନିଦ୍ରାଭିଭୂତ ଦେଖି ବୃଦ୍ଧ ସେହି ଆକ୍ରାନ୍ତ ଲୋକ ନିକଟକୁ ଯାଇ ତାହାକୁ ଶୃଙ୍ଖଳାମୁକ୍ତ କରିଦେଲା । ପରେ ତାହାକୁ ଆଶ୍ୱାସନା ଦେଇ ତାହା ପିଠିରେ ହାତ ବୁଲାଇ କହିଲା, ‘କିଛି ଭୟ କର ନାହିଁ, ଭାଇ ।’

 

ଶୃଙ୍ଖଳାମୁକ୍ତ ବ୍ୟକ୍ତିର ଆଶା ଓ ଆନନ୍ଦ ତାହାର ସୀମା ଲଙ୍ଘନ କଲା । ତାହାର ମୁଖମଣ୍ତଳ ପ୍ରସନ୍ନ ହୋଇ ଉଠିଲା । ସେ ଯୋଡ଼ହସ୍ତ ହୋଇ ବିନୀତ କହିଲା,–‘ମହାଶୟ, ଆପଣ ସାମାନ୍ୟ ମନୁଷ୍ୟ ନୁହନ୍ତି–ଦେବତା ଭଳି । ଏହି ଅପୂର୍ବ ଉପକାର ସକାଶେ ମୁଁ ଆପଣଙ୍କ ନିକଟରେ ଆଜୀବନ ଋଣୀ ରହିଲି । ଏ ଦୁରାଚାର ଦୁହେଁ ମୋତେ ତୀବ୍ର ଯନ୍ତ୍ରଣା ଦେଲେଣି । ଆପଣଙ୍କ ଅନୁଗ୍ରହରେ, ଦେଖୁଛି, ଆଜି ମୋର ପ୍ରାଣ ରହିବ । ଆପଣଙ୍କ ହୃଦୟ ପଠାଣ-ହୃଦୟ ନୁହେ ।’ ବୃଦ୍ଧ କହିଲା,–‘କୌଣସି ଭୟ ନାହିଁ । ତୁମ୍ଭେ କିଏ ?’

 

ସେହି ଲୋକର ଆଉ ବାକ୍‌ସ୍ଫୂର୍ତ୍ତି ହୋଇପାରିଲା ନାହିଁ । ସେ ମୁଖାବନତ କରି କ୍ଷଣକାଳ ଠିଆହୋଇ ରହିଲା । ବିବିଧ ଚିନ୍ତା ଆସି ତାହାର ମନକୁ ଆଲୋଡ଼ିତ କରିଦେଲା । ତାହାକୁ ଗଭୀର ଚିନ୍ତାମଗ୍ନ ଦେଖି ବୃଦ୍ଧ ସହାସ୍ୟ ମୁଖରେ କହିଲା,–ତୁମ୍ଭେ କଣ ବାତୁଳ ? କହୁଛି, ଭୟ ନାହିଁ କର ନାହିଁ ।’

 

ବୃଦ୍ଧ ଚତୁର୍ଦ୍ଦିଗରେ ଥରେ ଚକ୍ଷୁ ବୁଲାଇ ଅନ୍ୟ ପଥିକର କାନରେ କେତେକ ଗୁପ୍ତ କଥା କହିଲା । ବୃଦ୍ଧର କଥା ଶୁଣି ଲୋକଟି ଏକାବେଳକେ ସ୍ତମ୍ଭୀଭୂତ ! ସେ ସନ୍ତୋଷରେ ଅଧୀର ହୋଇଗଲା । ବୃଦ୍ଧର ଆପାଦମସ୍ତକ ଥରେ ନିରୀକ୍ଷଣ କଲା । ପରେ ତାହାକୁ ବୃଦ୍ଧ ଅତି ଧୀର ସ୍ୱରରେ କହିଲା,–‘‘ଆଉ ବିଳମ୍ୱ ନକରି ତୁମ୍ଭ ପତ୍ରଟି ମୋତେ ଦିଅ । ଏ ଦୁହେଁ ଉଠିଲେ ଆଉ ରକ୍ଷା ନାହିଁ । ମୁଁ ଏବେ କାବୁଲ ଯାଉଛି–ଯଶୋବନ୍ତ ସିଂହଙ୍କ ହାତରେ ତୁମ୍ଭର ପତ୍ର ଅବଶ୍ୟ ଦେବି ।’

 

ଅପର ପଥିକର ମୁଖ ଆହ୍ଲାଦରେ ଆଭାମୟ ହୋଇଉଠିଲା । ସେ ଅତିଶୀଘ୍ର ପତ୍ରଟି ବୃଦ୍ଧ ହସ୍ତରେ ଦେଇ ସେଠାରୁ ବିଦ୍ୟୁତ୍ ଗତିରେ ପଳାୟନ କଲା । ବୃଦ୍ଧ ତାହାର ପାତ୍ରଟି ଭୂମିରୁ ଉଠାଇ ନିଜ ମୁଣି ମଧ୍ୟରେ ରଖିଲା ଏବଂ ପତ୍ରଟି ନିଜ ବସ୍ତ୍ର ମଧ୍ୟରେ ଯତ୍ନରେ ରଖି ସେହି ମୁହୂର୍ତ୍ତରେ ହିଁ ସେହି ସ୍ଥାନ ତ୍ୟାଗ କଲା ।

Image

 

ଦ୍ୱିତୀୟ ପରିଚ୍ଛେଦ

(ଭ୍ରାତୃବତ୍ସଳା ଭଗିନୀ)

 

‘‘ବାବା, ଅଳ୍ପ ବୟସର ବାଳିକା ଜଣେ ମୁଁ । ତୁମ୍ଭ କଥାର କି ପ୍ରତ୍ୟୁତ୍ତର ଦେଇ ପାରିବି ? ତୁମ୍ଭେ ନିଜେ ବିଚାରି ଭାଇଙ୍କୁ ଏଠାକୁ ଅଣାଅ।’’

 

‘‘ମୋ, କମଳ, କେତେ ବୁଝାଇ କହିଲେ ମଧ୍ୟ ନଶୁଣି ଅବାଧ୍ୟ ଶିବସିଂହ ନିତାନ୍ତ ଗର୍ବରେ ମୋର ଆଜ୍ଞା ଲଙ୍ଘନ କରିଛି । ଏହା ଅବଶ୍ୟ ତା’ ପ୍ରତି ଉପଯୁକ୍ତ ଶାସ୍ତି । ଅନେକ ଲୋକ ଉପଦେଶ ଦେଲେ, ତଥାପି ସେଥିପ୍ରତି କର୍ଣ୍ଣପାତ ନ କରି ରାଜପୁତ୍ର-ଶତ୍ରୁ ହିନ୍ଦୁ-ବିଦ୍ୱେଷୀ ଅଉରଙ୍ଗଜେବ୍‌ର ବନ୍ଧୁ ଯଶୋବନ୍ତ ସିଂହ ସହିତ ବନ୍ଧୁତା କରି ଯୁଦ୍ଧ-ନୈପୁଣ୍ୟ ଦେଖାଇବାକୁ ପ୍ରସ୍ତୁତ-। ଏହା କଣ ସାମାନ୍ୟ ଦୋଷ ? ରାଜପୁତ୍‍ ପକ୍ଷରେ କମ୍‌ ଅଗୌରବର ବିଷୟ, କମଳ-? ବିକ୍ରମସିଂହ-ପୁତ୍ରର ଏହା କଣ ଉପଯୁକ୍ତ ମା ? ମୋ କଥା ପ୍ରତି ତାହାର ଏତେ ଅବହେଳା-?’’

 

‘‘ତୁମେ କ୍ରୋଧ କଲେ ମୁଁ କିଛି କହି ନପାରେ, କିନ୍ତୁ ଭାଇଙ୍କର ତାହା କଦାପି ଅବହେଳା ନୁହେଁ, ବାବା । ଯଶୋବନ୍ତ ସିଂହ ଆମର ସ୍ୱଜାତୀୟ, ନିକଟ ବନ୍ଧୁ । ତାଙ୍କ ପ୍ରତି ଗଭୀର ପ୍ରେମ, ବୀରତ୍ୱ ଓ ରଣ ପ୍ରୀତି ଯୋଗୁଁ ଭାଇଙ୍କ ପ୍ରତି ଏହି କଠିନ ଦଣ୍ତ ବଡ଼ ଅନ୍ୟାୟ ହୋଇଛି ବାବା ! କ୍ଷମା କର, ମୋର ବିନୀତ ପ୍ରାର୍ଥନା ତାଙ୍କୁ କାବୁଲରୁ ଅତି ଶୀଘ୍ର ଡକାଇ ଆଣ ।’’

 

‘‘କମଳ, କ୍ଷାନ୍ତ ହୁଅ । କ୍ଷତ୍ରିୟ ଧର୍ମରେ ଜଳାଞ୍ଜଳି ଦେଇ, ପଠାଣର ଦାସତ୍ୱ ସ୍ୱୀକାର କରିବା ଲୋକ ନିକଟ ବନ୍ଧୁ ହେଲେହେଁ ଭୀଷଣ ଶତ୍ରୁ । ଏହି କାରଣରୁ ହିଁ ଆଜି ରାଜପୁତ୍‍ ଜାତି ଯଶୋବନ୍ତ ବିରୁଦ୍ଧରେ ଖଡ୍‍ଗ ହସ୍ତ । ମୋର ବାରମ୍ୱାର ନିଷେଧ ନମାନି ଯେ ଶତ୍ରୁ ସହିତ ମିଶିଛି, ତାହା ପ୍ରତି ଦୟା ଦେଖାଇବା କ୍ଷତ୍ରିୟର ଧର୍ମ ନୁହେଁ । ଯୁଦ୍ଧ-ପ୍ରୀତିର ଅର୍ଥ କଣ ପିତା ପ୍ରତି ଅଭକ୍ତି-ପ୍ରଦର୍ଶନ ? ବାଲ୍ୟକାଳରୁ ତୁମ୍ଭ ଦୁଇଜଣଙ୍କୁ ସମାନ ଭାଗରେ ଶିକ୍ଷା ଦେଇ ଆସିଛି । ତୁ ତାହାଠାରୁ କୌଣସି ଅଂଶରେ ଊଣା ନୋହୁ ତ ! ବନ ମଧ୍ୟରେ ଯାଇ କେତେ ହିଂସ୍ରଜନ୍ତୁଙ୍କୁ ତୁ ମାରି ନାହୁଁ ମା-? ଏହି ହେତୁରୁ ପରା ସମଗ୍ର ହିନ୍ଦୁ ଜଗତରେ ତୋ ନାମ ବିଖ୍ୟାତ । ଏହି କାରଣରୁ ପରା ପ୍ରତ୍ୟେକ କ୍ଷତ୍ରିୟ–ପତ୍ୟେକ ରାଜପୁତ୍‍ ରାଜା ତୋ ପ୍ରତି ଏତେ ପ୍ରୀତ ଓ ଆକୃଷ୍ଟ ! ସେପରି ମୂର୍ଖକୁ ପାଖରେ ରଖିବା ଦ୍ୱାରା ରାଜପୁତ-ପ୍ରସିଦ୍ଧ ବିକ୍ରମ ସିଂହର ଗୌରବରେ କାଳିମା ଲାଗିବା ଛଡ଼ା ଆଉ କିଛି ନୁହେ । ଏଣୁ ପୁତ୍ର ହେଲେ ସୁଦ୍ଧା ତାହାକୁ ମୁଁ ତ୍ୟାଗ କରୁଛି ।’’

 

‘‘ବାବା, ତାଙ୍କୁ କ୍ଷମା କରିବା ଦ୍ୱାରା ତୁମ୍ଭ ମହତ୍ତ୍ୱର ତିଳେ ମାତ୍ର କ୍ଷତି ହେବ ନାହିଁ । ସନ୍ତାନର ଦୋଷ ପିତା ତ କ୍ଷମା କରିବ ନାହିଁ ଆଉ କରିବ କିଏ ବାବା ? ପୁତ୍ର ଜଙ୍ଘରେ ମଳ ତ୍ୟାଗ କଲେ କଲେ ପିତା ତା’ର ଜଘ କାଟି ଦିଏ ନାହିଁ ତ । ମା ମରିବା ଦିନୁ ତୁମ୍ଭେ ଆମ୍ଭମାନଙ୍କୁ କି ଆଦର ପ୍ରେମ କରି ନାହିଁ ? ତୁମ୍ଭ ଲାଳନ ଓ ଯତ୍ନରେ ବାସ୍ତବିକ ଆମ୍ଭେମାନେ ମା’ ଙ୍କୁ ଭୁଲି ଯାଇଛୁ-। ମନେ ଅଛି ବାବା, ଦିନେ ଶିକାର କରୁଥିବାବେଳେ ଗୋଟିଏ ଆମ୍ୱ ଗଛର ଅଗରେ ଥିବା ଫଳଟିକୁ ଲକ୍ଷ୍ୟ କରି ତଳେ ପକାଇ ଦେଲେ ଚାରୋଟି ବରାହ ପୁରସ୍କାର ଦେବ ବୋଲି କହିବାରୁ ଭାଇ ସେହିକ୍ଷଣି ତାଙ୍କ ବାଣରେ ଆମ୍ୱଟି ବିନ୍ଧି ପକାଇଥିଲେ । ଆଉ ତୁମ୍ଭେ ହୃଷ୍ଟମନରେ ହସି ହସି ତାଙ୍କୁ ସେହି ପୁରସ୍କାର ଦେଇଥିଲ ? ସେହି ପ୍ରେମ, ସେହି କୌତୁକ ଆଜି କେଉଁଆଡ଼େ ଗଲା-? କାକୁଡ଼ି ଚେରକୁ ମୁଣ୍ତ-କାଟ କଣ ଉଚିତ ଦଣ୍ତ, ବାବା ?’’

 

‘‘ଯଥେଷ୍ଟ ହେଲା, ମା, ଆଉ ଅଧିକ ସୁପାରିସ କରନା । ଭାବିଛୁ, ମୋ ଆଗରେ ଶିବର ପ୍ରଶଂସା ଗାଇବା ମାତ୍ରେ ତାକୁ ପୁଣି ନଗରରେ ସ୍ଥାନ ଦେବି? କଦାପି ନୁହେ । ନଗର ମଧ୍ୟରେ କଣ ଆଉ ବୀର ଯୁବକ ନାହାନ୍ତି ? କଦାପି ନୁହେ । ନଗର ମଧ୍ୟରେ କଣ ଆଉ ବୀର ଯୁବକ ନାହାନ୍ତି ? ରାଜପୁତ୍‍ମାନଙ୍କ ମଧ୍ୟରେ କଣ ଶ୍ରେଷ୍ଠ ସାହାସୀ ଯୋଦ୍ଧାର ଅଭାବ ଅଛି ଯେ ଶିବ ନ ଆସିଲେ ଚଳିବ ନାହିଁ ? ତୁମ୍ଭେ ଦୁହେଁ ଅସ୍ତ୍ର ଶିକ୍ଷା କରୁଥିବାବେଳେ ତତେ କେତେ ଥର ବା ମୁଁ ପରୀକ୍ଷା କରି ନାହିଁ ! ଶିବ ସିଂହ ନାହିଁ–ନ ଥାଉ, କମଳକୁମାରୀ ତ ଅଛି ? ଦେଖୁ ଦେଖୁ ମୋର ଆସି ବାଳ ପାଚିଲାଣି । ମୋର ଏପରି ଅବସ୍ଥାରେ ଅଭିଷେକ-ଯୋଗ୍ୟ ଯୁବକ ପୁତ୍ର ସଙ୍ଗରେ ଶତ୍ରୁତା ସୁନ୍ଦର ନୁହେ ବୋଲି ଅନେକ ଥର ଭାବିଛି–ତଥାପି ସେହି ପାଷଣ୍ତ ପ୍ରତି ମନରେ ତିଳେମାତ୍ର ଦୟାର ସଞ୍ଚାର ହେଉ ନାହିଁ । ଏବେ କମଳ, ତୁ ଏକା ମୋର ପୁତ୍ର ଓ କନ୍ୟା । ମୋ ପରେ ତୋ ଉପରେ ହିଁ ଏ ରାଜ୍ୟର ଭାର !’’

 

ରୂପନଗର ରାଜପୁତାନାର ଖଣ୍ତିଏ ଛୋଟ ସାମନ୍ତ ରାଜ୍ୟ । ବିକ୍ରମସିଂହ ସୋଲାଙ୍କି ସେଠାର ଶାସକ । ସେ ଅତ୍ୟନ୍ତ ଧର୍ମ ପରାୟଣ–ବୁଦ୍ଧି କୌଶଳରେ ଅଦ୍ୱିତୀୟ । ତାଙ୍କର କ୍ଷତ୍ରିୟ-ଧର୍ମ-ପାଳନ-ପ୍ରତିଜ୍ଞା ଅକଥନୀୟ । ତାଙ୍କର ଗୁଣ ଗୌରବରେ ମୁଗ୍‌ଧ ହୋଇ ରାଜପୁତାନାର ଅନ୍ୟାନ୍ୟ ସାମନ୍ତ ରାଜମାନେ ତାଙ୍କ ପ୍ରତି ଅତିଶୟ ଭୟ ଓ ଭକ୍ତି ଦେଖାଉଥିଲେ । ବିକ୍ରମସିଂହ ବୟସରେ ବୃଦ୍ଧ, ବିଚାରରେ ଧୀର, ନ୍ୟାୟରେ ବୀର ଏବଂ ଶାସ୍ତ୍ର ଜ୍ଞାନରେ ଧୁରନ୍ଧର । ସେ ଅନେକ ଦିନ ଯାଏ ସନ୍ତାନହୀନ ଥିଲେ; କିନ୍ତୁ ପରେ ଭଗବାନଙ୍କ କୃପାବଳରେ ତାଙ୍କର ଦୁଇ ସନ୍ତାନ ହେଲେ–ଜ୍ୟେଷ୍ଠ ପୁତ୍ର ଶିବସିଂହ, କନିଷ୍ଠା କନ୍ୟା କମଳକୁମାରୀ । ପୁତ୍ର କନ୍ୟା ଦୁହେଁ ଅଳ୍ପ ବୟସ୍କ ଥିବାବେଳେ ତାଙ୍କ ପତ୍ନୀ ସଂସାର-ଲୀଳା ସାଙ୍ଗ କରିଥିଲେ । ସେହି ସମୟରୁ ସେ ସନ୍ତାନ ଦୁହିଁଙ୍କର ଲାଳନ ପାଳନ କରି ସେମାନଙ୍କୁ ଅସ୍ତ୍ର ଶସ୍ତ୍ର ଓ ନାନାବିଧ ଶାସ୍ତ୍ର ଶିକ୍ଷା ଦେଉଥିଲେ । ଶିବସିଂହ ଓ କମଳ ସମବୟସ୍କ କେତେ ଜଣ ବାଳକ ବାଳିକା ସହିତ ଯୁଦ୍ଧ-ବିଦ୍ୟା, ଅଶ୍ୱାରୋହଣ ଇତ୍ୟାଦି ଶିକ୍ଷା କରି ରାଜା ଓ ପ୍ରଜାମାନଙ୍କର ଅତ୍ୟନ୍ତ ପ୍ରିୟ ହୋଇ ଉଠିଲେ ।

 

ଶିବସିଂହ ଅତ୍ୟନ୍ତ ରଣ-ନିପୁଣ ଓ ସାହସୀ ଥିଲେ; ଏଣୁ ଶତ୍ରୁ ସହିତ ଯୁଦ୍ଧ କରିବାର ସୁଯୋଗ ଘଟିବା ମାତ୍ରେ ତାଙ୍କର ଆନନ୍ଦ ଓ ସନ୍ତୋଷ ଆଉ ସୀମା ମାନୁ ନ ଥିଲା । ସେ ଯୁଦ୍ଧ-କ୍ଷେତ୍ରରେ ଭୋଜିଘର-ଆନନ୍ଦ ଅନୁଭବ କରୁଥିଲେ । ପିଲାଦିନରୁ ତାଙ୍କ ହୃଦୟରେ ଅପୂର୍ବ ବୀରତ୍ୱ ଓ ଉତ୍ସାହ ଖେଳୁଥିଲେ । ସେ ରଣ-କ୍ଷେତ୍ରରେ ଶତ୍ରୁବୀରମାନଙ୍କୁ ପରାସ୍ତ କରି କେବେ ଅନ୍ୟାନ୍ୟ ରାଜାମାନଙ୍କୁ ସମକ୍ଷରେ ନିଜର ଅଦ୍ଭୁତ ଭୁଜବୀର୍ଯ୍ୟର ବିମଳ ପରିଚୟ ଦେବେ, ସେହି ସୁଯୋଗ ହିଁ ସେ ଉତ୍କଣ୍ଠିତ ଭାବରେ ଅପେକ୍ଷା କରି ରହୁଥିଲେ । କିନ୍ତୁ ତାଙ୍କର ସେପରି ସୁଯୋଗ କେବେ ଘଟି ନଥିଲା । କାରଣ ସେହି ସମୟରେ ଯବନ ଭିନ୍ନ ରାଜପୁତ୍‍ ଜାତିର ଶତ୍ରୁ କେହି ନଥିଲେ । କିନ୍ତୁ କେତେଜଣ ମାତ୍ର ଭୀରୁ ରାଜପୁତ୍‍ ଜାତିର ଶତ୍ରୁ କେହି ନଥିଲେ । କିନ୍ତୁ କେତେଜଣ ମାତ୍ର ଭୀରୁ ରାଜପୁତ୍‍ ରାଜା ଯବନ ସମ୍ରାଟ ଅଉରଙ୍ଗଜେବ୍‌ଙ୍କର ପଦ-ଲେହନ କରୁଥିବା ଯୋଗୁଁ ଏବଂ ଅନ୍ୟ ଜାତି ଅପେକ୍ଷା ନିଜେ ହୀନବଳ ଥିବାରୁ ଶିବସିଂହଙ୍କୁ ତାଙ୍କର ବୀରତ୍ୱ ଓ ସାହସ ଘୋଡ଼ାଇ ରଖିବାକୁ ହେଉଥିଲା । ଅଧିକ କାଳ କିନ୍ତୁ ସେ ସେହି ଅବସ୍ଥାରେ ରହି ନଥିଲେ । ଅଉରଙ୍ଗଜେବ୍‌ଙ୍କର ସଂପୂର୍ଣ୍ଣ ବଶୀଭୂତ ଯୋଧପୁରପତି ସାମନ୍ତ ଯଶୋବନ୍ତ ସିଂହ ସମ୍ରାଟଙ୍କର ଆଦେଶ ପ୍ରକାରେ ବାରମ୍ୱାର ଯୁଦ୍ଧ-ଯାତ୍ରା କରୁଥିଲେ, ଅନେକ ଥର ଦିଗ୍‌ ବିଜୟ କରିଥିଲେ । ତାଙ୍କ ସହିତ ଶିବସିଂହଙ୍କର ଘନିଷ୍ଠ ବନ୍ଧୁତା ଥିବାରୁ, ସେ ତାଙ୍କ ସଙ୍ଗେ ଯୁଦ୍ଧ ଯାତ୍ରାରେ ଯୋଗ ଦେଇଥିଲେ-। ବୀର ଯଶୋବନ୍ତ ସିଂହ ପଠାଣ ସମ୍ରାଟଙ୍କ ଅଧୀନତା ସ୍ୱୀକାର କରୁଥିବାରୁ ସେ ରାଜପୁତ୍‍-ଜାତିର ଚକ୍ଷୁଃ-ଶଳ ହୋଇ ପଡ଼ିଥିଲେ ।

 

ଯଶୋବନ୍ତ ସହିତ ସମ୍ବନ୍ଧ ଛିନ୍ନ କରିବା ସକାଶେ ବିକ୍ରମସିଂହ ଶିବସିଂହଙ୍କୁ ଅନେକ ଥର ଆଦେଶ ଦେଇଥିଲେ–କେବଳ ସେହି ଏକ କାରଣରୁ । କିନ୍ତୁ ରଣୋନ୍ମତ୍ତ ବୀରତ୍ୱ ପ୍ରଦର୍ଶନ-ତତ୍ପର ଶିବସିଂହ ପିତୃବାରଣ ନ ମାନି ଚାଲିଥିଲ । ଫଳରେ, ସେ ବାପାଙ୍କର ବିରାଗ-ଭାଜନ ହୋଇଉଠିଲେ–ବିକ୍ରମସିଂହଙ୍କ ପ୍ରାଣରେ ବିରକ୍ତିର ଗୋଟିଏ ବିକଟ ଛାୟା ଆସି ପଡ଼ିଲା । ଅଉରଙ୍ଗଜେବ୍‍ଙ୍କ ପ୍ରତ୍ୟକ୍ଷ ଅଧୀନସ୍ଥ ହେବା ଫଳରେ ଭବିଷ୍ୟତରେ ବିପଦ ଘଟିବାର ସମ୍ଭାବନା ଦେଖି ବିକ୍ରମସିଂହ ଶିବସିଂହଙ୍କୁ ରୂପନଗରରୁ ଏକାବେଳକେ ନିର୍ବାସିତ କରିଦେଲେ । ଏହା ତାଙ୍କ ପ୍ରତି ଅବଶ୍ୟ କଠୋର ଆଦେଶ, କଠିନ ଦଣ୍ଡ । ସେହିଦିନୁ ଶିବସିଂହ ଯଶୋବନ୍ତ ସିଂହଙ୍କର ସେବାରେ ଲାଗି ରହିଲେ । କେତେକ ଦିନ ପରେ, ଶିବସିଂହ ଆରାବଳୀର ଅରଣ୍ୟ-ବାସୀମାନଙ୍କର ନାୟକ ପଦରେ ନିଯୁକ୍ତ ହେଲେ ।

 

ବୃଦ୍ଧ ବିକ୍ରମସିଂହ ପତ୍ନୀ-ମରଣ ଓ ପୁତ୍ର-ବିଚ୍ଛେଦ–ଏ ଦୁଇ ଘଟନାରେ ବିଚଳିତ ନହୋଇ କ୍ଷତ୍ରିୟ-ସୁଲଭ-ଧୈର୍ଯ୍ୟ ଓ ସହିଷ୍ଣୁତା ସହ କାଳ କଟାଇବାକୁ ଲାଗିଲେ; କନ୍ୟା କମଳଙ୍କ ଉପରେ ସମସ୍ତ ଆଦର ପ୍ରେମ ଢାଳି ଦେଲେ । ବର୍ତ୍ତମାନ କମଳ ହିଁ ତାଙ୍କର କନ୍ୟା ଓ ପୁତ୍ର । ସେ ତାଙ୍କୁ ପାଖରୁ ଘଡ଼ିଏ ହେଲେ ଅନ୍ତର କରୁନଥିଲେ–କାର୍ଯ୍ୟାନୁରୋଧରେ ଅନ୍ୟସ୍ଥାନକୁ ଯିବାବେଳେ କ୍ଷତ୍ରିୟ-କୁଳ-ପ୍ରଚଳିତ ପ୍ରଥାକୁ ପଛରେ ପକାଇ ଦେଇ ତାଙ୍କୁ ସଙ୍ଗେ ନେଉଥିଲେ । ଏତିକି ନୁହେ, କମଳଙ୍କୁ କୌଣସି ଯୋଗ୍ୟ ବୀର ହାତରେ ଅର୍ପଣ କରି କନ୍ୟା ଓ ଜାମାତାଙ୍କୁ ନିଜ ପ୍ରାସାଦରେ ଆଣି ରଖିବା ଏବଂ ମୃତ୍ୟୁପରେ ସେମାନଙ୍କୁ ରାଜ୍ୟଭାର ଦେବା ବିକ୍ରମସିଂହଙ୍କ ପ୍ରଧାନ ଉଦ୍ଦେଶ୍ୟ ଥିଲେ । ସେ ଜଣେ ସାମାନ୍ୟ ସାମନ୍ତ-ରାଜା ହେଲେ ହେଁ ରାଜପୁତ୍‍ ଜାତିର ଗୌରବ-ଭାଜନ ଓ ସମ୍ମାନ-ପାତ୍ର ହୋଇପାରି ଥିଲେ । ସେହି ସମୟରେ ରାଜପୁତାନାରେ ଅଗ୍ରଣୀ ଥିଲେ ରାଣା ରାଜସିଂହ–ଉଦୟପୁରର ରାଜା । ବିକ୍ରମସିଂହଙ୍କର କ୍ଷାତ୍ରୋଚିତ ତେଜ ଓ ଧର୍ମ-ନିଷ୍ଠା ଦେଖି ରାଜସିଂହ ତାଙ୍କୁ ବିଶେଷ ଭକ୍ତି ଓ ସମ୍ମାନ କରୁଥିଲେ ।

 

ଗୁଣବତୀ କମଳକୁମାରୀ ମାତୃ-ବିୟୋଗ-ଶୋକ ମନରୁ ଘୁଞ୍ଚାଇବା ଉଦ୍ଦେଶ୍ୟରେ ସବୁବେଳେ ସତ୍‌କାର୍ଯ୍ୟରେ ଦିନ କଟାଉ ଥିଲେ । ସେ ବାଲ୍ୟକାଳରୁ ତାଙ୍କ ଭାଇ ସହିତ ବହୁ ଶାସ୍ତ୍ର ପାଠ କରିଥିଲେ । କେବେ କେବେ ସେ ସଭାସ୍ଥଳକୁ ଯାଇ ପିତାଙ୍କ ସହିତ ରାଜକାର୍ଯ୍ୟରେ ଯୋଗ ଦେଉଥିଲେ । କନ୍ୟାଙ୍କର ଅପୂର୍ବ ବିଚାର ଶକ୍ତି ଦେଖି ବିକ୍ରମସିଂହ ସନ୍ତୋଷରେ ଭାସୁଥିଲେ । ତାଙ୍କ ବୁଦ୍ଧି-କୌଶଳରେ ସମସ୍ତେ ଚକିତ ଓ ମୋହିତ ହୋଇ ଯାଉଥିଲେ । ତାଙ୍କ ଶିକାର ଦେଖି ବିକ୍ରମସିଂହ ଆନନ୍ଦରେ ଅଥୟ ହୋଇ ପଡ଼ୁଥିଲେ । କୁନ୍ଦା ଓ ପଦ୍ମା ନାମରେ କମଳକୁମାରୀଙ୍କର ଦୁଇ ସଙ୍ଗିନୀ । ସେ ସର୍ବଦା ଉଦ୍ୟାନ-ବିହାର ବେଳେ ଦୁହିଁଙ୍କୁ ପ୍ରାଚୀନ କାହାଣୀ, କ୍ଷତ୍ରିୟ-ଧର୍ମ-ଶାସ୍ତ୍ର, ଜୀବନ ଚରିତ, ପୁରାଣ ଇତ୍ୟାଦି ଶୁଣାଇ ଆପ୍ୟାୟିତ କରୁଥିଲେ । ସେ ଅତିଶୟ କ୍ରୀଡ଼ା-ନିପୁଣା । ସମୟ ସମୟରେ ସେ ତାଙ୍କ ପ୍ରିୟ ସହଚରୀ ପଦ୍ମା ସହିତ ଅଶ୍ୱ-ଚାଳନାରେ ପ୍ରତିଯୋଗିତା କରି ଜୟଲାଭ କରୁଥିଲେ ।

 

କିନ୍ତୁ, ହାୟ ! ଶିବସିଂହ ପିତାଙ୍କ ଆଦେଶ ପ୍ରତି ଅବଜ୍ଞା ଦେଖାଇ ରାଜ୍ୟ ଛାଡ଼ିବା ଦିନଠାରୁ କମଳଙ୍କ ମନରେ ଲେଶ ମାତ୍ର ସୁଖଶାନ୍ତି ସ୍ଥାନ ପାଇପାରୁ ନଥିଲା । ସେ ଭାଇଙ୍କ ବାହୁବଳରେ ମୋହିତ ହୋଇ ତାଙ୍କ ପ୍ରତି ଗଭୀର ପ୍ରେମ ଓ ସ୍ନେହ ଦେଖାଉଥିଲେ । ତାଙ୍କର ପୂର୍ଣ୍ଣ ଆଶା ଓ ବିଶ୍ୱାସ ଥିଲା–ତାଙ୍କର ପରାକ୍ରମୀ ଅଗ୍ରଜ ରାଜପୁତ୍‍ ଜାତିର ଗୌରବ ବଢ଼ାଇବେ । କିନ୍ତୁ ମାତୃ-ବିୟୋଗ-ଶୋକ ଅପେକ୍ଷା ଅଗ୍ରଜ-ନିର୍ବାସନ-ଚିନ୍ତା ତାଙ୍କୁ ଅଧିକ ଅସ୍ଥିର କରି ପକାଉଥିଲା । ଏତିକି ମାତ୍ର ନୁହେ; ତାଙ୍କ ଦୁଃଖର ଅନ୍ୟ ଏକ ପ୍ରଧାନ କାରଣ ଥିଲା–ପଦ୍ମାଚିନ୍ତା । ତାଙ୍କର ପିୟୁଷୀ-କନ୍ୟା, ପଦ୍ମା ବାଲ୍ୟକାଳରେ ମୋ ବାପାଙ୍କୁ ହରାଇଥିବାରୁ ବିକ୍ରମସିଂହ ତାଙ୍କୁ ନିଜ ଅନ୍ତଃପୁରରେ ରଖି ଅତ୍ୟଧିକେ ଯତ୍ନ ଓ ଆଦରରେ ପ୍ରତିପାଳନ କରିଥିଲେ । କମଳ ଓ ପଦ୍ମା ମଧ୍ୟରେ ଘନିଷ୍ଠ ସ୍ନେହ, ଅପୂର୍ବ ପ୍ରେମ–ଏପରିକି ଉଭୟଙ୍କର ସ୍ନାନ, ଭୋଜନ, ଶୟନ, ଅଧ୍ୟୟନ ଇତ୍ୟାଦି କାର୍ଯ୍ୟ ଏକ ସମୟରେ ଏକ ସ୍ଥାନରେ ହେଉଥାଏ । ସ୍ଥୂଳତଃ ଏତିକି କୁହାଯାଇପାରେ, ଦୁହିଁଙ୍କର ଶରୀର ଭିନ୍ନ ଭିନ୍ନ ଏବଂ ମନ ପ୍ରାଣ ଏକ ଥିଲା । କମଳ ଭାବିଥିଲେ–ଭାବି ଆନନ୍ଦିତ ଓ ଆଶାନ୍ୱିତ ହୋଇଥିଲେ ଯେ, ପିତାଙ୍କୁ ଅନୁରୋଧ କରି ତାଙ୍କ ଭାଇଙ୍କ ସଙ୍ଗରେ ପଦ୍ମାଙ୍କର ବିବାହ ଦିଆଇବେ-। ଏଣୁ ଶିବସିଂହ ଚାଲିଯିବା ଦିନଠାରୁ ସେ ପଦ୍ମାଙ୍କ କଥା ଭାଳି ଭାଳି ଦାରୁଣ ମନୋବେଦନା ଭୋଗିଲେ । ଭାଇଙ୍କୁ କ୍ଷମା କରି ତାଙ୍କୁ ପୁନର୍ବାର ରାଜ୍ୟକୁ ଡକାଇ ଆଣିବା ପାଇଁ ସେ ପିତାଙ୍କୁ ଅନେକ ଥର ପ୍ରାର୍ଥନା କଲେ; କିନ୍ତୁ ଦୁଃଖର କଥା, ତାଙ୍କର ଉଦ୍ଦେଶ୍ୟ ଓ ଅନୁନୟ ବିନୟ ସବୁ ବିଫଳ ହୋଇଗଲା ।

 

ସେଦିନ ବିକ୍ରମସିଂହ ଓ କମଳକୁମାରୀଙ୍କ ମଧ୍ୟରେ ଉପରୋକ୍ତ ଭାବରେ କଥାବାର୍ତ୍ତା ଚାଲିଅଛି, ଏପରି ସମୟରେ ଦ୍ୱାରପାଳ ଆସି ଜଣାଇଲା,–‘ମହାରାଜ, ଜଣେ ପଠାଣ-ଦୂତ ଦିଲ୍ଲୀଠାରୁ ଆସି ଆପଣଙ୍କ ସାକ୍ଷାତ୍‌ ପାଇବା ସକାଶେ ସିଂହଦ୍ୱାରରେ ଠିଆ ହୋଇଅଛି ।’ ବିକ୍ରମଙ୍କ ଆଦେଶରେ ସେହିକ୍ଷଣି ଦୂତ ତାଙ୍କ ସମକ୍ଷକୁ ଆନୀତ ହେଲା । ଦିଲ୍ଲୀଦୂତର ଆକସ୍ମିକ ଆଗମନରେ ବିବିଧ ଚିନ୍ତା ବିକ୍ରମସିଂହଙ୍କର ହୃଦୟକୁ ଆସି ଆଲୋଡ଼ିତ କରିବାକୁ ଲାଗିଲା । ତାଙ୍କ ମନରେ ବିସ୍ମୟ ଓ ସନ୍ଦେହର ଗୋଟିଏ ଘନ ଛାୟା ଆସି ପଡ଼ିଲା । ପଠାଣ-ଦୂତ ବିକ୍ରମସିଂହଙ୍କୁ ପ୍ରଣାମ କରିବା ପରେ ନିଜ ଅଙ୍ଗରଖା-ପକେଟରୁ ଖଣ୍ଡିଏ ପତ୍ର ବାହାର କରି ତାହାଙ୍କୁ ଦେଲା । ପତ୍ର ଦେଖି ତାଙ୍କର ବିସ୍ମୟ ଓ ସନ୍ଦେହ ବୃଦ୍ଧି ପାଇବାକୁ ଲାଗିଲା । ସେ ନିତାନ୍ତ ଉଦ୍‍ବିଗ୍ନ ଚିତ୍ତରେ ଓ ଉତ୍କଣ୍ଠା-ବ୍ୟଞ୍ଜକ ଦୃଷ୍ଟିରେ ପତ୍ରଟି ଫିଟାଇଲେ–ତାହା ଆମୂଳଚୂଳ ପାଠକରି ନିଶ୍ଚଳ ଓ ନୀରବ ରହିଲେ । ପାଠ କରୁଁ କରୁଁ ତାଙ୍କ ଚକ୍ଷୁରୁ ଜଳଧାରା ଗଡ଼ିଗଲା । ତାଙ୍କର ମଳିନ ମୁଖ ଓ ସଜଳ ନେତ୍ର ଦେଖି ଦୂତ କହିଲା,–‘ମହାରାଜ, ଚିନ୍ତାରେ ଲାଭ କଣ ? ଭବିଷ୍ୟତରେ ମ୍ଳେଚ୍ଛ ପଠାଣ-ଜାତି କି ଅନିଷ୍ଟ ଓ ଉପଦ୍ରବ ଘଟାଇବେ କିଛି ବୁଝାଯାଉ ନାହିଁ । ଏହି ଦାରୁଣ ଓ ବୀଭତ୍ସ ଘଟନାର ପରଦିନ ଆପଣଙ୍କର ବନ୍ଧୁ ଜ୍ୟେଷ୍ଠ ମଲ୍ଲ ଏ ପତ୍ରଟି ଲେଖି ମୋ ହାତରେ ଦେଲେ । ମୁଁ ବ୍ରାହ୍ମଣ ହେଲେ ହେଁ, ଏଠାକୁ ଆସିବାବେଳେ ପାଷଣ୍ଡ ପଠାଣମାନେ ବାଟରେ ମୋତେ ଆକ୍ରମଣ କରିବେ, ଏହି ଆଶଙ୍କାରେ ବାଧ୍ୟ ହୋଇ ଏହି ମୁସଲମାନ ବେଶ ଧରିଛି । ତଥାପି ସେମାନେ ମୋତେ ନାନା ବାଧା ଦେବାକୁ ଛାଡ଼ି ନାହାନ୍ତି । ଆଶ୍ୱାସନାର କଥା–ସେ ସମସ୍ତ ବାଧାବିଘ୍ନ ସହ୍ୟ କରି ଏଠାରେ ନିରାପଦରେ ପହଞ୍ଚିଛି ।’ ବିକ୍ରମସିଂହଙ୍କ ମନରେ ପ୍ରଚଣ୍ଡ କ୍ରୋଧ ଆସି ଶୋକରେ ସ୍ଥାନ ଅଧିକାର କରି ପକାଇଲା । ତାଙ୍କ ମୁଖମଣ୍ଡଳ ଆରକ୍ତ ହୋଇ ଉଠିଲା–ଚକ୍ଷୁରୁ ସ୍ଫୁଲିଙ୍ଗ ଫୁଟି ବାହାରିଲା । ତାଙ୍କର ଏହି ଅବସ୍ଥା ଦେଖି ଏବଂ ଦୂତର କଥା ଶୁଣି କମଳ ଘଟନାର ଗୂଢ଼ ରହସ୍ୟ ଭେଦ କରି ପାରିଲେ ନାହିଁ । ସେ ପତ୍ରଟି ପଢ଼ିବା ପାଇଁ ନିତାନ୍ତ ଉତ୍ସୁକ ହେଲେ; କିନ୍ତୁ ପିତାଙ୍କର ଆରକ୍ତ ଚକ୍ଷୁ ଦେଖି ତାଙ୍କୁ ପତ୍ରଟି ମାଗିବା ସକାଶେ ଆଉ ସାହସୀ ହୋଇ ପାରିଲେ ନାହିଁ । ବିକ୍ରମସିଂହ ଦୂତକୁ କହିଲେ,–‘ହାୟ ! କି ନିଷ୍ଠୁର କାଣ୍ଡ ! ଯଶୋବନ୍ତ ସିଂହଙ୍କ ଅନୁପସ୍ଥିତିରେ ତାଙ୍କର ପୁତ୍ର ପୃଥ୍ୱୀସିଂହଙ୍କୁ କୌଶଳରେ ହତ୍ୟା କରିବା ପାଇଁ ଚଣ୍ଡାଳ ଆଉରଙ୍ଗଜେବ୍‌ର ହାତ କିପରି ବାହାରିଲା-! କି ବିଶ୍ୱାସଘାତକତା ! ବିକ୍ରମ-ଦୃପ୍ତ-ବିଦ୍ୱେଷୀ ଅଉରେଙ୍ଗଜେବ୍‌ ଭବିଷ୍ୟତରେ କିପରି ଚଳିବ ଦେଖାଯାଉ । ହାୟ ! ଏହି ଦାରୁଣ ସମ୍ବାଦରେ ଯଶୋବନ୍ତଙ୍କ ହୃଦୟର ଅବସ୍ଥା କଣ ହେବ-! ମୋଗଲ ପତନର, ବୋଧହୁଏ, ଏହା ଗୋଟିଏ ଉଗ୍ର ଧୂମକେତୁ !’ କମଳ ତାଙ୍କ ଉତ୍କଣ୍ଠାର ବେଗ ଆଉ ସହି ନପାରି ପିତାଙ୍କ ହାତରୁ ପତ୍ରଟି ନେଇ ପାଠ କଲେ । ସେଥିରେ ଲେଖାଥିଲା–

 

‘‘ମହାରାଜ ! ଜଣାଇବାକୁ ଲେଖନୀ ଚଳୁନାହିଁ; ଗତକାଲି ସନ୍ଧ୍ୟାବେଳେ ଏହି ଦରବାର ମଧ୍ୟରେ ଗୋଟିଏ ଭୀଷଣ କାଣ୍ଡ ଘଟିଯାଇଛି । ଏପରି ନିଷ୍ଠୁର ଘଟନା ଆଗେ କେବେ ଦେଖାଯାଇ ନାହିଁ କିମ୍ବା ଶୁଣାଯାଇ ନାହିଁ । ଆପଣ ଶୁଣିଥିବେ, ଅଉରଙ୍ଗଜେବ୍‌ର ଆଦେଶରେ ଯଶୋବନ୍ତସିଂହ କାବୁଲର ପ୍ରଜାବିଦ୍ରୋହ ଦମନ କରିବା ସକାଶେ କେତେକ ଦିନ ହେଲା ସପରିବାର ଓ ସଦଳବଳ ସେଠାରେ ଯାଇ ଅବସ୍ଥାନ କରୁଛନ୍ତି । ସେ ଦିଲ୍ଲୀ ତ୍ୟାଗ କରିବା ପୂର୍ବେ ତାଙ୍କ ପୁତ୍ର ପୃଥ୍ୱୀସିଂହଙ୍କୁ ଶାସନ ଭାର ଦେଇଛନ୍ତି ।

 

‘‘ଯଶୋବନ୍ତ କାବୁଲକୁ ଯିବାର କେତେକ ଦିନ ପରେ ସମ୍ରାଟ ପୃଥ୍ୱୀସିଂହଙ୍କଠାକୁ କହି ପଠାଇଲା ଯେ, ସେ ଅନେକ ଦିନ ହେଲା ତାଙ୍କୁ ନ ଦେଖି ବ୍ୟାକୁଳ ହେଉଥିବା ଯୋଗୁଁ ସେ ତାଙ୍କୁ ଥରେ ଦେଖିବାକୁ ଏକାନ୍ତ ଇଚ୍ଛୁକ । ଗୋଟିଏ ସୁବର୍ଣ୍ଣ ପାଲିକୀ ଓ କେତେ ଜଣ ଅନୁଚର ପଠାଇ ପୃଥ୍ୱୀସିଂହଙ୍କୁ ମହା ଆଡ଼ମ୍ବରରେ ଦିଲ୍ଲୀକୁ ଅଣାଇଲା । ଅଉରଙ୍ଗଜେବ୍‌ ପୃଥ୍ୱୀସିଂହଙ୍କୁ ଦେଖିବା ମାତ୍ରେ ତାଙ୍କର ସୁନ୍ଦର ଅଭ୍ୟର୍ଥନା କଲା; ପ୍ରେମାଲିଙ୍ଗନ ଓ ମଧୁର ସମ୍ଭାଷଣ–ଏପରିକି ପିତୃବତ୍‌ ଆଦର ଓ ସ୍ନେହ ପ୍ରଦର୍ଶନ ଦ୍ୱାରା ଉଦାସୀନ ନିରୀହ ପୃଥ୍ୱୀସିଂହଙ୍କର ମନ ହରଣ କରି ନେଲା । ସେ ତାଙ୍କୁ କପଟ ଭାବରେ କହିଲା,–ତୁମ ପିତାଙ୍କ ପରି ପ୍ରବଳ ପ୍ରତାପୀ ହୋଇ ମୋଗଲ ରାଜ୍ୟର ଗୌରବ-ସ୍ତମ୍ଭରୂପୀ ବିଶାଳ ଯଶ ଅର୍ଜ୍ଜନ କର–ଏହାହିଁ ମୋର ଶୁଭ କାମନା ।

 

‘‘ତାହାର ଏହି କଥା ମଧ୍ୟରେ ଯେ ଖଣ୍ଡିଏ ତୀକ୍ଷ୍‍ଣଧାର ଛୁରିକା ଲୁକ୍‌କାୟିତ ଥିଲା, ତାହା, ନିଷ୍କପଟ-ହୃଦୟ ପୃଥ୍ୱୀସିଂହ ବୁଝିପାରିଲେ ନାହିଁ । ସେ ସମ୍ରାଟର ଅମୃତ-ବୋଳା କଥାରେ ମୋହିତ ହୋଇଗଲେ–ତାହାପ୍ରତି ତାଙ୍କର ବିଶ୍ୱାସ ବଦ୍ଧମୂଳ ହେଲା । ପରେ ସେ ପୃଥ୍ୱୀସିଂହଙ୍କର ଭୋଜନ ପାନ ଶୟନାଦିର ଉତ୍ତମ ଆୟୋଜନ କରିଦେଲା । ଗତକାଲି ସେ ତାଙ୍କୁ ସଭାସ୍ଥଳକୁ ଡାକି ଆଣି ତାଙ୍କୁ ନିଜ ପାର୍ଶ୍ୱସ୍ଥ ରତ୍ନଖଚିତ ସୁନ୍ଦର ଗୋଟିଏ ଆସନରେ ବସାଇ ସମବେତ ପାରିଷଦ୍‌ମାନଙ୍କ ଆଗରେ କହିଲା,–‘ବୀରବର ପୃଥ୍ୱୀସିଂହ ! ତୁମେ ମୋର ପୁତ୍ର ତୁଲ୍ୟ । ତୁମକୁ ଦେଖି ମୋର ଆନନ୍ଦର ଆଉ ସୀମା ରହୁ ନାହିଁ । ମୋର ଦୃଢ଼ବିଶ୍ୱାସ–ତୁମେ ନିଜ ବାହୁବଳରେ ମୋଗଲ-ସାମ୍ରାଜ୍ୟର ମହତ୍ତ୍ୱ ବଢ଼ାଇବ । ତୁମ ପ୍ରତି ମୋର ଗଭୀର ପ୍ରେମର ଚିହ୍ନ ସ୍ୱରୂପ କେତେକ ବହୁମୂଲ୍ୟ ଉପହାର ଦେଉଅଛି । ତାହାର ଆଦରରେ ଗ୍ରହଣ କରି ଆନନ୍ଦିତ ମନରେ ଯୋଧପୁରକୁ ଫେରିବ ବୋଲି ମୋର ଅନୁରୋଧ ।’

 

‘‘ପରେ ଅଉରଙ୍ଗଜେବ୍‌ ପୃଥ୍ୱୀସିଂହଙ୍କୁ ବିଷଯୁକ୍ତ ଗୋଟିଏ ସମ୍ମାନ ପରିଚ୍ଛଦ ପିନ୍ଧାଇ ଏବଂ ତାଙ୍କ ଗଳାରେ ନାନାବିଧ ରତ୍ନମାଳା ଲମ୍ବାଇ ଦେଇ ପ୍ରେମ-ସମ୍ଭାଷଣରେ ତାଙ୍କୁ ବିଦାୟ ଦେଲା । ବିଚାରା ପୃଥ୍ୱୀସିଂହ ଯୋଧପୁରରେ ପ୍ରବେଶ କରିବା ମାତ୍ରେ ଦାରୁଣ ଯନ୍ତ୍ରଣା ପାଇଲେ ଏବଂ ଶେଷରେ ବିଷ-ଜ୍ୱାଳା ସହ୍ୟ କରି ନପାରି ଇହଲୀଳା ସାଙ୍ଗ କଲେ । ତାଙ୍କର ମୃତ୍ୟୁ-ସମ୍ବାଦ ପାଇ ଅଉଙ୍ଗଜେବ୍‌ର ପାଦ ଆଉତଳେ ପଡ଼ୁ ନାହିଁ । କିନ୍ତୁ ତାଙ୍କ ମରଣ ଶୋକର ଛଳକରି କହୁଅଛି–‘ହାୟ, କି ଅବିବେକୀ ମୁଁ । ବାଳକ ପୃଥ୍ୱୀସିଂହଙ୍କୁ ସମସ୍ତ ସାମନ୍ତ ରାଜା ଆଗରେ ବସାଇ ତାଙ୍କ ମରଣର ସୂତ୍ରପାତ କଲି । ରାଜାମାନଙ୍କ କୁଟିଳ ଦୃଷ୍ଟିରେ ହିଁ ତାଙ୍କ ଆୟୁଃ ଶେଷ ହୋଇ ଯାଇଛି-। ହାୟ, ମୋର ଆଶାତରୁ ଅକସ୍ମାତ୍‌ ସମୁଳ ଉତ୍ପାଟିତ ହୋଇଯିବ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ମୋଗଲ ରାଜ୍ୟର ଭାବି ଉନ୍ନତି ସମ୍ବନ୍ଧରେ, ପୃଥ୍ୱୀସିଂହଙ୍କ ଭୁଜବଳରେ ମୋର ଯେଉଁ ବିଶ୍ୱାସ ଥିଲା, ତାହ ଏବେ ଏକାବେଳେକେ ନିର୍ମୂଳ ହୋଇଗଲା ।’

 

‘‘ଏହି ବିଶ୍ୱାସଘାତକ ଜଘନ୍ୟ ଆଚରଣର ଭୀଷଣ ପରିଣାମ ପ୍ରତି ଲବମାତ୍ର ଭୟ ଓ ଭାବନା ନ ରଖି ସମ୍ରାଟ ମନେ ମନେ ଅପୂର୍ବ ସନ୍ତୋଷ ଅନୁଭବ କରୁଅଛି । ଦିଲ୍ଲୀରେ ଏପରି ଲୋକ କେହି ନାହିଁ, ଯେ ପାପମତି ନର-ରାକ୍ଷସ ସମ୍ରାଟର ଏହି ହୃଦୟ-ହୀନ କାର୍ଯ୍ୟରେ ବିଚଳିତ, କ୍ରୁଦ୍ଧ ଓ ବିରକ୍ତ ହୋଇନାହିଁ । ରାଜପୁତ୍‍ ଭାଗ୍ୟରେ ଏହା ଏକ ଅଶୁଭ ସଙ୍କେତ । ଅତଏବ ଏହା ଆପଣଙ୍କୁ ଜଣାଇବାକୁ ସାହସୀ ହେଲି ।

 

ଆପଣଙ୍କର,

ଜ୍ୟେଷ୍ଠମଲ୍ଲ’’

 

ପତ୍ର ପାଠ କରୁଁ କରୁଁ କମଳକୁମାରୀଙ୍କ ଚକ୍ଷୁରୁ ବିନ୍ଦୁ ବିନ୍ଦୁ ଜଳ ଖସି ତାଙ୍କର ବକ୍ଷ ଓ ପତ୍ରଟି ତିନ୍ତାଇ ଦେଲା । ସେ କ୍ରନ୍ଦନର ବେଗ ଆଉ ଦମନ କରି ପାରିଲେ ନାହିଁ । ଧୀର ଚିତ୍ତ ବୀର-ହୃଦୟ ବିକ୍ରମସିଂହ କମଳଙ୍କୁ ନାନା ପ୍ରକାର ପ୍ରବୋଧ ଦେବାକୁ ଲାଗିଲେ । କହିଲେ–‘ମା କମଳ, ଦୁଃଖ କର ନାହିଁ । ଦୈବବିଧି ଅଲଘଂନୀୟ ।’

 

କମଳକୁମାରୀ ପ୍ରବୋଧ ମାନିଲେ । ପରେ ସେ ମ୍ଳାନ ମୁଖରେ ଓ କମ୍ପିତ କଣ୍ଠରେ କହିଲେ–‘ବାବା କ୍ଷତ୍ରିୟ-କୁଳର କି ଦୁର୍ଗତି ଆସି ପହଞ୍ଚିଲା ! କେତେଦିନ ଯାଏଁ ଆମ୍ଭମାନଙ୍କର ଏ ଦୁର୍ଦ୍ଦଶା ରହିବ । କେଜାଣି ! ପାପୀ ମୋଗଲ-ସମ୍ରାଟର ଏହି କୁତ୍ସିତ ଆଚରଣ ଦେଖି ନୀରବ ରହିବା, ବୀରଜାତି ରାଜପୁତ୍‍ମାନଙ୍କ ପକ୍ଷରେ ବଡ଼ ଅପମାନର କଥା । ଏପରି ଲାଞ୍ଛନା ଓ ଅତ୍ୟାଚାର ମୁଣ୍ଡପୋତି ସହ୍ୟକରି ରହିବା ଅତ୍ୟନ୍ତ ଲଜ୍ଜାର ବିଷୟ–ଭୀରୁତାରୁ ଲକ୍ଷଣ ।’

 

‘ସତ୍ୟ କହିଛୁ, ମା । ବର୍ତ୍ତମାନ ଅବସ୍ଥା ଦୃଷ୍ଟିରେ, ଆଶଙ୍କା ହେଉଛି, ରାଜପୁତ୍‍ ଜାତି ଅଳ୍ପଦିନରେ ଧ୍ୱଂସ ପାଇବ । କେତେ ଜଣ ମନୁଷ୍ୟତାଶୂନ୍ୟ କାପୁରୁଷ କୁକୁର-ପ୍ରକୃତି ରାଜପୁତ୍‍ ରାଜା ଅଉରଙ୍ଗଜେବ୍‌ର ଦାସ ହୋଇ ତାହାର ପାଷଣ୍ଡ କାର୍ଯ୍ୟରେ ସହାୟତା କରୁଥିବା ଯୋଗୁଁ ଏପରି କଦର୍ଯ୍ୟ କାଣ୍ଡସବୁ ଘଟୁଛି–ଭବିଷ୍ୟତରେ ମଧ୍ୟ ଯେ ଘଟିବ, ଏଥିରେ ଆଉ ସନ୍ଦେହ ନାହିଁ । କିନ୍ତୁ ଯାହା ଘଟିବାର ଘଟିବ ଅବଶ୍ୟ–ଏଥିରେ ହାତ ଦେବା ସାମାନ୍ୟ ମନୁଷ୍ୟର ବା ସାଧ୍ୟ କ’ଣ-? ତଥାପି ଚେଷ୍ଟା, ସ୍ପନ୍ଦନ ଦରକାର । ମୋର ଏହା ଦୃଢ଼ ପ୍ରତିଜ୍ଞା, ଶକ୍ତ୍ୟନୁସାରେ ଏଥିର ସମୁଚିତ ପ୍ରତିକାର-ଚେଷ୍ଟା କରିବି–ପାପୀ ମୋଗଲର ଗର୍ବ ଖର୍ବ କରିବାକୁ ପ୍ରାଣପଣରେ ଯତ୍ନବାନ୍‌ ହେବି-। ଭଗବାନ କ’ଣ କରୁଛନ୍ତି, ଦେଖାଯାଉ । କିନ୍ତୁ କରିବି କଣ ? ରାଜପୁତ୍‍ମାନଙ୍କ ମଧ୍ୟରେ ତ ପରସ୍ପର ପ୍ରେମ ଓ ଏକତା ନାହିଁ ।

 

‘ବାବା, ପୁତ୍ର-ମରଣ-ସମ୍ବାଦ ପାଇବା ମାତ୍ରେ ଚନ୍ଦ୍ରାବତୀ କଣ ଯେ ହେବେ, କଣ କରିବେ, ତାହା ଭାବି କିଛି ସ୍ଥିର କରିପାରୁ ନାହିଁ। ତାହାଙ୍କୁ ଯେ ଜଗତ ଶୂନ୍ୟ ଓ ନିରାନନ୍ଦ ବୋଧ ହେବ । ଆହା ! ସେପରି ସାଧ୍ୱୀ ଓ ଧର୍ମପରାୟଣା ସ୍ତ୍ରୀ ଭାଗ୍ୟରେ ମଧ୍ୟ ଏହି ଶୋକ ଘଟିବ ବୋଲି କିଏ ବିଶ୍ୱାସ କରିଥିଲା ? ଏହି ଅବସ୍ଥାରେ ତାଙ୍କୁ ସାନ୍ତ୍ୱନା ଦେବା ଆମ୍ଭମାନଙ୍କର ଧର୍ମ । ତୁମେ ଅନୁମତି ଦେଲେ, ବାବା, ଚନ୍ଦ୍ରବତୀଙ୍କ ନିକଟକୁ ଖଣ୍ଡିଏ ସାନ୍ତ୍ୱନା-ପତ୍ର ଲେଖିବି ।’

 

‘ମା, ଏଥିରେ ଅନୁମତି ଦେବାର କଥା କ’ଣ ଅଛି ? ମୁଁ ମଧ୍ୟ ଯଶୋବନ୍ତସିଂହଙ୍କ ନିକଟକୁ ଖଣ୍ଡିଏ ପତ୍ର ଲେଖୁଛି । ପତ୍ର ଦୁଇଟି ଏକ ସମୟରେ ପଠାଇବାର ଯୋଗାଡ଼ କରିବ । ବିପଦବେଳେ ଶୋକ ଦୁଃଖରେ ସମବେଦନା ପ୍ରକାଶ କରିବା ବନ୍ଧୁର ପ୍ରଧାନ ଧର୍ମ । କିନ୍ତୁ ମନରେ ଗୋଟିଏ ସନ୍ଦେହ ଜାତ ହୁଏ । ଚାରିଆଡ଼େ ଶତ୍ରୁ ଘେରି ରହିଛନ୍ତି । ଶତ୍ରୁମାନଙ୍କ ହାତରେ ନ ପଡ଼ି ଆମ୍ଭମାନଙ୍କର ପତ୍ର ଯଶୋବନ୍ତଙ୍କ ନିକଟରେ ନିରାପଦରେ ଯାଇ ପହଞ୍ଚିପାରିବ କି ନାହିଁ, ଏହାହିଁ ବେଶି ଭାବନାର ବିଷୟ ହୋଇପଡ଼ିଛି । ଏଥି ସମ୍ବନ୍ଧରେ ଖୁବ୍‌ ସାବଧାନ ହେବା ଦରକାର । ମା, ଶୀଘ୍ର ପତ୍ର ଲେଖ–ଜଣେ ଚତୁର ସ୍ୱଦେଶାଭିମାନୀ ରାଜପୁତ୍‍ ହାତରେ ଦୁଇଖଣ୍ଡ ପତ୍ର କାବୁଲକୁ ପଠାଇବାର ବ୍ୟବସ୍ଥା କରୁଛି ।’

 

ଏପରି କଥାବାର୍ତ୍ତା କରିବାପରେ ବିକ୍ରମସିଂହ କମଳକୁମାରୀଙ୍କ ସହିତ ସେହି ସ୍ଥାନ ତ୍ୟାଗ କଲେ । ପାଠକ ପାଠିକାଗଣ ! ବିକ୍ରମସିଂହ ଓ ତାଙ୍କ କନ୍ୟାଙ୍କର ପତ୍ର ଦୁଇଟି ଆପଣମାନଙ୍କୁ କେଉଁ ଘଟନା-ସ୍ରୋତରେ ଭସାଇ ନେବ ତାହା ପ୍ରତୀକ୍ଷା କରି ରହନ୍ତୁ ।

Image

 

ତୃତୀୟ ପରିଚ୍ଛେଦ

(ପୁତ୍ରର ମରଣରେ ପିତାର ମରଣ)

 

ଦୁର୍ଗାଦାସ ଓ ଶିବସିଂହଙ୍କ ସହାୟତାରେ ଯଶୋବନ୍ତସିଂହ କାବୁଲର ପ୍ରଜା ବିଦ୍ରୋହ ଦମନ କଲେ । ଏହି ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟରେ ତାହାଙ୍କୁ ବିଶେଷ ଶ୍ରମ ସ୍ୱୀକାର କରିବାକୁ ହୋଇ ନଥିଲା ।

 

ଦିନେ ମଧ୍ୟାହ୍ନବେଳେ ଯଶୋବନ୍ତସିଂହ, ଦୁର୍ଗାବାସ, ଶିବସିଂହ ଓ ସେମାନଙ୍କର ଅନୁଚରମାନେ ଏକତ୍ର ବସିଛନ୍ତି, ଏପରି ସମୟରେ ଯଶୋବନ୍ତସିଂହ ଦୁର୍ଗାଦାସଙ୍କୁ କହିଲେ,–‘ଦୁର୍ଗାଦାସ, ଆନନ୍ଦରେ ବିଷୟ, କାବୁଲ୍‌ର ଭୀଷଣ ଅନ୍ତର୍ବିବାଦ ନିବାରଣ କରି ଅଉରଙ୍ଗଜେବଙ୍କର ପ୍ରୀତି ସାଧନ କରି ପାରି ଅଛୁଁ । ଆମମାନଙ୍କ କର୍ତ୍ତବ୍ୟ ବର୍ତ୍ତମାନ ଶେଷ ହୋଇଅଛି ।’

 

‘ମହାରାଜ, ଏଭଳି ସାମାନ୍ୟ ଗୋଳମାଳ ନିବାରଣ କରିବା ଆପଣଙ୍କର ପକ୍ଷରେ ଅସମ୍ଭବ କିମ୍ବା ବିଚିତ୍ର ନୁହେ ।’

 

‘ବାସ୍ତବିକ, ଦୁର୍ଗାଦାସଙ୍କ ଭଳି ଅପୂର୍ବ ସାହସୀ, ବିକ୍ରମଶାଳୀ, ସେନାପରିଚାଳନାକୁଶଳ ସେନାପତି ଥିବା ସ୍ଥଳରେ ଏହି କାର୍ଯ୍ୟଟା ବା କେତେ !’

 

‘ଏହା ଅବଶ୍ୟ ଆପଣଙ୍କ ଉଦାରତାର ପରିଚୟ । ମୋର ଆଶଙ୍କା ହୁଏ, ମହାରାଜ, ଏଠାକୁ ପଠାଇ ଆମମାନଙ୍କୁ ପ୍ରତାରିତ କରିବାହିଁ ଅଉରଙ୍ଗଜିବ୍‌ଙ୍କର ଏକମାତ୍ର ଉଦ୍ଦେଶ୍ୟ ।’

 

‘ଏପରି କହ ନାହିଁ, ସେନାପତେ ! ମୋ ମତରେ ତୁମର ଏହି ଆଶଙ୍କା ଅମୂଳକ । ମୋ ପ୍ରତି ଅଉରଙ୍ଗଜେବଙ୍କର ବିଶେଷ ପ୍ରେମ ଥିବାବେଳେ, ସେ ଯେ ମୋତେ ପ୍ରତାରିତ କରିବେ ଏହା ବିଶ୍ୱାସ କରି ପାରୁ ନାହିଁ । ମୁଁ ତ ତାଙ୍କର କିଛି ଅପକାର କରି ନାହିଁ ।’

 

‘କରି ନାହାନ୍ତି ! ମନେ ଅଛି ମହାରାଜ, ଶାଜାହାନ୍‍ଙ୍କ ଆଦେଶରେ ଆପଣ ଥରେ ତାହାଙ୍କୁ ଲକ୍ଷ୍ମଣପୁର ଯୁଦ୍ଧରେ ପରାସ୍ତ କରିଥିଲେ ? ତାହା ତାଙ୍କର କଣ ମନେ ନାହିଁ, ଭାବିଛନ୍ତି ?’

 

‘ଶାଜାହାନ୍‍ ଯେତେବେଳେ ମୋର ପ୍ରଭୁ ଥିଲେ, ତାଙ୍କର ଆଦେଶ ପାଳିବା କ’ଣ ମୋର ଅପରାଧ ? ଅଉରଙ୍ଗଜେବ୍‌ ବଡ଼ ବିବେକୀ, ରାଜନୀତି ନିପୁଣ, ଏଣୁ ସେ ପ୍ରତିହିଂସା ନେଇ ଅନ୍ୟାୟକୁ ବରଣ କରିବେ ନାହିଁ ବୋଲି ମୋର ଦୃଢ଼ ଧାରଣା ।’

 

‘ମହାରାଜ, ପିତୃହନ୍ତା ପ୍ରତାରକ ବିଶ୍ୱାସଘାତକ ନିକଟରୁ ନ୍ୟାୟ କି କେବେ ଆଶା କରାଯାଏ ?’

 

ଯଶୋବନ୍ତ ସିଂହ ଏକାବେଳକେ ନିରୁତ୍ତର ! ବିଶେଷ ସତର୍କ ରହିବା ସକାଶେ ଦୁର୍ଗାଦାସ ଓ ଶିବସିଂହ ତାହାଙ୍କୁ ଅନୁରୋଧ କଲେ ।

 

ଯଶୋବନ୍ତ ସିଂହ ପ୍ରଜାପାଳନ ଓ ରାଜକାର୍ଯ୍ୟ ପରିଚାଳନାରେ ନିପୁଣ, କିନ୍ତୁ ପରିଣାମଦର୍ଶୀ ନଥିଲେ । ଖ୍ରୀଃ ୧୬୨୮ ଠାରୁ ୧୬୫୮ ଯାଏଁ ସେ ସମ୍ରାଟ ଶାଜାହାନ୍‍ଙ୍କ ଅଧୀନରେ କାର୍ଯ୍ୟକରି ତାଙ୍କର ଅନୁରାଗ-ଭାଜନ ହୋଇଥିଲେ । ତାଙ୍କ ପ୍ରତି ଔରଂଜୀବ୍‍ଙ୍କ ଘୃଣା ଓ ଈର୍ଷ୍ୟାର ଏହା ଥିଲା ପ୍ରଥମ କାରଣ । ଔରଂଜୀବ୍‌ ସେତେବେଳେ ବୃଦ୍ଧ ସାଜାହାନଙ୍କୁ ସାମ୍ରାଜ୍ୟଧିକାରରୁ ବଞ୍ଚିତ କରି ନିଜ ପ୍ରଭାବ-ବିସ୍ତାର ଓ ସ୍ୱାଧୀନତା-ଲାଭର ସୁଯୋଗ ଖୋଜୁଥିଲେ-। ଏଣୁ ପିତା ପୁତ୍ର ମଧ୍ୟରେ ଅନେକ ଥର ଯୁଦ୍ଧ ହୋଇଥିଲା, ଇତିହାସ ପାଠକ ମାତ୍ରେ ଜାଣନ୍ତି-। ଥରେ ଶାଜାହାନ୍‍ଙ୍କ ଦ୍ୱାରା ଆଦିଷ୍ଟ ହୋଇ ଯଶୋବନ୍ତ ସିଂହ ଲକ୍ଷ୍ମଣପୁର ଯୁଦ୍ଧରେ ଔରଂଜୀବ୍‌ଙ୍କୁ ପରାସ୍ତ କରିଥିଲେ । ସେହି ସମୟଠାରୁ ତାଙ୍କ ପ୍ରତି ଔରଂଜୀବ୍‌ଙ୍କ ହୃଦୟରେ ବିରକ୍ତି ଓ କ୍ରୋଧର ସୃଷ୍ଟି ହେଲା । ଦିଲ୍ଲୀ-ସିଂହାସନ ଲାଭ କରିବା ମୁହୂର୍ତ୍ତରୁ ଔରଂଜୀବ୍‌ ଯଶୋବନ୍ତ ସିଂହଙ୍କର ଗତିବିଧି ଲକ୍ଷ୍ୟ କରିବାକୁ ଲାଗିଲେ । ସୁବିଧା ଦେଖି ପ୍ରତିହିଂସା ନେବା ତାଙ୍କର ଉଦ୍ଦେଶ୍ୟ ।

 

ଔରଂଜୀବ୍‌ ସମ୍ରାଟ ହେବାର ଅଳ୍ପ କେତେକ ଦିନ ପୂର୍ବେ ଯଶୋବନ୍ତ ସିଂହ ଦ୍ୱାରା ସଙ୍ଗେ ମିଳିତ ହୋଇ ଯୁଦ୍ଧରେ ପୁନର୍ବାର ତାଙ୍କୁ ପରାସ୍ତ କଲେ; ସୁତରାଂ ଔରଂଜୀବ୍‌ଙ୍କର ଦ୍ୱେଷ ଓ ରୋଷ ବୃଦ୍ଧି ପାଇଲା । ଔରଂଜୀବ୍‌ ନିଜ ହାତକୁ ଭାରତ-ଶାସନ ଆଣିବା ଦିନଠାରୁ ଯଶୋବନ୍ତ ସିଂହ ତାଙ୍କ ପ୍ରତି ଅଗାଧ ଭକ୍ତି ଓ ପ୍ରୀତି ଦେଖାଇବା ଆରମ୍ଭ କଲେ । କିନ୍ତୁ ସେ ନିଜେ ଅଦୂରଦର୍ଶୀ ଥିବା ଯୋଗୁଁ, କପଟାଚାରୀ ବାଦ୍‌ଶାହାଙ୍କର ପ୍ରତାରଣା ଆଦୌ ବୁଝି ପାରିଲେ ନାହିଁ । ସମ୍ରାଟଙ୍କର ବୀରତ୍ୱରେ ତାଙ୍କର ପ୍ରଗାଢ଼ ଆସ୍ଥା ଓ ବିଶ୍ୱାସ ଥିଲା । ସମ୍ରାଟ ଯଶୋବନ୍ତ ସିଂହଙ୍କୁ ସେନାପତି ପଦରେ ନିଯୁକ୍ତ କରି ପ୍ରତ୍ୟକ୍ଷ ଯୁଦ୍ଧରେ ଜୟୀ ହେଲେ । ଶତ୍ରୁକୁ ପ୍ରେମ ଓ ଆଦରରେ ଦୁଗ୍‌ଧ ପିଆଇବା କଷ୍ଟସାଧ୍ୟ ଓ ଅସମ୍ଭବ; କିନ୍ତୁ ବନ୍ଧୁକୁ କପଟତା ସହ ବିଷ ପାନ କରାଇବା ଅତି ସହଜ । ଏପରି ଏକ ଦିନ ନ ଥିଲା, ଯେଉଁଦିନ ସମ୍ରାଟ ଯଶୋବନ୍ତ ସିଂହଙ୍କର ବିନାଶ ଉପାୟ ଚିନ୍ତାକରୁ ନଥିଲେ । ସେ ତାଙ୍କ ପ୍ରତି ସର୍ବଦା କପଟ-ସମ୍ମାନ ଓ ପ୍ରେମ ନ ଦେଖାଇ ଛାଡ଼ୁ ନ ଥିଲେ । ବିଚାରା ଯଶୋବନ୍ତ ତାହା ପ୍ରକୃତ ସ୍ନେହ ମନେ କରି ଭୟଙ୍କର ଭ୍ରମରେ ପଡ଼ିଥିଲେ । ତାଙ୍କ ସେନାପତି ଦୁର୍ଗାଦାସ ସମ୍ରାଟଙ୍କର ଆନ୍ତରିକ ଭାବ ଓ କପଟ ଆଚରଣ ସ୍ପଷ୍ଟ ଅନୁମାନ କରିପାରିଥିଲେ–ସମ୍ରାଟଙ୍କଠାରେ ତାଙ୍କର ଗଭୀର ଅବିଶ୍ୱାସ । ଏଣୁ ସେ ସମୟ ସମୟରେ ଯଶୋବନ୍ତ ସିଂହଙ୍କୁ ପାପମତି ବାଦ୍‌ଶାହାଙ୍କର ନିଷ୍ଠୁରତା ଓ କୁତ୍ସିତ ପ୍ରବୃତ୍ତି ନ ବୁଝାଇ ରହୁ ନଥିଲେ । କିନ୍ତୁ ଯଶୋବନ୍ତ ସିଂହ ଦୁର୍ଗାଦାସଙ୍କ ସନ୍ଦେହ ଓ ଅବିଶ୍ୱାସ ଅସଙ୍ଗତ ବୋଲି ଭାବି ତାଙ୍କର ସାମୟିକ ଉପଦେଶ ଗ୍ରହଣ କରୁ ନ ଥିଲେ । ଦୁର୍ଗାଦାସ ଅତି ବୁଦ୍ଧିମାନ, ପ୍ରଭୁଭକ୍ତ ଓ ପରାକ୍ରମଶାଳୀ । ରାଜପୁତ୍‍ମାନଙ୍କ ମଧ୍ୟରେ ସେ ଜଣେ ପ୍ରସିଦ୍ଧ ବୀର ।

 

ଅମୀନ୍‌ ଖାଁ ନାମକ ଜଣେ ମୁସଲମାନ କାବୁଲରେ ଔରଂଜୀବ୍‌ଙ୍କର ପ୍ରତିନିଧି ସ୍ୱରୂପ ନିଯୁକ୍ତ ହୋଇଥିଲେ । ସେ ୧୬୭୨ ସାଲରେ ଚାଳିଶ ହଜାର ସୈନ୍ୟ ସହିତ କାବୁଲକୁ ଯିବାବେଳେ ଖାଇବର୍‌ ପଥରେ ସେଠାର ଅରଣ୍ୟବାସୀମାନଙ୍କଦ୍ୱାରା ଆକ୍ରାନ୍ତ ହୋଇ ପରାଭବ ପାଇଲେ । ସେହି ସମୟଠାରୁ ସେ ଅରଣ୍ୟବାସିଗଣଙ୍କ ଉଚ୍ଛେଦ ସାଧନରେ ପ୍ରୟାସୀ ହେଲେ । କିନ୍ତୁ ସେମାନଙ୍କ ଦ୍ୱାରା ପୁନର୍ବାର ସେ ପରାଜିତ ହେଲେ । ଏହି ଦୁଃସମ୍ବାଦରେ ସମ୍ରାଟ କ୍ରୁଦ୍ଧ ହେବାର କଥା, କିନ୍ତୁ କ୍ରୋଧ ପ୍ରକାଶ କଲେ ନାହିଁ । ତାଙ୍କର ପୂର୍ବ ଶତ୍ରୁ ଯଶୋବନ୍ତ ସିଂହ ପ୍ରତି ପ୍ରତିହିଂସା ସାଧିବାର ଏହା ଉପଯୁକ୍ତ ସମୟ ଜାଣି ଆଶ୍ୱସ୍ତ ହେଲେ । କାବୁଲର ଦୁର୍ଜ୍ଜୟ ବିଦ୍ରୋହୀମାନଙ୍କୁ ଦମନ କରିବା ଉଦ୍ଦେଶ୍ୟରେ ସେଠାକୁ ଯଶୋବନ୍ତ ସିଂହଙ୍କୁ ପଠାଇବା ସ୍ଥିର କଲେ-। ସେହି ବିଦ୍ରୋହରେ ଯଶୋବନ୍ତ ସିଂହ ନିହତ ହେଲେ ସମ୍ରାଟଙ୍କର ଚିରପୋଷିତ କାମନା ସିଦ୍ଧ ହେବ; ବିଦ୍ରୋହ ଶାନ୍ତ ହୋଇଗଲେ ତାଙ୍କର ଲାଭ ଭିନ୍ନ କ୍ଷତି ନାହିଁ । ଏହା ଭାବି ସେ ୧୬୭୮ ଖ୍ରୀଷ୍ଟାବ୍ଦରେ ଯଶୋବନ୍ତଙ୍କୁ କାବୁଲକୁ ପଠାଇଲେ ।

 

ସେଦିନ ମଧ୍ୟାହ୍ନ ସମୟରେ, ଯଶୋବନ୍ତ ସିଂହ, ଦୁର୍ଗାଦାସ ଓ ଶିବସିଂହ ଗୋଟିଏ ତମ୍ବୁ ମଧ୍ୟରେ ବସି କଥାବାର୍ତ୍ତାରେ ଲାଗିଅଛନ୍ତି, ଏହି ସମୟରେ ଦିଲ୍ଲୀର ଜଣେ ମୁସଲମାନ ସେଠାରେ ଉପସ୍ଥିତ ହୋଇ ଯଶୋବନ୍ତ ସିଂହଙ୍କୁ ପ୍ରଣାମ କଲା । ଯଶୋବନ୍ତ ସମ୍ରାଟଙ୍କର କୁଶଳ ସମ୍ବାଦ ଜିଜ୍ଞାସା କରିବା ପରେ, ପଠାଣ ତାଙ୍କ ହାତରେ ଖଣ୍ଡିଏ ପତ୍ର ଦେଲା । ତାହା ବାଦ୍‌ଶାହାଙ୍କ ପ୍ରେରିତ-। ପତ୍ର ପାଠ କରୁ କରୁ ଯଶୋବନ୍ତଙ୍କ ମୁଖ ହଠାତ୍‌ ମଳିନ ହୋଇଗଲା, ତାଙ୍କର ଶରୀର ଓ ହସ୍ତ କମ୍ପିତ ହେଲା ଏବଂ ଶ୍ରାବଣ ମାସର ବୃଷ୍ଟିଧାରା ତୁଲ୍ୟ ତାଙ୍କ ଚକ୍ଷୁରୁ ଜଳ ଗଡ଼ିଗଲା । ପତ୍ର–ପାଠ ଶେଷ କରିବା ମାତ୍ରେ, ଅଭିମନ୍ୟୁ-ବଧ-ସମ୍ବାଦରେ ଅର୍ଜ୍ଜୁନଙ୍କ ଭଳି, ସେ ବକ୍ଷରେ କରାଘାତ କରି ‘ହା ପୃଥ୍ୱୀସିଂହ’ ବୋଲି ଚିତ୍କାର କରି ମୂର୍ଚ୍ଛିତ ହୋଇପଡ଼ିଲେ । ଦୁର୍ଗାଦାସଙ୍କ ସନ୍ଦେହ ନିଷ୍ଠୁର ସତ୍ୟରେ ପରିଣତ ହେଲା । ଯଶୋବନ୍ତ ସିଂହଙ୍କ ଆକସ୍ମିକ ମୂର୍ଚ୍ଛା ଦେଖି ଦୁର୍ଗାଦାସ ଓ ଶିବସିଂହ ଭୀତ ଓ ବିସ୍ମିତ ହୋଇଗଲେ । ଦୁହିଁଙ୍କର ସେତେବେଳେ ବୋଧହେଲା, ସତେ ଯେପରି ହିମାଳୟର ଉଚ୍ଚ ଶୃଙ୍ଗ ସେମାନଙ୍କ ମୁଣ୍ଡଉପରେ ସହସା ଭାଙ୍ଗି ପଡ଼ିଅଛି । ନିକଟସ୍ଥ ଅନୁଚରଗଣ ଏକାବେଳକେ ତ୍ରସ୍ତ ଓ ସ୍ତମ୍ଭିତ ! ଦୁର୍ଗାଦାସ ଓ ଶିବସିଂହ ଉତ୍କଣ୍ଠା ସହିତ ପତ୍ରଟି ପାଠକଲେ-। ସମସ୍ତ ବିଷୟ ଜାଣିପାରି, ଆଗ୍ନେୟଗିରିର ଅଗ୍ନ୍ୟୁଦ୍‌ଗୀରଣ ତୁଲ୍ୟ, ଉଭୟଙ୍କ ହୃଦୟରୁ ଶୋକ-ବହ୍ନି ଜଳି ଉଠିଲା । ପୃଥ୍ୱୀସିଂହଙ୍କ ମୃତ୍ୟୁ-ସମ୍ବାଦରେ, ଯଶୋବନ୍ତଙ୍କ ଶିବିର ସମୂହରେ ଦାରୁଣ ଶୋକର ଗୋଟିଏ ପ୍ରଖର ଝଟିକା ବହିଗଲା । ସେହି ସମୟରେ ଚନ୍ଦ୍ରାବତୀ ଓ ଇନ୍ଦିରା ଯେଉଁ ମନୋବେଦନା ପାଇଲେ ତାହା ବର୍ଣ୍ଣନ କରିବାକୁ ଗଲେ ଲେଖନୀ ଥରହର ହୁଏ । କି ଭୀଷଣ ସମ୍ବାଦ ! ଚନ୍ଦ୍ରାବତୀ ଓ ଇନ୍ଦିରା ଲୋତକରେ ବକ୍ଷାସିକ୍ତ କରିଦେଲେ–କାତର ବିଳାପରେ ଆକାଶ ବିଦୀର୍ଣ୍ଣ କରି ପକାଇଲେ । ପାଠକଗଣ ଚନ୍ଦ୍ରାବତୀଙ୍କର ସୂକ୍ଷ୍ମ ପରିଚୟ ପାଇଛନ୍ତି–ଇନ୍ଦିରାଙ୍କ ବିଷୟ ପରେ ବିବୃତ ହେବ, କିଛି ଅପେକ୍ଷା କରନ୍ତୁ ।

 

ହାୟ, ବିଧି-ବିଧାନ କି ବିଚିତ୍ର ! କି ରହସ୍ୟମୟ ! କେତେବେଳେ କଣ ଘଟେ, ତାହା ଜାଣିବା ସାମାନ୍ୟ ମନୁଷ୍ୟର ସାଧ୍ୟାତୀତ । ଯେଉଁମାନେ ଏକ ମୁହୂର୍ତ୍ତ ପୂର୍ବେ ଶତ୍ରୁର ପରାଜୟ ଦେଖି ସନ୍ତୋଷ-ସ୍ରୋତରେ ଭାସୁଥିଲେ, ଏବେ ସେମାନଙ୍କ ଉପରେ ଆକସ୍ମିକ ବଜ୍ରପାତ ! ସେହି ଆନନ୍ଦ, ସେହି ସନ୍ତୋଷ କେଉଁଆଡ଼େ ବିଲୀନ ହୋଇଗଲା–ଯେପରି ଘନକୃଷ୍ଣ ମେଘମାଳାର ଆଗମନରେ ବିମଳ ଚନ୍ଦ୍ରାଲୋକ ଅଦୃଶ୍ୟ ହୋଇଯାଏ । ସେମାନେ ଏବେ କରୁଣ କ୍ରନ୍ଦନରେ ଶୂନ୍ୟ-ଦେଶ କମ୍ପାଉଛନ୍ତି କଠୋର କରାଘାତରେ ନିଜ ନିଜ ବକ୍ଷ ଫଟାଉଛନ୍ତି । କେତେକ ସମୟ ପରେ ଦୁର୍ଗାଦାସଙ୍କ ଯତ୍ନରେ ଯଶୋବନ୍ତ ସିଂହଙ୍କର ମୂର୍ଚ୍ଛାଭଙ୍ଗ ହେଲା । ସେ କାଷ୍ଠ ପୁତ୍ତଳିକା ପରି ନିଶ୍ଚଳ ନିଶ୍ଚେଷ୍ଟ ହୋଇ ବସି ରହିଲେ–ମୁଖରେ ବାକ୍ୟ ନାହିଁ, ଚକ୍ଷୁରେ ପଲକ ପାତ ନାହିଁ । କେତେ ପ୍ରକାର ସାନ୍ତ୍ୱନାରେ ସୁଦ୍ଧା ଯଶୋବନ୍ତଙ୍କର ଶୋକ ବାଧା ମାନିଲା ନାହିଁ–ତାଙ୍କର ବିଳାପ ଶାନ୍ତ ହେଲା ନାହିଁ । ସେହି ସମୟରେ ଚନ୍ଦ୍ରାବତୀ ଗର୍ଭବତୀ; ଅତିଶୟ ଶୋକ ଓ ବିଳାପରେ ଗର୍ଭସ୍ଥ ସନ୍ତାନର କ୍ଷତି ହୋଇପାର, ଏହି ଆଶଙ୍କାରେ ଦାସୀମାନେ ତାଙ୍କୁ ନାନାରକମ ସାନ୍ତ୍ୱନା ଦେଲେ–କ୍ରନ୍ଦନରୁ କ୍ଷାନ୍ତ କରିବା ପାଇଁ ବିଶେଷ ଯତ୍ନବତୀ ହେଲେ । ତଥାପି ସେ କ୍ଷାନ୍ତ ହେଲେ ନାହିଁ, ଭୂଲୁଣ୍ଠିତା ହୋଇ ରୋଦନ କରିବାକୁ ଲାଗିଲେ ।

 

ହାୟ, ଦୁରାଚାର ଔରଂଜୀବ୍‍ଙ୍କର ନିଷ୍ଠୁରତା କେତେଦୂର ବ୍ୟାପିଗଲା । ବହୁଦିନ ପରେ ସାକ୍ଷାତ୍‌ କରିବା ଛଳନାରେ ପୃଥ୍ୱୀସିଂହଙ୍କୁ ଯୋଧପୁରରୁ ଡକାଇ, ନିଜ ଦରବାର-କକ୍ଷରେ ଅଭ୍ୟର୍ଥନା, ମସ୍ତକଚୁମ୍ବନ, ଆଲିଙ୍ଗନାଦି ଦ୍ୱାରା ତାଙ୍କ ପ୍ରତି କପଟ ସମାଦର ଦେଖାଇ, ସଭାସଦ୍‌ମାନଙ୍କ ଦୃଷ୍ଟିରେ ହିଁ ତାଙ୍କର ମୃତ୍ୟୁ ଘଟିଲା ବୋଲି ଔରଂଜୀବ୍‍ ଯଶୋବନ୍ତ ସିଂହଙ୍କଠାକୁ ପତ୍ର ଦେଇଛନ୍ତି ! କି ସାହସ ! କି ପ୍ରବଞ୍ଚନା ! ପ୍ରତିକ୍ଷଣ ସେହି ମର୍ମାନ୍ତିକ-ଚିନ୍ତା, ସେହି ପୁତ୍ରବିୟୋଗ ଭାବନା ଯଶୋବନ୍ତଙ୍କ ହୃଦୟରେ ଶଲ୍ୟ ବିଦ୍ଧ କଲା । ସେ ଆହାର ନିଦ୍ରା ତ୍ୟାଗ କରି କ୍ରମେ ରୁଗ୍‌ଣ ହୋଇଗଲେ । ପତ୍ର ପାଇବାର ଦୁଇଦିନ ପରେ ସେ ପୁଣି ସଂଜ୍ଞାହୀନ ହୋଇ ପଡ଼ିଲେ । ଦୁର୍ଗାଦାସ ଓ ଶିବସିଂହ ତାଙ୍କ ସେବା ଶୁଶ୍ରୂଷାରେ ଲାଗିଲେ । ସେତେବେଳେ ଚନ୍ଦ୍ରାବତୀଙ୍କ ଦେହ ମନ ପ୍ରାଣ ଯେ କିପରି ଥିଲା, ତାହା ପାଠକମାନେ ହିଁ କଳ୍ପନା କରିବେ–ବର୍ଣ୍ଣନା ନିଷ୍ପ୍ରୟୋଜନ । ଶିରୋବ୍ୟଥା ଉପରେ ଗଦା ପ୍ରହାର । କି ମର୍ମସ୍ପର୍ଶୀ ବେଦନା ! ଭୁକ୍ତଭୋଗ ମାତ୍ରେ ଏହି ଯନ୍ତ୍ରଣାର ତୀବ୍ରତା ଜାଣନ୍ତି ସିନା ! ଯଶୋବନ୍ତଙ୍କ ପରିଚର୍ଯ୍ୟାରେ ବ୍ୟସ୍ତ ଥିବାବେଳେ ଆଉ ଜଣେ ଆସି ଦୁର୍ଗାଦାସଙ୍କ ହାତରେ ଖଣ୍ଡିଏ ପତ୍ର ଦେଲା । ତାଙ୍କର ଜଣେ ବନ୍ଧୁ-ପ୍ରେରିତ ସେହି ପତ୍ର ପାଠକରି ସେ ସ୍ପଷ୍ଟ ବୁଝିଲେ, ଦୁରାତ୍ମା ଔରଂଜୀବ୍‌ ବିଷ-ପ୍ରୟୋଗରେ ପୃଥ୍ୱୀସିଂହଙ୍କର ପ୍ରାଣ ନଷ୍ଟ କରିଛନ୍ତି । ସେ ଯଶୋବନ୍ତଙ୍କୁ ତାହା ପଢ଼ି ଶୁଣାଇଲେ । ସେତେବେଳେ କିନ୍ତୁ ଯଶୋବନ୍ତ ଚୈତନ୍ୟଶୂନ୍ୟ ।

 

କୌଣସି ରାଜପୁତ୍‍ କାଳେ ପତ୍ର ଦ୍ୱାରା ଯଶୋବନ୍ତ ସିଂହଙ୍କୁ ପୃଥ୍ୱୀସିଂହଙ୍କ ମରଣର ପ୍ରକୃତ କାରଣ ଜଣାଇପାରେ, ଏହି ଆଶଙ୍କା ଓ ଅନୁମାନରେ, ଔରଂଜୀବ୍‌ ଗୁପ୍ତଚରମାନଙ୍କୁ ଡକାଇ ଆଦେଶ ଦେଲେ ଯେ, ସେମାନେ ଖାଇବର୍‌ ମାର୍ଗରେ ରହି କାବୁଲାଭିମୁଖୀ ପତ୍ରବାହକମାନଙ୍କୁ ଧରି ତାଙ୍କ ନିକଟକୁ ଟାଣି ନେବେ । ଫଳତଃ, ଯଶୋବନ୍ତ ସିଂହ ଏହାଛଡ଼ା ଅନ୍ୟ କୌଣସି ପତ୍ର ପାଇ ପାରିଲେ ନାହିଁ । ତୈଳ ନିଃଶେଷିତ ହୋଇଗଲେ, ନିର୍ବାଣର ଠିକ୍ ପୂର୍ବ ମୁହୂର୍ତ୍ତରେ ପ୍ରଦୀପ ଯେପରି ହଠାତ୍‌ ଦାଉ ଦାଉ ଜଳି ଚତୁର୍ଦ୍ଦିଗରେ ଉଜ୍ଜ୍ୱଳ ଆଲୋକ ଖେଳାଇଦିଏ, ଯଶୋବନ୍ତ ସିଂହ ସେପରି ହଠାତ୍‌ ନିଜ ଆଶାନରୁ ଉଠି ଦୁର୍ଗାଦାସଙ୍କୁ ସତେଜ ସ୍ୱରରେ କହିଲେ,–‘ସେନାପତେ, ବିଦାୟ ଦିଅ । ଏବେ ମୋ ଜୀବନ ଶେଷ ପ୍ରାୟ । ଭୟହୁଏ, ପରିଶେଷରେ ଯୋଧପୁର ବଂଶ ଅରକ୍ଷିତ ହେବ । ଚନ୍ଦ୍ରାବତୀଙ୍କ ଗର୍ଭର ଦଶମ ମାସ ଚାଲିଛି । ଦେଖିବ, ମୋ ମୃତ୍ୟୁପରେ ସେ ଯେପରି ସହଗମନ ନ କରନ୍ତି । ଯୋଧପୁର ବଂଶ ରକ୍ଷାଭାର ତୁମ ହାତରେ ଦେଇଯାଉଛି । ମୋର ସୁଖ ମରଣ ଦେଖିବା ତୁମର ଯଦି ଅଭିପ୍ରେତ, ତାହାହେଲେ ଶପଥ କର, ବନ୍ଧୁ, ଚନ୍ଦ୍ରାବତୀଙ୍କୁ ଯୋଧପୁରରେ ନେଇ ନିରାପଦରେ ପହଞ୍ଚାଇବ, ଯୋଧପୁର-ବଂଶ ଯେପରି ନିର୍ମୂଳ ନ ହୁଏ ମନ ପ୍ରାଣ ଢାଳି ସେଥିର ଆଶୁ ପ୍ରତିକାର କରିବ । ଭଗବାନ କରନ୍ତୁ, ତୁମ ପରି ବନ୍ଧୁ ଯେପରି ପର-ଜନ୍ମରେ ପାଇବି ।’ ସେ ଆଉ କହି ପାରିଲେ ନାହିଁ, ନୀରବ ରହିଲେ । ଯଶୋବନ୍ତଙ୍କ କଥା ଶୁଣି ଦୁର୍ଗାଦାସଙ୍କ ହୃଦୟ ଭାଙ୍ଗିଗଲା, ମୁଖ ଗମ୍ଭୀର ହୋଇଉଠିଲା–ସଙ୍ଗେ ସଙ୍ଗେ ଅଶ୍ରୁଧାରା ତାଙ୍କ ଗଣ୍ଡଦେଶ ପ୍ଳାବିତ କରିଦେଲା । ସେ ଲୋତକ ପୋଛି ପୋଛି ମରଣୋନ୍ମୁଖ ପ୍ରଭୁଙ୍କ ପାଦରେ ହାତ ରଖି କହିଲେ–‘ଅଧୀର ହୁଅନ୍ତୁ ନାହିଁ, ମହାରାଜ ! କାୟମନୋବାକ୍ୟରେ ଆପଣଙ୍କର ବଂଶରକ୍ଷା ଚେଷ୍ଟା କରିବି, ଏହା ମୋର ଶକ୍ତ ପ୍ରତିଜ୍ଞା ।’ ଶିବସିଂହ ମଧ୍ୟ ମୁକ୍ତ କଣ୍ଠରେ ସେହି ପ୍ରତିଜ୍ଞା କରି ପ୍ରଭୁଭକ୍ତିର ପରିଚୟ ଦେଲେ । ଜୀବନର ଶେଷ ମୁହୂର୍ତ୍ତରେ ଯଶୋବନ୍ତ ଚନ୍ଦ୍ରାବତୀଙ୍କୁ କହିଲେ–ଭୟ କର ନାହିଁ, ପ୍ରିୟେ ! ଭଗବାନ ସହାୟ ! ଦ୍ୱିତୀୟ ଅଭିମନ୍ୟୁକୁ ଗର୍ଭରେ ଧରିଛ–ତାହାର ଭବିଷ୍ୟତ୍‌ ତୁମରି ହାତରେ । ବିଦାୟ !

 

୧୬୭୮ ସାଲ ଡିସେମ୍ବର ମାସ ୮ ତାରିଖରେ ପୁତ୍ର-ଶୋକ-ତପ୍ତ ଯଶୋବନ୍ତ ସିଂହ ଇହଲୀଳା ସାଙ୍ଗ କଲେ ।

 

ଔରଂଜୀବ୍‍ଙ୍କ କୁତ୍ସିତ-କାମନା ଫଳବତୀ ହେଲା ।

Image

 

ଚତୁର୍ଥ ପରିଚ୍ଛେଦ

(ବାରୁଦରେ ବହ୍ନି)

 

ସମ୍ରାଟଙ୍କ ରଙ୍ଗମହାଲ ମଧ୍ୟରେ ମହା ଗୋଳମାଳ ଓ ବିଶୃଙ୍ଖଳା ଉପସ୍ଥିତ । ପରିଚାରିକାଗଣ ଭୀତଚିତ୍ତ ଓ କମ୍ପିତ କଳେବର । ମହିଷୀଙ୍କର ନେତ୍ର ଗାଢ଼ରକ୍ତ ବର୍ଣ୍ଣ–ପ୍ରତ୍ୟେକ ବିଷୟରେ ବିରକ୍ତି ପ୍ରକାଶ–ଦାସୀମାନଙ୍କ ଉପରେ ଅଜସ୍ର ଗାଳିବର୍ଷଣ । ନିକଟକୁ ଯିବାମାତ୍ରେ ସେମାନଙ୍କୁ ଘୃଣାବ୍ୟଞ୍ଜକ ସ୍ୱରରେ ଏବଂ କୋପ-କର୍ଷିତ ଚକ୍ଷୁରେ ତଡ଼ୁଛନ୍ତି; ଏଣୁ ସେମାନେ ତାଙ୍କ ନିକଟକୁ ଯିବାକୁ ସଙ୍କୁଚିତ ଓ ପରାଙ୍ମୁଖ । ଆହାର ଭୁଲିଯାଇ ମହିଷି ତାଙ୍କର ଗଜଦନ୍ତ ନିର୍ମିତ ପଲଙ୍କ ଉପରେ ଶାୟିତ ହୋଇ ବିଷର୍ଣ୍ଣ ଓ ଗମ୍ଭୀର ମୁଖରେ ଗଭୀର ଚିନ୍ତା-ନିମଗ୍ନା । ସେ ହାତରେ ଖଣ୍ଡିଏ ପତ୍ର ଧରି ପୁନଃ ପାଠ କରୁଛନ୍ତି, ପାଠ କରୁ କରୁ ତାଙ୍କ ମୁଖମଣ୍ଡଳରେ ପ୍ରଚଣ୍ଡ କ୍ରୋଧର ଗୋଟିଏ ତଡ଼ିତ-ପ୍ରବାହ ଖେଳି ବୁଲୁଛି, ଅତିରିକ୍ତ ବିରକ୍ତି ସହିତ ପତ୍ରଖଣ୍ଡିକ ବାରମ୍ବାର ତଳେ ଫିଙ୍ଗିଦେଇ ପୁଣି ଉଠାଇ ଧରୁଛନ୍ତି ଏବଂ ସମୟ ସମୟରେ ଖଟ ଉପରେ ତାହା ଯତ୍ନ ସହିତ ରଖୁଛନ୍ତି । ଉଦିପୁରୀଙ୍କ ଏପରି ବିଚିତ୍ର ମନୋବିକାର ପ୍ରକାଶ ଦେଖି, ଦାସଦାସୀ ସକଳ କକ୍ଷର ଏକୋଣ ସେକୋଣ ବୁଲି ପରସ୍ପର କୁହାକୁହି ହେଉଛନ୍ତି–’ଆଜି ଦେବୀଙ୍କର ଏ କି ବିରକ୍ତି ? ଏହାର କାରଣ ?’ କେହି ତାହାର କାରଣ ଖୋଜି କିଛି ପାଇପାରୁ ନାହାନ୍ତି ।

 

ଔରଂଜୀବ୍‍ଙ୍କର ବଳବତୀ ଇଚ୍ଛା ଥିଲା, ସେ ଉଦୟପୁର ରାଜପ୍ରାସାଦର କୌଣସି ଜଣେ ସ୍ତ୍ରୀକୁ ବିବାହ କରିବେ । କିନ୍ତୁ ଉଦୟପୁର ରାଣାଙ୍କ ଅସୀମ ବିକ୍ରମ ଏବଂ ସେଠା ରାଜପୁତ୍‍ମାନଙ୍କ ପ୍ରତାପ ପ୍ରଭାବରେ ତାଙ୍କର ସେହି କାମନା ପୂର୍ଣ୍ଣ ହୋଇ ପାରିଲା ନାହିଁ । ଶେଷରେ ତାଙ୍କର ବାସନା ଯେ କୌଣସି ଉପାୟରେ ଚରିତାର୍ଥ କରିବାକୁ ସ୍ଥିର ସଂକଳ୍ପ ହେଲେ । ସେ ଉଦୟପୁର ରାଜ୍ୟର ଜଣେ ଗରିବ ରାଜପୁତ୍ରକୁ ଉତ୍କୋଚରେ ଆୟତ୍ତ କରି ତାହାର ରୂପବତୀ କନ୍ୟାକୁ ବିବାହ କଲେ ଏବଂ ତାହାକୁ ନିଜ ମହାଲ୍‍ରେ ଆଣି ନିଜ ମହିଷୀ ରୂପେ ରଖିଲେ । ସେହି ଦିନୁ ମହିଷୀଙ୍କର ନାମ ରଖିଲେ, ଉଦିପୁରୀ । ବହୁ ସଂଖ୍ୟକ ମୋଗଲ ସୁନ୍ଦରୀ ଓ ତାତାର ଯୁବତୀ ତାଙ୍କ ରଙ୍ଗମହାଲ୍‍ର ଶୋଭା ବଢ଼ାଉଥିଲେ ହେଁ, ଉଦିପୁରୀ ପ୍ରତିହିଁ ସମ୍ରାଟଙ୍କର ବିଶେଷ ଆକର୍ଷଣ ଥିଲା–ତାଙ୍କ ଉପରେ ମନ ପ୍ରାଣ ପ୍ରେମ ଆଦର ଢାଳି ଦେଉଥିଲେ । ମୋଗଲ ବାଦ୍‍ଶାହା ଯାହାକୁ ପ୍ରଥମରେ ବିବାହ କରୁଥିଲେ, ସେ ପ୍ରଧାନ ମହିଷୀ । ପ୍ରଧାନ ମହିଷୀଭିନ୍ନ ଅନ୍ତଃପୁରରେ ଅନେକ ପ୍ରେୟସୀ ମହିଷୀ ରହୁଥିଲେ । ଔରଂଜୀବ୍‍ଙ୍କର ପ୍ରଧାନ ମହିଷୀ ବ୍ୟତୀତ ଅସଂଖ୍ୟ ପ୍ରେୟସୀ ମହିଷୀ ଥିଲେ । ଉଦିପୁରୀ ସର୍ବାପେକ୍ଷା ଅଧିକ ପ୍ରେୟସୀ ।

 

ଉଦିପୁରୀ ମୋଗଲ-ମହାଲ୍‍ ମଧ୍ୟରେ ଉନ୍ନତି ଅବସ୍ଥା ପାଇ ଉଦ୍ଧତ ସ୍ୱଭାବା ହୋଇଥିଲେ-। ତାଙ୍କ ହୃଦୟରୁ ରାଜପୁତ୍‍-ରମଣୀ-ସୁଲଭ ପତି-ଭକ୍ତି ଅନ୍ତର ହୋଇ ନଥିଲା । ସେ ନିଜ ଚାତୁରୀ-ଜାଲରେ ସମ୍ରାଟଙ୍କୁ ବାନ୍ଧି ରଖିବା ଭଲ ଜାଣିଥିଲେ । ପ୍ରକୃତ ଦୁଃଖ ନ ଥିବାବେଳେ ଦୁଃଖ ପ୍ରକାଶର ଛଳନା କରିବା ତାଙ୍କ ଭିନ୍ନ ଅନ୍ୟ କେହି ଜାଣିଥିଲେ କି ନାହିଁ ସନ୍ଦେହ । ସେଦିନ ଉଦିପୁରୀଙ୍କ ହୃଦୟରେ କ୍ରୋଧବୀଜ ଅଙ୍କୁରିତ, ପରେ ପଲ୍ଲବିତ ହୋଇ ଶାଖା ପ୍ରଶାଖା ବ୍ୟାପ୍ତ କରିବା ସମୟରେ, ଔରଂଜୀବ୍‍ ହଠାତ୍‍ ମହିଷୀଙ୍କ କକ୍ଷ ମଧ୍ୟରେ ଉପସ୍ଥିତ ହେଲେ । ସେ ଚମକୃତ ହୋଇଦେଖିଲେ, କକ୍ଷଟି ନିଃଶବ୍ଦ, ସେବକ ସେବିକାମାନେ ତାହାଙ୍କୁ ଦେଖିବାମାନେ କମ୍ପିତ ଦେହରେ ଧାଇଁ ଯାଇ ଲୁଚି ରହି ପରସ୍ପର ମଧ୍ୟରେ ନିମ୍ନ ସ୍ୱରରେ କଥାବାର୍ତ୍ତା କରୁଛନ୍ତି-। ସମ୍ରାଟ ଅପ୍ରତିଭ ହୋଇଗଲେ । ସେ ମହିଷୀଙ୍କ ନିକଟକୁ ଯିବାର ଆରମ୍ଭ କଲେ; କିନ୍ତୁ ଗଭୀର ଚିନ୍ତା-ପ୍ରବାହରେ ଭାସୁଥିବା ଯୋଗୁଁ ତାଙ୍କ ପ୍ରତି ଉଦିପୁରୀଙ୍କର ଦୃଷ୍ଟି ପଡ଼ିଲା ନାହିଁ । ଏ କଣ-! ସମ୍ରାଟ ପ୍ରତ୍ୟହ ସେହି କକ୍ଷରେ ପ୍ରବେଶ କରିବାକ୍ଷଣି ଯେ ଦ୍ୱାରଦେଶରୁ ତାହାଙ୍କୁ ହାତ ଧରି ନେଇ, ଉପଯୁକ୍ତ ଆସନରେ ବସାଇ ତାଙ୍କ କର୍ଣ୍ଣ-କୁହରରେ ସୁମଧୁର ସୁଧାମୟ ବଚନ-ରସ ଢାଳି ଦେଉଥିଲେ, ତାଙ୍କର ଆଜି ଏ କି ଆଚରଣ ! ଅବଶ୍ୟ ସେ କୌଣସି ଗୁରୁତର କାରଣରୁ ଚିନ୍ତିତା ଥିବେ ଅନୁମାନ କରି, ସମ୍ରାଟ କ୍ରମେ ମହିଷୀଙ୍କ ପଲ୍ୟଙ୍କ ନିକଟରେ ଯାଇ ଠିଆ ହେଲେ । ତାହାଙ୍କୁ ଦେଖି ଉଦିପୁରୀ ଗାତ୍ରୋତ୍ଥାନ କଲେ ଏବଂ ତାହାଙ୍କୁ ସୁବର୍ଣ୍ଣ-ଯୁକ୍ତ କାରୁକାର୍ଯ୍ୟ ଖଚିତ ଗୋଟିଏ ଚଉକିରେ ବସିବାକୁ ଅନୁରୋଧ କରି ସେ ବସିବା ପରେ ତାଙ୍କ ପାର୍ଶ୍ୱରେ ଉପବିଷ୍ଟ ହେଲେ ।

 

ଔରଂଜୀବ୍‍ କ୍ଷଣକାଳ ମହିଷୀଙ୍କ ମୁଖ ନିରୀକ୍ଷଣ କରିବା ପରେ ବିସ୍ମୟ ସହିତ କହିଲେ–‘ସୁନ୍ଦରି, ଆଜି ଏ କଣ, ବିଷାଦର ଛାୟା ତୁମର ସୁନ୍ଦର ଗୋଲାପବିନିନ୍ଦୀ ମୁଖ-ମଣ୍ଡଳ ଉପରେ ? ମୁଁ ପଠାଇବା ପତ୍ର ସବୁ ପାଠ କଲ ?’ ମହିଷୀ ଉତ୍ତର କଲେ,–‘ହଁ ଜାଁହାପନା, ପାଠ କରିଛି-।’ ଏହା କହି ମହିଷୀ ଅଧୋବଦନ ହେଲେ ।

 

ସମ୍ରାଟ କହିଲେ,‘ତୁମ ଚିନ୍ତାର କାରଣ କଣ, ପ୍ରିୟେ ? ଦିଲ୍ଲୀ ମହିଷୀଙ୍କର ଅଭାବ କଣ-?’

 

‘ମୋ ଜୀବନ ସୁଖ ସନ୍ତୋଷରେ ଚଳିବ ବୋଲି ଦିଗ୍‍ବିଜୟୀ ମୋଗଲ କେଶରୀ ବାଦ୍‍ଶାହାଙ୍କ ହାତରେ ପିତା ମୋତେ ସମର୍ପଣ କରିଛନ୍ତି । କିନ୍ତୁ ଜୀବନରେ ଏତେ ଲାଞ୍ଛନା, ଏତେ ଅପମାନ ଯେ ପାଇବି, ଏହା ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ।’

 

ବାଦ୍‍ଶାହାଙ୍କ ମୁଖ ଉପରେ ଯୁଗପତ୍‍ ଗୋଟିଏ କ୍ଷୀଣ ରେଖା ଚାଲିଗଲା । କହିଲେ–‘କଣ କହିଲ ସୁନ୍ଦରି ! ଏତେ ସାହସ କେଉଁ ପାଷଣ୍ଡର, ଭାରତ ସମ୍ରାଜ୍ଞୀଙ୍କୁ ଅପମାନ ଦେଇଛି-।’

 

‘ଜାଁହାପନା, ଏଠାକୁ ଆସିବା ଦିନୁ ଯେଉଁ ଆମୋଦ ପ୍ରମୋଦ, ପ୍ରେମ କୌତୁକରେ ମାତିଥିଲି, ଆଜି ସେ ସବୁ ତୁଚ୍ଛ, ସ୍ୱପ୍ନ ଭଳି । ଦେଖୁଛି, ଏବେ ଆପଣଙ୍କ ସହିତ ମୋର ସମ୍ବନ୍ଧ ଛିନ୍ନ ହେବା ଉପରେ ।’

 

‘କହ, କଣ ହୋଇଛି । ମୋର ଦୃଢ଼ ପ୍ରତିଜ୍ଞା, ଯେ ତୁମ ସୁକୁମାର ପ୍ରାଣରେ ଏହି କଷ୍ଟ ଦେଇଛି, ତାହାକୁ ଏହି ମୁହୂର୍ତ୍ତରେ ଏଠାକୁ ଅଣାଇ ହତ୍ୟା କରିବି ।’

 

‘ବାଦ୍‍ଶାହା, ପ୍ରାଣ ବିସର୍ଜ୍ଜନ କରିବାକୁ ମନ ହୁଏ । ଏ ଜୀବନ ଆଉ ଅପମାନ ସହ୍ୟ କରି ପାରିବ ନାହିଁ । ଲାଞ୍ଛନା ଭୋଗି ଜୀବିତ ରହିବା ଅପେକ୍ଷା ଆତ୍ମହତ୍ୟା କରି ପରଲୋକରେ ବିଚରଣ କରିବା ଶତଗୁଣରେ ଭଲ । ମୋର ମୃତ୍ୟୁରେ, ଏ ଅଭାଗିନୀରେ ଅଭାବରେ ବାଦ୍‍ଶାହାଙ୍କର କିଛି କ୍ଷତି ହେବନାହିଁ ବୋଲି ମୋର ଦୃଢ଼ ବିଶ୍ୱାସ । ରଙ୍ଗମହଲ୍‍ରେ ଏପରି ଅନେକ ସ୍ତ୍ରୀ ଅଛନ୍ତି, ଯେଉଁମାନେ ଆପଣଙ୍କ ପ୍ରାଣ ସରସ କରିପାରିବେ । ଏତିକି ମାତ୍ର ନୁହେଁ, ସେମାନଙ୍କ ଛଡ଼ା ଅନ୍ୟାନ୍ୟ ଅସଂଖ୍ୟ ବିଳାସିନୀ ପଦସେବା କରି ଆପଣଙ୍କୁ ସୁଖ-ସାଗରରେ ଭସାଇ ପାରିବେ-।’

 

‘ଯାହା ଘଟିଛି, ଶୁଣି ପାରିବି ତ !’

 

‘ଆଉ କହିବି କଣ, ଜାଁହାପନା ! ସାମାନ୍ୟ ଡିମ୍ବଟିଏ ଈଗଲକୁ ପରିହାସ କରିଛି–କ୍ଷୁଦ୍ର ଶାମୁକା ପ୍ରକାଣ୍ଡ ହସ୍ତିନୀକୁ ବିଦ୍ରୂପ କରିଛି । କହିବି ଆଉ ବା କଣ ? ନୀଚ ଘୃଣ୍ୟ ପାହାଡ଼ିଆ ବାଳିକା ଜଣେ ପତ୍ର ଲେଖି ମୋତେ ଉତ୍ତ୍ୟକ୍ତ କରିଛି, ମୋ ପ୍ରାଣ ପୋଡ଼ି ସାରିଛି । ସବୁ ଶୁଣିଛି, ସବୁ ସହିଛି–ଆଉ ଅଧିକ ସହ୍ୟ କରିବାକୁ ଏ ପ୍ରାଣରେ ବଳ ନାହିଁ, ଏ ହୃଦୟରେ ଦମ୍ଭ ନାହିଁ । ବିଦାୟ ଦିଅନ୍ତୁ ଜାଁହାପନା, ଶୀଘ୍ର ଏ ଶୁଷ୍କ ଜୀବନ-ଖେଳା ସାଙ୍ଗ କରିବି ।’

 

‘ଏତେ ଅନୁରୋଧ କଲେ ସୁଦ୍ଧା ତୁମ ମନର କଥା ଖୋଲି କହୁନାହିଁ କାହିଁକି ? କହ ଶୀଘ୍ର, କିଏ ସେ ଦୁଷ୍ଟ ତୁମ ହୃଦୟରେ ବିରକ୍ତି-ବହ୍ନି ଜାଳିଛି । ଦିଲ୍ଲୀ-ସିଂହାର କେଶର ଛୁଇଁଛି, କାହାର ଏତେ ଗର୍ବ ? ସେ ପତ୍ରରେ ଲେଖାଅଛି କଣ ?’

 

‘କେବଳ ସିଂହକୁ ନୁହେ–ସିଂହକୁ ମଧ୍ୟ ଅପମାନ ଦେଇଛି ।’

 

ବିଶେଷ ବାଧ୍ୟତା ଓ ବିନୟ ପରେ ଉଦିପୁରୀ ପତ୍ରଟି ବାହାର କରି ଜଣେ ଦାସୀ ହାତରେ ଦେଇ କହିଲେ,–‘ଏ କଦର୍ଯ୍ୟ ପତ୍ର ନିଜେ ମୁଁ ଆଉ ପାଠ କରିବି ନାହିଁ । ପଢ଼ି ବାଦ୍‍ଶାହାଙ୍କୁ ଶୁଣାଅ ।’

 

ଦାସୀଟି ଜଣେ ରାଜପୁତ୍‍ ଯୁବତୀ । ସେ ସେହିକ୍ଷଣି ପତ୍ର ପାଠକଲା । ‘ମା !

 

ଯଶୋବନ୍ତ ସିଂହଙ୍କ ସଙ୍ଗେ ତୁମେ କାବୁଲ ଯିବା ସମୟଠାରୁ ମୋ ମନରେ ବିଷାଦର ଗୋଟିଏ ଛାୟା ପଡ଼ିଛି । ରାଜପୁତ୍‍ଜାତିକୁ ଧ୍ୱଂସ କରିବା ପାଇଁ ସମ୍ରାଟର ଚେଷ୍ଟା । ନିରୀହ ସରଳ ପୃଥ୍ୱୀସିଂହକୁ ଦିଲ୍ଲୀକୁ ଡକାଇ ତାଙ୍କ ପ୍ରତି କପଟ ସମ୍ମାନ ଦେଖାଇ ଶେଷରେ ତାଙ୍କୁ ବିଷାକ୍ତ ସମ୍ମାନ-ପରିଚ୍ଛେଦ ଦେଇ ଯବନ-ରାକ୍ଷସ ତାଙ୍କର ଜୀବନ ନେଇଛି । କେତେ ଜଣ କୁକୁର-ସ୍ୱଭାବ ରାଜପୁତ୍‍ ସେହି ପିଶାଚାର ପଦ ଲେହନ କରୁଥିବା ଯୋଗୁଁ ଆଜି ଆମ ଜାତିର ଏ ଦୁର୍ଗତି ! କପଟଚାରୀ ବାଦ୍‍ଶାହାର ଏହି ଆଚରଣ ଆଉ କେତେକାଳ ଯେ ଚାଲିବ, କଳ୍ପନା କରି ହେଉ ନାହିଁ । କ୍ଷତ୍ରିୟକୁଳ ମଧ୍ୟରେ ଏକତାର ଅଭାବହିଁ ଏହି ଲାଞ୍ଛନା–ଏ ସର୍ବନାଶର ମୂଳ କାରଣ । ଦେଖୁଛି, ରାଜପୁତ୍‍ ଏବେ ହୀନବଳ, ନିଷ୍ପ୍ରଭ । ଏପରି ଅବସ୍ଥା ଆଉ କେତେଦିନ ଚାଲିଲେ, ନର ପିଶାଚ ମ୍ଳେଚ୍ଛ ବଳପ୍ରୟୋଗରେ ରାଜପୁତ୍‍ କୁଳକାମିନୀମାନଙ୍କୁ ଟାଣିନେଇ ଯେ ଦିଲ୍ଲୀ ଅନ୍ତଃପୁରର ମହିଳା-ସଂଖ୍ୟା ବଢ଼ାଇବ, ଏଥିରେ ଆଉ ସନ୍ଦେହ କଣ ? ଚଣ୍ଡାଳ ସେହି ସମୟ ଜଗି ରହିଛି । ଆଜିଠାରୁ ଜାଗ୍ରତ ନ ହେଲେ, ହିନ୍ଦୁ ରମଣୀର ଆଉ ରକ୍ଷା ନାହିଁ–ପବିତ୍ର କ୍ଷତ୍ରିୟ ଧର୍ମ ରସାତଳର ଯାଇ ବୁଡ଼ିବ-

 

‘କିନ୍ତୁ ଆଶ୍ୱାସନା ଏତିକି, ମା–ଧର୍ମପରାୟଣା କୁଳାଭିମାନିନୀ ରାଜପୁତ୍‍ ରମଣୀଗଣ ଅକାତରେ ପ୍ରାଣ ଦେଇ ପାରନ୍ତି, ତଥାପି କୁତ୍ସିତ, ଜଘନ୍ୟ କାର୍ଯ୍ୟ କଦାପି କରିପାରିବେ ନାହିଁ । କୁଳଧର୍ମଘାଟିନୀ ଉଦିପୁରୀ ପବିତ୍ର କ୍ଷତ୍ରିୟ ଧର୍ମରେ ପଦାଘାତ କରିଛି, ମହତ୍ ହିନ୍ଦୁ ଜାତିର ମୁଖରେ କାଳିମା ବୋଳିଛି–ଭାରତମାତାର ମସ୍ତକ ତଳକୁ ନୁଆଁଇ ଦେଇଛି । କୁଳକଳଙ୍କିନୀରେ ଆଚରଣ ଦେଖି ହୃଦୟରେ ଶତ ସର୍ପ ଦଂଶନର ଯନ୍ତ୍ରଣା ଜାତ ହୁଏ–ପ୍ରାଣ ଏକାବେଳକେ କମ୍ପି ଉଠେ । ପିଶାଚୀ ମ୍ଲେଚ୍ଛର ଅଙ୍ଗ ସ୍ପର୍ଶ କରିବାରେ କିପରି ସଙ୍କୁଚିତ ହେଲା ନାହିଁ, ତାହାହିଁ ଭାବିବାର କଥା, ଆଶ୍ଚର୍ଯ୍ୟ ବିଷୟ । ଏଭଳି ନୀଚ ସ୍ତ୍ରୀମାନଙ୍କୁ କୋଳରେ ଧରି ମା ବସୁମତୀ ଦୂଷିତା ହୋଇଛନ୍ତି ସିନା-!

 

‘ସମ୍ରାଟ ଏହି ନିର୍ମମ କାର୍ଯ୍ୟ ସମଗ୍ର ରାଜପୁତାନାରେ ରାଷ୍ଟ୍ର ହୋଇଥିବା ସ୍ଥଳେ, ତୁମର ଏହା ଅଜଣା ନ ଥିବ ବୋଲି ମୋର ବିଶ୍ୱାସ । ହିନ୍ଦୁସ୍ଥାନରେ ଏହି କାଳ-ପୁରୁଷ ଯେତେଦିନ ଅବାଧରେ ବୁଲୁଥିବ, ସେତେଦିନ ଯାଏ ଆମମାନଙ୍କ ଏହି ନିଗ୍ରହ ସହିବାକୁ ହେବ–ଅନ୍ୟ ଗତି ନାହିଁ । ଜୀବନ କ୍ଷଣ ଭଙ୍ଗୁର; ଏଣୁ ହୃଦୟରେ ଦମ୍ଭ ବାନ୍ଧି, ମନରେ ସାହସ ଧରି ଏତେବେଳେ ପତିଙ୍କୁ ସାନ୍ତ୍ୱନା ଦେବା ତୁମ୍ଭର ପ୍ରଧାନ ଧର୍ମ । ଶୋକ ପ୍ରକାଶ ଓ କ୍ରନ୍ଦନରେ ପ୍ରାଣକୁ, ମା’, ଆଉ କଷ୍ଟ ଦିଅନାହିଁ, ସେହି ଚିନ୍ତାରେ ହୃଦୟ ଆଉ ଜଳାଅ ନାହିଁ । ଯାହା ହୋଇଯାଇଛି, ତାହା ଭାବି ଅଧୀର ହୋଇ ବା ଲାଭ କଣ ? ମୁଁ ସାମାନ୍ୟ ଜଣେ ବାଳିକା ମାତ୍ର, ତୁମକୁ କି ଉପଦେଶ ଦେଇ ପାରିବି ? ମା’ଙ୍କୁ ଝିଅ ଆଉ ଅଧିକ ବୁଝାଇବା ଦରକାର ନାହିଁ ।

 

ସ୍ନେହର,

କମଳକୁମାରୀ ।’

 

ପତ୍ରର ବିଷୟ ଶୁଣି ଔରଂଜୀବ୍‍ଙ୍କ ଶରୀର ପ୍ରଚଣ୍ଡ କୋପରେ କମ୍ପିତ ହେଲା, ଚକ୍ଷୁରୁ ଗୋଟିଏ ବିଷାକ୍ତ ତଡ଼ିତ-ଉତ୍ସ ଫୁଟି ବାହାରିଲା । ସେ ବଜ୍ରଗମ୍ଭୀର ସ୍ୱରରେ ଉଦିପୁରୀକୁ କହିଲେ–‘କି ଆସ୍ପର୍ଦ୍ଧ । ସେହି ନୀଚ ବାଳିକାର ! ହିମଗିରି ପ୍ରତି କ୍ଷୁଦ୍ର ପ୍ରସ୍ତର ଖଣ୍ଡର ଦୋଷାରୋପ-! ଯାହା ହେଉ, ପ୍ରିୟେ, ଆଉ ଚିନ୍ତିତ ହୁଅ ନାହିଁ । ଏକ ମୁହୂର୍ତ୍ତ ମଧ୍ୟରେ ଦୁଷ୍ଟାର ସର୍ବନାଶ କରିବି–ତାହାର ଗର୍ବ ଖର୍ବ କରିଦେବି–ଅତି ଅଳ୍ପକାଳ ମଧ୍ୟରେ ସେ ବୁଝିବ, କିପରି ସେ ଦୁଃସାହସ କରିଅଛି । ଏହିକ୍ଷଣି ବିରାଟ ସେନା ପଠାଇ ରୂପନଗର ଧ୍ୱଂସ କରିବି, କମଳକୁମାରୀକୁ ବାନ୍ଧି ଆଣି ତୁମ ପାଦତଳର ଦାସୀ କରିବି–ଏହା ମୋର ଅଟଳ ସଂକଳ୍ପ, ଶକ୍ତ ପ୍ରତିଜ୍ଞା । ଜାଣି ରଖ ସୁନ୍ଦରି, ମୋର ଏହି ପ୍ରତିଜ୍ଞା ପାଳି ନ ପାରିଲେ, ମୁଁ ଯବନ-ସନ୍ତାନ ନୁହେଁ–ଔରଂଜୀବ୍‍ ନୁହେଁବୀରମାତାର ପୁତ୍ର ନୁହେଁ । ମୁଁ ଯଦି ପ୍ରକୃତ ଦିଗବିଜୟୀ, ବିକ୍ରମକେଶରୀ ମୋଗଲରତ୍ନ ଦିଲ୍ଲୀ ବୀର, ତାହାହେଲେ କଦାପି ମୋର ଏ ଶପଥ ଭାଙ୍ଗି ହେବନାହିଁ । ଏହା ସତ୍ୟ, ନିରାଟ ସତ୍ୟ, ମହାନ ସତ୍ୟ । ଆଲ୍ଲାଙ୍କୁ ଶପଥ କରି ପୁଣି କହୁଛି, ପ୍ରାଣେଶ୍ୱରୀ, ଉଦିପୁରୀଙ୍କ ମନରେ ପୁଣି ସେହି ଆନନ୍ଦ ଉଦିତ ହେବ, ଶାନ୍ତି ଖେଳିବ–ପୁଣି ସେହି ସୁଖ ସନ୍ତୋଷ ବିକଶି ଉଠିବ । କି ମୂର୍ଖତା ସେହି ବାଳିକାର । ତାହାର ସାନ ବଡ଼ର ବିଚାର ନାହିଁ–କାଳପାତ୍ରର ବିବେଚନା ନାହିଁ–ଭୂତ ଭବିଷ୍ୟତ୍‍ର ଜ୍ଞାନ ନାହିଁ । କାଲି ତାକୁ ଟାଣି ଆଣି ଆମ ସେବକ ମଶାବତ୍‍ର ହାତରେ ତାହାର ଦୂଷିତ ହସ୍ତ ଏକତ୍ର କରିଦେବି ।’

 

ଉଦିପୁରୀ ପ୍ରବୋଧ ମାନିଲେ । ଆଶ୍ୱାସନାର ଗୋଟିଏ ସ୍ନିଗ୍‍ଧ ଶୀତଳ ଛାୟା ତାଙ୍କ ହୃଦୟକୁ ଆସି ସ୍ପର୍ଶ କଲା–ମନରେ ସୁଖ ସନ୍ତୋଷର ଢେଉ ନାଚି ଉଠିଲା । ଔରଂଜୀବ୍‍ ସେହିକ୍ଷଣି ତାଙ୍କ ସେନାପତି ସାଦତ୍‍ ଖାଁ ନିକଟକୁ ପତ୍ର ଲେଖିଲେ ଯେ, ସେ ତିନିଦିନ ମଧ୍ୟରେ ଚାଳିଶ୍‍ ହଜାର ସୈନ୍ୟ ସହିତ ରୂପନଗରକୁ ଯାଇ ତାହା ଭୂମିସାତ୍‍ କରିଦେବେ ଏବଂ ବିକ୍ରମ ସୋଲାଙ୍କିଙ୍କ କନ୍ୟା କମଳକୁମାରୀଙ୍କୁ ପିଞ୍ଜରାବଦ୍ଧ କରି ଦିଲ୍ଲୀକୁ ଆଣିବେ । ସେହି ପତ୍ର ପାଠରେ ଅତିଶୟ ତୁଷ୍ଟ ହୋଇ ଉଦିପୁରୀ ବାଦ୍‍ଶାହାଙ୍କର ଅଶେଷ ପ୍ରଶଂସା କଲେ ।

 

ସେତେବେଳେ କକ୍ଷ ବାହାରେ ପଦଧ୍ୱନି ଶୁଣି ଔରଂଜୀବ୍‍ ପଚାରିଲେ–’କିଏ ସେଠାରେ-?’ ସେହିକ୍ଷଣି ଉତ୍ତର ଆସିଲା,–‘ଆଜ୍ଞା, ମୁଁ ମଶାବତ୍ ।’ ସମ୍ରାଟ ତାହାକୁ କକ୍ଷ ମଧ୍ୟକୁ ଡାକିଲେ-। ମହାଲ୍‍ ମଧ୍ୟରେ ନପୁଂସକ, କୁରୂପ ଲୋକଙ୍କୁ ନିଯୁକ୍ତ କରିବା ପ୍ରଥା ଯବନ ସମ୍ରାଟମାନଙ୍କ ମଧ୍ୟରେ ପ୍ରଚଳିତ ଥିଲା । ନପୁଂସକମାନେ ରଙ୍ଗମହଲ୍‍ର ପ୍ରହରୀ ଓ ପରିଚାଳକ ରୂପେ ରଖା ଯାଉଥିଲେ-। କଦାକାର, ଅଶିକ୍ଷିତ ମଶାବତ୍ ଉଦିପୁରୀଙ୍କ ସେବକମାନଙ୍କ ମଧ୍ୟରେ ଅତି ପ୍ରଧାନ । ତାହାର ରୂପ ଦେଖିବା ମାତ୍ରେ ଯମ-ଦୂତର ଭୀଷଣ ଆକୃତି କଳ୍ପନାରେ ଆସୁଥାଏ । ତାହା ଦେହର ବର୍ଣ୍ଣ ଅମାବାସ୍ୟା ଅନ୍ଧକାରକୁ ଶତଧିକାର କରୁଥିଲା । ତାହାର ବିଶାଳ ଦେହ, ଉଚ୍ଚ ଆକୃତି ଦର୍ଶକ ମନରେ ହାସ୍ୟର ସଞ୍ଚାର କରୁଥିଲା । ଉଦିପୁରୀଙ୍କ ପ୍ରୀତି ସଂପାଦନ କରିବା ଉଦ୍ଦେଶ୍ୟରେ ମଶାବତ୍‍ ଅନ୍ତଃପୁରର ପ୍ରତ୍ୟେକ କାର୍ଯ୍ୟ ଶ୍ରଦ୍ଧା ସହିତ କରୁଥିଲା । କର୍ତ୍ତବ୍ୟ ପ୍ରତି ଲୟ ଏବଂ ମହିଷୀଙ୍କ ପ୍ରତି ଭୟ ରଖି ସେ ତାଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିଥିଲେ । ସମ୍ରାଟଙ୍କ ଆହ୍ୱାନ ତାହାର କାନରେ ପଡ଼ିବା କ୍ଷଣି, ସେ ମହିଷୀଙ୍କ କକ୍ଷରେ ପ୍ରବିଷ୍ଟ ହୋଇ ଭକ୍ତି ସହିତ ସମ୍ରାଟଙ୍କୁ କୁର୍ଣ୍ଣିଶ କରୁ କରୁ ତାଙ୍କ ଆଗରେ ଯାଇ ଠିଆ ହେଲା । ବାଦ୍‍ଶାହା ଲେଖିବା ପତ୍ରଟି ତାହା ହାତରେ ଦେଇ ଅତି ଶୀଘ୍ର ସାଦତ୍ ଖାଁଙ୍କୁ ତାହା ଦେବାପାଇଁ ଆଦେଶ ଦେଲେ ।

 

ଆଗେ କୁହାଯାଇଛି, ପୃଥୀସିଂହଙ୍କର ହତ୍ୟା ସମ୍ବାଦ କେହି ଯେପରି ଯଶୋବନ୍ତ ସିଂହଙ୍କୁ ଜଣାଇ ନ ପାରେ, ସେଥି ନିମିତ ସମ୍ରାଟ ଖାଇବର୍‍ ଗିରି-ପଥରେ କେତେଜଣ ଅନୁଚର ନିଯୁକ୍ତ କରିଥିଲେ । ଯଶୋବନ୍ତ ସିଂହ ନିକଟକୁ ଲିଖିତ ପତ୍ର ଓ ପତ୍ର-ବାହାକକୁ ଧଇ ବାଦ୍‍ଶାହାଙ୍କ ସମ୍ମୁଖକୁ ନେବା ସେମାନଙ୍କର ଏକମାତ୍ର କାର୍ଯ୍ୟ । ସେମାନେ ଏପରି ଅନେକ ପତ୍ର ଆୟତ୍ତ କରିଥିଲେ । ଦିନେ ପତ୍ରସବୁ ନେଇ ସମ୍ରାଟଙ୍କୁ ଦେଖାଇଲେ । ସେହି ସମସ୍ତ ଗୁଜରାତ୍‍ ଭାଷାରେ ଲେଖା । ସେହି ଭାଷା ଜାଣି ନଥିବାରୁ ସମ୍ରାଟ, ସେ ସବୁ ପଢ଼ି ସାକ୍ଷାତରେ ଶୁଣାଇବା ସକାଶେ ଉଦିପୁରୀଙ୍କଠାକୁ ପଠାଇ ଦେଲେ । ପତ୍ରସବୁ ପରୀକ୍ଷା କରିବାବେଳେ ଖଣ୍ଡିଏ ଲଫାଫା ଉଦିପୁରୀଙ୍କ ଦୃଷ୍ଟି ଆକର୍ଷଣ କଲା । ସେ ତାହା ଫିଟାଇ ତହିଁମଧ୍ୟରୁ ବକ୍ର ପଂକ୍ତି ସମନ୍ୱିତ, ଅସ୍ପଷ୍ଟ-ଅକ୍ଷର-ବିଜଡ଼ିତ ଖଣ୍ଡିଏ ପତ୍ର ବାହାର କଲେ । ଦେଖି ବୁଝିପାରିଲେ, ତାହା ଜଣେ ବୃଦ୍ଧ-ହସ୍ତ-ଲିଖିତ-। ଉତ୍କଣ୍ଠିତ ଚିତ୍ତରେ ପାଠ କରୁ କରୁ ପତ୍ର ଶେଷରେ ବିକ୍ରମ ସିଂହଙ୍କର ସ୍ୱାକ୍ଷର ଦେଖିଲେ-। ପତ୍ରଟିରେ ପୃଥ୍ୱୀସିଂହଙ୍କର ନିଷ୍ଠୁର ହତ୍ୟା-ସମ୍ବାଦ ଭିନ୍ନ ଅନ୍ୟ କୌଣସି ବିଷୟ ନ ଥିଲା-। ପରେ ଲଫାଫା ମଧ୍ୟରୁ ଅନ୍ୟ ପତ୍ରଟି ବାହାର କରି ଦେଖିଲେ, ତାହା ମୁକ୍ତା-ବିନିନ୍ଦୀ ସ୍ପଷ୍ଟ ସୁନ୍ଦର ଲିପିରେ ପୂର୍ଣ୍ଣ । ଏଣୁ ତାହା କୌଣସି ଯୁବକ ବା ଯୁବତୀ ହାତର ଲେଖା ବୋଲି ଅନୁମାନ କରିବା ଅସଙ୍ଗତ ନୁହେ । ତାହାହିଁ ପୂର୍ବୋକ୍ତ କମଳକୁମାରୀଙ୍କ ପତ୍ର ।

 

ସେହି ପତ୍ରର ପ୍ରତ୍ୟେକ ବାକ୍ୟ ଗୋଟିଏ ଗୋଟିଏ ଶୂଳପରି ଉଦିପୁରୀଙ୍କ ହୃଦୟରେ ବିଦ୍ଧ ହୋଇଗଲା । ପତ୍ର-ପାଠ ମୁହୂର୍ତ୍ତଠାରୁ ପତ୍ରର ପ୍ରତିହିଂସା ନେବା ସକାଶେ ବାଦ୍‍ଶାହାଙ୍କୁ ଅଙ୍ଗୀକାରବଦ୍ଧ କରିବା ସମୟ ପର୍ଯ୍ୟନ୍ତ ଉଦିପୁରୀଙ୍କ ପ୍ରାଣରେ ଶାନ୍ତି ସ୍ଥାନ ପାଇ ପାରିଲା ନାହିଁ । ତାଙ୍କ କକ୍ଷରେ ସମ୍ରାଟ ପ୍ରବେଶ କରିବା ସମୟଠାରୁ ସାଦତ୍ ଖାଁ ନିକଟକୁ ଆଦେଶପତ୍ର ପଠାଇବା ପର୍ଯ୍ୟନ୍ତ ଯାହା ଯାହା ଘଟିଲା, ପାଠକମାନେ ସବୁ ଶୁଣିଲେ । ପରେ ଔରଂଜୀବ୍‍ ଉଦିପୁରୀଙ୍କ ମୁଖରୁ ଅନ୍ୟାନ୍ୟ ସମସ୍ତ ପତ୍ରର ବିଷୟ ଶୁଣି ସ୍ପଷ୍ଟ ବୁଝିପାରିଲେ, ପୃଥ୍ୱୀସିଂହ-ବଧ-ଖବର ସମଗ୍ର ରାଜପୁତାନାରେ ପ୍ରଚାରିତ ହୋଇଅଛି । ସେତେବେଳଯାଏ ସେ ଭାବିଥିଲେ, ଭାବି ଆଶ୍ୱସ୍ତ ହୋଇଥିଲେ–ତାଙ୍କର ବିଶ୍ୱାସଘାତକ କାଣ୍ଡ କେହି ଜାଣିନାହାନ୍ତି । ବର୍ତ୍ତମାନ ସେ କଥା ସର୍ବତ୍ର ବ୍ୟାପ୍ତ ହୋଇଥିବାର ଦେଖି ସେ ଗଭୀର ବିସ୍ମୟ ଓ ଅପମାନରେ ଅଥୟ ହୋଇଗଲେ । ପ୍ରାଚୀରର ମଧ୍ୟ ଯେ ଶ୍ରବଣ ଶକ୍ତି ଅଛି, ତାହା ବୁଝିବାରେ ସମ୍ରାଟଙ୍କର ଆଉ ବାକି ରହିଲା ନାହିଁ । ଆଖିବୁଜି ହାଣ୍ଡିରୁ ଦୁଧ ପିଇବା ବିରାଡ଼ି ଏବେ ଜାଣିପାରିଲା, ଜଗତଯାକ ଅନ୍ଧ ନୁହେ ।

 

ବିକ୍ରମସିଂହ କମଳକୁମାରୀଙ୍କ ପତ୍ର ଦେଖି ପ୍ରଥମରେ ଆଶଙ୍କା କରିଥିଲେ । କିନ୍ତୁ ପରେ ଚିନ୍ତାକରି ସ୍ଥିର କଲେ ଯେ, ପତ୍ରଟି ପରିଣାମରେ କିପରି ହେଉ ସୁଫଳ ପ୍ରସବ କରିବି । ଭାବିଲେ, ତାହା ଯଶୋବନ୍ତସିଂହଙ୍କ ହସ୍ତଗତ ହେଲେ ମଙ୍ଗଳର ବିଷୟ, କିନ୍ତୁ ଦୈବାତ୍ ସମ୍ରାଟଙ୍କ କରଗତ ହେଲେ ଲାଭ ଛଡ଼ା କ୍ଷତି ନାହିଁ । ତାହା ପାଠକରି ବାଦ୍‍ଶାହା ଯୁଦ୍ଧ ପାଇଁ ପ୍ରସ୍ତୁତ ହେବେ; ଫଳରେ ନିଜ ବୀରତ୍ୱ-ପରିଚୟ-ପ୍ରଦାନର ସୁବିଧା ହେବ ଭାବି ବିକ୍ରମ ସୋଲାଙ୍କି ନିତାନ୍ତ ଆଶ୍ୱସ୍ତ ହୋଇଥିଲେ ।

Image

 

ପଞ୍ଚମ ପରିଚ୍ଛେଦ

(ଯୋଧପୁର ମହିଷୀଙ୍କ ଦୁର୍ଦ୍ଦଶା)

 

ପୁତ୍ରମରଣ ସଙ୍ଗେ ସଙ୍ଗେ ପତିମୃତ୍ୟୁ–ଏହି ଅବସ୍ଥାରେ କେଉଁ ସ୍ତ୍ରୀର ହୃଦୟ ନ ଫାଟି ରହିବ ? ଚନ୍ଦ୍ରାବତୀ ସର୍ବଦା ଶୋକରେ ବୁଡ଼ି ରହିଲେ, ଇନ୍ଦିରାଙ୍କ ବିବିଧ ସାନ୍ତ୍ୱନା-ବାକ୍ୟ ସତ୍ୱେ ପ୍ରବୋଧ ମାନିଲେ ନାହିଁ । ସେ ସମସ୍ତଙ୍କ ଆଗରେ ତାଙ୍କର ସହଗମନ ଇଚ୍ଛା ପ୍ରକାଶ କଲେ । ଦୁର୍ଗାଦାସ, ଇନ୍ଦିରା ଓ ଶିବସିଂହ ଚନ୍ଦ୍ରାବତୀଙ୍କର ଏହି ଦାରୁଣ ପ୍ରସ୍ତାବରେ ବିକଳଚିତ୍ତ ହୋଇ ତାଙ୍କୁ ସେହି ପ୍ରୟାସରୁ ବିରତ କରିବାକୁ ଚେଷ୍ଟା କଲେ । ସେହି ସମ୍ବନ୍ଧରେ ତାହାଙ୍କୁ ଅଶେଷ ଅନୁନୟ ବିନୟ ସହିତ କହିଲେ,–ମା, ବର୍ତ୍ତମାନ ଯୋଧପୁର ବଂଶ ବିନାଶର ସୂତ୍ରପାତ ହେଲା । ଗର୍ଭବତୀର ଆତ୍ମହତ୍ୟା ମହପାପ । ଧୈର୍ଯ୍ୟଧର ମା, ପାପ ପଥ ପରିଷ୍କାର କରନାହିଁ । ଗର୍ଭର ସନ୍ତାନ ବିଷୟ ଥରେ ଭାବି ଦେଖ–ବଂଶରକ୍ଷା ଉପାୟ କର । ଯୋଧପୁର ରକ୍ଷା ନିମିତ୍ତ ଆମେମାନେ ଶକ୍ତ ପ୍ରତିଜ୍ଞାବଦ୍ଧ । ଆମମାନଙ୍କୁ ନିରାଶ କରନାହିଁ ।

 

ସେମାନଙ୍କ ଅନୁରୋଧ, ଉପଦେଶ ଓ ସାନ୍ତ୍ୱନା ପାଇ ଚନ୍ଦ୍ରାବତୀ ଶେଷରେ ତାଙ୍କର ସହମରଣ-ବାସନା ତ୍ୟାଗ କଲେ । ତାଙ୍କର ମଙ୍ଗଳାକାଂକ୍ଷୀ ଲୋକେ ଆଶ୍ୱସ୍ତ ହେଲେ । ସାଧାରଣ ସ୍ତ୍ରୀମାନଙ୍କ ସହିତ ଚନ୍ଦ୍ରାବତୀଙ୍କର ତୁଳନା ଅସୁନ୍ଦର ଓ ଅସଙ୍ଗତ । ସମଗ୍ର ରାଜସ୍ଥାନରେ ତାଙ୍କ ଭଳି ମହନୀୟା ଓ ଗୁଣବତୀ ରାଣୀ ସେତେବେଳେ କେହି ନଥିଲେ । ସେ ସମସ୍ତଙ୍କର ଗୌରବପାତ୍ରୀ ଓ ପୂଜ୍ୟା ଥିଲେ । ଯଶୋବନ୍ତ ସିଂହ ପ୍ରତି ଘୃଣା ଦେଖାଇଉଥିଲେ ହେଁ ରାଜପୁତ୍‍ମାନେ ଚନ୍ଦ୍ରାବତୀଙ୍କୁ କୁଳଦେବୀ ତୁଲ୍ୟ ଜ୍ଞାନ କରୁଥିଲେ । ଯଶୋବନ୍ତଙ୍କ ପ୍ରତି ରାଜପୁତ୍‍ଗଣ ଘୃଣାର ଏକମାତ୍ର କାରଣ ଥିଲା–ହିନ୍ଦୁ ଧର୍ମଦ୍ୱେଷୀ କ୍ଷତ୍ରିୟକୁଳଶତ୍ରୁ ଔରଂଜୀବ୍‍ଙ୍କ ନିକଟରେ ତାଙ୍କର ଅଧୀନତା ସ୍ୱୀକାର । କିନ୍ତୁ ଚନ୍ଦ୍ରାବତୀଙ୍କ ପ୍ରାଣ ସ୍ୱାଧୀନ, ହୃଦୟ ମହତ୍ ଏବଂ ମନ ଉଚ୍ଚ । ସେ ଉଦୟପୁର ରାଜବଂଶର ଯୋଗ୍ୟ କନ୍ୟା । ବୀର ମହିଳାର ସମସ୍ତ ଶୁଭ ଲକ୍ଷଣ ତାଙ୍କ ନିକଟରେ ଆଶ୍ରୟ ନେଇଥିଲା ।

 

ତାଙ୍କର ଅଗାଧ ପତିଭକ୍ତି ଓ ପାତିବ୍ରତ୍ୟ ସତ୍ତ୍ୱେ ଚନ୍ଦ୍ରାବତୀ ବୀରତ୍ୱ ଓ କୁଳମର୍ଯ୍ୟାଦାର ଅନୁରୋଧରେ ସମୟ ସମୟରେ ପତିଙ୍କର ଅପ୍ରୀତିକର କାର୍ଯ୍ୟ ମଧ୍ୟ କରିବାକୁ ବାଧ୍ୟ ହେଉଥିଲେ । ଦୃଷ୍ଟାନ୍ତ ସ୍ୱରୂପ ଶାଜାହାନ୍‍ଙ୍କ ସମୟର ଗୋଟିଏ ଘଟଣା ଏଠାରେ ବର୍ଣ୍ଣନା କରୁଅଛୁଁ । ୧୬୫୭ ସାଲରେ ଯଶୋବନ୍ତ ସିଂହ ଉଜ୍ଜୟିନୀଯୁଦ୍ଧରେ ପିତୃ-ବିରୋଧୀ ଶାହାଜାଦା ଔରଂଜୀବ୍‍ଙ୍କ ଦ୍ୱାରା ପରାଜିତ ହୋଇ ଅଳ୍ପ କେତେ ଜଣ ସିପାହୀ ସହିତ ଯୋଧପୁରକୁ ଫେରିଥିଲେ । ରଣକ୍ଷେତ୍ରରେ ଜୟ କିମ୍ବା ମୃତ୍ୟୁ ଲାଭ କରିବା କ୍ଷତ୍ରିୟର ଶ୍ରେଷ୍ଠ ଧର୍ମ । ଯୁଦ୍ଧରୁ ପରାସ୍ତ ପତିର ପ୍ରତ୍ୟାବର୍ତ୍ତନ ରାଜପୁତ୍‍ ରମଣୀର ଅସହ୍ୟ । ଏଣୁ ଯଶୋବନ୍ତ ପରାସ୍ତ ହୋଇ ବାହୁଡ଼ିବାର ଦେଖି, ବୀରବାଳା ଚନ୍ଦ୍ରାବତୀଙ୍କ ହୃଦୟ ଗଭୀର ଅପମାନ, ଲଜ୍ଜା ଓ କ୍ରୋଧରେ ଜଳି ଉଠିଲା । ନଗର-ଦ୍ୱାର ରୁଦ୍ଧ କରିଦେଇ ଯଶୋବନ୍ତଙ୍କୁ ନଗର ମଧ୍ୟକୁ ନ ଛାଡ଼ିବା ନିମିତ୍ତ ଚନ୍ଦ୍ରାବତୀ ଦ୍ୱାରପାଳମାନଙ୍କୁ ଶୀଘ୍ର ଆଦେଶ ଦେଲେ । ଦୁର୍ଗର ସମସ୍ତ ଦ୍ୱାର ରୁଦ୍ଧ ହେବାର ଦେଖି ଯଶୋବନ୍ତ ନିତାନ୍ତ ଲଜ୍ଜିତ ଓ ଅପ୍ରସ୍ତୁତ ହୋଇ ପଡ଼ିଲେ । ଦୁର୍ଗ ମଧ୍ୟରେ ପ୍ରବେଶର ଅନୁମତି ଦେବା ସକାଶେ ସେ ଅନୁରୋଧ କରିବାରୁ, ରାଣୀଙ୍କର ମୁଖମଣ୍ଡଳ ବୀରତ୍ୱରେ ଦୀପ୍ତ ହୋଇ ଉଠିଲା । ସେ ସେହିକ୍ଷଣି ପ୍ରାଚୀରର ଗୁମ୍ବୁଜ ଉପରେ ଠିଆହୋଇ ଗମ୍ଭୀରକଣ୍ଠରେ କହିଲେ–‘ମହାରାଜ, ବୀର ବନିତାର ଗର୍ଭରେ ଜନ୍ମି, ରଣକ୍ଷେତ୍ରରେ ପୃଷ୍ଠଭଙ୍ଗ ଦେଇ ଭୟରେ ଫେରିବା କ୍ଷତ୍ରିୟ, ରାଜପୁତ୍ର ପକ୍ଷରେ ଲଜ୍ଜାର କଥା ନୁହେ-? ସାମାନ୍ୟ ଦୁର୍ବଳା ସ୍ତ୍ରୀ ଭଳି ବାହୁଡ଼ିବାରେ ଆପଣ ଯେ ସଙ୍କୋଚ ବୋଧ କଲେ ନାହିଁ, ଏହାହିଁ ଆକ୍ଷେପର କଥା । ଦେଖିଛି, ଆପଣଙ୍କ ସୈନିକମାନେ ମନୁଷ୍ୟ ନୁହନ୍ତି, ପଶୁ–ସେମାନଙ୍କ ନେତା ପୁରୁଷ ନୁହନ୍ତି ସ୍ତ୍ରୀ–ବୀରମାତାର ସିଂହ ସନ୍ତାନ ନୁହନ୍ତି, ରାଜପୁତ୍‍ ଅରଣ୍ୟର ଭୀରୁ ଶୃଗାଳ ମାତ୍ର-। ଧମନୀରେ ଯଦି ବୀରଶୋଣିତ ପ୍ରବାହିତ ହେଉଥାଏ, ଦେହରେ ଯଦି କ୍ଷତ୍ରିୟ–ବଳ ଖେଳି ବୁଲୁଥାଏ, ମନରେ ଯଦି ରାଜପୁତ୍‍-ଗର୍ବ ନାଚି ଉଠୁଥାଏ–ତାହାହେଲେ ପୁଣି ଧାବିତ ହେଉନ୍ତୁ ବୀର ବିଳାସଭୂମି ଯୁଦ୍ଧ ପ୍ରାଙ୍ଗଣକୁ, ସେହି ସ୍ୱର୍ଗ-ସୋପାନ ପବିତ୍ର ସ୍ଥଳକୁ, ପୁଣି ଯୁଦ୍ଧରେ ମାତି ଶୌର୍ଯ୍ୟ ଓ ବୀର୍ଯ୍ୟର ପରିଚୟ ଦିଅନ୍ତୁ–ମନୁଷ୍ୟ ନାମ ସାର୍ଥକ କରନ୍ତୁ । ଏହାହିଁ କ୍ଷତ୍ରିୟ ପକ୍ଷରେ ମୁକ୍ତିର ଏକମାତ୍ର ଶ୍ରେଷ୍ଠ ଉପାୟ–ଚିର ଶାନ୍ତିର ସ୍ୱଚ୍ଛ ମାର୍ଗ ।’

 

ଯଶୋବନ୍ତ ସିଂହ ଏକାବେଳକେ ସ୍ତମ୍ଭିତ, ନିର୍ବାକ୍–ସୈନିକମାନେ ବିସ୍ମିତ ! ସେମାନଙ୍କ ଉପରେ ସେତେବେଳେ ବଜ୍ରପାତ ହୋଇଥିଲେ ସୁଦ୍ଧା ବୋଧହୁଏ ସେମାନେ ଏତେ ଦୂର ବାଧାପ୍ରାପ୍ତ ହୋଇ ନଥାନ୍ତେ । ଦୁର୍ଗ ମଧ୍ୟରେ ପ୍ରବେଶ କରିବା ପାଇଁ ଯଶୋବନ୍ତ ବିବିଧ ଚେଷ୍ଟାକଲେ, ମହିଷୀଙ୍କୁ ନାନା ଅନୁନୟ ବିନୟ କଲେ, ସମସ୍ତ ବ୍ୟର୍ଥ ହେଲା । ଉପାୟାନ୍ତର ନ ଦେଖି ଶେଷରେ ସେ ଦୁର୍ଗ ବାହାରେ ଥିବା ଗୋଟିଏ ଦେବାଳୟରେ ବିଶ୍ରାମ ନେଲେ । ଯୁଦ୍ଧ-କ୍ଷେତ୍ରରେ ତାଙ୍କ ଶରୀର କ୍ଷତବିକ୍ଷତ ଏବଂ ଚନ୍ଦ୍ରାବତୀଙ୍କ କଟୁ ଭର୍ତ୍ସନାରେ ହୃଦୟ ଯନ୍ତ୍ରଣାପ୍ରାପ୍ତ ହୋଇଥିବାରୁ ତାଙ୍କର ଆଦୌ ଆହାର ଓ ନିଦ୍ରା ହୋଇ ପାରିଲା ନାହିଁ । ସେ ଭୟଙ୍କର ଜ୍ୱରରେ ଆକ୍ରାନ୍ତ ହୋଇ ପଡ଼ିଲେ । ଏହା ଶୁଣି ପତିଗତପ୍ରାଣା ଚନ୍ଦ୍ରାବତୀଙ୍କ ଚତୁର୍ଦ୍ଦିଗ ଶୂନ୍ୟ ଓ ଅନ୍ଧକାର ଦେଖାଗଲା । ପତିଙ୍କ ପ୍ରତି ନିର୍ଦ୍ଦୟ ବ୍ୟବହାର କରିଥିବାରୁ ସେ ନିଜକୁ ଶତ ଧିକ୍କାର କଲେ । ସେ ଦେବମନ୍ଦିରକୁ ଯାଇ ପତିଙ୍କ ପଦତଳେ ପଡ଼ି କ୍ଷମା ଭିକ୍ଷା କଲେ । ଯଶୋବନ୍ତ ଆଶ୍ୱସ୍ତ ହେଲେ ଏବଂ ପ୍ରଶସ୍ତହୃଦୟା ବୀରଙ୍ଗନାଙ୍କୁ ମହିଷୀ ସ୍ୱରୂପ ପାଇଥିବାରୁ ଗର୍ବ ଅନୁଭବ କଲେ, ନିଜକୁ ଭାଗ୍ୟବାନ ଜ୍ଞାନ କଲେ । ଚନ୍ଦ୍ରାବତୀ ସେହି ମନ୍ଦିରରେ ଅଳ୍ପ କେତେକ ଦିନ ରହି ପତିଙ୍କର ସେବା ଶୁଶ୍ରୂଷା କଲେ, ଏବଂ ସେ ସଂପୂର୍ଣ୍ଣ ରୋଗମୁକ୍ତ ହେବା ପରେ ତାଙ୍କ ସହିତ ନିଜ ପ୍ରାସାଦକୁ ଫେରିଲେ । ଚନ୍ଦ୍ରାବତୀଙ୍କର ଅପୂର୍ବ ବୀରତ୍ୱ ଏବଂ ଗଭୀର ପତିଭକ୍ତିର ଜ୍ୱଳନ୍ତ ନିଦର୍ଶନ ପାଇ ସମଗ୍ର ରାଜସ୍ଥାନ ଚକିତ ଓ ମୋହିତ ହୋଇଗଲା, ସେହି ଦିନଠାରୁ ମହିଷୀଙ୍କ ପ୍ରତି ଭକ୍ତି ଓ ସମ୍ମାନ ଦେଖାଇବାକୁ ଲାଗିଲା । ପାଠକମାନେ ଯୋଧପୁର-ମହିଷୀଙ୍କ ବୀରତ୍ୱ ଓ ପତିପରାୟଣତାର ଏକ ବିମଳ ଉଦାହରଣ ପାଇଲେ, ବର୍ତ୍ତମାନ ଏହି ଉପଖ୍ୟାନର ଘଟଣା ପ୍ରତି ପୁଣି ଦୃଷ୍ଟି ଫେରାନ୍ତୁ ।

 

ଯଶୋବନ୍ତ ସିଂହ ଔରଂଜୀବ୍‍ଙ୍କ ଆଦେଶରେ ଯୁବରାଜ ପୃଥ୍ୱୀସିଂହଙ୍କୁ ଯୋଧପୁରର ଶାସନ ଭାର ଦେଇ କାବୁଲ ଯିବାକୁ ପ୍ରସ୍ତୁତ ହେବାବେଳେ ଚନ୍ଦ୍ରାବତୀ ଗର୍ଭବତୀ ଥିଲେହେଁ, କାବୁଲକୁ ସଙ୍ଗେ ଧରି ନେବା ସକାଶେ ପତିଙ୍କୁ ଅନୁରୋଧ କରିଥିଲେ । ଫଳରେ ଯଶୋବନ୍ତ ମହିଷୀଙ୍କ ସହିତ କାବୁଲ ଯିବାକୁ ଯିବାକୁ ବାଧ୍ୟ ହୋଇଥିଲେ । ବର୍ତ୍ତମାନ ପତି-ପୁତ୍ର-ହୀନା ଚନ୍ଦ୍ରାବତୀ ପ୍ରତିମୁହୂର୍ତ୍ତ ବାଳିକା ତୁଲ୍ୟ କ୍ରନ୍ଦନ କରିବାକୁ ଲାଗିଲେ । ଶତ୍ରୁ ହାତରେ ଯେପରି ନିର୍ଯାତନା ସହ୍ୟ ନ କରନ୍ତି, ସେଥିପ୍ରତି ଦୁର୍ଗାଦାସ ଓ ଶିବସିଂହ ବିଶେଷ ସତର୍କତା ଅବଲମ୍ବନ କଲେ । ପରମ ବୁଦ୍ଧିମତୀ ଚତୁରା ଇନ୍ଦିରା ସର୍ବଦା ବହୁ ଚିତ୍ତବିନୋଦନ ଗଳ୍ପ ଓ କାହାଣୀ ଶୁଣାଇ ପତି-ବିଧୁରା ଚନ୍ଦ୍ରାବତୀଙ୍କ ପ୍ରାଣରେ ଆନନ୍ଦ-ଧାରା ଢାଳିବାକୁ ଲାଗିଲେ । ଇନ୍ଦିରା ତାଙ୍କ ଅଗ୍ରଜ ଦୁର୍ଗାଦାସଙ୍କ ତୁଲ୍ୟ ଅତିଶୟ କର୍ମ-କୁଶଳା । ନିଜର ଅପୂର୍ବ ଗୁଣ–ମାଧୁର୍ଯ୍ୟରେ ଚନ୍ଦ୍ରାବତୀଙ୍କ ମନ ହରଣ କରି ତାଙ୍କର ଅନୁରାଗପାତ୍ରୀ, ଜୀବନ-ସହଚରୀ ହୋଇ ପାରିଥିଲେ ।

 

ପାଠକମାନେ ଶୁଣି ସନ୍ତୁଷ୍ଟ ହେବେ, ଯଶୋବନ୍ତ ସିଂହଙ୍କ ମୃତ୍ୟୁର ତୃତୀୟ ଦିନ ସକାଳ ବେଳେ ଚନ୍ଦ୍ରାବତୀ ଗୋଟିଏ ସୁନ୍ଦର ପୁତ୍ର ପ୍ରସବ କଲେ । ଏହି ଶୁଭ ଘଟନାରେ ତାଙ୍କର ବନ୍ଧୁବାନ୍ଧବ, ଆତ୍ମୀୟସ୍ୱଜନ, ଚାକର ଅନୁଚର ପ୍ରଭୃତିଙ୍କ ହୃଦୟରେ ଯେଉଁ ସନ୍ତୋଷ-ଲହରୀ ଖେଳିଗଲା, ତାହା ବର୍ଣ୍ଣନ କରିବାକୁ ଲେଖନୀର ଶକ୍ତି ନାହିଁ । ବାସ୍ତବିକ ସମସ୍ତେ ଯଶୋବନ୍ତଙ୍କ ମରଣ-ଶୋକ ଏକାବେଳକେ ପଛରେ ପକାଇ ଦେଇ ଆଶ୍ୱସ୍ତ ହୋଇଗଲେ । ନବଜାତ ସନ୍ତାନର ନାମ ରଖାଗଲା, ଅଜିତ୍‍ସିଂହ । ଯଶୋବନ୍ତଙ୍କ ମରଣ–ଶୋକ ଏକାବେଳକେ ପଛରେ ପକାଇ ଦେଇ ଆଶ୍ୱସ୍ତ ହୋଇଗଲେ । ନବଜାତ ସନ୍ତାନର ନାମ ରଖାଗଲା, ଅଜିତ୍‍ସିଂହ । ଯଶୋବନ୍ତଙ୍କ ତିରୋଧାନ ସଙ୍ଗେ ସଙ୍ଗେ ଅଜିତ୍‍ଙ୍କ ଆବିର୍ଭାବ ହେବା କଥା ଶୁଣିବା ମାତ୍ରେ ପାପାତ୍ମା ଔରଂଜୀବ୍ ପୁଣି କି ଷଡ଼ଯନ୍ତ୍ର କରିବ, ପୁଣି କି ଉତ୍ପାତ-ଜାଲ ବଢ଼ି ବସିବ–ଏହି ଚିନ୍ତାରେ ଦୁର୍ଗାଦାସ ମ୍ରିୟମାଣ ହୋଇ ପଡ଼ିଲେ । କିନ୍ତୁ ଯୋଧପୁର ବଂଶ ରକ୍ଷା ସକାଶେ କୃତସଂକଳ୍ପ ହୋଇଥିବାରୁ ନରପିଶାଚ ବାଦ୍‍ଶାହାଙ୍କ ବାହୁବଳ, ଅତ୍ୟାଚାର ଓ ଷଡ଼ଯନ୍ତ୍ର ପ୍ରତି ବୀର ଦୁର୍ଗାଦାସଙ୍କ ମନରେ ଭୟ ତିଳେମାତ୍ର ସ୍ଥାନ ପାଇଲା ନାହିଁ । ସେହି ସମୟର ରାଜପୁତ୍‍ ଯୋଦ୍ଧାମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ଦୁର୍ଗାଦାସ । ସଦ୍‍ଗୁଣସଂପନ୍ନା ବୀରବାଳା ଇନ୍ଦିରା ତାଙ୍କର ସୁଯୋଗ୍ୟ ଭଗିନୀ ! ସାହସ ଓ ଚାତୁର୍ଯ୍ୟରେ ଇନ୍ଦିରାଙ୍କ ସମକକ୍ଷ କୌଣସି ସ୍ତ୍ରୀ କିମ୍ବା ପୁରୁଷ ସେତେବେଳେ ଦେଖା ଯାଉ ନଥିଲେ-। ପାଠକ ପାଠିକାମାନେ ପରବର୍ତ୍ତୀ କେତେ ଗୋଟି ଦୁର୍ଗାଦାସ, ଶିବସିଂହ ଓ ଇନ୍ଦିରାଙ୍କ ଅଦ୍ଭୁତ ବୀରତ୍ୱ, ସତ୍କାର୍ଯ୍ୟକଳାପ ଓ ବହୁଦର୍ଶିତାର ସ୍ପଷ୍ଟ ପରିଚୟ ପାଇବେ ।

 

ଏ ତିନିଜଣ ସ୍ଥିରକଲେ, ପ୍ରଚଳିତ ପ୍ରସବ-ବିଧାନର ଦ୍ୱାଦଶଦିନ ପରେ ଚନ୍ଦ୍ରାବତୀ ଓ ଶିଶୁ ଅଜିତ୍‍ସିଂହଙ୍କୁ ନେଇ ଯୋଧପୁରରେ ଛାଡ଼ିଦେବେ । ଦିନେ ମଧ୍ୟାହ୍ନ ସମୟରେ ଜଣେ ମୁସଲମାନ ସୈନିକ ଦୁର୍ଗାଦାସଙ୍କ ଶିବିର ଦ୍ୱାରରେ ପ୍ରବିଷ୍ଟ ହୋଇ ଉଦ୍ଧତ ସ୍ୱରରେ ପଚାରିଲା–‘ଦୁର୍ଗାଦାସ କିଏ ? ବର୍ତ୍ତମାନ ସେ କେଉଁଠାରେ ?’ ଏହି ପ୍ରଶ୍ନ ଦୁର୍ଗାଦାସଙ୍କ କାନରେ ପଡ଼ିବା ମାତ୍ରେ ସେ ଶିବିର-ଦ୍ୱାରକୁ ଧାଇଁଗଲେ । ତାଙ୍କର ପରିଚୟ ପାଇ ସୈନିକ ତାଙ୍କ ହାତରେ ପତ୍ରଟିଏ ଦେଲା । ସେ ତତକ୍ଷଣାତ୍ ପତ୍ର ଫିଟାଇ ଉତ୍କଣ୍ଠା ସହିତ ପାଠକରି ଦେଖିଲେ, ତାହା ଔରଂଜୀବ୍‍ଙ୍କ ନିକଟରୁ ଆସିଅଛି । ତହିଁରେ ଲେଖାଥିଲା :–

 

ସେନାପତେ,

 

ପୁତ୍ର-ଶୋକ-ଜ୍ୱଳା ସହ୍ୟ କରି ନପାରି ଯଶୋବନ୍ତସିଂହ ସୁଦୂର କାବୁଲରେ ଇହଲୋକ ତ୍ୟାଗ କରିବା ସମ୍ବାଦ ପାଇବା ମୁହୂର୍ତ୍ତଠାରୁ ମୋ ମନରେ ସୁଖ ଶାନ୍ତି ନାହିଁ । ପତି-ବିରହ-କାତରା ଚନ୍ଦ୍ରାବତୀଙ୍କ ସାହାଯ୍ୟ ସକାଶେ ମୁଁ ବର୍ତ୍ତମାନ ସେନାପତି ନୟନପାଳଙ୍କୁ ସସୈନ୍ୟେ ପଠାଇଛି । ସେହି ବିଷାଦମୟ ଘଟଣା ଏକାବେଳକେ ଭୁଲି ଯାଇ ତୁମେ ଚନ୍ଦ୍ରାବତୀଙ୍କୁ ସଙ୍ଗେ ଧରି ନୟନପାଳ ସହିତ ଅତି ଶୀଘ୍ର ଏଠାକୁ ଆସି ମୋ ସହିତ ସାକ୍ଷାତ କରିବ ।

 

ଔରଂଜୀବ୍‍

 

ପତ୍ରପାଠ କରିବାକ୍ଷଣି ଦୁର୍ଗାଦାସ ନିତାନ୍ତ ବିଚଳିତ ଓ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ପତ୍ର-ବାହକକୁ ବିଦାୟ ଦେବା ପରେ ସେ ଶିବସିଂହଙ୍କ ନିକଟକୁ ଯାଇ ତାଙ୍କ ସହିତ କିଛି ଦୂର ଭ୍ରମଣ କରିଗଲେ । ମାର୍ଗରେ ସେ ଶିବସିଂହଙ୍କୁ ବିରକ୍ତି-କମ୍ପିତ କଣ୍ଠରେ କହିଲେ,–‘ଔରଂଜୀବ୍‍ ଭଳି କ୍ରୂର କୃତଘ୍ନ ଲୋକଙ୍କୁ ଜନ୍ମ ଦେଇ ଈଶ୍ୱର କି ସୁଖ ଲାଭ କରୁଛନ୍ତି, କିଛି ବୁଝିପାରୁ ନାହିଁ । ରାକ୍ଷସର ବୀଭତ୍ସ ରସନା ଆହୁରି ତୃପ୍ତି ପାଇନାହିଁ । ବିଶ୍ୱସ୍ତ ଯଶୋବନ୍ତ ସିଂହଙ୍କ ସାହାଯ୍ୟରେ ତାହାର ଏତେ ଉନ୍ନତି-ତଥାପି ତାଙ୍କ ସନ୍ତାନ ବିରୁଦ୍ଧରେ ହିଁ ପାଷାଣ୍ଡର ପୁଣି କି ଷଡ଼ଯନ୍ତ୍ର, କି ଭୟଙ୍କର କଳ୍ପନା !’

 

‘ଏଥିରେ ଆଶ୍ଚର୍ଯ୍ୟ ହେବାର ବିଷୟ ଅଛି କଣ, ସେନାପତି? ଦୁଗ୍ଧ ସାହାଯ୍ୟରେ ଅଙ୍ଗାରର ଘନକୃଷ୍ଣ ପ୍ରକୃତି ଦୂର ହେବାର କେବେ କେଉଁଠାରେ ଦେଖା ଯାଇଛି ? ରାକ୍ଷସ କେବେ ଦେବତାରେ ପରିଣତ ହୁଏ ? ପିଶାଚ ଚିରଦିନ ସେହି ପିଶାଚ ହିଁ ରହେ ସିନା । ପିତୃଦ୍ୱେଷୀ, ଭ୍ରାତୃଘାତକ ପକ୍ଷରେ ଏହି କୁତ୍ସିତ କଳ୍ପନା, ପୈଶାଚିକ ପ୍ରୟାସ ଅସମ୍ଭବ ବା ବିଚିତ୍ର ନୁହେଁ ।’

 

କଥାବାର୍ତ୍ତା କରୁ କରୁ କେତେକ ଦୂର ଯିବା ପରେ ଦୁହେଁ ଦେଖିଲେ, ଗୋଟିଏ ସୈନ୍ୟକଦଳ ସେମାନଙ୍କ ଶିବିର ପ୍ରତି ଅଗ୍ରସର ହେଉଛନ୍ତି । ଉପସ୍ଥିତ କ୍ଷେତ୍ରରେ କଣ କରାଯିବା ଉଚିତ ଦୁହେଁ ଭାବି କିଛି ସ୍ଥିରକରି ନ ପାରି ବ୍ୟସ୍ତ ହେଉଛନ୍ତି, ଏହି ସମୟରେ ସୁଦୀର୍ଘ ଅଙ୍ଗରଖା ପରିହିତ ଉଚ୍ଚ ଉଷ୍ଣୀଷଧାରୀ ଦୀର୍ଘକାୟ ଖଡ୍‍ଗହସ୍ତ ଜଣେ ସୈନିକ ସେହି ଦଳ ମଧ୍ୟରୁ ବାହାରି ଦୁର୍ଗାଦାସ ଓ ଶିବସିଂହଙ୍କ ସମ୍ମୁଖରେ ଯାଇ ଠିଆ । ତାହାକୁ ଦେଖିବା ମାତ୍ରେ ଦୁର୍ଗାଦାସ କିଞ୍ଚିତ୍ ବିସ୍ମୟ-ବ୍ୟଞ୍ଜକ ମୁଖରେ ପଚାରିଲେ–‘ଓହୋ, ନୟନପାଳ ! କେଉଁଠାକୁ ?’

 

‘ତୁମମାନଙ୍କ ସକାଶେହିଁ ଏଠାକୁ । ବାଦ୍‍ଶାହାଙ୍କ ଆଦେଶ ଅନାଥିନୀ ଚନ୍ଦ୍ରାବତୀଙ୍କୁ ସଙ୍ଗେ ନେଇ ଦିଲ୍ଲୀରେ ଛାଡ଼ିବାକୁ ହେବ । ଯାତ୍ରାବେଳେ ତାହାଙ୍କୁ ଶତ୍ରୁର ଉପଦ୍ରବରୁ ରକ୍ଷା କରିବା ଏ ସେନାଦଳ ପ୍ରେରଣର ଉଦ୍ଦେଶ୍ୟ । ଚନ୍ଦ୍ରାବତୀ ଏବେ କେଉଁଠାରେ ? ଚଞ୍ଚଳ ଯାତ୍ରାର ଯୋଗାଡ଼ କର ।’

 

ଦୁର୍ଗାଦାସ ଚମକି ଉଠିଲେ–ତାଙ୍କ ହୃଦୟରେ ଶଲ୍ୟବିଦ୍ଧ ହେଲା । ଭାବିଲେ, ଦୁରାତ୍ମା ନୟନପାଳ ଚନ୍ଦ୍ରାବତୀଙ୍କୁ ନ ନେଇ କଦାପି ଦିଲ୍ଲୀ ଫେରିବ ନାହିଁ । ତାଙ୍କ ହୃଦୟରେ ବିଷାଦର ଗୋଟିଏ ବିକଟ ବନ୍ୟା ବହିଗଲା । କିଛିକ୍ଷଣ ନୀରବ ରହି ଚନ୍ଦ୍ରାବତୀଙ୍କ ଉଦ୍ଧାର-ଉପାୟ ଚିନ୍ତାକଲେ-। ଶେଷରେ ସ୍ଥିର କଲେ, ଯେ କୌଣସି ଉପାୟରେ ନୟନପାଳଙ୍କୁ ପ୍ରତାରିତ କରି ପ୍ରଭୁପତ୍ନୀଙ୍କୁ ରକ୍ଷାକରିବେ । ମନର ଦୁଃଖ ମନରେ ହିଁ ଲୁଚାଇ ରଖି ନୟନପାଳଙ୍କୁ କହିଲେ–ଏହାଠାରୁ ବଳି ଆଉ ଅଧିକ ଉପକାର କଣ ହୋଇପାରେ ? ସମ୍ରାଟଙ୍କଠାରୁ ଏପରି ବ୍ୟବହାର ଆଶା କରିବା ସ୍ୱାଭାବିକ ସିନା ! ଭାରତପତିଙ୍କ କୃପାଦୃଷ୍ଟି ପଡ଼ିଥିବା ସ୍ଥଳେ, ଚନ୍ଦ୍ରାବତୀଙ୍କ ଜୀବନରେ ବିଘ୍ନବିପଦ ବା କଣ ଘଟିପାରେ ? କିନ୍ତୁ ଦୁଃଖର କଥା, ଚନ୍ଦ୍ରାବତୀ ଏହିକ୍ଷଣି ଦିଲ୍ଲୀ ଯାଇ ପାରିବେ ନାହିଁ । ତାଙ୍କ ଦୁଃଖର କଥା, ଚନ୍ଦ୍ରାବତୀ ଏହିକ୍ଷଣି ଦିଲ୍ଲୀ ଯାଇ ପାରିବେ ନାହିଁ । ତାଙ୍କ ସ୍ୱର୍ଗତ ସ୍ୱାମୀଙ୍କ ଅନ୍ତ୍ୟେଷ୍ଟି-କ୍ରିୟା ଶେଷ ନ ହେବା ଯାଏ, ଏହି ସ୍ଥାନ ଛାଡ଼ିବାର କଥା ନୁହେଁ । ଏହି ସାମାଜିକ ପ୍ରଥା ତୁମେ ତ ଭଲ ଜାଣ, ଅଧିକ କହିବି କଣ ? ଆଉ ଗୋଟିଏ କଥା । ଦୁଇଦିନ ହେଲା ଚନ୍ଦ୍ରାବତୀଙ୍କର ଗୋଟିଏ ସନ୍ତାନ ଜନ୍ମ ହୋଇଛି । ବର୍ତ୍ତମାନ ସେ ଦୁର୍ବଳ, ଏଣୁ କିଛିଦିନ ପରେ ତାଙ୍କୁ ଦିଲ୍ଲୀ ନେବାର ଆୟୋଜନ କରିବ ବୋଲି ମୋର ଅନୁରୋଧ ।’

ଏହା ଶୁଣି ନୟନପାଳଙ୍କ ଆନନ୍ଦର ସୀମା ରହିଲା ନାହିଁ । ସେ ଭାବି ଆଶ୍ୱସ୍ତ ହେଲେ, ଦୁର୍ଗାଦାସ ବର୍ତ୍ତମାନ ତାଙ୍କ ଛଳନା-ଜାଲରେ ଆବଦ୍ଧ । କହିଲେ, ଚନ୍ଦ୍ରାବତୀଙ୍କୁ ସୁଖ ସୁବିଧାରେ ଦିଲ୍ଲୀକୁ ନେବାପାଇଁ ବାଦ୍‍ଶାହାଙ୍କ ଆଦେଶ ହୋଇଥିବାରୁ, ଅନ୍ତ୍ୟେଷ୍ଟି ବିଧାନ ଶେଷ ହେବା ପର୍ଯ୍ୟନ୍ତ ଏବଂ ଚନ୍ଦ୍ରାବତୀ ପ୍ରସବ-ପୀଡ଼ାରୁ ସଂପୂର୍ଣ୍ଣ ମୁକ୍ତ ହେବାଯାଏ ସେ ସଦଳବଳ ସେଠାରେ ରହିବେ । ପରେ ନୟନପାଳ ଓ ତାଙ୍କ ଦଳପାଇଁ ଚନ୍ଦ୍ରାବତୀଙ୍କ ଶିବିର ନିକଟରେ ଗୋଟିଏ ଛାଉଣି ସ୍ଥାପିତ ହେଲା । ତାଙ୍କ ଆଦେଶରେ ତାଙ୍କ ସୈନିକମାନେ ପ୍ରହରୀରୂପେ ଚନ୍ଦ୍ରାବତୀଙ୍କ ଶିବିରର ଯତ୍ନ ନେବାକୁ ଲାଗିଲେ । ଦୁର୍ଗାଦାସ ଭାବି ସୁଖୀ ହେଲେ, ସେ କପଟ ବାକ୍ୟରେ ନୟନପାଳଙ୍କ ଚକ୍ଷୁରେ ଧୂଳି ପକାଇଛନ୍ତି । ଯୋଧପୁର ରକ୍ଷା ସମ୍ବନ୍ଧରେ ଆଶା ଓ ଆଶଙ୍କା, ଉତ୍ସାହ ଓ ସନ୍ଦେହ ତାଙ୍କ ହୃଦୟ ଅଧିକାର କରିନେଲା । ନୟନପାଳ ନିଜ ସୈନିକମାନଙ୍କୁ ଆଦେଶ ଦେଲେ, ଦୁର୍ଗାଦାସ ଓ ଇନ୍ଦିରା ଭିନ୍ନ ଅନ୍ୟ କେହି ଚନ୍ଦ୍ରାବତୀଙ୍କ ଛାଉଣି ମଧ୍ୟରେ ଯେପରି ପ୍ରବେଶ କରି ନ ପାରନ୍ତି ।

ସମୟୋଚିତ କଳ୍ପନା ଓ ମନ୍ତ୍ରଣାବଳରେ ବିପଦରୁ ଉଦ୍ଧାର ପାଇବା ଇନ୍ଦିରା ବେଶ୍‍ ଜାଣିଥିଲେ । ଏଣୁ ଚନ୍ଦ୍ରାବତୀ ଓ ଅଜିତ୍‍ ସିଂହଙ୍କ ଉଦ୍ଧାର ସମ୍ବନ୍ଧରେ ପରାମର୍ଶ ଲୋଡ଼ିବା ନିମନ୍ତେ ଦୁର୍ଗାଦାସ ସେଦିନ ରାତି ଇନ୍ଦିରାଙ୍କଠାକୁ ଯାଇ କହିଲେ,–‘ମା, ଇନ୍ଦିରା ! ଦୁଷ୍ଟ ନୟନପାଳ ଆମମାନଙ୍କୁ ଠକିବା ଉଦ୍ଦେଶ୍ୟରେ ଏଠାକୁ ଆସିଛି । ସେ ସାମାନ୍ୟ ଲୋକ ନୁହେ–ଷଡ଼ଯନ୍ତ୍ର ରଚନାରେ ତାହାର ସମକକ୍ଷ ଆଉ କେହି ନାହିଁ । ଯୋଧପୁର ବଂଶୋଦ୍ଧାରର ଉପଯୁକ୍ତ ଉପାୟ ଆଲୋଚନା କର । ମୋ ବୁଦ୍ଧି ଓ ଚତୁରତା ପ୍ରଭୁଙ୍କ ସଙ୍ଗେ ଚାଲି ଯାଇଛି ।’

‘ଆମର ସୈନ୍ୟବଳ ନାହିଁ–ନୟନପାଳକୁ ଯୁଦ୍ଧରେ ଜିଣିବା କଠିନ । ଯୁଦ୍ଧର ଯୋଗାଡ଼ କଲେ ବିପଦ ଘଟିପାରେ । ଉପସ୍ଥିତ କ୍ଷେତ୍ରରେ ପ୍ରତାରଣାହିଁ ଏକମାତ୍ର ଅମୋଘ ଅସ୍ତ୍ର ।’

ଦୁର୍ଗାଦାସ କିଛିକାଳ ନୀରବ ରହି ଇନ୍ଦିରାଙ୍କ କର୍ଣ୍ଣରେ ଅତି ଧୀର ସ୍ୱରରେ କେତେକ ବିଷୟ କହିଲେ । ତାଙ୍କ ପ୍ରସ୍ତାବରେ ଇନ୍ଦିରାଙ୍କର ମନ ମାନିଗଲା; ତାଙ୍କ ମୁଖରୁ ଆନନ୍ଦର ଗୋଟିଏ ଦୀପ୍ତରେଖା ନିଃସୃତ ହେଲା । ସେ ହୃଷ୍ଟ ଚିତ୍ତରେ କହିଲେ,–‘ମୋ ଦେହରେ ପ୍ରାଣ ଥିବାଯାଏ ସ୍ୱର୍ଗତ ପ୍ରଭୁଙ୍କ ପ୍ରତି ବରାବର କୃତଜ୍ଞତା ଦେଖାଇବି । ପ୍ରାଣ ଯିବ ପଛକେ, ଅନାଥା ଚନ୍ଦ୍ରାବତୀ ଓ ଅଜିତ୍‍ଙ୍କ ଉଦ୍ଧାରରେ କଦାପି ଅବହେଳା କରିବି ନାହିଁ । ଜୀବନ ତ ନିତ୍ୟ ନୁହେ ! ବାଧାବିଘ୍ନ ଅଳ୍ପକାଳ ପାଇଁ ସିନା । ଆମମାନଙ୍କୁ ଏହି କାମ ଦୁଇ ତିନି ଦିନ ମଧ୍ୟରେ କରିବାକୁ ହେବ । କଥାଟା କିନ୍ତୁ ଅତି ଗୁପ୍ତ ରଖିବା ଦରକାର ।’

 

ଦୁର୍ଗାଦାସ ଆନନ୍ଦିତ ଓ ଆଶାନ୍ୱିତ । ସେ ଇନ୍ଦିରାଙ୍କ ଚମତ୍କାର ବୁଦ୍ଧିର ଅଶେଷ ପ୍ରଶଂସା କଲେ । ସେତେବେଳେ ଅଧିକ ରାତ୍ରି ହୋଇ ଯାଇଥିଲା; ଏଣୁ ଦୁହେଁ ନିଜ ନିଜ ନିର୍ଦ୍ଦିଷ୍ଟ କକ୍ଷରେ ଯାଇ ଶୟନ କଲେ ।

 

ପରଦିନ ପ୍ରତ୍ୟୁଷରେ ଇନ୍ଦିରା ଚନ୍ଦ୍ରାବତୀଙ୍କୁ ପୂର୍ବ ରାତ୍ରିର ସକଳ ମନ୍ତ୍ରଣା ଗୁପ୍ତ ଭାବରେ ଜଣାଇଲେ । ଚନ୍ଦ୍ରାବତୀ ବିଷର୍ଣ୍ଣ ମୁଖରେ କିଛି ସମୟ ଚିନ୍ତା କରି ପରେ କହିଲେ,–‘ଦେଖୁଛି ଇନ୍ଦିରା, ଏବେ ମୋ ଜୀବନର କିଛି ମୂଲ୍ୟ ନାହିଁ, ପ୍ରୟୋଜନ ନାହିଁ । ଏଣୁ ଆତ୍ମହତ୍ୟା କରିବାକୁ ସିଦ୍ଧ ହୋଇଅଛି । କାୟା ଯେତେବେଳେ ଚାଲି ଯାଇଛି, ଛାୟା ବା ରହିବ କିପରି ? ଯାହାହେଉ ମୋ ପାଇଁ ଚିନ୍ତିତ ହେବ ନାହିଁ । ଅଜିତ୍‍ର ମା ତୁମେ–ମୁଁ ନୁହେଁ । ତାହାର ଭବିଷ୍ୟତ୍‍ ତୁମରି ହାତରେ ।’

 

ଇନ୍ଦିରାଙ୍କ ଚକ୍ଷୁ ଲୋତକପୂର୍ଣ୍ଣ । ସେ ଚନ୍ଦ୍ରାବତୀଙ୍କ ଭୀଷଣ ସିଦ୍ଧାନ୍ତରେ ବାଧା ଦେବାକୁ ଚେଷ୍ଟା କଲେ, କିନ୍ତୁ ତାହା ବାଧା ମାନିଲା ନାହିଁ । ଚନ୍ଦ୍ରାବତୀଙ୍କର ମନ ପ୍ରାଣ ଯେ ଯଶୋବନ୍ତଙ୍କ ନିକଟରେ ! ଦୁର୍ଗାଦାସ ଓ ଇନ୍ଦିରାଙ୍କ ମନ୍ତ୍ରଣାରେ ଚନ୍ଦ୍ରାବତୀ ଆଦୌ ସମ୍ମତ ହେଲେ ନାହିଁ । ଦୁର୍ଗାଦାସ ହତବୁଦ୍ଧି ହୋଇ ବସିଲେ । କିନ୍ତୁ ଇନ୍ଦିରା ତ ସହଜରେ ଛାଡ଼ିବାର ପାତ୍ରୀ ନୁହନ୍ତି । ସେ ପୁଣି ଦୃଢ଼ଭାବରେ ମହିଷୀଙ୍କୁ ଉତ୍ତେଜିତ ଓ ଉତ୍ସାହିତ କଲେ । କହିଲେ,–‘ପ୍ରଭୁଙ୍କ ଶେଷ ବାକ୍ୟ ଏତେ ଶୀଘ୍ର ଭୁଲିଗଲ ମା ? ଅଜିତ୍‍ର ରକ୍ଷା ନିମିତ୍ତ ହିଁ ଏହି ସମସ୍ତ ମନ୍ତ୍ରଣା, ସମସ୍ତ କଳ୍ପନା, ସମସ୍ତ ଭାବନା । ଏଣୁ ତୁମକୁ ଏଥିପ୍ରତି ଦୃଷ୍ଟି ଦେବାକୁ ହେବ, ନୋହିଲେ ଶେଷରେ ତୁମର ନିନ୍ଦା ମାତ୍ର ସାର ହେବ । ପ୍ରାଣର ଯଦି ଆଶା ନାହିଁ, ମମତା ନାହିଁ–ଉଠ, ବୀର ଦର୍ପରେ ଜାଗି ଉଠ, ମୁଖରେ ବୀର-ରମଣୀର ଜ୍ୟୋତି ଫୁଟାଇ ଉଠ-ମୋଗଲ ସଙ୍ଗେ ଯୁଦ୍ଧ କରି ଜୀବନ ବଳି ଦେବା । ଏହା ଏକା କ୍ଷତ୍ରିୟ-ଧର୍ମ, ବୀରତ୍ୱ !’

 

ଚନ୍ଦ୍ରାବତୀ ସ୍ତମ୍ଭିତ ! କିଛି କ୍ଷଣପରେ କହିଲେ–‘ହେଉ ଇନ୍ଦିରା, ଅଜିତ୍‍ ଲାଗି ପ୍ରାଣକୁ ପଥର କରୁଛି, ତୁମ କଥାରେ ସମ୍ମତ ଦେବାକୁ ବାଧ୍ୟ ହେଉଛି ।’

 

ଇନ୍ଦିରାଙ୍କ ଚେଷ୍ଟା ସଫଳ ହେଲା । ସେ ସହାସ୍ୟମୁଖରେ ଚନ୍ଦ୍ରାବତୀଙ୍କଠାରୁ ବିଦାୟ ନେଇ ଦୁର୍ଗାଦାସଙ୍କ ନିକଟକୁ ଗଲେ ଏବଂ ତାହାଙ୍କୁ ଚନ୍ଦ୍ରାବତୀଙ୍କର ସମ୍ମତି ଜଣାଇଲେ । ଦୁର୍ଗାଦାସ ଆଶ୍ୱସ୍ତ !

 

ଏଣେ ଦୁର୍ଗାଦାସ ଓ ନୟନପାଳଙ୍କର ପରସ୍ପର ସ୍ନେହ ବୃଦ୍ଧି ପାଇବାକୁ ଲାଗିଲା । ଦୁହେଁ ପରସ୍ପର ନିକଟରୁ ଏକକ୍ଷଣ ସୁଦ୍ଧା ଭିନ୍ନ ହେଉ ନଥିଲା । ଚନ୍ଦ୍ରାବତୀଙ୍କ ଶିବିରରେ ଇନ୍ଦିରାଙ୍କ ପ୍ରବେଶ ତ ନିଷିଦ୍ଧ ନଥିଲା । ସେ ଦିନ ମଧ୍ୟରେ ଅନେକଥର ଚନ୍ଦ୍ରାବତୀଙ୍କ ନିକଟକୁ ଯାଇ କଥାବାର୍ତ୍ତା କରୁଥିଲେ । ଶିବିର ମଧ୍ୟକୁ ଯିବା ସମୟରେ ସେ ଅବଗୁଣ୍ଠନବତୀ ରହୁଥିବାରୁ, ନୟନପାଳ କିମ୍ବା ତାଙ୍କର କୌଣସି ଅନୁଚର ଇନ୍ଦିରାଙ୍କ ମୁଖ ଦେଖିବାର ସୁବିଧା ପାଇ ପାରିଲେ ନାହିଁ ।

Image

 

ଷଷ୍ଠ ପରିଚ୍ଛେଦ

(‘ଅଭାଗିନୀ ଚନ୍ଦ୍ରାବତୀଙ୍କ ଶେଷ ସମ୍ବଳ ନଷ୍ଟ ।’)

 

ଚନ୍ଦ୍ରାବତୀ ଓ ଇନ୍ଦିରାଙ୍କ ଶିବିର ସମୀପରେ ଖଣ୍ଡିଏ କ୍ଷୁଦ୍ର ଗଉଡ଼ପଲ୍ଲୀ । ସେଠାର ଘର ସବୁ ତାଳପତ୍ର ଓ ଛଣରେ ତିଆରି । ପ୍ରତ୍ୟେକ ଗୃହରେ ଗୋଟିଏ ଗୋଶାଳା । ଏହି ଗ୍ରାମର ଗଉଡ଼ମାନେ ପାଖାପାଖି ଚାରି ପାଞ୍ଚ ପଲ୍ଲୀର ଲୋକମାନଙ୍କୁ ଦୁଧ, ଦହି, ଘିଅ, ଛେନା ଇତ୍ୟାଦି ଯୋଗାଉଥିଲେ । ଆକବର ଓ ମାନସିଂହ ଚାଳିଶ ସହସ୍ର ସୈନ୍ୟ ସଙ୍ଗେ ଧରି କାବୁଲ ପ୍ରତି ଯୁଦ୍ଧ ଯାତ୍ରା କରିବାବେଳେ, ସେମାନଙ୍କ ସେନାର କେତେ ଜଣ ହିନ୍ଦୁ ସୈନିକ ଏହି ସମସ୍ତ ପଲ୍ଲୀରେ ସପରିବାର ବସତି ସ୍ଥାପନ କରିଥିଲେ, ଏବଂ ଏଠାର ପଠାଣ ଅଧିବାସୀମାନଙ୍କ ସଂସର୍ଗରେ ବହୁକାଳ ରହି ଇସଲାମଧର୍ମ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ । ତଥାପି ସେମାନେ ହିନ୍ଦୁ ଅତିଥିର ଯଥୋଚିତ ଆଦର ଅଭ୍ୟର୍ଥନ କରିବା ଭୁଲି ଯାଇ ନଥିଲେ । ସେମାନଙ୍କର ବଂଶଧର ମାନେ ଏହି ଉପନ୍ୟାସର ଘଟନାବେଳେ ଉପରୋକ୍ତ ଗଉଡ଼ ପଲ୍ଲୀରେ ବାସ କରୁଥିଲେ ।

 

ଦିନେ ସକାଳବେଳେ ପ୍ରଭୁଭକ୍ତ ଦୁର୍ଗାଦାସ ତାଙ୍କ ପ୍ରଭୁ-ପତ୍ନୀଙ୍କ ଉଦ୍ଧାର-ଚିନ୍ତାରେ ନିମଗ୍ନ, ନୟନପାଳ ଚନ୍ଦ୍ରାବତୀଙ୍କୁ ଦିଲ୍ଲୀକୁ ଧରି ଯିବାପାଇଁ ଉତ୍କଣ୍ଠିତ, ତାଙ୍କ ସୈନିକମାନେ ନିଜନିଜ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ରତ ଏବଂ ସେମାନଙ୍କ ମଧ୍ୟରୁ ଦୁଇଜଣ ମାତ୍ର ଚନ୍ଦ୍ରାବତୀଙ୍କ ଶିବିର ଦ୍ଵାରରେ ପ୍ରହରୀ କାମରେ ନିଯୁକ୍ତି, ଏହି ସମୟରେ ଜଣେ ଗୋପଯୁବତୀ ପୂର୍ବୋକ୍ତ ପଲ୍ଲୀରୁ ବାହାରି ଚନ୍ଦ୍ରାବତୀଙ୍କ ଶିବିର ଅଭିମୁଖରେ ଧୀରେ ଧୀରେ ଅଗ୍ରସର ହେଲା । ତାହାର ମୁଣ୍ଡରେ ବଡ଼ ଗୋଟିଏ ଟୋକାଇ, ତହିଁ ମଧ୍ୟରେ କେତେଗୋଟି ଧଳା ତୁଳସୀ । ଯୁବତୀକୁ ଦେଖିବାମାତ୍ରେ ଶିବରଦ୍ଵାରର ପ୍ରହରୀ ଦୁହିଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣକୁ ହସି ହସି କହିଲା–ଭାଇ, ଅପ୍‍ଛରାଟିଏ ରେ ! ଆରେ ବାଃ ! ଚାଲୁଛି ଢଳି ଢଳି, ରାଜାଙ୍କ ହାତୀ ଭଳି । ସାବାସରେ ଟୋକୀ ।

 

‘ଭାଇ, ଯୋ ଗଉଡ଼ୁଣୀ ବୁଢ଼ୀଟା ପ୍ରତି ଦିନ ଇଠିକୁ ଦୁଧ ଦେବାକୁ ଆସୁଛି, ତା’ ର ନୂଆ ବୋଉ ପରି ଦିଶୁଚି ରେ ଏଇଟା ! ବାଃ ବାଃ ଆସୁଛି କେଡ଼େ ରଙ୍ଗେ, ନାହିଁତ କେହି ସଙ୍ଗେ । ଭାରି ମଉଜ !’

 

‘ଭାଇ, ଗଉଡ଼ୁଣୀ ହେଲେ କଣ ହେଲାକି, ଗୋଟିଏ ଚାଉଳରେ ଗଢ଼ା । ଦେହର ଚମ୍ପା ବରଣଟା ମଳିଆ ଲୁଗାଭିତରୁ ମଧ୍ୟ ଫୁଟି ବାହାରୁଛି । ଦେହର କି ଢଙ୍ଗ, ମୁହଁ ର କି ଛଟା ! ବାଃ ବାଃ ।’

 

ଯୁବତୀ ଦୁହିଙ୍କ ଦୃଷ୍ଟିପଥରୁ ଅଦୃଶ୍ୟ ହେବାଯାଏ ସେମାନେ ତାହା ପ୍ରତି ଏକ ଧ୍ୟାନରେ ଚାହିଁ ରହିଲେ, ଏବଂ ପରସ୍ପର ମଧ୍ୟରେ କେତେକ ଗୁପ୍ତ କଥାବାର୍ତ୍ତା କଲେ । ଯୁବତୀ ଚନ୍ଦ୍ରାବତୀଙ୍କ ଶିବିର ମଧ୍ୟରେ ପ୍ରବେଶ କଲା । ତହିଁ ମଧ୍ୟରେ ଗଉଡ଼ୁଣୀର ପ୍ରବେଶ ନିଷେଦ୍ଧ ନ ଥିବାର ଜାଣି କେହି ତାହାର ଗତିରେ ବାଧା ଦେଲେ ନାହିଁ । ସେ ଶିବିର ମଧ୍ୟକୁ ଯିବାର ଅଳ୍ପକ୍ଷଣ ପରେ, ସେଥି ମଧ୍ୟରେ କେହି ଜଣେ ଯୁବତୀକୁ ଭର୍ତ୍ସନା କରି କର୍କଶ ସ୍ଵରରେ କହିଲା,–‘କେଡ଼େ ଗର୍ବ ଲୋ ତୋର, ମଶାଣିଚଣ୍ଡୀ । ଶେଯରୁ ଏବେ ଉଠିଲୁ ପରା ? ମୁଣ୍ଡ ଉପରକୁ ଖରା ଆସିଲାଣି ଏତେବେଳ ଯାଏ ପିଲା ପବନ ଖାଇ ରହିବ ବୋଲି ଜାଣିଥିଲୁ ? ତତେ କାଲି ପରା କାନେ କାନେ କହିଥିଲି–ମହାରାଣୀ ମରିଯିବାର ଏଗାର ଦିନ ଆଜି, ସଅଳ ମାମୁଲି କ୍ଷୀରଠାରୁ ବେଶି ଆଣିବୁ ବୋଲି । ତୁ ନ ଦେଲେ ଆଉ କିଏ କ୍ଷୀର ଦେବ ନାହିଁ ବୋଲି ଭାବିଛୁ ? ତୋର ଇଚ୍ଛା ନଥିଲେ, ତୋ ବାପା ଗୋସାଇଁ ବାପା ପରି ଲୋକେ କ୍ଷୀର ଦେବାକୁ ଅଛନ୍ତି । ଆହୁରି ମଧ୍ୟ ଦେଖୁଛି, ଦୁଧରେ ପାଣି ମିଶେଇ ଅଣୁଛୁ । ଏହା ପିଇଲେ ପିଲାର ଦେହ କଣ ହେବ, ଜଣା ନହିଁ ? ପଇସା ନା ମାଟି ନେଉଛୁ ?’

 

ଏହି ତିରସ୍କାର-ବାକ୍ୟ ନୟନପାଳ ଓ ତାଙ୍କ ସୈନିକମାନଙ୍କ କାନରେ ଯାଇ ପଡ଼ିଲା । ସେତେବେଳେ ଦୁର୍ଗାଦାସ ନୟନପାଳଙ୍କ ସହିତ କଥାବାର୍ତ୍ତା କରୁଥିଲେ । ତାଙ୍କ ବାକ୍‍-ଚାତୁର୍ଯ୍ୟରେ ନୟନପାଳ ଏକାବେଳକେ ମୁଗ୍ଧ । ସେ ଦୁର୍ଗାଦାସଙ୍କ ବୁଦ୍ଧି ଓ ବିକ୍ରମର ବହୁ ପ୍ରଶଂସା କଲେ । ବାଦ୍‍ଶାହାଙ୍କ ସେନା-ବିଭାଗରେ ଖଣ୍ଡିଏ ଚାକିରି କରାଇଦେବା ସକାଶେ ଦୁର୍ଗାଦାସ ନୟନପାଳଙ୍କୁ କଥା ପ୍ରସଙ୍ଗରେ ଅନୁରୋଧ କଲେ । ନୟନପାଳ ତାଙ୍କୁ ଆଶାବାଣୀ ଶୁଣାଇଲେ । ଦୁର୍ଗାଦାସ ହର୍ଷୋତ୍‍ଫୁଲ୍ଲ ମୁଖରେ କହିଲେ–’ତୁମର ଅନୁଗ୍ରହ ହେଲେ, ଯଶୋବନ୍ତ ସିଂହଙ୍କ ମରଣ-ଦୁଃଖ ମୋ ମନରୁ ଏକାବେଳକେ ଦୂର ହେଇଯିବା । ‘

 

‘ଏ କଣ କହୁଛ, ଦୁର୍ଗାଦାସ ! ନୟନପାଳ ସହିତ ଯଶୋବନ୍ତର ତୁଳନା ! ଭୀରୁ ଅଭାଗା, ହୀନବୀର୍ଯ୍ୟ ଯଶୋବନ୍ତ କେଉଁଠାରେ–ପ୍ରସିଦ୍ଧ ବୀର ଚତୁର ପ୍ରତାପୀ ନୟନପାଳ ଅବା କେଉଁଠାରେ ? ଯାଉ ସେ କଥା । ଦେଖୁଛି, ଚନ୍ଦ୍ରାବତୀ ବଡ଼ ଭାଗ୍ୟବତୀ–ସେ ଅତି ଅଳ୍ପ ସମୟ ମଧ୍ୟ ରେ ଭାରତ ସମ୍ରାଟଙ୍କର–’

 

ନୟନପାଳ ତାଙ୍କର ବାକ୍ୟ ଶେଷ ନ କରି ହଠାତ୍‍ ତୁନି ରହିଲେ । ତାଙ୍କ ଅର୍ଦ୍ଧୋକ୍ତିର ଶେଷ ପଦ ଶୁଣିବା ମାତ୍ରେ ଦୁର୍ଗାଦାସଙ୍କ ହୃଦୟ ବିଚଳିତ ହୋଇଉଠିଲା–ସତେ ଯେପରି ତାଙ୍କର ମସ୍ତିଷ୍କ ଏକ ସମୟରେ ସହସ୍ର ବୃଶ୍ଚିକ ଦ୍ଵାରା ଦଷ୍ଟ ହେଲା । ତାଙ୍କର ଦକ୍ଷିଣ ହସ୍ତ ହଠାତ୍‍ ତାଙ୍କ କଟି-ଯୁକ୍ତ ଖଡ୍ଗ ଉପରେ ଯାଇ ପଡ଼ିଲା । କ୍ରୋଧୋନ୍ନତ୍ତ ବିଚଳିତ ବୀର ହସ୍ତର ଏହି ପ୍ରବୃତି ସ୍ଵାଭାବିକ ସିନା ! କିନ୍ତୁ ଭବିଷ୍ୟତ କାର୍ଯ୍ୟ ଦୃଷ୍ଟିରେ ସେ ତାଙ୍କର କୋପ ହଠାତ୍‍ ବନ୍ଦ କରି ଦେଲେ । ଠିକ ସମୟୋଚିତ ସହିଷ୍ଣୁତା ! ବିବେକୀ ଧୀର ବୀରର ଉପଯୁକ୍ତ କାର୍ଯ୍ୟ !

 

ଏଣେ ସେହି ଗୋପଯୁବତୀ ଛାଉଣି ମଧ୍ୟରୁ ବାହାରି ଏକମାତ୍ର ଗନ୍ତବ୍ୟ ପଥରେ ଦୃଷ୍ଟି ପକାଇ ପଲ୍ଲୀ ଅଭିମୁଖେ ପଦଚାଳନ କଲା । ଯୁବତୀ-ରୂପମୁଗ୍ଧ ସେହି ପ୍ରହରୀ ଦ୍ୱୟ ଧୀରେ ଧୀରେ ତାହାର ଅନୁସରଣ କଲେ । ଦୁହିଙ୍କ ପଦଧ୍ୱନିରୁ, ପଶ୍ଚାତ୍‍ କେହି ଯାଉଥିବାର ଜାଣିପାରି ଯୁବତୀ ଚଞ୍ଚଳ ଚାଲିବାକୁ ଲାଗିଲା । ତାହା ଦେଖି ଦୁଷ୍ଟ କାମୁକ ସୈନିକ ଦୁହେଁ ମଧ୍ୟ ଦ୍ରୁତ ଗତିରେ ଚାଲିଲେ-। ସେମାନଙ୍କର କୁଶ୍ଚିତ କଳ୍ପନା ଠଉରାଇପାରି ଯୁବତୀ ଭୀତ ହେଲା । ହଠାତ୍‍ ସେ ଗତି ବନ୍ଦ କରିଦେଇ ପଛକୁ ମୁଖ ଫେରାଇଲ । ପରେ ସେ ଦୁହିଙ୍କ ମୁଖକୁ ଅନେଇ ମୃଦୁହାସ୍ୟ କଲା ଏବଂ ଆହ୍ଵାନ-ସୂଚକ କୁଶ୍ଚିତ ଚକ୍ଷୁ-ସଙ୍କେତ ଦେଇ ପଲ୍ଲୀ ପ୍ରତି ପୁନର୍ବାର କ୍ଷିପ ପଦକ୍ଷେପରେ ଅଗ୍ରସର ହେବାକୁ ଲାଗିଲା । ବିଚିତ୍ର ଚାତୁରୀ ଖେଳା ! ତାହାର ସଂକେତରେ ମୂର୍ଖ ସିପାହୀ ଦୁଇଜଣ ଆଶାନ୍ଵିତ ହୋଇ ଉଠିଲେ ! ସନ୍ତୋଷରେ ସେମାନଙ୍କର ପାଦ ଆଉ ତଳେ ପଡ଼ିଲା ନାହିଁ-। ଦୁହିଙ୍କ ମଧ୍ୟ ରେ ସେହିକ୍ଷଣି ବିବାଦ ଆରମ୍ଭ ହେଲା-। ଜଣେ ହସି ହସି କହିଲା,–‘ବାଃ ଟୋକୀ ମୋତେ ଠାର ବେଶ୍‍ କରିଛି । ଦେଖିଛି, ମୋ ଠାରେ ତା’ ମନ ଲାଖିଗଲା । ‘ତାହାର ସଙ୍ଗୀ ମଧ୍ୟ ଦୁଷ୍ଟ ମନରେ ତାହାହିଁ କହିଲା । ବାଗ୍‍ ଯୁଦ୍ଧ କ୍ରମେ ମୁଷ୍ଟିଯୁଦ୍ଧରେ ପରିଣତ ହେଲା । ଏହି ଅବସରରେ ଚତୁର ଚଞ୍ଚଳ ଯାଇ ପଲ୍ଲୀରେ ପ୍ରବେଶ କଲା । ସିପାହିଦ୍ଵୟ ନୀରଶ ହୋଇ ଫେରିଲେ-

 

ଏହିଘଟଣାର କେତେକ ସମୟ ପରେ ଇନ୍ଦିରା ଚନ୍ଦ୍ରାବତୀଙ୍କ ଛାଉଣି ମଧ୍ୟରେ ପ୍ରବିଷ୍ଠ ହେଲେ । ସେଠାରେ କେହି କେତେ ତାଙ୍କର ମୁଖ ଦେଖି ନଥିଲେ ସୁଦ୍ଧା, ତାଙ୍କ ପରିଛଦର ଆକୃତି ଓ ବର୍ଣ୍ଣରୁ କେବଳ ସେ ବୋଲି ସ୍ଥିର କରି ପ୍ରହରିମାନେ ତାଙ୍କର ଶିବିର ପ୍ରବେଶରେ କୌଣସି ଆପତ୍ତି ଉଠେଇଲେ ନାହିଁ । କିଛି ସମୟ ଗତ ହେବାପରେ ଇନ୍ଦିରା ଶିବିରରୁ ବାହାରି ସେ ପଲ୍ଲୀକୁ ଗଲେ । ନୟନପାଳଙ୍କ ଆଦେଶାନୁଯାଇ ଇନ୍ଦିରାଙ୍କ ଗତିବିଧି ଲକ୍ଷ୍ୟ କରିବା ସିପାହିମାନଙ୍କର ଅଧିକାର ନଥିଲା; ଏଣୁ ଇନ୍ଦିରା ସ୍ଵେଚ୍ଛାମତ ବାରମ୍ବାର ଏଣେତେଣେ ସ୍ଵଛନ୍ଦ ବିଚରଣ କରୁଥିଲେ ।

 

ନୟନପାଳ ଓ ଦୁର୍ଗାଦାସଙ୍କ ମଧ୍ୟରେ କଥୋପକଥନ ଚାଲିଛି, ଏହି ସମୟରେ ଚନ୍ଦ୍ରାବତୀଙ୍କ ଶିବିର ମଧ୍ୟରୁ ‘ହା ଅଜିତ୍‍ ସିଂହ, ହା ଅଜିତ୍‍ ସିଂହ’ ବୋଲି ଗୋଟିଏ ରୋଦନ ଧ୍ୱନି ଶୁଣାଗଲା । ସଙ୍ଗେ ସଙ୍ଗେ ସ୍ତ୍ରୀ କେତେ ଜଣଙ୍କର କାତର କଣ୍ଠରେ ଶିବିରଟି ନିନାଦିତ ହୋଇଉଠିଲା । ନୟନପାଳ ଏକାବେଳକେ ଚମକି ପଡ଼ିଲେ । ବିସ୍ମୟ ସହିତ ଦୁର୍ଗାଦାସଙ୍କୁ ପଚାରିଲି,–‘ଚନ୍ଦ୍ରାବତୀଙ୍କ ତମ୍ବୁରେ ଏ କି କରୁଣ ଶବ୍ଦ, ଦୁର୍ଗାଦାସ ? କୌଣସି ବିପଦ ଘଟିଛି, ବୋଧହୁଏ । ଶୀଘ୍ର ଏହାର କାରଣ ବୁଝି ଆଶା । ‘ଦୁର୍ଗାଦାସ ସେହିକ୍ଷଣି ବିସ୍ମୟ ଜଡ଼ିତ ମୁଖରେ ଶିବିର ମଧ୍ୟକୁ ଧାଇଁଗଲେ । ସେଠାରେ କିଛି ସମୟ ରହିଲା ପରେ ନୟନପାଳଙ୍କ ନିକଟକୁ ବାହୁଡ଼ି ଶୁଷ୍କ ମୁଖରେ ଓ କମ୍ପିତ ସ୍ଵରରେ କହିଲେ,–‘ହାୟ, ସର୍ବନାଶ ହୋଇଅଛି । ଶିଶୁ ଅଜିତ୍‍ସିଂହ ଆଉ ଏହି ଲୋକରେ ନାହାନ୍ତି । ଅଭାଗିନୀ ଚନ୍ଦ୍ରାବତୀଙ୍କର ଶେଷ ସମ୍ବଳ ନଷ୍ଟ ।’

 

ନୟନପାଳ ହଠାତ୍‍ ମୁଖ ମିଳନ କରି ଦେଇ ବସି ପଡ଼ିଲେ । ତାଙ୍କର ଦୁଃଖ କିନ୍ତୁ କି ଧାରଣର ? ଗରିବ ମରଣରେ ବିଭିଷଣର ଶୋକ ପ୍ରକାଶ ! ସେ ଦୁର୍ଗାଦାସଙ୍କୁ ସାନ୍ତ୍ଵନା ଦେଇ ଅଜିତ୍‍ସିଂହଙ୍କ ଶବ ସଂସ୍କାରର ଆୟୋଜନ କରିବାକୁ କହିଲେ । ଦୁର୍ଗାଦାସ କହିଲେ–ଚନ୍ଦ୍ରାବତୀଙ୍କର ଇଚ୍ଛା, ଶିଶୁର ଶବ ଅନ୍ୟ କେହି ସ୍ପର୍ଶ କରିବେ ନାହିଁ–ସେ ଶିବିର ମଧ୍ୟରେ ହିଁ ସ୍ଵହସ୍ତରେ ତାହା ପୋତିବେ ।

 

ନୟନପାଳ ଏହି ପ୍ରସ୍ତାବରେ ସମ୍ମତ ହେଲେ । ଅଜିତ୍‍ ସିଂହଙ୍କ ମରଣରେ ସେ ଯେଉଁ ଆନନ୍ଦ ଲାଭ କଲେ, ତାହା ତାଙ୍କ ହୃଦୟ ମଧ୍ୟରେ ଘୋଡ଼ାଇ ରଖିଲେ ।

Image

 

ସପ୍ତମ ପରିଚ୍ଛେଦ

(ପ୍ରେମାଙ୍କୁର)

 

‘ଆଜିକୁ ପ୍ରାୟ ଦଶ ଦିନ ହେଲା ଭାଇ, କେହି ଧରାପଡ଼ି ନାହିଁ । କାରଣ କଣ ?’

 

‘କାରଣ? ଆମ ହାତରେ ପଡ଼ିଲେ କେହି ଆଉ କଣ ପ୍ରାଣ ଧରି ବାହୁଡ଼ିବ ? ଏଣୁ ଆଉ ଆଉ ବାଟରେ ପଳାଉଛନ୍ତି । ବଳିଆ କୁକୁର ଥିବା ବଣରେ ବାଘ କଣ ପଶି ପାରିବ ଭାଇ ?’

 

‘ବାଦ୍‍ଶାହ ଜାଣିଲେ ଆମର ଆଉ ରକ୍ଷା ନାହିଁଟି ଭାଇ ! ଆଜି ଇଠିକୁ କୋ ହେଲେ ରାଜା ବେଣ୍ଟ କରି ଆସିଲେ ଅଲବତ ଧରି ପକାଇବା । ‘

 

‘ଏ ବଣର ଚାରି ପାଖ ଭଲ କରି ଖୋଜି ଜଣକୁ କଣ ନ ପାଇବା ?’

 

ଦିନେ ଆରାବଳୀ ପର୍ବତର ପ୍ରାନ୍ତଭାଗରେ ଥିବା ନିବିଡ଼ ବନ ମଧ୍ୟରେ ଦୁଇଜଣ ପଠାଣ ଉପରୋକ୍ତ ଭାବରେ କଥାବାର୍ତ୍ତା କରିବା ପରେ ନିଜ ନିଜ ଅଶ୍ଵ ପୃଷ୍ଠରେ ବସି ସେମାନଙ୍କ ସଶସ୍ତ୍ର ଅନୁଚରମାନଙ୍କ ସଙ୍ଗେ ବଣର ଏଣେ ତେଣେ ବିଚରଣ କରିବାକୁ ଲାଗିଲେ ।

 

ଏହି ବନ ଯୋଧପୁର ରାଜ୍ୟର ସୀମାରେ । ଏହି ସ୍ଥାନର ଅଧିକାର ଲାଭ ନିମିତ୍ତ ହିଁ ଥରେ କେତେ ଜଣ ରାଜପୁତ୍‍ ରାଜା ମଧ୍ୟରେ ଭୟଙ୍କର ଗୋଳମାଳ ଉଠିଥିଲା । ପରେ ସେମାନଙ୍କ ମଧ୍ୟରେ ନିଷ୍ପତି ହୋଇଥିଲା ଯେ, ପ୍ରତ୍ୟେକ ରାଜା ଏହି ବନରେ ଅବାଧରେ ଶିକାର କରି ପାରିବେ, କିନ୍ତୁ ଏଠାରେ ସମସ୍ତ ଉତ୍ପନ୍ନ ପଦାର୍ଥ କେବଳ ଯୋଧପୁର ରାଜାଙ୍କର ସେହି ସମୟଠାରୁ ପ୍ରତ୍ୟେକ ରାଜପୁତ୍‍ ରାଜା ଏହି ବନରେ ଯାଇ ଶିକାର କରୁଥିଲେ । ଏହା ଜାଣିପାରି, ଏଠାରେ ଏକାକୀ ଶିକାର କରିବାବେଳେ ଯେ କୌଣସି ରାଜପୁତ୍‍ ରାଜାକୁ ଗୁପ୍ତ ଭାବରେ ଆମନ୍ତ୍ରଣ କରି ଦିଲ୍ଲୀକୁ ବାନ୍ଧି ନେବା ନିମିତ୍ତ ସେହି ପଠାଣ ସୈନିକମାନଙ୍କୁ ଔରଙ୍ଗଜୀବ୍‍ ଆଦେଶ ଦେଇଥିଲେ । ତାଙ୍କର ଏହି କଠୋର ଆଦେଶରେ ଆକ୍ରାନ୍ତ ରାଜାମାନେ ଶୃଙ୍ଖଳାବଦ୍ଧ ହୋଇ ଦିଲ୍ଲୀ-କାରାଗାରରେ କଠିନ ଶାସ୍ତି ଭୋଗୁଥିଲେ ।

 

ସେଦିନ ବାଦ୍‍ଶାହାଙ୍କର ପଠାଣ ଅନୁଚରମାନେ ବନରେ ଗୁପ୍ତ ନର-ଶିକାର ଅନ୍ଵେଷଣ କରୁଛନ୍ତି; ଏହି ସମୟରେ ସେମାନେ କିଛି ଦୂରରୁ ଦେଖିପାରିଲେ, ଦୀର୍ଘକାୟ ବଳିଷ୍ଠ ଜଣେ ରାଜପୁତ୍‍ ବୀର ଅତ୍ୟୁଚ୍ଚ, ବିଶାଳକାୟ, ଦ୍ରୁତଗାମୀ, ଉନ୍ନତକର୍ଣ୍ଣ ଗୋଟିଏ ଅଶ୍ଵ ପୃଷ୍ଠରେ ବସି ସେହି ବନ ମଧ୍ୟରେ ପ୍ରବେଶ କଲେ । ରାଜପୁତ୍‍ ପୁରୁଷଙ୍କ ମସ୍ତକରେ ପଟ୍ଟବସ୍ତ୍ରର ଉନ୍ନତ ସୁନ୍ଦର ଏକ ‘ଚାମଲା’, ଦେହ ଉପରେ ଆଜାନୁଲମ୍ବିତ ସ୍ଵର୍ଣ୍ଣ-ପୁଷ୍ପ ଖଚିତ ମଖମଲ୍‍ ଅଙ୍ଗରଖା, କଟିଦେଶରେ ଶକ୍ତ କଟିବନ୍ଧନୀ, ବାମହସ୍ତରେ ସୁଦୀର୍ଘ ସୁତୀକ୍ଷଣାଗ୍ରବିଶିଷ୍ଟ ଭଲ୍ଲ ଦକ୍ଷିଣ ହସ୍ତରେ ସୁଦୃଢ଼ ତୀକ୍ଷ୍‍ଣଧାର ଉନ୍ମୁକ୍ତ ତରବାରୀ ଏବଂ ପାଦରେ ଦିଲ୍ଲୀ ପ୍ରସ୍ତୁତ ଉତ୍କୃଷ୍ଟ ଚର୍ମ-ପାଦୁକା । ତାଙ୍କ ପଗଡ଼ିର ଅଗ୍ରଭାଗ ମୟୂରପୁଚ୍ଛ ତୁଲ୍ୟ ତାଙ୍କ ପୃଷ୍ଠ ଉପରେ କ୍ରୀଡ଼ା କରୁଥିଲା । ତାଙ୍କର ବହୁମୂଲ୍ୟ ପରିଚ୍ଛେଦରୁ ସୌନ୍ଦର୍ଯ୍ୟ ଫୁଟି ଉଠୁଥିଲା ଏବଂ ଉଗ୍ର ଓ ବୀରତ୍ଵ ସୂଚକ ଗତି ଦର୍ଶକମନରେ ଭୀତି ଆଣୁଥିଲା । ବୀର ପୁରୁଷଙ୍କୁ ଦେଖି ପଠାଣ ଅନୁଚରମାନେ ଚମକିତ ହୋଇଗଲେ । ତାଙ୍କର ଗମ୍ଭୀର ମୂର୍ତ୍ତି, ବିଶାଳ ବକ୍ଷ, ବୀର୍ଯ୍ୟଶାଣିତ ମୁଖ ଦେଖିବାମାତ୍ରେ ବଳବାନ ଶତ୍ରୁ ମନରେ ସୁଦ୍ଧା ଆତଙ୍କ ଜନ୍ମୁଥିଲା ।

 

ପଠାଣମାନେ ସେହି ବୀରଙ୍କୁ ଦେଖିବାକ୍ଷଣି ବନର ଗୋଟିଏ ଗୁପ୍ତ ସ୍ଥାନରୁ ଲୁଚି ରହିଲେ । ସେ ସେମାନଙ୍କ ନିକଟବର୍ତ୍ତୀ ହେବାରୁ ସେମାନେ ଗୁପ୍ତ ସ୍ଥାନରୁ ହଠାତ୍‍ ବାହାରି ତାଙ୍କ ଚତୁର୍ଦ୍ଦିଗରେ ଘେରି ଠିଆ ହେଇଗଲେ । ଜଣେ ପଠାଣ ନିଜର ଶାଣିତ ଖଡ୍ଗ ବୁଲାଇ ରାଜପୁତ୍‍ ବୀରଙ୍କୁ ଉଦ୍ଧତ ସ୍ଵରରେ କହିଲା,–’ଆରେ ବାଚ୍ଚା, ପଠାଣ ପାଖରେ ତୋର ଏ ବରବେଶ କିଛି କାମ କରିପାରିବ ନାହିଁ । ଚଞ୍ଚଳ ତଳକୁ ଓହ୍ଲାଅ ।’

 

ବୀର କିଛିକ୍ଷଣ ମୌନାବଲମ୍ବନ କଲେ । ପରେ ଭୀଷଣ ମୂର୍ତ୍ତି ଧରି ପ୍ରଚଣ୍ଡ କ୍ରୋଧରେ ନିଜର କୃପାଣ ଓ ବର୍ଚ୍ଛା ଚାଳିତ କଲେ । ସତେ ଯେପରି ଭୀମ ଗଦା ଘୂର୍ଣ୍ଣନ କରୁଛନ୍ତି ! ପଠାଣ କିନ୍ତୁ ପଛଘୁଞ୍ଚା ଦେବାର ଜାଣେ ନାହିଁ । ଅଶ୍ଵାରୋହୀଦଳ ତ୍ରସ୍ତ ବା ହତାଶ ନ ହୋଇ ରାଜପୁତ୍‍ ବୀରଙ୍କୁ ପ୍ରଖର ଭାବରେ ଆକ୍ରମଣ କଲେ । ଏକପକ୍ଷରେ ରାଜପୁତ୍‍ ବୀର ଏକାକୀ–ଅପର ପକ୍ଷରେ ବିଂଶାଧିକ ପଠାଣ ସିପାହୀ । କେତେକ ସମୟ ଦୁଇଦଳ ମଧ୍ୟରେ ଭୟାନକ ଯୁଦ୍ଧ ଚାଲିଲା । ବୀରପୁରୁଷ ପଠାଣମାନଙ୍କ ଆକ୍ରମଣ ଅପୂର୍ବ ସାହସ ଓ ସତର୍କତା ସହ ଅବଲୀଳାକ୍ରମେ ପ୍ରତିହତ କଲେ । ଦେଖୁ ଦେଖୁ ସେ ସେମାନଙ୍କ ଅସ୍ତ୍ର ଶସ୍ତ୍ର ସକଳ କାଟି ଦଶଜଣଙ୍କୁ ଭୂଶାୟୀ କରିଦେଲେ ।

 

ଅବଶିଷ୍ଠ ପଠାଣ ସୈନିକମାନେ ଅତିରିକ୍ତ କ୍ରୋଧରେ ଅଧୀର ହୋଇପଡ଼ିଲେ । ସେମାନେ ପ୍ରାଣର ମମତା ଏକାବେଳକେ ଛାଡ଼ିଦେଇ ରାଜପୁତ୍‍ ବୀରଙ୍କୁ ଏକ ସମୟରେ ପୁଣି ଆକ୍ରମଣ କଲେ । ରୌଦ୍ରତାପ ଓ ଏକାକୀ ଯୁଦ୍ଧରେ ସେତେବେଳେ ବୀର ନିତାନ୍ତ ଶ୍ରାନ୍ତ କ୍ଳାନ୍ତ ହୋଇ ଯାଇଥିଲେ । ତାଙ୍କ ଶରୀର ଓ ଲଲାଟରୁ ବିନ୍ଦୁ ବିନ୍ଦୁ ସ୍ଵେଦ ଖସି ପଡ଼ୁଥିଲା । ସେ ଜୀବନାଶା ତ୍ୟାଗ କରି ପୁନର୍ବାର ଯୁଦ୍ଧରେ ଯୋଗଦେବାକୁ ଉଦ୍ୟତ ହୋଇଛନ୍ତି, ଏପରି ସମୟରେ ଅଶ୍ଵାରୂଢ଼ ଖଡ୍ଗହସ୍ତ ଜଣେ ରାଜକୁମାର ତାଙ୍କ ବନ୍ଧୁ ସହିତ କେଉଁଦିଗରୁ ବିଦ୍ୟୁତ ବେଗରେ ଆସି ଘଟଣା ସ୍ଥଳରେ ଠିଆହେଲେ । ଦୁହିଁଙ୍କ ଚକ୍ଷୁ ସେତେବେଳେ ଗାଢ଼ ରକ୍ତବର୍ଣ୍ଣ । ରାଜକୁମାରଙ୍କ ବୟସ ପନ୍ଦର ବର୍ଷ, ତାଙ୍କ ବନ୍ଧୁଙ୍କର ଅଠର । ଦୁହିଙ୍କ ସୌନ୍ଦର୍ଯ୍ୟ ଓ ସାହାସରେ ରାଜପୁତ୍‍ ବୀର ମୁଗ୍ଧ ଓ ଚକିତ ହେଇଗଲେ । ଯୁବକଦ୍ୱୟ ପଠାଣମାନଙ୍କ ସହିତ ଭୀଷଣ ବେଗରେ ଯୁଦ୍ଧ ଚଳାଇଲେ । ରାଜପୁତ୍‍ ବୀରଙ୍କ ଦେହରେ ନୂତନ ବଳ ଖେଳିଗଲା, ମନରେ ନୂତନ ଉତ୍ସାହର ସଂଚାର ହେଲା । ଉଭୟଙ୍କ ବିକଟ ଆକ୍ରମଣରେ ଆଉ କେତେଜଣ ପଠାଣ ଭୂପତିତ ହେଲେ । ରକ୍ତର ଗୋଟିଏ ପ୍ରବାହ ବହିଗଲା । ତରୁଣ ରାଜକୁମାର ଓ ତାଙ୍କ ସଙ୍ଗୀଙ୍କର ଅଦ୍‍ଭୁତ ଭୁଜବଳ, ଅସିଚାଳନ ଓ ଶୌର୍ଯ୍ୟ ଦେଖି ରାଜପୁତ୍‍ ପୁରୁଷ ଏକାବେଳକେ ସ୍ତମ୍ବିତ । ସେ ପଲକଶୂନ୍ୟ ଚକ୍ଷୁରେ ଦୁଇ ଜଣଙ୍କର ବିଚିତ୍ର ଯୁଦ୍ଧ ଦେଖି ମନେ ମନେ ସେମାନଙ୍କର ବହୁ ପ୍ରଶଂସା କଲେ । କିଛିକ୍ଷଣ ପରେ ଦୁଇଜଣ ପଠାଣ ରାଜକୁମାରଙ୍କ ଉପରେ ହଠାତ୍‍ ଲମ୍ଫଦେବାର ଦେଖି ରାଜପୁତ୍‍ ବୀର ପ୍ରମାଦ ଗଣିଲେ । କିନ୍ତୁ ପଠାଣ ଦୁହେଁ ଅଷ୍ଟାଦଶ ବର୍ଷ ବୟସ୍କ ଯୁବକଙ୍କ ଖଡ୍ଗ ଗୁରୁ ଆଘାତ ସହି ନପାରି ଶୀଘ୍ର ପ୍ରାଣ ହରାଇଲେ । ଶେଷରେ ଅବଶିଷ୍ଠ ରହିଲେ ଚାରିଜଣ ମାତ୍ର ପଠାଣ । ସେମାନେ ପ୍ରାଣ ଭୟରେ ସେଠାରୁ ଭିନ୍ନ ଭିନ୍ନ ଦିଗରେ ପଳାୟନ କଲେ ।

 

ରାଜପୁତ୍ର ଓ ତାଙ୍କ ମିତ୍ରଙ୍କ ଅଲୌକିକ ବିକ୍ରମ ପ୍ରକାଶରେ ପରମ ପ୍ରୀତ ହୋଇ ରାଜପୁତ୍‍ ଯୋଦ୍ଧା ସେମାନଙ୍କ ପରିଚୟ ଲାଭ ଚେଷ୍ଟା ନ କରି ରହି ପାରିଲେ ନାହିଁ । ସେ ଦୁହିଙ୍କୁ ମୃଦୁ ସ୍ଵରରେ କହିଲେ,–‘ଆଶା କରେଁ, ଆପଣମାନଙ୍କର ପରିଚୟ ଦେଇ ସୁଖୀ କରିବେ ।’

 

ରାଜକୁମାର ବିନୀତ ସ୍ଵରରେ ଉତ୍ତର କଲେ–’ମହାଶୟ, ଜୟପୁର ଆମର ଜନ୍ମସ୍ଥାନ, ସେଠା ସୈନ୍ୟ ବିଭାଗରେ ଯୁଦ୍ଧବିଦ୍ୟା ଶିକ୍ଷା କରୁଁ । ‘ଦୁହେଁ ରାଜପୁତ୍‍ବୀରଙ୍କର ପରିଚୟ ପ୍ରଶ୍ନ କଲେ, ଏବଂ ସେ ଉଦୟପୁର ନିବାସୀ ବୋଲି ଜାଣି ପାରି ଅତିଶୟ ସନ୍ତୁଷ୍ଠ ହେଲେ । ରାଜପୁତ୍‍ ବୀର କହିଲେ,–‘ତୁମମାନଙ୍କ ଅପୂର୍ବ ସାହସ ଓ ଯୁଦ୍ଧ-କୌଶଳ ଦେଖି ମୁଁ ଅପାର ପ୍ରୀତି ଲାଭ କରିଛି–ଗର୍ବ ଅନୁଭବ କରୁଛି । ଉପକାର ପାଇଁ ତୁମମାନଙ୍କ ନିକଟରେ ଚିରଋଣୀ ରହିଲି । ଅନୁରୋଧ କରେଁ, ତୁମେ ଦୁହେଁ ମୋ ସଙ୍ଗେ ମୋ ରାଜ୍ୟକୁ ଯାଇ ମୋତେ ଓ ମୋ ପରିବାରକୁ ସୁଖୀ କରିବ । ତୁମମାନଙ୍କୁ ଛାଡ଼ି ଯିବାକୁ ଇଚ୍ଛା ହେଉନାହିଁ । ‘

 

ରାଜକୁମାର ଏକାବେଳକେ ନିରୁତ୍ତର ! ତାଙ୍କ ଦୁଇ ଗଣ୍ଡ ଲଜ୍ୟାରେ କିଞ୍ଚିତ୍‍ ଲାଲ ହୋଇଗଲା । ରାଜପୁତ୍‍ ବୀର କୃତଜ୍ଞତା ସ୍ଵୀକାର କରିବା ସମୟରେ ରାଜପୁତ୍ର ତାଙ୍କର ମସ୍ତକରୁ ପାଦ ଯାଏ ଥରେ ନିରୀକ୍ଷଣ କଲେ । ତାଙ୍କ କଥା ଶେଷ ହେବ ସଙ୍ଗେ ସଙ୍ଗେ ରାଜକୁମାର ଅଧରରେ ମନ୍ଦହାସ୍ୟର ଗୋଟିଏ ରେଖା ଫୁଟାଇ ଦେଲେ ଅଧୋବଦନ ହୋଇରହିଲେ; ତାଙ୍କ ହୃଦୟ ମଧ୍ୟରେ ବିବିଧ ଚିନ୍ତାର ଉଦ୍ରେକ ହେଲା । ଉଭୟଙ୍କ ସୌଜନ୍ୟର ପରିଚୟ ପାଇ ରାଜପୁତ୍‍ ବୀର ସୀମାତୀତ ଆନନ୍ଦ ଅନୁଭବ କଲେ । ଅତିଶୟ ଲଜ୍ୟା ରାଜକୁମାରଙ୍କୁ ବୀର ପୁରୁଷଙ୍କ ଆଗରେ ଠିଆ କରେଇ ଦେଲାନାହିଁ । ସେ ଧୀରେ ଧୀରେ ତାଙ୍କ ବନ୍ଧୁଙ୍କ ପୃଷ୍ଠଭାଗରେ ଯାଇ ଠିଆ ହେଲେ । ତାଙ୍କ ଲଜ୍ୟା ପ୍ରକାଶରେ ବନ୍ଧୁଙ୍କର ମୁଖ ସୁମଧୁର ପରିହାସ ସୂଚକ ହାସ୍ୟରେ ଆଭାମୟ ହୋଇଉଠିଲା । ନିଜର ମନୋଗତ ଭାବ ବନ୍ଧୁ ସ୍ପଷ୍ଟ ଅନୁମାନ କରି ପାରିଛନ୍ତି ଭାବି, ଯୁବକ ତାଙ୍କ ମିସ୍ତ୍ରୀଙ୍କୁ ଚକ୍ଷୁ-ସଙ୍କେତ ଦ୍ଵାରା ଅନୁରୋଧ କଲେ ଯେ, ସେ ବୀରପୁରୁଷଙ୍କୁ ସେମାନଙ୍କର ପ୍ରକୃତ ପରିଚୟ ଦେବେ ନାହିଁ । ରାଜପୁତ୍‍ ବୀର ପୁରୁଷଙ୍କୁ ସେମାନଙ୍କର ପ୍ରକୃତ ପରିଚୟ ଦେବେ ନାହିଁ । ରାଜପୁତ୍‍ ବୀର କିନ୍ତୁ ଯୁବକଙ୍କର ସଙ୍କେତ ଲକ୍ଷ୍ୟ କରି ପାରିଲେ ନାହିଁ । ପରେ ଅଷ୍ଟାଦଶ ବର୍ଷ ବୟସ୍କ ଯୁବକ ରାଜପୁତ୍‍ ବୀରଙ୍କୁ ଈଷତ ହସି କହିଲେ,–‘ମହାଶୟ, ଆମେ ଆପଣଙ୍କର ଉପକାର କିଛି କରି ନାହୁଁ, କରିଛୁ କେବଳ କର୍ତ୍ତବ୍ୟ । ଏଣୁ ପ୍ରଶଂସାର ଯୋଗ୍ୟ ନୋହୁଁ । ଆପଣଙ୍କ ସୌଜନ୍ୟ ପାଇଁ ଅଶେଷ ଧନ୍ୟବାଦ ଦେଉଛୁଁ, ଆପଣଙ୍କ ସାନୁଗ୍ରହ ଆମନ୍ତ୍ରଣରେ ଅନୁଗୃହୀତ ହେଲୁ । କିନ୍ତୁ ଦୁଃଖର କଥା, କାର୍ଯ୍ୟାନୁରୋଧରେ ଆମମାନଙ୍କୁ ଚଞ୍ଚଳ ଜୟପୁର ଫେରିବାକୁ ହେବ । ଏଣୁ ଆପଣଙ୍କ ସଙ୍ଗେ ଯାଇ ପାରୁ ନାହୁଁ, କ୍ଷମା କରିବେ ।’

 

ବୀର ପୁରୁଷ କହିଲେ,–‘କ୍ଷମା କରିବାର ବିଷୟ ଏଥିରେ କିଛି ନାହିଁ । ତୁମମାନଙ୍କ ଅକପଟ ବନ୍ଧୁତା ଓ ଉପକାର ଜୀବନରେ କେବେ ଭୁଲିବାର କଥା ନୁହେଁ । ଏହି ତରୁଣ ରାଜପୁତ୍ରଙ୍କ ଶୌର୍ଯ୍ୟ ଓ ରଣ–ନୌପୁଣ୍ୟରେ ମୁଁ ଅତି ପ୍ରୀତ ହୋଇଅଛି । ଏଣୁ ତାଙ୍କୁ ମୋର ଏହି ମୁଦ୍ରିକାଟି ଉପହାରଦେବାକୁ ଇଚ୍ଛା କରେ; ତାହା ସେ ଗ୍ରହଣ କଲେ ସୁଖୀ ହେବି ।’

 

ରାଜକୁମାରଙ୍କ ଲଜ୍ଜା ଶତଗୁଣ ବୃଦ୍ଧି ପାଇଲା । ତାଙ୍କ ବନ୍ଧୁଙ୍କର ହୃଦୟ ଗଭୀର ଆନନ୍ଦରେ ପୂର୍ଣ୍ଣ ହୋଇ ଗଲା । ତାଙ୍କ ବନ୍ଧୁଙ୍କର ହୃଦୟ ଗଭୀର ଆନନ୍ଦରେ ପୂର୍ଣ୍ଣ ହେଇଗଲା । ରାଜପୁତ୍‍ ବୀର ନିଜ ମୁଦ୍ରିକାଟି ରାଜପୁତ୍ରଙ୍କ କନିଷ୍ଠାଙ୍ଗୁଳିରେ ଆନନ୍ଦ ସହିତ ଲଗାଇଦେଲେ । ରାଜକୁମାରଙ୍କ ସର୍ବାଙ୍ଗ କିଞ୍ଚିତ୍‍ କମ୍ପିତ ହେଲା–କମଳିନୀ ଯେପରି ମୃଦୁ ମନ୍ଦ ବାୟୁସ୍ପର୍ଶରେ ଥରହର ହୁଏ । ଆଉ କିଛିକ୍ଷଣ ସେଠାରେ ଠିଆହୋଇ ରହିଥିଲେ, ତାଙ୍କର ଦେହ-କମ୍ପନ ଉପହାର ଦାତାଙ୍କ ଦୃଷ୍ଟିରେ ପଡ଼ିବାକୁ ଆଉ କିଛି ବାକି ରହି ନଥାନ୍ତା । କିନ୍ତୁ ଯୁବକଦ୍ୱୟ ରାଜପୁତ୍‍ ବୀରଙ୍କ ନିକଟରୁ ବିଦାୟ ନେଇ ସେହିକ୍ଷଣି ସେଠାରୁ ଚାଲିଗଲେ । ରାଜପୁତ୍‍ବୀର ମଧ୍ୟ ଶୀଘ୍ର ସେହି ସ୍ଥାନ ତ୍ୟାଗ କଲେ ।

 

ନିଜ ନଗରକୁ ଫେରିବାବେଳେ ମାର୍ଗରେ ରାଜକୁମାର ଓ ତାଙ୍କ ବନ୍ଧୁଙ୍କ ମଧ୍ୟରେ ବିବିଧ ମଧୁର ସମ୍ଭାଷଣ, ଥଟା ପରିହାସ ଚାଲିଲା । ରାଜକୁମାର ରାଜପୁତ୍‍–ବୀର–ଦତ୍ତ ମୁଦ୍ରିକା ଉପରେ ବାରମ୍ବାର ଦୃଷ୍ଟି ସଂଚାଳନ କରିବାକୁ ଲାଗିଲେ । ତାହା ଦେଖି ଅନ୍ୟ ଯୁବକ ମୃଦୁ ହାସ୍ୟ ପ୍ରକାଶ କଲେ । ସେ ରାଜପୁତ୍ର ଙ୍କୁ ପଚାରିଲେ–’ମନେ ମନେ ହସୁଛୁ କଣ, ଭଉଣୀ ? ମୋତେ ଟିକିଏ କହିବୁ ନାହିଁ ?

 

‘କହିବି କଣ, ତୁ ହସିବାରୁ ମୁଁ ହସିଲି ।’

 

‘ଏଁ ହେଁ, ବଡ଼ ପାରିବମାଇକିନ ତ ତୁ ! ହେଲା, ତୋ ଗୁପ୍ତକଥା ମନରେ ମାରି ରଖ, ଆଉ କହିବ ଦରକାର ନାହିଁ ।’

 

‘ଏଥିରେ ଗୁପ୍ତ କଥା ରହିଲା କଣ, ଭଉଣୀ ? ରାଜପୁତ୍‍ ବୀର ଦେଇଥିବା ମୁଦିଟିକୁ ଅନେଇ ହସୁଛି ମାତ୍ର ।’

 

‘କମଳ, କଥାଟା ଆଉ ଲୁଚାଉଛୁ କାହିଁକି ? ତୁ ନ କହୁଣୁ ସବୁ ବାରି ସାରିଲିଣି । ସେହି ବୀର ଆଗରେ ତୁ ଠିଆ ହେବାବେଳେ ତୋ ମୁହଁର ଭଙ୍ଗୀ, କଥାର ଢଙ୍ଗ ଦେଖି ସବୁ ବୁଝି ପାରିଛି କଥାଟା ଲୁଚାଇବା ଲାଭ କଣ ?’

 

‘ପଦ୍ମା ! ଏତିକି ହେଉ ଏ ଟାପରା ଖିଆଲ । ସେ ବୀର କିଏ, ଜାଣୁ ତ ?’

 

(‘କେଜାଣି ! ତାଙ୍କ ଉଦୟପୁର । ମାତ୍ର ତାଙ୍କୁ ଆମେତ କେବେ ଦେଖି ନାହୁଁ ।’)

 

‘ଦେଖି ନାହୁଁ ସତ, ମାତ୍ର ସେ ଆମର ଅଜଣା ବୋଲି ମନେ ହେଉନାହିଁ । ଆମେ ଆଜି ପର୍ଯ୍ୟନ୍ତ ଯେଉଁ ବୀରଙ୍କର ଗୁଣକୀର୍ତ୍ତି ଶୁଣି ଆନନ୍ଦରେ ମାତି ଆସୁଛୁ, ସେହି ରାଜସିଂହ ଏ ।’

‘କିପରି ଜାଣିଲୁ, କମଳ ? ମୋତେ ଏ ପର୍ଯ୍ୟନ୍ତ କହିନଥିଲୁ କାହିଁକି ?’

‘ପଦ୍ମା, ଏ ମୁଦିଟି ଉପରେ ତାଙ୍କର ନା’ ଲେଖା ଅଛି, ତାହା ଏବେ ଦେଖିଲି ।’

‘ତୁ ବଡ଼ ଭାଗ୍ୟବତୀ, କମଳ ! ଭାରି ଖୁସି ହେଲି । ଯାହାହେଉ, ଜଣେ ରାଜପୁତ୍ରଙ୍କ ସଙ୍ଗେ ତୋର ବିବାହ ଦେଇ ଝିଅ ଜ୍ଵାଇଁ ଦୁହିଙ୍କୁ ଘରେ ରଖିବା ମାମୁଁ ଠିକ୍‍ କରିଛନ୍ତି । ଏ କଥା ଜାଣୁ-।’

‘ଏ କୋ’ଠାର କଥା, ପଦ୍ମା ! ମୁଁ ଯାହାଙ୍କୁ ହୃଦୟରେ ସ୍ଥାନ ଦେଇଛି, ତାଙ୍କୁ ଛାଡ଼ି ଅନ୍ୟ ପୁରୁଷକୁ ବିବାହ କଲେ ମୋ ଗତି ହେବ କଣ, କି ସୁଖଟାଏ ବା ପାଇବି ? କିନ୍ତୁ, ରୂପନଗରର ରାଣୀ ତୁ–ମୁଁ ନୁହେଁ ।’’

‘କମଳ, କେବେ ନହେବା କଥା ତୁଣ୍ଡରେ ଆଣୁ କାହିଁକି ?

‘ଏହା ନହେବା କଥା ନୁହେଁ । ବାବା କ୍ରୋଧରେ ଭାଇଙ୍କୁ ନଗରରୁ ତଡ଼ି ଦେଇଛନ୍ତି, କିନ୍ତୁ ସେ ତାଙ୍କୁ ପୁଣି ନ ଡାକି ଛାଡ଼ିବେ ନାହିଁ ।’

ଏପରି କଥାବାର୍ତ୍ତା କରୁଁ କରୁଁ ଦୁହେଁ ରୂପନଗର ଅଭିମୁଖରେ ଅଗ୍ରସର ହେଲେ ।

Image

 

ଅଷ୍ଟମ ପରିଚ୍ଛେଦ

(ବାସୁଦେବଙ୍କ କୃଷ୍ଣୋଦ୍ଧାର ପ୍ରୟାସ)

 

ବିବିଧ ହିଂସ୍ରଜନ୍ତୁ-ଗର୍ଜନ-ମୁଖରିତ, ବିହଙ୍ଗମ-ରବ-ପରିପୂରିତ, ଚନ୍ଦ୍ର-ରବି-କିରଟୀ-ବିରହିତ ଗୋଟିଏ ନିବିଡ଼ ଅରଣ୍ୟ । ଅରଣ୍ୟର କେଉଁ ସ୍ଥାନରେ ତାଳବୃକ୍ଷ ସଦୃଶ ସମୁଚ୍ଚ ସଦୃଢ଼ ବଲ୍ମୀକ, କେଉଁ ସ୍ଥାନରେ ସୁଦୀର୍ଘ ବଂଶ ବୃକ୍ଷ, କେଉଁ ସ୍ଥାନରେ ଅବା ସୁଗଭୀର ଭୟଙ୍କର ବିଶାଳଗର୍ଭ ଗିରି-ଗହ୍ଵର ।

 

ଏହି ବନ ମଧ୍ୟରେ ଦିନେ ଜଣେ ରାଜପୁତ୍‍ ଯୁବକ, ତାଙ୍କ ପାଶ୍ଚାତରେ ଶିବିକସ୍କନ୍ଦ କେତେ ଜଣ ଭୀଲ୍‍ ଏବଂ ଶେଷରେ କେତେଜଣ ସିପାହୀ ଭୀତିବିହ୍ୱଳ ଚିତ୍ତରେ ଅତିଶୟ କ୍ଷୀପ୍ରଗତିରେ ଯାତ୍ରା କରୁଥିଲେ । ସେହି ପାଳିକୀରେ ଜଣେ ସ୍ତ୍ରୀ ଓ ତାର ପୁତ୍ର । ଅଗ୍ରଗାମୀ ଯୁବକ ପାଲିକୀ-ବାହକ ଓ ସୈନିକମାନଙ୍କୁ ଚଞ୍ଚଳ ଚାଲିବା ନିମିତ୍ତ ପୁନଃ ପୁନଃ ଆଦେଶ ଦେଇ ନିଜେ ବାୟୁବେଗରେ ପାଦଚଳନ କରୁଥିଲେ । ଏକକ୍ଷଣ ପାଇଁ ସୁଦ୍ଧା ସ୍କନ୍ଦରୁ ଶିବିକା ତଳକୁ ନ ଓହ୍ଲାଇ ପଥ ମଧ୍ୟରେ କୌଣସି ସ୍ଥାନରେ ବିଶ୍ରାମ ନ ନେଇ ଭୀଲମାନେ ଏକ ମନ ଏକ ଧ୍ୟାନରେ କ୍ରମାଗତ ଚାଲିଛନ୍ତି । ହିଂସ୍ର ଜନ୍ତୁମାନଙ୍କ ପ୍ରତି କୌଣସି ଭୟ ନାହିଁ, ଗିରି, ପାହାଡ଼, ନଦୀ ଓ କଣ୍ଟକମୟ ଦୁର୍ଗମ ପଥ ପ୍ରତି ତିଳେ ମାତ୍ର ଦୃଷ୍ଟି ନାହିଁ, ବାଧା ବିଘ୍ନ ଓ ଆକସ୍ମିତ ଦୁର୍ଘଟନା ପ୍ରତି ଲବ ମାତ୍ର ଭ୍ରୂକ୍ଷେପ ନାହିଁ–ଚାଲିଛନ୍ତି କେବଳ ଏକ ନିଶ୍ଵାସରେ, ଏକ ଉଦ୍ଦେଶ୍ୟରେ, ଏକ ଦୃଷ୍ଟିରେ । ବନ ଜଙ୍ଗଲ ମଧ୍ୟରେ ନିମ୍ନୋନ୍ନତ ପଥରେ ଶୀଘ୍ର ଗତି କରିବାରେ ଭୀଲମାନେ ଅଭ୍ୟସ୍ତ । ଏଣୁ ଅଗ୍ରଗାମୀ ଯୁବକଙ୍କ ଆଦେଶ ଅକ୍ଷରେ ପାଳିତ ହେଉଛି । ସେମାନଙ୍କ ଦ୍ରୁତଗତି ଓ ବ୍ୟସ୍ତତାରୁ ସହଜରେ ଅନୁମତି, ସେମାନେ କୌଣସି ଭୟଙ୍କର ବିପଦର ସମ୍ମୁଖୀନ । ବ୍ୟତିବ୍ୟସ୍ତ ଭାବରେ, ଆଶା-ଆଶଙ୍କା-ଜଡ଼ିତ ହୃଦୟରେ ଚାଲିଥିବାବେଳେ ରାଜପୁତ୍‍ ଯୁବକ ବାରମ୍ବାର ପାଲିକି ନିକଟକୁ ଫେରି ତହିଁରେ ବସିଥିବା ସ୍ତ୍ରୀକୁ ଉତ୍ସାହ ଓ ଆଶ୍ଵାସନା ଦେଇ କହୁଛନ୍ତି–‘ମା, ଏଥର ଆମର କିଛି ବାଧାବିଘ୍ନ ଆପଦ ଭୟ ନାହିଁ, ବାହକମାନେ ଚଞ୍ଚଳ ଚାଲିଛନ୍ତି, ଖାଇବର୍‍ ଗିରିଶଙ୍କଟ ଓ ଅଟକ୍‍ ନଦୀ ଅତିକ୍ରମ କରି ସାରିଲେଣି । ଆମେମାନେ ବର୍ତ୍ତମାନ ଆର୍ଯ୍ୟାବର୍ତ୍ତରେ, ଆରାବଳୀ ସମ୍ମୁଖରେ, ଆମ ନଗରରକ୍ରମେ ନିକଟବର୍ତ୍ତୀ ହେଉଅଛୁଁ, ଆମକୁ କେହି ଆକ୍ରମଣ କରିପାରିବେ ନାହିଁ । ‘

 

ଏହି ସମୟରେ ଯାତ୍ରୀଦଳ ହଠାତ୍‍ ଜଣେ ସ୍ତ୍ରୀର ‘ରକ୍ଷାକର’ ବାକ୍ୟଉଚ୍ଚାରଣ ଓ କାତର ଚିତ୍କାର ଶୁଣିପାରିଲେ । ରାଜପୁତ୍‍ ଯୁବକଙ୍କ ମନ ହେଲା, ସେହି ସ୍ତ୍ରୀର କଣ୍ଠ-ଧ୍ୱନି ତାଙ୍କର ପୂର୍ବ ପରିଚିତ । ଆର୍ତ୍ତଶବ୍ଦ ଶୁଣିବା ମାତ୍ରେ ଶିବିକାର ସ୍ତ୍ରୀ, ସେହି ବିପନ୍ନ ସ୍ତ୍ରୀକୁ ରକ୍ଷା କରିବା ଉଦ୍ଦେଶ୍ୟରେ, ପାଳିକୀର ଗତି ବନ୍ଦ କରିଦେବାକୁ ବାହକମାନଙ୍କୁ ଆଦେଶ ଦେଲା । କିନ୍ତୁ ମାର୍ଗରେ ଏକ ମୁହୂର୍ତ୍ତ ସୁଦ୍ଧା ରହିବା ରାଜପୁତ୍‍ ଯୁବକଙ୍କର ଆଦୌ ଇଚ୍ଛା ନଥିଲା । ସେ ପାଲିକୀ ନିକଟରୁ ଧାଇଁ ଯାଇ ସେହି ସ୍ତ୍ରୀକୁ କହିଲେ,–‘ମା, ଯେ ଯାହା ହେଉ, ଆମର ଯାଏ ଆସେ କେତେ । ଏପରି ସ୍ଥଳରେ ଏକ କ୍ଷଣ ସୁଦ୍ଧା ବିଳମ୍ବ କଲେ ବିପଦ ଘଟିପାରେ । ‘ସ୍ତ୍ରୀ ଉତ୍ତର କଲା,–ବିପନ୍ନକୁ ଉଦ୍ଧାର କରିବା କ୍ଷତ୍ରୀୟର ଧର୍ମ । ପରର ଦୁଃଖ ନିଜର ବୋଲି ଯେ ଭାବେ, ସେ ପ୍ରକୃତ ବୀର–ଶ୍ରେଷ୍ଠ ମନୁଷ୍ୟ । ନିଜେ ବିପଦରେ ପଡ଼ିଛି ସତ, କିନ୍ତୁ ସେହି ସ୍ତ୍ରୀକୁ ସାହାଯ୍ୟ ନକରି ଏଠାରୁ ଏକ ପାଦ ସୁଦ୍ଧା ଘୁଞ୍ଚିବି ନାହିଁ । ସ୍ତ୍ରୀଟି ଏବେ ଆମର ଶରଣାଗତ ।’

 

‘ନିଜ ରକ୍ଷଣ ଅସମ୍ଭବ, ସେ କାହୁଁ ପରକୁ ରଖିବ ? ମୁଁ କ’ଣ କ୍ଷତ୍ରିୟ ନୁହେଁ ? କ୍ଷତ୍ରିୟ ଧର୍ମ କଣ ଜଣେ ନାହିଁ ? ସମୟୋଚିତ କାର୍ଯ୍ୟ କରିବା ମଧ୍ୟ ବୀରର ଧର୍ମ ତ ? ହେଲା, ମୁଁ ନିଜେ ଯାଉଛି, ସେହି ସ୍ତ୍ରୀକୁ ବିପଦରୁ ଉଦ୍ଧାର କରିବି । କିନ୍ତୁ ତୁମେମାନେ ସମସ୍ତେ ଆଗେ ଆଗେ ଚାଲ-। କିଛିକାଳ ପରେ ମୁଁ ତୁମମାନଙ୍କ ସାଙ୍ଗରେ ମିଶିବି । ତୁମମାନଙ୍କୁ ଏଠାରେ ରଖିବା ମୋ ଅଭିପ୍ରେତ ନୁହେଁ ।

 

ସେହି ଯୁବକ ଭିନ୍ନ ଅନ୍ୟ ସମସ୍ତ ପୂର୍ବପରି ଚାଲିଲେ । ଯାତ୍ରାବେଳେ ଅତି ସତର୍କ ହେବାପାଇଁ ସୈନିକମାନଙ୍କୁ ଆଦେଶ ଦେଇ ଯୁବକ ଖଡ୍ଗହସ୍ତରେ ସେହି ବିପନ୍ନ ସ୍ତ୍ରୀର ଅନୁସନ୍ଧାନ କଲେ । ତାହାର ବିକଳ କଣ୍ଠଧ୍ୱନି ଯେଉଁ ଦିଗରୁ ଶୁଣାଯାଉଥିଲା, ସେହି ଦିଗପ୍ରତି ଧାବିତ ହେଲେ । କିଛିଦୂର ଯିବା ପରେ ଦେଖିଲି, ଗୋଟିଏ ବୃକ୍ଷମୂଳରେ ଜଣେ ଭୀଲ ଦୁଇଜଣ ମୁସଲମାନ ଦ୍ଵାରା ଆକ୍ରାନ୍ତ, ସେମାନଙ୍କ ଖଡ୍ଗାଘାତ ରେ ତାହାର ଦେହ କ୍ଷତ ବିକ୍ଷତ ଓ ରକ୍ତାକ୍ତ, ଭୀଲର ପଶ୍ଚାଦଭାଗରେ ଭୀତି କମ୍ପିତ ଶରୀର ଜଣେ ରାଜକୁମାରୀ ଲୋତକ ପୂର୍ଣ୍ଣ ଚକ୍ଷୁରେ ଦଣ୍ଡାୟମାନ ଏବଂ ଭୀଲ ଅପୂର୍ବ ସାହସରେ ଶତ୍ରୁ ଆକ୍ରମଣ ନିବାରଣରେ ପ୍ରବୃତ୍ତ । ଅତିଶୟ କ୍ରୋଧରେ ରାଜପୁତ୍‍ ଯୁବକଙ୍କର ଶରୀର ଜଳି ଉଠିଲା ।

 

ସେ ଧୀରେ ଧୀରେ ଯାଇ ପୃଷ୍ଠଭାଗରୁ ପ୍ରଚଣ୍ଡ ତରବାରି ଆଘାତରେ ଜଣେ ପଠାଣର ମସ୍ତକ ସ୍କନ୍ଧ-ଚ୍ୟୁତ କରି ଦେଲେ । ଏହା ଦେଖି ଅନ୍ୟ ପଠାଣଟି ପ୍ରାଣଭୟରେ ସେଠାରୁ ଧାଇଁ ବାହାରିଲା । ଯୁବକଙ୍କୁ ଦେଖିବା ମାତ୍ରେ ରାଜକନ୍ୟାଙ୍କ ହୃଦୟ ଧୈର୍ଯ୍ୟ ଓ ଆଶ୍ଵାସନା ଦ୍ଵାରା ଅଧିକୃତ ହେଲା । ଲଜ୍ଜା ପ୍ରଭାବରେ ତାଙ୍କର ମୁଖମଣ୍ଡଳ ଈଷତ୍‍ ରକ୍ତବର୍ଣ୍ଣ ଧାରଣ କଲା, ସେ ମସ୍ତକ ନତକରି ଠିଆ ହେଲେ । ଯୁବକ ଭୂପତିତ ଭୀଲକୁ କହିଲେ,–‘ବନର ପ୍ରତ୍ୟେକ ଔଷଧ ତୁ ଜାଣୁ । କହ, କେଉଁ ଔଷଧରେ ଏବେ ତୁ ସୁସ୍ଥ ହେବୁ । ଯାହା କହିବୁ କରିବି ।’

 

‘ଶିବସିଂହ, ଭଗବାନ ଆପଣଙ୍କୁ ଏଠାକୁ ପଠାଇ ଆମ ଦୁହିଙ୍କୁ ରକ୍ଷା କରିଛନ୍ତି, ନୋହିଲେ ପଠାଣ ହାତରେ ଆମ ଜୀବନ ଯାଇଥାନ୍ତା । ଏ ଗଛର କେତୋଟି ପତ୍ର ତୋଳି ତହିଁର ରସ ଲଗାଇଲେ ମୁଁ ଯନ୍ତ୍ରଣାରୁ ମୁକ୍ତି ପାଇବି । ଭୀଲର ପରାମର୍ଶ ତତକ୍ଷଣାତ୍ ପାଳିତ ହେଲା ।

 

ବୃକ୍ଷାନ୍ତରାଳରେ ଦଣ୍ଡାୟମାନା ରୂପଲାବଣ୍ୟବତୀ ମୃଦୁହାସିନୀ ଯୁବତୀଙ୍କୁ ଶିବସିଂହ ପ୍ରଶ୍ନ କଲେ,–‘ଏଠାକୁ ଆସିଲେ କିପରି, ପଦ୍ମା ?’ ପଦ୍ମା ଶିବସିଂହଙ୍କ ଆଗରେ ଠିଆହୋଇ କହିଲେ,–‘ପୃଥ୍ୱୀସିଂହଙ୍କ ମୃତ୍ୟୁ ସମ୍ବାଦ ପାଇ କମଳକୁମାରୀ ଚନ୍ଦ୍ରାବତୀଙ୍କ ନିକଟକୁ ଖଣ୍ଡିଏ ପତ୍ର ଦେଇଥିଲେ, କିନ୍ତୁ ପତ୍ରଟି ଚନ୍ଦ୍ରାବତୀ ପାଇଲେ କି ନାହିଁ କିଛି ଜଣାଗଲା ନାହିଁ । ପରେ ମହାରଣା ଯଶୋବନ୍ତସିଂହ ମରିବା ଶୁଣି ସେ ଚନ୍ଦ୍ରାବତୀଙ୍କଠାକୁ ପୁଣି ଗୋଟିଏ ସାନ୍ତ୍ୱନା-ପତ୍ର ଲେଖି, ଅନ୍ୟ କାହା ହାତରେ ଦେଲେ ଚନ୍ଦ୍ରାବତୀଙ୍କ ହସ୍ତଗତ ହୋଇ ନ ପାରେ ଭାବି, ପତ୍ରଟି ମୋତେ ଦେଲେ ଏବଂ ମୋର ନିରାପଦ ଯାତ୍ରା ନିମିତ୍ତ ସଙ୍ଗରେ ଏହି ଭୀଲକୁ ପଠାଇଲେ । ମାର୍ଗରେ ଏହି ବିପଦ ଘଟିଛି, ତୁମେ ଆସି ନଥିଲେ ଆମ ଦୁହିଁଙ୍କ ଅବସ୍ଥା ଯେ କଣ ହୋଇଥାନ୍ତା, ତାହା ଭଗବାନ ହିଁ ଜାଣନ୍ତି ।’

 

ଶିବସିଂହ ଅଳ୍ପ ହସି ପଚାରିଲେ,–‘ପଦ୍ମା, ପତ୍ର ଧରି ଚନ୍ଦ୍ରାବତୀଙ୍କ ଠାକୁ ନା ଅନ୍ୟ କାହାଠାକୁ ଯାଉଥିଲ ?’

 

ଲଜ୍ଜାରେ ପଦ୍ମାଙ୍କ ମୁଖରୁ ଆଉ କଥା ବାହାର ହେଲା ନାହିଁ । ସେ ମନ୍ଦହାସ୍ୟ କରି ଭୂମିକୁ ଅନାଇ ରହିଲେ । କେତେକ ସମୟ ଉଭୟଙ୍କ ମଧ୍ୟରେ ତରୁଣ-ତରୁଣୀ-ସୁଲଭ ପ୍ରେମାଳାପ ଚାଲିଲା । ପରେ ପଦ୍ମା ପଚାରିଲେ,–‘ଜାଣିପାରିବି, ତୁମେ କାହିଁକି ଏ ବନ ମଧ୍ୟକୁ ଆସିଛ ?’

 

‘ଚନ୍ଦ୍ରାବତୀ ଓ ତାଙ୍କ ନବଜାତ ଶିଶୁଙ୍କୁ ଶତ୍ରୁ ହାତରୁ ରକ୍ଷା କରିବା ପାଇଁ ଦୁର୍ଗାଦାସ ସେମାନଙ୍କୁ ମୋ ସାହାଯ୍ୟରେ ଯୋଧପୁର ପଠାଉଛନ୍ତି । କେତେ ଜଣ ଭୀଲ ଦୁଇଜଣଙ୍କୁ ପାଲିକୀରେ ଧରି ଚାଲିଛନ୍ତି । ମୁଁ ସେମାନଙ୍କ ସଙ୍ଗେ ଯିବା ସମୟରେ ତୁମର କାତର ଶବ୍ଦ ଶୁଣି, ତୁମର ଉଦ୍ଧାରପାଇଁ ଚନ୍ଦ୍ରାବତୀ ମୋତେ ଏଠାକୁ ପଠାଇଲେ । ପାଲିକୀ ଆଗେ ଆଗେ ଚାଲିଛି, ମୋତେ ଶୀଘ୍ର ସେଥି ସଙ୍ଗେ ମିଶିବାକୁ ହେବ ।’

 

ବାଧାପ୍ରାପ୍ତ ଭୀଲ କହିଲା,–‘ଶିବସିଂହ, ଆପଣ ପଦ୍ମାଙ୍କୁ ସଙ୍ଗେ ଧରି ଚଞ୍ଚଳ ପାଲିକୀ ପାଖକୁ ଧାଇଁ ଯା’ନ୍ତୁ । ମୁଁ ପଛେ ପଛେ ଆସୁଛି ।’

 

ସେଠାରେ ସେହି ଭୀଲକୁ ଛାଡ଼ି, ଶିବସିଂହ ଓ ପଦ୍ମା ସେଠାରୁ ପ୍ରସ୍ଥାନ କଲେ ଏବଂ ଦିନକ ପରେ ସେହି ପାଲିକୀ ସହିତ ଯାଇ ମିଳିତ ହେଲେ । ଚନ୍ଦ୍ରାବତୀ ବହୁଦିନ ପରେ ପଦ୍ମାଙ୍କ ଦେଖି ଅପାର ପ୍ରୀତି ଲାଭ କଲେ । ଦୁହେଁ ପରସ୍ପରକୁ ପ୍ରେମାଲିଙ୍ଗନ କଲେ । ପଦ୍ମାଙ୍କୁ ଆନନ୍ଦ ଅକଥନୀୟ । ଅନେକ ସମୟ ଯାଏଁ ସେମାନଙ୍କ ମଧ୍ୟରେ ନାନା କଥାବାର୍ତ୍ତା ଚାଲିଲା । ପରେ ଶିବସିଂହଙ୍କ ଅନୁରୋଧ କ୍ରମେ ପଦ୍ମା ଚନ୍ଦ୍ରାବତୀଙ୍କ ସହିତ ପାଲିକୀରେ ବସିଲେ ଏବଂ ସମସ୍ତେ ଯୋଧପୁର ଅଭିମୁଖରେ ପୁନର୍ବାର ଯାତ୍ରା କଲେ ।

 

ଶିବିକାର ସ୍ତ୍ରୀ ଓ ଶିଶୁ ଯେ ଚନ୍ଦ୍ରାବତୀ ଓ ଅଜିତ୍‍ ସିଂହ, ଏହା ପଦ୍ମା ଓ ଶିବସିଂହଙ୍କ କଥୋପକଥନରୁ ଧରା ଯାଇଛି । ଚନ୍ଦ୍ରାବତୀ ଓ ତାଙ୍କ ନବଜାତ ସନ୍ତାନ ଶତ୍ରୁ ହାତରୁ କିପରି ରକ୍ଷା ପାଇଲେ ତାହା ଜାଣିବା ନିମିତ୍ତ ପାଠକମାନେ ବୋଧ ହୁଏ ଅତ୍ୟନ୍ତ ଉତ୍ସୁକ । ଏଣୁ ସେମାନଙ୍କ କୌତୂହଳ ନିବାରଣ ଲାଗି ଚନ୍ଦ୍ରାବତୀ ରକ୍ଷା ବିଷୟ ବର୍ଣ୍ଣନା ଉଚିତ ମନେ କରୁଁ ।

 

ପୂର୍ବେ କୁହାଯାଇଛି, ଚନ୍ଦ୍ରାବତୀଙ୍କୁ ଶତ୍ରୁ କବଳରୁ ରକ୍ଷା କରି ତାଙ୍କୁ ନିରାପଦ ରଖିବା ଉଦ୍ଦେଶ୍ୟରେ ଦୁର୍ଗାଦାସ ଓ ଇନ୍ଦିରା ନିରନ୍ତର ଚେଷ୍ଟା କରୁଥିଲେ । ଷଷ୍ଠ ପରିଚ୍ଛେଦବର୍ଣ୍ଣିତ ଗୋପଯୁବତୀହିଁ ଇନ୍ଦିରା । ଔରଂଜୀବ୍‍ ପ୍ରେରିତ ନୟନପାଳ ଓ ତାଙ୍କ ଅନୁଚରମାନଙ୍କ ହାତରୁ ସପୁତ୍ରଚନ୍ଦ୍ରାବତୀଙ୍କୁ ଉଦ୍ଧାର କରିବା ନିମିତ୍ତ ଦୁର୍ଗାଦାସ ଓ ଇନ୍ଦିରା ନିତାନ୍ତ ବ୍ୟାକୁଳ ହୋଇଉଠିଲେ, ଶେଷରେ ଉପାୟ ସ୍ଥିର କଲେ । ଆଗେ କୁହାଯାଇଛି–ନୟନପାଳ ଓ ଚନ୍ଦ୍ରାବତୀଙ୍କ ଶିବିର ନିକଟରେ ଇନ୍ଦିରାଙ୍କର ଗମନାଗମନ ଓ ବିତରଣ ଅବାଧ, ଅବାରିତ ଥିଲା । ସେଠାରେ କେହି ଚତୁରା ଇନ୍ଦିରାଙ୍କ ମୁଖ ଦେଖି ନଥିଲେ, କିନ୍ତୁ ତାଙ୍କ ବେଶଭୂଷାରୁ ହିଁ ସେ ବୋଲି ବୁଝି ନେଉଥିଲେ-। ଇନ୍ଦିରା ସେଦିନ ଗଉଡ଼ ପଲ୍ଲୀକୁ ଯାଇ, ଚନ୍ଦ୍ରାବତୀଙ୍କୁ ପ୍ରତ୍ୟହ ଦୁଧ ଯୋଗାଉଥିବା ବୃଦ୍ଧାକୁ ଚନ୍ଦ୍ରାବତୀ-ରକ୍ଷା-ଉପାୟ ବୁଝାଇ କହିଲେ । ତାଙ୍କଠାରୁ ବହୁମୂଲ୍ୟ ପୁରସ୍କାର ପାଇଁ ବୃଦ୍ଧା ସେହି କଥା ଅତି ଗୁପ୍ତଭାବରେ ରଖିଲା ।

 

ସେଦିନ ସକାଳେ ଇନ୍ଦିରା ଗୋପାଙ୍ଗନାବେଶରେ ଚନ୍ଦ୍ରାବତୀଙ୍କ ଛାଉଣିକୁ ଯାଇ ତାଙ୍କ ଟୋକେଇରେ ଶିଶୁ ଅଜିତ୍‍ସିଂହଙ୍କୁ ଅତି କୌଶଳରେ ଭରତି କରି ପଲ୍ଲୀକୁ ବାହୁଡ଼ିଲେ । କେତେକ ସମୟ ପରେ ସେ ନିଜ ବେଶରେ ପୁନର୍ବାର ଶିବିର ମଧ୍ୟରେ ପ୍ରବେଶ କଲେ, ଏବଂ ଚନ୍ଦ୍ରାବତୀଙ୍କୁ ନିଜ ପରିଚ୍ଛଦ ଦେଇ ତାହାଙ୍କୁ ଗଉଡ଼ ପଲ୍ଲୀକୁ ପଠାଇ ଦେଲେ । ଇନ୍ଦିରାଙ୍କ ବସ୍ତ୍ରରେ ଅବଗୁଣ୍ଠିତ ଥିବାରୁ ଚନ୍ଦ୍ରାବତୀଙ୍କୁ ଇନ୍ଦିରା ଜ୍ଞାନ କରି ପଠାଣ ସିପାହୀମାନେ ତାଙ୍କ ଗତିରେ ବାଧା ଦେଲେ ନାହିଁ-। ଇନ୍ଦିରା ଚନ୍ଦ୍ରାବତୀଙ୍କ ବେଶ ଧରି ଛାଉଣି ମଧ୍ୟରେ ରହିଲେ, ଏବଂ ଚନ୍ଦ୍ରାବତୀ ସେଠାରୁ ଚାଲିଯିବାର ଅବ୍ୟବହିତ ପରେ କରୁଣ କଣ୍ଠ ଓ ବିଳାପ ଧ୍ୱନିରେ ଅଜିତ୍‍ସିଂହଙ୍କ ମିଥ୍ୟା ମରଣ ସମ୍ବାଦ ପ୍ରଚାର କରିବା ସକାଶେ ଶିବିରର ପରିଚାରିକାମାନଙ୍କୁ ଆଦେଶ ଦେଲେ । ଫଳରେ ନୟନପାଳ ପ୍ରତାରିତ ହେଲେ । ତାଙ୍କର ପାପଚେଷ୍ଟା ବିଫଳ ହେଲା ।

 

ଏଣେ, ସେହି ବୃଦ୍ଧା ଗୋପାଳୁଣୀ ଗୃହରେ ଦୁର୍ଗାଦାସ ନିଯୁକ୍ତି କେତେ ଜଣ ଭୀଲ, ଶିବସିଂହ ଓ କେତେଜଣ ସୈନିକ ପାଲିକୀ ପ୍ରଚ୍ଛନ୍ନ ପ୍ରୟାଣ ନିମିତ୍ତ ପ୍ରସ୍ତୁତ ଥିଲେ । ଭୀଲମାନେ ଚନ୍ଦ୍ରାବତୀ ଓ ଅଜିତ୍‍ସିଂହଙ୍କୁ ପାଲିକୀରେ ଧରି ସୈନିକଦଳ ସହିତ ଶିବସିଂହଙ୍କ ନେତୃତ୍ୱ ଓ ପରିଚାଳନାରେ ଗୁପ୍ତଭାବରେ ଅତି ଶୀଘ୍ର ସେହି ପଲ୍ଲୀ ତ୍ୟାଗ କଲେ । ସେମାନେ ବନ ମଧ୍ୟରେ ଯୋଧପୁର ଅଭିମୁଖରେ ଚଞ୍ଚଳ ଓ ଉଦ୍‍ବିଗ୍ନ ଯାତ୍ରା କରିବା ସମୟରେ ପଦ୍ମାଙ୍କ କାତରଧ୍ୱନି ଚନ୍ଦ୍ରାବତୀଙ୍କ କାନରେ ପଡ଼ିଲା । ଶେଷରେ ଶିବସିଂହ ଭୀଲ ଓ ପଦ୍ମାଙ୍କୁ ପଠାଣମାନଙ୍କ ହାତରୁ ରକ୍ଷା କଲେ ।

Image

 

ନବମ ପରିଚ୍ଛେଦ

(ଉଦୟପୁର ରାଣାଙ୍କ ପ୍ରତିଜ୍ଞା)

 

ଆରାବଳୀ ଗିରିମାଳା ରାଜପୁତାନାର ଦକ୍ଷିଣ ଭାଗରେ ଅତ୍ୟୁଚ୍ଚ ପ୍ରାଚୀର ରୂପେ ଦଣ୍ଡାୟମାନ । ‘ଆରବଳୀ’ ଶବ୍ଦ ‘ଆଦର୍ଶାବଳୀ’ରୁ (ମୁକୁର ପଂକ୍ତି) ଉତ୍ପନ୍ନ । ତାହାର ସୀମା ମଧ୍ୟରେ ଉଦୟପୁର, ରୂପନଗର ଇତ୍ୟାଦି କେତେ ଗୋଟି ଗିରି ଦୁର୍ଗ ବିରାଜିତ । ଯେଉଁ ରାଜପୁତ୍‍ ବୀରଗଣ ସ୍ୱଦେଶ ଓ ସ୍ୱଜାତିର ଗୌରବ ରକ୍ଷା ପାଇଁ ନିଜ ମସ୍ତକ ଅକାତରଭାବରେ ଦାନ କରିଥିଲେ, ସେମାନଙ୍କର ପବିତ୍ର ନାମ କୀର୍ତ୍ତନରେ ଆରାବଳୀର ପ୍ରତି ପାହାଡ଼, ଶୃଙ୍ଗ ଓ ଗହ୍ୱର ମୁଖରିତ ।

 

ଆରାବଳୀଠାରୁ ଅଳ୍ପ କିଛି ଦୂରରେ ରାଜପୁତାନାର ସ୍ୱାସ୍ଥ୍ୟାବାସ (sanator।um)–ଆବୁ ପାହାଡ଼ । ଏହି ପାହାଡ଼ ଉତ୍ତର ଭାରତର ଗୋଟିଏ ପ୍ରଧାନ ତୀର୍ଥ ସ୍ଥଳ–ଦେବତା ଓ ଋଷିମାନଙ୍କ ବାସସ୍ଥାନ ବୋଲି ଖ୍ୟାତି ଲାଭ କରିଛି । ଏହା ଉପରେ ଅନେକ ଦେବାଳୟ ଓ ଜୈନମନ୍ଦିର । ସେଥି ମଧ୍ୟରେ ଅଚଳେଶ୍ୱର ନାମକ ଶିବ–ମନ୍ଦିର ଅନ୍ୟତମ ।

 

ଏହି ଆଖ୍ୟାୟିକାର ଘଟଣାବେଳେ, ଆବୁ ପାହାଡ଼ ଉପରେ ଜଣେ ସନ୍ୟାସୀ ବାସ କରୁଥିଲେ–ନାମ ବୈକୁଣ୍ଠ ଯୋଗୀ । ସେ ବଶିଷ୍ଠଙ୍କର ଅବତାର ବୋଲି ଖ୍ୟାତି ଅର୍ଜ୍ଜନ କରିଥିଲେ-। ସେଠାରେ ଅନ୍ୟ ସକଳ ତପସ୍ୱୀ ତାଙ୍କୁ ଗୁରୁ ଜ୍ଞାନ କରି ତାଙ୍କ ଆଦେଶରେ ହିଁ ଯେ କୌଣସି କାର୍ଯ୍ୟ କରୁଥିଲେ । ବୈକୁଣ୍ଠଯୋଗୀଙ୍କ ପ୍ରତି ସେହି ସମୟର ରାଜପୁତ୍ ରାଜାମାନଙ୍କର ଅଗାଧ ଭକ୍ତି ଓ ବିଶ୍ୱାସ । ସେମାନେ ତାହାଙ୍କୁ ଦେବତା ତୁଲ୍ୟ ପୂଜା କରୁଥିଲେ । ବିପନ୍ନ ରାଜପୁତ୍ ବୀରମାନେ ତାଙ୍କ ନିକଟରେ ସମୟୋଚିତ ପ୍ରତିକାର ଭିକ୍ଷା କରି ତାଙ୍କର ଉପଦେଶ ମାନି ଚଳୁଥିଲେ । ଯୋଗୀ ତିନି କାଳର ବିଷୟ ଜାଣିପାରୁଥିଲେ । ଯୋଗବଳରେ ସେ ତତ୍‍କାଳୀନ ସମସ୍ତ ରାଜ୍ୟର ସମ୍ବାଦ, ପ୍ରଧାନରେ ଯବନ ରାଜାମାନଙ୍କର ଗୁପ୍ତ ମନ୍ତ୍ରଣା ବୁଝିପାରି, ସେହି ସମସ୍ତ ବିଷୟ ତାଙ୍କ ନିକଟକୁ ଯାଉଥିବା ରାଜାମାନଙ୍କୁ ଶୁଣାଉଥିଲେ । ପଦବ୍ରଜରେ ଗୋଟିଏ ପର୍ବତରୁ ଅନ୍ୟ ପର୍ବତକୁ ଯିବା ତାଙ୍କର ଅଭ୍ୟାସ । ସେ ବହୁ ଦେଶ ପର୍ଯ୍ୟଟନ କରିଥିଲେ ।

 

ଯୋଗିଙ୍କର ବୟସ ସେତେବେଳେ ୫୦ ବର୍ଷ କିମ୍ବା ସେଥିରୁ କିଛି ଅଧିକ । ତଥାପି ତାଙ୍କ ଶରୀର ବିମଳ କାନ୍ତି, ପ୍ରଖର ସ୍ଫୁର୍ତ୍ତି ଓ ବିଚିତ୍ର ଶକ୍ତିରେ ଦୀପ୍ତ । ଗୌରବର୍ଣ୍ଣ, ପ୍ରଶାନ୍ତ ବଦନ, ଜ୍ୟୋତିର୍ମୟ ଚକ୍ଷୁ–କଣ୍ଠରେ ରୁଦ୍ରାକ୍ଷମାଳା, ସର୍ବାଙ୍ଗରେ ବିଭୂତି । ଅଚଳେଶ୍ୱର ମନ୍ଦିର ମଧ୍ୟରେ ସେ ଗାଢ଼ ତପସ୍ୟା କରିବାବେଳେ, ଦର୍ଶକର ମନେ ହେଉଥାଏ–ସାକ୍ଷାତ୍ ଶଙ୍କର ଆବୁ ପାହାଡ଼ରେ ଆବିର୍ଭୂତ । ସର୍ବଦା ଅଚଳେଶ୍ୱରଙ୍କ ସଂସର୍ଗରେ ଆସି ବୋଧହୁଏ, ସେ ପ୍ରତି ମୁହୂର୍ତ୍ତ ଅଚଳ ଅଟଳ ଧ୍ୟାନରେ ବୁଡ଼ି ରହୁଥିବେ । ଅନେକ ଭୀଲ ପୁରୁଷ ଓ ସ୍ତ୍ରୀ ତାଙ୍କର ଶିଷ୍ୟ । ସେ ଚକ୍ଷୁ ବୁଜି ଗଭୀର ଧ୍ୟାନରତ ଥିବାବେଳେ, ତାଙ୍କ ଶିଷ୍ୟମାନେ ତାଙ୍କ ଆଗରେ ବିଷ୍ଣୁ ସମକ୍ଷରେ ଗରୁଡ଼ ଭଳି, ହାତ ଯୋଡ଼ି ଠିଆ ହେଉଥିଲେ । କେଉଁ ଜାତିରେ ଯୋଗିଙ୍କର ଜନ୍ମ, ତାହା କେହି ଠିକ୍ ଜାଣି ନଥିଲେ । କିନ୍ତୁ ଦର୍ଶନ ନିମିତ୍ତ ଯେଉଁ ପଣ୍ଡିତମାନେ ପ୍ରତ୍ୟହ ତାଙ୍କ ନିକଟକୁ ଯାଉଥିଲେ, ସେମାନଙ୍କ ସହିତ ତାଙ୍କର ବିବିଧ ଶାସ୍ତ୍ରଚର୍ଚ୍ଚା ଓ ଗଭୀର ପାଣ୍ଡିତ୍ୟପୂର୍ଣ୍ଣ ଯୁକ୍ତିରୁ ଅନୁମତି ହେଉଥିଲା–ସେ ଉଚ୍ଚବଂଶଜାତ ଜଣେ ବ୍ରାହ୍ମଣ । ଯୋଗୀ ସର୍ବଦା ଅଚଳେଶ୍ୱରଙ୍କର ସ୍ତବ ସ୍ତୁତି ଗାନ କରୁଥିଲେ । ତାଙ୍କର ଭକ୍ତି-ରସାଣିତ ସରସ ସୁନ୍ଦର ଗୀତି-ଲହରୀରେ ମନ୍ଦିରଟି ମନ୍ଦିରଟି ଉଛୁଳି ଉଠୁଥିଲା ଏବଂ ଆବୁ ପାହାଡ଼ ସୁମଧୁର ସ୍ୱର୍ଗୀୟ ରସରେ ପ୍ଲାବିତ ହେଉଥିଲା । ଶ୍ରୋତାମାନଙ୍କର ବୋଧ ହେଉଥିଲା, ସତେ ଯେପରି ମହର୍ଷି ନାରଦ ଭଜନ ସଙ୍ଗୀତ-ସ୍ରୋତରେ ସୁରଧାମ ଭସାଇ ଦେଉଛନ୍ତି ।

 

ଦିନେ ସକାଳବେଳେ ଅଚଳେଶ୍ୱର ମନ୍ଦିର ମଧ୍ୟରେ ବୈକୁଣ୍ଠ ଯୋଗୀ କେତେ ଜଣ ଶିଷ୍ୟଙ୍କ ସଙ୍ଗେ ବସି ବେଦାଲୋଚନା କରୁଛନ୍ତି, ଏହି ସମୟରେ ଜଣେ ଶିଷ୍ୟ ସେଠାକୁ ଯାଇ ତାଙ୍କୁ ଜଣାଇଲା ଯେ ତାଙ୍କର ସାକ୍ଷାତ୍ ଲାଭ ସକାଶେ ରାଜସିଂହ ମନ୍ଦିର ଦ୍ୱାରରେ ଉପସ୍ଥିତ । ଯୋଗୀ ସେହିକ୍ଷଣ ଦେବାଳୟ ଦ୍ୱାରରେ ଯାଇ ରାଜସିଂହଙ୍କ ପ୍ରଣାମ ଗ୍ରହଣ କଲେ । ତାଙ୍କୁ ଦେଖି ଯୋଗୀଙ୍କ ହୃଦୟ ଗଭୀର ଆହ୍ଲାଦରେ ଫୁଲି ଉଠିଲା ।

 

ରାଜସିଂହ ମେବାରର ଶାସକ, ରାଜଧାନୀ ଉଦୟପୁର । ସେ ସତ୍ୟ-କଥନରେ ଯୁଧିଷ୍ଠିର, ସତ୍ୟରକ୍ଷାରେ ହରିଶ୍ଚନ୍ଦ୍ର, ପ୍ରଜାବତ୍ସଳତାରେ ଜନକ, ଦାନରେ କର୍ଣ୍ଣ ଏବଂ ବିକ୍ରମରେ ଅର୍ଜ୍ଜୁନ ଥିଲେ । ‘ଦେହୀ’ କହିବା ଲୋକକୁ ନାହିଁ’ ବୋଲିବା ଆଦୌ ସେ ଜାଣି ନଥିଲେ । ସ୍ତ୍ରୀର ସତୀତ୍ୱରକ୍ଷା, ରାଜପୁତ୍‍ ରମଣୀର ଧର୍ମରକ୍ଷା ସର୍ବାପେକ୍ଷା ତାଙ୍କର ପ୍ରିୟକାର୍ଯ୍ୟ । ଅଲୌକିକ ବୀରତ୍ୱ, ନୀତିପରାୟଣତା, ଶିଷ୍ଟ ଶାନ୍ତ ଗୁଣ ଯୋଗୁଁ, ସେ ସମଗ୍ର ରାଜପୁତ୍ ଜାତିର ପ୍ରୀତି ଓ ଭକ୍ତି ଅର୍ଜ୍ଜନ କରି ପାରିଥିଲେ । ହିନ୍ଦୁଦ୍ୱେଷୀ ଯବନର ଗର୍ବ ଖର୍ବ କରି, ଯବନ–ଶାସନ ସମୂଳ ଉତ୍ପାଟିତ କରି ସେମାନଙ୍କୁ ଦେଶରୁ ଏକାବେଳକେ ତଡ଼ିଦେବା ରାଜସିଂହଙ୍କ ଜୀବନର ଏକ ମାତ୍ର ଲକ୍ଷ୍ୟ, ଏକମାତ୍ର ଆକାଙ୍‍କ୍ଷା । ହିନ୍ଦୁର ମହତ୍ତ୍ୱ–ରକ୍ଷା, ରାଜପୁତ୍‍ର ସ୍ୱାଧୀନତା ରକ୍ଷା, ହିନ୍ଦୁସ୍ଥାନର ଗୌରବ ବୃଦ୍ଧି ତାଙ୍କ ପ୍ରାଣର ପ୍ରଧାନ ପଣ । ସେ ରାଜପୁତ୍‍ମାନଙ୍କ ଆଶା ଭରସାର ସ୍ଥଳ ଥିଲେ । ଯୋଧପୁର ଓ ଜୟପୁରର ରାଜାମାନଙ୍କ ଭଳି, ସେ ଔରଂଜୀବ୍‍ଙ୍କର ଦାସତ୍ୱ ସ୍ୱୀକାର କରି ନଥିଲେ । ସ୍ୱାଧୀନତା ତାଙ୍କ ପ୍ରାଣର ପ୍ରିୟ ପଦାର୍ଥ । ଏଣୁ ତାଙ୍କ ପ୍ରତି ସମ୍ରାଟଙ୍କର ତୀବ୍ର ବିରୋଧ ଓ ବିଦ୍ୱେଷ । ପ୍ରତିହିଂସା ନେଇ ସେ ତାଙ୍କୁ ଆୟତ୍ତରେ ଆଣିବା ସକାଶେ ସର୍ବଦା ସୁଯୋଗ ପ୍ରତୀକ୍ଷା କରୁଥିଲେ । ତଥାପି ସମ୍ରାଟ ପ୍ରତି ବୀର ରାଜସିଂହଙ୍କର ବିନ୍ଦୁ ମାତ୍ର ଭ୍ରୂକ୍ଷେପ ନ ଥିଲା ।

 

ବୈକୁଣ୍ଠ ଯୋଗୀଙ୍କ ପ୍ରତି ଉଦୟପୁର ରାଣା ରାଜସିଂହଙ୍କର ପ୍ରଗାଢ଼ ଭକ୍ତି ଓ ବିଶ୍ୱାସ । ପ୍ରତ୍ୟହ ଯୋଗିଙ୍କ ନିକଟକୁ ଯାଇ ତାଙ୍କ ପ୍ରତି ସମ୍ମାନ ଦେଖାଇବା ସେ ପବିତ୍ର ସୁଖକର କର୍ତ୍ତବ୍ୟ ମନେ କରୁଥିଲେ । ସେ ପ୍ରତ୍ୟେକ ଗୁରୁତର କାର୍ଯ୍ୟରେ ଯୋଗିଙ୍କ ପରାମର୍ଶ ନେଇ ଚଳୁଥିଲେ । ତାଙ୍କ ବାହୁବଳରେ, ତାଙ୍କ ଭବିଷ୍ୟତ୍ ଜୀବନରେ ଯୋଗୀଙ୍କ ଅଗାଧ ଆଶା ଓ ବିଶ୍ୱାସ ଥିଲା । ତାଙ୍କର ଶାରୀରିକ ସୌନ୍ଦର୍ଯ୍ୟ, ଚରିତ୍ର ମାଧୁର୍ଯ୍ୟ, ଶୌର୍ଯ୍ୟ ଓ ଗାମ୍ଭୀର୍ଯ୍ୟ ବଳରେ ସେ ଯୋଗିଙ୍କର ପରମ ପ୍ରୀତି ଭାଜନ ହୋଇ ପାରିଥିଲେ । ରାଜସିଂହହିଁ ହିନ୍ଦୁସ୍ଥାନ ସ୍ୱାଧୀନତା ରକ୍ଷାର ପ୍ରଧାନ ସମ୍ବଳ ବୋଲି ବୈକୁଣ୍ଠ ଯୋଗିଙ୍କର ଦୃଢ଼ ଧାରଣ । ତାଙ୍କର ବିଶ୍ୱାସ ରାଣାଙ୍କ ଅପୂର୍ବ ବିକ୍ରମରେ ହିଁ ଦିନେ ଯବନ ଶକ୍ତି ଦୁର୍ବଳ ହୋଇପଡ଼ିବ । ମାସ ମଧ୍ୟରେ ଅନ୍ତତଃ ଦୁଇଥର ତାଙ୍କର ସାକ୍ଷାତ୍ କରିବା ସକାଶେ ରାଜସିଂହଙ୍କ ପ୍ରତି ଯୋଗିଙ୍କର ସାଦର ଆଦେଶ ଥିଲା । ବହୁ ଦିନରୁ ଯୋଗୀ ଓ ରାଣାଙ୍କ ବନ୍ଧୁତା ବଦ୍ଧମୂଳ ହୋଇଥିଲା ।

 

ଯୋଗି ରାଜସିଂହଙ୍କ ହାତ ଧରି ପାହାଡ଼ର ଏକ ନିର୍ଜ୍ଜନ ସ୍ଥାନକୁ ଯାଇ କହିଲେ,–’ବତ୍ସ, ତୁମ ରାଜ୍ୟର ସମସ୍ତ କୁଶଳ ତ ? ଏଠାକୁ ଆସିବାର ଉଦ୍ଦେଶ୍ୟ ଜାଣି ପାରିବି ?’

 

‘ଅନ୍ୟ କିଛି ଉଦ୍ଦେଶ୍ୟ ନାହିଁ, ପ୍ରଭୋ! ଆପଣଙ୍କ ଦର୍ଶନ ଲାଭ-ହିଁ ଏକମାତ୍ର ଉଦ୍ଦେଶ୍ୟ । ଆପଣଙ୍କ କୃପାରେ, ମୋ ନିଜର ଓ ପ୍ରଜାମାନଙ୍କର ସମସ୍ତ ମଙ୍ଗଳ ।’

 

‘ଯଶୋବନ୍ତ ସିଂହଙ୍କ ସମ୍ବନ୍ଧରେ କଣ ଜାଣ ?’

 

‘ହଁ ପ୍ରଭୋ, ପ୍ରଜାଦ୍ରୋହ ଦମନ କରିବା ପାଇଁ ବର୍ତ୍ତମାନ ସେ କାବୁଲ ଯାଇଛନ୍ତି, ଆଉ ବିଶ୍ୱାସଘାତକ କ୍ରୂର ସମ୍ରାଟ ନିର୍ଦ୍ଦୋଷ ପୃଥ୍ୱୀ ସିଂହଙ୍କର ପ୍ରାଣ ନେଇଛି । ଏହା ଛଡ଼ା ଅଧିକ କିଛି ଖବର ରଖି ନାହିଁ ।’

 

‘ଓହୋ, ତୁମେ ଆହୁରି ଶୁଣିନାହିଁ–ସେ ବର୍ତ୍ତମାନ କାବୁଲରେ ନାହାନ୍ତି ।’

 

‘କଣ କହିଲେ, କାବୁଲରେ ନାହାନ୍ତି ! ତାହାହେଲେ, ସେଠାରେ ବିଦ୍ରୋହ ଶାନ୍ତ କଲେ କେବେ ? ଯୋଧପୁରକୁ ଫେରିଲେ ବା କେବେ ?’

 

‘ନା, ନା, ଯୋଧପୁରକୁ ଫେରି ନାହାନ୍ତି; ସଂସାର ପ୍ରତି ବିରକ୍ତ ହୋଇ ଦିବ୍ୟଧାମକୁ ଚାଲିଯାଇଛନ୍ତି ।’

 

‘କଣ ! ଯଶୋବନ୍ତସିଂହ ମୃତ ! ତେବେ ଚନ୍ଦ୍ରାବତୀଙ୍କ ଅବସ୍ଥା ?’

 

‘ଔରଂଜୀବ୍ ଥିବାସ୍ଥଳେ ଚନ୍ଦ୍ରାବତୀଙ୍କର ଆଉ ଭୟ କଣ ? ତାଙ୍କୁ ଅଙ୍କଶାୟିନୀ କରିବା ବାଦ୍‍ଶାହାର ଇଚ୍ଛା ।’

 

‘ସତୀ ଚନ୍ଦ୍ରାବତୀଙ୍କୁ ଅଙ୍କଶାୟିନୀ କରିବା ଯବନର ଉଦ୍ଦେଶ୍ୟ । ଯୋଧପୁରର ଶେଷରେ ଏହି ଦଶା ହେଲା ? ହାୟ, ଯୋଧପୁର ତାହା ହେଲେ ଏବେ ଶ୍ରୀହୀନ, ଅରାଜକ ।’

 

‘ରାଣା, ନୟନପାଳ ଯେତେବେଳେ ଅଛି, ଅରାଜକ କିପରି ? ପୂର୍ବରୁ ହିଁ ଏ ରାଜ୍ୟ ଉପରେ ତାହାର ଲୋଲୁପ ଦୃଷ୍ଟି ।’

 

‘କଣ, ଦୁର୍ମତି ନୟନପାଳ ଯୋଧପୁର ସିଂହାସନ ଅଧିକାର କରିବାକୁ ବସିଛି ! ଅନୁଗ୍ରହ କରି ଅନ୍ୟାନ୍ୟ ବିଷୟ ସବୁ କହିବେ ?

 

ପୃଥ୍ୱୀସିଂହଙ୍କ ଅକାଳ ମରଣ, ଚନ୍ଦ୍ରାବତୀଙ୍କର ଦ୍ୱିତୀୟ କୁମାର ଜନ୍ମ, ଚନ୍ଦ୍ରାବତୀଙ୍କୁ ଦିଲ୍ଲୀକୁ ନେବା ନିମିତ୍ତ ବାଦ୍‍ଶାହା ଆଦେଶରେ ନୟନ ପାଳଙ୍କର କାବୁଲ ଯାତ୍ରା ଇତ୍ୟାଦି ବିଷୟ ସେ ରାଣାଙ୍କୁ ବିସ୍ତୃତ ଭାବରେ ଜଣାଇଲେ । ଏହି ଦାରୁଣ ସମ୍ବାଦରେ ରାଜସିଂହ ଏକାବେଳକେ ଅପ୍ରତିଭ ! କିଛିକ୍ଷଣ ପରେ ସେ ପ୍ରକୃତିସ୍ଥ ହୋଇ ବଜ୍ର- ଗମ୍ଭୀର କଣ୍ଠରେ କହିଲେ,–‘କୃତଘ୍ନ ଔରଂଜୀବ୍ ସରଳ ସୁକୁମାର ପୃଥ୍ୱୀସିଂହଙ୍କୁ ହତ୍ୟା କରି ନିଜ ପତନ-ପଥ ପରିଷ୍କାର କରିଛି ମାତ୍ର । ଯଶୋବନ୍ତଙ୍କ ସାହାଯ୍ୟରେ ତାହାର ଏହି ପ୍ରଭାବ, ପ୍ରଭୁତ୍ୱ–ତାଙ୍କ ଲାଗି ହିଁ ତାହାର ସକଳ ଉନ୍ନତି-। ପାପିଷ୍ଠ ଯବନ ବୁଝିବ ଏଥର ବୀରଶ୍ରେଷ୍ଠ ରାଜସିଂହ ଶକ୍ତ–ଗନ୍ଧର୍ବ ଦେଖିବ ଏଥର କ୍ଷତ୍ରିୟର ଦୁର୍ଜ୍ଜୟ ତେଜ ।’

 

ଯୋଗୀ କହିଲେ,…’ରାଣା, ଯାହା ହେବାର ହୋଇଯାଇଛି, ସେଥିପାଇଁ ଭାବିତ ହେବା ଦରକାର ନାହିଁ । ଏହା ବାକ୍ୟର ସମୟ ନୁହେଁ, କିନ୍ତୁ କାର୍ଯ୍ୟର, ସାଧନାର । ନୟନପାଳ ଦୁରାଶାର ମୋହରେ ପଡ଼ି ସମ୍ରାଟ ହାତରେ ଚନ୍ଦ୍ରାବତୀ ଓ ଅଜିତ୍‍ଙ୍କୁ ଅର୍ପଣ କରିବାକୁ ବସିଛି । ଚନ୍ଦ୍ରାବତୀ ବର୍ତ୍ତମାନ ଶତ୍ରୁ ମଧ୍ୟରେ । ଦୁର୍ଗାଦାସ ଓ ଶିବସିଂହ ତାଙ୍କ ଉଦ୍ଧାର ଚେଷ୍ଟାରେ ଲାଗିଛନ୍ତି । ଏତେବେଳେ ତୁମ ସାହାଯ୍ୟ ପାଇଲେ ସେମାନେ ନୂତନ ବଳରେ ଦ୍ୱିଗୁଣ ଉତ୍ସାହିତ ହେବେ, ସନ୍ଦେହ ନାହିଁ । ତୁମେ ଏକା ଯୋଧପୁରର ମହତ୍ତ୍ୱ, ଚନ୍ଦ୍ରାବତୀଙ୍କର ମାନ ରକ୍ଷା କରିବାକୁ ସମର୍ଥ ବୋଲି ମୋର ଶକ୍ତ ଧାରଣା । ଏଣୁ ତୁମେ ଚଞ୍ଚଳ ଉଦୟପୁରକୁ ଫେରି ସେମାନଙ୍କଠାକୁ ସୈନ୍ୟ ପଠାଅ । ପରେ ଭଗବାନ ଯାହା କରିବେ । ଯାଅ ରାଣା, ଆଉ ବିଳମ୍ବ କର ନାହିଁ ।’

 

ରାଜସିଂହ ବିନୀତ ଭାବରେ କହିଲେ,–‘ପ୍ରଭୋ ! ଆପଣଙ୍କ ଆଦେଶ ଅବଶ୍ୟ ପାଳିବି, ଏହା ମୋର ଦୃଢ଼ ପ୍ରତିଜ୍ଞା । ବର୍ତ୍ତମାନ ମୋତେ ବିଦାୟ ଦିଅନ୍ତୁ ।’

 

ରାଜସିଂହ ଯୋଗୀଙ୍କ ପାଦରେ ପ୍ରଣିପାତ କରି ଉଦୟପୁରକୁ ବାହୁଡ଼ିଲେ । ଯୋଗୀ ଦେବାଳୟରେ ଯାଇ ଧ୍ୟାନମଗ୍ନ ହେଲେ।

Image

 

Unknown

ଦଶମ ପରିଚ୍ଛେଦ

(ସନ୍ଧାନ)

 

ନୟନପାଳ ଔରଂଜୀବ୍‍ଙ୍କର ଜଣେ ପ୍ରଧାନ ହିନ୍ଦୁ ସେନାପତି–ଯଶୋବନ୍ତ ସିଂହଙ୍କ ପିତୃବ୍ୟ-ପୁତ୍ର ! ତାଙ୍କର ପିତା ଅତ୍ୟନ୍ତ ଦୁରାଚାର ଓ ନିଷ୍ଠୁରଥିବାରୁ ତାଙ୍କ ପିତାମହ ଯଶୋବନ୍ତ ସିଂହଙ୍କୁ ରାଜ୍ୟଭାର ଦେଇଥିଲେ ! ଏହାହିଁ ଯଶୋବନ୍ତ ପ୍ରତି ନୟନପାଳଙ୍କ ବିଦ୍ୱେଷର ପ୍ରଧାନ କାରଣ ! ନୟନପାଳ ସର୍ବଦା ଯଶୋବନ୍ତଙ୍କ ପତନ- ପଥକୁ ଚାହିଁ ରହୁଥିଲେ ଏବଂ କୌଶଳରେ ଯୋଧପୁର ଦାଖଲ କରି ନେବା ଉଦ୍ଦେଶ୍ୟରେ ଯବାନ ସମ୍ରାଟଙ୍କର ପଦଲେହନ କରୁଥିଲେ ! ଏଣୁ ଯଶୋବନ୍ତଙ୍କ ମରଣସମ୍ବାଦରେ ନୟନପାଳଙ୍କ ସନ୍ତୋଷନୁଭଵ ବିଚିତ୍ର ନୁହେ ! ଯଶୋବନ୍ତ ପ୍ରତି ନୟନପାଳଙ୍କର କୁଟିଳ ଭାବ ଏବଂ ତାଙ୍କର ଯୋଧପୁର ଲାଭାଶା ସ୍ପଷ୍ଟ ବୁଝିପାରି ଚତୁର ମନ୍ତ୍ରଣାକୁଶଳ ଔରଂଙ୍ଗଜୀଵ୍‍ ତାହାଙ୍କୁ ହିଁ ଯଶୋବନ୍ତ ଓ ଯୋଧପୁର ବିରୁଦ୍ଧରେ ପ୍ରବୃତ୍ତ କରିଥିଲେ–ଚନ୍ଦ୍ରାବତୀ-ଆମନ୍ତ୍ରଣରେ ନିଯୁକ୍ତ କରିଥିଲେ ! ଏହି ସୁଯୋଗ ପାଇ ନୟନପାଳ ବାଦ୍‍ଶାହାଙ୍କର ଆଦେଶ ପାଳନରେ ବିଶେଷ ଆଗ୍ରହ ପ୍ରକାଶ କରୁଥିଲେ ! ଯଶୋବନ୍ତ ସିଂହଙ୍କର ଅନିଷ୍ଟ ସାଧନ କରି କିମ୍ବା କୌଣସି ଉପାୟରେ ତାଙ୍କର ମୃତ୍ୟୁ ଘଟାଇ ନୟନପାଳଙ୍କୁ ଅଥବା ତାଙ୍କର ଅନ୍ୟକାହାରିକୁ ଯୋଧପୁରର ରାଜା କରିବା ସମ୍ରାଟଙ୍କର ଉଦ୍ଦେଶ୍ୟ ! କିନ୍ତୁ ଯଶୋବନ୍ତଙ୍କର ବିଚିତ୍ର ବାହୁବଳ ଯୋଗୁଁ ତାଙ୍କର ଏହି ଉଦ୍ଦେଶ୍ୟ ସଫଳ ହୋଇପାରିନଥିଲା !

 

ଯଶୋବନ୍ତ ସିଂହଙ୍କୁ ମୃତ୍ୟୁ-ସମ୍ବାଦ ପାଇ, ନିଜକୁ ଯୋଧପୁର ସିଂହାସନର ପ୍ରଧାନ ଓ ପ୍ରକୃତ ଦାବୀକାରକ ଜ୍ଞାନ କରି, ଏବଂ ବାଦ୍‍ଶାହାଙ୍କ ହାତରେ ଚନ୍ଦ୍ରାବତୀଙ୍କୁ ଅର୍ପଣ କଲେ ବାଦ୍‍ଶାହା ତାଙ୍କ ପ୍ରତି ଅଧିକ ପ୍ରୀତି ହୋଇ ପାରିବେ ଭାବି, ନୟନପାଳଙ୍କ ହୃଦୟ ଆଶା ଓ ଆନନ୍ଦ ପାଇଁ ସ୍ଥାନ ଆଉ ଯୋଗାଇ ପାରିଲା ନାହିଁ ! ଅଜିତସିଂହ ମରଣ ପରେ ତାଙ୍କ ଭିନ୍ନ ଯୋଧପୁର ରାଜବଂଶରେ ଅନ୍ୟ କେହି ଯୋଗ୍ୟ ଦାୟାଦ ନଥିବାରୁ, ସମ୍ରାଟ ଅବଶ୍ୟ ତାଙ୍କ ହାତରେ ହିଁ ଯୋଧପୁର ଶାସନ ଭାର ଦେବେ, ଏହି ଆଶାରେ–ନୟନପାଳ ଧାରାକୁ ସାରା ମନେ କଲେ, ଗର୍ବରେ ଛାତି ଫୁଲାଇ ଚାଲିଲେ ! କିନ୍ତୁ ଈଶ୍ଵରଙ୍କ ଇଚ୍ଛା ଯେ ଅନ୍ୟପ୍ରକାର, ଏହା ସେ ଆଦୌ ବୁଝିପାରିଲେ ନାହିଁ ! ଚନ୍ଦ୍ରାବତୀଙ୍କୁ ଦିଲ୍ଲୀକୁ ଧରିନେବା ପାଇଁ କାବୁଲରେ ପାଦଦେବ ମୁହୂର୍ତ୍ତରୁ, ନୟନପାଳ ତାଙ୍କର ଉନ୍ନତିକଣ୍ଟକ ଦୁର୍ଗାଦାସଙ୍କର ଅନିଷ୍ଟ କରିବାକୁ ବସିଲେ–ତଦ୍ଦ୍ୱାରା କିନ୍ତୁ ନିଜ ଗାତରେ ନିଜେ ପଡ଼ିବା ଆରମ୍ଭ କଲେ ମାତ୍ର ଶିବସିଂହ ଓ ଚନ୍ଦ୍ରାବତୀ ଗୁପ୍ତ ଭାବରେ କାବୁଲ ଛାଡ଼ିବା ଦିନଠାରୁ, ନୟନପାଳ ଓ ଦୁର୍ଗାଦାସଙ୍କ କପଟ-ସ୍ନେହ ବୃଦ୍ଧି ପାଇବାକୁ ଲାଗିଲା ଏବଂ ଦୁହେଁ ପରସ୍ପରକୁ ପ୍ରତାରିତ କରି ଆଶା ଓ ସନ୍ତୋଷରେ ଭାସିଲେ ! ଚନ୍ଦ୍ରାବତୀ ପ୍ରସବ-ପିଡ଼ାରୁ ମୁକ୍ତି ପାଇଲେଣି କି ନା ତାହା ବୁଝିବା ସକାଶେ ନୟନପାଳଙ୍କ ଦ୍ୱାରା ପୁନଃ ପୁନଃ ଅନୁରୁଦ୍ଧ ହୋଇ ଦୁର୍ଗାଦାସ ବୁଝି ଆସି କହୁଥିଲେ,–‘ଚନ୍ଦ୍ରାବତୀ ଆହୁରି ଅସୁସ୍ଥା, ଦୁଇ ତିନି ଦିନ ପରେ ଯାଇ ପାରିବେ-!’

 

ନୟନପାଳ ଆନନ୍ଦରେ କହୁଥିଲେ,–‘ଆଉ କିଛି ବିଳମ୍ବ ହେଉ, କ୍ଷତି ନାହିଁ ! ତାଙ୍କୁ ସୁଖ ସୁବିଧାରେ ଦିଲ୍ଲୀକୁ ନେବା ମୋର ମଧ୍ୟ ଇଚ୍ଛା !’ ତାଙ୍କର ଦୁରାଶାଜନିତ ସନ୍ତୋଷ-ପ୍ରକାଶରେ ଦୁର୍ଗାଦାସ ମନେ ମନେ ହସୁଥିଲେ !

 

ସନ୍ଧ୍ୟା ସମୟ ! ଦିବସର ଶେଷ କିରଣରେ ପ୍ରକୃତି ହସି ଉଠୁଛି ! ରାତ୍ରି ଆଗମନ ଭୟରେ ପକ୍ଷୀମାନେ ନିଜ ନିଜ ବାସସ୍ଥାନକୁ ରାବ ଦେଇ ଉଡ଼ୁଛନ୍ତି ! ନୟନପାଳଙ୍କ ସୈନିକମାନେ ଯେ ଯାହାର ନିର୍ଦ୍ଧିଷ୍ଟ କାମରେ ଲାଗିଛନ୍ତି, ଏହି ସମୟରେ ନୟନପାଳ ନିଜ ଅନୁଚରମାନଙ୍କ କାର୍ଯ୍ୟ ପରୀକ୍ଷା କରିବା ନିମନ୍ତେ ନିଜ ଶିବିର ଚତୁର୍ଦ୍ଦିଗରେ ଧୀରେ ପଦସଂଚାର କରୁଥିଲେ ! ସେତେବେଳେ ତାଙ୍କ ମୁଖ ଉପରେ ଚିନ୍ତାରେ ଗୋଟିଏ ରେଖା ସ୍ପଷ୍ଟ ପ୍ରତିଭାତ ! ବୁଲିବାବେଳେ ସେ ଥରେ ଥରେ ମୃଦୁହାସ୍ୟ, ଥରେ ଥରେ ଶୁଶ୍ରୂସ୍ପର୍ଶ କରୁଥିଲେ; କେତେବେଳେ ତାଙ୍କ ମୁଖଗମ୍ଭୀର ଆକାର ଧରୁଥିଲା, କେତେବେଳେ ବା ବିରକ୍ତି-ଚିହ୍ନରେ ଇଷତ୍‍ ଲାଲ ହୋଇ ଉଠୁଥିଲା ! ଏହି ସମୟରେ ତାଙ୍କର ଜଣେ ସୈନିକ ତାଙ୍କ ନିକଟକୁ ଯାଇ, ପ୍ରଥମେ ଏଣୁ ତେଣୁ ନାନାକଥା କହି, ପରେ ଅତି ଧୀର ସ୍ୱରରେ କହିଲା–ମହାରାଜ, ଦୁର୍ଗାଦାସଙ୍କ ମୁଖ-ଲକ୍ଷଣ ଓ ଗତିବିଧିରୁ ଜଣା ଯାଉଛି, ସେ ଗୁପ୍ତଭାବରେ ଆମର କିଛି ଅନିଷ୍ଟ କରୁଛନ୍ତି ! ହୁସିଆର ନ ରହିଲେ ଆପଦ ଘଟିପରେ !

 

ନୟନପାଳ ହଠାତ୍‍ ଚମକିତ ! ବିସ୍ମୟରେ ତାଙ୍କ ମୁଖ ବିବର୍ଣ୍ଣ ! କହିଲେ,–‘କଣ, ଦୁର୍ଗାଦାସ ? ଆମର ଅନିଷ୍ଟ ? ମୋଠାରେ ତାହାର ଯେ ଏତେ ଭକ୍ତି ସ୍ନେହ ! ଏତେ ପ୍ରେମାଳାପ ! ତଥାପି ଦ୍ରୋହ ! ଏଠାରେ ମୋର ବହୁ ସୈନିକ ଥିବା ସ୍ଥଳେ ସେ କି ମୋର ଅନିଷ୍ଟ କରିପାରିବ ? ଯୁଧ୍ୟରେ କଣ ପାରିବ ? ଅସମ୍ଭବ ! ହେଉ, ପ୍ରତିକାରରେ ଯଥେଷ୍ଟ ସମୟ ଓ ସୁବିଧା ଅଛି ! ଦୁର୍ଗାଦାସଠାକୁ ଏହିକ୍ଷଣି ଯାଇ ଜଣାଅ, ସେ ଆଉ ଇନ୍ଦିରା ପୂର୍ବପରି ଶିବିର ପାଖରେ ଏଣେତେଣେ ବୁଲିପାରିବେ ନାହିଁ ! ପରେ ଅନ୍ୟାନ୍ୟ କଥା !’

 

ସେ ଏପରି ଆପଣାକୁ ଓ ସେହି ସିପାହୀକୁ ଆଶ୍ୱସ୍ତ କଲେ ! ତଥାପି ତାଙ୍କ ହୃଦୟ ସନ୍ଦେହର ଅଧୀନ, ଏଣୁ ସେ ବିଚଳିତ ! ଚନ୍ଦ୍ରବତୀଙ୍କୁ ବାଦ୍‍ଶାହା ନିକଟକୁ ନେଇ ଉପହାର ପାଇବା ଆଶାରେ ଅତି ଶୀଘ୍ର ଦିଲ୍ଲୀ ଯାତ୍ରା କରିବା ସକାଶେ ସେ ଦୁର୍ଗାଦାସ ଓ ନିଜ ସେନାଦଳକୁ ଆଦେଶ ଦେଲେ ! ପରଦିନ ସେ ଓ ତାଙ୍କ ଅନୁଚରମାନେ ଦୁର୍ଗାଦାସ ଓ ଚନ୍ଦ୍ରାବତୀଙ୍କୁ ସଂଗେ ଧରି ଯାତ୍ରା ଆରମ୍ଭ କଲେ ! ସେମାନେ ବହୁ ବନ, ଦୁର୍ଗ ଓ ଗ୍ରାମ ଅତିକ୍ରମକରି ତିନି ଦିନ ପରେ ଜାଲାଲାବାଦ ଦୁର୍ଗରେ ଯାଇ ଉପସ୍ଥିତ ହେଲେ ! ସେଠାରେ ପୂନର୍ବାର ଶିବିର ସ୍ଥାପିତ ହେଲା ! କି ଉଦ୍ଦେଶ୍ୟରେ କେଜାଣି, ନୟନପାଳ ଚନ୍ଦ୍ରାବତୀଙ୍କ ଶିବିର ନିକଟରେହିଁ ନିଜ ଶିବିରଟି ସ୍ଥାପନ କଲେ ! ତାଙ୍କ ସୈନିକମାନେ ପୂର୍ବ ପରି ପ୍ରତିମୁହୂର୍ତ ଶିବିର ଘେରି ରହିଲେ ଏବଂ ଶିବିର ସୀମା ମଧ୍ୟରେ ଇଚ୍ଛାନୁଯାୟୀ ଭ୍ରମଣ ନକରିବା କାରଣ ଦୁର୍ଗାଦାସ ପ୍ରଭୃତିଙ୍କୁ ପୁଣି ନିଷେଧାଜ୍ଞା ଦିଆଗଲା ! ନୟନପାଳ ଦିନେ ଅତିଶୟ ଉଦ୍‍ଵିଗ୍ନ ମନରେ, ତରତର ଦୃଷ୍ଟିରେ ଏକାକୀ ଶିବିର ଚତୁଃପାର୍ଶ୍ୱରେ ବୁଲି କ୍ଷୀଣ, ଅସ୍ପଷ୍ଟ ଭାବରେ କହୁଥିଲେ,–‘ମୁଁ କିନ୍ତୁ ନିଶ୍ଚିନ୍ତ ରହିବି କିଆଁ ? ରୂପ ! ପିଲାଦିନେ ଦେଖିଥିଲି ସିନା, କିଛି ମନେ ହେଉନାହିଁ.....ଏତେ ଶ୍ରମ କରି ବାଦ୍‍ଶାହା ହାତରେ ଦେବି କାହିଁକି ? .....ତେବେ–ମୋର ସେ କରିବ କଣ ? ...କହିବି, ଠକି୍‍ ଚାଲିଯାଇଛି.....ତାହାକୁ ନ ଦେଖି, ଯାହାହେଉ, କିଛି ସ୍ଥିର କରିବା ଭଲ ନୁହେଁ ! ‘କିଛିକ୍ଷଣ ଏପରି ପ୍ରଳାପ କରିବା ପରେ ସେ ହଠାତ୍‍ ଚନ୍ଦ୍ରାବତୀଙ୍କ ଶିବିର ଦ୍ୱାରକୁ ଯାଇ ସେଠାରେ ଜଣେ ଦାସୀକୁ କହିଲେ,–‘ଚଞ୍ଚଳ ଚନ୍ଦ୍ରାବତୀଙ୍କୁ ଜଣାଅ, ମୁଁ ଭିତରକୁ ଆସୁଛି ! ‘ଦାସୀ ଶିବିର ମଧ୍ୟକୁ ଚାଲିଗଲା ! କିନ୍ତୁ ସେ ଚନ୍ଦ୍ରାବତୀଙ୍କ ନିକଟରୁ ଫେରିବା ଯାଏଁ ଅପେକ୍ଷା ନକରି, ନୟନପାଳ ଶିବିର ମଧ୍ୟରେ ପ୍ରବିଷ୍ଟ ହେଲେ ! ତାଙ୍କର ହାବଭାବ ଠଉରାଇ, ତାଙ୍କ ନିକଟରୁ ଅନିଷ୍ଟ ଆଶଙ୍କା କରି, ଦୁର୍ଗାଦାସ ପ୍ରତି ମୁହୂର୍ତ୍ତ ସତର୍କତା ସହିତ ତାଙ୍କର ଗତିବିଧି ଲକ୍ଷ୍ୟ କରୁଥିଲେ ! ଏଣୁ ନୟନପାଲଙ୍କ ପଛେ ପଛେ ସେ ଶିବିର ଦ୍ୱାରରେ ଯାଇ ଠିଆ ହୋଇଗଲେ ! ନୟନପାଳ ହଠାତ୍‍ ଛାଉଣି ମଧ୍ୟରେ ପ୍ରବେଶ କରିବେ ବୋଲି ନ ଜାଣି ନ ଶୁଣି, ଇନ୍ଦିରା ଅବଗୁଣ୍ଠନ ଖୋଲି ଅସାବଧାନ ଭାବରେ ବସିଥିଲେ ଏବଂ ପାର୍ଶ୍ୱରେ ଠିଆ ହୋଇଥିବା ଦାସୀମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ ! ଶିବିର ମଧ୍ୟରେ ଏଣେତେଣେ ଥରେ ଚକ୍ଷୁ ବୁଲାଇବା ପରେ ନୟନପାଳ ଇନ୍ଦିରାଙ୍କୁ ଲକ୍ଷ୍ୟ କରି ଜଣେ ପରିଚାରିକାକୁ ପଚାରିଲେ,–’ଚନ୍ଦ୍ରାବତୀ ଏ ?’ ସେ ସମସ୍ତ ଗୁପ୍ତ ବିଷୟ ଜାଣିପାରିଛନ୍ତି, ଏଣୁ ସତ୍ୟ କଥା ପ୍ରକାଶ ନ କଲେ କ୍ରୁଦ୍ଧ ହେବେ ବୋଲି ଭୟକରି ଦାସୀର ସର୍ବାଙ୍ଗ ଏକାବେଳକେ ଥରିଗଲା ! ଭୟଜନିତ ଭଗ୍ନକଣ୍ଠରେ କହିଲା,–’ନା–ନା–ଏ ଚ–ନ୍ଦ୍ରା–ବ–ତୀ–ନୁ–ହ–ନ୍ତି ଇ–ଇ–ଇ–ଇନ୍ଦିରା !’

 

ତାଙ୍କ ଅନୁମାନ ଠିକ୍‍ ହୋଇଥିବାର ଦେଖି ଭୟଙ୍କର କୋପରେ ନୟନପାଳଙ୍କର ସମସ୍ତ ଶରୀର ଵିକମ୍ପିତ ! ଜବା ପୁଷ୍ପ ପରି ଚକ୍ଷୁ ଲାଲ କରି ଦେଇ ରୁକ୍ଷ ସ୍ୱରରେ କହିଲେ,–ପିଶାଚି, ଇନ୍ଦ୍ରାବତୀ କେଉଁଆଡ଼େ ଯାଇଛି, କହିବୁ କି ନାହିଁ ? ଦାସୀର ବୋଧ ହେଲା–ତାଙ୍କର ମସ୍ତକରେ ପର୍ବତ ଚୂର୍ଣ୍ଣ ହୋଇପଡ଼ିଛି ! ମିଥ୍ୟା କହିଲେ ପ୍ରାଣ ଯିବ ଭାବି, ହଠାତ୍‍ କହି ପକାଇଲା–‘ସେ ଇନ୍ଦିରାଙ୍କ ବେଶରେ ପଳାଇଛନ୍ତି ! ‘ରୋଷଜର୍ଜ୍ଜରିତ କେଶରୀ ତୁଲ୍ୟ ଗର୍ଜ୍ଜନ କରି ଆରକ୍ତ ମୁଖରେ ଦ୍ୱାରଦେଶ ପ୍ରତି ଦୃଷ୍ଟିପାତ କରି ଦୁର୍ଗାଦାସଙ୍କୁ କହିଲେ,–‘ଦୁର୍ମତି ଦୁର୍ଗାଦାସ, ଦେଖୁଛି, ଏ ଦୁଷ୍ଟାମି ସବୁ ତୁମର ! ତୁମେ ଏପରି ଦ୍ରୋହ କରିବା ବୋଲି ସ୍ୱପ୍ନରେ ସୁଦ୍ଧା ଭାବିନଥିଲି ! ଚନ୍ଦ୍ରାବତୀ ଏବେ କେଉଁଠାରେ, କହିବା କି ନାହିଁ !’ ଏହା କହି ଖଡଗୋତ୍ତୋଳନ କଲେ !

 

ନୟନପାଳଙ୍କ କ୍ରୋଧପ୍ରକାଶରେ କିଞ୍ଚିନ୍ନାତ୍ର ବିଚଳିତ ନ ହୋଇ ଦୁର୍ଗାଦାସ ଘୃଣାବ୍ୟଞ୍ଜକ ମୃଦ୍ୟୁ ହାସ୍ୟ କରି ନିରୁତ୍ତର ରହିଲେ ! ନୟନପାଳ କର୍କଶ କଣ୍ଠରେ ଇନ୍ଦିରାଙ୍କୁ କହିଲେ,–‘ଚନ୍ଦ୍ରାବତୀ ବିଷୟ ତୁ ମଧ୍ୟ କହୁଛୁ କି ନାହିଁ ? କହ ଚଞ୍ଚଳ, ନ ହେଲେ ଦେଖ୍‍ ଏ ଖଡ୍‍ଗ !’ ଇନ୍ଦିରା ମଧ୍ୟ ନୀରବ-!

 

ନୟନପାଳଙ୍କର ବାରମ୍ବାର ତର୍ଜ୍ଜନ ଗର୍ଜ୍ଜନ, ଭୟ ପ୍ରଦର୍ଶନ ସତ୍ତ୍ୱେ, ଦୁର୍ଗାଦାସ ହାସ୍ୟ-ପ୍ରକାଶ ଭିନ୍ନ ଅନ୍ୟ କୌଣସି ଉତ୍ତର ଦେଲେ ନାହିଁ ! ନୟନପାଳ ବିରକ୍ତ ଓ ହତାଶ ହୋଇପଡ଼ିଲେ-! ଏଠି ସମ୍ବନ୍ଧରେ ଅଧିକ ପ୍ରଶ୍ନ ଅନାବଶ୍ୟକ ଭାବି, ଦୁର୍ଗାଦାସଙ୍କୁ ହତ୍ୟା କରିବା ସ୍ଥିର କଲେ-! କିନ୍ତୁ ଦୁର୍ଗାଦାସ ଜୀବିତ ଥିଲେ ଚନ୍ଦ୍ରାବତୀଙ୍କ ସନ୍ଧାନ ପାଇପାରିବେ ବୋଲି ଆଶା କରି ସେ ତାଙ୍କର ସେହି ସଂକଳ୍ପ ତ୍ୟାଗ କଲେ ଚନ୍ଦ୍ରାବତୀଙ୍କୁ ସମ୍ରାଟ ନିକଟରେ ପହଞ୍ଚାଇ ଯୋଧପୁର ଦାଖଲ କରିବେ ବୋଲି ସେ ଯେଉଁ ଆଶା ଗଢ଼ିଥିଲେ, ତାହା ଏକାବେଳେ ଚୁର୍ଣ୍ଣ ହୋଇଗଲା ! ପରେ, ସେହି କଥା ନେଇ ଅଧିକ ଭାବିତ ଓ ଉତ୍ତ୍ୟକ୍ତ ହେବା ଅନୁଚିତ ମନେକରି ନୟନପାଳ ଚନ୍ଦ୍ରାବତୀଙ୍କ ସନ୍ଧାନ ପାଇଁ ବିଭିନ୍ନ ଦିଗରେ ସୈନ୍ୟ ପଠାଇଲେ ଏବଂ ଦୁର୍ଗାଦାସ ଓ ଇନ୍ଦିରାଙ୍କୁ ବନ୍ଦୀ କରି ଅବଶିଷ୍ଟ ଅନୁଚରମାନଙ୍କ ସହିତ ନିଜେ ମଧ୍ୟ ସେହି କାର୍ଯ୍ୟରେ ବାହାରିଲେ !

Image

 

ଏକାଦଶ ପରିଛେଦ

(ନୈରାଶ୍ୟ)

 

ଜାଲାଲାବାଦ୍‍ ଦୁର୍ଗରୁ ବାହାରି ନୟନପାଳ ସସୈନ୍ୟ ଚନ୍ଦ୍ରାବତୀଙ୍କ ଅନୁସନ୍ଧାନ କରିବାକୁ ଲାଗିଲେ ! ମାର୍ଗରେ ପ୍ରତ୍ୟେକ ପଲ୍ଲୀ ଓ ଦୁର୍ଗ ତନ୍ନ ତନ୍ନ ପରୀକ୍ଷା କରି ଚାଲିଲେ ! ଯାତ୍ରା କରୁଁ କରୁଁ ସେ ଦିନେ ଦେଖିଲେ, ଗୋଟିଏ ଗ୍ରାମର ପାର୍ଶ୍ୱଦେଶରେ ପାଲିକୀ-ସ୍କନ୍ଧରେ କେତେ ଜଣ ଭୀଲ କେତେ ଜଣ ରାଜପୁତ୍‍ ସୈନିକ ସହିତ ଚାଲିଛନ୍ତି ! ନୟନପାଳଙ୍କର ଆଦେଶରେ ତାଙ୍କ ଅନୁଚରମାନେ ହଠାତ୍‍ ସେହି ସ୍ଥଳରେ ପହଞ୍ଚି ପାଲିକୀବାହକମାନଙ୍କର ଗତିରୋଧ କରିଦେଲେ ! ଭୀଲମାନେ ସେଠାରେ ପାଲିକୀ ରଖିବାକୁ ବାଧ୍ୟ ହେଲେ ଏବଂ ତାହା ଘେରି ରହି ସେଥିର ରକ୍ଷା ଚେଷ୍ଟା କଲେ ! ଦୁଇଦଳ ମଧ୍ୟରେ ପ୍ରଚଣ୍ଡ ଯୁଦ୍ଧ ଆରମ୍ଭ ହେଲା ଶିବିକା ମଧ୍ୟରେ ଚନ୍ଦ୍ରାବତୀ ଥିବା ସ୍ଥିର କରି ଦୁର୍ଗାଦାସ ଓ ଇନ୍ଦିରା ବିପଦଶଙ୍କା କଲେ ଏବଂ ‘ବାରବର୍ଷର ଏକାଦଶୀ ଶୁଖୁଆ ପେଡ଼ାରେ ଗଲା’ ଭାବି ମର୍ମାହତ ହୋଇପଡ଼ିଲେ ! ଦୁର୍ଗାଦାସ ଯଶୋବନ୍ତସିଂ ନିକଟରେ ଯୋଧପୁର ରକ୍ଷା ସକାଶେ ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ସ୍ମରଣ କରି ବାହ୍ୟଜ୍ଞାନଶୂନ୍ୟ ହୋଇଗଲେ ! ନୟନପାଳଙ୍କ ହାତରେ ଚନ୍ଦ୍ରାବତୀଙ୍କ ମରଣାଶଙ୍କା କରି ଇନ୍ଦିରାଙ୍କ ପ୍ରାଣ ଫାଟିଗଲା-! ନୟନପାଳ କିନ୍ତୁ ଚନ୍ଦ୍ରାବତୀ-ଲାଭ ନିଶ୍ଚିନ୍ତ ମନେ କରି ଆନନ୍ଦରେ ନାଚିଲେ-! ଦୁର୍ଗା ଦାସ ବର୍ତ୍ତମାନ ଉପାୟନ୍ତର ନ ଦେଖି, ନୟନପାଳ ସଙ୍ଗେ ପ୍ରାଣପ୍ରଣେ ଲଢେ଼ଇ କରି ଚନ୍ଦ୍ରାବତୀ ଓ ଅଜିତ୍‍ସିଂହଙ୍କୁ ବିପଦରୁ ଉଦ୍ଧାର କରିବା ଲାଗି ସ୍ଥିରସଙ୍କଳ୍ପ ହେଲେ !

 

ଅଧିକ ସଂଖ୍ୟକ ପଠାଣ ସୈନ୍ୟର ଆକ୍ରମଣ ସହି ନପାରି, ଭୀଲ ଓ ରାଜପୁତ୍‍ ଦଳର କେତେଜଣ ଜୀବନ ହରାଇଲେ ! ନୟନପାଳ ଆଶାନ୍ଵିତ ହୃଦୟରେ ତରବାରି ବୁଲାଇ ପାଲିକୀ ପ୍ରତି ଅଗ୍ରସର ହେଲେ ! ପାଲିକୀବାହାକମାନେ ସେତେବେଳେ ଯୁଦ୍ଧରେ ମାତିଥିବାରୁ ନୟନପାଳଙ୍କ କାର୍ଯ୍ୟରେ ବାଧା ଦେଇପାରିଲେ ନାହିଁ ! ସେ ପାଲିକୀର ଦ୍ୱାର ଖୋଲି ତହିଁ ମଧ୍ୟରେ ଦୃଷ୍ଟି ପକାଇଛନ୍ତି କି ନାହିଁ, ଏହି ସମୟରେ ତହିଁମଧ୍ୟରୁ କେହି ଜଣେ ତାଙ୍କ ସ୍କନ୍ଧରେ ହଠାତ୍‍ ଖଡ୍‍ଗାଘାତ କଲା ! ନୟନପାଳ ସେହି ପ୍ରହରରେ ଭୂପତିତ ହେଲେ, ଏବଂ କିଛିକ୍ଷଣ ପରେ ଉଠି, ପାଲିକୀମଧ୍ୟରୁ ଚନ୍ଦ୍ରାବତୀଙ୍କୁ ଟାଣି ବାହାର କରିବା ପାଇଁ ତାଙ୍କର ଦୁଇଜଣ ପଠାଣକୁ ଆଦେଶ ଦେଲେ ! ଦୁଇଜଣ ସୈନିକ ପାଲିକୀ ପାଖରେ ପହଞ୍ଚିବା ମାତ୍ରେ ସଶସ୍ତ୍ର ଜଣେ ରାଜପୁତ୍‍ ଯୋଦ୍ଧା ତହିଁ ମଧ୍ୟରୁ ଲମ୍ଫ ଦେଇ ସେମାନଙ୍କ ଉପରେ ପଡ଼ିଲା ! ଏହା ଦେଖି ନୟନପାଳ ଏକାବେଳେକେ ନିଶ୍ଚେଷ୍ଟ, ନୀରବ ! ଭାବିଲେ, ବହୁ ଚେଷ୍ଟା ଓ ଶ୍ରମ ସତ୍ତ୍ୱେ ଚନ୍ଦ୍ରାବତୀଲାଭାଶା ଆକାଶ କୁସୁମ ମାତ୍ର-! ଚନ୍ଦ୍ରାବତୀ ବଦଳରେ ଜଣେ ରାଜପୁତ୍‍ ବୀରକୁ ଶିବିକାରୁ ବାହାରିବାର ଦେଖି ଦୁର୍ଗାଦାସ ଓ ଇନ୍ଦିରା ସ୍ତମ୍ଭିତ ! ନୟନପାଳଙ୍କର ସୁଦୃଢ଼ ଆଶା କିନ୍ତୁ ସହଜରେ ଘୁଞ୍ଚିବାର ନୁହେଁ-! ସେ ଦୁର୍ଗାଦାସଙ୍କୁ ଗୁରୁ ଗମ୍ଭୀର ସ୍ୱରରେ କହିଲେ–’ପାଷଣ୍ଡ ! ଜୀବନରେ ମମତା ଥିଲେ, କହ ଏବେ ଚନ୍ଦ୍ରାବତୀ କେଉଁଠାରେ ! ତାହା କଲେ ମୋ ସାହାଯ୍ୟରେ ବାଦ୍‍ଶାହାଙ୍କ ଠାରୁ ପୁରସ୍କାର ପାଇ ସୁଖୀ ହେବେ ! ନୋହିଲେ, ତୁମ ଆଗରେ ଏହିକ୍ଷଣି ଇନ୍ଦିରାକୁ ହତ୍ୟା କରିବି, ସଙ୍ଗେ ସଙ୍ଗେ ତୁମର ସେହି ଗତି ହେବ !’

 

ବୀରଶ୍ରେଷ୍ଠ ଦୁର୍ଗାଦାସ ପୂର୍ବ ପରି ନିର୍ବାକ୍‍ ! ନୟନପାଳ ଅତିଶୟ ବୀରକ୍ତ ହୋଇ ଇନ୍ଦିରାଙ୍କ ନିକଟକୁ ଯାଇ କହିଲେ,–‘ଦେଖୁଛି ରାକ୍ଷସୀ, ତୁ ସାମାନ୍ୟ ସ୍ତ୍ରୀ ନୋହୁ ! ମୋ କଥାର ଉତ୍ତର ନ ଦେଲେ, ତୋର ଆଉ ରକ୍ଷା ନାହିଁ ! ସାବଧାନ ! ପ୍ରାଣରେ ଯଦି ଆଶା ଥାଏ, ତାହାହେଲେ କହ ଚଞ୍ଚଳ, ଚନ୍ଦ୍ରାବତୀ ଏବେ କେଉଁଠି ! କହିଲେ ପ୍ରଶଂସା ଓ ଉପହାର ପାଇବୁ ! ନୋହିଲେ, ଏହିକ୍ଷଣି ତୋ ଆଗରେ ଦୁର୍ଗାଦାସର ଦେହ ଖଣ୍ଡ ଖଣ୍ଡ କରିଦେବି ! ପରେ ପଠାଣ ସାଙ୍ଗରେ ତୋର ବିବାହ ଦେଇ ତୋ ମହତ୍ତ୍ୱ ନଷ୍ଟ, ଧର୍ମ ଭ୍ରଷ୍ଟ କରିବି !’

 

ଵୀରାଙ୍ଗନା ଇନ୍ଦିରା ମନରେ ଭୟକୁ କିଞ୍ଚିତ୍‍ ସ୍ଥାନ ନ ଦେଇ ଆରକ୍ତ ଚକ୍ଷୁରେ ଅପୂର୍ବ ସାହସ ସହିତ ଉତ୍ତର କଲେ,–ପାପୀ କଂସାରିଘରର ପାରାକୁ ବୁଲା ଡାଁଉଁ ଡାଁଉଁ କରିବ କ’ଣ ? ଆମେ ଦୁହେଁ ପ୍ରାଣର ଆଶା ଛାଡ଼ି ଦେଇ ଏ କାର୍ଯ୍ୟରେ ହାତ ଦେଇଛୁ ! ଯୋଧପୁରୁ ରକ୍ଷା ଆଗରେ ଆମ ଜୀବନ କିଛି ନୁହେ ! ଆଜି ସୁଦ୍ଧା ଯଶୋବନ୍ତ ସିଂହଙ୍କ ଅନ୍ନ ଜଳରେ ଆମେମାନେ ପାଳିତ, ପୁଷ୍ଟ–ତାଙ୍କ ସ୍ତ୍ରୀଙ୍କ ଉଦ୍ଧାର ଆମର ପ୍ରଧାନ ଧର୍ମ୍ମ ! ଯାହା କରିବାର ଥିଲା, ସବୁ କରିଛୁ ! ପ୍ରାଣ ଯିବ ସିନା, ଚନ୍ଦ୍ରାବତୀଙ୍କ ଖବର ଦେବି ନାହିଁ ! ଇଚ୍ଛା ହେଲେ, ଆମ ଦୁହିଁଙ୍କୁ ନଷ୍ଟ କରିପାରୁ–ଭୟ ନାହିଁ, ଆପତ୍ତି ନାହିଁ ! ପ୍ରାଣ ଯେତେବେଳେ ଅନିତ୍ୟ, ଏ ଧମକ ଚମକକୁ ପଚାରୁଛି କିଏ ?’

 

ଡାକିନୀ ବିଶାଳ ଭାରତର ଏକଛତ୍ର ସମ୍ରାଟ ଔରଂଜୀବ୍‍ଙ୍କ ଭୁଜ ବଳକୁ ଖାତିରି ନକରି, ବୀର ନୟନପାଳଙ୍କୁ ଧିକ୍କାର କରୁଛୁ ! ସାବଧାନ ! ତୋ ରକ୍ତପାନରେ ମୋ ଖଡ୍ଗ ଲାଳାୟିତ, କିନ୍ତୁ ମୋ କଥାର ଉତ୍ତର ଦେଲେ ତୁମ ଦୁହିଁଙ୍କୁ ସୁବର୍ଣ୍ଣ ପାଲିକୀରେ ବସାଇ ଛାଡ଼ିବି, ତୁମମାନଙ୍କର ବିଶେଷ ମଙ୍ଗଳ ହେବ ! ସୁଯୋଗ ଛାଡ଼ ନାହିଁ !’

 

‘ଦୁଷ୍ଟ କୁଳାଙ୍ଗାର, ଆମେ ଦୁହେଁ ଏ ଶ୍ରେଣୀର ମନୁଷ୍ୟମାନଙ୍କ ବହୁ ଉପରେ ! ତୋ ପରି ଆମେମାନେ ଅଧମ, ବାଟର କାଙ୍ଗାଳ ନୋହୁଁ ଯେ, ଏହି ନୀଚ ହାସ୍ୟାସ୍ପଦ ପ୍ରଲୋଭନରେ ଭୁଲିଯାଇ ରାଜପୁତ୍‍ ଜାତିରେ କଳଙ୍କ ବୋଳିବୁ ! ପବିତ୍ର କ୍ଷତ୍ରିୟ ଧର୍ମରେ ଆମର ଜନ୍ମ–ତହିଁରେ ହିଁ ଆମର ମୃତ୍ୟୁ ! ତୁଚ୍ଛ ପ୍ରାଣ ପାଇଁ ଧର୍ମରେ ପଦାଘାତ କରିବା ଇନ୍ଦିରା ଜାଣେ ନାହିଁ; ସାମାନ୍ୟ ଉପହାର ଲୋଭରେ ମହତ୍ତ୍ୱ ବଳି ଦେବା ବୀର ଦୁର୍ଗାଦାସ ଜାଣେ ନାହିଁ ! ଭାବିଛୁ, ନୟନପାଳ ଭଳି ଆମେମାନେ କଣ ଲଜ୍ଜାହୀନ, ରକ୍ତଶୂନ୍ୟ କୁକୁର ? ଚନ୍ଦ୍ରାବତୀକୁ ରକ୍ଷା କରିବାପାଇଁ, ଯୋଧପୁର ଉଦ୍ଧାର କରିବା ପାଇଁ ଆମର ଶକ୍ତ ଶପଥ ! ଯାହା ଇଚ୍ଛା କର, ଭୋକିବା ଆଉ ଦରକାର ନାହିଁ ! ଚନ୍ଦ୍ରାବତୀ ଆଉ ଅଜିତ୍‍ସିଂହ ବର୍ତ୍ତମାନ ସୁଖ ସୁବିଧାରେ ଅଛନ୍ତି ! ସେମାନଙ୍କୁ ପାଇବା ତୋର କାହିଁକି, ତୋତେ ଗଢ଼ିବା ଦେବତାର ମଧ୍ୟ ଅସାଧ୍ୟ ! ‘

 

ନୟନପାଳ ସ୍ତବ୍ଧ ! ଏତେଦିନ ପରେ ତାଙ୍କର ଆଶା–ତରୁ ଭୂଶାୟୀ ହେଲା ! ନୈରାଶ୍ୟ-! ତୋ ଯନ୍ତ୍ରଣା ବଡ଼ ତୀବ୍ର ! ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ,–‘’ଅଜିତ୍‍ସିଂହ ଜୀବିତ-! ଶିବିର ମଧ୍ୟରେ ମରି ନାହିଁ ? ‘ ଇନ୍ଦିରା ହସି କହିଲେ,–‘ଏଥିରୁ ହିଁ ତୋ ଚତୁରତାର ପରିଚୟ ମିଳେ-! ତୋତେ କିନ୍ତୁ କହିବାର କିଛିନାହିଁ, ତୋତେ ଯେ ସେନାପତି ସାଜିଛି, ସେ ହିଁ ମୂର୍ଖ !’

 

ଇନ୍ଦିରାଙ୍କ ଭୀଷଣ ସାହସ ଓ ବୁଦ୍ଧି କୌଶଳରେ ନୟନପାଳ ଚମକିତ ! କିଛି ସମୟ ପ୍ରତିମା ପରି ଠିଆ ହୋଇ, ଇନ୍ଦିରାଙ୍କ ମସ୍ତକରୁ ପାଦ ଯାଏ ନିରୀକ୍ଷଣ କଲେ–ତାଙ୍କ ସୌନ୍ଦର୍ଯ୍ୟରେ ଏକାବେଳେକେ ମୋହିତ ହୋଇଗଲା !

 

ଚନ୍ଦ୍ରାବତୀ, ଅଜିତ୍‍ସିଂହ ଓ ପଦ୍ମାଙ୍କ ଅବସ୍ଥା କଣ ହେଲା, ତାହା ଜାଣିବା ନିମନ୍ତେ ପାଠକମାନଙ୍କର କୌତୁହଳ ତୃପ୍ତ କରିବା ଉଚିତ ମନେ କରୁଁ ! ଶିବସିଂହ, ପଦ୍ମା, ଶିବିକା-ବାହକ ଭୀଲଦଳ ଓ ରାଜପୁତ୍‍ ସୈନିକମାନେ ବନ ମଧ୍ୟରେ ତ୍ୱରାନ୍ୱିତ ହୋଇ ଯାତ୍ରା କରୁଥିବାବେଳେ, ପଶ୍ଚାଦଗାମୀ ଆହତ ଭୀଲ ଅଶ୍ଵ ଗତିରେ ଧାଇଁ ଯାଇ ସେମାନଙ୍କୁ କହିଲା,–‘ବିପଦ ! ପଛରେ ପଠାଣ ସିପାହୀ କେତେଜଣ ଦୌଡ଼ି ଆସୁଛନ୍ତି ! ଅଳ୍ପ ସମୟ ପରେ ଆମମାନଙ୍କ ସଙ୍ଗେ ଆସି ମିଶିଯିବେ ! ଚଞ୍ଚଳ ଜୀବନରକ୍ଷାର ଉପାୟ କର !’ ଏହି ଆକସ୍ମିକ ଦୁସମ୍ବାଦରେ ଶିବସିଂହ ଦାରୁଣ ମାନସିକ ଯନ୍ତ୍ରଣା ଅନୁଭବ କଲେ ! ସମସ୍ତେ ହଠାତ୍‍ ନିକଟସ୍ଥ ଗୋଟିଏ ଗ୍ରାମ ମଧ୍ୟରେ ଯାଇ ପ୍ରବେଶ କଲେ ! ପରେ କେଉଁ ଉପାୟ ଆଶ୍ରୟ ନେବାକୁ ହବ, ସେମାନଙ୍କ ମଧ୍ୟରୁ କେହି ଭାବି ସ୍ଥିର କରିପାରିଲେ ନାହିଁ ! ସମସ୍ତେ ବ୍ୟାକୁଳ ଓ ବ୍ୟସ୍ତ ! ଶିବସିଂହଙ୍କର ବୁଦ୍ଧି ଲୋପ ! ଚନ୍ଦ୍ରାବତୀ ଓ ଅଜିତ୍‍ସିଂହଙ୍କୁ ପ୍ରାଣପଣେ ରକ୍ଷା କରିବାକୁ ପାଲିକୀ–ବାହକ ମାନେ ପ୍ରତିମୁହୂର୍ତ୍ତ ପ୍ରସ୍ତୁତ ! ଚନ୍ଦ୍ରାବତୀ ନିଜ ଜୀବନ ପ୍ରତି ଲଵମାତ୍ର ଭ୍ରୂକ୍ଷେପ ନ କରି ଶିଶୁ ଅଜିତ୍‍ ଲାଗିହିଁ ସର୍ବଦା ଭାବିତ ! ତାଙ୍କର ଭୟ ଓ ଉତ୍କଣ୍ଠା ଦେଖି ଭୀଲମାନେ କହିଲେ,–‘କିଛି ଚିନ୍ତାକର ନାହିଁ, ମା ! ଆମମାନଙ୍କ କଣ୍ଠରେ ପ୍ରାଣ ଥିବାଯାଏଁ, ଅଜିତ୍‍ସିଂହ ନିରାପଦ !’ ଉପସ୍ଥିତ କ୍ଷେତ୍ରରେ କଣ କରାଯିବ ଆବଶ୍ୟକ, ତହିଁର ଆଲୋଚନାରେ ସମସ୍ତେ ବିଚଳିତ ହୋଇ ପଡ଼ିଛନ୍ତି, ଏହି ସମୟରେ ଚତୁରା ଉପସ୍ଥିତ-ବୁଦ୍ଧି ସମ୍ପନ୍ନା ପଦ୍ମା ସେମାନଙ୍କୁ ଗୋଟିଏ ସହଜ ଉପାୟ ବୁଝାଇଦେଲେ ! ସେମାନେ ପଦ୍ମାଙ୍କ ପ୍ରସ୍ତାବରେ ସମ୍ମତ ଓ ସନ୍ତୁଷ୍ଟ ହେଲେ !

 

ପଦ୍ମା ସେହିକ୍ଷଣି ଅଜିତ୍‍ସିଂହଙ୍କୁ ଧରି ନିକଟସ୍ଥ ଆଵୁପାହାଡ଼ ଉପରକୁ ଉଠିଲେ, ଏବଂ ବୈକୁଣ୍ଠଯୋଗୀଙ୍କ ହାତରେ ଶିଶୁଟିକୁ ଅର୍ପଣ କରି କାତର କଣ୍ଠରେ କହିଲେ,–‘ରକ୍ଷା କରନ୍ତୁ, ପ୍ରଭୋ ! ଆମମାନଙ୍କୁ ଆକ୍ରମଣ କରିବା ପାଇଁ ନୟନପାଳ ସୈନ୍ୟ ଧରି ଦୌଡ଼ି ଆସୁଛି ! ତାହା ହାତରୁ ଫିଟିବା ପାଇଁ ନାନା ଉପାୟ କରିଚୁଁ, ତଥାପି ଚନ୍ଦ୍ରାବତୀଙ୍କ ପ୍ରାଣରେ ସୁଖ ଶାନ୍ତି ନାହିଁ ! ଏତେବେଳେ ଆପଣଙ୍କ କୃପା ନହେଲେ, ତାଙ୍କର ଆଉ ରକ୍ଷା ନାହିଁ ! କିଛି ଦିନ ସକାଶେ ଶିଶୁଟିକୁ ଯତ୍ନରେ ରଖିବେ, ଏହାହିଁ ପ୍ରାର୍ଥନା ! ‘

 

ବୈକୁଣ୍ଠଯୋଗୀ ପଦ୍ମାଙ୍କ କଥାରେ ସ୍ୱୀକୃତ ହୋଇ, ପାହାଡ଼ର ଜଣେ ଭୀଲ-ସ୍ତ୍ରୀ ସାହାଯ୍ୟରେ ଅଜିତ୍‍ଙ୍କର ଯତ୍ନ ନେବାକୁ ଲାଗିଲେ ! ଏଣେ ଶିବସିଂହ, ରାଜପୁତ୍‍ ସୈନିକ ଓ ଭୀଲମାନେ ପଦ୍ମାଙ୍କ ପରାମର୍ଶ ପ୍ରକାରେ ଚନ୍ଦ୍ରାବତୀଙ୍କୁ ସେହି ପଲ୍ଲୀର ଏକ ଭୀଲ ଗୃହରେ ନେଇ ରଖିଲେ ! ଏବଂ ତାହାଙ୍କୁ ସମୟଚିତ ଅଭୟ ଆଶ୍ୱାସନା ଦେବା ନିମିତ୍ତ ଶିବସିଂହ ସେହି ସ୍ଥାନରେ ହିଁ ରହିଲେ ସୈନିକ ଓ ଭୀଲଦଳ ପାଲିକୀରେ ଜଣେ ରାଜପୁତ୍‍ ଯୋଧ୍ୟାକୁ ବସାଇ ପୁଣି ଚାଲିବାର ଆରମ୍ଭ କଲେ !

 

ଦୁର୍ଗାଦାସ ଓ ଇନ୍ଦିରାଙ୍କୁ ବାଦ୍‍ଦେଇ, ରାଜପୁତ୍‍ ଓ ପାଲିକୀବାହୀ ଭୀଲମାନଙ୍କୁ ବଧ କରିବା ସକାଶେ ନୟନପାଳ ଦ୍ଵାରା ଆଦିଷ୍ଟ ହୋଇ, ତାଙ୍କର ପଠାଣ ସିପାହୀଦଳ ପୁଣି ଯୁଦ୍ଧରେ ପ୍ରବୃତ୍ତ ହେଲେ ! ରାଜପୁତ୍‍ ଓ ଭୀଲଦଳ ଯୋଧପୁରୁ ରକ୍ଷା ନିମିତ୍ତ ଜୀବନ ଜଳାଞ୍ଜଳି ଦେବାକୁ ତତ୍ପର ହେଲେ ! ପଠାଣମାନଙ୍କ ଉଗ୍ର ଶସ୍ତ୍ରାଘାତରେ ସେମାନଙ୍କ ଦେହରୁ ଝରଝର ରକ୍ତ ଗଡ଼ିଗଲା-! ସେମାଙ୍କର ଏହି ଶୋଚନୀୟ ଅବସ୍ଥାରେ ଦୁର୍ଗାଦାସ ଓ ଇନ୍ଦିରା ନିତାନ୍ତ ବ୍ୟଥିତ ହୋଇ ଭଗବାନଙ୍କ ନିକଟରେ ସେମାଙ୍କର ମଙ୍ଗଳ ଭିକ୍ଷା କରୁଛନ୍ତି, ଏହି ସମୟରେ ନୟନପାଳ କିଛି ଦୂରରୁ ବିରାଟ ସେନା ଆସିବାର ଦେଖି ଭୀତ ଓ ଚକିତ ହୋଇଗଲେ ! ତାହା କେବଳ ରାଜପୁତ୍‍–ସୈନ୍ୟ ବୋଲି ସ୍ଥିର କରି, ଆଗେ ଆଗେ ଇନ୍ଦିରାଙ୍କୁ ଦିଲ୍ଲୀକୁ ଧରିଯିବା ନିମିତ୍ତ ସେ ତାଙ୍କର ଅନୁଚର କେତେ ଜଣଙ୍କୁ ଆଦେଶ ଦେଲେ !

 

ଦେଖୁଁ ଦେଖୁଁ ସେହି ସୈନ୍ୟ ପଲ୍ଲୀ ନିକଟକୁ ଆସି, ଦୁର୍ଗାଦାସଙ୍କ ସେନା ସହିତ ମିଳିତ ହୋଇଗଲେ ! ଆହତ ଭୀଲ ଓ ରାଜପୁତ୍‍ମାନଙ୍କ ଦେହରେ ନୂତନ ବଳ ମନରେ ନୂତନ ଉତ୍ସାହ ଆସି ଜାଗ୍ରତ ହେଲା ! ମିଳିତ ରାଜପୁତ୍‍ ସେନାର ପ୍ରଚଣ୍ଡ ଆକ୍ରମଣରେ ବହୁ ପଠାଣ ସିପାହୀଙ୍କର ପ୍ରାଣ ବିନଷ୍ଟ ହେଲା ! ଏହି ସୁଯୋଗ ପ୍ରାପ୍ତିରେ ଉତ୍ସାହିତ ଓ ଆଶାଯୁକ୍ତ ହୋଇ, ବନ୍ଦୀ ଦୁର୍ଗାଦାସ ବଳ ପ୍ରୟୋଗରେ ନିଜକୁ ଶତ୍ରୁ କବଳରୁ ମୁକ୍ତ କରିଦେଲେ ଏବଂ ନୟନପାଳ ସହିତ ଯୁଦ୍ଧ ଚଳାଇଲେ ! ରାଜପୁତ୍‍ ଦଳ ସଂଖ୍ୟାରେ ଅତ୍ୟଧିକଥିବାରୁ, ହତବଶିଷ୍ଟ ପଠାଣ ସୈନିକମାନେ ନିସ୍ତେଜ ଓ ଦୁର୍ବଳ ହୋଇପଡ଼ିଲେ, ଏବଂ ପୃଷ୍ଠଭଙ୍ଗ ଦେଇ ନିଜ ନିଜ ପ୍ରାଣରକ୍ଷା ଲାଗି ସେଠାରୁ ବିଭିନ୍ନ ଦିଗରେ ପଳାୟନ କଲେ ! ନୟନପାଳ ନିରାଶ ଓ ତ୍ରାସ୍ତ ହୋଇ, ଅଳ୍ପ କେତେଜଣ ପଠାଣ ସଙ୍ଗରେ ସେଠାରୁ ବାୟୁ ବେଗରେ ଧାବିତ ହେଲେ ! ଦୁର୍ଗାଦାସ କେତେଦୂର ନୟନପାଲଙ୍କ ପଶ୍ଚାତ୍‍ ଦୌଡ଼ି ତାଙ୍କୁ ଆକ୍ରମଣ କଲେ, ଏବଂ ଶତ୍ରୁ ଅଦୃଶ୍ୟ ହୋଇଯିବାରୁ ରାଜପୁତ୍‍ ସେନା ନିକଟକୁ ପ୍ରତ୍ୟାବୃତ୍ତ ହେଲେ ! ପରେ, ସେ ରାଜପୁତ୍‍ ଓ ଭୀଲଦଳକୁ ସଙ୍ଗେ ଧରି, ଚନ୍ଦ୍ରାବତୀ ଓ ଶିବସିଂହଙ୍କୁ ଦେଖିବା ଉଦେଶ୍ୟରେ ସେହି ଭୀଲଗ୍ରାମରେ ଯାଇ ଉପସ୍ଥିତ ହେଲେ !

 

ଦୁର୍ଗାଦାସଙ୍କ ଅନୁଚରମାନଙ୍କ ସହିତ ଯେଉଁ ବିରାଟ ରାଜପୁତ୍‍ ସୈନ୍ୟ ମିଳିତ ହେଲା, ତାହା ରାଣା ରାଜସିଂହ ପ୍ରେରିତ !

Image

 

ଦ୍ୱାଦଶ ପରିଚ୍ଛେଦ

(ମନୁଷ୍ୟ ପାଞ୍ଚକୁ ଦଇବ ହାତ)

 

ଶତ୍ରୁ ହାତରେ ପରାଭବ ପାଇ ନୟନପାଳ ଦିଲ୍ଲୀକୁ ଫେରିବା ବେଳେ ମାର୍ଗରେ ଇନ୍ଦିରାଙ୍କୁ ଦେଖିଲେ, ଏବଂ ତାଙ୍କ ସହିତ ଦିଲ୍ଲୀରେ ପହଞ୍ଚି ତାଙ୍କୁ ନିଜ ଗୃହରେ ରଖିଲେ ! ଦିଲ୍ଲୀରେ ପାଦ ଦେବା ମାତ୍ରେ ନୟନପାଳଙ୍କ ମନରେ ଭୟ, ସନ୍ଦେହ ଓ ଦୁଃଖର ଗୋଟିଏ ପ୍ରବଳ ଝଟିକା ବହିଗଲା ! ଚନ୍ଦ୍ରାବତୀଙ୍କୁ ଧରିବା ନିମନ୍ତେ ସମ୍ରାଟ ଆଦେଶରେ ସେ ଦିଲ୍ଲୀରୁ କି ଅଶୁଭ ମୁହୂର୍ତ୍ତରେ ବାହାରିଥିଲେ କେଜାଣି, ତାଙ୍କର ସକଳ ପ୍ରୟାସ ବ୍ୟର୍ଥ ହେଲା, ସମସ୍ତ ଆଶା ଭସ୍ମ ହେଲା ! ବାଦ୍‍ଶାହାଙ୍କ ହାତରେ ଚନ୍ଦ୍ରାବତୀଙ୍କୁ ନେଇ ଦେଇଥିଲେ, ବାଦ୍‍ଶାହା ତୁଷ୍ଟ ହୋଇ ତାହାଙ୍କୁ ଯେ କେତେ ସମ୍ମାନ କରିଥାନ୍ତେ, ପୁରସ୍କାର ଦେଇଥାନ୍ତେ, ତାଙ୍କର ଯେ କେତେ ଉପକାର କରିଥାନ୍ତେ, ତାହାର ଇୟତ୍ତା ନାହିଁ ! କିନ୍ତୁ ଭଗବାନଙ୍କ ନିଷ୍ପତ୍ତି ଅନ୍ୟ ପ୍ରକାର ! ଦୁର୍ଜ୍ଜନ ଦୁଷ୍ପ୍ରବୃତ୍ତି ଲୋକର ଦସା ଏଭଳି ହୋଇଥାଏ ସିନା !

 

ବିବିଧ ଚିନ୍ତାରେ ନୟନପାଳଙ୍କ ମସ୍ତିଷ୍କ ଆଲୋଡ଼ିତ ହୋଇଗଲା ! ଭାବିଲେ, ଔରଂଜୀବ୍‍ ଗୁପ୍ତଚର ସହାଯ୍ୟରେ ଚନ୍ଦ୍ରାବତୀ ଓ ଅଜିତ୍‍ସିଂହଙ୍କର ନିରାପଦ ଅବସ୍ଥାନ, ଦୁର୍ଗାଦାସ ହାତରେ ତାଙ୍କର ପରାଜୟ, ଇନ୍ଦିରା ଓ ପଦ୍ମାଙ୍କ ବିଚିତ୍ର ବୁଦ୍ଧି କୌଶଳରେ ତାଙ୍କର ନିଶ୍ଚେଷ୍ଟତା ଇତ୍ୟାଦି ବିଷୟ ବୁଝି ପାରିଥିବେ ! ସମ୍ରାଟ-ଚାଳିତ ଷଡ଼ଯନ୍ତ୍ର–ତାଙ୍କ ବିସ୍ତୃତ କୁଟିଳ ଜାଲ ବିଫଳ ହେବାର ଏକମାତ୍ର କାରଣ ନିଜେ ବୋଲି ଭାବି, ଏବଂ ସେଥିପାଇଁ ବାଦ୍‍ଶାହା ନିକଟରୁ କଠିନ କଦର୍ଯ୍ୟ ଦଣ୍ଡର ଆଶଙ୍କା କରି ନୟନପାଳଙ୍କ ବୁଦ୍ଧି ଭ୍ରଷ୍ଟ ହୋଇପଡ଼ିଲା !

 

ଔରଂଜୀବ୍‍ ବିଷଯୁକ୍ତ ବସ୍ତ୍ରରେ ପୃଥ୍ୱୀସିଂହଙ୍କୁ, ସଙ୍ଗେ ସଙ୍ଗେ ଯଶୋବନ୍ତସିଂହଙ୍କୁ ନଷ୍ଟ କରି–ଏକ ଲକ୍ଷ୍ୟରେ ଦୁଇ ବ୍ୟାଘ୍ର ବଧ କରି, ସନ୍ତୋଷ-ସ୍ରୋତରେ ଭାସୁଥିବାବେଳେ ଏହି ସମ୍ବାଦରେ ସେ ଯେ କେତେ ଦୂର ଅଗ୍ନିଶର୍ମା ହୋଇ ଉଠିବେ, ଏହା କଳ୍ପନା କରି ନୟନପାଳ ପ୍ରଖର ମନସ୍ତାପ ସହ୍ୟ କଲେ ! ଦୁଇଦିନ ପର୍ଯ୍ୟନ୍ତ ବାଦ୍‍ଶାହାଙ୍କ ନିକଟକୁ ନ ଯାଇ ସେ ଚିନ୍ତା କରିବାକୁ ଲାଗିଲେ,–‘ଇନ୍ଦିରାକୁ ବାଦ୍‍ଶାହା ହାତରେ ଅର୍ପଣ କରି କହିବି-ଚନ୍ଦ୍ରାବତୀ ଏ ! କିନ୍ତୁ ମୁଁ ଯେ ଇନ୍ଦିରା ରୂପରେ ଆକୃଷ୍ଟ ! କରିବି କଣ ? ଇନ୍ଦିରା-ଲୋଭ ଛାଡ଼ି, ଏହାକୁ ସମ୍ରାଟ ହାତରେ ଦେଲେ ମଧ୍ୟ ବିପଦ–ପ୍ରତ୍ୟାବୃତ୍ତ ଅନୁଚରମାନଙ୍କ ମୁଖରୁ ପ୍ରକୃତ କଥାଟା ପରେ ଜାଣିପାରିଲେ ସର୍ବନାଶ ! ତାହା ହେଲେ କହିବି, ଇନ୍ଦିରା ଯୋଗୁ ଚନ୍ଦ୍ରାବତୀଙ୍କୁ ପାଇ ପାରିଲିନାହିଁ ! କିନ୍ତୁ ଏହା ସୁଦ୍ଧା ନିରାପଦ ନୁହେଁ ! ସାମାନ୍ୟ ଜଣେ ଯୁବତୀର ବୁଦ୍ଧିରେ ମୋ ଶକ୍ତି ପରାସ୍ତ ହେବାର ଦେଖି ବାଦ୍‍ଶାହା ମୋତେ ଅପଦସ୍ତ କରିବେ, ସନ୍ଦେହ ନାହିଁ ! ଇନ୍ଦିରାକୁ ନଦେଇ ଘରେ ରଖିଲେ ବୋଧହୁଏ ଭଲ ହେବ; କିନ୍ତୁ ସମ୍ରାଟଙ୍କ ଏହା କେବେ ନପଡ଼ି ତ ଯିବନାହିଁ–ଶୁଣିଲେ କ୍ରୋଧରେ ସେ ମୋ ଜୀବନ ନଷ୍ଟ କରିପାରନ୍ତି ! କଣ କରାଯିବ ? ତେବେ, ଗୋଟିଏ କଥା କରିବି ! ଅନେକ ଦିନ ଯାଏଁ ବାଦ୍‍ଶାହାଙ୍କ ଦରବାରକୁ ଯିବିନାହିଁ; କିନ୍ତୁ ଜଳ ମଧ୍ୟ ରେ ରହି କୁମ୍ଭୀର ହାବୁଡ଼ରୁ ଲୁଚି ରହିବି ବା କିପରି ? ଏଠାକୁ ଫେରି ଦୁଇଦିନ ହେଲା ତାଙ୍କଠାକୁ ନଯିବାର ଦେଖି ସେ କ୍ରୋଧ ହେଇନଥିବେ, ଏହା କିଏ କହିପାରିବ ?’

 

ଏପରି ବିବିଧ ଭାବନାରେ ନୟନପାଳ ଦୁଇଦିନ କାଳ ଦଗ୍ଧ ହୋଇ, ଆହାର ନିଦ୍ରା ଭୁଲିଗଲେ, ତାଙ୍କ ହୃଦୟରେ ସୁଖ ଶାନ୍ତି ଆଉ ସ୍ଥାନ ପାଇପାରିଲାନାହିଁ ! ତାଙ୍କ ଦେହ କ୍ଷୀଣ ଓ ଶୁଷ୍କ ହୋଇପଡ଼ିଥିଲା ! ସେ ଦିଲ୍ଲୀକୁ ବାହୁଡ଼ିବାର ତୃତୀୟ ଦିନ ସକାଳେ ଦୁଇଜଣ ରାଜ କର୍ମଚାରୀ ନୟନପାଳଙ୍କ ଗୃହ ମଧ୍ୟରେ ରହି ସେମାନଙ୍କ ପରିଚୟ ଓ ଆଗମନର ଉଦ୍ଦେଶ୍ୟ ଜିଜ୍ଞାସା କରିବାରୁ, କର୍ମଚାରୀ ଦୁହେଁ ଉତ୍ତର କଲେ,–‘ଆମେମାନେ ବାଦ୍‍ଶାହାଙ୍କ କର୍ମଚାରୀ ! ବାଦ୍‍ଶାହାଙ୍କ ଆଦେଶ–ଏକ ମୁହୂର୍ତ୍ତ ମଧ୍ୟ ବିଳମ୍ବ ନକରି ତୁମକୁ ଦରବାରକୁ ଯିବାକୁ ହେବ !’

 

ନୟନପାଳଙ୍କ ଦେହର ରକ୍ତ ଭୟରେ ଏକାବେଳକେ ଶୁଖିଗଲା, ସର୍ବାଙ୍ଗ ଥରହର ହେଲା ! କିନ୍ତୁ କରିବେ କଣ ? ବାଧ୍ୟତଃ ସେହିକ୍ଷଣି ଦ୍ୱାର ଖୋଲି ରାଜକର୍ମଚାରୀମାନଙ୍କ ସଙ୍ଗରେ ସମ୍ରାଟଙ୍କ ଦରବାର ଭବନ ପ୍ରତି ଅଗ୍ରସର ହେଲେ ! ସେ ଭାବି ସ୍ଥିରକଲେ, ସମ୍ରାଟ ସକାଳ ରହସ୍ୟ ଭେଦ କରିପାରିଛନ୍ତି ! ମାର୍ଗରେ ସେ କର୍ମଚାରୀ ଦୁହିଁଙ୍କୁ ପଚାରିଲେ,–‘ବାଦ୍‍ଶାହା ଏବେ କଣ କରୁଛନ୍ତି ?’ ସେମାନଙ୍କ ମଧ୍ୟରୁ ଜଣେ କହିଲା, ତୁମକୁ ଅପେକ୍ଷା କରି ବସିଛନ୍ତି ।’

 

‘ମୋତେ ବାଦ୍‍ଶାହା ଡକାଇଛନ୍ତି କାହିଁକି କହିପାରିବ ?

 

‘ତୁମେ ଏଠାକୁ ଫେରି ଦୁଇଦିନ ହେଲା ଦରବାରରେ ଦେଖା ଦେଇନଥିବାରୁ, ରାଗରେ ଡକାଇ ପଠାଇଛନ୍ତି !’

 

‘ଭାବୁଛି ବାଦ୍‍ଶାହା କ୍ରୋଧରେ ମୋର କିଛି ଅନିଷ୍ଟ କରିବେ ! ଉପାୟ କଣ ?’

 

‘ଉପାୟ ଆଉ କଣ ! ବାଧ୍ୟ ହୋଇ ସହିବ !’

 

ନୟନପାଳଙ୍କ ଭୟ ଶତଗୁଣ ବୃଦ୍ଧି ପାଇଲା ! ଯମ ଅପେକ୍ଷା ଯମ-ଦୂତର ଭୟ ପ୍ରଦର୍ଶନ ଉତ୍କଟର ! ବଳି ଦେବା ପାଇଁ କାଳୀମନ୍ଦିରକୁ ଛେଳି ଟାଣିନେବା ଭଳି, କର୍ମଚାରୀ ଦୁହେଁ ନୟନପାଳଙ୍କୁ ସଙ୍ଗେ ଧରି ଚାଲିଲେ ! ଆଜି ସୁଦ୍ଧା ନୟନପାଳ ପ୍ରତି ଔରଂଜୀବ୍‍ଙ୍କର ଯେଉଁ ସହାନୁଭୂତି ଥିଲା, ତାହା ବର୍ତ୍ତମାନ ତିରୋହିତ ! ଚନ୍ଦ୍ରାବତୀଙ୍କୁ ଧରିଆଣିଲେ ନୟନପାଳଙ୍କୁ ଯୋଧପୁର-ସିଂହାସନରେ ଅଭିଷିକ୍ତ କରିବେ ବୋଲି ସମ୍ରାଟ ପ୍ରତିଶ୍ରୁତ ହୋଇଥିଲେ, କିନ୍ତୁ ଈଶ୍ୱରଙ୍କ ପ୍ରତିକୂଳାଚରଣରେ ବର୍ତ୍ତମାନ ନୟନପାଳଙ୍କର ଆଶଙ୍କା ହେଲା ଯେ, ପ୍ରେତ-ରାଜ୍ୟରେ ତାଙ୍କ ଅଭିଷେକ ସୁନିଶ୍ଚିତ ! କ୍ରୋଧରେ ବାଦ୍‍ଶାହାଙ୍କର ନିଜ ପର, ଭଲ ମନ୍ଦ ବିଚାର ରହୁନଥିଲା !

 

ଯାଉଁ ଯାଉଁ ନୟନପାଳ ଚିନ୍ତା କଲେ,–‘ ଯାହା ହେବାର ତ ହୋଇଯାଇଛି ! ଭାବି ଭୟ ପାଇବା ଆଉ ଦରକାର ନାହିଁ ! ଉଦାସୀନ ଭାବରେ ସତ୍ୟକୁ ମିଥ୍ୟା, ମିଥ୍ୟାକୁ ସତ୍ୟ କରି ବାଦ୍‍ଶାହାଙ୍କୁ ଠକିବାର ଚେଷ୍ଟା କରିବି–ଇଶ୍ଵରେଚ୍ଛା !’ ଶେଷରେ ତିନିଜଣ ରାଜଭବନର ଦ୍ୱାର ଦେଶରେ ଯାଇ ଉପସ୍ଥିତ ହେଲେ ! ପରେ ଅନ୍ୟ କେତୋଟି ଦ୍ୱାର ଅତିକ୍ରମ କରି ଦରବାର-କକ୍ଷରେ ପ୍ରବିଷ୍ଟ ହେଲେ ! ଦ୍ୱାର ନିକଟରୁ ନୟନପାଳ ମସ୍ତକ ନତ କରି ସମ୍ରାଟଙ୍କୁ ଦୀର୍ଘ କୁର୍ଣିସ୍‍ଟିଏ କଲେ ! ସମ୍ରାଟ ତାହାଙ୍କୁ ଉପଯୁକ୍ତ ଖଣ୍ଡିଏ ଆସନ ଦେଇ, ତାଙ୍କର କୁଶଳ ପ୍ରଶ୍ନାଦି କଲେ ! ନୟନପାଳ ବିନୟ ନମ୍ରକଣ୍ଠରେ କହିଲେ–’ଜହାଁପହ୍ନା, ଦିଲ୍ଲୀରୁ ବ୍ବାହାରି ଏଠାକୁ ଫେରିବା ସମୟ ପର୍ଯ୍ୟନ୍ତ ମୋତେ ଯେଉଁ ବିପଦ ଅସୁବିଧାରେ ପଡ଼ିବାକୁ ହୋଇଛି, ତାହା ଭଗବାନ ହିଁ ଜାଣନ୍ତି ! କିନ୍ତୁ ଅଲମ୍‍ଗିର୍‍ ବାଦ୍‍ଶାହାଙ୍କ ଦର୍ଶନ ଲାଭରେ ଏବେ ସେହି ଦୁଃଖ ଅନେକ ଦୂର କମିଛି !

 

ଔରଂଜୀବ କହିଲେ,–‘ବେଶ ! ସେନାପତି-ପଦ ତୁମକୁ ହିଁ ମାନେ ! ମୋ ଆଦେଶ ପାଳି ମୋତେ ତୃପ୍ତ କରିବାପାଇଁ ତୁମେ ଯେଉଁ ଶ୍ରମ ସ୍ୱୀକାର କରିଛ, ସେଥିପାଇଁ ତୁମ ନିକଟରେ ଆଜନ୍ମ ଋଣୀ ରହିଲି ! ଚନ୍ଦ୍ରାବତୀକୁ ରଙ୍ଗମହଲ୍‍କୁ ପଠାଇ ସାରିଛ ? ନା, ତୁମ ଘରେ ରଖିଛ ?

 

‘କେଉଁ ଦମ୍ଭରେ ଅପ୍ରିୟ କହିବି, ଜାଁହାପନ୍ନା ?’

 

‘ଅପ୍ରିୟ କଣ, ସେନାପତେ ? ତୁମ ଘରେ ଚନ୍ଦ୍ରାବତୀକୁ ରଖିବାରୁ ମୁଁ ରାଗିବି ଭାବି ଭୟ କରୁଛ ପରା ! ଏଥିରେ କ୍ଷତି ବା କଣ ? ତୁମେ ଯେତେବେଳେ ଯୋଧପୁରୁ ଗାଦିରେ ବସିବାକୁ ଯାଉଛ–ଚନ୍ଦ୍ରାବତୀକୁ ଘରେ ରଖିବାଟା ଦୋଷ ନୁହେଁ ତ ! ବର୍ତମାନ ତୁମେ ଜଣେ ରାଜା ! ‘କମ୍ପିତ ଦେହରେ ନୟନପାଳ କହିଲେ,–‘ଏହି କାର୍ଯ୍ୟ ସାଧନ ମୋର ଅସାଧ୍ୟ ହୋଇପଡ଼ିଲା ! କ୍ଷମା କରିବେ !’

 

‘କଣ, ଚନ୍ଦ୍ରାବତୀକୁ ମୋ ଅନ୍ତଃପୁରକୁ ପଠାଇବା ତୁମ ପକ୍ଷରେ ଅସାଧ୍ୟ ! ଆସିବାକୁ ସେ ଅମଙ୍ଗ ହେଉଛି ? ବୋଧହୁଏ, ବାହ୍ୟ କରୁଛି । ହଁ, ହେଲା–ଔରଂଜୀବ୍‍ ନାମ ଶୁଣିବାମାତ୍ରେ ସମଗ୍ର ଭାରତ ଯେତେବେଳେ ଥରହର, ଛାର ସ୍ତ୍ରୀ ଜଣେ ଡରିବା ବିଚିତ୍ର କଣ ? କିନ୍ତୁ ତାହାକୁ ଏଠାକୁ ଆଣିବା ପାଇଁ କି ଉଦ୍ଦେଶ୍ୟରେ ଆଦେଶ କରିଛି, ତାହା ସେ ବୁଝିଥିଲେ ଆସିବାକୁ ପଛଘୁଞ୍ଚା ଦିଅନ୍ତା ନାହିଁ । ଯାହାହେଉ, ଯୋଧପୁର ମହାରାଜ ! ମୋ ଉଦ୍ଦେଶ୍ୟ ସ୍ପଷ୍ଟ ବୁଝାଇ ତାହାର ଭୟ ଦୂର କରିପାରିଲି ନାହିଁ ? ‘

 

‘କ୍ଷମା କରିବେ, ରାଜାଧିରାଜ ! ଚନ୍ଦ୍ରାବତୀକୁ ପାଇନାହିଁ ।’

 

‘କ’ଣ ପାଇନାହିଁ ! ଯାଇ ତେବେ କରିଛ କଣ ? ‘

 

‘ମୋ ଗୁହାରି ଶୁଣନ୍ତୁ ଜନାବ । ଦୁର୍ଗାଦାସର ଭଉଣୀ, ଇନ୍ଦିରା ବଡ଼ ଚତୁରା । ଶିବିର ଚତୁର୍ଦ୍ଦିଗରେ ସୈନ୍ୟ ଘେରି ରହିଥିଲେ ସୁଦ୍ଧା, କି କୌଶଳରେ କେଜାଣି, ଇନ୍ଦିରା ଚନ୍ଦ୍ରାବତୀକୁ କେଉଁଠାରେ ନେଇ ଲୁଚାଇ ଦେଲା ।’

 

‘ନୟନପାଳ ! ସାମାନ୍ୟ ଜଣେ ସ୍ତ୍ରୀର ମାୟାଜାଲ ଭେଦ କରି ପାରିଲ ନାହିଁ ? ‘

 

‘ବାପରେ–ସେ କଣ ସ୍ତ୍ରୀ ! ବିଧାତା ତାହାକୁ ବୀର ପୁରୁଷ ଗଢିବାକୁ ଯାଇ, ଭୁଲରେ ସ୍ତ୍ରୀ କରି ପକାଇଛି । ଯାହାହେଉ, ତାହାକୁ ଧରି ବେଶୀ କଷ୍ଟ ଦେଇଛି ।’

 

‘ଆଚ୍ଛା ତେବେ–ଇନ୍ଦିରାକୁ ଆଣିଛ ତ ? ‘

 

‘ଜାଁହାପନା, ତାହାକୁ ଧରି ଆସିବାବେଳେ ରାଜସିଂହଙ୍କ ସୈନ୍ୟ ଆସି ତାହାକୁ ବଳାତ୍କାର ପୂର୍ବକ ଧରି ଚାଲିଗଲେ । ଚନ୍ଦ୍ରାବତୀକୁ ସୁଖ ସୁବିଧାରେ ଧରି ଆଣିବା ପାଇଁ ବାଦ୍‍ଶାହାଙ୍କର ଆଦେଶ ଥିଲା । ମୋତେ ପୂର୍ଣ୍ଣ ଅଧିକାର ଦେଇଥିଲେ, ତାହାକୁ କଣ ନ ଆଣି ଛାଡ଼ିଥାନ୍ତି ? ଦୁର୍ଗାଦାସ ପ୍ରତି ମୋର ଟିକିଏ ହେଲେ ଖାତିର ନାହିଁ ।’

 

‘ସମ୍ମୁଖରେ ଏଭଳି ଦୋଷାରୋପରେ ଔରଂଜୀବ୍‍ ଅଭ୍ୟସ୍ତ ନଥିଲେ । ତାଙ୍କ ଭ୍ରୁଯୁଗଳ ଈଷତ୍‍ ଆକୁଞ୍ଚିତ ହେଲା । କହିଲେ–’ଅଧମ, ମୋର ଏହି ଗୁରୁତର କାର୍ଯ୍ୟ ଭ୍ରଷ୍ଟ କରି, ମୋ ପ୍ରତି ଫେରେ ଆକ୍ଷେପ ! ତୋତେ ଖଣ୍ଡ ଖଣ୍ଡ କରି ହାଣିଲେ ମଧ୍ୟ ପାପ ହେବନାହିଁ । ପାଷାଣ୍ଡ, ପବିତ୍ର ଇସଲାମ ଧର୍ମକୁ ତୁ କଳଙ୍କିତ, ଲାଞ୍ଛିତ କରିଛୁ । ଔରଂଜୀବ୍‍ ଆଜିଯାଏଁ ବାଧାବିଘ୍ନ କି ଜିନିଷ ମୋଟେ ଜାଣି ନଥିଲା । ତୋ ଭଳି ମୂର୍ଖ, ଅଯୋଗ୍ୟକୁ ସେନାପତି ପଦରେ ରଖିବାରୁ ଜୀବନରେ ଏହାହିଁ ପ୍ରଥମ ଘଟିଛି । ଏଥର ତୋର ଆଉ ରକ୍ଷା ନାହିଁ, ପିଶାଚ ।’

 

ଔରଂଜୀବ୍‍ କ୍ରୋଧ-କମ୍ପିତ କଣ୍ଠରେ ଭୃତ୍ୟମାନଙ୍କୁ ଆଦେଶ ଦେଲେ,–‘ଏହିକ୍ଷଣି ନୟନପାଳ-ଘରକୁ ଯାଇ, ସେଠାରେ ଆଗନ୍ତୁକ ସ୍ତ୍ରୀ କହିଥିଲେ ତାହାକୁ ଟାଣି ଆଣ । ଆଉ, ନୟନପାଳକୁ ନେଇ ବନ୍ଦୀ କର ।’ କେତେ ଜଣ ଭୃତ୍ୟ ଅତି ଶୀଘ୍ର ଯାଇ, ଇନ୍ଦିରାଙ୍କୁ ସଙ୍ଗେ ଧରି ଦରବାର-ମହାଲ୍‍କୁ ବାହୁଡ଼ିଲେ । ନୟନପାଳ ଜୀବନାଶା ଏକାବେଳକେ ବିସର୍ଜ୍ଜନ କରିଦେଇ ଅଧୋମୁଖରେ ଠିଆହୋଇ ରହିଲେ । ସେତେବେଳେ କ୍ରୋଧ-ଜର୍ଜ୍ଜରିତ ସମ୍ରାଟଙ୍କର କୃତାନ୍ତ-ରୂପ ଦେଖି ଦରବାରର ସମସ୍ତେ ଭୟରେ ଥରିଗଲେ । ନୟନପାଳଙ୍କୁ କାରାଗାରରେ ନେଇ ରଖିବା ସକାଶେ କେତେଜଣ ଅନୁଚର ତାଙ୍କ ସହିତ ଦରବାର-କକ୍ଷ ତ୍ୟାଗ କଲେ । ନିର୍ବାକ ନୟନପାଳ ଗଳଦଶ୍ରୁ ଚକ୍ଷୁରେ ଭୃତ୍ୟମାନଙ୍କ ସଙ୍ଗେ ବନ୍ଦୀଶାଳା ପ୍ରତି ଅଗ୍ରସର ହେଲେ । ଶେଷରେ, ସେ ଘନଶୃଙ୍ଖଳାବଦ୍ଧ ହୋଇ କାରାଦଣ୍ଡ ଭୋଗ କଲେ ।

 

ଚତୁର ଔରଂଜୀବ୍‍ ଗୁପ୍ତଚର ସାହାଯ୍ୟରେ ପୂର୍ବରୁ ନୟନପାଳଙ୍କର ସମସ୍ତ ଖବର ରଖିଥିଲେ । ସେ କିନ୍ତୁ ନୟନପାଳଙ୍କ ସତ୍ୟବାଦିତା ପରୀକ୍ଷା କରିବା ଉଦ୍ଦେଶ୍ୟରେ, ତାଙ୍କ ସହିତ କଥାବାର୍ତ୍ତା କରିବାବେଳେ ପୂର୍ଣ୍ଣ ଉଦାସୀନତାର ପରିଚୟ ଦେଲେ । ପରେ ସମ୍ରାଟ ଇନ୍ଦିରାଙ୍କୁ କହିଲେ,–‘ଦୁଷ୍ଟ ! ଚନ୍ଦ୍ରାବତୀ କେଉଁଠାରେ ଅଛି କହିବୁ କି ନାହିଁ ? ‘ଇନ୍ଦିରା ଏହା ସହୁଛନ୍ତି କେତେକେ ? ଧେର୍ଯ୍ୟ ସହିତ ଉତ୍ତର ଦେଲେ,–ତୁମର ଏହି ସାମାନ୍ୟ ଧମକ ପ୍ରତି ଭୟ ଥିଲେ, ଏ କାର୍ଯ୍ୟ କରନ୍ତି କାହିଁକି ? ଇନ୍ଦିରା ଜୀବନରେ କେବଳ କର୍ତ୍ତବ୍ୟ ଚିହ୍ନେ ।’

 

‘ଏ ଦୁଷ୍ଟାମିର ଉପଯୁକ୍ତ ଦଣ୍ଡ ପାଇବୁ, ସାବଧାନ ।’

 

‘ପ୍ରାଣରେ ମମତା ଛାଡ଼ି ଏ କାର୍ଯ୍ୟରେ ଲାଗିଛି । ଯାହା ଇଚ୍ଛା, କରି ପାର–ମୋର କିଛି ଆପତ୍ତି ନାହିଁ ।’

 

ଇନ୍ଦିରାଙ୍କ ଉଗ୍ର ବ୍ୟବହାରରେ ବାଦ୍‍ଶାହା ଚକିତ ହୋଇଗଲେ, ଏବଂ ମନେ ମନେ ତାଙ୍କର ଅପୂର୍ବ ସୌନ୍ଦର୍ଯ୍ୟର ବହୁ ପ୍ରଶଂସା କଲେ । ପରେ, ଇନ୍ଦିରାଙ୍କୁ ମହାଲ୍‍କୁ ନେଇ ଉଦିପୁରୀଙ୍କ ଦାସୀ କରାଇବା ନିମିତ୍ତ ଚାକରମାନଙ୍କୁ ଆଦେଶ ଦେଲେ । ତାଙ୍କ ଆଦେଶ ସେହି ମୁହୂର୍ତ୍ତରେ ହିଁ ପାଳିତ ହେଲା ।

Image

 

ତ୍ରୟୋଦଶ ପରିଚ୍ଛେଦ

(ମୋଗଲ ମହାଲ୍‍ରେ ଇନ୍ଦିରା)

 

ସଦ୍‍ଗୁଣର ଅଭାବ ସତ୍ତ୍ୱେ ଉଦିପୁରୀ ନିଷ୍ଠୁରା ନଥିଲେ । ରାଜପ୍ରାସାଦର ନଗଣ୍ୟ ଦାସଦାସୀଠାରୁ ଆରମ୍ଭ କରି ବାଦ୍‍ଶାହା ପର୍ଯ୍ୟନ୍ତ ସମସ୍ତେ ଉଦିପୁରୀଙ୍କ ଇଙ୍ଗିତରେ ଚାଳିତ;–ତାଙ୍କ କଥାର ପ୍ରତିବାଦ କରିବାକୁ କାହାର ସାହସ ହେଉ ନ ଥିଲା । ସେ ରାଜପୁତ୍‍ ଜାତିରେ ଜନ୍ମିଥିବାରୁ, ମୋଗଲର ଅଙ୍କଶାୟିନୀ ହେଲେହେଁ, ପତିଭକ୍ତିରେ ଅବହେଳା କରୁ ନ ଥିଲେ । ଔରଂଜୀବ୍‍ ରାଜକାର୍ଯ୍ୟ-ପରିଶ୍ରମକ୍ଲାନ୍ତ ହୋଇ ଚିନ୍ତିତ ହୃଦୟରେ ଏବଂ ବିଷର୍ଣ୍ଣ ମୁଖରେ ଅନ୍ତଃପୁରକୁ ଫେରିବା ମାତ୍ରେ, ଉଦିପୁରୀ ସରସ ମଧୁରାଳାପରେ ତାଙ୍କର ଦୁଃଖ ଦୂର କରି ଦେଉଥିଲେ । ଏଣୁ ତାଙ୍କ ପ୍ରତି ସମ୍ରାଟଙ୍କର ଗଭୀର ପ୍ରେମ ଓ ଆଦର । ରାଜପୁତ୍‍ ସ୍ତ୍ରୀ ହୋଇ ସୁଦ୍ଧା, ସେ ଯବନଜନୋଚିତ କେତେକ ମନ୍ଦ ପ୍ରବୃତ୍ତିର ବଶବର୍ତ୍ତୀ ଥିଲେ । କମଳକୁମାରୀଙ୍କ ପତ୍ର ପାଇବା ମୁହୂର୍ତ୍ତରୁ, କମଳକୁମାରୀଙ୍କ ପ୍ରତି ଉଦିପୁରୀଙ୍କ ବିଦ୍ୱେଷ ଓ କ୍ରୋଧ ବଦ୍ଧମୂଳ ହେଲା ଏବଂ ପ୍ରତିହିଂସା ନେବା ପାଇଁ ସେ ସମ୍ରାଟଙ୍କୁ ସର୍ବଦା ପ୍ରରୋଚିତ କରିବାକୁ ଲାଗିଲେ ।

 

କମଳକୁମାରୀ ଓ ରୂପନଗର ପ୍ରତି ଔରଂଜୀବ୍‍ଙ୍କ ରାଗ ଓ ବିରକ୍ତି ବଢ଼ାଇବା ଉଦ୍ଦେଶ୍ୟରେ, ତାଙ୍କ ଆଗରେ ଉଦିପୁରୀ କେବେକେବେ କମଳକୁମାରୀ-ଲିଖିତ ପତ୍ରଟି ପଢ଼ି ଶୁଷ୍କ ମୁଖରେ ବସୁଥିଲେ ଏବଂ ବାଦ୍‍ଶାହା ତାଙ୍କ ଚିନ୍ତାର କାରଣ ପଚାରିଲେ, ସେ ପଦେ ସୁଦ୍ଧା ନ କହି ଚକ୍ଷୁରୁ ଜଳ ଗଡ଼ାଇ ଦେଉଥିଲେ । ଉଦିପୁରୀ ଆପଣାକୁ ସକଳ ରାଜପୁତ୍‍ ରାଣୀଙ୍କ ମହାରାଣୀ ଜ୍ଞାନ କରି ମନରେ ଗର୍ବ ଧରୁଥିଲେ ଏବଂ ପ୍ରତ୍ୟେକ କ୍ଷତ୍ରିୟ ସ୍ତ୍ରୀକୁ ନେଇ ଦିଲ୍ଲୀ–ମହାଲ୍‍–ବାସିନୀଙ୍କ ସଂଖ୍ୟା ବୃଦ୍ଧି କରିବା ତାଙ୍କ ଜୀବନର ବ୍ରତ ଥିଲା ।

 

ମଶାବତ୍‍ ସେଦିନ ଇନ୍ଦିରାଙ୍କୁ ସଙ୍ଗେ ଧରି ଉଦିପୁରୀଙ୍କ ସମ୍ମୁଖରେ ଠିଆ ହେବାବେଳେ, ଉଦିପୁରୀ ଶ୍ୟାମଳବର୍ଣ୍ଣ ଖଣ୍ଡିଏ ସୁନ୍ଦର ଶାଢ଼ିପିନ୍ଧି ସେହି ରଙ୍ଗର ଗୋଟିଏ ମଖମଲ ଶଯ୍ୟା ଉପରେ ଅର୍ଦ୍ଧଶାୟିତା ଥିଲେ । ଦୂରରୁ ତାଙ୍କର ବିଳାସ ଓ ବେଶଭୂଷା ଦେଖି ଇନ୍ଦିରା ସ୍ପଷ୍ଟ ବୁଝି ପାରିଲେ, ଉଦିପୁରୀ ଯବନ-ଧର୍ମ-ଦୀକ୍ଷିତା ଜଣେ ରାଜପୁତ୍‍ ସ୍ତ୍ରୀ । ଏଣୁ ଇନ୍ଦିରାଙ୍କ ହୃଦୟରେ ଘୃଣାର ଏକ ତୀବ୍ର ଧାରା ଚଞ୍ଚଳ ବହିଗଲା । ମଦମତ୍ତ। ଉଦିପୁରୀ ଇନ୍ଦିରାଙ୍କୁ ଦେଖି ନ ଦେଖିଲା ପରି ରହିଲେ । କିଛି ଦୂରରୁ ଦେଖିବା ମାତ୍ରେ ମହିଷୀଙ୍କୁ ମୁଣ୍ଡ ନୁଆଇଁ ପ୍ରଣାମ କରିବାକୁ ରଙ୍ଗମହଲ୍‍ର ଦାସଦାସୀମାନେ ବାଧ୍ୟ । କିନ୍ତୁ ଇନ୍ଦିରାଙ୍କୁ କୁର୍ଣ୍ଣିସ୍‍ ନ କରିବାର ଦେଖି, ମହିଷୀଙ୍କ ହୃଦୟରେ ବିରକ୍ତି-ବହ୍ନି ପ୍ରଜ୍ଜ୍ଵଳିତ ହେଲା । ସେ ଇନ୍ଦିରାଙ୍କ ରୂପ-ଲାବଣ୍ୟର ମନେ ମନେ ବହୁ ପ୍ରଶଂସା କରି ଈଷ୍ୟାନ୍ଵିତ ହୋଇଗଲେ । ସଂକୀର୍ଣ୍ଣହୃଦୟା ସୁନ୍ଦରୀ ସ୍ତ୍ରୀର ଏହା ସ୍ୱାଭାବିକ ବୁଦ୍ଧି ! ସେ ମଶାବତ୍‍କୁ ଇନ୍ଦିରାଙ୍କର ପରିଚୟ ପ୍ରଶ୍ନ କରିବାରୁ, ମଶାବତ୍‍ ନମ୍ର ସ୍ୱରରେ ଉତ୍ତର କଲା,–‘ବେଗମ, ଏ କିଏ ମୁଁ ଜାଣେ ନା, ଏହାକୁ ବେଗମଙ୍କ ଦାସୀ କରି ରଖିବା ପାଇଁ ବାଦ୍‍ଶାହାଙ୍କ ହୁକୁମ ? ‘

 

ଉଦିପୁରୀ ଗର୍ବେ।ନ୍ନତ କଣ୍ଠରେ ଇନ୍ଦିରାଙ୍କୁ ପଚାରିଲେ,–‘କିଏ ତୁ, ବାଦ୍‍ଶାହାଙ୍କ ହାତରେ ପଡ଼ିଲୁ କିପରି ?’

 

ଇନ୍ଦିରା କହିଲେ,–‘ମୋ ପରିଚୟରେ ତୁମର ଯାଏ ଆସେ କେତେ ? ଏଠାକୁ ମୁଁ କିପରି ଆସିଲି, ତାହା କହିବା ଆବଶ୍ୟକ ମନେ କରୁନାହିଁ । ତେବେ ଏତିକି କହିପାରେ–ବିଧାତା ମୋତେ ଏଠାକୁ ଟାଣି ଆଣିଛି ।’

 

‘ତୁ ବଡ଼ ସିହାଣ। ପରି ଦିଶୁଛୁ ତ ! ଏପରି ହେଲେ, ଏଠାରେ ଭଲ ଦାସୀ ହେବୁ । ତୋର କେଉଁ ଦୋଷ ଦେଖି ବାଦ୍‍ଶାହା ତୋତେ ମହାଲ୍‍କୁ ଆଣିଛନ୍ତି, କହିବୁ ତ ?’

 

‘ସବୁ ଜାଣି ଶୁଣି ଏହା ପଚାରୁଛ କାହିଁକି, କିଛି ବୁଝିପାରୁ ନାହିଁ । ଯେ କୌଣସି ଜାତିର ସୁନ୍ଦରୀ ସ୍ତ୍ରୀ ପାଇଁ ଏ ମହାଲ୍‍ ଯେ ତିଆରି ।’

 

‘ଜାତିରେ ତୁ କଣ ?’

 

‘ପଠାଣର ସେବା କରିବାକୁ ଆସି, ଜାତିର ପରିଚୟ ଦେଇ ବା ଲାଭ କଣ ?’

 

‘ବେଳକୁ ବେଳ ତୋ ଆସ୍ପର୍ଦ୍ଧା ବଢ଼ୁଛି ଯେ । କଥାବାର୍ତ୍ତାରୁ ବୋଧ ହେଉଛି, ତୁ ଜଣେ ରାଜପୁତ୍‍ ସ୍ତ୍ରୀ ।’

 

ଉଦିପୁରୀ ଉତ୍ତମରୂପେ ଜାଣିଥିଲେ, ଔରଂଜୀବ୍‍ ଜଣେ କାମୁକ ଓ କାମିନୀ-ଲୋଲୁପ । ପଠାଣ ସ୍ତ୍ରୀ ଅପେକ୍ଷା ରାଜପୁତ୍‍ ସ୍ତ୍ରୀ ସ୍ଵଭାବତଃ ଅଧିକ ରୂପବତୀ ହେବା ଯୋଗୁଁ ସମ୍ରାଟ କାଳେ ଅଧିକ ରାଜପୁତ୍‍ ସ୍ତ୍ରୀ ବିବାହ କରି ପାରନ୍ତି ଏହି ଆଶଙ୍କା ଉଦିପୁରୀଙ୍କ ହୃଦୟକୁ ସର୍ବଦା ମନ୍ଥିତ କରି ଦେଉଥିଲା, ଏଣୁ ଇନ୍ଦିରାଙ୍କ ସୌନ୍ଦର୍ଯ୍ୟରେ ମୁଗ୍‍ଧ ହୋଇ ବାଦ୍‍ଶାହା ତାଙ୍କୁ ବିବାହ କରିବା ଅଭିପ୍ରାୟରେ ହିଁ ମହାଲ୍‍କୁ ଆଣିଛନ୍ତି ଭାବି ଉଦିପୁରୀ ଘୋର ମାନସିକ କ୍ଳେଶ ପ୍ରାପ୍ତ ହେବା ଅସମ୍ଭବ ନୁହେ । ଇନ୍ଦିରାଙ୍କ ଉତ୍ତର ଶୁଣି ସେ ଏହି ଅନୁମାନରେ ଉପନୀତ ହୋଇଥିଲେ । ସେ ସ୍ଥିର କଲେ, ଇନ୍ଦିରାଙ୍କୁ ଅବିଳମ୍ବେ ରଙ୍ଗ ମହାଲ୍‍ରୁ ବାହାର କରି ଦେବେ । କିନ୍ତୁ ପର ମୁହୂର୍ତ୍ତରେ, ବାଦ୍‍ଶାହା କୌଣସି ରାଜନୈତିକ ଲକ୍ଷ୍ୟ ସାଧନ ପାଇଁ ଇନ୍ଦିରାଙ୍କୁ ଆଣିଛନ୍ତି ମନେ କରି, ସେହି ସଂକଳ୍ପରୁ ବିରତ ହେଲେ । ଶେଷରେ ଇନ୍ଦିରାଙ୍କୁ ପରଚାରିକାରୂପେ ରଖିବା ସ୍ଥିର କଲେ, କିନ୍ତୁ ଆଶଙ୍କା ଓ ସନ୍ଦେହର କବଳରୁ କେବେ ମୁକ୍ତ ହୋଇ ପାରିଲେ ନାହିଁ ।

 

ଇନ୍ଦିରା ! ଧନ୍ୟ ତୁମର ଚତୁରତା ! ଶତବାର ଧନ୍ୟ ତୁମର ଛଳନା-ଖେଳା ! କୁହୁକଜାଲ ବିସ୍ତାର କରି ଶତ୍ରୁ ଆଖିରେ ଧୂଳି ପକାଇବା, ଶତ୍ରୁକୁ ଆୟତ୍ତ କରିବା ତୁମେ ବେଶ୍‍ ଜାଣ-। ସାହସ, ବୀରତ୍ୱ ଓ ଦୂରଦର୍ଶିତାର ତୁମର ଉପମା ଆଉ କିଏ ହୋଇପାରେ ? ନିଜେ ତୁମେ ନୁହ କି ? ଧନ୍ୟ ସେହି ରାଜପୁତ୍‍ ବୀର, ତୁମକୁ ଯେ ପତ୍ନୀରୂପେ ପାଇଛି । ନିଜେ ରାଜପୁତ୍‍ ଜାତିରେ ତୁମର ଜନ୍ମ, ଵୀରଙ୍ଗନା ଶ୍ରେଣୀର ତୁମେ ଗଣ୍ୟା–ତଥାପି ପଦେ ପଦେ ବିପଦ ଭୋଗୁଛି-। ଏହାହିଁ ଭଗବାନଙ୍କ ପରୀକ୍ଷା–ତୁମ ଧୈର୍ଯ୍ୟର ପରୀକ୍ଷା ସିନା ! କିନ୍ତୁ ବାଧାବିଘ୍ନ ତୁମ ଆଗରେ ବା କେତେ-? ବର୍ତ୍ତମାନ କଣ ନ କରିଛ ! କାଚ ଘର ମଧ୍ୟରେ ରହି ଘରର କାଚ କାନ୍ଥ ଉପରେ ପଥର ଫିଙ୍ଗି ନାହିଁ କି ? ବନ ମଧ୍ୟରେ ପଶି ପଶୁରାଜକୁ ଯୁଦ୍ଧ ପାଇଁ ଆହ୍ୱାନ କରି ନାହିଁ ତ ଆଉ କଣ-? ବିଚିତ୍ର ବାକ୍‍-ଚତୁରୀରେ ଉଦିପୁରୀଙ୍କୁ ଏପରି ବ୍ୟତିବ୍ୟସ୍ତ କରି ପକାଇଲ ଯ, ସେ ତୁମକୁ ଏକାବେଳକେ ଅନ୍ତଃପୁରରୁ ଅନ୍ତର କରି ଦେବାକୁ ଉଦ୍ୟତ ହେଲେ । ଅଦ୍ଭୁତ ପ୍ରଭୁଭକ୍ତିରେ ବାଦ୍‍ଶାହାଙ୍କୁ ଚମକିତ କରିଛ ।

 

ଉପାୟାନ୍ତରେ ନଦେଖି, ଉଦିପୁରୀ ଇନ୍ଦିରାଙ୍କୁ ସେବିକା ରୂପେ ରଖିବାକୁ ବାଧ୍ୟ ହେଲେ-। ଇନ୍ଦିରାଙ୍କୁ ସର୍ବଦା ବାଦ୍‍ଶାହାଙ୍କ ଦୃଷ୍ଟିରେ ଅନ୍ତରାଳରେ ରଖିବା ଉଦ୍ଦେଶ୍ୟରେ, ସେ ତାହାଙ୍କୁ ମହାଲ୍‍ର ଏକ ନିଭୃତ କକ୍ଷରେ ବାସସ୍ଥାନ ଦେଲେ, ଏବଂ ତାଙ୍କ ଉପରେ କୌଣସି କଠିନ କାର୍ଯ୍ୟଭାର ଦେଲେ ନାହିଁ । ଇନ୍ଦିରା ସମୟ ସମୟରେ ସେହି ସ୍ଥାନରୁ ବାହାରିବାର ସୁବିଧା ପାଇଥିଲେ । ସେ ରଙ୍ଗ ମହାଲ୍‍ର କୌଣସି ଖାଦ୍ୟ ଦ୍ରବ୍ୟ–ଏପରି କି କାହା ହାତରୁ ଜଳ ସୁଦ୍ଧା ସ୍ପର୍ଶ କରୁନଥିଲେ । ପ୍ରତ୍ୟହ ସେ ନିର୍ଦ୍ଦିଷ୍ଟ କାମ ସାରିବା ପରେ ସ୍ନାନାଦି କରି, ସ୍ୱପାକସିଦ୍ଧ ଅନ୍ନ ବ୍ୟଞ୍ଜନାଦି ଭୋଜନ କରୁଥିଲେ । ବିଲାତରେ ବାସ କରି ମତ୍ସ୍ୟାହାର ବିସର୍ଜ୍ଜନ ! ଉଦିପୁରୀଙ୍କର ଏହା ବା ସହ୍ୟ ହେବ କିପରି ? ଦିନେ ସେ ଇନ୍ଦିରାଙ୍କ ବିରକ୍ତି ସହିତ କହିଲେ–’ଇନ୍ଦିରା, ଶୁଣୁଛି-। ଏଠାରେ ଖାଦ୍ୟ ଜିନିଷ କିଛି ତୁ ଗ୍ରହଣ କରୁ ନାହୁଁ । ଏହାର ଉଦ୍ଦେଶ୍ୟ ?’

 

ଇନ୍ଦିରାଙ୍କର ଦୀପ୍ତ ଉତ୍ତର,–‘ପଠାଣରନ୍ଧା ଅନ୍ନ ଖାଇ ଜାତି ହରାଇବା ରାଜପୁତ୍‍ ସ୍ତ୍ରୀ ଶିଖି ନାହିଁ ।’

 

‘ଓହୋ, ପୋଡ଼ାମୁହଁର ତ ଭାରି ଜାତି ଅଭିମାନ ଦେଖୁଛି । ସାମାନ୍ୟ ଜଣେ ଦାସୀ ହୋଇ ପଠାଣକୁ ନିନ୍ଦା କରୁଛୁ । ସେଇ ପଠାଣ ସଙ୍ଗେ ତୋର ବିବାହ ଦିଆଇ ତୋ ଗୁମାନ, ଗର୍ବ ଛଡ଼ାଉଛି, ରହ ।’

 

ଉଦିପୁରୀ ହସି ହସି ପାର୍ଶ୍ୱସ୍ଥ ମଶାବତ୍‍କୁ କହିଲେ,–ମଶାବତ୍‍ ! ଏତେ ଦିନ ପରେ ତୁ ଜୀବନର ସଙ୍ଗିନୀଟିଏ ପାଇଛୁ । କିନ୍ତୁ ଇନ୍ଦିରା ହାତରୁ ଖାଇବୁ ତ ? ନା ଆପେ ରନ୍ଧାବଢ଼ା କରିବୁ ?

 

କଦାକାର ମଶାବତ୍‍ର ଆଶା ଆଉ ଅନ୍ତ ମାନିଲା ନାହିଁ ନାହିଁ ସନ୍ତୋଷରେ ସେ ମୁଖ ବିସ୍ତୃତ କରି ଦେଇ ହସି ଉଠିଲା । ଇନ୍ଦିରା ଲାଭାଶା ସେହି ମୁହୂର୍ତ୍ତରୁ ପୂର୍ବେ।ପେକ୍ଷା ଅଧିକ ଆଗ୍ରହ ସହିତ ମହିଷୀଙ୍କ ଆଦେଶ ପାଳନ କରିବାକୁ ଲାଗିଲା ।

 

ଉଦିପୁରୀ, ଯାହା ହେଉ, ଇନ୍ଦିରାଙ୍କ ବୁଦ୍ଧି ଓ ସାହସରେ ଚମତ୍କୃତ ଓ ତୁଷ୍ଟ ହେଲେ । ସମୟ ସମୟରେ ସେ ତାଙ୍କୁ ନିକଟକୁ ଡକାଇ ତାଙ୍କ ସଙ୍ଗେ ସ୍ନେହ-ସମ୍ଭାଷଣ କରୁଥିଲେ । ଇନ୍ଦିରା ପ୍ରାଚୀନ ରାଜା ଓ ରାଣୀ, ବୀର ଓ ବୀରଙ୍ଗନାମାନଙ୍କ ଚରିତ, ପୂର୍ବକାଳର ସାଧ୍ଵୀ ପତିଗତପ୍ରାଣ। ସ୍ତ୍ରୀମାନଙ୍କ କରୁଣ ମର୍ମଭେଦୀ ସହଗମନ ବୃତ୍ତାନ୍ତ ଇତ୍ୟାଦି ପ୍ରସଙ୍ଗ ସୁନ୍ଦର ବିବୃତ କରି ମହିଷୀଙ୍କ ସନ୍ତୋଷ ବିଧାନ କରୁଥିଲେ । ଏହାଛଡ଼ା ନିଜେ ଏଥିପୂର୍ବେ କି କି କାର୍ଯ୍ୟ କରିଥିଲେ ତାହା ସୁଦ୍ଧା ମହିଷୀଙ୍କୁ ସରଳ ଭାବରେ ଆଗ୍ରହ ସାହିର ଶୁଣାଇବାକୁ ଅଣୁମାତ୍ର ସଙ୍କୋଚ ବୋଧ କରୁ ନଥିଲେ । ଥରେ ତାଙ୍କ ପତି କୌଣସି ଏକ ଯୁଦ୍ଧକ୍ଷେତ୍ରରୁ ପୃଷ୍ଠଭଙ୍ଗ ଦେଇ ଫେରିବାରୁ ନିଜେ କଟୁକ୍ତି ପ୍ରୟୋଗରେ ତାହାଙ୍କୁ କିପରି ଲାଂଛିତ କରିଥିଲେ, ଏବଂ ଅନୁତପ୍ତ ସ୍ୱାମୀ ଯୁଦ୍ଧରେ ଜୟୀ ନହେବା ଯାଏଁ ପତ୍ନୀ ଆଗରେ ପୁନର୍ବାର ମୁଖ ଦେଖାଇବେ ନାହିଁ ବୋଲି କିପରି ଶକ୍ତ ଶପଥ କରି ଯାଇଛନ୍ତି, ଏହି ସକଳ କଥା କହି ଦିନେ ସେ ଉଦିପୁରୀଙ୍କ ହୃଦୟରେ, କ୍ଷଣକେ ସକାଶେ, ଜାତୀୟତା ଓ ବୀରତ୍ୱ ଖେଳାଇ ଦେଇଥିଲେ । ଆଉ ଦିନେ କଥା ସ୍ରୋତରେ ଭାସି ସେ ଚନ୍ଦ୍ରାବତୀଙ୍କୁ ଶତ୍ରୁ ନିକଟରୁ କିପରି ଉଦ୍ଧାର କରିଥିଲେ ତାହା ବିଶଦ ଭାବରେ ବର୍ଣ୍ଣନା କରି ପକାଇଲେ । ଏହା ଶୁଣି ଉଦିପୁରୀ ମନେ ମନେ ଅତିଶୟ କ୍ରୁଦ୍ଧ ହୋଇପଡ଼ିଲେ । କଥାବାର୍ତ୍ତା ଚାଲିବାବେଳେ ଆଉ ଦିନେ ସେ ଇନ୍ଦିରାଙ୍କୁ ପଚାରିଲେ,–‘ଇନ୍ଦିରା ! ଶୁଣି ପାରୁଛି, ରୂପନଗରରେ ବିକ୍ରମସିଂହ ନାମରେ ଜଣେ ରାଜପୁତ୍‍ ବୀର ଶାସନ କରନ୍ତି । କମଳକୁମାରୀ ତାଙ୍କ କନ୍ୟା । କମଳକୁମାରୀ ବିଷୟରେ କଣ ଜାଣୁ ? ‘

 

ଇନ୍ଦିରା ବିସ୍ମୟ–ବିସ୍ଫୋରିତ ଚକ୍ଷୁରେ କହିଲେ,–‘ଏ କଣ କହୁଛ, କମଳକୁମାରୀଙ୍କୁ ମୁଁ ଜାଣି ନାହିଁ । ସେ ଭାରୀ ବୁଦ୍ଧିମତୀ, ରୂପବତୀ ଓ ଚତୁରା–ଅନେକ ଶାସ୍ତ୍ର ପଢ଼ିଛନ୍ତି । ଦମ୍ଭରେ କହିପାରେ, ଆଜିକାଲି ଯେତେ ରାଜକୁମାରୀ ଅଛନ୍ତି, ସେମାନଙ୍କ ମଧ୍ୟରେ ଖୋଜିଲେ କମଳକୁମାରୀଙ୍କ ଭଳି ଚମ୍ପକାଙ୍ଗୀ ଭୁବନମୋହିନୀ ଯୁବତୀ ଜଣେ ସୁଦ୍ଧା ଦେଖାଯିବେ ନାହିଁ । ତାଙ୍କ ଦେହର କାନ୍ତି, ଚକ୍ଷୁର ତେଜ, ଗଠନ ମାଧୁରୀ ଦେଖି ତୁମର ଫକୀରମାନେ ସୁଦ୍ଧା କାମାନ୍ଧ ହୋଇ କୋରାଣକୁ ଅସାର ହେୟ ମନେ କରି, ପଦଦଳିତ କରି ଯମୁନାରେ ନେଇ ଫିଙ୍ଗି ଦେବେ ।’

 

ଉଦିପୁରୀ ପୁନର୍ବାର ଅପ୍ରତିଭ ! ତାଙ୍କ ମନରେ ନୂତନ ଏକ ଚିନ୍ତାର ଉଦ୍ରେକ ହେଲା । ଇନ୍ଦିରା ସହିତ ବାଦ୍‍ଶାହାଙ୍କର ବିବାହ ଆଶଙ୍କା କରି ତ ବ୍ୟଥିତ ହୋଇ ପଡ଼ିଥିଲେ–ପୁଣି କଟା ଘା’ରେ ଚୂନ । ଭାବିଲେ,–‘’କମକୁମାରୀକୁ ବଳାତ୍କାର ପୂର୍ବକ ଆଣିବା ପାଇଁ ବାଦ୍‍ଶାହା ସାଦତଖାଁଙ୍କୁ ଆଦେଶ ଦେଇଛନ୍ତି । କମଳକୁମାରୀ ମହାଲ୍‍କୁ ଆସିଲେ ମୋ ଗର୍ବ ଓ ଗୌରବର ତର୍ପଣ ହେବ, ସନ୍ଦେହ ନାହିଁ । ଜାଣିଶୁଣି ନିଜପାଇଁ ନିଜେ ତ କୂଅ ଖୋଳିଛି, କାହାକୁ କହିଲେ କଣ ହେବ ? ପୋଡ଼ାମୁହିଁ କମଳର ପତ୍ରଟି ସବୁ ନାଟ ଲଗାଇଛି । ମୁଁ ତାହାର ଚିଠିଟି ବାଦ୍‍ଶାହାଙ୍କୁ ଦେଖାଇଲି କାହିଁକି ? ଦେଖାଇ ତୁନି ରହିଥିଲେ ଏକ ରକମ ଭଲ ହୋଇଥାନ୍ତା–ତାହାକୁ ମହାଲ୍‍କୁ ଟାଣି ଆଣି ମୋ ପାଦ ତଳେ ଖଟାଇବା ପାଇଁ ଅଳି କରି ବାଦ୍‍ଶାହାଙ୍କୁ ତତେଇ ଦେଲି ବା କାହିଁକି-? ଆ କାଣ୍ଡ ମୋତେ ବିନ୍ଧ ! ଆପଣା ଆଖିରେ ଆଙ୍ଗୁଠି ମାରି, ନିଜ ହାତରେ ଜିଭ କାଟି, ମୁଁ ତ ଦୁଃଖ ନ ସହିବି, ଆଉ ସହିବ କିଏ ?

 

ଉଦିପୁରୀ ଏପରି ନାନା ଚିନ୍ତା କରି, ବିଚଳିତ ହୃଦୟରେ କାଳ କଟାଇବାକୁ ଲାଗିଲେ । ଏଣେ ଇନ୍ଦିରା, କୌଣସି ଉପାୟରେ ରଙ୍ଗମହଲ୍‍ରୁ ଖସି ବାହାରି ଯିବାକୁ ବିଶ୍ୱପ୍ରଯତ୍ନ କରୁଥିଲେ ।

Image

 

ଚତୁର୍ଦ୍ଦଶ ପରିଚ୍ଛେଦ

(ଚିତ୍ରକର)

 

ପ୍ରାଚୀନ ହସ୍ତିନାର ଆଧୁନିକ ନାମ ଦିଲ୍ଲୀ । ଧର୍ମରାଜ ଯୁଧିଷ୍ଠିରଙ୍କ ଅଭିଷେକ ସମୟଠାରୁ ମୋଗଲ ସମ୍ରାଟମାନଙ୍କ ପତନ ପର୍ଯ୍ୟନ୍ତ ଦିଲ୍ଲୀ ନଗରୀର ପ୍ରାଧାନ୍ୟ ଓ ଗୌରବ ଅକ୍ଷୁର୍ଣ୍ଣ ଥିଲା । ଏତିକି ମାତ୍ର ନୁହେଁ, ଆଧୁନିକ ଯୁଗରେ ମଧ୍ୟ ଏହି ନଗରୀର ମହତ୍ତ୍ୱ କୌଣସି ଅଂଶରେ ହ୍ରାସ ପାଇଁ ନାହିଁ । ଏହା ପୁରାଣ-ପ୍ରଶସ୍ତ, ଇତିହାସପ୍ରସିଦ୍ଧ ଗୋଟିଏ ବିଶାଳ ନଗରୀ । ଏହି ସ୍ଥାନରେ ୧୮୭୭ ସାଲରେ ପ୍ରାତଃସ୍ମରଣୀୟା ବିଲାତଶ୍ଵରୀ ଭିକ୍ଟୋରିଆଙ୍କ ଭାରତ–ସାମ୍ର।ଜ୍ଞ-ଉପାଧି-ପ୍ରାପ୍ତି ଉପଲକ୍ଷ୍ୟରେ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ସ୍ଥାନରେ ହିଁ ୧୯୦୧ ଖ୍ରୀଷ୍ଟାଦ୍ଦରେ ଶାନ୍ତିପ୍ରାଣ ପ୍ରବଳ ପ୍ରତାପୀ ଏଡ୍‍ଉଆର୍ଡ଼ଙ୍କ ଅଭିଷେକ-କ୍ରିୟା ମହା ସମାରୋହ ସହିତ ସମ୍ପନ୍ନ ହୋଇଥିଲା ।

 

ବର୍ଣ୍ଣିତ ସମୟରେ ଦିଲ୍ଲୀ ବିବିଧ ବିଦ୍ୟାର ମନୋଜ୍ଞ ଆକର, ବିଭିନ୍ନ ଶିଳ୍ପର ପ୍ରଶସ୍ତ କ୍ଷେତ୍ର ଥିଲା ବୋଲି କହିଲେ ଅତ୍ୟୁକ୍ତିର ଆଶଙ୍କା ହୋଇ ନ ପାରେ । ସଙ୍ଗୀତର ସୁର-ଧାମ, ବିଳାସର ନନ୍ଦନକାନନ ଏହି ନଗରୀରେ, ଯେ କୌଣସି ଲୋକ, କେତେ ଗରିବ ହେଉ ପଛକେ, ସାମାନ୍ୟ କଳାବିଦ୍ୟା-ଅଭ୍ୟାସରେ, ନଗଣ୍ୟ ବ୍ୟବସାୟ-ଜ୍ଞାନ ବଳରେ ସୁଦ୍ଧା, ଅତ୍ୟଳ୍ପ ସମୟ ମଧ୍ୟରେ ସଙ୍ଗତି ସଂପନ୍ନ ହୋଇ ପାରୁଥିଲା । ପାର୍ଶ୍ୱଦେଶରେ କଳକଳନାଦିନୀ ପରିଚ୍ଛନ୍ନ-ପ୍ରସନ୍ନ-ନୀରା ଯମୁନା, ମଧ୍ୟରେ ଶ୍ୱେତ ପ୍ରସ୍ତର-ନିର୍ମିତ ସୁରମ୍ୟ ହର୍ମ୍ମମାଳା, ବିବିଧ–ବୃକ୍ଷ–ଲତା–ଶୋଭିତ ରମଣୀୟ ଉପବନଶ୍ରେଣୀ, ବିଭିନ୍ନ-ପଣ୍ୟ-ଦ୍ରବ୍ୟ-ପରିପୂରିତ ମନୋହର ବିପଣିପୁଞ୍ଜ, ହଂସ କାକଳି ନାଦିତ ଭ୍ରମର-ଗୁଞ୍ଜିତ ସରୋଜସମନ୍ୱିତ ସ୍ୱଚ୍ଛ-ସଲିଳ–ଗର୍ଭ ସୁଚାରୁ ସରସୀଶ୍ରେଣୀ, ସୁନ୍ଦର ନିର୍ମ୍ମଳ ସାହି, ଗଳି ଓ ରାଜପଥ ଏବଂ ସମୁଚ୍ଚ ମସ୍‍ଜିଦ୍‍ ଓ ସ୍ତମ୍ଭସମୂହ ।

 

ଦିନେ ସନ୍ଧ୍ୟା ସମୟରେ ଛିନ୍ନ-ବସ୍ତ୍ର-ପରିହିତ ଜଣେ ବିଦେଶୀ ଦିଲ୍ଲୀର ପ୍ରଧାନ ସାହି ମଧ୍ୟରେ କିଞ୍ଚିତ୍‍ ଦ୍ରୁତ ବେଗରେ ଯାଉଥିଲା । ସେ କିଏ, କେଉଁ ସ୍ଥାନରୁ କି ଉଦ୍ଦେଶ୍ୟରେ ଆସିଛି, ତାହା ସମସ୍ତଙ୍କର ଅବଦିତ । କିନ୍ତୁ ଜୀର୍ଣ୍ଣ ଶୀର୍ଣ୍ଣ ପରିଚ୍ଛଦରୁ ତାହାର ଗରିବାବସ୍ଥାର ସୂଚନା ମିଳୁଥିଲା-। ତାହାର ଦେହ ସେତେବେଳେ ଅତିଶୟ ଘର୍ମ।କ୍ତ ହୋଇଥିବାରୁ ଜଣାଯାଉଥିଲା, ସେ ବହୁଦୂରରୁ ଚାଲି ଆସିଛି । ବଡ଼ ବଡ଼ ନଗରରେ ‘ବାଟବଣା’ ହେବା ଆଗନ୍ତୁକ ପକ୍ଷରେ ଅସ୍ୱାଭାବିକ ନୁହେ-। କିନ୍ତୁ ସେ କାହାକୁ ପଦେ ସୁଦ୍ଧା ନ କହି, କୌଣସି ବିଷୟ ନ ପଚାରି ଏବଂ ଏଣେତେଣେ ମୁଖ ନ ବୁଲାଇ ଏକ ଧ୍ୟାନରେ ନିଜ ଗନ୍ତବ୍ୟ ପଥରେ ଚାଲୁଥିଲା, ଏଣୁ ଅନୁମାନ-ଦିଲ୍ଲୀର କୌଣସି ସାହି, ଗଳି, ଵାଟଘାଟ ତାହାର ଅଜ୍ଞାତ ନୁହେ–ନଗର ସହିତ ସେ ଖୁବ୍‍ ପରିଚିତ । ସେ ଯେ ମାରବାଡ଼ି-ଜାତି-ସମ୍ଭୁତ, ଏହା ତାହାର ବେଶ–ସଜ୍ଜା ଓ ମୁଖ–ଲକ୍ଷଣରୁ ସ୍ପଷ୍ଟ । ଦେଖୁ ଦେଖୁ ଗୋଟିଏ ଗଳି ମଧ୍ୟରେ ପ୍ରବେଶ କଲା । ଶେଷରେ ନଗରପ୍ରାନ୍ତସ୍ଥ ସଂକୀର୍ଣ୍ଣ ଏକ ଗଳି ମଧ୍ୟରେ ଯାଇ ଉପସ୍ଥିତ ହେଲା ।

 

ସେହି ଗଳିଟି କଣ୍ଟକବନ, ବାଲ୍ମୀକୂଟ ଓ ଲୁତାତନ୍ତୁ ଏବଂ ସର୍ପ ଓ ଅନ୍ୟାନ୍ୟ ଜନ୍ତୁର ଆଶ୍ରୟ-ସ୍ଥଳ ହୋଇଥିବାରୁ, ସେଠାରେ ଅଧିକ ଲୋକ ବାସ କରୁ ନଥିଲେ । କେବଳ ଦୁଇ ତିନିଗୋଟି ଘର ଭିନ୍ନ ଅଧିକ ନଥିଲା; ଏଣୁ ଜନତାର ଅଭାବ । ଘରଗୁଡ଼ିକରେ ଚନ୍ଦ୍ର ସୂର୍ଯ୍ୟଙ୍କର ଅବାରିତ ତାଣ୍ଡବ, ବର୍ଷର ଅବାଧ ରାଜତ୍ୱ ଚାଲିଥାଏ । ବିଦେଶୀ ଗଳିର ଶେଷ ଘରରେ ଯାଇ ପହଞ୍ଚିଲା । ଏହି ଘରଟି କିନ୍ତୁ ଉପରୋକ୍ତ ହୀନ ଦଶାରୁ କେତେକ ପରିମାଣରେ ମୁକ୍ତ ।

 

ବିଦେଶିକୁ ଦେଖିବାମାତ୍ରେ, ସେହି ଗୃହର ଜଣେ ବୃଦ୍ଧା ବିସ୍ମୟ ଓ ଆନନ୍ଦ ସହିତ ଥର ଥର ସ୍ୱରରେ କହିଲା,–‘ଓ ହୋ, କେତେ ଦିନ ପରେ ! ଅନେକ ଦିନ ହେଲା ନଦେଖି ଅନ୍ଧୁଣୀ ପରି ହୋଇ ଯାଇଥିଲି । ସବୁ ଭଲତ, ପୁଅ ?’

 

ବିଦେଶୀ କହିଲା,–‘ହଁ, ମା, ଭଲ ସବୁ । ମନ ନାମ ନ ଧରି, ‘ଛୋଟସିଂହ’ ବୋଲି ଡାକିବ । ଏଠାକୁ ମୁଁ ଆସିବାର ବାଦ୍‍ଶାହା ଜାଣି ପାରିଲେ, ବିପଦ । ପରେ ସବୁ କହିବି । ଜ୍ୟେଷ୍ଠମଲ୍ଲ କାହାନ୍ତି ?’

 

‘ବୁଲିଯାଇଛି ଦାଣ୍ଡଆଡ଼େ–ଏହିକ୍ଷଣି ଫେରିବ । ରନ୍ଧା ସାରିଲଣି, ତାହାକୁ ଅପେକ୍ଷା ନକରି ଆସ ଭୋଜନ କରିବ ।’

 

ସାଧାରଣତଃ ସ୍ତ୍ରୀ ହୃଦୟରେ ଗୁପ୍ତ କଥା ଅଧିକ ଲୁଚି ରହେ ନାହିଁ । ଏଣୁ ଛୋଟସିଂହ ବୃଦ୍ଧାକୁ କୌଣସି ବିଷୟ କହିଲେ ନାହିଁ । ପରେ ଦେହର ବସ୍ତ୍ରାଦି ଉନ୍ମୋଚନ କରି ଭୋଜନରେ ବସିଲେ । ବୃଦ୍ଧାର ସୁନ୍ଦର ସାଦର ପରିବେଷଣରେ ସେ ଅତିଶୟ ତୃପ୍ତ ହେଲେ; କିନ୍ତୁ ପ୍ରବଳ ପଥଶ୍ରାନ୍ତ ଯୋଗୁଁ ଆହାର୍ଯ୍ୟ ଦ୍ରବ୍ୟର ସଦ୍‍ବ୍ୟବହାର କରିପାରିଲେ ନାହିଁ । ଭୋଜନ ପରେ, ଜ୍ୟେଷ୍ଠମଲ୍ଲ ଘରକୁ ଆସିବାକ୍ଷଣି ତାଙ୍କୁ ଜାଗରିତ କରିଦେବା ସକାଶେ ବୃଦ୍ଧାକୁ ଅନୁରୋଧ କରି, ଘର ଅଗଣାରେ ପଡ଼ିଥିବା ଗୋଟିଏ ଖଟ ଉପରେ ଯାଇ ନିଦ୍ରା କଲେ ।

 

ଛୋଟସିଂହ ନିଦ୍ରିତ ହେବାର କିଛି ସମୟ ପରେ, ଜ୍ୟେଷ୍ଠମଲ୍ଲ ଗୃହକୁ ପ୍ରତ୍ୟ।ବୃତ୍ତ ହୋଇ ବୃଦ୍ଧା ମୁଖରୁ ଅତିଥିର ଆଗମନ ସମ୍ବାଦ ଓ ପରିଚୟ ପାଇଁ ଗଭୀର ସନ୍ତୋଷ ଲାଭ କଲେ । ପରେ ସେ ଓ ବୃଦ୍ଧା ଭୋଜନ ସାରି ଛୋଟସିଂହଙ୍କ ଶଯ୍ୟା ନିକଟରେ ବସି କଥାବାର୍ତ୍ତା କଲେ । ଶ୍ରାନ୍ତ ହେଲେହେଁ ଉଦବିଗ୍ନ–ଚିତ୍ତ ଲୋକର ଗାଢ଼ ନିଦ୍ରା ହୁଏ ନାହିଁ । ଜ୍ୟେଷ୍ଠମଲ୍ଲଙ୍କ ସାକ୍ଷାତ ସକାଶେ ଅତିରିକ୍ତ ଉତ୍କଣ୍ଠା, ଏଣେ ଦୁହିଁଙ୍କର କଥୋପକଥନଶବ୍ଦ–ଛୋଟସିଂହ ଶୋଇ ରହିବେ କିପରି ? ହଠାତ୍‍ ସେ ଶଯ୍ୟାରୁ ଉଠି ଜ୍ୟେଷ୍ଠମଲ୍ଲଙ୍କୁ ପ୍ରଣାମ କଲେ ଏବଂ ଜ୍ୟେଷ୍ଠମଲ୍ଲ ତାହାଙ୍କୁ ପ୍ରେମାଲିଙ୍ଗନ କଲେ । ପରସ୍ପର ମଧ୍ୟରେ କୁଶଳ–ପ୍ରଶ୍ନାଦି ହେବା ପରେ, ଛୋଟସିଂହ ଜ୍ୟେଷ୍ଠମଲ୍ଲଙ୍କୁ କହିଲେ,–‘ଭାଇ, ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଗଲେ, କିଛି ଗୁପ୍ତ ବିଷୟ କହିବି ।’

 

ଦୁହେଁ ସେହି ଅନ୍ଧକାର ରାତ୍ରିରେ, ନଗରର ବହିର୍ଭାଗରେ ଥିବା ଭଗ୍ନାବିଶିଷ୍ଟ ଏକ ଦେବ-ମନ୍ଦିର ମଧ୍ୟରେ ଯାଇ ଉପବିଷ୍ଟ ହେଲେ । ଦୁଇ ଖଣ୍ଡି ପଥରସାହାଯ୍ୟରେ ଆଲୋକ ସୃଷ୍ଟି କରି, ଛୋଟସିଂହ ଦେବାଳୟ ଚତୁର୍ଦ୍ଦିଗରେ ଥରେ ଦୃଷ୍ଟି ପକାଇଲେ । ସ୍ଥାନଟି ଜନଶୂନ୍ୟ ଥିବାର ଦେଖି ସେ ତାଙ୍କ ବନ୍ଧୁଙ୍କ କାନରେ କେତେକ ଗୁପ୍ତ କଥା କହିବା ପରେ, ଉଭୟେ ଘରକୁ ବାହୁଡ଼ି ନିଦ୍ରାର ଆଶ୍ରୟ ନେଲେ ।

 

ପରଦିନ ସକାଳେ ଛୋଟସିଂହ ଓ ଜ୍ୟେଷ୍ଠମଲ୍ଲ ଶଯ୍ୟାତ୍ୟାଗକରି ନିଜ ନିଜର ପ୍ରାତଃକୃତ୍ୟ।ଦି ଶେଷ କଲେ । ପରେ ଦୁହେଁ ନଗରର ଜଣେ ଚିତ୍ରକର ଦୋକାନରେ ଯାଇ ଉପସ୍ଥିତ ହେଲେ । ଜ୍ୟେଷ୍ଠମଲ୍ଲ ଛୋଟସିଂହ ଆଡ଼େ ଅଙ୍ଗୁଳି ଦେଖାଇ ଚିତ୍ରକରକୁ କହିଲେ,–‘’ଏ ଚିତ୍ରବିଦ୍ୟା ଭଲ ଜାଣନ୍ତି । ଏହାଙ୍କୁ ତୁମ ଦୋକାନରେ ଚାକିରି ଖଣ୍ଡିଏ ଦେଲେ ଭଲ ହେବ ।’ ଚିତ୍ରକର ନାନା ପରୀକ୍ଷା କରି ଦେଖିଲା, ଛୋଟସିଂହ ଚିତ୍ରାଙ୍କନରେ ଧୁରନ୍ଧର । ସେ ମନେ ମନେ ତାଙ୍କର ବହୁ ପ୍ରଶଂସା ଗାଇଲା । କିନ୍ତୁ ଅନ୍ୟ ଜଣଙ୍କର ବ୍ୟବସାୟ-ନୈପୁଣ୍ୟ ଦେଖିବା ମାତ୍ରେ, ସମୟ ସମୟରେ ବ୍ୟବସାୟିଙ୍କ କଣ୍ଠରେ ଆସି ଅଭିମାନ–ପିଶାଚ ବସିପଡ଼େ । ଚିତ୍ରକର ତ ଏହି ଶ୍ରେଣୀର ଜଣେ–ସେ ମୁଖ କିଞ୍ଚିତ୍‍ ବକ୍ର କରି ଦେଇ ଗର୍ଵସୂଚକ ସ୍ୱରରେ କହିଲା,–‘’ହଁ, ଚିତ୍ରବିଦ୍ୟା ସାମାନ୍ୟ ଜାଣନ୍ତି; କିନ୍ତୁ ଏଠାରେ ରହି ଆଭାସ କଲେ ଅଳ୍ପଦିନ ପରେ ଏ ସୁନ୍ଦର କରିପାରିବେ । ଏହାଙ୍କୁ ଏବେ ମାସିକ ପାଞ୍ଚଟଙ୍କା ମାତ୍ର ବେତନ ଦେଇପାରିବି–ଇଚ୍ଛା ହେଲେ ରହି ପାରନ୍ତି । କାମ ଦେଖି ଅବଶ୍ୟ ପରେ କିଛି ଅଧିକ ଦେଇପାରେ ।’ କି ଉଦ୍ଦେଶ୍ୟରେ କେ ଜାଣି, ଛୋଟସିଂହ ସେହି ଅତ୍ୟଳ୍ପ ବେତନର ସ୍ୱୀକୃତ ହୋଇ ଚିତ୍ରକର ଅଧୀନରେ କାର୍ଯ୍ୟ କରିବାକୁ ଲାଗିଲେ ।

 

ଚିତ୍ରକର ବିବିଧ ଚିତ୍ରପଟ ଅଙ୍କିତ କରି, ଔରଂଜୀବ୍‍ଙ୍କ ରଙ୍ଗମହଲ୍‍କୁ ପଠାଇ ବହୁ ଧନ ଅର୍ଜ୍ଜନ କରୁଥିଲା । ସମ୍ରାଟ ଓ ତାଙ୍କ ପୌରଜନଗଣ, ଆବଶ୍ୟକ ହେଲେ ତାହା ଦ୍ୱାରା ନିଜ ନିଜ ରୁଚି ଅନୁସାରେ ଛବି ଟଣାଉ ଥିଲେ । ନଗରର ଅନ୍ୟାନ୍ୟ ଲୋକେ ମଧ୍ୟ ତାହା ନିକଟରୁ ଚିତ୍ରାଦି କ୍ରୟ କରୁଥିଲେ । ଏଣୁ ଦିଲ୍ଲୀର ଚିତ୍ରକରର ପ୍ରତିପତ୍ତି ଅଧିକ । ତାହା ଦୋକାନରେ ଛୋଟସିଂହ କାର୍ଯ୍ୟାରମ୍ଭ କରିବା ଦିନୁଁ, ତାହାର ଆଦାୟ ଖୁବ୍‍ ବଢ଼ିଲା । ଛୋଟସିଂହ କେବଳ କାଗଜରେ ନୁହେଁ–କନା, ତାଳପତ୍ର ଓ କାଠପଟାରେ ମଧ୍ୟ ନାନାରକମ ଚିତ୍ର ସୁନ୍ଦର ଫିୁଟାଇ ପାରୁଥିଲେ । ତାଙ୍କର ବିଚିତ୍ର କାର୍ଯ୍ୟ ଚିତ୍ରକରର ପ୍ରୀତି ଓ ପ୍ରଶଂସା ଆକୃଷ୍ଟ କଲା ।

 

କିଛି ଦିନ ପରେ, ଚିତ୍ରକରର ହୃଦୟକୁ ସନ୍ଦେହ ସ୍ପର୍ଶ କଲା । କର୍ମକୁଶଳ ଛୋଟସିଂହ ଅର୍ଥ-ଲୋଭରେ କାଳେ ଅନ୍ୟ କୌଣସି ଦୋକାନରେ ନିଯୁକ୍ତି ହୋଇପାରନ୍ତି, ଏହି ଆଶଙ୍କାରେ ବଶବର୍ତ୍ତୀ ହୋଇ ଦିନେ ସେ ତାହାଙ୍କୁ କହିଲା,–‘ଛୋଟସିଂହ ! ଦେଖୁଛି, ତୁମେ ସୁନ୍ଦର ଚିତ୍ର କରିବା ଶିଖିଲାଣି । ମୋ ନିକଟରେ ସାତବର୍ଷ କାଳ କାର୍ଯ୍ୟ କରିବା ପାଇଁ ଚୁକ୍ତି ପତ୍ର ଖଣ୍ଡିଏ ଲେଖିଲେ, ତୁମର ବେତନ ବଢ଼ାଇଦେବି ।’

 

ଛୋଟସିଂହ ଉତ୍ତର କଲେ,–‘’ଏହି ବ୍ୟବସାୟରେହିଁ ଜୀବନ ଚଳାଇବା ମୋର ଉଦ୍ଦେଶ୍ୟ ନୁହେ । ବ୍ୟକ୍ତିଗତ କୌଣସି ଏକ ଗୁରୁତର କାମରେ ମୋତେ ଏଠାକୁ ଆସିବାକୁ ହୋଇଛି । ସନ୍ଦେହ କର ନାହିଁ । ମୁଁ ଏ ନଗରରୁ ଯିବା ଯାଏ, ତୁମ ଅଧୀନରେ ହିଁ ରହିବି–ଅଧିକ ବେତନ ଆଶାରେ ଅନ୍ୟ କୌଣସି ଦୋକାନକୁ ଯିବି ନାହିଁ । ଯାହା ଦେବ, ସେଥିରେ ମୁଁ ସନ୍ତୁଷ୍ଟ । ଅଧିକ ଦେବାପାଇଁ ଧରି ବସୁ ନାହିଁ ।’

 

ଚିତ୍ରକର ତୃପ୍ତ ! ବିନା ଚୁକ୍ତିପତ୍ରରେ ଛୋଟସିଂହ ଅଧିକ ଦରମା ପାଇଲେ । ସେହିଦିନୁ ଚିତ୍ରକର ତାଙ୍କ ହାତରେ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ଓ ମୂଲ୍ୟବାନ ଚିତ୍ର ପ୍ରଭୃତି ତିଆରି କରାଇ ଏସଡ଼ିକ ଲାଭବାନ ହେଲା ।

Image

 

Unknown

ପଞ୍ଚଦଶ ପରିଚ୍ଛେଦ

(ରଙ୍ଗମହଲ୍‍ରେ ଚିତ୍ରକର)

 

ଦିଲ୍ଲୀର ରାଜପ୍ରାସାଦଶ୍ରେଣୀ ମଧ୍ୟରେ ବାଦ୍‍ଶାହାଙ୍କ ଅନ୍ତଃପୁର ବା ରଙ୍ଗମହଲ୍‍ ସର୍ବୋକୃଷ୍ଟ । ସେଠାରେ କକ୍ଷସକଳ ଓ ଗୃହସଜ୍ଜା ଅତି ବିଚିତ୍ର; ମହଲ୍‍-ବାସିନୀଗଣ ଅପୂର୍ବ ଧରଣର-। ଗୃହସକାଳ ଶ୍ୱେତ ପ୍ରସ୍ତର-ନିର୍ମିତ ଏବଂ ବିବିଧ-ରତ୍ନ-ବିଜଡ଼ିତ । ଶତାଧିକ ପୁଷ୍ପିତ ଉଦ୍ୟାନ ମହଲ୍‍ର ଶୋଭା ବୃଦ୍ଧି କରୁଥିଲା । ରଙ୍ଗମହଲ୍‍ଟି ପ୍ରତି ମୁହୂର୍ତ୍ତ ବହୁବିଧ ପୁଷ୍ପ ଓ ଅତରର ସୁଗନ୍ଧରେ ଅମୋଦିତ ଏବଂ ଅପସରା-ଗର୍ବ-କାରିଣୀ ନର୍ତ୍ତକୀଗଣଙ୍କ ନୂପୁର-ଧ୍ୱନି, ଗାୟିକା–କଣ୍ଠୋତ୍‍ଥିତ ମନୋମୁଗଧକର ସଙ୍ଗୀତ-ନିକ୍ୱଣ, ବିବିଧ ଵାଦ୍ୟଶବ୍ଦ ଓ ପୁରାନାରୀଗଣଙ୍କ ଶିଂଜିତରେ ମୁଖରିତ ହୋଇ ଉଠୁଥିଲା । ସନ୍ଧ୍ୟା–ପ୍ରବେଶ ମାତ୍ରେ ସମଗ୍ର ମହଲ୍‍ଟି, ଦ୍ଵିତୀୟ ରାବଣ ପୁର-। ମହଲ୍‍ ମଧ୍ୟରେ ପ୍ରବେଶ କରିବା ଚନ୍ଦ୍ର ସୂଯ୍ୟଙ୍କର ମଧ୍ୟ ଅଧିକାର ନ ଥିଲା । ପରଦାସୀନ ମହିଷୀ ଓ ଅନ୍ୟାନ୍ୟ ଅନ୍ତଃପୁର–ସୁନ୍ଦରୀଙ୍କ ସ୍ନାନ ନିମିତ୍ତ କ୍ଷୁଦ୍ର ଓ ବୃହତ କେତେଗୋଟି ପୁଷ୍କରିଣୀ ଥିଲା-। ଉଦିପୁରୀଙ୍କ ଶ୍ୱେତ–ମର୍ମର–ପ୍ରସ୍ତୁତ ପ୍ରାସାଦର ଉତ୍ତର ପାର୍ଶ୍ୱରେ ସମ୍ରାଟ–ଭଗିନୀ ରୌଶନ୍ୱାରାଙ୍କର ମନୋହର ବିଳାସ–ମନ୍ଦିର ।

 

ରୌଶନ୍ଵାରା ଅତିଶୟ ନିଷ୍ଠୁରା, ଭୋଗ-ବିଳାସିନୀ ଓ ଇନ୍ଦ୍ରିୟ-ପରାୟଣ । ସେ ଔରଂଜୀବ୍‍ଙ୍କର ବିଶେଷ ପକ୍ଷପାତିନୀ । ତାଙ୍କ ଉତ୍ସାହ ଓ ସହାୟତାରେ ହିଁ, ଔରଂଜୀବ୍‍ ନିଜ ଭାଇମାନଙ୍କୁ ନିହତ ଏବଂ ପିତାଙ୍କୁ ପଦଚ୍ୟୁତି ଓ ଅବରୁଦ୍ଧ କରି ଦିଲ୍ଲୀ–ସିଂହାସନ ଲାଭ କରିଥିଲେ । ଏଣୁ ତାଙ୍କ ପ୍ରତି ବାଦ୍‍ଶାହାଙ୍କର ଅପୂର୍ବ ସ୍ନେହ-ପ୍ରଦର୍ଶନ ଅସ୍ୱାଭାବିକ ନୁହେ । ସମ୍ରାଟ ତାଙ୍କର ନିତାନ୍ତ ବାଧ୍ୟ, ତାଙ୍କରି ପରାମର୍ଶ ଅନୁସାରେହିଁ ପ୍ରାୟ ସକଳ ରାଜକାର୍ଯ୍ୟ ଚଳାଉ ଥିଲେ । କହିବା, ବାହୁଲ୍ୟ, ରୌଶନ୍ଵାରା ରଙ୍ଗମହଲ୍‍ର ସକଳ ବିଷୟରେ କର୍ତ୍ତ୍ରୀ ଏବଂ ଦିଲ୍ଲୀର ଦ୍ଵିତୀୟ ବାଦ୍‍ଶାହା ଥିଲେ । ସେ ରାଜନୀତି-ନିପୁଣ; କିନ୍ତୁ ଇନ୍ଦ୍ରିୟ ସମ୍ବନ୍ଧରେ ବାଧାଶୂନ୍ୟ, ବିଚାରଶୂନ୍ୟ ଓ ତୃପ୍ତିଶୂନ୍ୟ । ଇନ୍ଦ୍ରିୟ ଲାଳସା ଚରିତାର୍ଥ କରିବା ସକାଶେ ବହୁସଂଖ୍ୟକ ଲୋକ ତାଙ୍କର ଅନୁଗ୍ରହ-ପତ୍ର ଥିଲେ । ସର୍ବଦା ତାଙ୍କର ପ୍ରେମିକଦଳ ତାଙ୍କ ବିଳାସଭବନକୁ ଯାଉଥିଲେ ।

 

ଉଦିପୁରୀ ଔରଂଜୀବ୍‍ଙ୍କର ପ୍ରେୟସୀ ମହିଷୀ ହେବ ଦିନୁ, ରୌଶନ୍ଵାରାଙ୍କ ପ୍ରଭାବ ଅନେକ ପରିମାଣରେ କମିଗଲା । ଏଣୁ ମହିଷୀଙ୍କ ପ୍ରତି ତାଙ୍କର ପ୍ରଚଣ୍ଡ ଇର୍ଷ୍ୟ।, ଭୀଷଣ ଶତ୍ରୁତା । ସେ ପ୍ରତିମୁହୂର୍ତ୍ତରେ ଉଦିପୁରୀଙ୍କର ଅନିଷ୍ଟ ଚେଷ୍ଟା ନ କରି ରହୁନଥିଲେ । ଉଦିପୁରୀ କିନ୍ତୁ ରୌଶନ୍ୱାରା ପରି କ୍ରୁରା ନଥିଲେ; ତେବେ ଶାହାଜାଦୀଙ୍କ ଶତ୍ରୁତାର ଉପଯୁକ୍ତ ପ୍ରତିଶୋଧ ନେବାକୁ କଦାପି ଛାଡ଼ୁନଥିଲେ । ଜଣକର ଦାସଦାସୀ ଅନ୍ୟ ଜଣକର ପ୍ରସାଦ–ସୀମା ମଧ୍ୟରେ ପ୍ରବେଶ କରିପାରୁ ନଥିଲେ, ଏବଂ କୌଣସି ଦାସ କିମ୍ବା ଦାସୀ ଭୁଲକ୍ରମେ ଗଲେ, ସେଠାରୁ ସେ ଚିରଦିନ ପାଇଁ ବାହୁଡ଼ୁ ନଥିଲା । ବାଦ୍‍ଶାହା ମହିଷୀ ଓ ରୌଶନ୍ଵାରା ମଧ୍ୟରେ ସଂଘଟିତ କଳହ ଅତି ସତର୍କତା ଓ ଚତୁରତା ସହିତ ନିଷ୍ପତ୍ତି କରୁଥିଲେ । ଏହି କାର୍ଯ୍ୟରେ ସେ ‘ସାପ ନ ମରୁ ବାଡ଼ି ନ ଭାଙ୍ଗୁ’ ନୀତିର ଆଶ୍ରୟ ନେଇ ଦୁହିଁଙ୍କ ପ୍ରୀତି ସାଧନ କରି ପାରୁଥିଲେ । କଠିନ-ହୃଦୟା, ପିତୃଘାତିନୀ ରୌଶନ୍ଵାରା, ସାମାନ୍ୟ ଦୋଷରେ ସୁଦ୍ଧା, ନିଜ ସେବକ ସେବିକାମାନଙ୍କୁ କଦର୍ଯ୍ୟ ଓ କଠୋର ଦଣ୍ଡ ଦେଉଥିଲେ । ତାଙ୍କର ବିଧାନ ଅନୁକରଣରେ ହିଁ କୃତାନ୍ତଦେବ, ବୋଧ ହୁଏ, ନିଜ ରାଜକାର୍ଯ୍ୟ ସମ୍ପାଦନ କରିଥାନ୍ତି ।

 

ଯେକୌଣସି ଉପାୟରେ ବାଦ୍‍ଶାହାଙ୍କ ମହାଲ୍‍ ମଧ୍ୟରେ ପ୍ରବେଶ କରିବା ଛୋଟସିଂହଙ୍କର ଏକମାତ୍ର ବାସନା; ସେଥିପାଇଁ ବିପୁଳ ପ୍ରୟାସ । ଦିନେ ସେ ତାଙ୍କ ମୁନିବକୁ କହିଲେ,–‘ମହାଶୟ, ହସ୍ତୀଦନ୍ତ–ଫଳକରେ କେବଳ ଛବି ଓ ପିତ୍ତଳ ତିଆରି କରି ବିକ୍ରୀ କଲେ, ବେଶି ଲାଭ ହେବାର ସମ୍ଭାବନା ନାହିଁ । ହାତୀ–ଦାନ୍ତରେ ମୁଁ ଖଣ୍ଡିଏ ବିଞ୍ଚଣା କରିବି, ତାହା ନେଇ ବାଦ୍‍ଶାହାଙ୍କୁ ଦିଅ–ପ୍ରୀତ ହୋଇ ସେ ନିଶ୍ଚୟ ପ୍ରଚୁର ଧନ ଦେବେ ।’

 

‘ଜାଣେଁ, ସମ୍ରାଟ ଏଭଳି କାମ ମୋତେ ପସନ୍ଦ କରିବେ ନାହିଁ । ଆଉ ଏକ କଥା । ଏପରି ବିଞ୍ଚଣାଟିଏ ତିଆରି କରିବାକୁ ହେଲେ ଅନ୍ତତଃ ଦୁଇ ହଜାର ଟଙ୍କା ଦରକାର । ବାଦ୍‍ଶାହା ଏତେ ମୂଲ୍ୟ ଦେଇ ନେଲେ ତ ! ନ ନେଲେ ଯେ ବିସ୍ତର କ୍ଷତି ।’

 

‘ସେପରି କିଛି ଆଶଙ୍କା କର ନାହିଁ । ତୁମକୁ କ୍ଷତିଗ୍ରସ୍ତ କରାଇବା ମୋ ଅଭିପ୍ରେତ ନୁହେ-। ବାଦ୍‍ଶାହା ଗ୍ରହଣ ନ କଲେ, ନିଜେ ମୁଁ ତାହା ମହାଲ୍‍ରେ ନେଇ ବିକ୍ରୀ କରି ଆସିବି ।’

 

‘ପୁଣି କହୁଛି ଛୋଟସିଂହ, ଏହି କାମରେ ହାତ ଦେବା କଦାପି ଭଲ ନୁହେ ।’

 

‘କିନ୍ତୁ କଦାପି ମନ୍ଦ ନୁହେ ମହାଶୟ । କ୍ଷତି ହେଲେ ମୁଁ ନିଜେ ପୁରାଣ କରିବି । ଆଉ ଭୟ କଣ ?’

 

‘ଦ୍ୱାରପାଳମାନେ ତୁମକୁ ମହାଲ୍‍ ଭିତରକୁ ଛାଡ଼ିବେ ତ ?’

 

‘ହଁ, ସେମାନଙ୍କୁ ନାନା କଅଁଳ କଥା କହି ଭିଏଟରେ ପଶିବାକୁ ଚେଷ୍ଟା କରିବି ।’

 

‘ମୁଁ ମଧ୍ୟ ଅନେକ ସମୟରେ ମହାଲ୍‍କୁ ମୋ ଚାକରମାନଙ୍କ ହାତରେ ଜିନିଷ ପଠାଇଥାଏଁ; ପତ୍ର ଦେବି, ସେଥି ସାହାଯ୍ୟରେ ତୁମେ ପ୍ରଥମ ତିନି ଦ୍ୱାର ଡେଇଁ ଯାଇ ପାରିବ–ପରେ ତୁମର ବାହାଦୁରି, ବୁଝିଲ ।’

 

ହସ୍ତୀ-ଦନ୍ତରେ ବ୍ୟଜନଟିଏ ପ୍ରସ୍ତୁତ କରି ତାହା ରଙ୍ଗମହଲ୍‍କୁ ନେବାର ଶେଷରେ ସ୍ଥିର ହେଲା ।

 

ଛୋଟସିଂହ ଖଣ୍ଡିଏ ଗଜ-ଦନ୍ତ-ନିର୍ମିତ ବିଞ୍ଚଣାରେ, ଶାଖା-ପତ୍ର-ପୁଷ୍ପ-ଯୁକ୍ତ, ଶୁକ-ଶାରିକା-ଭୂଷିତ ଲତିକାର ସୁନ୍ଦର ଗୋଟିଏ ଚିତ୍ର ଟାଣି, ତାହିଁମଧ୍ୟରେ ବାଦ୍‍ଶାହା ଓ ତାଙ୍କ ବାହୁ-ପାଶାବଦ୍ଧ ଉଦିପୁରୀଙ୍କ ଯୁଗଳପ୍ରତିକୃତ ଫୁଟାଇ, ବିଞ୍ଚଣାର ଚାରି ଧାରରେ ପଟ୍ଟ ବସ୍ତ୍ରର ଝାଲରଟିଏ ଝୁଲାଇଲେ ଏବଂ ତାହା ହୀରକ ମଣି ପ୍ରଭୃତି ରତ୍ନରେ ମଣ୍ଡିତ କଲେ । ଶେଷରେ ତାହା ଗୋଟିଏ ସୁନ୍ଦର ସିନ୍ଦୁକ ମଧ୍ୟରେ ପୂର୍ଣ୍ଣ କରି, ଚିତ୍ରକରର ତିନି ଖଣ୍ଡ ପତ୍ର ଏବଂ ଭିନ୍ନ ଭିନ୍ନ ରଙ୍ଗ, କାଗଜ ଓ ତୁଳିକା ସଙ୍ଗେ ଧରି ସମ୍ରାଟ-ପ୍ରସାଦ ଅଭିମୁଖରେ ଅଗ୍ରସର ହେଲେ । ପତ୍ର ପାଠ କରି ପ୍ରଥମ ତିନି ଦ୍ଵାରର ରକ୍ଷକମାନେ ଛୋଟସିଂହଙ୍କୁ ଭିତରକୁ ଯିବାପାଇଁ ଅନୁମତି ଦେଲେ । ପରେ ସେ ନିଜର ବୁଦ୍ଧି ଓ ଚାତୁରୀ ପ୍ରୟୋଗ କଲେ–ନାନା ମଧୁର ବାକ୍ୟ, ରସ କଥା କହି ଅନ୍ୟାନ୍ୟ ଦ୍ୱାରପାଳମାନଙ୍କୁ ଆପ୍ୟାୟିତ କଲେ । କେବଳ ଏତିକି ନୁହେ–କାଗଜରେ ପ୍ରତ୍ୟେକ ଦ୍ୱାରପାଳ ପ୍ରେମିକାର ଦୃଢ଼ ପ୍ରେମାଲିଙ୍ଗନରେ ଜଡ଼ିତ ଥିବାର ଅବିକଳ ଚିତ୍ରଣ କରି ଦେଖାଇଲେ । ନିଜ ନିଜର ବିଳାସ-କ୍ରୀଡ଼ା-ରଞ୍ଜିତ ଚିତ୍ର ଦେଖି ଦ୍ୱାରରକ୍ଷକମାନେ ଅସୀମ ଆନନ୍ଦ ଲାଭ କଲେ–ପ୍ରଶଂସା-ପ୍ରବାହରେ ଛୋଟସିଂହଙ୍କୁ ଭସାଇ ଦେଲେ । ଫଳତଃ ତାଙ୍କର ମହାଲ୍‍-ପ୍ରବେଶ-ପଥ ସୁଗମ ହୋଇଗଲା–ଛୋଟସିଂହ କ୍ରମେ ଉଦିପୁରୀଙ୍କ କକ୍ଷରେ ନିକଟବର୍ତ୍ତୀ ହେଲେ ।

 

ସେଠାରେ ମଶାବତ୍‍ ତାଙ୍କୁ ଦେଖି ତାଙ୍କର ପରିଚୟ ଓ ଆଗମନର ଉଦ୍ଦେଶ୍ୟ ପଚାରିବାରୁ, ସେ ଉତ୍ତର କଲେ,–‘’ମୁଁ ଜଣେ ଚିତ୍ରକର । ଦିଲ୍ଲୀ ସହରରେ ମୋ ଭଳି ସୁନ୍ଦର ଛବି ଟାଣିବା ଲୋକ ଆଉ କେହି ନାହିଁ । ଚିତ୍ରପଟ ଦେଇ ବେଗମ ସାହେବାଙ୍କ ଠାରୁ କିଛି ଧନ ପାଇବା ଆଶାରେ ଆସିଛି ।’ ଏହା କହି ମଶାବତ୍‍କୁ ସନ୍ତୁଷ୍ଟ ଓ ଆୟତ୍ତ କରିବା ଅଭିପ୍ରାୟରେ, ସେ ତାହାର ଏକ ଚିତ୍ର ଲେଖିଲେ–ସତେ ଯେପରି ସେ ସିଂହାସନରେ ବସିଛି, ଆଉ ପଠାଣ ଦୁଇ ଜଣ ତାହାର ଦୁଇ ପାଖରେ ଠିଆ ହୋଇ ଆଲଟ ପକାଉଛନ୍ତି । ତାହା ଦେଖି ନିର୍ବୋଧ ମଶାବତ୍‍ ସନ୍ତୋଷରେ ବିଭୋର ଓ ଗର୍ବେ।ତ୍‍ଫୁଲ୍ଲ ! ଛୋଟସିଂହଙ୍କ ଦେହ ସଙ୍ଗେ ନିଜର କର୍କଶ ଦେହଟି ମିଶାଇ ଦେଇ ଆଲିଙ୍ଗନ କରି ପକାଇଲା; ପରେ ଅନ୍ୟାନ୍ୟ ଚିତ୍ରପଟ ଦେଖାଇବା ପାଇଁ ତାଙ୍କୁ ଅନୁରୋଧ କଲା । ଛୋଟସିଂହ ସେଠାରେ ନିଜ ଅଙ୍କିତ ଛବିଗୁଡ଼ିକର ଦୋକାନଟିଏ ବାଢ଼ି ବସି, ତହିଁ ପ୍ରତି ସେହି ମାର୍ଗରେ ଯା’ ଆସ କରିବା ଲୋକଙ୍କ ଉତ୍ସକ ଦୃଷ୍ଟି ଆକର୍ଷଣ କଲେ । ଛବି ଦେଖି ଦର୍ଶକଗଣ ମୁଗ୍‍ଧ ଓ ଚକିତ ! ମଶାବତ୍‍ ଛୋଟସିଂହଙ୍କୁ ସେଠାରେ ଅପେକ୍ଷା କରିବାକୁ କହି, ତାଙ୍କ ଆଗମନସମ୍ବାଦ ଜଣାଇବା ପାଇଁ ଉଦିପୁରୀଙ୍କୁ ନିକଟକୁ ଗଲା ।

 

ସେତେବେଳେ ଶାହାଜାଦୀ ରୌଶନ୍ଵାରାଙ୍କ ପ୍ରଧାନ ପରିଚାରକ–ଫାରକ୍‍ଷାଇର ଗୋଟିଏ ବୀଣା ଧରି ସେହି ମାର୍ଗରେ ଯାଉଁ ଯାଉଁ ଛୋଟସିଂହଙ୍କ ଚତୁର୍ଦ୍ଦିଗରେ କେତେ ଜଣଙ୍କୁ ଠିଆ ହେବାର ଦେଖି ସେମାନଙ୍କ ସଙ୍ଗରେ ମିଳିତ ହେଲା । ସେ ଚିତ୍ରକରଙ୍କର ବିଚିତ୍ର ସୁନ୍ଦର ଚିତ୍ର ସକଳ ଦେଖି ମୋହିତ ଓ ବିସ୍ମିତ ହୋଇଗଲା । ଚତୁର ଚିତ୍ରକର, ମଶାବତ୍‍ର ଚିତ୍ର ଭଳି, ଫାରକଷାଇର୍‍ର ଖଣ୍ଡିଏ ଚିତ୍ତବିନୋଦନ ରଂଜିତ ଛବି ଟାଣି ତାହା ହାତରେ ଦେଲେ । ନିଜର ଅବିକଳ ଚିତ୍ର ଦେଖି ସେ ଆନନ୍ଦରେ ବିହ୍ଵଳ ହୋଇଗଲା, ଏବଂ ଛୋଟସିଂହଙ୍କୁ ନେଇ ଶାହାଜାଦୀଙ୍କ ସହିତ ସାକ୍ଷାତ୍‍ କରାଇବା ନିମିତ୍ତ ପ୍ରତିଶ୍ରୁତି ହେଲା । ଛୋଟସିଂହ ତାହାକୁ ବିନୀତ କୃତଜ୍ଞ କଣ୍ଠରେ କହିଲେ,–‘ତୁମର ଦୟା ହେଲେ ମୋ ଅଭାବ ରହିବ କଣ ! ଏ ବୀଣାଟି କାହାର ? ଧରି ଯାଉଛ କେଉଁଆଡ଼େ ?’

 

‘ଏହା ରୌଶନ୍ଵାରାଙ୍କର । ମରାମତି ପାଇଁ ଧରି ବଜାରକୁ ଯାଉଛି ।’ ‘ଭଲ’ରେ ‘ମନ୍ଦ’ ମିଶି ରହିବ ଜଗତର ରହସ୍ୟ । ଦୁର୍ଜ୍ଜନ ସୁଦ୍ଧା ଦୁଇ ଏକ ଗୁଣରେ ଭୂଷିତ ହୋଇଥାଏ । ସର୍ପର ବିଷ ସମୟ ସମୟରେ ରୋଗିର ଜୀବନ ରଖିଥାଏ ସିନା ! ଶାହାଜାଦୀ କେବେ କେବେ ଦିଲ୍ଲୀର ସର୍ବୋକୃଷ୍ଟ ଗାୟକ ଗାୟିକାମାନଙ୍କୁ ଡକାଇ ସେମାନଙ୍କ ଗାନ ପରୀକ୍ଷା କରି ଯଥାଯୋଗ୍ୟ ପୁରସ୍କାର ବିତରଣ କରୁଥିଲେ । ଏ ବିଷୟରେ ବାଦ୍‍ଶାହା କିନ୍ତୁ ରୌଶନ୍ଵାରା ଠିକ ବିପରୀତ–ସୁମେରୁ କୁମେରୁର ତଫାତ୍‍ । ସମ୍ରାଟ-ଭଗିନୀଙ୍କ ସଙ୍ଗୀତ-ରସିକତାହିଁ ସଙ୍ଗୀତ-ଶତ୍ରୁ ସମ୍ରାଟଙ୍କ ସମୟରେ ସଙ୍ଗୀତ-କଳାକୁ ସଞ୍ଜୀବିତ ଓ ସୁରକ୍ଷିତ କରି ରଖିଥିଲା ।

 

ଛୋଟସିଂହ ନିଜେ ନାନା ରକମ ବାଦ୍ୟ-ଯନ୍ତ୍ର ତିଆରି ଓ ମରାମତି କରିବା ଭଲ ଜାଣନ୍ତି ବୋଲି କହି, ରୌଶନ୍ଵାରାଙ୍କ ଭଗ୍ନ ବୀଣାଟିର ଜୀର୍ଣ୍ଣସଂସ୍କାର କରିବାକୁ ଉଦ୍ୟତ ହେଲେ । ଫାରକ୍‍ଷାଇର କିଛିକାଳ ନିର୍ବାକ ନିସ୍ପନ୍ଦ ହୋଇ ଠିଆ ହେଲା । ପରେ କହିଲା,–’’ମରାମତି କରିବ ସତ, କିନ୍ତୁ ବୀଣାଟି ଅଧିକ ଭାଙ୍ଗିଗଲେ ନାଗ ଲାଙ୍ଗୁଳରେ କାନ କୁଣ୍ଡାଇବା ଭଳି ହେବଟି ଭାଇ ! ଶାହାଜାଦୀ ଯେ–ଆଉ କେହି ନୁହେ । ତୁମର ମୋର, ଦୁହିଁଙ୍କ ପ୍ରାଣ ଯିବ, ସାବଧାନ ।’ ଯାହାହେଉ, ଛୋଟସିଂହଙ୍କ କଥାରେ ତାହାର ପ୍ରତ୍ୟୟ ଜନ୍ମିଲା–ସେ ବୀଣାଟି ନିଜର ବସ୍ତ୍ର।ବରଣ ମଧ୍ୟରୁ ବାହାର କରି ତାଙ୍କ ହାତରେ ଦେଲା । ନାନାକାରୁକାର୍ଯ୍ୟଖଚିତ ଓ ବିବିଧ-ରତ୍ନସଂଯୁକ୍ତ ବୀଣାର ଜ୍ୟୋତିରେ ପାର୍ଶ୍ୱସ୍ଥ ଲୋକମାନଙ୍କ ଚକ୍ଷୁ ଝଲସି ଗଲା । ଛୋଟସିଂହ ସେହି ମୁହୂର୍ତ୍ତରେ ଭଗ୍ନ ବାଦ୍ୟ-ଯନ୍ତ୍ରଟିର ବିଭିନ୍ନ ତାର ଯଥା ସ୍ଥାନରେ ଜଡ଼ିତ କରି ତାହା ପୁଣି ନୂତନ କରିଦେଲେ, ଏବଂ ତହିଁର ନାଦ ପରୀକ୍ଷା କଲେ । ଫାରକ୍‍ଷାଇର୍‍ ବିସ୍ମୟ-ରଞ୍ଜିତ ଚକ୍ଷୁରେ, ଆନନ୍ଦାପ୍ଳୁତ ସ୍ୱରରେ ଛୋଟସିଂହଙ୍କ ଉପରେ ପ୍ରଶଂସାର ବୃଷ୍ଟିପାତ କରି ଦେଲା, ଏବଂ ବୀଣାଟି ଧରି ରୌଶନ୍ଵାରାଙ୍କ କକ୍ଷକୁ ବାହୁଡ଼ିଲା ।

 

ଏଣେ ମଶାବତ୍‍ ଆସି ଛୋଟସିଂହଙ୍କୁ ସଙ୍ଗେ ଧରି ପୁଣି ମହିଷୀଙ୍କଠାକୁ ଚାଲିଲା । ଉଦିପୁରୀଙ୍କ କକ୍ଷକୁ ଯିବାବେଳେ, ଛୋଟସିଂହ କୌଣସି ନଷ୍ଟ ବା ହୃତ ଦ୍ରବ୍ୟର ସନ୍ଧାନ କରିବା ଭଳି, ଉତ୍କଣ୍ଠାଙ୍କିତ ମୁଖରେ ଏଣେତେଣେ ଦୃଷ୍ଟିପାତ କରିବାକୁ ଲାଗିଲେ । ମହିଷୀଙ୍କ ନିକଟରେ ଉପସ୍ଥିତ ହୋଇ ମଶାବତ୍‍ କହିଲା,–‘’ବେଗମ, ମୁଁ ଯେଉଁ ଚିତ୍ରକରର କଥା କହୁଥିଲି, ସେ ଏ ।’’ ନିଜର ଅଙ୍କିତ ଚିତ୍ରସବୁ ଦେଖାଇବା ନିମିତ୍ତ ଆଦିଷ୍ଟ ହୋଇ, ଛୋଟସିଂହ ସର୍ବ ପ୍ରଥମରେ ସିନ୍ଦୁକରୁ ସେହି ବିଞ୍ଚଣାଟି ବାହାର କରି ମହିଷୀଙ୍କ ହାତରେ ଦେଲେ । ଉଦିପୁରୀ ପ୍ରାୟ ଅର୍ଦ୍ଧଘଣ୍ଟା କାଳ ଏକ ଧ୍ୟାନରେ ବିଞ୍ଚଣାର ପ୍ରତ୍ୟେକ ଅଂଶ ତନ୍ନ ତନ୍ନ ଦେଖି ମହା ବିସ୍ମୟ ଓ ସନ୍ତୋଷରେ ବୁଡ଼ିଗଲେ । ତହିଁ ମଧ୍ୟରେ ଖୋଦିତ ନିଜର ଓ ବାଦ୍‍ଶାହାଙ୍କର ପ୍ରତିକୃତି ଦେଖି ସେ ଯେଉଁ ଆନନ୍ଦ ପ୍ରାପ୍ତ ହେଲେ, ତାହା ବର୍ଣ୍ଣନାତୀତ । ସେ ଅନ୍ୟାନ୍ୟ ଛବି ସବୁ ପରୀକ୍ଷା କରିବା ସମୟରେ, କୌଶଳୀ ଛୋଟସିଂହ ରତ୍ନାଳଙ୍କୃତ ଗଜଦନ୍ତନିର୍ମିତ ପଲ୍ୟଙ୍କାସୀନା ବ୍ୟଜନହସ୍ତା ଉଦିପୁରୀଙ୍କର ସ୍ପଷ୍ଟ ସୁନ୍ଦର ପ୍ରତିରୂପଟିଏ ଚିତ୍ରିତ କରି ତାହାଙ୍କୁ ଦେଲେ । ତାହା ଦେଖି ଛୋଟସିଂହ-ଗୁଣ-ମୁଗଧା ମହିଷୀ ଏକାବେଳକେ ନିର୍ବାକ, ତନ୍ମୟ । ଅତିରଞ୍ଜିତ ଭାଷାରେ ଚିତ୍ରକରଙ୍କ ହସ୍ତ–ନୈପୁଣ୍ୟ ଓ ଧୀଶକ୍ତିର ପ୍ରଶଂସା ନଗାଇ ରହିପାରିଲେ ନାହିଁ । ସେ ଅଳ୍ପ ହସି ହର୍ଷ ଗଦ୍‍ଗଦ୍‍ କଣ୍ଠରେ ପଚାରିଲେ,–‘ଆମ ମଶାବତ୍‍ର ଚିତ୍ର ମଧ୍ୟ ଟାଣିଛ ତ ?’ ପରେ ସେ ପାର୍ଶ୍ୱ-ଭାଗ ପ୍ରତି କିଞ୍ଚିତ ମୁଖ ବୁଲାଇ ‘ଇନ୍ଦିରା’ ସମ୍ବୋଧନରେ ଡାକିବା ସଙ୍ଗେ ସଙ୍ଗେ ସେ ସେଠାରେ ଆସି ଉପସ୍ଥିତ ! ଇନ୍ଦିରାଙ୍କୁ ଦେଖିବା ମାତ୍ରେ ଛୋଟସିଂହଙ୍କ ମୁଖ-ଲକ୍ଷଣ ଅକସ୍ମାତ୍‍ ବଦଳି ଗଲା । ଉଦିପୁରୀ କହିଲେ,–’ମଶାବତ୍‍, ଇନ୍ଦିରାକୁ ବିବାହ ହେବୁ ପରା,–ତା’ ପାଖରେ ଯାଇ ଠିଆ ହୁଅ, ତୁମ ଦୁହିଁଙ୍କର ଛବି ଲେଖା ହେବ ।’

ମଶାବତ୍‍ ଅତିରିକ୍ତ ସନ୍ତୋଷରେ ବାହୁ ଓ ବକ୍ଷଫୁଲାଇ ଇନ୍ଦିରାଆଡେ ଯିବାକୁ ଉଦ୍ୟତ ହେବ କ୍ଷଣି, ଉପସ୍ଥିତ-ବୁଦ୍ଧି-କୁଶଳ ଛୋଟସିଂହ ତାହାର ଦୁଇ ହାତଧରି ପକାଇ କହିଲେ,–’’ଭାଇ, ତୁମକୁ ଗୋଟିଏ କଥା କହିବାକୁ ଭୁଲି ଯାଇଛି । ଜ୍ୟୋତିଷ ମୁଁ ବେଶ ଜାଣେ । ବସ, ତୁମ ବିଷୟରେ ଅନେକ କଥା କହିବି ।’ ଏହା କହି, ସେ ଖଣ୍ଡିଏ କାଗଜରେ ରାଶି-ଚକ୍ର ଟାଣି, ଅଙ୍କ କସି ଏବଂ କେତୋଟି ଶ୍ଳୋକ ଆବୃତ୍ତି ଓ ଅଙ୍ଗୁଳି ଗଣନା କରି ବିସ୍ମୟ-ବୋଳା ମୁଖରେ କହିଲେ,–‘’ବଡ଼ ଅଲକ୍ଷଣୀ ଟୋକୀଟିଏ । ଇନ୍ଦିରାର ମୁହଁ ଦେଖିଲେ ଅମଙ୍ଗଳ, ଏହାକୁ ପାଖରେ ରଖିଲେ ପାପ । ଏ ଯେଉଁଠି ରହିବ, ସେଇଠି ବିଘ୍ନ । ଏହାକୁ ପୋଷିବା ଲୋକ ମୁଣ୍ଡରେ ବିପଦ ପଦେ ପଦେ ଏହାର ଇଚ୍ଛା ବିରୁଦ୍ଧରେ ଏହାକୁ ଯେ ବିବାହ କରିବ, ଦଶ ଦିନ ମଧ୍ୟରେ ତାର ପ୍ରାଣ ଶେଷ ! ଇନ୍ଦିରାକୁ ବିବାହ କର ନାହିଁ । ଆଉ ଅଳ୍ପ ଦିନ ପରେ ରୂପନଗର ରାଜାର ଝିଅ ଏଠାକୁ ଦାସୀ ହୋଇ ଆସି, ତୋ ସଙ୍ଗେ ତାହାକୁ ସାଦି କରାଇ ଦୁହିଁଙ୍କର ଚିତ୍ର ଲେଖାଇବି ।’ ମଶାବତ୍‍ ତୃପ୍ତ !

 

ଏହି ସମୟରେ ଜଣେ ପ୍ରହରୀ ସେଠାକୁ ଆସି ଜଣାଇଲା, ବାଦ୍‍ଶାହା ଅନ୍ତଃପୁରକୁ ଆସୁଛନ୍ତି । ଉଦିପୁରୀ ଛୋଟସିଂହକୁ କହିଲେ,–’’ତୁମ ଛବି ଓ ବିଞ୍ଚଣା ଦେଖି ଭାରି ଖୁସି ହେଲି । କାଲି ଆସ, ପାଇବ ପୁରସ୍କାର ।’ ଛୋଟସିଂହ ମହିଷୀଙ୍କୁ ଅଭିବାଦନ କରି କକ୍ଷ ତ୍ୟାଗ କରିବାବେଳେ ହର୍ମ୍ୟତଳର ସୁକୋମଳ ଗାଲିଚାଟି ଝୁଣ୍ଟିବାର ଛଳ କରି ସେଠାରେ କିଛି ସମୟ ବସିପଡ଼ିଲେ ଏବଂ ଗାଲିଚାରେ ନିମ୍ନ ଭାବରେ ପତ୍ର ଖଣ୍ଡିଏ ଅତି କୌଶଳରେ ରଖି ଦେଲେ । ଇନ୍ଦିରା ଭିନ୍ନ ଏହା ଅନ୍ୟ କେହି ଲକ୍ଷ୍ୟ କରି ପାରିଲେ ଅହିଁ । ଚତୁରା ଅସାବଧାନତା ଲାଗି ଚିତ୍ରକରଙ୍କୁ ଗାଳି ଦେଲେ, ଏବଂ ଧୀରେ ଧୀରେ ତାଙ୍କ ସମୀପକୁ ଯାଇ ଗାଲିଚାର ଉତ୍‍ଥିତାଂଶଟି ଯତ୍ନରେ ପୂର୍ବପରି ଟାଣି ରଖୁଁ ରଖୁଁ ଛୋଟସିଂହଙ୍କ ପତ୍ରଟି ଅଲକ୍ଷିତ ଭାବରେ ତଳୁ ଉଠାଇ ନେଲେ-। ସମ୍ରାଟଙ୍କୁ ଉଦିପୁରୀ-କକ୍ଷର ନିକଟବର୍ତ୍ତୀ ହେବାର ଦେଖି, ମଶାବତ୍‍ ଉଦବେଗ ସହିତ ଛୋଟସିଂହଙ୍କୁ ପାର୍ଶ୍ୱସ୍ଥ କୋଠରୀରେ ରଖି ଦ୍ୱାରରେ କୋଲପ ଭିଡ଼ିଲା । ଛୋଟସିଂହଙ୍କ ଗୁପ୍ତ ଚିଠି ପଢ଼ିବା ମୁହୂର୍ତ୍ତରୁ, ଇନ୍ଦିରାଙ୍କ ହୃଦୟ ଆନନ୍ଦ ଓ ଆଶ୍ୱାସନାର ଭାର ବହି ନ ପାରି ଅସ୍ଥିର ହୋଇ ପଡ଼ିଲା । କୋଠରୀ ମଧ୍ୟରେ ରହି ଚିତ୍ରକର ଵିପଦାଶଙ୍କା ଓ ମଶାବତ୍‍ର ଆଗମନ ପ୍ରତୀକ୍ଷା କରୁଁ କରୁଁ ରାତ୍ରି ଆଠଟା ବାଜିଲା । ଏହି ଅବସରରେ ଦୁଇଜଣ ମୋଗଲ ପ୍ରହରୀ ସେଥି ମଧ୍ୟରେ ପ୍ରବେଶ କରି ବସ୍ତ୍ର ଖଣ୍ଡରେ ତାଙ୍କ ମୁଖ ବନ୍ଦ କରିଦେଇ ତାଙ୍କୁ ବହି ନେଲେ ଏବଂ ମହାଲ୍‍ର ଗୋଟିଏ ବନ୍ଦିଶାଳାରେ ତାଙ୍କୁ ଭରତି କଲେ ।

 

ଔରଂଜୀବ୍‍ ଉଦିପୁରୀଙ୍କ ମହିଷୀ କରି ଆସିବା ସମୟରେ, ଯେଉଁ ରାଜପୁତ୍‍ ଯୁବତୀଗଣ ତାଙ୍କ ଦାସୀରୂପେ ରଙ୍ଗମହଲ୍‍କୁ ଅଣା ଯାଇଥିଲେ, ସେମାନଙ୍କ ମଧ୍ୟରୁ ଲୀଳା ଜଣେ । ଅନେକ ଦିନ ହେଲା ଘର ଦ୍ୱାର ଛାଡ଼ି ମୋଗଲ-ପୁରୀ ମଧ୍ୟରେ ରହି ସେ ଅତିରିକ୍ତ ବିରକ୍ତ, ଦୁଃଖିତ । ସ୍ୱଦେଶକୁ ଫେରିବା ସକାଶେ ସେ ବହୁ ଚେଷ୍ଟା କରିଛି, ସେଥିପାଇଁ ଅନେକ ଥର ମହିଷୀଙ୍କର ଅନୁମତି କରିଛି । କିନ୍ତୁ ତାହା ଉପରେ ମହିଷୀଙ୍କର ଭାରି ବିଶ୍ୱାସ, ଏଣୁ ତାହାକୁ ପାଖରୁ ଛାଡ଼ିବାକୁ ସେ ଏକାନ୍ତ ନାରାଜ ।

 

କୌଶଳରେ ମହାଲ୍‍କୁ ଚିର ବିଦାୟ ନେବା ପାଇଁ ଲୀଳା ବର୍ତ୍ତମାନ ଦୃଢ଼ ସଂକଳ୍ପ । ଛୋଟସିଂହଙ୍କ ପତ୍ର ଧରି ଇନ୍ଦିରା ମହିଷୀ-କକ୍ଷରୁ ଚାଲିଯିବାର କିଛି ସମୟ ପରେ, ଲୀଳା ତାଙ୍କ ନିକଟକୁ ଯାଇ ଅତି ଗୋପନରେ ନିଜର ରଙ୍ଗମହଲ୍‍-ତ୍ୟାଗ-ବାସନା ଜଣାଇଲା । ଏହା ଶୁଣି ଇନ୍ଦିରାଙ୍କର ଢେର ଆନନ୍ଦ–ତାହା ପ୍ରସ୍ତାବରେ ସନ୍ତୋଷ ପ୍ରକାଶ ନକରି ରହିପାରିଲେ ନାହିଁ । ଆନନ୍ଦାପ୍ଳୁତ କଣ୍ଠରେ କହିଲେ,–‘’ଲୀଳା ! ରାକ୍ଷସ–ମହଲ୍‍ ମଧ୍ୟରେ ତ୍ରିଜଟାଙ୍କୁ ପାଇ ମୁଁ ଧନ୍ୟ ! ବେଶ, ବଡ଼ ଭଲ କଥା । ଏ ନରକରୁ ଯେତେ ଶୀଘ୍ର ଗୋଡ଼ କାଢ଼ିବ, ତେତେ ମଙ୍ଗଳ । ତୁମକୁ କିନ୍ତୁ ମୋର ଗୋଟିଏ କାମ କରିବାକୁ ହେବ । କରି ପାରିବ ତ ?

 

‘ଆହା ମା, ତୁମର ଏହି ଅବସ୍ଥା ଦେଖି ମୋ ହୃଦୟ ଫାଟି ଯାଉଛି, ଚଞ୍ଚଳ ଆଜ୍ଞା କର ମା, ମୋ ଯୋଗୁଁ ଯଦି ତୁମର କିଛି ଉପକାର ହୋଇପାରେ । ରାତି ନ ପାହୁଣୁ ଦିଲ୍ଲୀ ଛାଡ଼ିବା ମୋର ଇଚ୍ଛା ।’

 

‘ମୋ ନିଜର କଥା କିଛି ନୁହେ–ରୂପନଗର ରାଜକୁମାରୀଙ୍କର । କାର୍ଯ୍ୟଟି ବଡ଼ ଶକ୍ତ–ସାହସ, ପରିଶ୍ରମ ଦରକାର । କମଳକୁମାରୀଙ୍କ ଖବର ତ ରଖିଛି । ତାଙ୍କ ପାଖକୁ ଯିବ, ଚିଠି ପତ୍ର କିଛି ଦେଉନାହିଁ–ଦେବା ମଧ୍ୟ ନିରାପଦ ନୁହେ । ମୋ ନାମ କହି, ମୁଁ କହିଛି ବୋଲି ତାଙ୍କୁ କେତୋଟି କଥା ଜଣାଇ ଦେବ । ପାରିବ ତ ଲୀଳା ? ‘

 

‘କଣ କରିବାକୁ ହେବ, ବୋଲ ।’

 

‘‘କମଳକୁମାରୀଙ୍କୁ କହିବି, ହିନ୍ଦୁକନ୍ୟା ହୋଇ ପଠାଣ ପୁରରେ ପାଦ ପକାଇବେ ନାହିଁ । ବିଷ ଖାଇ ମାରିବେ ପଛକେ, ଦିଲ୍ଲୀକୁ କଦାପି ଆସିବେ ନାହିଁ । ଉଦୟପୁରର ରାଣା, ବୀରପୁରୁଷ । ତାଙ୍କର ହିଁ ଶରଣ ନେବାକୁ କହିବ ।’’

 

କମଳକୁମାରୀଙ୍କୁ ସେପରି ସବୁ କହିବା ସକାଶେ ପ୍ରତିଶ୍ରୁତି ହୋଇ, ଲୀଳା ଇନ୍ଦିରାଙ୍କୁ ପ୍ରଣାମ କରିବା ପରେ ସେଠାରୁ ଚଞ୍ଚଳ ଚାଲିଗଲା । ସେ ଅତି ଚତୁରା, ଛଦ୍ମବେଶ ଧାରଣ-କୁଶଳା-ସେହି ରାତ୍ରି କୌଣସି ଉପାୟରେ ସେ ଦିଲ୍ଲୀରୁ ଚିରକାଳ ନିମନ୍ତେ ପ୍ରସ୍ଥାନ କଲା ।

Image

 

ଷୋଡ଼ଶ ପରିଚ୍ଛେଦ

(ଅବରୋଧ)

 

ଆଗେ କୁହାଯାଇଛି, ସସୈନ୍ୟ ରୂପନଗରକୁ ଯାଇ ଦୁର୍ଗ ଅବରୋଧ କରି ବଳ ପ୍ରୟୋଗରେ କମଳକୁମାରୀଙ୍କୁ ଦିଲ୍ଲୀକୁ ଟାଣି ନେବା ନିମିତ୍ତ ସମ୍ରାଟ ଖଣ୍ଡିଏ ଆଦେଶ-ପତ୍ର ଲେଖି ତାହା ମଶାବତ୍‍ ହାତରେ ସାଦତଖାଁ ନିକଟକୁ ପଠାଇଲେ । ପତ୍ର ପାଇ ଖାଁ ଭାବିଲେ, ଅକାରଣ ରୂପନଗର ଅବରୋଧ କରିବା ଅନୁଚିତ । ସେ ବାଦ୍‍ଶାହାଙ୍କ ନିକଟରେ ତାଙ୍କର ଏହି ଅଭିପ୍ରାୟ ଜଣାଇଲେ । କିନ୍ତୁ ରାବଣଙ୍କ ଆଜ୍ଞା ଲଙ୍ଘନ କରିବା ସେବକ ମାରିଚଙ୍କର ସାଧ୍ୟ ନା କଣ ? ସମ୍ରାଟ କ୍ରୁଦ୍ଧ ହୋଇ କହିଲେ,–’’ତୁମ୍ଭର ଏଥିରେ ଯାଏ ଆସେ କେତେ ? ଶୀଘ୍ର ଆଦେଶ ପାଳନ କର–ଏହିକ୍ଷଣି ଯାଇ ରୂପନଗର ଅବରୋଧ କର । ବିକ୍ରମସିଂହ ଠାକୁ ଖଣ୍ଡିଏ ପତ୍ର ଲେଖୁଛି, ତାହା ଏଠାକୁ ନେଇ ଦିଅ ।’ ଔରଂଜୀବ୍‍ ସେହିକ୍ଷଣି ଗୁଜରାତ୍‍ ଭାଷାରେ ବିକ୍ରମସିଂହ ସୋଲାଙ୍କି ନିକଟକୁ ପତ୍ର ଲେଖାଇଲଯେ, ସେ ଅବିଳମ୍ବେ ପଠାଣ ସୈନ୍ୟ ସହିତ କମଳକୁମାରୀଙ୍କୁ ଦିଲ୍ଲୀ ପଠାଇବେ, ନୋହିଲେ ରୂପନଗର-ଧ୍ୱଂସ ସୁନିଶ୍ଚିତ ।

 

ଯବନ-ଜାତିରେ ମଧ୍ୟ ସାଦତ୍‍ଖାଁ ଭଳି ଲୋକଜନ୍ମ ଗ୍ରହଣ କରିପାରେ । ସେ ଅତି ଶିଷ୍ଟ ଓ ଉଚ୍ଚମନା । ଅକାରଣ ଉତ୍ପୀଡ଼ନ, କଳହ-ସୃଷ୍ଟି ତାଙ୍କର ନିତାନ୍ତ ଅପ୍ରିୟ କାର୍ଯ୍ୟ ଥିଲା । ସଙ୍ଗେ ସଙ୍ଗେ ପ୍ରଭୁ-ଆଜ୍ଞା ପ୍ରତି ତାଙ୍କର ବଡ଼ ଭୟ । ଏଣୁ ବାଧ୍ୟ ହୋଇ ବାଦ୍‍ଶାହାଙ୍କ ଆଦେଶ-ପାଳନରେ ତତ୍ପର ହେଲେ । ରୂପନଗର ପରି ଖଣ୍ଡିଏ ଅତି କ୍ଷୁଦ୍ର ରାଜ୍ୟର ଅବରୋଧ ନିମିତ୍ତ ବିରାଟ ସେନା ଅନାବଶ୍ୟକ ମନେ କରି, ସେ ଅତ୍ୟଳ୍ପ ମାତ୍ର ସୈନ୍ୟ ସଙ୍ଗେ ନେଇ ରୂପନଗର ଘେରାଉ କରିଦେଲେ, ଏବଂ ବିକ୍ରମସିଂହଙ୍କ ନିକଟକୁ ସମ୍ରାଟ ପତ୍ରଟି ପଠାଇଲେ ।

 

ପତ୍ର ପାଠ କରିବା ମାତ୍ରେ ଅତ୍ୟନ୍ତ ରାଗରେ ବିକ୍ରମସିଂହ ସୋଲାଙ୍କିଙ୍କ ଦେହ ଓ ଚକ୍ଷୁ ଲାଲ ହୋଇଗଲା । ପତ୍ରରେ ପ୍ରଚଣ୍ଡ ପଦାଘାତ କରି, ପରେ ତାହା ଛିନ୍ନ ଭିନ୍ନ କରିଦେଇ ସେ କ୍ଷୁଧିତ ସିଂହ ତୁଲ୍ୟ ହୁଙ୍କାରୋଚ୍ଛ୍ଵସିତ କଣ୍ଠରେ କହିଲେ,–‘’ଖାଁକୁ ଜଣାଅ, ସୈନିକ ! ଏହାହିଁ ପତ୍ରର ଉପଯୁକ୍ତ ଉତ୍ତର ।’ ତାଙ୍କର ଅଗ୍ନିଶିଖାମୟୀ ମୂର୍ତ୍ତି ଦେଖି, ଜ୍ଜ୍ୱାଳାମୟୀ ବାକ୍ୟ ଶୁଣି ପତ୍ର-ବାହକ ଏକାବେଳକେ ସ୍ତମ୍ଭିତ ଓ ବିସ୍ମିତ ! ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା ଯେ, ଜଣେ ଛୋଟ ରହ ମୁଖରୁ ଏହି ଗର୍ବିତ ଉକ୍ତି ଶୁଣିବ । ସୋଲାଙ୍କିଙ୍କ ଦୁର୍ଜ୍ଜୟ ସାହସ ସେ କଳ୍ପନା କରି ନ ଥିଲା । କିନ୍ତୁ କରିବ କଣ ! ବିକ୍ରମଙ୍କର ଏହି ଉଦ୍ଧତ ଉତ୍ତର ଧରି ଯବନ ସେନାପତି ନିକଟକୁ ଫେରିଲା ।

 

ରୂପନଗର ଖଣ୍ଡିଏ ଛୋଟ ଦୁର୍ଗ, ତଥାପି ଅଜେୟ; ଦୁର୍ଗବାସିମାନେ ଅଳ୍ପସଂଖ୍ୟକ, ତଥାପି ଦୁର୍ଜ୍ଜୟ । ଦୁର୍ଗର ଚତୁର୍ଦ୍ଦିଗରେ ମନୁଷ୍ୟ-ନିର୍ମିତ ସୁଦୃଢ଼ ପ୍ରାଚୀର–ପର୍ବତଶ୍ରେଣୀ ତାହାର ନୈସର୍ଗିକ ବହିଃପ୍ରାଚୀର ରୂପେ ଦଣ୍ଡାୟମାନ । ଏଣୁ ଦୁର୍ଗଟି ଦୁର୍ଭେଦ୍ୟ । ଆଭ୍ୟନ୍ତରୀଣ ପ୍ରାଚୀରଟି ଚାରି-ଗଜ-ପ୍ରସ୍ଥ-ବିଶିଷ୍ଟ, ଉପରେ ଅନେକ ଗୁମ୍ବଜ । ଗୁମ୍ବଜସମୂହ ଅସ୍ତ୍ରଶସ୍ତ୍ର-ସଜ୍ଜିତ ଓ ଯୋଦ୍ଧୃରକ୍ଷିତ ଦ୍ୱାର ସକଳ ଶକ୍ତ ଲୌହକପାଟାବଦ୍ଧ । କୃତ୍ରିମ ପ୍ରାଚୀରର ଚତୁଃପାର୍ଶ୍ୱରେ ସୁଗଭୀର, ଭୀତିଜଣକ ପରିଖା । ଦୁର୍ଗ-ମଧ୍ୟରେ ଅନେକ କୂପ, ପୁଷ୍କରିଣୀ, ଶସ୍ୟକ୍ଷେତ୍ର ଓ ବିପଣୀ । ଦୁର୍ଗାବାସୀଗଣ ନାନା ବ୍ୟବସାୟ-କ୍ଷମ ଥିବାରୁ, ସେଠାରେ ଖାଦ୍ୟର କେବେ ଅଭାବ ହେଉ ନଥିଲା । ଶତ୍ରୁର ଆକସ୍ମିକ ଆକ୍ରମଣରୁ ଦୁର୍ଗର କୌଣସି ଅନିଷ୍ଟ ଘଟୁ ନଥିଲା–ସେଠାରେ ଲୋକେ କଦାପି ତ୍ରସ୍ତ, ବିଚଳିତ ହେଉ ନଥିଲେ । ଗଡ଼ଟି ମାସାଧିକ କାଳ ଶତ୍ରୁ ଦ୍ୱାରା ବେଷ୍ଟିତ ହେଲେହେଁ, ତହିଁ ମଧ୍ୟରେ ଅନାହାର-ଯନ୍ତ୍ରଣାର ତିଳେ ମାତ୍ର ଆଶଙ୍କା ହେଉ ନ ଥିଲା ।

 

ସାଦତ୍‍ଖାଁଙ୍କ ସୈନ୍ୟଦ୍ୱାରା ରୂପନଗର ଏପରି ସାନ୍ଦ୍ରଭାବରେ ବେଷ୍ଟିତ ହେଲା ଯେ, ଦୁର୍ଗମଧ୍ୟରୁ ବାହାରକୁ ଆସିବା ଗୋଟିଏ ବିରାଡ଼ି-ଛୁଆର ମଧ୍ୟ ଅସାଧ୍ୟ । ବିକ୍ରମସିଂହ ଭୀତ ଓ ବିଚଳିତ ନ ହୋଇ ଆତ୍ମରକ୍ଷାର ବିପୁଳ ଆୟୋଜନ କଲେ । ଦୁର୍ଗର ବିଭିନ୍ନ ଭାଗରେ ସୁସଜ୍ଜିତ, ସୁଶିକ୍ଷିତଯୋଦ୍ଧା ଓ ସୈନିକମାନଙ୍କୁ ନିଯୁକ୍ତି କଲେ । ପ୍ରତ୍ୟେକ ଦ୍ୱାର ସାତ ହଜାର ସୈନ୍ୟଦ୍ୱାରା ସୁରକ୍ଷିତ ହେଲା । ସୈନିକ ଓ ସେନାପତିମାନଙ୍କ କାର୍ଯ୍ୟ ପରୀକ୍ଷା ପାଇଁ ରାଜା ବହୁସଂଖ୍ୟକ ବେତନଭୋଗୀ କର୍ମଚାରୀଙ୍କୁ ଆଦେଶ କରି, ନିଜେ ଅହୋରାତ୍ର ସେହି କାର୍ଯ୍ୟରେ ବ୍ୟାପୃତ ରହିଲେ । ଦୀପ୍ତସୌନ୍ଦର୍ଯ୍ୟମୟୀ କନକବର୍ଣ୍ଣା ବୀରବାଳା କମଳକୁମାରୀ ପିତାଙ୍କ ପରି ଏହାର ନିଦ୍ରା, ସୁଖ ସୁବିଧା ଏକାବେଳକେ ଭୁଲି ଯାଇ କେବଳ ସେନା-ପରିଚାଳନାରେ ଲାଗିଗଲେ । ଦୁର୍ଗ ଅବରୁଦ୍ଧ ହେବ ମୁହୂର୍ତ୍ତରୁ ତାଙ୍କର ମହିମୋଜ୍ଜ୍ୱଳ ଅମଳକମଳ ମୁଖରେ ଅନଳଚ୍ଛଟା ହେଲା ପ୍ରକଟିତ, ତାଙ୍କ ବାଣୀରେ ପ୍ରଳୟ ବିଜୟ ବିଷାଣ ଧ୍ୱନି ହେଲା ନିନାଦିତ, ଅଙ୍ଗରେ ବିଦ୍ୟୁତ-ଶିଖାର ତରଙ୍ଗୋଚ୍ଛ୍ୱାସ ହେଲା ଉଦ୍ଭାସିତ । ସେ ତାଙ୍କ ରକ୍ତିମବର୍ଣ୍ଣରଞ୍ଜିତ ପ୍ରଶସ୍ତ ଚକ୍ଷୁରେ ପ୍ରଖର ଅଗ୍ନି-ଦୀପ୍ତି ଖେଳାଇ ଦେଇ ବୀରତ୍ୱଶାଣିତ ବାକ୍ୟର ରୂପନଗରକୁ ଜାଗରିତ, ସଂଜୀବିତ କଲେ–ଅନଳୋତ୍ସାହରେ ଅନୁପ୍ରାଣିତ, ଉତ୍ସାହିତ କଲେ ।

 

ସେ ଉଜ୍ଜ୍ୱଳ, ବାଦ୍ୟ-ଝଙ୍କାରମୟ ବାକ୍ୟରେ ବିକ୍ରମଙ୍କୁ ଉତ୍ତେଜିତ କରିବାକୁ ଲାଗିଲେ । ପ୍ରଦୀପ୍ତ ସ୍ୱରରେ କହିଲେ,–‘’ଉଠ ବାବା ଦୁର୍ବାର ବିକ୍ରମରେ–ମାତି ଉଠ ଦୁର୍ଯ୍ୟୋଧନଙ୍କ ଅଜେୟ ଗର୍ବରେ, ଜଳି ଉଠ କର୍ଣ୍ଣଙ୍କ ଉଗ୍ର ତେଜରେ । ଅସ୍ତ୍ରଶବ୍ଦରେ ଶତ୍ରୁ-କର୍ଣ୍ଣ ବଧିର ହେଉ–ରାଜପୁତ୍‍-ଖଡ଼୍‍ଗର ଉଜ୍ଜ୍ୱଳତା ପଠାଣର ଚକ୍ଷୁ ମୁଦ୍ରିତ କରୁ ।’ ରାଜାଙ୍କ ଦେହ ଓ ମନରେ ଯୌବନ-ସୁଲଭ ଶକ୍ତିର ସଂଚାର ହୋଇଗଲା । କମଳକୁମାରୀ ଅଶ୍ୱ ଚଢ଼ି ଭଲ୍ଲହସ୍ତରେ ପ୍ରତି ମୁହୂର୍ତ୍ତ ନଗରର ପ୍ରତ୍ୟେକ ସ୍ଥାନକୁ ଯାଇ ବୀରମାନଙ୍କୁ ଜାତୀୟ ମମତାରେ ଉଦ୍‍ବୁଦ୍ଧି କଲେ । ବିଦ୍ୟୁତଆଭାମୟୀ କଣ୍ଠରେ ସୈନିକମାନଙ୍କୁ କହିଲେ,–‘’ଉଠ ସୈନିକଗଣ, ଉଠା ଜାଗ୍ରତ ବୀରତ୍ୱ, ଉଠା ନିଦ୍ରିତ କେଶରୀ ! ବଜାଅ ରଣ-ଦୁନ୍ଦୁଭି-ଉଡ଼ାଅ ରୂପନଗର-ଆକାଶରେ ରାଜପୁତ୍‍ ପତାକା । ଶତ୍ରୁ ପୁଷ୍ଟ କଳେବରରେ, ବିରାଟ ମୁଖଵାଦ୍ୟ।ନରେ ରୂପନଗରକୁ ଗ୍ରାସ କରିବାକୁ ଆସିଛି ରାକ୍ଷସ ଭଳି । ବାଜୁ ଅସ୍ତ୍ର ଝନ୍‍ ଝନ୍‍–ବାଜୁ ରଣବାଦ୍ୟ ରଣ୍‍ ରଣ୍‍ । ଉଠ ରାଜପୁତ୍‍ ସନ୍ତାନଗଣ–ଆଦିତ୍ୟ-ପ୍ରଭାରେ, ବହ୍ନି-ତେଜରେ ଜଳି ଉଠ । ଯାଅ, ଭୀମଭୈରବ ଗର୍ଜ୍ଜନରେ–ପ୍ରଭଞ୍ଜନଗତିରେ–ସାଗର ପ୍ରତାପରେ ଶତ୍ରୁର ଉନ୍ନତ ଶିରରେ ଯାଇ ପଡ଼ । ଦିଅ ଭାଙ୍ଗି ଯବନ-ମସ୍ତକ-କର ଚୂର୍ଣ୍ଣ ମୋଗଲ-ବକ୍ଷ । ଯାଅ ବୀରଗଣ, ନାରୀପୀଡ଼କ ଔରଂଜୀବ୍‍କୁ କଠୋର ଶିକ୍ଷା ଦେଇ ଆସ । ତାହାକୁ ଏପରି ଶିକ୍ଷା ଦେବା ଦରକାର, ତାହାର ଚକ୍ଷୁ ଯେପରି କେବେ କୌଣସି ସ୍ତ୍ରୀ ଉପରେ ଆଉ ନ ପଡ଼େ । ଚାଲୁ ଯୁଦ୍ଧ, ଭୟ ନାହିଁ–ମରୁ ରାଜପୁତ୍‍, କ୍ଷତି ନାହିଁ–ଧ୍ୱଂସ ହେଉ ରୂପନଗରୀ, ଆପତ୍ତି ନାହିଁ–ଚିହ୍ନ ହେଉ ତା’ର ଲୁପ୍ତ, ଦୁଃଖ ନାହିଁ । ରୂପନଗର-ଶ୍ମଶାନ ହେବ ରାଜସ୍ଥାନର ପୁଣ୍ୟ ତୀର୍ଥସ୍ଥଳ ।’

କମଳକୁମାରୀଙ୍କ ଅଗ୍ନିଗର୍ଭ ଅମର-ବାଦ୍ୟଝଙ୍କୃତ ଉତ୍ସାହବାଣୀ ଏବଂ ତାଙ୍କର ରଣରଙ୍ଗିନୀ ରକ୍ତମୟୀ ମୂର୍ତ୍ତି ବୀର ସୈନିକମାନଙ୍କ ଶିରାରେ ଗୋଟିଏ ତପ୍ତ ଶୋଣିତ-ସ୍ରୋତ ଖେଳାଇଦେଲା–ଆବାଳବୃଦ୍ଧବନିତା ସମସ୍ତଙ୍କ ହୃଦୟରେ ଗୋଟିଏ ରୁକ୍ଷ ଭାବ-ତରଙ୍ଗ ଫୁଟାଇଦେଲା–ସମଗ୍ର ଦୁର୍ଗରେ ଏକ ନବୀନ ଶକ୍ତି, ନବୀନ ପ୍ରେରଣା ଜାଗ୍ରତ କରିଦେଲା । ରହ ଭିନ୍ନ, କମଳକୁମାରୀ ଗୁପ୍ତଚର ଦ୍ୱାରା ପଠାଣସୈନ୍ୟର ସମ୍ବାଦ-ସଂଗ୍ରହର ପ୍ରୟାସୀ ହେଲେ ।

ବିକ୍ରମସିଂହ କମଳକୁମାରୀଙ୍କ ସହିତ ପରାମର୍ଶ କରି ଅନ୍ୟାନ୍ୟ ସମସ୍ତ ରାଜପୁତ୍‍ ରାଜାମାନଙ୍କର ସାହାଯ୍ୟ ନିମିତ୍ତ ପତ୍ର ଲେଖିଲେ । ପାତ୍ରରେ ସେ ସମ୍ରାଟଙ୍କର କୁଟିଳ ଅଭିପ୍ରାୟ ଜଣାଇ ସେମାନଙ୍କ ଜାତୀୟତା ଉଦବୋଧନ କଲେ । ତାଙ୍କ ଆଦେଶରେ ସାହସୀ ଓ ଚତୁର ଜଣେ ରାଜପୁତ୍‍ ବୀର ପତ୍ରସବୁ ଧରି ଛଦ୍ମଵେଶ ଆରେ ଦୁର୍ଗ ତ୍ୟାଗ କଲା । ଏଣେ, ଦୁର୍ଗମଧ୍ୟରେ ଯେ କୌଣସି ଉପାୟରେ ପ୍ରବେଶ କରିବା ନିମିତ୍ତ ପଠାଣମାନେ ବିରାଟ ଚେଷ୍ଟା ଓ ଆୟୋଜନ କଲେ-। ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧର ସୂତ୍ରପାତ ହେଲା । ପଠାଣସେନାର ଆଗ୍ନେୟାସ୍ତ୍ର ‘ଗୁଡ଼ୁମ ଗୁଡ଼ୁମ’ ଗର୍ଜ୍ଜି ଉଠିଲା । ସେମାନଙ୍କ ‘ଦୀନ୍‍ ଦୀନ୍‍’ ଧ୍ୱନି ଏବଂ ରାଜପୁତ୍‍ମାନଙ୍କ ‘ବମ୍‍ ଶଙ୍କର କି ଜେ’ ଶବ୍ଦରେ ବାୟୁମଣ୍ଡଳ ଵିକମ୍ପିତ ହେଲା । ଦୁର୍ଗର ଗୁମ୍ବଜ ଉପରୁ ରାଜପୁତ୍‍ ଯୋଦ୍ଧମାନେ ମୋଗଲ-ସୈନ୍ୟ ଉପରେ ସଜୋର ଗୁଳିବର୍ଷଣ କଲେ । କ୍ରମେ ପ୍ରତ୍ୟେକ ଦ୍ୱାରରେ ଯୁଦ୍ଧ ଚଳିଲା । କେତେବେଳେ ଯବନ-ସେନା, କେତେବେଳେ ବା ହିନ୍ଦୁ ସେନା ଜୟୀ ହୋଇ ଗର୍ବ ଓ ଆନନ୍ଦରେ ଫୁଲି ଉଠିଲେ-। ଯୁଦ୍ଧ ଚାଲୁଥିଲାବେଳେ ବିକ୍ରମସିଂହ ସୈନ୍ୟମାନଙ୍କୁ ବୀରବାକ୍ୟରେ ଜାଗ୍ରତ କରୁଥିଲେ-। ଆହତ ସୈନ୍ୟମାନଙ୍କ ସେବା ଶୁଶ୍ରୂଷାରେ ବିହିତ ବ୍ୟବସ୍ଥା କରାଇ କମଳକୁମାରୀ ଓ ପଦ୍ମା ଅଶ୍ୱପୃଷ୍ଠରେ ଥରକୁ ଥର ଯୁଦ୍ଧ-ସ୍ଥଳକୁ ଯାଇ ଉଭୟ ପକ୍ଷର ଜୟ ପରାଜୟ ପରୀକ୍ଷା କରିବାକୁ ଲାଗିଲେ-

କମଳକୁମାରୀ ବ୍ୟତିବ୍ୟସ୍ତ ହୋଇ ବହୁ ଶ୍ରମ ସହିତ ଉପସ୍ଥିତ ଯୁଦ୍ଧର ସକଳ ଆୟୋଜନ କରୁଥିଲେ ସତ୍ୟ; କିନ୍ତୁ ନିଜ ଯୋଗୁଁ ହିଁ ବୃଦ୍ଧ ପିତାଙ୍କୁ ବିପଦଗ୍ରସ୍ତ ଓ ବିଚଳିତ ହେବାର ଦେଖି ତାଙ୍କ ହୃଦୟ ଭାଙ୍ଗି ପଡ଼ିଲା । ସେ ବାରମ୍ବାର ତାଙ୍କର ଯୌବନ ଓ ସୌନ୍ଦର୍ଯ୍ୟକୁ ଶତ ଧିକ୍‍କାର କରିବାକୁ ଲାଗିଲେ ।

ଦିନେ ମଧ୍ୟାହ୍ନରେ ସେ ନିଜ କକ୍ଷରେ ବସି ଚିନ୍ତା କଲେ,–‘’ଆହା, କି ଅଶୁଭ କ୍ଷଣରେ ପୃଥିବୀ ସ୍ପର୍ଶ କରିଥିଲି କେଜାଣି, ଏ ପୋଡ଼ା ବୟସ, ରୂପ ଯୋଗୁଁ ଏହି କାଳ-ଯୁଦ୍ଧର ଆରମ୍ଭ–ବହୁ ରକ୍ତପାତ ଓ ଲୋକକ୍ଷୟର ଉପକ୍ରମ । ମ୍ଲେଚ୍ଛ କାମୁକ ବାଦ୍‍ଶାହାର ମୁଁ ର୍ପରି କି ଅପକାର କରିଛି ଯେ, ଭଗବାନ୍‍ ଏହି ଦୁର୍ଦ୍ଦିନ ଆଣି ପହଞ୍ଚାଇଛନ୍ତି–ଅଭାଗା ପିତାଙ୍କୁ ଜୀବନର ସନ୍ଧ୍ୟାବେଳେ ଏହି ଦାରୁଣ ପରୀକ୍ଷାର ଅଧୀନ କରିଛନ୍ତି । ଭଗବାନ ! କାମୁକର ବିଷ-ଦୃଷ୍ଟିରେ ପଡ଼ିବ ପାଇଁ କଣ ସ୍ତ୍ରୀର ଜନ୍ମ ? ଯବନର ପଦଦଳିତ ହେବା ଲାଗି କଣ ହିନ୍ଦୁର ସୃଷ୍ଟି ? ବିଦେଶୀର ଉତ୍ପୀଡ଼ନ ସହିବା ସକାଶେ ରାଜପୁତ୍‍ର ଉତ୍ପତ୍ତି? ‘‘ଚକ୍ଷୁର ଲୋତକ-ପାତରେ ତାଙ୍କ ହୃଦୟର ଚିନ୍ତା-ସ୍ରୋତ ସହସା ରୁଦ୍ଧ ହୋଇଗଲା । ଜ୍ୟୋତ୍ସ୍ନାସ୍ନାତ ଗମ୍ଭୀର ଉଜ୍ଜ୍ୱଳ ଆକାଶ-ମଣ୍ଡଳ ଯୁଗପତ୍‍ ମେଘାଚ୍ଛନ୍ନ ହୋଇ ଉଠିଲା !

 

ପୁନର୍ବାର ଭାବିଲେ,–‘’ହେଉ, ଅଧିକ ଭାବିବାର ପ୍ରୟୋଜନ ନାହିଁ । ପାଷାଣ୍ଡ ବାଦ୍‍ଶାହାର ଅବଶ୍ୟ ଅଙ୍କାଶ୍ରୟ କରିବି ।’’ ତା’ ହାତରେ ଲାଞ୍ଛନା ଭୋଗି ଜଗତର ଉପହାସର ପାତ୍ରୀ ହୋଇପାରେଁ; ତଥାପି ପ୍ରାଣ ଧରି ପିତାଙ୍କ ଦୁଃଖ କଦାପି ଦେଖିପାରିବି ନାହିଁ । ଜନମୟ ରୂପନଗରର ଶସ୍ୟ-ଶ୍ୟାମଳ ଚିତାନଳ ଜାଳିବାକୁ–ତାହାର ହାସ୍ୟୋତ୍‍ଫୁଲ୍ଲ ନେତ୍ରରେ ରୁଧିରାଶ୍ରୁ ବୁହାଇବାକୁ ଅକ୍ଷମ ମୁଁ । ହେଉ–ତାହାହିଁ କରିବି । ପବିତ୍ର ନାରୀଧର୍ମରେ ପଦାଘାତ କରି, ବିଶୁଦ୍ଧ ହିନ୍ଦୁ-ଧର୍ମରେ ଜଳାଞ୍ଜଳ ଦେଇ ମୋଗଲ-ମହଲ୍‍ରେ ଯାଇ ଦାସୀ ହେବି–ଅକାରଣ ରକ୍ତମୟ ଦେଖିବି ନାହିଁ, ବୃଦ୍ଧ ପିତାଙ୍କର ବ୍ୟାକୁଳତା ଆଉ ସହିବି ନାହିଁ, ବିପଦକୁ ବରଣ କରି ରାଜପୁତ୍‍ର ଅନିଷ୍ଟ କରିବି ନାହିଁ ।’’

 

କିଛି କାଳ ନୀରବ ରହି ପୁଣି ଚିନ୍ତା କଲେ,–‘’ବିପଦ ! ମୋ ପକ୍ଷରେ ବିପଦ ବା କଣ ? ବିପଦରେ ମୋର ଯେ ଜନ୍ମ–ସେଥିରେ ହିଁ ମୁଁ ଯେ ପାଳିତ, ପୁଷ୍ଟ ! ଧର୍ମ-ରକ୍ଷାପାଇଁ–ମହତ୍ତ୍ୱରକ୍ଷା ପାଇଁ ଯୁଦ୍ଧଯଜ୍ଞରେ ପ୍ରାଣ ଆହୁତି ହେବା ବରଂ ଭଲ; ତଥାପି ଅସ୍ପୃଶ୍ୟ ଯବନକୁ ଜାମାତା କରି ପଶୁଜୀବନ, ଦାସ-ଜୀବନ କଟାଇବା–ମୋଗଲର ପଦଲେହନ କରିବା ବୃଦ୍ଧ ପିତାଙ୍କ ପକ୍ଷରେ ବାସ ଅନ୍ୟାୟ, ଅସୁନ୍ଦର, ଅନୁଚିତ । ଲଜ୍ଜା, ଅପମାନରେ, ସେ ଅନ୍ୟାନ୍ୟ ହିନ୍ଦୁରାଜାମାନଙ୍କ ଆଗରେ ମୁଣ୍ଡ ଟେକି ଚାଲିବେ କିପରି ? ତାଙ୍କ ଉପରେ ଯେ ହେବ ବିଦ୍ରୁପର ବାରି–ବର୍ଷଣ ! କାହିଁ–ସେ ତ ଦୁର୍ବଳ ନୁହନ୍ତି ! ନାହିଁ, ନାହିଁ–ଯବନ ମର୍କଟର ଶଯ୍ୟାରେ ଶୋଇ ଜୀବନ ମାଟି କରିବି ନାହିଁ । ଚାଲୁ ସମର, ହେଉ ରୂପନଗର ଶ୍ମଶାନ–କୌଣସି କ୍ଷୋଭ ନାହିଁ ସେଥିରେ । ରୂପନଗର ନାମରେ ଗୌରବସ୍ପନ୍ଦନରେ ଆନନ୍ଦରେ ଉତକ୍ଷିପ୍ତ ହୋଇ ଉଠିବା ରାଜପୁତ୍‍ର ହୃଦୟ; ରାଜା ବିକ୍ରମସିଂହଙ୍କ ନାମରେ ସାରା ରାଜସ୍ଥାନ ନତ କରିବ ମସ୍ତକ । ଏହାହିଁ ତ ଗୌରବ ! ଅବଶ୍ୟ ଏହି ଗୌରବ କିଣିବାରେ ଲକ୍ଷ ଲକ୍ଷ ଶିର ହେବ ଧରଣୀଲୁଣ୍ଠିତ–ସ୍ୱାମୀ-ପୁତ୍ରହରା ଲକ୍ଷ ଲକ୍ଷ ରମଣୀଙ୍କ ତପ୍ତ ଲୋତକ-ଜଳରେ ହେବ ସିନ୍ଧୁ-ସୃଷ୍ଟି ! ହେଉ, କ୍ଷତି କଣ ? ଫେରେ, ଏହି ସିନ୍ଧୁ-ଜଳରେ ତ ରାଜପୁତ୍‍-ସନ୍ତାନ ସ୍ନାନ କରି ହେବ କୃତାର୍ଥ, ପବିତ୍ର ! ତେବେ, ରାଜପୁତ୍‍ବୀର-ତିଳକ ରାଣା ରାଜସିଂହଙ୍କ ସାହାଯ୍ୟ ଭିକ୍ଷାହିଁ ବର୍ତ୍ତମାନ ଏକମାତ୍ର ପନ୍ଥା । ଯୋଧପୁର-ବନରେ ସେ ମୋତେ ମୁଦ୍ରିକା ଉପହାର ଦେବାବେଳେ ତାଙ୍କ ଉଚ୍ଚ ପ୍ରାଣର ସୂଚନା ମିଳିଥିଲା । ତାଙ୍କ ବାହୁରେ ବଳ ଅଛି–ହୃଦୟରେ ତେଜ ଅଛି । ସାହାଯ୍ୟ ଲୋଡ଼ିଲେ ସେ ସୈନ୍ୟ ଧରି ଆସିବେ–ଶରଣାଗତକୁ ରକ୍ଷା କରିବେ, ସନ୍ଦେହ ନାହିଁ ।’’

 

କମଳକୁମାରୀ ଏପରି ଚିନ୍ତାସ୍ରୋତରେ ଭାସୁଥିବାବେଳେ, ପଦ୍ମା ହଠାତ୍‍ ତାଙ୍କ ନିକଟକୁ ଯାଇ କହିଲେ,–‘ଏଠାରେ ବସି ଭାବୁଛୁ କଣ କମଳ ? ବର-ଯାତ୍ରୀ ଆସି ଦ୍ୱାରରେ ଠିଆ–ଦିଲ୍ଲୀକୁ ଯାଇ ତ ରାଣୀ ହେବୁ ! ଚିନ୍ତା ଆଉ କଣ ? ଦୁଃଖର ହେବ ଅବସାନ–ସୁଖ–ତରଙ୍ଗ କରିବ ନବପ୍ରାଣ ଦାନ ।’

 

କମଳକୁମାରୀଙ୍କ ମୁଖ ହଠାତ୍‍ ମ୍ଳାନ ହୋଇଗଲା, ନାସା-ରନ୍ଧ୍ର କମ୍ପିତ ହେଲା । କହିଲେ,–‘ଏଥିପାଇଁ ପରା ଧାଇଁ ଆସିଛୁ ଏଠାକୁ ? ଏ ଦାରୁଣ ଦୁଃସମୟରେ ଶ୍ଲେଷ ବାକ୍ୟ ଶୋଭା ପାଏ ନାହିଁ, ପଦ୍ମା ।’

 

‘ମଲା, ଭାରତେଶ୍ୱରୀ ହେବାକୁ ଏତେ ଅନିଚ୍ଛା ?’

 

କମଳକୁମାରୀ ଭ୍ରୂଭଙ୍ଗୀକରି କହିଲେ,–‘’ହିଂସୀ କଣ ବକର ସେବା କରେ, ପଦ୍ମା ?’

 

ସ୍ନିଗଧ ଉଷାଲୋକର ପ୍ରଥମ ରେଖା ତୁଲ୍ୟ ପଦ୍ମା ମନ୍ଦ ମନ୍ଦ ହସି ଉଠିଲେ । ସେ ବଡ଼ ସୁନ୍ଦରୀ, ମଧୁର ସରଳ ହାସ୍ୟରେ ତାଙ୍କ ସୌନ୍ଦର୍ଯ୍ୟ ବିକାଶ ପାଇଲା । ସେ କହିଲେ,–‘’କେଡ଼େ ରାଗ ଲୋ କମଳ ତୋର ! ଥାଉ ସେ ନିଆଁ ଲଗା କଥା । ଆ, କୋଠା ଉପରେ ଯାଇ ବସିବା ।’

 

ଦୁହେଁ ପ୍ରାସାଦ ଉପରକୁ ଉଠି ସେଠାର ଗୋଟିଏ ମଣ୍ଡପରେ ବସିଲେ ଏବଂ ପଠାଣ ସୈନ୍ୟଆଡ଼େ ଦୃଷ୍ଟି ପକାଇ ବହୁ ସମୟ ପର୍ଯ୍ୟନ୍ତ ନାନା ବିଷୟରେ କଥାବାର୍ତ୍ତା କଲେ । ଏହି ଅବସରରେ ସୁନ୍ଦର ଶୁକ୍ଳ ଗୋଟିଏ କପୋତ କେଉଁ ଦିଗରୁ ଉଡ଼ିଆସି ସେହି ମଣ୍ଡପ-ଧାରରେ ବସିଲା । ତାହାକୁ ଦେଖି ଉଭୟେ ଆନନ୍ଦରେ ଅଧୀର । ପାରାଟିକୁ ଧରିବା ଉଦ୍ଦେଶ୍ୟରେ ପଦ୍ମା ତାହାପ୍ରତି ଧୀର ପାଦଚାଳନ କରୁଛନ୍ତି, ଏହି ସମୟରେ ହଠାତ୍‍ ଜଣେ ଦାସୀ ସେଠାକୁ ଯାଇ କହିଲା ଯେ, ଦିଲ୍ଲୀରୁ କେହି ଜଣେ ହିନ୍ଦୁ ସ୍ତ୍ରୀ ଆସି କମଳକୁମାରୀଙ୍କୁ କେତେକ ବିଷୟ କହିବା ପାଇଁ ତଳେ ଅପେକ୍ଷା କରିଅଛି । ଦୁହେଁ ଚମକି ପଡ଼ିଲେ ! ରାଜକୁମାରୀ ଉଠି ପଦ୍ମାଙ୍କୁ କହିଲେ,–‘’ଦେଖି ଆସେ, ଭଉଣି, କିଏ ସେ, କି ଉଦ୍ଦେଶ୍ୟରେ ଆସିଛି । ଏହିକ୍ଷଣି ଫେରିବି । ପାରାଟି ବଡ଼ ସୁନ୍ଦର ହୋଇଛି–ଏହାର ଲୋଭ ଛାଡ଼ି ହେଉନାହିଁ । ଯତ୍ନରେ ଧରି ରଖିଥା–ଶ୍ରଦ୍ଧା ହେଉଛି, ଏହାକୁ ପୋଷିବି ।’’ ଏହା କହି ସେ ଦାସୀ ସହିତ ତଳକୁ ଓହ୍ଲାଇଲେ ।

 

ପଦ୍ମା ଅତି ଆଦରରେ କପୋତଟିକୁ ଧରି, ତାହା ଦେହ ଉପରେ ନିଜର ଚାରୁ ସୁକୋମଳ ଚମ୍ପକାଙ୍ଗୁଳି ଥରେ ସଞ୍ଚାଳନ କଲେ । ସ୍ନେହ, ଆଦର ପାଇଲେ ଜୀବ ମାତ୍ରେ ସହଜରେ ବଶୀଭୂତ ହୋଇଥାଏ । ପାରାଟି ପୋଷା ମାନିବା ଭଳି ସନ୍ତୋଷରେ ପକ୍ଷ ଉଠାଇ ‘ଗୁଡ଼ରୁଁ ଗୁଡ଼ରୁଁ’ ଶବ୍ଦ କରି ପଦ୍ମାଙ୍କ କୋଳରେ ଫର ଫର ଉଡ଼ିବାକୁ ଲାଗିଲା । ପକ୍ଷୀଟିର କୌତୁକ କ୍ରୀଡ଼ା ଦେଖି ପଦ୍ମାଙ୍କର ଅପୂର୍ବ ଆନନ୍ଦ–ସେହି ଆନନ୍ଦରେ ସେ ନିଜକୁ ହାତେ ବଢ଼ିଗଲା ପରି ମନେ କଲେ । ମା’ଯେପରି କୋଳରେ ନିଜ ଶିଶୁକୁ ଧରି ତାହାର ମଧୁର ସରଳ ଦାରୋଟି କଥା ଶୁଣି ଆନନ୍ଦରେ ବିହ୍ଵଳ ହୋଇଯାଏ, ଏବଂ ଶିଶୁଜନୋଚିତ ଅବ୍ୟକ୍ତ ଅସ୍ପଷ୍ଟ ମିଷ୍ଟ ଭାଷାରେ ଶିଶୁ ସଙ୍ଗେ କଥାବାର୍ତ୍ତା କରି ସନ୍ତୋଷ ଲାଭ କରେ, ପଦ୍ମା ସେହିପରି ଆଦରରେ କପୋତଟିକୁ ନିଜ ବାମ ହସ୍ତରେ ବସାଇ ତାହାକୁ ସୋହାଗବୋଳା ଭଙ୍ଗା ସ୍ୱରରେ କୌତୁକ କଥା କେତେ କହି ଆନନ୍ଦାନୁଭଵ କଲେ । ଏହି ସମୟରେ ସେ ଦେଖିଲେ, କପୋତ କଣ୍ଠରେ ଗୋଟିଏ ସରୁ ସୁତା–ତହିଁରୁ ଛୋଟ ଖଣ୍ଡିଏ ପତ୍ର ଝୁଲୁଛି । ସେ ଏକାବେଳକେ ବିସ୍ମିତ ! ସେ ପାରା କାନ୍ଥରୁ ପତ୍ରଟି ବାହାର କରି ପାଠ କରିବା ମାତ୍ରେ, ତାଙ୍କର ଉଜ୍ଜ୍ୱଳ ଅଧର ମୃଦୁ-ହାସ୍ୟ-କମ୍ପନରେ ଈଷତ୍‍ ରଞ୍ଜିତ ହୋଇଗଲା । ପରେ ପତ୍ରର ପଛ ଭାଗରେ ନିଜ ନଖର ‘ହେଉ’ ଏ ଦୁଇ ଅକ୍ଷର ଫୁଟାଇ ପତ୍ରଟି ପୂର୍ବପରି ପାରା କଣ୍ଠରେ ବାନ୍ଧି ଦେଲେ । ସୁଶିକ୍ଷିତ କପୋତଟି ସେହିକ୍ଷଣି ଆକାଶ-ମାର୍ଗରେ ଉଡ଼ିଗଲା । ସେହି ଦୂତ୍ୟ-ନିପୁଣ ପାରାବତର ବ୍ୟବହାର ଚଳିତ ଥିଲା ।

 

ପୂର୍ବ ପରିଚ୍ଛେଦରେ କୁହାଯାଇଛି, ଲୀଳା ଦିଲ୍ଲୀ-ମହଲ୍‍ରୁ ବାହାରି ଅଳ୍ପ କେତେକ ଦିନ ପରେ ରୂପନଗରରେ ଯାଇ ପହଞ୍ଚିଲା । ସେ ଦୁର୍ଗ ମଧ୍ୟରେ ପ୍ରବେଶ କରିବାର ପରଦିନ ହିଁ ତାହା ମୋଗଲ ସେନାଦ୍ୱାର ବେଷ୍ଟିତ ହେଲା । ଦୁଇଦିନ ପର୍ଯ୍ୟନ୍ତ ଲୀଳା କମଳକୁମାରୀଙ୍କୁ ଦେଖିବାର ସୁଯୋଗ ଓ ସମୟ ପାଇଁ ପାରିଲା ନାହିଁ । ଆଜି କିନ୍ତୁ ତାଙ୍କ ସହିତ ତାହାର ସାକ୍ଷାତ୍‍ ! ଅନ୍ତଃପୁରର କୌଣସି ଏକ ନିର୍ଜ୍ଜନ ସ୍ଥାନରେ ବସି ଦୁହେଁ କଥାବାର୍ତ୍ତା କଲେ । ରାଜକନ୍ୟାଙ୍କ ଆଗରେ ଲୀଳା ନିଜର ସ୍ପଷ୍ଟ ପରିଚୟ ଦେଲା ଏବଂ ଉଦିପୁରୀ ସମ୍ରାଟଙ୍କର ମହିଷୀ ହେବା ଦିନୁ ନିଜେ ଦିଲ୍ଲୀ ଛାଡ଼ିବା ମୁହୂର୍ତ୍ତଯାଏଁ ମୋଗଲ-ମହଲ୍‍ରେ ଯାହା ଯାହା ଘଟିଥିଲା ସେହି ସମସ୍ତ କଥା ସଂକ୍ଷେପରେ ଜଣାଇଲା । କମଳକୁମାରୀ ବିସ୍ମୟରେ ବିହ୍ଵଳ ! ଶେଷରେ ଲୀଳା ତାହାଙ୍କୁ ଇନ୍ଦିରାଙ୍କ କଥା ଶୁଣାଇଲା । ରାଜକୁମାରୀ ମନେ ମନେ ଅତ୍ୟନ୍ତ ଆଶାନ୍ଵିତ ଓ ଉତ୍ସାହିତ ହୋଇ ସନ୍ତୋଷ ପ୍ରକାଶ କଲେ । ଲୀଳା ଉପରେ ଏବଂ ତାହା କଥାରେ ତାଙ୍କର ବିଶ୍ୱାସ ଜନ୍ମିଲା । ସେ ଯେଉଁ କଥା ଚିନ୍ତା କରୁଛନ୍ତି, ତାହାହିଁ ଯେ ସେ ଶୁଣାଇଲା–ତାହା ପ୍ରତି ତାଙ୍କର ଅବିଶ୍ୱାସ ହେବ ବା କିପରି ? କମଳକୁମାରୀ ହର୍ଷକମ୍ପିତ ସ୍ୱରରେ କହିଲେ,–‘ବଡ଼ ଭଲ ହେଲା । ଉପଯୁକ୍ତ ସମୟରେ ଇନ୍ଦିରାଙ୍କର ଉଚିତ ଉପଦେଶ ପାଇଁ ମୁଁ ଧନ୍ୟ ହୋଇଛି । ଏତେ ଶ୍ରମ ନେଇ ମୋତେ ଆସି ଏହା ଜଣାଇଥିବାରୁ ତୁମକୁ ଅଶେଷ ଧନ୍ୟବାଦ ଦେଉଛି । ଦେଖୁଛ, ଆଜିକାଲି ଗଡ଼ ବାହାରକୁ ଝିଅ କିପରି କଠିନ । କେତେକ ଦିନ ମୋ ପାଖରେ ରହ–ପରେ ସୁବିଧା ଦେଖି ତୁମକୁ ତୁମ ଜନ୍ମସ୍ଥାନକୁ ପଠାଇଦେବି । ଏଠାରେ ରହିଲେ ଅବଶ୍ୟ ତୁମର କିଛି ଅଭାବ ଅସୁବିଧା ହେବ ଅହିଁ ।’ ପରେ ଲୀଳାର ଭୋଜନାଦିର ବ୍ୟବସ୍ଥା କରି, ତାହାକୁ ନିଜ କକ୍ଷ ନିକଟରେ ଖଣ୍ଡିଏ ବାସସ୍ଥାନ ଦେଲେ; ଏବଂ ପୁନର୍ବାର ପ୍ରାସାଦ ଉପରକୁ ଗଲେ ।

 

ପଦ୍ମାଙ୍କ ନିକଟକୁ ଯାଇ ସେ ଉଦବେଗ ସହିତ ପଚାରିଲେ,–‘’ପାରାଟି କାହିଁ, ପଦ୍ମା ? ଯତ୍ନରେ ରଖିଛୁ ତ ! ‘ ହାସ୍ୟ ରଞ୍ଜିତ-ମୁଖରେ ପଦ୍ମା କହିଲେ,–‘’କଣ କରିବି କମଳ ! ପଦ୍ମା ଦିଲ୍ଲୀ-ଆଗତ ସ୍ତ୍ରୀ ସମ୍ୱନ୍ଧରେ ପ୍ରଶ୍ନ କରିବାରୁ, କମଳକୁମାରୀ ଇନ୍ଦିରାଙ୍କ ଉପଦେଶ ବ୍ୟତୀତ ଅନ୍ୟାନ୍ୟ ସକଳ କଥା ଜଣାଇଲେ । ପରେ ଦୁଇଜଣ ପ୍ରାସାଦ ତଳକୁ ଓହ୍ଲାଇଲେ । ପତ୍ରଟି ପାଠ କରିବା ମୁହୂର୍ତ୍ତରୁ ପଦ୍ମା କଣ ଗୁଡ଼ାଏ ଚିନ୍ତା କରି ଅତ୍ୟନ୍ତ ଉତ୍କଣ୍ଠା ସହିତ ସନ୍ଧ୍ୟାଗମର ପ୍ରତୀକ୍ଷା କରିବାକୁ ଲାଗିଲେ ।

 

କ୍ରମେ ସନ୍ଧ୍ୟା ହେଲା । ଦେଖୁଁ ଦେଖୁଁ ରାତ୍ରି ଆସିଲା । ରାଜପୁରୀରେ ସମସ୍ତେ ଆହାରାଦି ସାରି ନିଜ ନିଜ ନିର୍ଦ୍ଦିଷ୍ଟ କକ୍ଷରେ ଯାଇ ଶୟନ କଲେ । ସମସ୍ତେ ଗାଢ଼ ନିଦ୍ରାଭିଭୂତ, କିନ୍ତୁ କାହିଁ–ପଦ୍ମାଙ୍କ ଚକ୍ଷୁରେ ତ ନିଦ୍ରା ନାହିଁ ! ସେ ଧୀରେ ଧୀରେ ପ୍ରସାଦ ଉପରକୁ ଉଠି, ପ୍ରାସାଦର ପ୍ରାନ୍ତଭାଗରେ ଥିବା ଏକ ନିଭୃତ କକ୍ଷର ଗବାକ୍ଷ ନିକଟରେ ଯାଇ ଠିଆ ହେଲେ । ପରେ ଗବାକ୍ଷ-ଶଳାକର ସୁଦୀର୍ଘ ସୁଦୃଢ଼ ଖଣ୍ଡିଏ ଦଉଡ଼ି ବାନ୍ଧି ତାହା ପ୍ରସାଦ ବାହାରେ ତଳକୁ ଝୁଲାଇ ଦେଲେ; ଏବଂ ବହିର୍ଭାଗ ପ୍ରତି ପୁନଃ ପୁନଃ ଦୃଷ୍ଟି ପକାଇବାକୁ ଲାଗିଲେ । ଦେଖୁଁ ଦେଖୁଁ ଜଣେ ରାଜକୁମାର ସେହି ରଜ୍ଜୁ ସାହାଯ୍ୟରେ ପ୍ରସାଦ ଉପରକୁ ଉଠି ସେହି କକ୍ଷ ମଧ୍ୟରେ ପ୍ରବେଶ କଲେ । ତାଙ୍କୁ ଦେଖିବା ମାତ୍ରେ ପଦ୍ମା ଲଜ୍ଜାରେ ଅଧୋବଦନ ହୋଇ ଠିଆ ହେଲେ । ସେତେବେଳେ ନିଶୀଥ । ରାଜକୁମାର ମନ୍ଦ ମନ୍ଦ ହସି ପଚାରିଲେ,–‘ପତ୍ରଟି ପଢ଼ିଲ ତ ପଦ୍ମା ?’

 

‘ହଁ ପଢ଼ିଛି । ଆସିଛ କିନ୍ତୁ କି ଉଦ୍ଦେଶ୍ୟରେ ?’

 

‘ଉଦ୍ଦେଶ୍ୟ ଆଉ କଣ ? ତୁମକୁ ଦେଖିବା ପାଇଁ ।’

 

‘ପଠାଣସେନା ଦୁର୍ଗ ଘେରାଉ କରି ରହିଛନ୍ତି । ଏ ଅବସ୍ଥାରେ ତୁମେ ଏଠାକୁ ଆସିଛ ଜାଣି, ବଡ଼ ଭୟ ହେଲା । ଆସିବାବେଳେ କେହି ଯଦି ଦେଖେ, ବିପଦ !’

 

‘ଏ ସାମାନ୍ୟ କଥାରେ ଏତେ ଭୟ, ପଦ୍ମା ! ମୋର ଭୀଲ ଗୁପ୍ତଚରଦଳ ଆଉ ମୋ ଛଡ଼ା ଏଠାକୁ ଆସିବା-ବାଟ ଅନ୍ୟ କେହି ଜାଣି ନାହିଁ ।’

 

‘ହେଲା–ଯାଉ ସେ କଥା । ରୂପନଗରର ଦଶା ଦେଖୁଛ ତ ?’

 

‘କହିବା ଦରକାର ନାହିଁ, ପଦ୍ମା । ସବୁ ଶୁଣିଛୁ, ବୁଝିଛି ।’

 

‘ଜାଣିଶୁଣି କରୁଛ କଣ, ତାହାହେଲେ ?’

 

ରାଜପୁତ୍ର ଅଳ୍ପ ହସି ଦେଇ କହିଲେ–କି–ହେଲା କଣ ? ମୁଁ କଣ ତୁନି ରହିଛି, ଭାବୁଛ ? ବାବା ମୋତେ ଦୁର୍ଗାରୁ ତଡ଼ି ଦେଇଥିବାରୁ, ଏଠାକୁ ଅବାଧରେ ଯା’ ଆସ କରି ପାରୁନାହିଁ, ସତ; ତାହାବୋଲି ଦୁର୍ଗ ରକ୍ଷାର ଉପାୟ କିଛି କଣ ନକରି ଛାଡ଼ୁଛି ! ବରାବର ଚେଷ୍ଟା ଲଗାଇଛି ।’

 

‘ତେବେ, ଏ ଦୁଃସମୟରେ ରହି କ୍ଷଣିକ ପାଇଁ ସୁଦ୍ଧା ଜୀବନକୁ ସରସ ଶୀତଳ କରିବା । ଏଇୟା ! ‘

 

ଲଜ୍ଜାଜନିତ ସରସ ସୁମନ୍ଦ ହାସ୍ୟର ପଦ୍ମାଙ୍କ ମୁଖ-ମଣ୍ଡଳ ଉଦ୍‍ଭାସିତ । ରାଜକୁମାର ହାସ୍ୟ-ପ୍ରସନ୍ନ ସ୍ୱରରେ କହିଲେ,–‘’ପଦ୍ମାଙ୍କର ଏହି ସରଳ ସୁମଧୁର ହସଟିକ ହିଁ ମୋ ପ୍ରେମ-ସ୍ୱପ୍ନର ସୁଧାମୟ ଫଳ ! ବୁଝୁଛ ? ଆଶା କରେଁ, ପ୍ରତି ଶୁକ୍ରବାର ଏଠାରେ ତୁମର ସାକ୍ଷାତ ପାଇଁ ସୁଖୀ ହେଉଥିବି । ଆସୁଛି ।’

 

ପଦ୍ମା ସନ୍ତୋଷରେ ବିଭୋର ! ରାଜକୁମାର ସେହି ରଜ୍ଜୁ ଆଶ୍ରୟରେ ହିଁ ଶୀଘ୍ର ପ୍ରସାଦ ବାହାରେ ଯାଇ ପଦାର୍ପଣ କଲେ, ଏବଂ ତାଙ୍କୁ ଅପେକ୍ଷା କରି ରହିଥିବା ଭୀଲ ଅନୁଚରମାନଙ୍କ ସଙ୍ଗେ ଗୁପ୍ତ ଗିରିପଥରେ ନିଜ ସ୍ଥାନକୁ ଫେରିଲେ । ପରେ ପଦ୍ମାଙ୍କ ତଳକୁ ଖସି ନିଜ କକ୍ଷରେ ଯାଇ ନିଦ୍ରାର ଆଶ୍ରୟ ନେଲେ ।

 

ପାଠକେ ! ଏହି ରାଜକୁମାର ହିଁ ଯେ ଶିବସିଂହ, ତାହା ଠଉରେଇବାରେ କିଛି ଆଉ ବାକି ରହିନାହିଁ ତ !

Image

 

ସପ୍ତଦଶ ପରିଚ୍ଛେଦ

(ଶ୍ରୀକୃଷ୍ଣ ନିକଟକୁ ରୁକ୍ମିଣୀଙ୍କ ପତ୍ର)

 

ସାଦତ୍‍ଖାଁ ସୈନ୍ୟ ତିନିମାସ କାଳ ରୂପନଗର ଦୁର୍ଗ ଅବରୋଧ କରି ରହିଲେ । ବିକ୍ରମସିଂହ ସୋଲାଙ୍କି ଅନ୍ୟାନ୍ୟ ରାଜପୁତ୍‍ ରାଜାମାନଙ୍କ ଠାରୁ କୌଣସି ଉତ୍ତର ବା ସାହାଯ୍ୟ ନପାଇ ବିରକ୍ତ, ଚିନ୍ତିତ;–କିନ୍ତୁ ନିରୁତ୍ସାହିତ, ନୁହଁନ୍ତି । ସେ, ତାଙ୍କର ମନ୍ତ୍ରୀଦଳ ଓ ସୈନ୍ୟାଧ୍ୟକ୍ଷମାନେ ଅତୁଲ୍ୟ ସାହସ ଧରି ବୀରଦର୍ପରେ ଅମିତ ପରାକ୍ରମରେ ଦୁର୍ଗାରକ୍ଷା କରିବାକୁ ଲାଗିଲେ । ପଠାଣମାନେ ଯୁଦ୍ଧ ଚଳାଇ ଦୁର୍ଗ ମଧ୍ୟରେ ପ୍ରବିଷ୍ଟ ହେବା ପାଇଁ ବହୁ ଚେଷ୍ଟା କଲେ–କୃତକାର୍ଯ୍ୟ ହୋଇ ପାରିଲେ ନାହିଁ । କମଳକୁମାରୀ ଅତିଶୟ ଧର୍ମପ୍ରାଣା, ଈଶ୍ୱରପରାୟଣା । ତାଙ୍କର ଅଚଳ ବିଶ୍ୱାସ–ଭାଗବତ ଚିନ୍ତାରେହିଁ ସକଳ ବିପଦ ଦୂର ହୁଏ । ଦିନେ ସେ ପିତାଙ୍କ ସହିତ ଯୁଦ୍ଧ-ସଂକ୍ରାନ୍ତ କାର୍ଯ୍ୟ ସାରି, ଶ୍ରୀମଦ୍ଭାଗବତ ପୁରାଣ ଶୁଣିବାର ମନସ୍ଥ କଲେ । ପୁରାଣପାଠ ପାଇଁ ଭୀମଲାଲ ପଣ୍ଡିତ ସେହିକ୍ଷଣି ଆହୁତି ହେଲେ ।

 

ନିଷ୍ଠାପର, ସଂସ୍କୃତଜ୍ଞ, ବୃଦ୍ଧ ଭୀମଲାଲ ରୂପନଗର ରାଜସଭାର ବିଦୂଷକ, ରାଜାଙ୍କର ପୁରୋହିତ ମଧ୍ୟ । ନାନା ରଙ୍ଗ ରହସ୍ୟ, କୌତୁକ କଥାରେ ସେ ସର୍ବଦା ବିକ୍ରମସିଂହ ଓ ତାଙ୍କ ସଭାସଦ୍‍ମାନଙ୍କୁ ଆପ୍ୟାୟିତ କରୁଥିଲେ । କେବେ କେବେ ଅନ୍ତଃପୁରରେ ତାଙ୍କ ହାସ୍ୟରସର ପ୍ରବାହ ଖେଳୁଥିଲା । ଏଣୁ ପୁରୁଷ, ସ୍ତ୍ରୀ–ସମସ୍ତଙ୍କର ସେ ସ୍ନେହ-ପତ୍ର, ଭକ୍ତି-ଭାଜନ । ସେ ଅତି ଭୋଜନ-ପ୍ରିୟ–’ଭୀମ’ ନାମ ସାର୍ଥକ ହୋଇଥିଲା । ରାଜପାଚକମାନଙ୍କ ଠାରୁ ମିଷ୍ଟାନ୍ନ ପ୍ରଭୃତି ସୁସ୍ୱାଦୁ, ରୁଚିକର ଖାଦ୍ୟ ତିଆରି ହେବାର ଶୁଣିବା ମାତ୍ରେ ପଣ୍ଡିତଙ୍କ ତୁଣ୍ଡରୁ ଟପ୍‍ ଟପ୍‍ ଲାଳ ଖସି ପଡ଼ୁଥିଲା, ସନ୍ତୋଷରେ ସେ ନିଜ ପେଟ ଉପରେ ହାତ ବୁଲାଇ ଦେଉଥିଲେ । ଏଣୁ ପ୍ରତ୍ୟହ ମିଷ୍ଟ ଦ୍ରବ୍ୟ ଦେଇ ରାଜା ଓ କମଳକୁମାରୀ ତାଙ୍କ ଭୋଜନ-ପ୍ରୀତି ଚରିତାର୍ଥ କରୁଥିଲେ ।

 

ସନ୍ଧ୍ୟାବେଳେ କମଳକୁମାରୀ, ପଦ୍ମା, ପରିଚାରିକାଦଳ ଓ ସମବୟସ୍କା ଅନ୍ୟାନ୍ୟ ଯୁବତୀମାନଙ୍କୁ ସଂଗେ ଧରି ପୁରାଣ ଶୁଣିବା ନିମନ୍ତେ ଅନ୍ତଃପୁର–ପ୍ରାଙ୍ଗଣରେ ଗୋଟିଏ ବିସ୍ତୃତ ମଣ୍ଡପରେ ବସିଲେ । ଚନ୍ଦନ-ଭୂଷିତ, ରୁଦ୍ରାକ୍ଷ-ଶୋଭିତ, ସହାସ୍ୟ-ବଦନ ଭୀମଲାଲ ପଣ୍ଡିତ ନିର୍ଦ୍ଦିଷ୍ଟ ଆସନରେ ବସି ଆଗରେ ତାଳପତ୍ର-ଲେଖା ଭାଗବତପୁସ୍ତକ ଖଣ୍ଡିଏ ରଖିଲେ, ଏବଂ ପାଞ୍ଜି-ବିଡ଼ାରୁ ଚଷମା ବାହାର କରି ପାଣି-ଗାମୁଛାରେ ତାହା ପରିଷ୍କାର କରିଦେଲେ । ପରେ ନସ୍ୟ ଗ୍ରହଣ କରୁଁ କରୁଁ, ଭାଗବତର କେଉଁ ଅଂଶଟି ପାଠ କରାଯିବ, ପଚାରିଲେ । ସେଠି ସମ୍ୱନ୍ଧରେ ଉପବିଷ୍ଟ ଅନ୍ତଃପୁରବାସିନୀଗଣ ନିଜ ନିଜ ମତ ବ୍ୟକ୍ତ କଲେ ! କେହି ଶ୍ରୀକୃଷ୍ଣ ଜନ୍ମ, କେହି ପାରିଜାତ ହରଣ, କେହି ବା ସ୍ୟମନ୍ତକ ହାରଣ ଓ ସତ୍ୟଭାମା ବିବାହ ଇତ୍ୟାଦି ଚରିତ-ପାଠ ପ୍ରସ୍ତାବ କଲେ । ପୁରାଣ-ପଣ୍ତା ତାଙ୍କର ଶୁଭ୍ର ଦନ୍ତ-ଶ୍ରେଣୀ ଦେଖାଇ, ପେଟଟି ଠାରେ ଆଉଁସି ଦେଇ କହିଲେ–’’ଶ୍ରୀକୃଷ୍ଣଙ୍କ ବନଭୋଜି ଚରିତାଂଶଟି ପଠିତ ହେଉ ।’ ଯୁବତୀଦଳ ମଧ୍ୟରେ ହାସ୍ୟର ଗୋଟିଏ ରୋଳ ଉଠି ବସିଲା । ଶେଷରେ କମଳକୁମାରୀଙ୍କ ପ୍ରସ୍ତବାନୁସାରେ ରୁକ୍ମିଣୀ-ପରିଚୟ ଚରିତ୍ର ସ୍ଥିର ହେଲା ।

 

ନୈବେଦ୍ୟ ଦେବତାବାହନାଦି ହେଲା । ପଣ୍ଡିତେ ଗଳା ସଜାଡ଼ିଲେ, ଏବଂ ତାଙ୍କର ସୁ-ଉଚ୍ଚ ମଧୁର କଣ୍ଠରେ ପୁରାଣ-ପାଠର ଅନୁକ୍ରମଣିକ ରାଗ-ରାଗିଣୀ ଧରି, ତାଙ୍କର ତାମ୍ର-ମୁଦ୍ରିକାଯୁକ୍ତ-ଅଙ୍ଗୁଳି-ଚାଳନାରେ ପତ୍ର ଲେଉଟାଇ ରୁକ୍ମିଣୀ-ପରିଣୟ ଅଧ୍ୟାୟଟି ବାହାର କଲେ । ‘ନାରାୟଣଂ ନମସ୍କୃତ୍ୟ’ ଶ୍ଳୋକାବୃତ୍ତି ଓ ବନ୍ଦନାଦି ପରେ ପୁରାଣ ପଢ଼ା ଆରମ୍ଭ ହେଲା । ପାଠ ସଙ୍ଗେ ସଙ୍ଗେ ପଣ୍ଡିତଙ୍କର ହସ୍ତ-ମୁଖାଭିନୟ ଦେଖି ଶ୍ରୋତାମାନେ ପେଟ ଫଟାଇ ହସି ଗଡ଼ିଗଲେ । ଶିଶୁପାଳ ସହିତହିଁ ରୁକ୍ମିଣୀଙ୍କୁ ବିବାହ ଦେବା ପାଇଁ ତାଙ୍କ ବଡ଼ ଭାଇ ରୁକ୍ମି ଧରି ବସିବା ଏବଂ କୃଷ୍ଣ–ସୋହାଗିନୀ ରୁକ୍ମିଣୀ ଅଗ୍ରଜଙ୍କ ପ୍ରସ୍ତାବରେ ବ୍ୟଥାଦୀର୍ଣ୍ଣ ହୃଦୟ ବହି, ଏହାର ନିଦ୍ରା ପାଶୋରି ଦିନ ରାତି ଶ୍ରୀକୃଷ୍ଣଙ୍କୁ ଝୁରି ଝୁରି କାତର ବିଳାପରେ କାଳ କଟାଇବା ଶୁଣି ଶ୍ରୋତୃମଣ୍ଡଳୀଙ୍କ ଚକ୍ଷୁ ସଜଳ, ଦେହ କଣ୍ଟକିତ ହୋଇ ଉଠିଲା, ନାସାରନ୍ଧ୍ର ସ୍ପନ୍ଦିତ ହେଲା । ତାହା ଗୋଟିଏ ଜାଗ୍ରତ ସ୍ୱପ୍ନ, ସ୍ୱର୍ଗୀୟ ଦୃଶ୍ୟ, ପବିତ୍ର ଭାବାଦେଶରେ ମଧୁରତମ ଛବି ! ପରେ ରୁକ୍ମିଣୀଙ୍କ ବିବାହୋତ୍ସବର ଆୟୋଜନ, ପ୍ରସ୍ତାବିତ ବିବାହ ଦିନ କୁଣ୍ଡିନପୁରରେ ସଦଳବଳ ଶିଶୁପାଳଙ୍କ ପ୍ରବେଶ, ରୁକ୍ମିଣୀଙ୍କ ବ୍ୟାକୁଳତା ଓ ଜଣେ ବ୍ରାହ୍ମଣ ହାତରେ ଶ୍ରୀକୃଷ୍ଣଙ୍କ ନିକଟକୁ ତାଙ୍କର ପତ୍ର-ପ୍ରେରଣ, ଶ୍ରୀକୃଷ୍ଣଙ୍କଦ୍ୱାରା ରୁକ୍ମିଣୀଙ୍କର ଲାଞ୍ଛନା, ରୁକ୍ମିଣୀଙ୍କ ସଙ୍ଗେ ଯଦୁପତିଙ୍କର ବିବାହ ଇତ୍ୟାଦି ବିଷୟ ଶୁଣାଇ ‘ଭୀମସ୍ୟାପି ରଣେଭଙ୍ଗୋ’ ଶ୍ଳୋକରେ ଭୀମଲାଲ ପୁରାଣ-ପାଠ ଶେଷ କଲେ । କମଳକୁମାରୀ ତାଙ୍କ ସଙ୍ଗିନୀମାନଙ୍କ ମଧ୍ୟରେ ପ୍ରସାଦ ପୁଷ୍ପ ଚନ୍ଦନାଦି ବିତରଣ କରିବା ପରେ, ପଣ୍ଡିତେ ନିଜେ ଉଦରକୁ ଦେବାର୍ପିତ ମିଷ୍ଟାନ୍ନର ଅଧିକାଂଶ ଅର୍ପିତ କରି, ସ୍ୱର୍ଣ୍ଣମୁଦ୍ରା, ପଟ୍ଟବସ୍ତ୍ର, ନାଁ ଖାଦ୍ୟଦ୍ରବ୍ୟ ଇତ୍ୟାଦି ଉପହାର ପାଇ ହୁଷ୍ଟ ଚିତ୍ତରେ ଘରକୁ ଫେରିଲେ । ଯୁବତୀଦଳ ନିଜ ନିଜ ସାନ୍ଧ୍ୟ-କାର୍ଯ୍ୟରେ ସେଠାରୁ ଚାଲିଗଲେ ।

 

ପୁରାଣ ବର୍ଣ୍ଣିତ ରୁକ୍ମିଣୀ-ବିବାହ ପ୍ରସଙ୍ଗ ଶୁଣିବା ମୁହୂର୍ତ୍ତରୁ କମଳକୁମାରୀଙ୍କ ମନରେ ବିବିଧ ଭାବନାର ଉଦୟ ହେଲା । ଶ୍ରୀକୃଷ୍ଣଙ୍କ ନିକଟକୁ ରୁକ୍ମିଣୀଙ୍କ ଲିଖିତ ପତ୍ରଟିର କେତେକାଂଶ ସେ ବାରମ୍ବାର ମନେ ମନେ ଗାଇବାକୁ ଲାଗିଲେ । ରାତ୍ରି ପ୍ରାୟ ଦଶଟାବେଳେ ରାଜଭବନର ସକଳେ ଆହାରାଦି କରି ନିଜ ଶୟନ-ମନ୍ଦିରକୁ ଗଲେ । ସମସ୍ତେ ନିଦ୍ରାରେ ନିଗଡ଼ ବନ୍ଧନରେ ଆବଦ୍ଧ; ଚିନ୍ତିତା କମଳକୁମାରୀ କିନ୍ତୁ ବିନିଦ୍ର ରାତ୍ରି କଟାଇଲେ ।

 

ଅତି ପ୍ରତ୍ୟୁଷ । ଅରୁଣାଲୋକ ପୃଥିବୀ ସ୍ପର୍ଶ କରିବାକୁ ଅନେକ ସମୟ ବାକି ଅଛି । ସୂର୍ଯ୍ୟଦେବଙ୍କ ଆଗମନ-ଭୟରେ ଚନ୍ଦ୍ର ଓ ଅସ୍ତାବିଶିଷ୍ଟ ତାରାପୁଞ୍ଜ ନିଷ୍ପ୍ରଭ ଦେଖା ଯାଉଛନ୍ତି । କୁକ୍‍କୁଟ ଦୁଇ ତିନି ଥର ମାତ୍ର ଅରୁଣ ପ୍ରବେଶରେ ପ୍ରଚାର କରି ସାରିଲାଣି । କାକର ନିଦ୍ରା ଆହୁରି ଭାଙ୍ଗି ନାହିଁ । ଏପରି ପ୍ରବେଶ କରି ପଦ୍ମାଙ୍କୁ ଉଠାଇଲେ । ପଦ୍ମା ଚକ୍ଷୁ ମନ୍ଥି ମନ୍ଥି ଉଠି ଆଶ୍ଚର୍ଯ୍ୟ ଭାବରେ ପଚାରିଲେ,–‘’ଏ କଣ କମଳ, ବଡ଼ ପାହାନ୍ତିଆରେ ଆଜି ।’’

 

କମଳ।–କେତେବେଳ ହେଲାଣି ଦେଖୁଛୁ ତ, ପଦ୍ମା ?

 

ପଦ୍ମା–ବେଳ ବାହାରିଲାଣି ! ମଲା–ଆହୁରି ଅନ୍ଧକାର ଥିବା ପରି ଦେଖାଯାଉଛି ।

 

କମଳ।–କେହି ଉଠି ନ ଥିବାର ଦେଖି, ଆସିଛି କେତେକ ଗୁପ୍ତ କଥା କହିବାକୁ ।

 

ପଦ୍ମା–ଭଲ ହେଲା । କହ ତେବେ କି କଥା ।

 

କମଳ।–ରୁକ୍ମିଣୀ-ବିବାହ ଚରିତ ଆଜି ଭଲ କରି ଶୁଣିଲୁ ତ ?

 

ପଦ୍ମା–ହଁ, ଶୁଣିଲି–ଏବେ କାହିଁକି ସେ ପ୍ରସଙ୍ଗ ?

 

କମଳ।–ଆଉ କିଛି ନୁହେଁ, ପଦ୍ମା । କେତେ ଆପଦରେ ପଡ଼ିଲେ ସୁଦ୍ଧା, ରୁକ୍ମିଣୀ କୁମାରୀ ହୋଇ ପର ପୁରୁଷ ଠାକୁ ପତ୍ର ପଠାଇବା ସୁନ୍ଦର ହେଲା କି ?

 

ପଦ୍ମା–ବାୟାଣୀ ଲୋ ବାୟାଣୀ ! ଏ କଥା କହିବାକୁ ଆସିଛୁ ? ଭଲ ହୋଇଛି !

 

କମଳ–ବିରକ୍ତ ହେଉଛୁ କାହିଁକି, ଭଉଣୀ ? ଭାବିବା କଥା କହୁଛି ଶୁଣ ।

 

ପଦ୍ମା–ଶ୍ରୀକୃଷ୍ଣଙ୍କଠାକୁ ରୁକ୍ମିଣୀ ଚିଠି ଲେଖିଲେ, ଏଥିରେ ବା ଦୋଷ କଣ ?

 

କମଳ–ନା, ନା, ତାହା ନୁହେ । ସେ ତ କୁମାରୀ ଟିକିଏ ହେଲେ ଲଜ୍ଜା ଭୟ ନ ପାଇ ସମସ୍ତଙ୍କ ଜଣା ଶୁଣାରେ ଶ୍ରୀକୃଷ୍ଣଙ୍କୁ ବିବାହ କରିବା ପାଇଁ ସ୍ପଷ୍ଟ କରି ପତ୍ର ଦେବାଟା–

 

ପଦ୍ମା–ହଁ, କୁମାରୀ–ହେଲା କଣ ? ଉଲ୍ଲି ! ସେ ଯେତେବେଳେ କୃଷ୍ଣଙ୍କୁ ହୃଦୟରେ ସ୍ଥାନ ଦେଇଥିଲି, କୃଷ୍ଣ ତାଙ୍କର ପତି ପରପୁରୁଷ କିପରି ? ଏହା ତ କିଛି ନୂଆ କଥା ନୁହେଁ । ଏକା ରୁକ୍ମିଣୀ କାହିଁକି, ପୂର୍ବ ଯୁଗରେ ଅନେକ ରାଜକନ୍ୟା ପତ୍ରରେ ପତି-ବରଣ କରୁଥିଲେ, ପୁରାଣରେ ଅଛି । ଦୋଷ କଣ ?

 

ରାଜପୁତ୍ରୀ କିଛି ନ କହି, କ୍ଷଣକାଳ ମୁଣ୍ଡ ତଳକୁ ପୋତି ରଖି କଣ ଗୁଡ଼ାଏ ଚିନ୍ତା କରିବାକୁ ଲାଗିଲେ । ପଦ୍ମା ମୁରୁକି ହସାଟିଏ ମାରି ତାଙ୍କ ମନର କଥା ଜାଣିବା ଉଦ୍ଦେଶ୍ୟରେ ପଚାରିଲେ,–‘’କଣ ଭାବୁଛୁ ମୋତେ କହିବୁ ନାହିଁ, କମଳ ? ‘‘

 

କମଳ–ମୋ’ରି ହାତରେ ? କହ ତେବେ, କଣ କରିବାକୁ ହେବ ।

 

କମଳ–ବହୁ କଷ୍ଟ ସହି ମୋର ତୁ ଅନେକ କାମ କରିଛୁ ପଦ୍ମା । ଏବେ କିନ୍ତୁ ଯେଉଁ କଥା କହିବାକୁ ବାହାରିଛି, ତାହା ସେ ସମସ୍ତ ଅପେକ୍ଷା ଗୁରୁତର । ତାହା କରିବାକୁ କୁଣ୍ଠିତ ହେବୁ ନାହିଁ–ମୋର ଦୃଢ଼ ବିଶ୍ୱାସ ।

 

ପଦ୍ମା–ଏହା ତ ନୂଆ ନୁହେ, ଜାଣିଛୁ କମଳ ! କଷ୍ଟ ହେଲେହେଁ, ତୋ କାମ ନିଶ୍ଚୟ କରିବି । କହ, କଣ ସେ ବିଷୟ ।

 

କମଳ–ଆଉ କିଛି ନୁହେଁ, ପଦ୍ମା । ପତ୍ର ଖଣ୍ଡିଏ ଦେବୀ–ତାଙ୍କ ହାତରେ ନେଇ ଦେବୁ ।

 

ପଦ୍ମା–କା’ ହାତରେ ?

 

କମଳ–ଯେଉଁ ରାଜାଙ୍କ ସମ୍ବନ୍ଧରେ ଆମେ ପ୍ରାୟ ପ୍ରତିଦିନ କଥାବାର୍ତ୍ତା କରୁଁ ।

 

ପଦ୍ମା–କିଛି ମୁଁ ବୁଝିପାରୁ ନାହିଁ । ଖୋଲି କହୁନା କାହିଁକି ମ ?

 

କମଳ–ଯାହାଙ୍କର ନାମ ଧରି ସବୁବେଳେ ତୁ ପରିହାସ କରୁଛୁ–ବୁଝିଲୁ ?

 

ପଦ୍ମା–ତାଙ୍କର ନାମ ?

 

କମଳ–ମନେ ନାହିଁ । ସେ କିନ୍ତୁ ଉଦୟପୁରର ରାଜା ।

 

ପଦ୍ମା–ଓ–ହୋ ! ରାଜସିଂହ ? ନା’ ଧରିବାକୁ ଲାଜ ଯେ । ଆଜିଠୁଁ ଏତେ ଲାଜ କାହିଁକି, କମଳ ? ରୁକ୍ମିଣୀ-ବିବାହରେ ପୁରୋହିତ ହୋଇ ମୋତେ ଦ୍ୱାରିକା ଯିବାକୁ ହେବ, ଦେଖୁଛି ।

 

କମଳକୁମାରୀଙ୍କ ମୁଖରେ ଲଜ୍ଜା, ଆନନ୍ଦ ଓ ସୌନ୍ଦର୍ଯ୍ୟର ଏକ ତରଙ୍ଗ ଉନ୍ମେଷିତ ହୋଇଗଲା । ସେ ମୁଖ ନତ କରି କପଟ-କ୍ରୋଧରେ କହିଲେ,–‘ଏ ଥଟ୍ଟା ସବୁ ରଖ୍‍ । ମୋ କାର୍ଯ୍ୟ କରିବାର ଇଚ୍ଛା ନଥିଲେ, ଦୂର ହୁଅ ଏଠାରୁ ।’’

 

ପଦ୍ମା–ଅବଶ୍ୟ ଦୂର ହେବାର କଥା ! ରାଜସିଂହ ତୋ ପାଖକୁ ଆସିଲେ, ମୁଁ ଦୂର ନ ହେବି ବା କିପରି ?

 

କମଳ–ଫେରେ ପରିହାସ ! ମୋ କଥାର ଜବାବ ଦେବୁ କି ନାହିଁ କହିବୁଟି ।

 

ପଦ୍ମା–ମଲି, କୌତୁକ କଥାରେ ରାଗ ? ଯାହା କହିବୁ, କରିବି । କହ ।

 

କମଳ–କଥାଟା ଆଉ ଲୁଚାଉ ନାହିଁ । ଯୋଧପୁର–ବନରେ ଦେଖିବା ଦିନୁ ତାହାଙ୍କୁ ମୋ ନିଜର କରି ନେଇଛି–

 

ହଠାତ୍‍ ତାଙ୍କ କଥାସ୍ରୋତର ଗତି ରୋଧ କରି ଦେଇ ପଦ୍ମା କହିଲେ,–‘ରାଜସିଂହ ତ ଯୁବା ନୁହନ୍ତି–ତୋ ହୃଦୟରୁ ସ୍ଥାନ ପାଇଲେ କେମିତି ?’

 

କମଳକୁମାରୀ ତାଙ୍କ ରକ୍ତାଧରରେ ଈଷତ୍‍ ହାସ୍ୟାଲୋକ ଖେଳାଇ ଦେଲେ । କହିଲେ,–‘’ପଦ୍ମା କାହାର ବାହୁରେ ବଳ ଅଛି, ରାଜପୁତ୍‍କନ୍ୟା ନିକଟରେ ସେ ଯୁବା । ଆଉ,

 

ଗୌରୀ ସମ୍‍ଝେ ଭସମ୍‍ଭାର, ପିୟାରୀ ସମ୍‍ଝେ କାଲା ।

 

ଶଚୀ ସମ୍‍ଝେ ସହସ୍ରଲୋଚନ, ବୀର ସମ୍‍ଝେ ବୀରଵାଲା ।

 

ଗଙ୍ଗା ଗର୍ଜ୍ଜନ ଶମ୍ଭୁ ଜଟପର, ଧରଣୀ ବୈଠତ ବାସୁକୀ-ଫଣମେ ।

 

ପବନ ହୋୟତ ଆଗୁନ ସଖା, ବୀର ଭଜତ ଯୁବତୀ ମନମେ ।

 

ଏଜ ଜାଣି ପାରିଲେ, ଏଠାକୁ ଆସି ଆମମାନଙ୍କୁ ସେ ଶତ୍ରୁ ହାତରୁ ଉଦ୍ଧାର କରିବେ । କଣ କହୁଛୁ ?’

 

ପଦ୍ମା କଥା ହେଉଛି–ପର ପାଇଁ କେହି ସହଜରେ ସର୍ବସ୍ୱ ପଣ କରେ ନାହିଁ । ତୋ ପାଇଁ ରାଜସିଂହ ବାଦ୍‍ଶାହା ସଙ୍ଗେ ବିବାଦ କରିବେ କାହିଁକି ?

 

କମଳ–ସେ ତ ସଂଗ୍ରାମ-ପ୍ରତାପ ବଂଶର ତିଳକ, ଅଗତିର ଗତି, ଅନାଥର ରକ୍ଷକ । ଶରଣ ପଶିଲେ ରକ୍ଷା କରିବେ ନାହିଁ ?

 

ପଦ୍ମା କିଛିକ୍ଷଣ ଭାବିବା ପରେ, କମଳକୁମାରୀଙ୍କ ଉପରେ ସ୍ଥିର ଦୃଷ୍ଟି ପକାଇ ମନ୍ଦହାସ୍ୟୋଜ୍ଜ୍ୱଳ ମୁଖରେ କହିଲେ,–‘’କିଛି ଚିନ୍ତା ନାହିଁ, କମଳ ! ଉଦୟପୁର-ଯଦୁପତି ଆସି ରୂପନଗର-ରୁକ୍ମିଣୀଙ୍କୁ ନିଶ୍ଚୟ ବିପଦରୁ ରକ୍ଷା କରିବେ । ପତ୍ର ଲେଖ । ଯେପରି ହେଉ ରାଣା ପତ୍ର ପାଇବାର ଯୋଗାଡ଼ କରିବି ।’ କମଳ ପ୍ରସନ୍ନ । କହିଲେ,–‘ଚାରିଆଡ଼େ ଶତ୍ରୁ–ପତ୍ରଟି ସେମାନଙ୍କ ହାତରେ ଯେପରି ନ ପଡ଼େ ।’

 

ପଦ୍ମା–ଏଥିରୁ ତୁ ପାଇବୁ କଣ ? ଚିଠି ଲେଖ–ପରେ ଯାହା କରିବାର କରିବି ।

 

ଦୁହେଁ ଏପରି ଆଳାପ କରିବାବେଳେ, କୁନ୍ଦା ସେମାନଙ୍କ ନିକଟରେ ହଠାତ୍‍ ଉପସ୍ଥିତ ହେଲା । କୁନ୍ଦା କମଳକୁମାରୀଙ୍କ ସଖୀ–ଆଗେ କହିଯାଇଛି । ସେ ବଡ଼ ‘ଫଟାତୁଣ୍ଡୀ’–ତା’ ପେଟରେ ଗୁପ୍ତ କଥା କିଛି ରହେ ନାହିଁ । ସେ କୌଣସି ବିଷୟ ଶୁଣିବା ମାତ୍ରେ ଅନ୍ୟ କାହାରି କାନରେ ତାହା ଫୁଙ୍କି ନ ଦେଲେ ତାହାର ଖାଇବା ଜିନିଷ ସହଜରେ ହଜମ ହୁଏ ନାହିଁ ! ଏତେ କଥାରେ କଣ ଅଛି–ତାହାକୁ ନାରଦଙ୍କ ଭଉଣୀ କହିଲେ ଚଳେ । ଏଣୁ କମଳକୁମାରୀ ଓ ପଦ୍ମା ତାହାକୁ କୌଣସି ଗୁପ୍ତ କଥା କେବେ କହୁ ନଥିଲେ । ସେ ନିକଟରେ ପହଞ୍ଚିବା କ୍ଷଣି ସେମାନେ କଥାବାର୍ତ୍ତା ବନ୍ଦକରି ଦେଲେ । କୁନ୍ଦା ସହୁଛି କେତେକ–ମୁହଁ ଟିକିଏ ମୋଡ଼ିଦେଇ ଭ୍ରୂଲତା ଡିଆଇଁଦେଇ ବାଙ୍କ ଚାହାଁଣୀରେ କହିଲା,–‘ମଲ, କଅଁଳ କାକୁଡ଼ି ବହଳ ଚୋପା କାଟିଦେଲି ପରିବାକୁ, ଅଳ୍ପ ଦିନକୁ ବହୁତ କଥା ଝୁରି ଝୁରି ମରିବାକୁ । କି ଗୁ–ପ–ତ ଲୋ ।’ ଏହା କହି ସେ ଅଭିମାନରେ ସେଠାରୁ ଚାଲିଗଲା । କମଳକୁମାରୀ ଓ ପଦ୍ମା ଆଉ କେତେକ ସମୟ କଥାବାର୍ତ୍ତା କରି ଯେ ଯାହାର କାର୍ଯ୍ୟରେ ଗଲେ ।

 

ସନ୍ଧ୍ୟା ସମୟରେ କମଳକୁମାରୀ ରାଜସିଂହଙ୍କ ନିକଟକୁ ପତ୍ର ଲେଖିବାର ଆରମ୍ଭ କଲେ । ଦୁଇ ତିନି ଧାଡ଼ି ଲେଖିବା ପରେ ଭାବିଲେ–’ଅବଳା ମୁଁ, ପର ସ୍ତ୍ରୀ–ରାଣାଙ୍କ ନିକଟରେ ଅପରିଚିତା; ପରପୁରୁଷକୁ ପତ୍ର ଦେବି କିପରି । ଛି ! ପତ୍ରଟି ଚିରି ଫୋପାଡ଼ି ଦେଲେ । ପୁଣି ଚିନ୍ତା କଲେ,–‘କିନ୍ତୁ ରାଜସିଂହଙ୍କ ନିକଟରେ ଯେଉଁ ପ୍ରାର୍ଥନା କରିବାକୁ ଯାଉଛି, ସେଥିରେ ତ ଲଜ୍ଜା ବା ଅପମାନରେ ସ୍ଥାନ ନାହିଁ । ରାଣା ଭିନ୍ନ ଜଗତରେ ଏପରି ବୀର କିଏ ଅଛି ଯେ, ମୋତେ ଉଦ୍ଧାର କରି ଔରଂଜୀବ୍‍ ସଙ୍ଗେ ଶତ୍ରୁତା କରିବ ? ରାଜପୁତ୍‍ନାର କୁଳାଙ୍ଗାର ସମସ୍ତେ ତ ମୋଗଲର ଦାସାନୁଦାସ ! ଅନ୍ୟ ଉପାୟ ଅହିଁ–ନିଶ୍ଚୟ ଲେଖିବି ।’ ପତ୍ର ଲେଖିଲେ,–

 

ପୂଜ୍ୟପାଦ ରାଣା !

 

ଏ ସାମାନ୍ୟ ହୀନମତି ଅବଳା ଆପଣଙ୍କ ନିକଟରେ ଅପରିଚିତା ହେଲେହେଁ, ଭୟଙ୍କର ବିପଦରେ ପଡ଼ି ଏହି ପତ୍ର ଲେଖିବାକୁ ସାହସୀ ହୋଇଅଛି–କ୍ଷମା କରିବେ । ଅନୁଗ୍ରହ କରି ମୋ ଦୁର୍ଦ୍ଦଶାର କଥା ଶୁଣନ୍ତୁ ।

 

କି ଦୁର୍ଭାଗ୍ୟରୁ କେଜାଣି, ନର-ରାକ୍ଷସ ଔରଂଜୀବ୍‍ ମୋତେ ବିବାହ କରିବାକୁ ମନ ବଳାଇ, ମୋ ପିତାଙ୍କ ନିକଟକୁ ପତ୍ର ଦେଇଛି ଯେ, ମୋତେ ଚଞ୍ଚଳ ଦିଲ୍ଲୀ ପଠାଇବାକୁ ହେବ, ନଚେତ୍‍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ହେବ । ବଳାତ୍କାରପୂର୍ବକ ମୋତେ ଏଠାରୁ ନେବା ପାଇଁ ସମ୍ରାଟ ଯେଉଁ ସୈନ୍ୟ ପଠାଇଛି, ଆଜକୁ ପ୍ରାୟ ତିନିମାସ ହେଲା ରୂପନଗର ଘେରି ରହିଛନ୍ତି । ଏଥିରୁ ଆପଣ ସ୍ପଷ୍ଟ ବୁଝି ପାରିବେ, ରାଜପୁତ୍‍-କୁଳ ଚୂଡ଼ାମଣି ! ଆମେମାନେ କିପରି ବିପନ୍ନ । ବର୍ତ୍ତମାନ ପିତା ବୁଦ୍ଧି ଶୂନ୍ୟ, ଉପାୟହୀନ, ନିଃସହାୟ ଓ ନିରାଶ୍ରୟ–ତାଙ୍କର ଏପରି କିଛି ସୈନ୍ୟବଳନାହିଁ ଯେ ମୋଗଲ- ସେନାକୁ ହଟାଇ ଏପରି ମାନ ଧର୍ମ ରକ୍ଷା କରି ଅପରିବେ–ସାଧ୍ୟ ନାହିଁ ଯେ, ବାଦ୍‍ଶାହା ସଙ୍ଗେ ବିବାଦ କରିବେ ।

 

ରୂପନଗର ଖଣ୍ଡିଏ କ୍ଷୁଦ୍ର ରାଜ୍ୟ–ପିତା ମୋର ଜଣେ ଛୋଟ ରାଜା; ତଥାପି ପୂଣ୍ୟ-ପୁତ କ୍ଷତ୍ରିୟ କୂଳରେ, ବିକ୍ରମ-ଦୀପ୍ତ ରାଜପୁତ୍‍-ବଂଶରେ ତ ମୋର ଜନ୍ମ ! କିପରି ମୁଁ ଯବନ ବର୍ବରର ଚରଣ-ସେବିକା ହେବି ? ରାଜହଂସୀ କେବେ କଣ ବକସହଚରୀ ହୋଇପାରେ, ବୀରେନ୍ଦ୍ର ? ଏଣୁ ସ୍ଥିର କରିଛି, ଏହି ଅପବିତ୍ର ପୈଶାଚିକ ବିବାହ ଆଗରୁ ବିଷପାନରେ ଜୀବନ ଶେଷ କରିବି । ଏହି ଉପାୟରେ ହିଁ, ଦେଖୁଛି, କୁଳଧର୍ମ–କୁମାରୀ–ଧର୍ମ ରକ୍ଷା ହେବ । ମହାରାଜଧିରାଜ ! ରାଜପୁତ୍‍ ରାଜାମାନେ ସମସ୍ତେ ଯବନ-ସମ୍ରାଟର ଦାସ-ଜ୍ୟୋତିହୀନ, ଲଜ୍ଜାଶୂନ୍ୟ–ସମସ୍ତେ ଆଲମ୍‍ଗୀର ଭୟରେ ଥର ହର । ଏହି ଦୁର୍ଦ୍ଦିନରେ, ଏହି ସଙ୍କଟରେ, ଏ ବାଳିକାର ପ୍ରାଣ ରଖିବ–ଏପରି ଅଛି କିଏ ରାଜପୁତ୍‍ନାରେ ? ଅଛନ୍ତି କିନ୍ତୁ ଜଣେ ମାତ୍ର ସ୍ୱାଧୀନ ରାଜା, ଉଦାର ହିନ୍ଦୁ–ବୀରତ୍ୱର ଦ୍ୱାଦଶରବି, ନରଶ୍ରେଷ୍ଠ ରାଜ-ପୁଙ୍ଗବ ଉଦୟପୁର-ନାଥ । କେବଳ ଉଦୟପୁର-ରାଣାହିଁ ସମଗ୍ର ରାଜସ୍ଥାନର ସମୁଜ୍ଜ୍ଵଳ ପ୍ରଦୀପ–ସମଗ୍ର ରାଜପୁତ୍‍ ଜାତିର ଗୌରବ-ସ୍ତମ୍ଭ, କୀର୍ତ୍ତି-ଶିଖର । ଏକା ସେ ଭାରତ–ସମ୍ରାଟର ସମକକ୍ଷ–ଯୋଗ୍ୟ ପ୍ରତିଦ୍ୱନ୍ଦୀ । ଏଣୁ ଆପଣଙ୍କର ଶରଣ ନେବାକୁ ସାହସ କରୁଛି । ରକ୍ଷା କରିବେ ତ ରାଣା ଏ ଅଭାଗିନୀକୁ ? ଉଦ୍ଧାର କରିବେ ସତେ ଅଗତିର ଗତି ଯାଦବ-ପତି ନିରୁପୟା ରୁକ୍ମିଣୀକୁ !

 

ଆପଣ ଭାବି ପାରନ୍ତି,–‘ନଗଣ୍ୟ ମୁଖରା ଜଣେ ରାଜକନ୍ୟା ପାଇଁ ଏତେ ଶ୍ରମ ସ୍ୱୀକାର କରିବି ଅକହିଁକି ? ସମ୍ରାଟ ସଙ୍ଗେ ଲଢାଇ କରିବି କାହିଁକି ?’ ପଚାରେ କିନ୍ତୁ, ବୀରାବତାର ! ସର୍ବସ୍ୱ ପଣ କରି ଶରଣାର୍ଥୀ ରାଜପୁତ୍‍କନ୍ୟା, ହିନ୍ଦୁ-ଅବଳାକୁ ଆଶ୍ରୟ ଦେବା କଣ କ୍ଷତ୍ରିୟର ଧର୍ମ ନୁହେ ? ହିନ୍ଦୁ-ରାଜାର କର୍ତ୍ତବ୍ୟ ନୁହେ ? ପ୍ରତାପ-ସଂଗ୍ରାମ-ବଂଶଧରଙ୍କର କାର୍ଯ୍ୟ ନୁହେ ? ସବୁ ଜଣାଇଲି, ସବୁ ଶୁଣାଇଲି, ଏଥର ଆପଣଙ୍କର ଯେ ଅଭିରୁଚି ! ମୋର କିନ୍ତୁ ଦୃଢ଼ ବିଶ୍ୱାସ–ଆପଣ ଆଶ୍ରୟ ପ୍ରାର୍ଥୀ, ଭିକ୍ଷାର୍ଥୀକୁ ହତାଶ କରି ଇତିହାସ-ବକ୍ଷରେ ରାଜସ୍ଥାନର କଳଙ୍କ-ଚିତ୍ର ଅଙ୍କିତ କରିବେ ନାହିଁ-। ଏ ଗୁହାରି ଶୁଣିବା ମାତ୍ରେ ଆପଣ ଚଞ୍ଚଳ ଏଠାକୁ ସୈନ୍ୟ ଧରି ନ ଆସିଲେ, ଏହି ପୃଥିବୀରେ କମଳକୁମାରୀର ଆଉ ସ୍ଥାନ ନାହିଁ । ମୋର ଏ ଧୃଷ୍ଟତା ମାର୍ଜ୍ଜନା କରିବା ନିମନ୍ତେ ପୁଣି ପ୍ରାର୍ଥନା କରି ରହୁଛି ଆଜି ଏତିକିରେ ।

 

ଅଭୟ-ପ୍ରାର୍ଥୀନୀ

କମଳକୁମାରୀ

 

ଲେଖା ସାରି ସେ ପତ୍ରଟି ପଦ୍ମା ହାତରେ ନେଇ ଦେଲେ । ପଦ୍ମା ତାହା ପାଠ କରି ଥରେ କାନ୍ଦି ପକାଇଲେ, ଶେଷରେ ବାରିଦ ମୁକ୍ତି ଶଶାଙ୍କ-ମଣ୍ଡଳ ତୁଲ୍ୟ ଶୁଭ୍ର ହାସ୍ୟଚ୍ଛଟା ବ୍ୟକ୍ତି କଲେ ।

 

ଆଗେ କୁହାଯାଇଛି–କମଳକୁମାରୀ ଓ ପଦ୍ମା ଏକତ୍ର ବସି କଥାବାର୍ତ୍ତା କରୁଥିବା ସମୟରେ କୁନ୍ଦା ସେମାନଙ୍କ ନିକଟକୁ ଯିବାରୁ ସେମାନେ ତାହା ଆଗରେ କୌଣସି ରହସ୍ୟ ଫିଟାଇଲେ ନାହିଁ, ଏଣୁ ସେ ମନେ ମନେ ରାଗିଯାଇ ଗୁମାନ ଦେଖାଇ ସେଠାରୁ ଚାଲିଗଲା । ପରେ ସେ ପ୍ରସାଦ ଆରୋହଣ କରି ସେହି ମଣ୍ଡପରେ ବସି ମୋଗଲ ସେନା ଆଡ଼େ ଅନାଇ ରହିଛି, ଏହି ସମୟରେ ପୂର୍ବୋକ୍ତ କପୋତଟି ପୁଣି ଖଣ୍ଡିଏ ପତ୍ରଧରି ଆସି ତାହା ପାଖରେ ବସିଲା । ଶିକ୍ଷିତ କପୋତ ପତ୍ର-ପ୍ରେରକର ନିର୍ଦ୍ଦିଷ୍ଟ କାର୍ଯ୍ୟରେ ନିର୍ଦ୍ଦିଷ୍ଟ ସ୍ଥଳକୁ ଉଡ଼ିଯାଇ ଫେରିବାର କେବଳ ଜାଣେ–ଲୋକ ଚିହ୍ନିବା ବା କିପରି ? କୁନ୍ଦା ପକ୍ଷିଟିକୁ ଧରି ତାହା ଗଳାରୁ ପତ୍ରଟି ବାହାର କରି ପାଠ କଲା । କିଛି ସମୟ ଗୁଡ଼ାଏ ଭାବି ସେହି ପତ୍ରର ଅନ୍ୟ ପାର୍ଶ୍ୱରେ କେତେକ ବିଷୟ ଲେଖିବାପରେ ପୁନର୍ବାର ତାହା ପାରାର ବେକରେ ଲମ୍ବାଇଦେଲା । ପକ୍ଷି ପତ୍ରଧରି ସେହିକ୍ଷଣି ସେଠାରୁ ଉଡ଼ିଗଲା-। ପତ୍ରର ଉତ୍ତରରେ କୁନ୍ଦା କଣ ଲେଖିଲା, ତାହା କହିବା ଅନାବଶ୍ୟକ କିନ୍ତୁ ଏତିକି ବୋଲାଯାଇ ପରେ ଯେ, ଯେଉଁ ଜବାବ ଦେବାଦ୍ୱାରା ପଦ୍ମାଙ୍କର ପରାଭବ ହୋଇପାରେ ସେହି ମର୍ମରେ କେତେକ କଥା ଲେଖି ପଠାଇଲା ।

 

ସେ ତଳକୁ ଓହ୍ଲାଇ କମଳକୁମାରୀ ଓ ପଦ୍ମାଙ୍କ ନିକଟକୁ ଆଉ ଥରେ ଯାଇ ମୃଦୁହାସ ସହିତ ମସ୍ତକ କିଞ୍ଚିତ୍‍ ସଞ୍ଚାଳିତ କରି ପରିହାସ-କମ୍ପିତ କଣ୍ଠରେ କହିଲା,–‘ଜାଣିଲି, ଜାଣିଲି ମା, ତୁମର କଥା ।’ ପଦ୍ମା ଅଳ୍ପ ହସିଦେଇ କହିଲା,–‘ଏ ଗୁମାନ, ମୁଣ୍ଡହଲା କାହିଁକି, କୁନ୍ଦା ? ତୁ ବଡ଼ ସରଳ–ଗୁପ୍ତ କଥା କହିଲେ ତୋ ପେଟରେ କିଛି ରହେ ନାହିଁ ବୋଲି ସିନା ତୋତେ କିଛି କହୁନାହୁଁ-। ନୋହିଲେ, ତୁ କଣ ଆମର ଶତ୍ରୁ ? ମୋ ରାଣ, ସେପରି କେବେ ଭାବ ନା । ଆ, ପାଖରେ ବସ୍‍–ଆମେ ତିନିହେଁ ଯୋ’ ସାଙ୍ଗକୁ ସେ ସାଙ୍ଗ ।’

 

କୁନ୍ଦାର ଗୁମାନ-ଭାର ଶିଥିଳ ହୋଇ ପଡ଼ିଲା । କେତେକ ସମୟ ତିନିଜଣ ଏଣୁତେଣୁ ନାନା ଗପସପ କରି ନିଜ ନିଜ କାମରେ ଯାଇ ଲାଗିଲେ ।

 

ଦେଖୁଁ ଦେଖୁଁ ରାତ୍ରିର ପ୍ରବେଶ ! ସକଳେ ଭୋଜନାଦି କରି ନିଦ୍ରା ଗଲେ । ସମସ୍ତେ ଶୋଇଲେ, ଦୁଇଜଣଙ୍କର କିନ୍ତୁ ନିଦ୍ରା ହେଲା ନାହିଁ–ସେମାନେ ପଦ୍ମା ଓ କୁନ୍ଦା । ସେଦିନ ଶୁକ୍ରବାର–ରାଜପ୍ରସାଦକୁ ଶିବସିଂହ ଆସିବା ଦିନ । ଏଣୁ ପଦ୍ମା ଉଦ୍‍ବିଗ୍ନ ହୋଇ ତାଙ୍କ ଆସିବା ବାଟକୁ ଚାହିଁ ରହିଲେ–ତାଙ୍କର ଚକ୍ଷୁ ସ୍ଥିର, ହୃଦୟ ଅସ୍ଥିର । ଦିନବେଳେ ତ କୁନ୍ଦା ପତ୍ର ପଢ଼ି ସବୁ ବୁଝିଛି, ଉତ୍ତର ଦେଇଛି । ରାତ୍ରିରେ କଣ ଘଟିବ, ପଦ୍ମା କିପରି ଅପମାନିତ ହେବେ, କି କୌତୁକ ହେବ ତାହା ଦେଖିବା ନିମନ୍ତେ ସେ ନିତାନ୍ତ ଉତ୍ସୁକ, ବ୍ୟଗ୍ର । ଏହି ଅବସ୍ଥାରେ ନିଦ୍ରାଦେବୀ ତାହାକୁ ସ୍ପର୍ଶ କରିବେ ବା କିପରି ! ସେ ଚେଇଁ ଶୋଇଲା ।

 

ଅର୍ଦ୍ଧରାତ୍ରି ସମୟରେ ଉତ୍କଣ୍ଠିତା ପଦ୍ମା ଶଯ୍ୟ।ରୁ ଉଠି ଅତି ଧୀର ପଦ ବିକ୍ଷେପରେ ପ୍ରାସାଦ ଉପରକୁ ଯାଇ ପ୍ରାଗୁକ୍ତ ସଙ୍କେତ-ସ୍ଥଳରେ ଠିଆ ହେଲେ । କୁନ୍ଦା ସ୍ଥିର ଭାବରେ ପଦ୍ମାଙ୍କ ପଛେ ପଛେ ଯାଇ, ତାଙ୍କ ଗତିବିଧି ଲକ୍ଷ୍ୟ କରିବା ଉଦ୍ଦେଶ୍ୟରେ, ତାଙ୍କ ଠାରୁ କିଛି ଦୂରରେ ଗୋଟିଏ ନିର୍ଜ୍ଜନ କକ୍ଷରେ ଲୁଚି ରହିଲା । ଦେଖୁ ଦେଖୁ ଶିବସିଂହ ଗତ ଥର ପରି ଦଉଡ଼ି ଧରି ପ୍ରାସାଦ ଚଢ଼ିଲେ, ଏବଂ ନିର୍ଦ୍ଦିଷ୍ଟ ନିଭୃତ କକ୍ଷରେ ପ୍ରବିଷ୍ଟ ହୋଇ ପଦ୍ମା ପ୍ରେମାଲିଙ୍ଗନ କଲେ । ପଚାରିଲେ,–‘ପଦ୍ମା, ପାରାକୁ ଆଜି ଫେରାଇଲା ନାହିଁ କାହିଁକି ? ‘

 

ପଦ୍ମା–ପାରା ? କାହିଁ ? ଆସି ନାହିଁ ତ ଆଜି !

 

ଶିବସିଂହ–କଣ ! ଆସି ନାହିଁ ? ପତ୍ର ଖଣ୍ଡିଏ ଦେଇ ପଠାଇ ଥିଲି–ଲେଖିଥିଲି, ଆଜି ମୁଁ ଆସି ପାରିବି ନାହିଁ, ଆସନ୍ତା ଶୁକ୍ରବାର ଆସିବି । କିନ୍ତୁ ଅନେକ ସମୟ ଯାଏଁ କପୋତ ଏଠାରୁ ଉତ୍ତର ନ ନେବାର ଦେଖି ବିପଦ ଆଶଙ୍କା କଲି । ପରେ, ଠିକ୍‍ ବିଷୟ ବୁଝିବା ପାଇଁ–ତୁମେ ପତ୍ର ପାଇଛ କି ନା ଜାଣିବା ନିମନ୍ତେ କାମ ଦାମ ସବୁ ଛାଡ଼ି ଧାଇଁ ଆସିଛି ଏବେ ।

 

ପଦ୍ମା–ଆହା ! ପାରାଟି କେଉଁ ଦୁଷ୍ଟ ହାତରେ ପଡ଼ିଥିବ ଯେ । ଦେଖୁଛି, ତାହା ସହିତ ସଂପର୍କ ଆମର ଛିନ୍ନ ଏବେ ।

 

ଶିବସିଂହ।। ପିଲାଦିନୁ ତାହାକୁ ଅତି ଆଦର, ସ୍ନେହରେ ବଢ଼ାଇ ଥିଲି । ସେ ଦେଖା ନ ଯିବାରୁ ପ୍ରାଣରେ ବଡ଼ ବେଦନା ଲାଗୁଛି, ପଦ୍ମା ।

 

ପଦ୍ମା–ହେଲା–ଏତେ ଚିନ୍ତା କାହିଁକି ! ତାହାକୁ ଖୋଜିବାର ଯୋଗାଡ଼ କରିବା । ଥାଉ ସେ କଥା । ଅନୁରୋଧ–ତୁମେ ମୋର ଗୋଟିଏ ଉପକାର କରିବ ?

 

ଶିବସିଂହ–କଣ ତାହା ! କହ, ନିଶ୍ଚୟ କରିବି ।

 

ପଦ୍ମା–ପତ୍ର ଖଣ୍ଡିଏ ଦେଇ ତୁମ ସାଙ୍ଗେ ଜଣେ ବ୍ରାହ୍ମଣଙ୍କୁ ପଠାଇବି । ଅତି ଯତ୍ନରେ ଗୁପ୍ତ ଭାବରେ ତାହାଙ୍କୁ ଉଦୟପୁର-ରାଣାଙ୍କ ନିକଟରେ ପହଞ୍ଚାଇଦେବ । ଏତିକି ମାତ୍ର ପ୍ରାର୍ଥନା ।

 

ଶିବସିଂହ–ହେଉ–ସେପରି କରିବି । ପତ୍ରର ବିଷୟ କଣ ଜାଣି ପାରିବି ତ ?

 

ପଦ୍ମା–କହିବା ଏବେ ଦରକାର ନାହିଁ । ପରେ ନିଜେ ସବୁ ବୁଝି ପାରିବ । କାଲି ରାତି ଅବଶ୍ୟ ଆସିବଟି !

 

ଦୁହିଁଙ୍କର କଥୋପକଥନ ଶୁଣି, ଆଉ ଅଧିକ ସେଠାରେ ଲୁଚି ରହିବ ଆପଜ୍ଜନକ ମନେ କରି, କୁନ୍ଦା ଅତି ମନ୍ଦ ଗତିରେ ପ୍ରାସାଦ ତଳକୁ ଖସି ନିଜ ଶୟନ-କକ୍ଷରେ ଯାଇ ନିଦ୍ରା କଲା । ଶିବସିଂହ ଓ ପଦ୍ମା ଗୋପନରେ କଥାବାର୍ତ୍ତା କରୁଥିବାବେଳେ, କେହି ଜଣେ ସେଠାରେ ଗମ୍ଭୀର କଣ୍ଠରେ ପ୍ରଶ୍ନ କଲେ, ‘କିଏ ଏଠାରେ ? ‘

 

ଉଭୟେ ଚମକିତ ! ପଦ୍ମା ଗୁରୁ ଉଦବେଗ ସହ ଚମକ-ଚଞ୍ଚଳ ସ୍ୱରରେ ରାଜକୁମାରଙ୍କୁ କହିଲେ,–‘ମହାରାଜ ଏଣେ ଆସୁଛନ୍ତି–ଶୀଘ୍ର ତୁମେ ଚାଲିଯାଅ । କାଲି କିନ୍ତୁ ଆସିବା ନିଶ୍ଚୟ ।’ ଶିବସିଂହ କ୍ଷଣେ ମାତ୍ର ବିଳମ୍ବ ନ କରି ଚପଳା ବେଗରେ ପ୍ରାସାଦ ତ୍ୟାଗ କଲେ । ବିକ୍ରମସିଂହ ସେହି କକ୍ଷରେ ପ୍ରବେଶ କରି ଜଳଦ-ସ୍ୱରରେ ପୁଣି ପଚାରିଲେ,–‘କିଏ ଏଠାରେ ?’ ଭୀତା ପଦ୍ମା କକ୍ଷ-ଦେହରେ ପୃଷ୍ଠ ରକ୍ଷା କରି ପ୍ରସ୍ତର ତୁଲ୍ୟ ନିଶ୍ଚଳ ଭାବରେ ନିରୁଦ୍ଧ ନିଶ୍ୱାସରେ ଠିଆ ହୋଇ ରହିଲେ । ନିଜ ପ୍ରଶ୍ନର ଉତ୍ତର ପାଇବା ପୂର୍ବେ ପଦ୍ମାଙ୍କୁ ଚିହ୍ନିପାରି ରାଜା କହିଲେ,–‘ମା ପଦ୍ମା ! ଏତେ ରାତିରେ ଏଠାରେ ଏକାକୀ ଯେ ।’

 

‘ନିଦ ତ ଲାଗୁ ନାହିଁ । ବୁଲୁଛି ଏଣେ ତେଣେ ।’

 

‘ଠିକ କହିଛୁ । ହୃଦୟ ଯେତେବେଳେ ଅସ୍ଥିର, ନିଦ ଆସିବ କେଉଁଠୁ ?’

 

ଆଶ୍ଚର୍ଯ୍ୟ କଥା, ମାମୁ, ଆଜି ପର୍ଯ୍ୟନ୍ତ ରାଜସ୍ଥାନର କେହି ହେଲେ ସାହାଯ୍ୟ କରିବା ପାଇଁ ଆସି ନାହାଁନ୍ତି ! ରାଜସ୍ଥାନର ହୃଦୟ ନାହିଁ, ପ୍ରାଣ ନାହିଁ ।’

 

‘ଦୁଃଖର ବିଷୟ, ମା, ରାଜପୁତ୍‍ନାର ସେହି ସୁବର୍ଣ୍ଣ ଯୁଗ ଚାଲିଯାଇଛି । ସମସ୍ତେ ଏବେ ମୋଗଲର ଚାକର । ଯାହାହେଉ ପଦ୍ମା, ଅନ୍ୟ କାହାରି ସାହାଯ୍ୟ ଦରକାର ନାହିଁ । ମୁଁ ଏକ ଯୁଦ୍ଧ କରିବି–କୌଣସି ଭୟ ନାହିଁ ।’

 

ପଦ୍ମା ଆଶ୍ୱସ୍ତ ଯେ–ବିକ୍ରମସିଂହ ଶିବସିଂହଙ୍କୁ ଦେଖି ନାହାଁନ୍ତି, ରହସ୍ୟାଳାପ କିଛି ଶୁଣି ନାହାନ୍ତି । ପରେ ରାଜା କହିଲେ,–‘ମା ପଦ୍ମା ! ଢେର ରାତି ହୋଇଗଲାଣି, ତଳକୁ ଯାଇ ନିଦ୍ରା କର-। ଅଧିକ ଅନିଦ୍ରା ରହିଲେ ଦେହ ଅସୁସ୍ଥ ହେବ ।’ ପଦ୍ମା ସେହି ମୁହୂର୍ତ୍ତରେ ପ୍ରାସାଦରୁ ଓହ୍ଲାଇ ନିଦ୍ରାକୋଳରେ ଆଶ୍ରୟ ଲୋଡ଼ିଲେ ।

 

ବିକ୍ରମସିଂହ ରାଜ-ଭବନର ପ୍ରହରିମାନଙ୍କୁ ସତର୍କ ରହିବାକୁ ଆଦେଶ ଦେଲେ ! ପରେ ଦୁର୍ଗର ପ୍ରତ୍ୟେକ ଫାଟକ ନିକଟକୁ ଯାଇ ସେଠ ସୈନ୍ୟମାନଙ୍କୁ ଜାଗ୍ରତ ଓ ଉତ୍ସାହିତ କଲେ । ନଗର ଅବରୁଦ୍ଧ ହେବ ଦିନୁ ପ୍ରତିରାତ୍ରି ସେ ଏପରି କରିଥିଲେ–ଆଗେ କହିଛୁଁ । ରାଜପୁତ୍‍ ସିପାହିମାନେ ବିଶ୍ରାମ ଓ ନିଦ୍ରା ଏକାବେଳକେ ପାଶୋରି ପକାଇ ଦିନରାତି ରାଜପୁର ଓ ଦୁର୍ଗରକ୍ଷା କରୁଥିଲେ । ଦୁର୍ଗର ସକଳ ଦ୍ୱାର ସମସ୍ତଙ୍କ ପ୍ରତି ରୁଦ୍ଧ ! କିନ୍ତୁ ଉତ୍ତର ପ୍ରାଚୀରରେ ଠିକ ବହିର୍ଭାଗରେ ଗୋଟିଏ ମାତ୍ର ଗୁପ୍ତ ପଥ–ଯାହା ପଦ୍ମା ଓ ଶିବସିଂହ ଭିନ୍ନ ଅନ୍ୟର ସଂପୂର୍ଣ୍ଣ ଅଜ୍ଞାତ । ନଗର-ପରୀକ୍ଷା ପରେ ରାଜା ଅବଶିଷ୍ଟ ରାତ୍ରି ନିଦ୍ରାରେ କଟାଇଲେ ।

Image

 

ଅଷ୍ଟାଦଶ ପରିଚ୍ଛେଦ

(ଉଦୟପୁର ଯାତ୍ରା)

 

ଭୀମଲାଲ ପଣ୍ଡିତଙ୍କୁ ଉଦୟପୁର ପଠାଇବା ସ୍ଥିର କରି, ପଦ୍ମା ପରଦିନ ସନ୍ଧ୍ୟାରେ ପଣ୍ଡିତଙ୍କୁ ଅନ୍ତଃପୁରକୁ ଡକାଇଲେ । ଦୀର୍ଘବପୁ ପ୍ରଶସ୍ତଲଲାଟ ଭୀମଲାଲ ସେହିକ୍ଷଣି ଆସି ଉପସ୍ଥିତ-। ଦେଖିବା ମାତ୍ରେ ପଦ୍ମା ତାହାଙ୍କୁ ଆଭୂମି ପ୍ରଣତ ହୋଇ ଗୁପ୍ତଭାବରେ କହିଲେ,– ‘ଗୁରୁଦେବ-! ବିପଦରୁ ଉଦ୍ଧାର କରିବା ପାଇଁ ଆପଣଙ୍କୁ ଡକାଇଛି । ଏତେବେଳେ ଆପଣ ସହାୟ ନ ହେଲେ, ସବୁ ସରିବ । କଥାଟା ଏଇ; ପତ୍ର ଖଣ୍ଡିଏ ଦେବି, ଆଜି ରାତି ଶିବସିଂହଙ୍କ ସଙ୍ଗେ ଉଦୟପୁର ଯାଇ ରାଣା ରାଜସିଂହଙ୍କ ହାତରେ ତାହା ଦେବେ । ଦୁର୍ଗ ବାହାରେ–ବାଟଘାଟ, ସକଳ ସ୍ଥାନରେ ଶତ୍ରୁ-। ଏଣୁ ଖୁବ୍‍ ସାବଧାନ ହୋଇ ଯାତ୍ରା କରିବେ । ଅନୁରୋଧ ଏତିକି ମାତ୍ର । ସାହାଯ୍ୟ କରିବେ ତ-?’

 

‘ନିଶ୍ଚୟ । ଏଥିରେ ଆଉ ସନ୍ଦେହ କଣ ? ଯାତ୍ରା ବିଷୟରେ ଅଧିକ ବୁଝାଇବା ଦରକାର ନାହିଁ–ଭୀମ ସବୁ ଜାଣେ । କିନ୍ତୁ ଏକ କଥା ମା, ଶିବସିଂହ ଆସିଲେ କୁଆଡ଼ୁ ?

 

ପଦ୍ମା ସ୍ତବଧ ! କିଛିକ୍ଷଣ ପରେ ଚମକ-ସ୍ପନ୍ଦିତ ସ୍ୱରରେ କହିଲେ,–‘ପଣ୍ଡିତ୍‍ଜୀ ! ପ୍ରାର୍ଥନା କରେଁ, ଏହା କାହାରିକୁ କହିବେ ନାହିଁ–ଆଜି ରାତ୍ରି ପ୍ରାୟ ବାରଟାବେଳେ ଶିବସିଂହ ଏଠାକୁ ଗୁପ୍ତଭାବରେ ଆସିବେ । କଥାଟା ଅନ୍ୟ କେହି ଜାଣିଲେ ପ୍ରାଣ ଯିବ ।’

 

‘ରାମ ଭଜ ! ମୁଁ କଣ ଏଡ଼େ ମୂର୍ଖ ଯେ, ଚାରିଆଡ଼େ ଡେଙ୍ଗୁରା ବଜାଇବି । ନା, ନା, କିଛି ଭୟ ନାହିଁ । ଯାଉଛି ମା ଏବେ–ଖାଇ ପିଇ, କିଛି ସମୟ ଶୋଇ ଅର୍ଦ୍ଧରାତ୍ରି ସମୟରେ ଆସିବି ।’

 

ପଦ୍ମା ପଣ୍ଡିତଙ୍କ ହାତରେ କମଳକୁମାରୀଙ୍କ ପତ୍ରଟି ଏବଂ ବାଟଖରଚ ପାଇଁ ପାଞ୍ଚଗୋଟି ଅସରପି ଦେଇ ପ୍ରଣାମ ସହିତ ତାଙ୍କୁ ବିଦାୟ କଲେ ।

 

ଭୀମଲାଲ ଅତି ଶୀଘ୍ର ଗୃହକୁ ବାହୁଡ଼ି ତାହାଙ୍କୁ ସେହି ରାତ୍ରି ଉଦୟପୁର ଯାତ୍ରା କରିବାକୁ ହେବ ବୋଲି ଗୃହିଣୀଙ୍କୁ ଜଣାଇ ଚଞ୍ଚଳ ରନ୍ଧନାଦି କାର୍ଯ୍ୟ ଶେଷ କରିବା ସକାଶେ ଆଦେଶ ଦେଲେ-। ଯୁଦ୍ଧ ଆସନ୍ନ ଥିବାର ଦେଖି, ପଥରେ ଆପଦ ଘଟିପାରେ ଏହି ଆଶଙ୍କା କରି, ଗୃହିଣୀ ପଣ୍ଡିତଙ୍କ ପ୍ରସ୍ତାବରେ ଆପତ୍ତି କଲେ । ଉଦୟପୁର ଗଲେ ରାଣାଙ୍କ ନିକଟରୁ ଯଥେଷ୍ଟ ପୁରସ୍କାର ମିଳିବ ବୋଲି କହି ପଣ୍ଡିତେ ତାଙ୍କ ପତ୍ନୀଙ୍କ ହାତରେ ପଦ୍ମା ଦେଇଥିବା ମୋହରରୁ ଦୁଇଟି ଆନନ୍ଦରେ ଗୁଞ୍ଜି ଦେଲେ । ସ୍ୱର୍ଣ୍ଣ-ମୁଦ୍ରା-ପ୍ରାପ୍ତି ଓ ଭାବୀ-ଧନ-ଲାଭାଶା ଗୃହିଣୀଙ୍କ ହୃଦୟରୁ ଵିପଦାଶଙ୍କା ଓ ଅନ୍ୟାନ୍ୟ ଚିନ୍ତା ଏକାବେଳକେ ଅନ୍ତର କରି ପକାଇଲା । ସେ ଶାନ୍ତ ଓ ଆଶ୍ୱସ୍ତ–ତାଙ୍କ ମନ ଓ ମୁଖ ପ୍ରସନ୍ନ-! ପଣ୍ଡିତେ ସାନ୍ଧ୍ୟକୃତ୍ୟ।ଦି କରୁଁ କରୁଁ ତାଙ୍କ ସ୍ତ୍ରୀ ଶୀଘ୍ର ରନ୍ଧନାଦି ସମାପନ କଲେ । କହିବା ବାହୁଲ୍ୟ, ଅନ୍ୟାନ୍ୟ ଦିନ ଅପେକ୍ଷା ପଣ୍ଡିତଙ୍କ ଘରେ ଆଜି ଅଧିକା କେତେଗୋଟି ତରକାରି, ଚଟ୍‍ନି ତିଆରି ହୋଇଥିଲା । ଭୀମଲାଲ ଗଭୀର ତୃପ୍ତି ସହିତ ଭୋଜନ ପାନ କରି କିଛି ସମୟ ନିଦ୍ରାଙ୍କଶାୟୀ ହେଲେ । ରାତ୍ରି ପ୍ରାୟ ସାଢ଼େ ଏଗାରଟା ବେଳେ ଉଠି ସେ ଆଗେ ତାଙ୍କ ପଞ୍ଜିକା ଦେହରେ କମଳକୁମାରୀଙ୍କ ପତ୍ରଟି ଯତ୍ନରେ ରଖି, ପାଞ୍ଜି ଉପରେ ନିଜରୁ ଦୁଇଖଣ୍ଡ ଶୁଭ୍ରଶୁକ୍ଳ ପରିଧେୟ ବସ୍ତ୍ର ବାନ୍ଧିଦେଲେ । ନିଜ ଅଣ୍ଟାର ଏକ ପାଖରେ ତାଙ୍କର ରୌପ୍ୟଯୁକ୍ତ ନାସଦାନୀଟି, ଅନ୍ୟ ପାଖରେ ତିନୋଟି ଅସରପି ଖୋସିଦେଇ ତାଙ୍କ ଠାକୁର-ଘର ଆଗରେ ଯାଇ ପ୍ରଣାମଟିଏ କଲେ । ପରେ ଛତା, ବାଡ଼ି, ଚନ୍ଦନକାଠ ପ୍ରଭୃତି ନିତାନ୍ତ ଆବଶ୍ୟକୀୟ ପଦାର୍ଥ ଧରି, କାଖ–ସନ୍ଧିରେ ପାଞ୍ଜିବିଡ଼ାଟି ଯାକି ଦେଲେ ଏବଂ ଗୃହିଣୀ ନିକଟରୁ ବିଦାୟ ନେଇ ରାଜଭବନ ଆଡ଼େ ଧୀରେ ଧୀରେ ଚାଲିଲେ-। ସେତେବେଳେ ପଦ୍ମା, ଦ୍ୱାରରକ୍ଷକ ଓ ପ୍ରହରିମାନଙ୍କ ବ୍ୟତୀତ ରାଜପୁରୀର ସମସ୍ତ ସୁପ୍ତ-। କ୍ରମେ ପଣ୍ଡିତେ ସିଂହଦ୍ୱାରରେ ଯାଇ ଉପସ୍ଥିତ ହେଲେ । ରାତ୍ରିର ଏହି ଭାଗରେ ଭୀମଲାଲଙ୍କୁ ଏକାକୀ ଏହି ବେଶରେ ଦେଖି କେହି ହେଲେ ବିସ୍ମିତ ହେବାର କଥା, ଦ୍ୱାରପାଳମାନେ କିନ୍ତୁ ବିସ୍ମିତ ହେଲେ ନାହିଁ । ସେମାନେ ହସି ହସି କ୍ଷଣକ ସକାଶେ ଦ୍ୱାରଦେଶର ନିସ୍ତଵଧତା ଭାଙ୍ଗି ଦେଲେ । ଭୀମଲାଲ ଶେଷରେ ପଦ୍ମାଙ୍କ ନିକଟରେ ଯାଇ ପହଞ୍ଚିଲେ । ପଦ୍ମା ତାହାଙ୍କୁ ସଙ୍ଗେ ଧରି ସେହିକ୍ଷଣି ଶିବସିଂହଙ୍କ ସଙ୍କେତ ସ୍ଥଳକୁ ଧାଇଁଗଲେ । ଦୁହେଁ ଦେଖିଲେ, ଶିବସିଂହ କିଛି ସମୟ ଆଗରୁ ସେହି ନିର୍ଜ୍ଜନ କକ୍ଷରେ ଠିଆ ହୋଇଛନ୍ତି ।

 

ପଣ୍ଡିତଙ୍କୁ ଦେଖିବା ମାତ୍ରେ ଶିବସିଂହ ତାଙ୍କୁ ପ୍ରଣାମ କରି କହିଲେ,–’ପଣ୍ଡିତଜୀ, ଆପଣ ଯିବେ ଉଦୟପୁର ? ବେଶ ହେଲା ।’’ଭୀମଲାଲ ପ୍ରଶ୍ନ କଲେ,–’ଆଜିଯାଏଁ କେଉଁଠି ଥିଲ ଶିବସିଂହ-!’

 

‘ବାଟରେ ସବୁ କହିବି–ଏହିକ୍ଷଣି ଚାଲନ୍ତୁ ।’ ପଦ୍ମା ଶିବସିଂହଙ୍କୁ କହିଲେ,–ପଣ୍ଡିତଙ୍କ ହାତରେ ପତ୍ରଟି ଦେଇଛି । ତାଙ୍କର ନିରାପଦ ଯାତ୍ରା କଥା ତୁମକୁ ଲାଗିଲା ।’ ପରେ ଭୀମଲାଲଙ୍କ ଆଡ଼େ ଅନାଇ କହିଲେ,–‘ମନେ ରଖନ୍ତୁ ପଣ୍ଡିତଜୀ ! ମୋଠାରୁ ପତ୍ର ନ ପାଇବା ଯାଏ ଉଦୟପୁରରୁ ଫେରିବେ ନାହିଁ । ରହିଲି, ଆଶାନ୍ତୁ ଏଥର । ବାଟରେ କିନ୍ତୁ ହୁସିଆର ।’ ଏହା କହି ଅଭିବାଦନ ସହିତ ପଣ୍ଡିତଙ୍କୁ ବିଦାୟ କଲେ ।

 

ଶିବସିଂହ ଭୀମଲାଲଙ୍କ ହାତରେ ଗବାକ୍ଷ-ଲମ୍ବିତ ଦଉଡ଼ିଟି ଧରାଇ ଦେଇ, ଆଗେ ନିଜେ ଧୀରେ ଧୀରେ ତଳକୁ ଖସିବାକୁ ଲାଗିଲେ । ପଣ୍ଡିତେ ବଡ଼ ବକୁଆ, ଲମ୍ବା–ଚଉଡ଼ା–କଥା–କୁହା–ଅକାରଣ ନାନାପ୍ରସଙ୍ଗ ଉଠାଇ ଭଡ଼ ଭଡ଼ ହେବା ତାଙ୍କର ଅଭ୍ୟାସ । ଦଉଡ଼ିରେ ଓହ୍ଲାଇବା ସମୟରେ ସେ ଗୁଡ଼ାଏ ଗଳ୍ପ ଗୁଜବ କରିବାରୁ, ଶିବସିଂହ ବାଧା ଦେଲେ । କିନ୍ତୁ ତାଙ୍କର ବାରମ୍ବାର ନିଷେଧ ନ ମାନି, ପଣ୍ଡିତେ ବକିବାକୁ ଲାଗିଲେ–ମଧ୍ୟ ମଧ୍ୟରେ ଗାନ ବି ଧରିଲେ । ଶିବସିଂହଙ୍କ ମନରେ ଭୟ ହେଲା । ସେ ବିରକ୍ତ ହୋଇ କହିଲେ,–’ପଣ୍ଡିତଜୀ ! କଣ ପାଗଳ ହେଲେ ? ଆମେ ଯେଉଁ କାମରେ ହାତ ଦେଇଛେଇଁ, ତାହା ବଡ଼ ଗୁପ୍ତ ଧୀର ଭାବରେ କରିବା ଦରକାର । ଚାରିଆଡ଼େ ଶତ୍ରୁ ଘେରି ରହିଛନ୍ତି । ନିଃଶବ୍ଦରେ ଯିବା ପାଇଁ ଥରକୁ ଥର କହୁଛି, ତଥାପି କଥାବାର୍ତ୍ତା, ଗୀତ ବରାବାର ଲଗାଇଛନ୍ତି । ଏ କ’ଣ ! ଏଥର ହେଲେ କ୍ଷାନ୍ତ ହୁଅନ୍ତୁ ।’

 

‘ଭୟ କରୁଛ କିଆଁ, ଶିବସିଂହ ? ମୋ ତୁଣ୍ଡଟା ଛୁଞ୍ଚିରେ ସିଲାଇ କରିଦେଲେ ମଧ୍ୟ, କଥା ନ କହି ରହି ନ ପାରେ । ମୁଁ ତ ମନୁଷ୍ୟ–ପଶୁ କଥା କହେ ନାହିଁ ସିନା ! ‘

 

‘ଆହାଃ ! ଯମ-ଦୂତ ଭଳିଆ ମୋତେ ଯୁଟିଲେ ଯେ । ବଡ଼ ହଇରାଣରେ ପକାଇବେ, ଦେଖୁଛି । ପଦ୍ମା ଆଚ୍ଛା ଲୋକଟିକୁ ପସନ୍ଦ କରି ପଠାଇଛନ୍ତି ! ପଣ୍ଡିତଜୀ ! ଜୁହାର କରୁଛି–ଭୂମିରେ ପହଞ୍ଚିବାଯାଏଁ ଆଉ ରଡ଼ି ଛାଡ଼ନ୍ତୁ ନାହିଁ । ଶତ୍ରୁ ଜାଣିଲେ ଭାରି ବିପଦ ! ମହତ୍ତ୍ୱ ରଖନ୍ତୁ ।’

 

ଭୀମଲାଲ ଆଉ କଣ କାହାକୁ କହିବାକୁ ଯାଉଥିଲେ, ଶିବସିଂହ ହଠାତ୍‍ ତାଙ୍କ କଥାରେ ବାଧା ଦେଇ କ୍ରୁଦ୍ଧ ସ୍ୱରରେ ଭୟ ଦେଖାଇ କହିଲେ,–‘ମୋ ବୋଲ ନ ଶୁଣିଲେ ଗୋଡ଼ ଟାଣି ତଳକୁ ଠେଲି ଦେବି, ସାବଧାନ !’ ପଣ୍ଡିତଙ୍କ ମନରେ କିଞ୍ଚିତ୍‍ ଭୟ ପଶିଲା–ସେ ମୁଖ ବନ୍ଦ କରିଦେଇ ଶିବସିଂହଙ୍କ ପଛେ ପଛେ ଓହ୍ଲାଇବାକୁ ଲାଗିଲେ । କ୍ରମେ ଶିବସିଂହ ଯାଇ ଭୂମି ଉପରେ ଠିଆ ହେଲେ । ପଣ୍ଡିତେ ତଳକୁ ଆହୁରି ଖସି ନାହାନ୍ତି–ଏହି ସମୟରେ ସେ ଉଦବେଗଜଡ଼ିତ ଆର୍ତ୍ତକଣ୍ଠରେ ଚିତ୍କାର କଲେ,–‘ଶିବସିଂହ, ସର୍ବନାଶ ! ଧାଇଁ ଆଶା, ଚଞ୍ଚଳ ଆସ ।’

 

କୌଣସି ବିପଦ ଘଟିଛି ଶିବସିଂହ ଚମକି ପଡ଼ିଲେ । ସେହିକ୍ଷଣି ଉପରକୁ ଉଠି ସୁବିସ୍ମୟ ପଚାରିଲେ,–‘ହୋଇଛି କଣ, ପଣ୍ଡିତଜୀ ?’ ଭୀମଲାଲ ଅତି ଗୁପ୍ତ ଭାବରେ ଅତି ଧୀର ସ୍ୱରରେ ତାଙ୍କ କାନରେ କହିଲେ,–‘ଆଉ କିଛି ନୁହେ–ଏଥର ହେଲେ କଥା କହି ପାରିବି ତ ? ଏହା ଏକା ପଚାରିବାକୁ ଡାକିଲି ।’

 

ଶିବସିଂହ ଅତିରିକ୍ତ ଉତ୍ତ୍ୟକ୍ତ ! ଅନ୍ୟ କୌଣସି ସ୍ଥାନ ଓ ସମୟ ହୋଇଥିଲେ, ପଣ୍ଡିତଙ୍କୁ ସେ ବୋଧହୁଏ ପ୍ରହାର କରିଥାନ୍ତେ । ଏଣେ କିନ୍ତୁ ହାସ୍ୟର ବେଗ ରୁଦ୍ଧ କରିପାରୁ ନାହାନ୍ତି । ଭୀମଲାଲଙ୍କର ବାରମ୍ବାର ଏହି କୌତୁକ ପ୍ରଶ୍ନ–ଶିବସିଂହଙ୍କର କୋପ-ପ୍ରକାଶ ଚାଲିଛି, ଶେଷରେ ଦୁହେଁ ତଳେ ଯାଇ ଠିଆ ହେଲେ । ଶିବସିଂହଙ୍କ ଭୀଲ ଗୁପ୍ତଚରଦଳ ସେଠାରେ ପ୍ରତୀକ୍ଷା କରି ରହିଥିଲେ । ସମସ୍ତେ ମିଶି ବନଆଡ଼େ ଅଗ୍ରସର ହେଲେ । ମାର୍ଗରେ ପଣ୍ଡିତେ ପୁଣି ସେହି ବିରକ୍ତିକର ପ୍ରଶ୍ନ ପଚାରିବାରୁ, ଶିବସିଂହ କ୍ରୁଦ୍ଧ ହୋଇ ନିମ୍ନ ଅଥଚ ଗମ୍ଭୀର ସ୍ୱରରେ କହିଲେ,–‘ଚୁପ୍‍–ବନ୍ଦ କର ପାଟି ।’

 

ଦେଖୁ ଦେଖୁ ସେମାନେ ଦୁର୍ଗ-ସୀମା ଅତିକ୍ରମ କରି ବନ ପ୍ରାନ୍ତରେ ଯାଇ ଅବତୀର୍ଣ୍ଣ ହେଲେ । ଅତି ବ୍ୟଗ୍ର ଚାଲିବା ନିମନ୍ତେ ଶିବସିଂହ ଭୀଲମାନଙ୍କୁ ଆଦେଶ ଦେଲେ । ପରେ ସେ ଅଳ୍ପ ହସି ଦେଇ ପଣ୍ଡିତଙ୍କୁ କହିଲେ,–‘ପଣ୍ଡିତଜୀ ! ଗଡ଼-ସୀମା ଏବେ ପାର ହେଲେଇଁ, ସଙ୍କଟ ଗଲା । ଏଥର ମନମୁତାବକ କଥାବାର୍ତ୍ତା କର, ଗାଅ, ନାଚ, ଡିଆଁ– ଆଉ କିଛି ଭୟ ନାହିଁ ।’ ଭୀମଲାଲ ତୁନି ରହୁଛନ୍ତି କେତେକ ! ନାସାରନ୍ଧ୍ରରେ ନାସ ଭରତି କରିଦେଇ, ଗାଇ ଗାଇ ଅଭିନୟ କରି କରି ଚାଲିବାକୁ ଲାଗିଲେ ।

 

ଅନର୍ଥକ ବହୁଭାଷୀ ଭୀମଲାଲଙ୍କର ବାଚାଳତା, ରସକଥା ଓ ବିଦ୍ରୁପ ଗାନ ଶୁଣି ଏବଂ ତାଙ୍କର କୌତୁକାବହ ନୃତ୍ୟାଦି ବ୍ୟଙ୍ଗ-ଚାତୁରୀ ଦେଖି ଶିବସିଂହ ଓ ଭୀଲଦଳ ହସି ହସି ଚାଲିଲେ । କିଛି ଦୂର ଯିବା ପରେ ପଣ୍ଡିତେ ଶ୍ରାନ୍ତ କ୍ଲାନ୍ତ ହୋଇଗଲେ–ଆଉ ଚାଲି ପାରିଲେ ନାହିଁ । ତାହାଙ୍କୁ ସେହି ଅବସ୍ଥାରେ ଦେଖି ଶିବସିଂହ କହିଲେ,–‘ପଣ୍ଡିତଜୀ ! ଦେଖୁଛି, ଆପଣ ହାଲିଆ ହୋଇପଡ଼ିଛନ୍ତି । ଆଉ ଚାଲି ପାରିବେ ନାହିଁ, ବୋଧହୁଏ । ଏ ପାଖରେ ଗୋଟିଏ ପୋଖରୀ ଅଛି–ଏ ଓଳି ସେଠାରେ ବସା କରିବା । ସେଠାକୁ ଯିବା ପର୍ଯ୍ୟନ୍ତ ଆପଣ ଜଣେ ଭୀଲ କାନ୍ଧରେ ବସନ୍ତୁ ।’

 

‘ବାପରେ ବାପ ! କାନ୍ଧରେ ବସାଇ ନେଇ ମୋତେ ସେ ପୋଖରୀରେ ଫିଙ୍ଗି ଦେବା ସକାଶେ ଇଚ୍ଛା ହୁଏ ନା କଣ ? କେତେ ତପସ୍ୟାରେ–ମୁଁ ମୋ ମା’ର ଜଣେ ମାତ୍ର ପୁଅ ଟି ! ହେ’ଟି କାଲିର କଥା, ଦିଣ୍ଡା ମାଇପ ମୋ ଘରେ ଗୋଡ଼ ଦେଇଛି ! ଦେଖୁଛି, ମୋ କାଳ ପୂରାଇବା ପାଇଁ ତୁମମାନଙ୍କର ଏ ସବୁ ଯୋଗାଡ଼ । ମାତ୍ର, ଭୀମ ଏ ମାୟାଜାଲରେ ପଡ଼ିବାର ପଦାର୍ଥ ନୁହେ । ଏ ମହାତ୍ମା କିଏ ଜାଣ ତ ?–ଦିବ୍ୟ ଦୃଷ୍ଟିରେ ସକଳ ବିଷୟ ବୁଝି ପାରୁଛି, ସାବଧାନ ।’

 

ଶିବସିଂହ ହାସ୍ୟୋଜ୍ଜ୍ୱଳ ମୁଖରେ ପଣ୍ଡିତଙ୍କ ସଙ୍ଗେ ଉପହାସ ଆରମ୍ଭ କଲେ । କହିଲେ,–’ପଣ୍ଡିତଜୀ ! ଆପଣଙ୍କର ଦିବ୍ୟଦୃଷ୍ଟି ଥିବା କଥା ଆଗେ ଜାଣି ନ ଥିଲି । ଆଚ୍ଛା, ଭବିଷ୍ୟତରେ କଣ ଘଟିବ କହି ପାରିବେ ? ’

 

‘କଣ ! କହି ପାରିବି ନାହିଁ ? ଶୁଣ ତେବେ–

 

ରାଜସ୍ଥାନ-ବୀରମଣି ରାଜ-ସିଂହ ଏକା ରାଜସିଂହ,

 

ଛଡ଼ାଇ ପଠାଣ ପାପୀ ଔରଂଜୀବ୍‍-ଢଙ୍ଗ,

 

ଧରିନେବେ ରାଜସ୍ଥାନ-ସରସୀ-କମଳ ।

 

‘ସାବାସ ! ଯଥାର୍ଥ କହିଛନ୍ତି, ପଣ୍ଡିତଜୀ ! ତେବେ ରାଜସିଂହଙ୍କ ବିବାହରେ ଆପଣହିଁ ପୁରୋହିତ ହେବେ, ନା–’

 

‘ସେଥିରେ ଆଉ କଥା କଣ ଅଛି ! ପୂର୍ବରେ ଶ୍ରୀକୃଷ୍ଣଙ୍କ ବିବାହ ଚଳାଇ ଥିଲି–ଏବେ ମଧ୍ୟ ତାହା କରିବି ।’

 

‘ଆଚ୍ଛା, ରାଜସିଂହ ଆପଣଙ୍କୁ କି ଉପହାର ଦେବେ କହି ପାରିବେ !’

 

‘ପଚାରୁଛ କଣ ? ଉପହାର ନା ଉପହାର ! ଢେର ମିଳିବ ।

 

ବୁଢ଼ା ପଣ୍ଡିତକୁ ନ ଦେବେ କ’ଣ ?

 

ଜରିପାଗ, ସାଲ, ପାଟ, କୁଣ୍ଡଳ,

 

ଖଜା ପିଠା,ଟଙ୍କା ହୀରାର ମାଳ ।

 

ରାଣା–ବିବାହରେ ଅଭାବ କଣ ?’

 

ଏପରି ରଙ୍ଗଭାଷଣ କରୁଁ କରୁଁ ସେମାନେ ଗୋଟିଏ ସରୋବର ସମୀପରେ ଯାଇ ଉପସ୍ଥିତ ହେଲେ । ସେତେବେଳେ ଅତିଶୟ ପରିଶ୍ରାନ୍ତି ହୋଇ ଯାଇଥିବାରୁ ସେଠାରେ ସ୍ନାନ ଭୋଜନାଦି କରିବା ସ୍ଥିର କଲେ । ଭୋଜନ ପରେ ଶିବସିଂହ ଓ ଭୀମଲାଲ ଏକ ବୃକ୍ଷମୂଳରେ ବିଶ୍ରାମ ନେଲେ । ସେମାନଙ୍କର ପଥ-ଶ୍ରାନ୍ତ ଦୂର ହୋଇଗଲା । ସନ୍ଧ୍ୟା-ପ୍ରବେଶରେ ସେମାନେ ପୁନର୍ବାର ଯାତ୍ରା କରିବାକୁ ଲାଗିଲେ ।

 

କେତେକ ଦୂର ଅଗ୍ରସର ହେବା ପରେ ସେମାନେ ଦେଖିଲେ–ଜଣେ ମନୁଷ୍ୟ ଗୋଟିଏ ବୃକ୍ଷ ନିକଟରେ, ସାପ ମଳା ବାନ୍ଧିବା ଭଳି, ହାତ ଗୋଡ଼ ସଙ୍କୁଚିତ କରି ଦେଇ କୁନ୍ଥାଇ କୁନ୍ଥାଇ ହୃଦୟ ଦୟାରେ ତରଳିଗଲା । ତାହା ନିକଟକୁ ଯାଇ ପଚାରିଲେ,–‘କିଏ ତୁମେ ଏଠାରେ ଏପରି ପଡ଼ି ରହିଛ ? ଶକ୍ତ୍ୟନୁସାରେ ତୁମର ସାହାଯ୍ୟ କରିବାକୁ ଆମେମାନେ ପ୍ରସ୍ତୁତ ।’

 

ଲୋକଟି ବେଦନା-ବିଦ୍ଧ ସ୍ୱରରେ ଉତ୍ତର କଲା, ‘ଏ କଥାରୁ ବୁଝାଯାଉଛି, ମହାଶୟ, ଆପଣଙ୍କ ହୃଦୟ ଦେବତାର ହୃଦୟ । ଏକ ଗୁରୁତର କାର୍ଯ୍ୟରେ ଗୋଟିଏ ପଲ୍ଲୀକୁ ଯାଇଥିଲି । ସେଠାରୁ ବାହୁଡ଼ିବା ବାହୁଡ଼ିବା ବେଳେ ବାଟରେ ମୋ ଗୋଡ଼ ମକଚି ହୋଇଯିବାରୁ, ଆଉ ଚାଲି ନ ପରି ସକାଳୁ ଏଠାରେ ପଡ଼ି ରହିଛି । ଉଃ ବଡ଼ କଷ୍ଟ ! ଆପଣଙ୍କ ଛଡ଼ା ଏଠାରେ ମୋର ଆଉ କେହି ସହାୟ ନାହିଁ । ମୋ ଗାଁଟି ହେଇଟି ନଜିଗରେ ଅଛି । ସେଠାରେ ମୋତେ ନେଇ ଛାଡ଼ି ଦେଲେ, ବହୁତ ଉପକାର ହୁଅନ୍ତା ।’

 

ସେହିକ୍ଷଣି ତାହାକୁ ସ୍କନ୍ଧରେ ବସାଇ ତାହା ଗ୍ରାମ ନିକଟରେ ଛାଡ଼ି ଆସିବା ନିମିତ୍ତ, ପରଦୁଃଖକାତର ଦୟାର୍ଦ୍ର ହୃଦୟ ରାଜକୁମାର ସବଳ ଦୀର୍ଘକାୟ ଜଣେ ଭୀଲକୁ ଆଦେଶ କଲେ । ତାଙ୍କ ଆଦେଶ ତତ୍‍କ୍ଷଣାତ ପାଳିତ ହେଲା–ତାହାକୁ ଧରି ସମସ୍ତେ ସେହି ପଲ୍ଲୀଆଡ଼େ ପାଦଚାଳନ କଲେ ।

 

ପଥଶ୍ରମାହତ ସେହି ଲୋକର ଯନ୍ତ୍ରଣା କେତେଦୂର ଅସହ୍ୟ, ତାହା ଅନ୍ୟ କେହି ବୁଝିବା କଠିନ; କିନ୍ତୁ ତାହାର ବିବିଧ କୁନ୍ଥନ-ଧ୍ୱନୀରୁ ସେ ତୀବ୍ର ଯାତନା ଭୋଗିବାର ସ୍ପଷ୍ଟ ହେଉଥିଲା ମାତ୍ର-। ଯାଉଁ ଯାଉଁ ଯାତ୍ରୀଦଳ ମଧ୍ୟରେ କଥାବାର୍ତ୍ତା ହେଉଥିବାବେଳେ ଲୋକଟି କୁନ୍ଥନ ବନ୍ଦ କରି ଦେଉଥିଲା–ସେମାନେ ନୀରବ ରହିବା ସମୟରେ ତାହାର ପୀଡ଼ାସୂଚକ ଧ୍ୱନି ଓ ଅଭିନୟ ବରାବର ଚାଲୁଥିଲା । ଏହା କିନ୍ତୁ ସେମାନେ ଲକ୍ଷ୍ୟ କରି ପାରିଲେ ନାହିଁ । ସେମାନଙ୍କ ପରସ୍ପର କଥୋପକଥନ ଶୁଣିବା ଅଭିପ୍ରାୟରେ, ବୋଧହୁଏ, ବାଧାପ୍ରାପ୍ତ ଲୋକଟି ତୁନି ରହୁଥିଲା-। ରସ-ଗଳ୍ପ-ପ୍ରିୟ ଭୀମଲାଲ ପଣ୍ଡିତଙ୍କର ସୁଉଚ୍ଚ ପ୍ରଳାପଧ୍ୱନିରେ, ଶିବସିଂହ ଓ ଭୀଲମାନଙ୍କ କଥାବାର୍ତ୍ତାଶବ୍ଦ ସମୟ ସମୟରେ ବୁଡ଼ି ଯାଇ ଅସ୍ପଷ୍ଟ ହେଉଥିବା ଯୋଗୁଁ, ଲୋକଟି ସେମାନଙ୍କର କେତେକ କଥା ଉତ୍ତମରୂପେ ଶୁଣି ପାରିଲା ନାହିଁ । ଦିବସ କିମ୍ବା ରାତ୍ରିର ଏପରି କୌଣସି ମୁହୂର୍ତ୍ତ ନଥିଲା–ଯେତେବେଳେ ପଣ୍ଡିତେ କିଛି ନ ବିକି ତୁନି ରହୁଥିଲେ । ତାଙ୍କ ପକ୍ଷରେ, ଘଡ଼ିଏ ତୁଣ୍ଡ ବୁଜି ରହିବ ଯାହା–ଯୁଗଟିଏ ନିର୍ବାକ ରହିବା ତାହା । ଲୋକଟି ଶିବସିଂହଙ୍କୁ ଧୀରେ ବିକଳ ସ୍ୱରରେ ଜଣାଇଲା,–‘ଆଜ୍ଞା, ମୁଣ୍ଡବ୍ୟଥା ଯୋଗୁଁ ମୋ କାନରେ ଶଚ୍ଚ ବାଜିବା ମାତ୍ରେ ଅଧିକ କଷ୍ଟ ଲାଗୁଛି-। ଦେଖିବେ–ଏ ବ୍ରାହ୍ମଣ ଯେପରି ଆଉ ବକ୍‍ ବକ୍‍ ନ ହୁଅନ୍ତି ।’

 

ଶିବସିଂହ ପଣ୍ଡିତଙ୍କୁ କହିଲେ,–‘ବିଚରାରେ ଭାରି ମୁଣ୍ଡବଥା ହେଉଛି–ମିଛଟାରେ ଆଉ ତୁନି ରଡ଼ି ଛାଡ଼ନ୍ତୁ ନା ।’

 

ପଣ୍ଡିତେ ମୁଣ୍ଡ ହାତ ଦେହ ଏକାବେଳକେ ଦୋହଲାଇ ଦେଇ କହିଲେ,–‘ନା, ନା–ତା’ ଆଉ ହୋଇ ପାରିବ ନାହିଁ । କଥା ହେଲେ ତାର ମୁଣ୍ଡବଥା–ନ ହେଲେ ମୋ ତୁଣ୍ଡବଥା । ମୋ କଷ୍ଟ ଘୁଞ୍ଚୁଛି କେମିତି ?’

 

ରାତ୍ରି ସଙ୍ଗେ ସଙ୍ଗେ ସେମାନେ ଅଗ୍ରସର ହୋଇ, କେତେକ ସମୟ ପରେ ଏକ ବୃକ୍ଷମୂଳରେ ଯାଇ କିଛି କାଳ ବିଶ୍ରାମ ନେଲେ । ପୀଡ଼ିତ ଲୋକଟି ଭୀଲ-ସ୍କନ୍ଧରୁ ଓହ୍ଲାଇ ପଡ଼ିଲା । ଅତିରିକ୍ତ ପଥ-ଶ୍ରମ ଯୋଗୁଁ ନିଦ୍ରା ଆସି ସେମାନଙ୍କ ଉପରେ ଜବରଦସ୍ତି ଚଳାଇଲା । ରାତ୍ରି ତମାମ୍‍ ସେମାନେ ସମସ୍ତେ ନିଦ୍ରା-ଶୃଙ୍ଖଳାରେ ଆବଦ୍ଧ ରହିଲେ ।

 

ପରେ ଦିନେ ଅତି ପ୍ରତ୍ୟୁଷରେ, ଯାତ୍ରୀଦଳ ନିଦ୍ରାରୁ ମୁକ୍ତ ହେବା ପୂର୍ବେ, ସେହି ଲୋକଟି ଉଠି ଏଣେ ତେଣେ ଛୋଟେଇ ଛୋଟେଇ ଚାଲିବାକୁ ଲାଗିଲା । କିଛି ସମୟ ପରେ, କେତେ ଜଣ ଭୀଲଙ୍କ ନିଦ ଭାଙ୍ଗିବାରୁ, ଲୋକଟିକୁ ସେଠାରେ ବିଚରଣ କରିବାର ଦେଖି, ସେ କିଏ, ସେମାନେ ତାହା ପରସ୍ପର ମଧ୍ୟରେ ପଚରା ପଚରି ହେଲେ । ଦେଖୁଁ ଦେଖୁଁ ଶିବସିଂହ, ଭୀମଲାଲ ଓ ଅନ୍ୟାନ୍ୟ ଭୀଲ ଅନୁଚରଗଣ ଜାଗରିତ ହେଲେ । ଲୋକଟି ରାଜପୁତ୍ରଙ୍କ ନିକଟରେ ଯାଇ କହିଲା,–‘ମହାଭାଗ, ଆପଣଙ୍କ ଦୟାରେ, ମୁଁ ଏବେ ସୁସ୍ଥ-ପାଦର ପୀଡ଼ା ଅନେକ ଦୂର କମିଛି । ଏଥର ଅନାୟାସରେ ଚାଲିଯାଇ ପାରିବି । ବିଦାୟ ଦିଅନ୍ତୁ । ଉପକାର ପାଇଁ ଆପଣଙ୍କ ନିକଟ ୠଣୀ ରହିଲି ।’

 

ଶିବସିଂହ ତାହାକୁ ବିଦାୟ କରି, ପଣ୍ଡିତ ଓ ଅନୁଚରମାନଙ୍କ ସଙ୍ଗେ ସେଠାରୁ ଫେରି, ନିଜ ଗନ୍ତବ୍ୟ ପଥରେ ପୁନର୍ବାର ଚାଲିବାକୁ ଲାଗିଲେ । ଲୋକଟି ସ୍ୱସ୍ଥାନକୁ ବାହାରି ଗଲା ।

Image

 

ଊନବିଂଶ ପରିଚ୍ଛେଦ

(ପତ୍ର-ପ୍ରାପ୍ତ)

 

ପାଠକମାନଙ୍କର ମନେ ଥିବ–ପଦ୍ମାଙ୍କୁ ପ୍ରତାରିତ କରିବା ଉଦ୍ଦେଶ୍ୟରେ କୁନ୍ଦା ସେଦିନ କପୋତନୀତ ପତ୍ରର ପୃଷ୍ଠଭାଗରେ କେତେକ ବିଷୟ ଲେଖିବା ପରେ କପୋତ ପତ୍ରଟି ଧରି ତାହା ନିକଟରୁ ଉଡ଼ିଗଲା । ସେତେବେଳେ ମୋଗଲ-ସୈନ୍ୟ।ଧ୍ୟକ୍ଷ ସାଦତ ଖାଁ ନିଜ ଶିବିର ଦ୍ୱାରରେ ବସି ତାମ୍ରକୂଟ-ଧୂମପାନ କରୁଥିଲେ । ତାଙ୍କ ଆଶାନର ଅନତିଦୂରରେ ଭୃତ୍ୟ ଜଣେ ଠିଆ ହୋଇ ତାଙ୍କ ଗୁଡ଼ାଖୁ-ନଳି ମୁଖରେ ଥରକୁଥର ଫୁଙ୍କି ଅଗ୍ନି ସତେଜ, ଉଦ୍ଦୀପ୍ତ କରୁଥିଲା, ଏବଂ ଖାଁ ତମାଖୁ-ଧୂମ-ସେବନ-ଜନିତ ‘ଗୁଡୁ ଗୁଡ଼ୁ’ ଧ୍ୱନିରେ ବିଭୋର ହୋଇ ମୁଖ ଓ ନାସା-ରନ୍ଧ୍ର ବାଟେ ବାରମ୍ବାର ଧୂମ ସ୍ରୋତ ଛାଡ଼ି ଉର୍ଦ୍ଧ୍ୱ ଦୃଷ୍ଟିରେ କିଛି ଚିନ୍ତା କରୁଥିଲେ । ଆକାଶ-ଚାରୀ କପୋତଟି ହଠାତ୍‍ ତାଙ୍କ ଦୃଷ୍ଟିରେ ପଡ଼ିଲା । ତାଙ୍କ ମନରେ କି କୌତୁହଳ ଜନ୍ମିଲା କେଜାଣି, ଖାଁ ତମାଖୁ-ଟଣା ସେହିକ୍ଷଣି ବନ୍ଦ କରି ଦେଇ ପାରାଟିକୁ ଗୁଳି କଲେ । ବିଚରା ପକ୍ଷିଟି ଜୀବନ ହରାଇ ତଳେ ପଡ଼ିଗଲା । ଖାଁ ଆନନ୍ଦଭରା ମୁଖରେ ମୃତ କପୋତ ପାଖକୁ ଯାଇ ଦେଖନ୍ତି, ତାହା ଗଳାରେ ପତ୍ରଟିଏ । ବିସ୍ମୟ ଓ ଉତ୍କଣ୍ଠାର ଅଥୟ ହୋଇ ପତ୍ରଟି ଖୋଲିଲେ । ତାହା କିନ୍ତୁ ଗୁଜୁରାତି ଭାଷାରେ ଲେଖା । ନିଜେ ତ ସେହି ଭାଷା ଜାଣି ନ ଥିଲେ–ଏଣୁ ତାହା ପଢ଼ି ଶୁଣାଇବା ପାଇଁ ପାର୍ଶ୍ୱସ୍ଥ ଜଣେ ରାଜପୁତ୍‍ ସୈନିକକୁ ଆଦେଶ ଦେଲେ । ସୈନିକ ତାହା ପାଠ କରି ତହିଁର ଅର୍ଥ କହିଲା:–

 

‘ଆସିବା ଦରକାର ନାହିଁ । ଆବଶ୍ୟକ ହେଲେ ପରେ ଖବର ଦେବି–ପ୍ରସ୍ତୁତ ଥିବ ।’

 

ପତ୍ରର ଅନ୍ୟ ପାର୍ଶ୍ୱରେ ଏହି ମର୍ମରେ ଲେଖାଥିଲା:–

 

‘ଆଜି ଯାଇ ପାରୁନାହିଁ–ଆସନ୍ତା ଶୁକ୍ରବାର ଯିବି । ଅନ୍ୟ ଭାବନା କିଛି କରିବ ନାହିଁ ।’

 

ଏହା ଶୁଣି ସାଦତ୍‍ଖାଁଙ୍କ ମନରେ ଯୁଗପତ୍‍ ସନ୍ଦେହ ଓ ଭୟର ସଞ୍ଚାର ହେଲା । ଭାବିଲେ,–‘ପତ୍ରରୁ ଜଣା ଯାଉଛି, ବିକ୍ରମସିଂହ ଏବଂ ଅନ୍ୟାନ୍ୟ ରାଜାମାନଙ୍କର ସାହାଯ୍ୟ ପାଇଲେ, ରୂପନଗର ଦଖଲ କରିବା ସହଜ ହେବ ନାହିଁ । ପତ୍ରର ଏକ ସ୍ଥାନରେ ଅଛି–‘ଆସିବା ଦରକାର ନାହିଁ ।’ ଏ କଣ ? ବୋଧ ହୁଏ, ଅନ୍ୟର ସାହାଯ୍ୟ ନ ଥାଇ ବିକ୍ରମସିଂହ କେତେକ ଦିନ ସକାଶେ ଆତ୍ମରକ୍ଷା ଚେଷ୍ଟା କରିବେ, ତାହାହେଲେ, ତାଙ୍କର ଏହି ଚେଷ୍ଟା ବିଫଳ ହେବ, ସନ୍ଦେହ ଅହିଁ । କିନ୍ତୁ ଅନ୍ୟାନ୍ୟ ସ୍ଥାନରୁ ରାଜପୁତ୍‍ ସେନା ଆସିଲେ ଆମର ତ ଆଉ ରକ୍ଷା ନାହିଁ–ଆଗରେ ପଛରେ ଶତ୍ରୁ ଦ୍ୱାରା ଆକ୍ରାନ୍ତ ହୋଇ ପରାଭଵ ପାଇବା ହେବ ସିନା ସାର ।’

 

ଶତ୍ରୁ-ସନ୍ଧାନ କରିବା ନିମନ୍ତେ ଏଠି ପୂର୍ବେ ସେ ବିଭିନ୍ନ ଦିଗରେ ପଠାଣ ସୈନ୍ୟ ପଠାଇଥିଲେ । ସେ ଉପରୋକ୍ତ ମର୍ମରେ ଚିନ୍ତା କରୁଥିବାବେଳେ, ସେହି ସୈନ୍ୟ ମଧ୍ୟରୁ ଜଣେ ଫେରି ଆସି ତାଙ୍କୁ ସାଲାମ କରି ଜଣାଇଲା,–ଖାଁ ସାହେବ ! ଆପଣଙ୍କ ହୁକୁମରେ ବହୁ ଦୂର ଯାଇ ଗୋଟିଏ ଖବର ଆଣିଛି ।’

 

‘କଣ ତାହା, କହ ଶୀଘ୍ର ।’

 

‘ସେନାପତି ! ଜଣେ ରାଜପୁତ୍‍ ଯୁବକ, ଜଣେ ବ୍ରାହ୍ମଣ ଏବଂ ଏଗାର ଜଣ ଭୀଲଙ୍କୁ ସଙ୍ଗେ ଧରି ବନ ମଧ୍ୟରେ ଚାଲିଛି । ସେମାନଙ୍କ ଗତିବିଧିରୁ, ହାବଭାବରୁ ଅନୁମାନ ହେଉଛି-ସେମାନେ ଉଦୟପୁର ଯାଉଛନ୍ତି ।

ସାଦତ୍‍ ଖାଁ କିଞ୍ଚିତ ତସ୍ତ ଓ ବିଚଳିତ ! କହିଲେ,–‘ବେଶ ସୈନିକ ! ଉପଯୁକ୍ତ ସମୟରେ ଏ ସମ୍ବାଦ ଆଣି ବଡ଼ ଭଲ କରିଛୁ । କିନ୍ତୁ ଗୋଟିଏ କଥା । ସେମାନେ ଉଦୟପୁର ବସ୍ତା ଧରିଛନ୍ତି ବୋଲି ଠଉରାଇଲୁ କିପରି ? ସେମାନଙ୍କ କଥାବାର୍ତ୍ତା କଣ ଶୁଣିଛୁ ?’

ପାଠକେ ! ଏହି ସୈନିକଟି କିଏ ବୁଝିଲେ ? ପୂର୍ବପରି ଚ୍ଛେଦବର୍ଣ୍ଣିତ ସେହି ପଥାଶ୍ରମାହତ (?) ବ୍ୟକ୍ତି । ସେ, ବାଧା-ପ୍ରାପ୍ତ ଲୋକ ଭଳି କପଟ-ବେଶ ଧରି ଶିବସିଂହଙ୍କୁ କିପରି ପ୍ରତାରିତ କଲା ଏବଂ ଯାତ୍ରୀ ଦଳର କଥୋପକଥନ ଶୁଣିବାକୁ ଉଦ୍ୟମ କରି ବାଚାଳ ଭୀମଲାଲ ପଣ୍ତିତଙ୍କ ଘନ ଘନ ପ୍ରଳାପ-ଧ୍ୱନି ଯୋଗୁଁ କିପରି ବିଫଳ ପ୍ରୟାସ ହେଲା, ସକଳ ଘଟନା ଗୋଟି ଗୋଟି କରି ଵର୍ଣ୍ଣନ କଲା ।

ସାଦତ୍‍ ଖାଁ ଏକାବେଳକେ ଆଶ୍ଚଯ୍ୟାନ୍ଵିତ ! ସେ ତାଙ୍କ ଜୀବନରେ କେବେହେଲେ ଏହାଠାରୁ ବଳି ବିସ୍ମିତ ହୋଇ ନ ଥିଲେ । ତାଙ୍କର ସନ୍ଦେହ ଓ ଆଶଙ୍କା ବୃଦ୍ଧି ପାଇଲା । ଚଞ୍ଚଳ ଧାଇଁ ଯାଇ ସେହି ରାଜପୁତ୍‍ ଯାତ୍ରୀଦଳକୁ ଆକ୍ରମଣ କରିବା ନିମିତ୍ତ ସେ ସେହି ମୁହୂର୍ତ୍ତରେ ପନ୍ଦର ଜଣ ପଠାଣ ସିପାହିଙ୍କୁ ଆଜ୍ଞା ଦେଲେ । ବିକ୍ରମସିଂହଙ୍କ ସହିତ ମିଳିତ ହୋଇ ଅନ୍ୟାନ୍ୟ ହିନ୍ଦୁ ରାଜାମାନେ ଆକ୍ରମଣ କରି ପାରନ୍ତି, ଏହି ଭୟରେ ସେ ଅଧିକ ସେନା ପଠାଇବା ସକାଶେ ସେହିକ୍ଷଣି ସମ୍ରାଟ ନିକଟକୁ ଖଣ୍ଡିଏ ପତ୍ର ପଠାଇଲେ । ସେହି ପନ୍ଦର ଜଣ ମୋଗଲ ଉଦୟପୁର ଅଭିମୁଖରେ ଝଟିକା ଗତିରେ ଚାଲିଲେ ।

ଏଣେ ଶିବସିଂହ ପ୍ରଭୃତି କ୍ରମେ ଉଦୟପୁର ରାଜ୍ୟ ନିକଟବର୍ତ୍ତୀ ହେଲେ । ଭୀମଲାଲ ରାଜକୁମାରଙ୍କୁ କହିଲେ,–‘ଶିବସିଂହ, ତୁମେମାନେ ଏଥର ବାହୁଡ଼ି ଯାଇପାରେ । ଉଦୟପୁର ନିକଟ ହେଲାଣି । ମୁଁ ନିଜେ ଯାଇ ପାରିବି ।’

‘ବାଟରେ ଶତ୍ରୁ ହାବୁଡ଼ିଲେ–’

 

‘ହାବୁଡ଼ନ୍ତୁ–କରିବେ କଣ ? ମୁଁ କଣ ସହଜରେ ଛାଡ଼ୁଛି ? ମୁଁ ହାତରେ ତ କାଚ ପିନ୍ଧି ନାହିଁ ! ମୁଁ କିଏ ଜାଣ ନା ? ଭୀମ–ଅନ୍ୟ କେହି ନୁହେ ଯେ ଶତ୍ରୁ ହାତରେ ପରାଭଵ ପାଇବ । ମୋ ପରାକ୍ରମ ବୁଝିଛ ? ଥରେ ଏକଲା ହଜାର ପ୍ରାଣ ନାଶ କରି ଦେଇଥିଲି । ବୀର ମୁଁ ।’

 

‘ହଜାର ! କିଏ ସେମାନେ ?’

 

‘ହଜାର ପିମ୍ପୁଡ଼ିକୁ ଏକ ଥରକେ ପାଦରେ ଦଳି ଦେଇଥିଲି ।’

 

‘କାହିଁକି ?’

 

‘ମହାରାଜ ଦିନେ ମୋତେ ମିଠା ଦ୍ରବ୍ୟ ଗୁଡ଼ାଏ ଖୁଆଇ ଦେଲେ । ଖାଇ ଶେଯରେ ଗଡ଼େଇ ତଡ଼େଇ ହେଉଥିଲି–ପିମ୍ପୁଡ଼ିମାନେ ଆସି ଆକ୍ରମଣ କଲେ । କାଳ-ପୁରୁଷ ହାବୁଡ଼େ ପଡ଼ିଲେ ଫିଟୁଛନ୍ତି ସେମାନେ କେତେକ–ଏକାବେଳକେ ମନ୍ଥି ପକାଇଲି ।’

 

ଶିବସିଂହ ଓ ଭୀଲମାନେ ସେଠାରେ ହାସ୍ୟବୃଷ୍ଟି କରି ଦେଲେ । ପଣ୍ଡିତଙ୍କ ସଙ୍ଗେ କୌତୁକ କରି ସେମାନେ ଚାଲିଛନ୍ତି, ଏହି ଅବସରରେ ଖାଁ ପ୍ରେରିତ ସୈନିକଦଳ ସେଠାରେ ଉପସ୍ଥିତ ହୋଇ ହଠାତ୍‍ ସେମାନଙ୍କ ଉପରେ ଚଢ଼ାଉ କଲେ । ଦୁଇ ଦଳ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା । ପଠାଣମାନେ ଶେଷରେ ପରାସ୍ତହୋଇ ରୂପନଗରକୁ ପ୍ରତ୍ୟାବର୍ତ୍ତନ କଲେ ।

 

ପରେ ସମସ୍ତେ ମିଶି ପୁଣି ପ୍ରୟାଣ କଲେ ! ପଣ୍ଡିତଙ୍କ ମତିରେ ସ୍ଥିରତା ନାହିଁ, ଗତିରେ ଚଞ୍ଚଳତା ନାହିଁ–ପ୍ରତିକ୍ଷଣ ଚାରିଆଡ଼େ ଚାହିଁ ଚାହିଁ ଶିବସିଂହଙ୍କ ପଛେ ପଛେ ଚାଲିବାକୁ ଲାଗିଲେ । ଦେଖୁଁ ଦେଖୁଁ ସେମାନେ ଉଦୟପୁର ରାଜ୍ୟର ସୀମାରେ ଯାଇ ପ୍ରବିଷ୍ଟ ହେଲେ, ପଣ୍ଡିତଙ୍କ ହୃଦୟରେ ଦମ୍ଭ ଓ ଆଶ୍ୱାସନା ଉଦ୍ରିକ୍ତ ହେଲା । ପୁନର୍ବାର ସେ ତାଙ୍କର ସ୍ୱାଭାବିକ ହାସ୍ୟଦ୍ଦୀପକ ପ୍ରଳାପ-ପ୍ରଦର୍ଶନୀ ଖୋଲିଲେ ।

 

ପଣ୍ଡିତେ କହିଲେ,–‘ଶିବସିଂହ, ତୁମେମାନେ ସବୁ ଏଠାରୁ ଫେରିଯାଇ ପାର । ଆଉ କିଛି ଭୟ ନାହିଁ–ମୁଁ ଏକଲା ପ୍ରୟାଣ କରିବି।’ ଶିବସିଂହ ହସି କହିଲେ,–‘ ଏଥର ତ ଆପଣଙ୍କର ଭାରି ସାହସ ଦେଖାଗଲା ! ନିର୍ଭୟ ହୋଇ ଯାଇ ପାରିବେ, ନା ଫେରେ ଗଛ ଦେହରେ ଆଉଜି ପଡ଼ିବେ ।’

 

‘ନା, ନା, ସେପରି ଆଉ କିଛି ଶଙ୍କା ନାହିଁ । କିନ୍ତୁ ମୋ ସଙ୍ଗେ କେହି ଜଣେ ଆସିଲେ ହେଲା ।’

 

ଉଦୟପୁର–ସୀମାରେ ଉତ୍ତୀର୍ଣ୍ଣ ହୋଇଥିବାରୁ, ଶିବସିଂହଙ୍କର ପ୍ରତ୍ୟୟ ଜନ୍ମିଲା ଯେ, ପଣ୍ଡିତଙ୍କ ସହିତ ଜଣେ ମାତ୍ର ଲୋକକୁ ଦେଲେ ସେମାନେ ନିରାପଦରେ ଅବଶିଷ୍ଟ ପଥ ଅତିକ୍ରମ କରି ପାରିବେ । ଏଣୁ ସେ ଭୀମଲାଲଙ୍କ ପ୍ରସ୍ତାବରେ ସମ୍ମତ ହେଲେ ଏବଂ ତାଙ୍କର ସହଯାତ୍ରୀ ହେବା ସକାଶେ ଜଣେ ଭୀଲ ଯୁବକକୁ ଆଦେଶ ଦେଲେ । ପରେ ପଣ୍ଡିତଙ୍କୁ କହିଲେ,–‘ପଣ୍ଡିତଜୀ ! ପଥ ବଡ଼ ବିଷମ, ଦୁର୍ଗମ । ଆପଣ ଜାଣନ୍ତି–ପାର୍ବତ୍ୟ ପଥ ବନ୍ଧୁର ଏବଂ ଅନେକ ସ୍ଥାନରେ ଆଶ୍ରୟ ଶୂନ୍ୟ । ଏଣୁ ଖୁବ୍‍ ସତର୍କ ହୋଇ ଚାଲିବେ । ସଙ୍ଗରେ ଏ ଯାଉଛି, କୌଣସି ଚୋର-ଭୟ ନାହିଁ । ପଦ୍ମା କହିବା ଅନୁସାରେ, ତାଙ୍କଠାରୁ ପତ୍ର ପାଇବା ପରେ ଉଦୟପୁରରୁ ଫେରିବେ । ଏଥର ଆମମାନଙ୍କୁ ବିଦାୟ ଦିଅନ୍ତୁ ।’ ଶିବସିଂହ ଓ ଭୀଲଲାଲଙ୍କୁ ପ୍ରଣାମ କରି ସେଠାରୁ ରୂପନଗର ପ୍ରତି ଅଗ୍ରସର ହେଲେ ।

 

ପଣ୍ଡିତେ ଭୀଲ ଯୁବକ ସଙ୍ଗରେ ଉଦୟପୁର ଆଡ଼େ ଚାଲିଲେ । ପାର୍ବତ୍ୟ ପଥ ଅତିଶୟ ଦୁରାବରୋହ ଓ ସଂକୀର୍ଣ୍ଣ । ମାର୍ଗ ମଧ୍ୟରେ କେଉଁଠାରେ ପଲ୍ଲୀ ଗ୍ରାମ ନାହିଁ, ଘର ଦ୍ୱାର ନାହିଁ–ଅଛି କେତୋଟି ମାତ୍ର ଦେବ ମନ୍ଦିର । ଯିବାବେଳେ ପଥିକର ଧେର୍ଯ୍ୟଚ୍ୟୁତ ଘଟେ । ଉଭୟ ପାର୍ଶ୍ୱ କ୍ରମାବନତ, ଭୀଷଣ ଓ ଗଭୀର । ଉପରୁ ଦୈବାତ ଖସି ପଡ଼ିଲେ, ମନୁଷ୍ୟ ଛାର କେତେପ୍ରକାଣ୍ଡ ହସ୍ତୀ ମଧ୍ୟ ଏକ ନିମେଷ ମଧ୍ୟରେ ଜୀବନ ହରାଇବା କଥା । ସେଠାରେ ଯେଉଁ କ୍ଷୁଦ୍ର ନଦୀ ସବୁ ବହିଯାଏ, ସେଗୁଡ଼ିକର ଜଳ ଏପରି ଶୀତଳ ଯେ, ତହିଁରେ ପାଦ ଲାଗିବ ମାତ୍ରେ ମସ୍ତିଷ୍କରେ ଚମକ, ଶରୀରରେ ବେଦନା ଖେଳିଯାଏ । ଏଭଳି ମାର୍ଗରେ ଯେ ଥରେ ପ୍ରୟାଣ କରିଛି, ସେ ସିନା ଏହାର ଭୀଷଣତା ବୁଝି ପାରିବ–ଅନ୍ୟ କେହି ନୁହେ । ଗତି କରିବାବେଳେ ପଣ୍ଡିତେ ମଧ୍ୟ ମଧ୍ୟରେ କହୁଥିଲେ,–‘ମୁଖେ ରାମ ପାଦେ ଧ୍ୟାନ ।’

 

ଏହି ପାର୍ବତ୍ୟ-ପଥ ପାର ହୋଇ ଦିନେ ରାତ୍ରି ବେଳେ ଦୁହେଁ ଏକ ଦେବାଳୟରେ ଆତିଥ୍ୟ ସ୍ୱୀକାର କଲେ । ପରଦିନ ପ୍ରଭାତରେ ସେମାନେ ସେଠାରୁ ବାହାରି ପ୍ରାୟ ଅଢ଼ାଇ ମାଇଲ ଯିବା ପରେ, ରମଣୀୟ ବିସ୍ତୀର୍ଣ୍ଣ ଏକ ଉପତ୍ୟକାରେ ପ୍ରବେଶ କଲେ । ବର୍ତ୍ତମାନ ଦୁର୍ଗମ ପଥ ଶେଷ ପ୍ରାୟ–ସମତଳ ଭୂମିରେ ଅବତୀର୍ଣ୍ଣ ହେଲେ । ଉପତ୍ୟକାର ଦୁଇ ପାର୍ଶ୍ୱରେ ଅନତିଉଚ୍ଚ ଦୁଇ ଗୋଟି ପର୍ବତ ଉଭୟ ମଧ୍ୟରେ କଳକଳନାଦିନୀ ଛୋଟ ଗୋଟିଏ ସ୍ରୋତସ୍ୱତୀ । ନଦୀ ତଟରେ ମନୁଷ୍ୟଗମ୍ୟ ପଥର ରେଖା ପଡ଼ିଅଛି । ତହିଁ ମଧ୍ୟରେ ଯାଉଥିବା ବେଳେ, ଅନ୍ୟ କୌଣସି ଦିଗରୁ କେହି ପଥିକକୁ ଦେଖି ନ ପରେ–ପର୍ବତ ଉପରୁ କିନ୍ତୁ ଦେଖିବାର ସୁବିଧା ଅଛି ।

 

ଉପତ୍ୟକାର ପାଦ ଦେବା କ୍ଷଣି ଭୀମଲାଲ ତୁଲସୀଦାସ ରାମାୟଣର ଖଣ୍ଡିଏ ସ୍ତବ ପଞ୍ଚମ ତାନରେ ଗାଇବା ଆରମ୍ଭ କଲେ–

 

‘‘ସୀତାପତି ରାମଚନ୍ଦ୍ର ରଘୁପତି ରଘୁରାଇ ।।

 

ଭଜ ମନ ଶ୍ରୀରାମ ଚରଣ ଅରୁଣକଞ୍ଜ ମଞ୍ଜୁ ବରଣ,

ସକଲ ପାପ ତାପ ହରଣ ସନ୍ତତ ସୁଖ ଦାୟୀ ।।

 

କେଶରକୋ ତିଳକ ଭାଲ ମାନୋରବି ପ୍ରାତଃ କାଲ,

ଶ୍ରବଣ କୁଣ୍ଡଳ ଝଲମଲାତ ରତି ପତି ଛବି ଛାଇ ।।

 

ସୁର ନର ମୁନି ସକଲ ଦେବ ବୈଠେ ରଘୁବଂଶ ବୀର,

ନିରଖି ନିରଖି ତୁଳସୀଦାସ ଚରଣ ରଜ ନ ପାଇଁ ।।’’

 

ଉପତ୍ୟକାର ସମୀର-ମଣ୍ଡଳରେ ସେ ସୁମଧୁର ସ୍ୱରଲହରୀ ମିଳାଇ ଦେଇ ଚାଲିଛନ୍ତି, ଏହି ସମୟରେ ଦୁହେଁ ଦୂରରୁ ଦେଖି ପାରିଲେ ଯେ, ଦୁଇଜଣ ମନୁଷ୍ୟ ସେମାନଙ୍କ ଆଡ଼େ ଧାଇଁ ଆସୁଛନ୍ତି । ପଣ୍ଡିତଙ୍କ ମନରେ ସେତେବେଳେ ଯେଉଁ ଭୟ ଜନ୍ମିଲା, ତାହାର ଗୁରୁତ୍ୱ ଫୁଟାଇବା ପାଇଁ ଏହି ଲେଖନୀର ସାହସ ନାହିଁ–ଭାଷାର ସାମର୍ଥ୍ୟ ନାହିଁ । ସେ କାହିଁକି ଯେ ଭୀତ ହୋଇ ଉଠିଲେ, ତାହାର ପାଠକମାନେ ସ୍ପଷ୍ଟ ବୁଝି ପାରିବେ–ପୂର୍ବ ଘଟନା ଯଦି ମନେ ପଡ଼େ । ପଣ୍ଡିତେ ଭୀଲକୁ କହିଲେ,–‘ଦେଖିଲୁଣି ଭାଇ, ଦୁଇଟା କେମିତି ଦୌଡ଼ି ଆସୁଛନ୍ତି, ଯମ ଭଳି । ତୋ ଖଣ୍ଡାଟି କାହିଁ ?’

 

ଭୀଲ ଚମକି ପଡ଼ି ବିସ୍ମୟ-ବ୍ୟଥିତ ଦୁଃଖ-ଦୀର୍ଣ୍ଣ କଣ୍ଠରେ କହିଲା,–‘କେଡ଼େ କଥା ହେଲା ପଣ୍ଡିତଜୀ-ଖଣ୍ଡାଟି ଦେଉଳରେ ଛାଡ଼ି ଆସିଲି ! ହେବ ଏବେ କଣ ! ’

 

‘ଧାଇଁ ଯାଇ ଆଣିଲେ ଭଲ ହୁଅନ୍ତା ପରା ।’ ଉଭୟଙ୍କ ମଧ୍ୟରେ ଏପରି ଭୀତି ବିହ୍ଵଳ ଭଗ୍ନ ଉକ୍ତି ଚାଲିଛି–ଏ ଅବସରରେ ଦୁଇ ଜଣ ସେମାନଙ୍କ ସମ୍ମୁଖରେ ଆସି ଠିଆ! ବେଶରୁ ଅନୁମାନ ସେ ଦୁହେଁ ମହାଜନ । ମୁଣ୍ଡରେ ଶୁକ୍ଳ ପଗଡ଼ି, ଦେହରେ ଦୀର୍ଘ ଅଙ୍ଗରେଖା, ହାତରେ ଲମ୍ବା ମୋଟା ଠେଙ୍ଗା । ଦୁଇ ଜଣ ପଣ୍ଡିତଙ୍କୁ ପ୍ରଣାମ କରିବାରୁ ସେ ସେମାନଙ୍କ ଉପରେ ସୁଦୀର୍ଘ କଲ୍ୟାଣ ଢାଳି ଦେଲେ । ରାଜା କିମ୍ବା ଦୁର୍ଜ୍ଜନ ପ୍ରଣାମ କଲେ ବିଜ୍ଞ ଚତୁର ବ୍ରାହ୍ମଣ ଲମ୍ବା ଚଉଡ଼ା ଆଶୀର୍ବାଦ କରିଥାଏ–ଉଦ୍ଦେଶ୍ୟ, ରାଜା ସନ୍ତୁଷ୍ଟ ହୋଇ ଧନ ଦେବ, ଦୁର୍ଜ୍ଜନ ଅନିଷ୍ଟ କରିବ ନାହିଁ । ପଠଣମାନଙ୍କ ଦ୍ୱାରା ଅଜ୍ଞାତକୁଳଶୀଳ ଦୁଇ ଜଣ ଲୋକଙ୍କୁ ଦେଖି, ସେମାନଙ୍କ ନିକଟରୁ ଅମଙ୍ଗଳ ଆଶଙ୍କା କରିବା ଭୀମଲାଲଙ୍କ ପକ୍ଷରେ ଅସ୍ୱାଭାବିକ ନୁହେ । ତାଙ୍କ ପ୍ରାଣରେ ଶାନ୍ତି ନାହିଁ, ହୃଦୟରେ ସ୍ଥୈର୍ଯ୍ୟ ନାହିଁ ।

 

ବଣିକମାନେ ଭୀଲ ଓ ଭୀମଲାଲଙ୍କୁ ଉଦ୍ଧତ ସ୍ୱରରେ ପଚାରିଲେ,–‘କେଉଁଠାକୁ ଯାଉଛ ତୁମେମାନେ ।’ ପଣ୍ଡିତେ କିଛି ଉତ୍ତର ଦେଇ ପାରିଲେ ନାହିଁ; ଭୀଲ ଯୁବକ କିନ୍ତୁ କହିଲା, ସେମାନେ ଉଦୟପୁର ଚାଲିଛନ୍ତି । ଜଣେ ବଣିକ ପ୍ରଶ୍ନ କଲା,–‘ତୁମ ପାଖରେ ଚିଠି ପତ୍ର କଣ ଅଛି ?’

 

ପଣ୍ଡିତେ ଏକାବେଳକେ ଛାନିଆ ହୋଇଗଲେ । ମିଥ୍ୟା କଥା ତ ଦୁର୍ବଳର ସମ୍ବଳ ! ସେ କହିଲେ,–‘ଆମ ପାଖରେ ଚିଠିପତ୍ର ତାଙ୍କ ଫଙ୍କା କିଛି ନାହିଁ ।’

 

ଅନ୍ୟ ମହାଜନଟି କହିଲା,–‘ଥାଏ ଯଦି ଦେଇ ପକାଅ, ନହେଲେ ତୁ ଅଛୁ, ଆଉ ଏ ଠେଙ୍ଗା ଅଛି । ଖବରଦାର !’ ସାହସୀ ଭୀଲ ଯୁବକ କଣ କହିବାକୁ ବାହାରୁ ଥିଲା–ଭୟ-ବିକୃତ ଭଙ୍ଗା କଣ୍ଠରେ ଭୀମଲାଲ ପୁଣି ଉତ୍ତର କଲେ,–‘ନା–ହିଁ ।’

 

ସେ ଖନାଭଳି ଥଙ୍ଗେଇ ଥଙ୍ଗେଇ କହିବାରୁ ଛଦ୍ମବେଶୀ ବଣିକମାନେ ଅନ୍ଦାଜ କରି ନେଲେ ଯେ, ବ୍ରାହ୍ମଣ ନିକଟରେ ଚିଠି ପତ୍ର କିଛି ଅଛି । ସେମାନଙ୍କ ମଧ୍ୟରୁ ଜଣେ ପଣ୍ଡିତଙ୍କୁ ପ୍ରଚଣ୍ଡ ଧକକାଟିଏ ଦେବାରୁ, ସେ ମୁକ୍ତ କୃଚ୍ଛହୋଇ ଭୂମି ଉପରେ ଚିତ୍‍ କଡ଼େ ପଡ଼ିଗଲେ । ଅନ୍ୟ ଜଣକ ସେହିକ୍ଷଣି ତାଙ୍କ ଛାତି ଉପରେ ବସି ପଡ଼ି ତାଙ୍କ ତୋଟି ଭିଡ଼ି ଧରିଲା । ବିଚରା ଭୀମଲାଲ ପାଟି ଆଁ କରି ଦେଇ, ସଁ ସଁ ନିଶ୍ୱାସ ଛାଡ଼ି, ଝାଳରେ ବୁଡ଼ି ଯାଇ ବିକଳ ସ୍ୱରରେ ରଡ଼ି ଦେଲେ–‘ନାଲାୟନ-ନାଲା-ୟାନ ।’ ଭୀଲ ଯୁବକ ପଣ୍ଡିତଙ୍କ ଉପରେ ବସିଥିବା ବଣିକକୁ ଭୀମ ବେଗରେ ପଦାଘାତ କରି, ତାହା ହାତରୁ ଠେଙ୍ଗାଟି ଟାଣି ନେବାକୁ ଚେଷ୍ଟା କରୁଁ କରୁଁ ଅନ୍ୟ ମହାଜନଟି ତାହା ପିଠି ଉପରେ ଗୁରୁ ପ୍ରହାର କଲ। । ପଣ୍ଡିତଙ୍କର ଆଉ ଚେତା ଚବର ନାହିଁ । ସବଳ ସାହସୀ ଭୀଲ ଉଠି ଆକ୍ରମଣ ପ୍ରତିହତ କରିବାକୁ ଯାଉଛି, ଏହି ସମୟରେ କେହି ଜଣେ ଦୀର୍ଘତନୁ ବଳିଷ୍ଠ ଅଶ୍ୱ।ରୋହୀ ଉଲ୍ଲକା ବେଗରେ ଆସି ଘଟଣା ସ୍ଥଳରେ ଉପସ୍ଥିତ ! ସେ ଘୋଟକ ପୃଷ୍ଠରୁ ଓହ୍ଲାଇ ନିଜର ଶାଣିତ ସୁଦୀର୍ଘ ଖଡଗରେ ହଠାତ୍‍ ଜଣେ ବଣିକକୁ ଭୀଷଣ ଆଘାତ କଲା–ବଣିକର ମସ୍ତକ ସ୍କନ୍ଧରୁ ଛିନ୍ନ ହୋଇ ଭୂପତିତ ହୋଇଗଲା । ଅନ୍ୟ ବଣିକଟି ସେଠାରୁ ଧାଇଁ ପଳାଇବାର ଚେଷ୍ଟା କରିବାରୁ, ଅଶ୍ଵାରୋହୀ ତାହା ପଛେ ପଛେ ଦୌଡ଼ି ଯାଇ ପ୍ରହାରୋଦ୍ୟତ ହେବାବେଳେ, ବଣିକ ତାହାର ପାଦ ତଳେ ଲମ୍ବେ ଲମ୍ବେ ଗଡ଼ିପଡ଼ି ଶରଣ ଭିକ୍ଷା କଲା । ବୁଦ୍ଧିମାନ ଅଶ୍ଵାରୋହୀ ଉତ୍ତୋଳିତ ତରବାରି ହଠାତ୍‍ ନମିତ କରି ଦେଇ ପ୍ରଶ୍ନ କଲା,–‘କିଏ ତୁମେମାନେ, କି ଉଦ୍ଦେଶ୍ୟରେ ଆସିଥିଲ ?’

 

ଶରଣପ୍ରାର୍ଥୀ ମହାଜନ ଭୀତି ଚମକିତ ସ୍ୱରରେ କହିଲା,–‘ଆମେ ଦୁହେଁ ମୋଗଲ ସିପାହୀ–ବାଦ୍‍ଶାହାଙ୍କ ସୈନ୍ୟରେ ସେନାପତି ସାଦତ୍‍ଖାଁଙ୍କ ଅଧୀନରେ କାର୍ଯ୍ୟ କରୁଥିଲୁଁ । କୌଣସି ହିନ୍ଦୁକୁ ପତ୍ର ଧରି ଉଦୟପୁର ରାଣା ଠାକୁ ଯିବାର ଦେଖିବା ମାତ୍ରେ ତାହାକୁ ମାରି ପତ୍ର ଛଡ଼ାଇ ନେବା ପାଇଁ ଖାଁଙ୍କ ହୁକୁମ୍‍ । ସାଦତ୍‍ଖାଁଙ୍କର କିନ୍ତୁ କିଛି ଦୋଷ ନାହିଁ । ସେ ବଡ଼ ଉଦାର; ହିନ୍ଦୁକୁ ଭଲପା’ନ୍ତି, ଅକାରଣ ଅତ୍ୟାଚାରର ସେ ବିରୋଧୀ । କିନ୍ତୁ କରିବେ କଣ–ଦୁରାତ୍ମା ବାଦ୍‍ଶାହାର ସେ ଯେ ଚାକର ! ହିନ୍ଦୁର ଶତ୍ରୁ ହେବା ମୋର ଉଦ୍ଦେଶ୍ୟ ନୁହେଁ । ସମ୍ରାଟର ଆଚରଣ ଅସହ୍ୟ; ତେବେ ମୁଁ ବି ତାହାର ସୈନିକ ! ଯାହାହେଉ ଆଲ୍ଲା ମୋତେ ଉଚିତ ଶିକ୍ଷା ଦେଇଛନ୍ତି । ସ୍ଥିର କରିଛି, ଏଥର ଆଉ ବାଦ୍‍ଶାହା ଅଧୀନରେ କାମ କରିବି ନାହିଁ । ଶୁଣି ପାରୁଛି, ଉଦୟପୁର ରାଣା ଜଣେ ମହତ ହିନ୍ଦୁ, ବୁଦ୍ଧିମାନ ରାଜା–ତାଙ୍କର ଜଣେ ସୈନିକ ହେବାକୁ ଚେଷ୍ଟା କରିବି । ଆକୃତିରୁ ସ୍ପଷ୍ଟ, ତୁମେ ଜଣେ ରାଜପୁତ୍‍ । ଜାଣେ, ଧର୍ମପ୍ରାଣ ରାଜପୁତ୍‍ ଶରଣାର୍ଥୀକୁ ଅଭୟ ଦିଏ । ଏଣୁ କ୍ଷମା କରି ମୋତେ ରାଣାଙ୍କ ନିକଟକୁ ଧରି ଚାଲ–ପଠାଣ ଆଜୀବନ ହିନ୍ଦୁର ଗୋଲାମ୍‍ ରହିଲା ।’

 

ଅଶ୍ଵାରୋହୀ ଧୀର ଭାବରେ କହିଲା,––‘ହେଉ ତେବେ, ଆଶା ମୋ ସଙ୍ଗେ ଉଦୟପୁର ଦୁର୍ଗକୁ ।’ ଯବନ ହେଉ, ମ୍ଳେଚ୍ଛ, ପତିତ ଜାତିର ଶତ୍ରୁ ହେଉ ଶରଣାଗତକୁ ରକ୍ଷା କରିବା, ଆଶ୍ରୟ ଦେବା ଯେ ହିନ୍ଦୁର ଧର୍ମ, ଏହା ଅଶ୍ଵାରୋହୀ ଉତ୍ତମ ବୁଝିଥିଲା । ଅଶ୍ଵାରୋହୀ ପଛକୁ ମୁହଁ ଫେରାଇ ଦେଖିଲା, ଭୀମଲାଲ ଓ ଭୀଲ ସ୍ତବଧ ହୋଇ ବିସ୍ମୟ-ବୋଳା ଚକ୍ଷୁରେ ଠିଆ ହୋଇ ରହିଛନ୍ତି । ନିକଟକୁ ଯାଇ ପଚାରିଲା,–‘କେଉଁଠାରୁ ଆସିଛ ତୁମେ ଦୁହେଁ ? ଯାଉଛ କେଉଁଆଡ଼େ ?’

 

ମହାଜନ ଦୁହିଁଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଏବଂ ଅନ୍ୟ ଜଣକର ବିଚିତ୍ର ଭାବ-ପରିବର୍ତ୍ତନ ଦେଖି ଭୀମଲାଲ ଓ ଭୀଲ ତୃପ୍ତ, ଆଶ୍ୱସ୍ତ ହୋଇ ଯାଇଥିଲେ । ପଣ୍ଡିତେ କୃତଜ୍ଞତା-ବ୍ୟଞ୍ଜକ ସ୍ୱରରେ ଉତ୍ତର କଲେ,–‘ମହାଶୟ ! ରୂପନଗରରୁ ଆସିଛୁଁ––ରାଣା ରାଜସିଂହଙ୍କ ନିକଟକୁ ଯ।ଉଛୁଁ । ଧନ୍ୟ ଆପଣଙ୍କର ଜୀବନ । ଯମ ହାତରୁ ରକ୍ଷା କରି ଆମ ଦୁହିଁଙ୍କୁ ଆପଣଙ୍କ ନିକଟ ଋଣୀ କରାଇଛନ୍ତି ।’

 

ଅଶ୍ଵାରୋହୀ ଅଳ୍ପ ହସି କହିଲେ,–‘ଯାହା କରିବା ଉଚିତ, କରିଛି–ଅଧିକ କିଛି ନୁହେ । ଚାଲ ମୋ ସହିତ–ରାଣା ନିକଟରେ ପହଞ୍ଚାଇ ଦେବି ।’

 

ପରେ ସେ ଅଶ୍ୱପୃଷ୍ଠରେ ବସି ଭୀମଲାଲ, ଭୀଲ ଓ ପଠାଣ ସୈନିକଙ୍କୁ ସଙ୍ଗେ ଧରି ଧୀର ଗତିରେ ଯାଉଁ ଯାଉଁ ପଠାଣ ମୁଖରୁ ରୂପନଗର ଦୁର୍ଗର ଅବରୋଧ, ତହିଁର କାରଣ ଇତ୍ୟାଦି ବୃତ୍ତାନ୍ତ ଶୁଣି ବିସ୍ମିତ ହୋଇଗଲା । ଅଶ୍ଵାରୋହୀ ଆଗେଆଗେ, ଅନ୍ୟ ତିନିଜଣ ପଛେ ପଛେ ଚାଲିଲେ । ପ୍ରାୟ ଅର୍ଦ୍ଧ ଘଣ୍ଟା ପରେ ସେମାନେ ଉଦୟପୁର ଦୁର୍ଗରୁ ଠିକ ଉପକଣ୍ଠରେ ପ୍ରବେଶ କରିବା କ୍ଷଣି, ଅଶ୍ଵାରୋହୀ ହଠାତ୍‍ ଗତି ବନ୍ଦ କରି ଦେଇ ସେହି ତିନି ଜଣଙ୍କୁ କହିଲା,–‘ମୁଁ ଏଠାରୁ ଚାଲି ଯାଉଛି; କିଛି ସମୟ ପରେ ପୁଣି ତୁମମାନଙ୍କ ସହିତ ସାକ୍ଷାତ କରିବି । ଦୁର୍ଗର ରାଜପଥ ଏଠାରୁ ଆରମ୍ଭ । ଏହି ରାସ୍ତାରେ ଚାଲ–କାହାକୁ ହେଲେ ପଚାରି ରାଜଭବନକୁ ଯାଅ ।’ ଏହା କହି ସେ ସେଠାରୁ ପ୍ରସ୍ଥାନ କଲା ।

 

ତିନି ଜଣ ଦୁର୍ଗର ସୌନ୍ଦର୍ଯ୍ୟ ଅନୁଭବ କରି କରି ଜଣେ ଦୁର୍ଗବାସିର ସାହାଯ୍ୟରେ କ୍ରମେ ରାଜପ୍ରାସାଦ-ଦ୍ୱାରରେ ଯାଇ ଉପସ୍ଥିତ ହେଲେ । ପଣ୍ଡିତେ ଆଶ୍ୱସ୍ତ ଓ ଆଶାନ୍ଵିତ । ଭୀମଲାଲଙ୍କ ଅନୁରୋଧରେ, ଦ୍ୱାରପାଳ ରାଣାଙ୍କ ଛାମୁରେ ଯାଇ ଜଣାଇଲା, ତାଙ୍କର ସାକ୍ଷାତ ଲାଭ ସକାଶେ ରୂପନଗରରୁ ଜଣେ ବ୍ରାହ୍ମଣ ପଣ୍ଡିତ ଆସିଛନ୍ତି । ପଣ୍ଡିତେ ସେହିକ୍ଷଣି ଭିତରକୁ ଆହୂତ ହେଲେ । ରାଣା ସେତେବେଳେ ତାଙ୍କ ବିଶ୍ରାମମନ୍ଦିରରେ ଭାବିତ ହୋଇ ବସିଥିଲେ ।

 

ଭୀମଲାଲ ସେହି କକ୍ଷରେ ପ୍ରବେଶ କରି ରାଣାଙ୍କୁ ଦେଖିବା ମାତ୍ରେ ନିର୍ବାକ, ନିଶ୍ଚଳ ! ରାଜସିଂହଙ୍କ ମୁଖ ଉପରେ ସ୍ଥିର ଦୃଷ୍ଟି ପକାଇ କିଛି ସମୟ ବୃକ୍ଷ ଭଳି ନୀରବ ରହିଲେ । ଭାବିଲେ–‘ମୁଁ କଣ ବାସ୍ତବ ଜଗତରେ, ନା, ସ୍ୱପ୍ନ-ରାଜ୍ୟରେ !’ ତାଙ୍କ ବିସ୍ମୟରେ ମହାଭାଗର ଭାଷା ଆଦୌ ଟେକି ପାରିବ ନାହିଁ ।

 

ପାଠକଗଣ ! ପୂର୍ବୋକ୍ତ ଉପତ୍ୟକାର ଯେଉଁ ଅଶ୍ଵାରୋହୀ ଭୀମଲାଲ ଓ ଭୀଲ ଯୁବକକୁ ଦୁଇଜଣ ଛଦ୍ମବେଶୀ ବଣିକ ହାତରୁ ଉଦ୍ଧାର କରିଥିଲେ, ସେ ରାଣା ରାଜସିଂହ । ମୃଗୟା ରାଜପୁତ୍‍ମାନଙ୍କର ଅତ୍ୟନ୍ତ ପ୍ରିୟ କାର୍ଯ୍ୟ । ପ୍ରାୟ ପ୍ରତ୍ୟହ ରାଣା ରାଜସିଂହ ଦ୍ରୁତଗାମୀ ଅଶ୍ୱ ପୃଷ୍ଠରେ ବସି ଶତ ଶତ ଅଶ୍ୱାରୂଢ଼ ଅନୁଚର ସହିତ ଶିକାର କରି ଯାଉଥିଲେ । ଏବଂ କେବେ କେବେ ଭୃତ୍ୟମାନଙ୍କୁ ପାଶ୍ଚାତ ଛାଡ଼ି ଦେଇ ଏକାକୀ କପଟ–ବେଶରେ ବନ ଅମଧ୍ୟରେ ଏଣେ ତେଣେ ଭ୍ରମଣ କରି ପ୍ରଜାମାନଙ୍କ ଅବସ୍ଥା ବୁଝୁଥିଲେ ।

 

ଆଜି ମୃଗୟାରୁ ଫେରିବାବେଳେ, ନିଜ ଶିକାର ଦଳକୁ ପଛେ ପଛେ ଆସିବାକୁ ଆଦେଶ ଦେଇ ସେହି ଉପତ୍ୟକା ପାର୍ଶ୍ଵବର୍ତ୍ତୀ ଏକ ପର୍ବତ ଆରୋହଣ କଲେ । ପଣ୍ଡିତ ଓ ଭୀଲ ସେହି ଉପତ୍ୟକା ମଧ୍ୟରେ ପହଞ୍ଚିବା ମୁହୂର୍ତ୍ତରୁ ପଠାଣ ଦୁହେଁ ସେମାନଙ୍କୁ ଆକ୍ରମଣ କରିବା ଯାଏଁ, ଯାହା ଯାହା ଘଟିଲା ରାଣା ପର୍ବତ ଉପରୁ ସମସ୍ତ ଦେଖିଥିଲେ । ପରବର୍ତ୍ତୀ ଘଟନା ସକଳ ପାଠକମାନେ ଜାଣନ୍ତି–ପୁନରୁକ୍ତି ଅନାବଶ୍ୟକ ।

 

ରାଣା ପଣ୍ଡିତଙ୍କୁ ଉପଯୁକ୍ତ ଆସନ ଖଣ୍ଡିଏ ଦେଇ ସହାସ୍ୟମୁଖରେ ପ୍ରଶ୍ନ କଲେ,–‘ପଣ୍ଡିତଜୀ ! କି ଉଦ୍ଦେଶ୍ୟରେ ଆସିଛନ୍ତି ?’

 

ପଣ୍ଡିତେ ବିନୀତ ଭାବରେ କୃତଜ୍ଞତା-ସୂଚକ ଅଭିନୟାଦି ସହିତ କହିଲେ,–‘ରାଜପୁତ୍‍-ତିଳକ ହିନ୍ଦୁ-କିରୀଟ ମହାରାଜ ! ବାସ୍ତବିକ ଆପଣ ଦୀପ୍ତ ରାଜସ୍ଥାନ-ବକ୍ଷର ପ୍ରଦୀପ୍ତ ସ୍ତମ୍ଭ ! ଶୁଣିଛି-ରାଜ୍ୟର ପ୍ରତ୍ୟେକ ବିଷୟ ଆପଣ ନିଜେ ଦେଖିଥାନ୍ତି, ପ୍ରଜାମାନଙ୍କ ସକଳ ଦୁଃଖ ସ୍ଵହସ୍ତରେ ନିବାରଣ କରିଥାନ୍ତି, ଏଣୁ ଏ ରାଜ୍ୟର ପ୍ରଜାମାନେ ସୁଖୀ, ନିରାପଦ । ଆହୁରି ଶୁଣିଛି, ରାଣା–ଯାହା ଦୁଃସାଧ୍ୟ ଓ ବିପତସଙ୍କୁଳ, ତହିଁରେ ହିଁ ମହାରାଜାଙ୍କ ଆମୋଦ, ଆନନ୍ଦ ! ଯାହା ଶୁଣିଛି, ଆଜି ତାହା ସ୍ୱଚକ୍ଷୁରେ ଦେଖି, ଅଙ୍ଗେ ନିଭାଇ ମୁଁ ଧନ୍ୟ, କୃତାର୍ଥ ହୋଇଛି । ଆମେମାନେ କୃତାନ୍ତ ହାବୁଡ଼େ ପଡ଼ିଥିଲୁଁ ଯେପରି–ପ୍ରଜାବତ୍ସଳ ପରକଷ୍ଟ-କାତର ମହାରାଜ ସହାୟ ହୋଇ ନଥିଲେ ଆମର ସରିଥାନ୍ତା ସବୁ । ବର୍ତ୍ତମାନ ଆସିବାର ଉଦ୍ଦେଶ୍ୟ-ରୂପନଗର-ରାଜା ବିକ୍ରମସିଂହ ସୋଲାଙ୍କିଙ୍କ କନ୍ୟା କମଳକୁମାରୀ ଆପଣଙ୍କ ନିକଟକୁ ଖଣ୍ଡିଏ ପତ୍ର ଦେଇଛନ୍ତି । ପଠାଣ ସୈନିକ ମୁଖରୁ ଅବରୋଧ କଥା ତ ଶୁଣିଛନ୍ତି–ଏହା ପାଠ କରି ଅନ୍ୟାନ୍ୟ ବିଷୟ ବୁଝି ପାରିବେ ।’

 

ଏହା କହି ପଣ୍ଡିତେ ରାଣାଙ୍କ ହାତରେ ପତ୍ରଟି ଅର୍ପଣ କଲେ ।

 

ରାଣା–ଆପଣ ରୂପନଗରରେ କରନ୍ତି କଣ ଜାଣିପାରିବ ତ ?

 

ପଣ୍ଡିତ–ମହାରାଜ ! ମୁଁ ରୂପନଗର ରାଜସଭାର ପଣ୍ଡିତ–ରାଜାଙ୍କର ପୁରୋହିତ ।

 

ରାଜସିଂହ ସେହିକ୍ଷଣି ଜଣେ ଭୃତ୍ୟକୁ ଡାକି ପଚାରିଲେ,–‘ସିଂହଦ୍ୱାରରେ ପଠାଣ ସୈନିକ ଜଣେ ଅଛି ତ ?’ ଉତ୍ତର,–‘ଆଜ୍ଞା, ହଁ ।’ ରାଣା କହିଲେ,–‘ଏ ପଣ୍ଡିତଙ୍କୁ ସୁନ୍ଦର ଉପଯୁକ୍ତ ଗୋଟିଏ ବସାଘର ଦିଅ, ଆଉ ଏହାଙ୍କର ଦରକାର ହେବ ସମସ୍ତ ଖାଦ୍ୟ ଦ୍ରବ୍ୟ, ଅନ୍ୟାନ୍ୟ ଜିନିଷ ଯୋଗାଅ । ଦେଖ–ଏହାଙ୍କର ଯେପରି କିଛି ଅଭାବ, ଅସୁବିଧା ନ ହୁଏ ।’ ପରେ ପଣ୍ଡିତଙ୍କୁ କହିଲେ,–‘ପଣ୍ଡିତଜୀ ! ଆପଣ ବିଶେଷ କ୍ଲାନ୍ତ ହୋଇ ପଡ଼ିଛନ୍ତି–ଏ ଚାକର ସଂଗେ ଯାଇ ସ୍ନାନ ଭୋଜନାଦି କରନ୍ତୁ, ପରେ ଅନ୍ୟାନ୍ୟ ବିଷୟ । ଭୀଲ ମଧ୍ୟ ଆପଣଙ୍କ ବସାରେ ରହିବ ।’ ଭୃତ୍ୟକୁ ଆଦେଶ ଦେଲେ,–‘ପଣ୍ଡିତଙ୍କର ବସା ଯୋଗାଡ଼ କରିବା ପରେ, ସେନାପତିଙ୍କ ନିଯୁକ୍ତ କରାଯିବ ।’

 

ଭୃତ୍ୟ ପଣ୍ଡିତଙ୍କୁ ସଙ୍ଗେ ଧରି ସେଠାରୁ ଚାଲିଗଲା । ରାଣା ପତ୍ର ପାଠ କଲେ । ପତ୍ର-ପାଠ ଶେଷରେ, ତାଙ୍କର ହୃଦୟ ଦୁଃଖ, କ୍ରୋଧ ଓ ପ୍ରେମୋନ୍ମେଷର ତାଡ଼ନାରେ ଏକାବେଳକେ ଅଧୀର ହୋଇ ପଡ଼ିଲା । ଗମ୍ଭୀର ମୁଖରେ ରୁଦ୍ଧ ନିଶ୍ୱାସରେ ମନେ ମନେ କହିଲେ,–‘କି ଆସ୍ପର୍ଦ୍ଧା ଯବନର ! ଭାବିଛି ପରା, ରାଜପୁତ୍‍ନାର ରାଜାମାନେ ଭୀରୁ, ହୀନ ଶୃଗାଳ ? ଚଣ୍ଡାଳର ଅତ୍ୟାଚାର ଆଜି ଯାଏଁ ସହ୍ୟ କରି ଆସିଛି–ଏଣୁ ବୋଧହୁଏ ପାପିଷ୍ଠର ଏତେ ସାହସ ! ଲେଖି ପଠାଇଛି–କନ୍ୟାକୁ ଦେବୁ ନା ଯୁଦ୍ଧ କରିବୁ । କି ବୀରତ୍ୱ ! ଭାବିଛି–ରାଜପୁତ୍‍ ଏଥିରେ ଡରି ଯିବ, କନ୍ୟାକୁ ତା’ପାଦ ତଳେ ନେଇ ଖଟାଇବ ! ଯୁଦ୍ଧ କ୍ଷେତ୍ରରେ ହିଁ ତାହାର ଏହି ଧାରଣା ଘୁଞ୍ଚିବ–ଏ ଭ୍ରମ ଦୂର ହେବ । ବୁଝିବ ସେଠାରେ, ଦୁଷ୍ଟ ଦମନ ଶିଷ୍ଟପାଳନ ପାଇଁ ଯୁଦ୍ଧ କରିବା କ୍ଷତ୍ରିୟର କର୍ତ୍ତବ୍ୟ–ବିଶେଷତଃ ରାଜସିଂହର ପଣ ! ଆହା ! ଅବଳା କମଳକୁମାରୀଙ୍କ ଗଭୀର ଭାବପୂର୍ଣ୍ଣ ପତ୍ରଟି ପଢ଼ି ହୃଦୟ ତରଳି ଯାଉଛି–ପ୍ରାଣ ଫାଟି ଯାଉଛି । ବାସ୍ତବିକ, ବିପଦରେ ପଡ଼ି ନ ଥିଲେ, ଅପରିଚିତ ପର ପୁରୁଷଠାକୁ ଏ ଭଳି ଲେଖନ୍ତେ ନାହିଁ । ଜାଣି ରଖ, କମଳକୁମାରି ! ମାର୍ତ୍ତଣ୍ଡ ଦେବ ନିଜ ପଥ ଭୁଲି ଯାଇ ପାରନ୍ତି, ସାଗର ତାହାର ଗର୍ଜ୍ଜନ ଭୁଲି ଯାଇପାରେ, ହୁତାଶନ ତାହାର ତୀବ୍ରତା ହୁଡ଼ି ଯାଇପାରେ–ବୀର ରାଜସିଂହ କିନ୍ତୁ କଦାପି କର୍ତ୍ତବ୍ୟ ଭୁଲିଯିବ ନାହିଁ, ସର୍ବସ୍ୱ ପଣ କରି ମ୍ଲେଚ୍ଛ କବଳରୁ ତୁମକୁ ନିଶ୍ଚୟ ଉଦ୍ଧାର କରିବ । ଏହାହିଁ ରାଣାର ଏକ ମାତ୍ର ବ୍ରତ, ଦୃଢ଼ ପ୍ରତିଜ୍ଞା ।’

 

ପରେ ସେଠାରୁ ଉଠି, ସେହି ମୁହୂର୍ତ୍ତରୁ ହିଁ ସମରାୟୋଜନରେ ଲାଗିଗଲେ ।

Image

 

Unknown

ବିଂଶ ପରିଚ୍ଛେଦ

(କାହାନ୍ତି ଛୋଟସିଂହ?)

 

ଉଦିପୁରୀଙ୍କ ଆଦେଶାନୁସାରେ, ପୁରସ୍କାର ପାଇବା ସକାଶେ ପର ଦିନ ଛୋଟସିଂହ ମହାଲ୍‍କୁ ଯିବେ ଭାବି ଇନ୍ଦିରା ପ୍ରତୀକ୍ଷା କରି ରହିଲେ । କିନ୍ତୁ ସେ ଗଲେ ନାହିଁ । ଦୁଇ ତିନି କାଳ ସେ ଛୋଟସିଂହଙ୍କ ଆଗମନ-ପଥକୁ ଉତ୍କଣ୍ଠା ସହିତ ଚାହିଁ ରହିଲେ । ସେ ନ ଆସିବାର କାରଣ ଖୋଜି କିଛି ପାଇ ପାରିଲେ ନାହିଁ । ଏକ ସପ୍ତାହ ପର୍ଯ୍ୟନ୍ତ ତାହାଙ୍କୁ ନ ଦେଖି ଇନ୍ଦିରା ଆହାର ନିଦ୍ରା ଭୁଲି ନିତାନ୍ତ ଚିନ୍ତା-ତପ୍ତ ହୋଇ ପଡ଼ିଲେ ।

 

ଭାବିଲେ,–‘ତହିଁ ଆରଦିନ ସକାଳେ ଅବଶ୍ୟ ଆସିବେ ବୋଲି କହି, ଆଜି ଯାଏଁ ନ ଆସିବାର କାରଣ କଣ କିଛି ବୁଝିହେଉନାହିଁ । ଅନ୍ତଃପୁରରୁ ବାହାରି ଯିବାବେଳେ ଦ୍ୱାରପାଳମାନେ ତାଙ୍କୁ ବାଦ୍‍ଶାହା ଆଗରେ ନେଇ ପହଞ୍ଚାଇ ଦେଇଥିବେ ପାର ! କିନ୍ତୁ ଏହା ହୋଇଥିଲେ ତ ସମ୍ରାଟ ଉଦିପୁରୀଙ୍କ ଏକଥା ନିଶ୍ଚୟ ଜଣାଇଥାନ୍ତେ ! ମହିଷୀ ଜାଣିଥିଲେ, ମୁଁ ବା ନ ଶୁଣନ୍ତି କିପରି ? ନା–ଏପରି ହୋଇ ନ ଥିବ । ସେ ପାଠ ହୁଡ଼ି ବୋଧ ହୁଏ କେଉଁଆଡ଼େ ପଳାଇଛନ୍ତି । ଯାଇଥିବେ କେଉଁଆଡ଼େ–ଏ ନଗର ମଧ୍ୟରେହିଁ ବୁଲୁଥିବେ ସିନା ! ଚମତ୍କାର ଚିତ୍ରାଙ୍କନ ବିଦ୍ୟାରେ ତ ପ୍ରତ୍ୟେକ ପଠାଣ କର୍ମଚାରିକୁ ସେ ଆୟତ୍ତ କରି ପକାଇଛନ୍ତି ! ସେମାନଙ୍କ ହାତରେ ବା ପରାଭାଵ ଭୋଗିବେ କିପରି ? ଏଠାରେ ତାଙ୍କର ଶତ୍ରୁ ଏପରି କିଏ ଅଛି ଯେ ଅନିଷ୍ଟ କରିବ ? ଆଉ କିଛି ନୁହେ–ଉଦିପୁରୀଙ୍କ ନିକଟକୁ ଫେରେ ଆସିବାବେଳେ ମହାଲ୍‍ ଭିତରେ ରାସ୍ତା ଭୁଲିଛନ୍ତି । କିନ୍ତୁ କଥା ହେଉଛି–ଯେ ଥରେ ଆସିଛି, ସେ ବାଟ ଚିହ୍ନି ନ ପାରି ବଣା ହେବ ? ସମ୍ଭବ ନୁହେ ! ସେ ତ ଅଚତୁର, ମୂର୍ଖ ନୁହନ୍ତି; ତୁଳସୀ ଦୁଇ ପତ୍ରରୁ ବାସେ–ବାଲ୍ୟକାଳରୁ ବୁଦ୍ଧିମାନ ! ଏପରି ଭ୍ରମ ହେବ କାହିଁକି ? ମହାଲ୍‍ ଭିତରେ କିଛି ଅମଙ୍ଗଳ ଆଶଙ୍କା କରି ତୁନି ରହିଲେ କି ? ଅସମ୍ଭବ ! ସେ ଯେ ଅଦ୍ଵିତୀୟ ବୀର–ତାଙ୍କ ଅଭିଧାନରେ ‘ଆଶଙ୍କା’ ପଦର ସ୍ଥାନ କାହିଁ ? ଯାହା ହେଉ–ତାଙ୍କର କୌଣସି ବିପଦ ଘଟିଛି, ସନ୍ଦେହ ନାହିଁ ।’

 

ଇନ୍ଦିରା ଏହିପରି ଅନେକ କଥା ଭାବିଲେ, ସନ୍ଦେହ କଲେ । ଶେଷରେ ସ୍ଥିର କଲେ, ମଶାବତ୍‍ ଦ୍ୱାରା ଛୋଟସିଂହଙ୍କର ଅନୁସନ୍ଧାନ କରାଇବେ । ମଶାବତ୍‍ ଇନ୍ଦିରା-ମୋହ କୌଣସି ପ୍ରକାରେ ଛାଡ଼ି ପାରୁନାହିଁ;ଏହା ଉଦିପୁରୀଙ୍କ ପ୍ରେରଣାରେ ଫଳ । ଇନ୍ଦିରା ତାହା ପ୍ରତି ଯେପରି ଆକୃଷ୍ଟ ହୁଅନ୍ତି, ତାହା ସଙ୍ଗେ ବିବାହ କରିବାକୁ ଅଙ୍ଗୀକୃତ ହୁଅନ୍ତି, ସେ ତହିଁରେ ହିଁ ଚିନ୍ତା ଓ ଚେଷ୍ଟା କରୁଥିଲା । ତାଙ୍କର ସନ୍ତୋଷ ବିଧାନ ନିମିତ୍ତ ସେ ତାଙ୍କର ପ୍ରତ୍ୟେକ କାର୍ଯ୍ୟ ଅତିରିକ୍ତ ଆଗ୍ରହ ଓ ଉଦବେଗ ସହିତ କରି ଦେଉଥିଲା–ତାଙ୍କ ମୁଖରୁ କଥା ବାହାରିବା ମାତ୍ରେ ତାହା କାର୍ଯ୍ୟରେ ପରିଣତ କରିବା ସକାଶେ ତତ୍ପର ହେଉଥିଲା । ଏପରି କି, ସେ ପ୍ରତି ମୁହୂର୍ତ୍ତ ତାଙ୍କ ପଛେ ପଛେ ପୋଷା କୁକୁର ଭଳି ଗୋଡ଼ାଉ ଥିଲା । ଭୟଙ୍କର ମୋହ ! ବିଚିତ୍ର ଲୋଭ !

 

ଇନ୍ଦିରା ସେ ଦିନ ଉପରୋକ୍ତ ଭାବରେ ଚିନ୍ତା କରୁଛନ୍ତି, ଏହି ସମୟରେ ଦୁରାଶା-ପୀଡ଼ିତ ମଶାବତ୍‍ ତାଙ୍କ ନିକଟରେ ଯାଇ ତ୍ରିଭଙ୍ଗୀ ଠାଣିରେ ଛିଡ଼ା ହେଲା । ଚତୁରା ଇନ୍ଦିରା କହିଲେ,–‘ଓହୋ–ମଶାବତ୍‍ ! ଆଉ କେହି ବୋଲି ଭାବିଥିଲି ।’

 

‘ହଁ ମୁଁ–ମୁଁ ।’ କହି ସେ ଠୋ ଠୋ ହସି ପକାଇଲା । ତାହା ସଙ୍ଗେ କଥାବାର୍ତ୍ତା କରିବାରୁ, ତାହା ଉପରେ ଇନ୍ଦିରାଙ୍କର ଅନୁରାଗ ଅଛି ଭାବି ସେ ଛାତି ଫୁଲାଇ ଦେଇ ସଳଖ ଠିଆ ହେଲା । ସେତେବେଳେ ତାହାର ତଳ ଉପର ବୋଧ ରହିଲା ନାହିଁ–ପ୍ରବଳ ସନ୍ତୋଷରେ ବାହ୍ୟଜ୍ଞାନ ତାହାର ଉଡ଼ିଗଲା । ମୁଖ-ଲକ୍ଷଣରୁ ତାହାର ହୃଦ୍‍ଗତ ଭାଵ ସ୍ପଷ୍ଟ ଅନୁମାନ କରି ଇନ୍ଦିରା ସ୍ଥିର କଲେ ଯେ, ସେ ଆତଙ୍କ କପଟ ବାଗୁରାରେ ପଡ଼ିଛି ।

 

ସେ କହିଲେ,–‘ମଶାବତ୍‍ ଏବେ ତୁ ଯାଉଛୁ କୁଆଡ଼େ ?’

 

‘ମୋର ଆଉ କିଛି କାମ ନାହିଁ । ଏଇଠି କି ଆସିଚି ଖାଲି ତୁମକୁ ଦେଖିବା ପାଇଁ ।’

 

‘ସତ କହୁଛୁ ତ ?’

 

‘ଆଁ–ତୁମ ଆଗରେ ମିଛ ! ବେଗମ୍‍ଙ୍କର ଦୟା ଥିଲେ, ମୋ ଜାନ୍‍ ତ ତୁମରି ହାତରେ ।’

 

ଇନ୍ଦିରା ନିରୁତ୍ତର ! କିଛିକ୍ଷଣ ପରେ କହିଲେ,–‘ଗୋଟିଏ କଥାରେ ମୁଁ ଭାରି ବ୍ୟସ୍ତ ଅଛି, ମଶାବତ୍‍ । ଭାବନାରେ କିଛି ବୁଦ୍ଧି ଦିଶୁନାହିଁ ।’

 

‘ମୋତେ କିଆଁ କହୁ ନା ତେବେ ? ମୁଁ ଯେତେବେଳେ ଅଛି–ଅଛ ? ସେ ତହିଁ ଆରଦିନ ପୁରସ୍କାର ନେବାକୁ ଆସିବେ କହି ଯାଇଥିଲି । ଆଜିଯାଏଁ ଆସି ନାହାନ୍ତି କାହିଁକି–ତାହା ଏକା ଭାବି ବସିଛି ।’

 

ମଶାବତ୍‍ କିଛି ସମୟ ମୌନାବଲମ୍ବନ କରି କହିଲା । ପରେ ସନ୍ଦେହ-ଚିତ୍ରିତ ମୁଖରେ, କିଞ୍ଚିତ ନୈରାଶ୍ୟ-ବିକୃତ ସ୍ୱରରେ କହିଲା,–‘ମୁଁ ଥାଉଁ ଥାଉଁ ଛୋଟସିଂହର ଚିନ୍ତା–’

 

‘ଅନ୍ୟ ରକମ ଭାବି କିଛି ସନ୍ଦେହ କର ନା । ଛୋଟସିଂହ ଆଉ ମୁଁ ଗୋଟିଏ ଗାଁରେ ଜନ୍ମ ହୋଇ ବଢ଼ିଛୁଁ । ପିଲାଦିନୁ ସେ ମୋର ସଙ୍ଗୀ । ଏଣୁ ତାଙ୍କଠୁଁ ମୋ ବାପାମା’ଙ୍କ ଖବର ବୁଝିବି ବୋଲି ତାଙ୍କୁ ଲୋଡ଼ୁଛି । ଏ ସହରର ଜଣେ ଧନୀ ଚିତ୍ରକର ତାଙ୍କୁ ଭଲ କରି ଜାଣେ । ତାଙ୍କ ଦୋକାନକୁ ଗଲେ ଛୋଟସିଂହଙ୍କର ଖବର ମିଳି ପାରିବ ।’

 

‘ହଁ, ହଁ, ମନେପଡ଼ିଲା । ବାଦ୍‍ଶା ସେ ଦିନ ଅନ୍ତଃପୁରକୁ ଆସୁ ଥିବାର ଶୁଣି, ଛୋଟସିଂହକୁ ନେଇ ଗୋଟିଏ କୋଠରୀ ଭିତରେ ରଖିଦେଲି । ବାଦ୍‍ଶା ମହାଲ୍‍ରୁ ପଳାଇବା ପରେ ତା’କୁ କୋଠରୀରୁ କାଢ଼ିବ ଠିକ୍‍ କରିଥିଲି । ମାତ୍ର କାମରେ ବ୍ୟସ୍ତ ଥିବାରୁ, ସେ କଥା ଏକଦମ ପାଶୋରି ପକାଇଲି । ବହୁତ ସମୟ ପରେ ଯାଇ ଦେଖିଲି, ସେଇଠି ସେ ଆଉ ନାହିଁ । ବାଦ୍‍ଶାହାଙ୍କ ଭୟରେ ସେ ଉପାୟ କରି ମହାଲ୍‍ରୁ ଫିଟି ପଳାଇ ଥିବ ବୋଲି ବିଚାରି ତୁନି ରହିଲି । ତା’କଥା ଆଉ ଭାବିଲି ନାହିଁ । ହେଲା–ସାମାନ୍ୟ କଥା ତ ଏ । ଏଇକ୍ଷଣି ଯାଇ ତାହାର ସମ୍ବାଦ ଆଣିବି ।’

 

ଏହା କହି ମଶାବତ୍‍ ସେଠାରୁ ଚାଲିଗଲା । ବହୁ ସମୟ ଦିଲ୍ଲୀର ଅଧିକାଂଶ ସ୍ଥଳ ଛୋଟସିଂହଙ୍କର ଠୌର ପାଇ ପାରିଲା ନାହିଁ । ଶେଷରେ ସେହି ଚିତ୍ରକର–ଦୋକାନରେ ଯାଇ ପହଞ୍ଚିଲା । ଛୋଟସିଂହଙ୍କ ନାମ ଶୁଣିବା ମାତ୍ରେ ଚିତ୍ରକର ଶୁଷ୍କ ମୁଖରେ କହିଲା,–‘କଣ କହିବି ଭାଇ, ସେ ମୋର ସର୍ବନାଶ କରି ଚାଲି ଯାଇଛି । ନାସ୍ତି କରୁଁ କରୁଁ, ମୋର ଦୁଇ ହଜାର ଟଙ୍କା ଖରଚ କରାଇ ଦେଇ ହାତୀ ଦାନ୍ତ ବିଞ୍ଚଣାଟିଏ ତିଆରି କରି ବିକ୍ରି ପାଇଁ ମହାଲ୍‍କୁ ଗଲା । ଯାଇଛି ଯେ ଯାଇଛି–ଆଜି ପର୍ଯ୍ୟନ୍ତ ତାହାର ଆଉ ପିତା ମିଳୁନାହିଁ ।

 

କହୁଁ କହୁଁ ଚିତ୍ରକରର ଚକ୍ଷୁ ସଜଳ ହୋଇଗଲା । ମଶାବତ୍‍ ତାହାକୁ ଆଶ୍ୱାସନା ଦେଇ ରଙ୍ଗମହାଲ୍‍କୁ ଫେରିଲା ଏବଂ ଇନ୍ଦିରାଙ୍କ ନିକଟରେ ସମସ୍ତ ବିଷୟ ଜଣାଇ ଲଜ୍ଜିତ ହେଲା । ଇନ୍ଦିରାଙ୍କର ମୁଖ-ମଣ୍ଡଳ ମିଳନ ହୋଇ ଉଠିଲା–ତାଙ୍କ ହୃଦୟ ବିକଳ ହୋଇଉଠିଲା ।

Image

 

ଏକବିଂଶ ପରିଚ୍ଛେଦ

(ପାପମତିର ପରଭାବ)

 

ରୋଗ, ବାର୍ଦ୍ଧକ୍ୟ ଓ ମୃତ୍ୟୁ ଆଗରେ ସମସ୍ତେ ସମାନ–ଏମାନଙ୍କ ଚକ୍ଷୁରେ ଧନୀ ନିର୍ଦ୍ଧନ, ରାଜା ପ୍ରଜା, କୃଷକ ସମ୍ରାଟ, ମୂର୍ଖ ପଣ୍ଡିତ, ସମସ୍ତେ ଏକ; ଏମାନଙ୍କର ପାତ୍ରାପାତ୍ର ବିବେଚନା ନାହିଁ-। ଦୂରଦୁଷ୍ଟି କ୍ରମେ ଔରଂଜୀବ୍‍ ଠାରେ କଠିନ ରୋଗାକ୍ରାନ୍ତ ହୋଇ ପଡ଼ିଲେ । ଆହାର ବିହାର ନାହିଁ, ଆମୋଦ ଶୟନ ନାହିଁ, କଥାବାର୍ତ୍ତା ନାହିଁ-କ୍ରମାଗତ ଶଯ୍ୟାଗତ ରହିଲେ । ଏଣୁ ଜୀର୍ଣ୍ଣଶୀର୍ଣ୍ଣ ଦୁର୍ବଳ ହୋଇଗଲେ । ରଙ୍ଗମହାଲ୍‍ରେ କିନ୍ତୁ ବୈଦ୍ୟ, ହାକିମଙ୍କର ଅଭାବ କଣ ? ପ୍ରତ୍ୟହ ଆସି ସେମାନେ ସମ୍ରାଟଙ୍କୁ ଔଷଧପତ୍ରାଦି ଦେଇ ଯାଉଥିଲେ । ତଥାପି ରୋଗ ତାଙ୍କ ଦେହରେ ଅବାଧ ଶାସନ ଚଳାଇବାକୁ ଲାଗିଲା ।

 

ପାଠକମାନେ ଜାଣନ୍ତି–ରୌଶନ୍ୱାରା ଓ ଉଦିପୁରୀଙ୍କ ଶତ୍ରୁତା, ବିଦ୍ୱେଷ ଦିନୁ ଦିନ ବୁଦ୍ଧି ପାଉଥିଲା । ସେମାନେ ପରସ୍ପରର ଶ୍ରୀ ଦେଖୁ ନ ଥିଲେ–ଜଣେ ଅନ୍ୟଜଣକର ବିନାଶ-ସାଧନର ସୁଯୋଗ ଓ ସମୟ ଉତ୍କଣ୍ଠିତ ଭାବରେ ବରାବର ଜଗି ରହୁଥିଲେ । ରୌଶନ୍ୱାରା ରୋଗୀ ବାଦ୍‍ଶାହାଙ୍କୁ ନିଜ ମହାଲ୍‍ ମଧ୍ୟରେ ରଖି ତାଙ୍କ ସେବା ଶୁଶ୍ରୂଷାରେ ଲାଗି ରହିଲେ । ତାଙ୍କର ଶକ୍ତ ଆଦେଶରେ, ବୈଦ୍ୟ ଓ ହାକିମ ଭିନ୍ନ, ଅନ୍ୟ କୌଣସି ଲୋକର, ଏପରି କି ପଶୁ ପକ୍ଷୀର ସୁଦ୍ଧା ତାଙ୍କର ମହାଲ୍‍ ସୀମାରେ ପାଦ ଦେବାର ସାଧ୍ୟ ନ ଥିଲା–ସମ୍ରାଟଙ୍କ ରୋଗଶଯ୍ୟା ନିକଟକୁ ଯିବା ତ ଦୂରର କଥା ! ଶାହଜାଦୀ-ବଶୀଭୂତ ପ୍ରହରୀମାନଙ୍କୁ ଦ୍ୱାରା ତାଙ୍କ ମନ୍ଦିରର ପ୍ରତ୍ୟେକ ଦ୍ୱାର ପ୍ରତି ମୁହୂର୍ତ୍ତରେ ସୁରକ୍ଷିତ ରହୁଥିଲା ।

 

ଔରଂଜୀବ୍‍ ପୀଡ଼ିତ ହେବା ଶୁଣିବା ମୁହୂର୍ତ୍ତରୁ ପତି-ସୋହାଗିନୀ ଉଦିପୁରୀଙ୍କ ପ୍ରାଣ ଅସ୍ଥିର, ଅଶାନ୍ତମୟ ହୋଇଉଠିଲା । ଭୋଜନ ବିଳାସ, ବିଶ୍ରାମ ନିଦ୍ରା, ସୁଖ କୌତୁକ ତାଙ୍କ ପକ୍ଷରେ ନିତାନ୍ତ କଷ୍ଟକର ଓ ଅସମ୍ଭବ ବୋଧ ହେଲା । ତାଙ୍କ ମନରେ ବିବିଧ ଆଶଙ୍କା ଜନ୍ମିଲା–ଭବିଷ୍ୟତ ନୀରସ, ଅନ୍ଧକାରପୂର୍ଣ୍ଣ ଦେଖାଗଲା । ତାଙ୍କର ବଡ଼ ଇଚ୍ଛା, ରାତ୍ରି ଦିବସ ପତି ନିକଟରେ ବସି ତାଙ୍କର ପରିଚର୍ଯ୍ୟା କରିବେ–ରୋଗଶଯ୍ୟାରେ ପାଦ ସେବା କରି ଦୁଗଧ ପ୍ରାଣରେ ଶୀତଳ ଜଳ ସିଞ୍ଚିବେ । କିନ୍ତୁ ହେବ କଣ–ରୋଗୀ ସମ୍ରାଟଙ୍କୁ ଦେଖିବାପାଇଁ ରୌଶନ୍ୱାରା କର୍ମଚାରୀ, ଭଦ୍ରଲୋକ ପ୍ରଭୃତିଙ୍କୁ ଯେତେବେଳେ ଅନୁମତି ଦେଉ ନାହାନ୍ତି, ପ୍ରଧାନ ଶତ୍ରୁ ଉଦିପୁରୀଙ୍କୁ ବା କିପରି ଛଡ଼ାନ୍ତେ-? ସର୍ବଦା ଏହାହିଁ ଚିନ୍ତା କରି ମହଷୀଙ୍କର ପ୍ରାଣ ଶୁଷ୍କ, ଦେହ ଦୀର୍ଣ୍ଣ ହୋଇ ପଡ଼ିଲା ।

 

ଦେଖୁଁ ଦେଖୁଁ ବାଦ୍‍ଶାହାଙ୍କର ରହ ଉତ୍କଟରୁ ଉତ୍କଟତର ହେବାକୁ ବସିଲା । ସେ କ୍ରମେ ଏତେ ଦୁର୍ବଳ ହୋଇପଡ଼ିଲେ ଯେ, ତାଙ୍କ ଦେହର ଶିରା, ଅସ୍ଥି ସବୁ ସ୍ପଷ୍ଟ ଗଣି ନେବା ଆଉ କଷ୍ଟସାଧ୍ୟ ହେଲାନାହିଁ । ତାଙ୍କ ସ୍ୱାସ୍ଥ୍ୟର ଏହି ଦାରୁଣ ଅବସ୍ଥା ଦେଖି, ରୌଶନ୍ୱାରାଙ୍କ ମନରେ ଘୋର ସନ୍ଦେହ ଉଇଁଲା–ବାଦ୍‍ଶାହାଙ୍କର ମରଣାଶଙ୍କା ହେଲା । ସେ ତ ଅତି ଚତୁରା, କର୍ମକୁଶଳତା, ରାଜ୍ୟର ପ୍ରତ୍ୟେକ ବିଷୟ ତ ତାଙ୍କରି ହାତରେ–ସମ୍ରାଟଙ୍କ ମୃତ୍ୟୁ ପରେ ବି ତାଙ୍କର ପ୍ରଭୁତ୍ୱ ଅକ୍ଷୁର୍ଣ୍ଣ ରହିବା ଦରକାର । ଏଣୁ ଭାଇଙ୍କର ଜୀବିତାବସ୍ଥାରେ ହିଁ କୌଶଳ ପ୍ରୟୋଗରେ ଅଧୀନସ୍ଥ ରାଜାମାନଙ୍କର ସହାନୁଭୂତି ଆକର୍ଷଣ କରି, ସେମାନଙ୍କୁ ଆୟତ୍ତ ଅପ୍ୟାୟିତ କରି ସାମ୍ରାଜ୍ୟଧିକାର ଦଖଲ କରି ନେବା ସ୍ଥିର କଲେ ।

 

ଜୟପୁର ରାଜା ଜୟସିଂହ ସମ୍ରାଟଙ୍କର ଏକାନ୍ତ ବଶୀଭୂତ–ତାଙ୍କ ପ୍ରତି ଦିଲ୍ଲୀ–ସରକାରଙ୍କର ପ୍ରଗାଢ଼ ବିଶ୍ୱାସ । ଏଣୁ ତାଙ୍କ ହାତ କରି କିଛି ଗୋଟାଏ କରିବା ରୌଶନ୍ୱାରାଙ୍କର ଉଦ୍ଦେଶ୍ୟ । ସେ ପତ୍ର ଦ୍ୱାରା ଜୟସିଂହଙ୍କୁ ବାଦ୍‍ଶାହାଙ୍କର ଶୋଚନୀୟ ଅବସ୍ଥା ଏବଂ ତାଙ୍କ ଜୀବନ ସମ୍ବନ୍ଧରେ ନିଜର ବିକଟ ସନ୍ଦେହ ଓ ଆଶଙ୍କା ଜଣାଇ, ବିଶାଳ ମୋଗଲ–ସାମ୍ରାଜ୍ୟର ଶାସନ-ଭାର-ଲାଭ ନିମିତ୍ତ ତାଙ୍କର ସାହାଯ୍ୟ ପ୍ରାର୍ଥନା କଲେ । ସମ୍ରାଟ ଅସୁସ୍ଥ ଥିବା କଥା ସର୍ବତ୍ର ପ୍ରଚାରିତ ହୋଇ ନଥିବାରୁ, ସମ୍ବାଦଟି ମିଥ୍ୟା ମନେ କରି ଜୟସିଂହ ତୁନି ରହିଲେ–ଉତ୍ତର ସୁଦ୍ଧା ଦେଲେ ନାହିଁ-

 

ଶାହାଜାଦୀ ଔରଂଜୀବ୍‍ଙ୍କ ସମ୍ବନ୍ଧରେ ବାରମ୍ବାର ବିବିଧ ବିଚିତ୍ର ଖବର ବିତରଣ କରିବାକୁ ଲାଗିଲେ । କେବେ କେବେ ସମ୍ରାଟଙ୍କର ବ୍ୟାଧି-ବୃଦ୍ଧି ଯୋଗୁଁ ଜୀବନାଶା ନାହିଁ ବୋଲି, କେତେବେଳେ ସେ ପ୍ରାଣ ହରାଇଛନ୍ତି, କେତେବେଳେ ବା ତାଙ୍କର ରୋଗ ହ୍ରାସ ହୋଇଛି ବୋଲି ରାଷ୍ଟ୍ର କଲେ ।

 

ଦିନେ ସେ ଚେତନାଶୂନ୍ୟ ଔରଂଜୀବ୍‍ଙ୍କର ଅନାମିକା ଅଙ୍ଗୁଳିରୁ ତାଙ୍କର ନାମାଙ୍କିତ ମୁଦ୍ରିକାଟି ବାହାର କରି ଦେଇ, ସେଥି ସାହାଯ୍ୟରେ ଖଣ୍ଡିଏ ଜାଲ୍‍ ଚିଠି ଲେଖିଲେ, ତହିଁର ମର୍ମ–

 

ରାଜନ୍ୟବର୍ଗ !

 

ବର୍ତ୍ତମାନ ଆଗରେ ମୋର ମରଣର ଘନକୃଷ୍ଣ ସାଗର–ଜୀବନ-ତରୀ ଭସାଇ ଦେବାକୁ ବସିଛି । ଆଉ ଅଧିକ ସମୟ ନାହିଁ । ଜୀବନ ତ ଚିରସ୍ଥାୟୀ ନୁହେ–ମୋ ମୃତ୍ୟୁରେ ତୁମେମାନେ ଭାବିତ ହେବ ନାହିଁ ବୋଲି ମୋର ବିଶ୍ୱାସ । ମୁଆଜିମ୍‍ ଭ୍ରଷ୍ଟଚରିତ୍ର, ହୀନ-ବୁଦ୍ଧି, ଏଣୁ ଜ୍ୟେଷ୍ଠପୁତ୍ର ହେଲେହେଁ ତାହାକୁ ସାମ୍ରାଜ୍ୟ ଭାର ନ ଦେଇ, ଆଜିମ୍‍କୁ ଦେଉଅଛି । ମୋ ପରେ ଆଜିମ୍‍ ହିଁ ସମ୍ରାଟ । ମୋ ପ୍ରତି ସେହି ବ୍ୟବହାର କରିବ–ଏହା ମୋର ଅନ୍ତିମ ଅନୁରୋଧ । ଏତିକିରେ ଚିର ବିଦାୟ ନେଉଛି ତୁମମାନଙ୍କ ନିକଟରୁ ।

 

ଔରଂଜୀବ୍‍

 

ଏହି ପତ୍ରର ଅନେକ ପ୍ରତିଲିପି ବାହାର କରି ରୌଶନ୍ୱାରା ଅଧୀନସ୍ଥ ପ୍ରତ୍ୟେକ ରାଜା ନିକଟକୁ ପଠାଇଲେ । ମୁଆଜିମ୍‍ ପରିଣତବୟସ୍କ, ଉଦ୍ଧତ-ସ୍ଵଭାଵ ଓ ନିଷ୍ଠୁର-କାହାରି ଠାରେ ତାଙ୍କର ଭୟ ନଥିଲା; ପ୍ରଧାନର ରୌଶନ୍ୱାରା ପ୍ରତି ତାଙ୍କର ପ୍ରଚଣ୍ଡ ଘୃଣା । ସେ ସମ୍ରାଟ ହେଲେ, ନିଜ ପ୍ରଭୁତ୍ୱ ଓ କ୍ଷମତାର ସମାଧି ହେବ, ଏହି ଆଶଙ୍କାରେ, ରୌଶନ୍ୱାରା ତାଙ୍କ ଆୟତ୍ତ ବାଳକ ଆଜିମ୍‍ଙ୍କୁ ଭାବୀ-ଭାରତ-ସମ୍ରାଟ-ଉପାଧି-ଦାନର ପ୍ରସ୍ତାବ କରି କପଟ-ପତ୍ରମାନ ଲେଖିଲେ । କେହି କିନ୍ତୁ ତାଙ୍କ କଥାରେ ଆସ୍ଥା ଦେଲେ ନାହିଁ–ତାଙ୍କ ପାଲରେ ପଡ଼ିଲେ ନାହିଁ । ସୁତରାଂ ସେ ହତାଶ ହୋଇ ନିଜ କର୍ମକୁ ଆଦରି ନୀରବ ରହିଲେ ।

 

ଦିନେ ଉଦିପୁରୀ ଇନ୍ଦିରାଙ୍କୁ ଡକାଇ ଅତ୍ୟନ୍ତ ଆଦର ସହିତ ବିନୟ-ଜଡ଼ିତ ସ୍ୱରରେ କହିଲେ,–‘ଇନ୍ଦିରା ! ଦେଖୁଛି ବାଦ୍‍ଶାହାଙ୍କ ମୁଖରେ ଅନେକ ଥର ଶୁଣିଛି–ତୁମେ ଭାରି ଚତୁରା, ବୁଦ୍ଧିମତୀ । ବିପଦ ସମୟରେ, ଗୋଳମାଳବେଳେ ତୁମର ଆଶ୍ରୟ ଲୋଡ଼ିବା, ପରାମର୍ଶ ନେଇ ଚଳିବା ବୁଦ୍ଧିମାନର କାର୍ଯ୍ୟ ବୋଲି ସେ ପ୍ରତିଦିନ କହୁଥିଲେ । ସାରା ରାଜସ୍ଥାନରେ ତୁମେ ରାଜଭକ୍ତି ଓ ପତି-ଭକ୍ତିର ଉଜ୍ଜ୍ୱଳ ଆଦର୍ଶ ଫୁଟାଇଛି । ତୁମକୁ ଅବସରର ସଙ୍ଗିନୀ ରୂପେ ପାଇଁ ନିଜକୁ ମୁଁ ଭାଗ୍ୟବତୀ ମନେ କରୁଛି । ଦେଖୁଛ, ରୌଶନ।ରା ମୋର କାଳ-ଶତ୍ରୁ ହୋଇ ରହିଲା । ବାଦ୍‍ଶା ମୋତେ ଯେପରି ଭଲ ନ ଦେଖନ୍ତି, ସେଥିଲାଗି ହିଁ ତାହାର ନିରନ୍ତର ଚେଷ୍ଟା । ପ୍ରାଣ ଫାଟି ଯାଉଛି, ଇନ୍ଦିରା ! ସମ୍ରାଟଙ୍କୁ ଆଜିଯାଏ ଦେଖି ପାରିଲି ନାହିଁ–ଏ ସମୟରେ ତାଙ୍କର ସେବା କରି ପାରିଲି ନାହିଁ । ଚଣ୍ଡାଳୁଣୀ ରୌଶନ୍ୱାରା ରୋଗୀ ବାଦ୍‍ଶାଙ୍କ ପାଖରେ କାହାକୁ ହେଲେ ପୂରାଇ ଦେଉନାହିଁ । ମୋ ଜୀବନ ଝୁଣି ଖାଇ ଦେଲାଣି । କଣ କରିବ ? ଭାରତର ମହିଷୀ ବୋଲି ଯେଉଁ ଗର୍ବରେ ମାତିଥିଲି, ସେଥିରେ ଏବେ ନିଆଁ ଧୂଆଁ ଲାଗିଛି । ବିଧର୍ମୀର ଦାସୀ ହୋଇଛି ବୋଲି ତୁମେ ମୋତେ ଘୃଣା କର–ମୁଁ ଜାଣେଁ । କିନ୍ତୁ ପତି ପାଖରେ ମୋର କିପରି ଭକ୍ତି, ଲୋଭ, ପ୍ରେମ ଅଛି, ତାହା ତୁମର ଅଜଣା ନାହିଁ । ପତିସେବା ନକରି ସ୍ତ୍ରୀର ହୃଦୟ କିପରି ହାଣି ହୋଇଯାଏ, ମନ ଜଳି ପୋଡ଼ି ମରେ, ତୁମକୁ ବୁଝାଇବା ଦରକାର ନାହିଁ । ବାଦ୍‍ଶାଙ୍କୁ ଥରେ ମୁଁ ଯେପରି ଦେଖେଁ, ତାଙ୍କ ସଙ୍ଗେ ପଦେ ଅଧେ କଥାବାର୍ତ୍ତା କରିପାରେ, ଦୟାକରି ତହିଁର ଉପାୟ କରିବ । ଏତେବେଳେ ଏକା ତୁମେ ମୋର ସହାୟ, ସହଚରୀ । ଯାହା କହିବି, କରିବି–ଯାହା ଲୋଡ଼ିବ, ଦେବି । ଏଥିପୂର୍ବେ ତୁମ ପ୍ରତି ଯେଉଁ ଅଭଦ୍ର, ନିଷ୍ଠୁର ଆଚରଣ କରିଥିଲି, ସେ ସବୁ ମାଫ କରି, ମନରୁ ପୋଛି ଦେଇ ମୋ ପ୍ରାଣରେ ଚେତନା ଦିଅ, ଶାନ୍ତି ଦିଅ ।’ ଏହା କହୁଁ କହୁଁ ମହିଷୀଙ୍କ ଚକ୍ଷୁରୁ ଲୋତକ ଧାରା ଗଡ଼ିଗଲା-

 

ତାଙ୍କର ଆର୍ତ୍ତ ବାକ୍ୟରେ ଇନ୍ଦିରାଙ୍କ ହୃଦୟ ଦ୍ରଵୀଭୂତ ହୋଇଗଲା । ମହାଲ୍‍ରେ ବନ୍ଦିନୀ ହୋଇଥିଲେ ହେଁ, ସେ ଉଦିପୁରୀଙ୍କ ଅନୁରୋଧ ରକ୍ଷା କରିବାକୁ ସ୍ୱୀକୃତ ହେଲେ । ତାଙ୍କଠରୁ ଆବଶ୍ୟକୀୟ ଧନ, ଦ୍ରବ୍ୟ ନେଇ, ଶଯ୍ୟାଗତ ସମ୍ରାଟଙ୍କ ନିକଟକୁ ତାହାଙ୍କୁ ଅତି କୌଶଳରେ ଗୁପ୍ତଭାବରେ ପଠାଇବା ପାଇଁ ସ୍ଥିରପ୍ରତିଜ୍ଞ ହେଲେ । ପରେ ସେ ରୌଶନ୍ୱାରା-ମହାଲ୍‍ର ପ୍ରହରୀ ଓ ଭୃତ୍ୟମାନଙ୍କୁ ଧନରତ୍ନ ଦେଇ ବଶ କରି ପକାଇଲେ । ଦୁଷ୍ଟା ଭ୍ରଷ୍ଟା ମନ୍ଥରାବତାର ଶାହାଜାଦୀଙ୍କ ପ୍ରତି ଚାକର ବାକର, କର୍ମଚାରୀ–ସମସ୍ତଙ୍କର ବଡ଼ ଭୟ । ତଥାପି ଧନ-ଲୋଭରେ ପଡ଼ି ଵିପଦାଶଙ୍କାକୁ ପଚାରେ କିଏ ? ମରଣ ଭୟକୁ ଦୂରରେ ଫିଙ୍ଗି ନ ଦିଏ କିଏ ? ପଣ୍ଡିତ ବିଷ୍ଣୁଶର୍ମା-ରଚିତ ବ୍ୟାଘ୍ର-ବ୍ରାହ୍ମଣ ଗଳ୍ପହିଁ ଏହାର ଜ୍ୱଳନ୍ତ ଉଦାହରଣ ।

 

ଦିନେ ରାତ୍ରି ପ୍ରାୟ ଆଠଘଣ୍ଟା ବେଳେ, ଚତୁରା ଇନ୍ଦିରା ଉଦିପୁରୀଙ୍କୁ ବାଦ୍‍ଶାହାଙ୍କ ନିକଟରେ ନେଇ ଛାଡ଼ି ଆସିଲେ । ରୌଶନ୍ୱାରା ସେତେବେଳେ ନିକଟସ୍ଥ ଏକ କୋଠରୀରେ ଚିନ୍ତିତ ମନରେ, ବିଚଳିତ ହୃଦୟରେ ଶାୟିତା । ସାମ୍ରାଜ୍ୟ-ଲାଭ-ଭାବନାରେ ତାଙ୍କ ପ୍ରାଣ ଆଲୋଡ଼ିତ–ସୁତରାଂ ସୁଖ-ନିଦ୍ରାର ଅଭାବ ! ସମ୍ରାଟଙ୍କ ରୋଗ-ଶଯ୍ୟା ନିକଟରେ ରୌଶନ୍ୱାରାଙ୍କୁ ନ ଦେଖି, ମହିଷୀ ଧୀରେ ଧୀରେ ପତି ପାଖକୁ ଯାଇ ତାଙ୍କ ଗୋଡ଼ ଉପରେ ହାତ ବୁଲାଇଲେ । ସମ୍ରାଟ ସେହି ସମୟରେ ଚୈତନ୍ୟ-ଶୂନ୍ୟ । ତାଙ୍କର ବିକୃତ ରୂପ, ଦାରୁଣ ଦୁର୍ବଳତା ଦେଖି ଉଦିପୁରୀଙ୍କ ପ୍ରାଣ ବିକଳ, ଭଗ୍ନ ହୋଇ ପଡ଼ିଲା–ଶରୀର ଥରିଗଲା । ସେ କାନ୍ଦି କାନ୍ଦି ସମ୍ରାଟଙ୍କର ସର୍ବାଙ୍ଗ ସ୍ପର୍ଶ କଲେ । କିଛିକ୍ଷଣ ପରେ ବାଦ୍‍ଶା ସଂଜ୍ଞାଲାଭ କଲେ, ଏବଂ ସ୍ନେହରେ, ପ୍ରାଣର ମହିଷୀଙ୍କୁ ପାଖରେ ଦେଖି ଅଶ୍ରୁସିକ୍ତ ଚକ୍ଷୁରେ ଧୀର ଅସ୍ପଷ୍ଟ କାନ୍ଥରେ କହିଲେ,–‘ଏତେ ଦିନକେ....’

 

ମୁମୂର୍ଷୁ ସ୍ୱାମୀଙ୍କର ଏହି ମର୍ମଭେଦୀ ଆପେକ୍ଷରେ, ଏହି କରୁଣ କଥାରେ ଉଦିପୁରୀଙ୍କ ହୃତ୍‍ପିଣ୍ଡ ଦଷ୍ଟ, ଦେହ କଣ୍ଟକିତ ! ସେ ଲୋତକାଦ୍ର ନୟନରେ ତାପ-ତପ୍ତ ଉଚ୍ଚ କଣ୍ଠରେ ଷଡ଼ଯନ୍ତ୍ର-କୁଶଳା ରୌଶନ୍ୱାରାଙ୍କ ଅତ୍ୟାଚାର, ନିର୍ମମ ଆଚରଣ ଇତ୍ୟାଦି ବିଷୟ ଜଣାଇଲେ । କେବଳ ଶାହାଜାଦୀଙ୍କର ନିର୍ଦ୍ଦୟ ନିଷେଧାଜ୍ଞା ଯୋଗୁଁ ହିଁ ଉଦିପୁରୀ ଆଜିଯାଏଁ ତାଙ୍କଠାକୁ ଆସିପାରି ନଥିବାର ଜାଣି, ସମ୍ରାଟଙ୍କ ଦୁର୍ବଳ ଚକ୍ଷୁର ସବଳ ଜଳପାତରେ ତାଙ୍କର ଅସ୍ଥି-ଚର୍ମ-ସାର ବକ୍ଷଟି ଏକାବେଳକେ ପ୍ଲାବିତ ହୋଇଗଲା । ସେ କିନ୍ତୁ କିଛି କହିପାରିଲେ ନାହିଁ–ପୁନର୍ବାର ତାଙ୍କର ସଂଜ୍ଞା-ଲୋପ ହେଲା ।

 

ଉଦିପୁରୀଙ୍କ କଥାସବୁ କାନରେ ପଡ଼ିବ ମାତ୍ରେ, ରୌଶନ୍ୱାରା ଭୀମ ଭୂମିକମ୍ପ, ପ୍ରଳୟ ପ୍ରଭଞ୍ଜନ ତୁଲ୍ୟ ଗର୍ଜ୍ଜନ କରି ଉଠିଲେ । କକ୍ଷରୁ ଯଷ୍ଟିହସ୍ତରେ ବାହାରି ଅନଳୋଚ୍ଛ୍ଵସିତ ସ୍ୱରରେ ଅଗ୍ନିଶିଖାମୟୀ ଚକ୍ଷୁରେ କର୍କଶୋକ୍ତି ଉଦ୍‍ଗୀରିଣ କରୁଁ କରୁଁ ହଠାତ୍‍ ମହିଷୀଙ୍କ ଉପରେ ଯାଇ ପଡ଼ିଲେ ଏବଂ ତାଙ୍କୁ ଭୀଷଣ ପ୍ରହାର କଲେ । ମହିଷୀଙ୍କ ସୁକୋମଳ ସୁକୁମାର ଦେହ କ୍ଷତବିକ୍ଷତ, ରୁଧିରାକ୍ତ ! ସେ ଏକାବେଳକେ ମୂର୍ଚ୍ଛିତ ପ୍ରହରୀଦଳ ସଂତ୍ରସ୍ତ ! ପରେ ରୌଶନ୍ୱାରା ମୂର୍ଚ୍ଛାପ୍ରାପ୍ତ ଉଦିପୁରୀଙ୍କ କେଶ ଟାଣି ତାହାଙ୍କୁ କକ୍ଷ ବାହାରେ ପକାଇ ଦ୍ୱାର ବନ୍ଦ କରିଦେଲେ ।

 

ଇନ୍ଦିରା ଦ୍ୱାରଦେଶରେ ଲୁଚି ରହିଥିଲେ । ଏହି ଦୁର୍ଘଟନା ଦେଖି ତାଙ୍କ ହୃଦୟ ତନ୍ତ୍ରୀରେ ଗୁରୁ ଆଘାତ ଲାଗିଲା । ସେ ସେହିକ୍ଷଣି ସ୍ୱୟଂ ଆହତ ଉଦିପୁରୀଙ୍କୁ ଭୂମିରୁ ଉଠାଇ ତାଙ୍କ ମହାଲ୍‍ ଭିତରେ ନେଇ ପହଞ୍ଚାଇ ଦେଲେ । ତାଙ୍କର ପରିଚର୍ଯ୍ୟା ଓ ଔଷଧ-ବ୍ୟବସ୍ଥାରେ ମହିଷୀ କିଛି ସମୟ ପରେ ସୁସ୍ଥ ହୋଇ ବସିଲେ । ମନୋବେଦନାର ବିରାମ ନାହିଁ–ଶୋକ ପ୍ରକାଶର ଶାନ୍ତି ନାହିଁ । କ୍ରମାଗତ ବିଳାପ କଲେ । ସେତେବେଳେ କିନ୍ତୁ ପର-କ୍ଳେଶ-କାତରା ଇନ୍ଦିରାଙ୍କ ପ୍ରବୋଧ ବାକ୍ୟହିଁ ତାଙ୍କର ଏକମାତ୍ର ଅବଲମ୍ବନ–ବେଦନା-ଵିସ୍ମରଣର ପ୍ରଧାନ ଉପାୟ । ଇନ୍ଦିରାଙ୍କ ପ୍ରତି ତାଙ୍କର ସୋହାଗ, ଭକ୍ତ ଓ ପ୍ରତ୍ୟୟ ଶତ ଗୁଣ ବଢ଼ି ଉଠିଲା । ଉପକାର ଓ ଉପଦେଶ ପାଇଁ ସେ ତାଙ୍କୁ ଅଶେଷ ଆନ୍ତରିକ ସାଧୁବାଦ ଦେଇ, ଗଭୀର କୃତଜ୍ଞତା ଦେଖାଇ ତାଙ୍କୁ ନିଜ କକ୍ଷରେ ହିଁ ରଖିଲେ–ମୁହୂର୍ତ୍ତ ମାତ୍ର ପାଖରୁ ଛାଡ଼ିଲେ ନାହିଁ । ଇନ୍ଦିରା ତାଙ୍କର ଆଉ ହିନା ଦାସୀ ନୁହନ୍ତି–ଅନ୍ତରଙ୍ଗ ସଙ୍ଗିନୀ, ଆରାଧ୍ୟା ଦେବୀ, ସୁଖ-ଶାନ୍ତିର ଆଶ୍ରୟ-ସ୍ଥଳ ! ତାଙ୍କ ହାତରେ କୌଣସି ଦାସୀ-କାମ ଆଉ କରାଇଲେ ନାହିଁ–ତାଙ୍କ ଉପରେ ସମସ୍ତ ସୁଖ ସୁବିଧା ଢାଳି ଦେଲେ ।

 

ସବୁଦିନ ଏକାପରି ଯାଏ ନାହିଁ–ବାଧାବିଘ୍ନ, ଦୁଃଖ ଶୋକ ଏକାପରି ରହେ ନାହିଁ–ରୋଗ ଯନ୍ତ୍ରଣା ଏକାପରି ଚାଲେ ନାହିଁ । ସୌଭାଗ୍ୟ ବଳରେ ସମ୍ରାଟ ଆସ୍ତେ ଆସ୍ତେ ରୋଗ-ଗ୍ରାସରୁ ମୁକ୍ତ ହେଲେ–କ୍ରମେ ସୁସ୍ଥ ସବଳ ହୋଇ ଉଠିଲେ । ଉଦିପୁରୀଙ୍କ ଉପରେ ଆଶ୍ୱାସନା ଓ ଆନନ୍ଦର ସ୍ନିଗଧ ସୁଶୀତଳ ବାରି ବର୍ଷଣ ହେଲା–ପୁନର୍ବାର ବାଦ୍‍ଶାଙ୍କ ଦର୍ଶନ, ଆଳାପ-ସୁଖ ଲାଭରେ ତାଙ୍କର ପିଷ୍ଟ ପ୍ରାଣ ପୁଷ୍ଟ ହେଲା ।

 

ଏଣେ ହତ-ପ୍ରଯତ୍ନ ହୋଇ ଜୀବନ୍ତ କୋପର ଜ୍ୱଳନ୍ତ ପ୍ରତିମୂର୍ତ୍ତି ରୌଶନ୍ୱାରା ପ୍ରହରିମାନଙ୍କ ଉପରେ ଅନଳବୃଷ୍ଟି କରିଦେଲେ–ସେମାନଙ୍କୁ ଦାରୁଣ ଦଣ୍ଡ ଦାନ କଲେ ଏବଂ ମହିଷୀଙ୍କ ସର୍ବନାଶର ସୁଯୋଗ ଜଗି ରହିଲେ । ଭାବି ଉତ୍ତ୍ୟକ୍ତ ହେଲେ, ଇନ୍ଦିରାଙ୍କ ଲାଗିହିଁ ତାଙ୍କର ପୂର୍ଣ୍ଣ ପରାଭଵ, ତୀବ୍ର ତାପ । ଆଗେ ଇନ୍ଦିରାଙ୍କୁ ଯାତନା ଦେବା ପାଇଁ–ସୁବିଧା ଦେଖି ତାଙ୍କ ଦେହରୁ ଛିନ୍ନ କରିଦେବା ନିମିତ୍ତ ପ୍ରଖର-ପ୍ରତିଜ୍ଞ ହେଲେ ।

 

ଉଦିପୁରୀଙ୍କ ମୁଖରୁ ରୌଶନ୍ୱାରାଙ୍କର ଵୀଭତ୍ସ ବ୍ୟବହାର, କଦର୍ଯ୍ୟ କାଣ୍ଡ ସମ୍ବନ୍ଧରେ ଶୁଣି ସମ୍ରାଟ ଅତିଶୟ ବ୍ୟଥିତ, କୁପିତ ହୋଇ ଉଠିଲେ–ଶାହାଜାଦୀଙ୍କ ପ୍ରତି ତାଙ୍କ ମନରେ ରୁଦ୍ର ଘୃଣା, ରୁକ୍ଷ ଅବିଶ୍ୱାସ ଜନ୍ମିଲା । ତାଙ୍କ ସମକ୍ଷରେ କିନ୍ତୁ କେବେ କୌଣସି କଟୁ ଭାଷଣ, ନିନ୍ଦାବାଦ କରି ପାରିଲେ ନାହିଁ । କରିବେ କ’ଣ ? ତାଙ୍କ ଯୋଗୁଁ ସେ ଯେ ଭାରତ-ଭର୍ତ୍ତା ! ଉଦିପୁରୀ ତାଙ୍କର ଚିର-କଣ୍ଟକ ରୌଶନ୍ୱାରାଙ୍କ ପ୍ରତି ପ୍ରଚଣ୍ଡ ପ୍ରତିଶୋଧ ନେବା ସକାଶେ ସମୟ ପ୍ରତୀକ୍ଷା କରିବାକୁ ଲାଗିଲେ ।

Image

 

ଦ୍ୱାବିଂଶ ପରିଚ୍ଛେଦ

(ଛୋଟସିଂହ ବନ୍ଦୀ)

 

ସେଦିନ ମହିଷୀଙ୍କ କକ୍ଷକୁ ବାଦ୍‍ଶା ଆସୁଥିବାର ଶୁଣିବା ମାତ୍ରେ, ମଶାବତ୍‍ ଛୋଟସିଂହ ନିକଟସ୍ଥ ଏକ କୋଠରିରେ ନେଇ ଭରତି କରିବା କଥିତ ହୋଇଅଛି । ମଶାବତ୍‍ର ଉଦ୍ଦେଶ୍ୟ ଥିଲା, ସମ୍ରାଟ ଅନ୍ତଃପୁର ତ୍ୟାଗ କରିବା ପରେ ଛୋଟସିଂହଙ୍କୁ କୋଠରିରୁ ବାହାର କରିବ । କିନ୍ତୁ ମହାଲ୍‍ କାର୍ଯ୍ୟରେ ବ୍ୟତିବ୍ୟସ୍ତଥିବାରୁ, ସେ ଏକାବେଳକେ ଚିତ୍ରକର କଥା ପାଶୋରି ଦେଲା । ରାତ୍ରି ପ୍ରାୟ ନ’ଘଣ୍ଟା ସମୟରେ ମନେ ପଡ଼ିବାରୁ ସେ ସେହି କକ୍ଷକୁ ଧାଇଁ ଯାଇଁ ଦେଖିଲା, ସେଠାରେ ଛୋଟସିଂହ ନାହାନ୍ତି । ଏଣୁ ଭାବିଲା, ମହାଲ୍‍ରେ ଅପରିଚିତ ଥିବା ଯୋଗୁଁ ଚିତ୍ରକର ଭୟରେ କୌଣସି ସ୍ଥାନକୁ ଲୁଚି ପଳାଇଲେ । କକ୍ଷଟିରେ ନିଜେ ଯେ କୋଲପ ଭିଡ଼ିଥିଲା, ସେ କଥା ଆଉ ତା’ ମନେ ପଡ଼ିଲା ନାହିଁ ।

 

ଉଦିପୁରୀଙ୍କ ମନ୍ଦିରରୁ ଯାଉଁ ଯାଉଁ ଚତୁର ଚିତ୍ରାଙ୍କନ-ନିପୁଣ ଛୋଟ ସିଂହ ଶାହାଜାଦୀଙ୍କ ପରିଚାରକ ଫାରକ୍‍ଷାଇରର ପ୍ରତିକୃତ ଟାଣିବା ଏବଂ ରୌଶନ୍ଵାରାଙ୍କ ଭଗ୍ନ ବୀଣାଟିର ସଂସ୍କାର କରିବା ଇତ୍ୟାଦି ବିଷୟ ପାଠକମାନଙ୍କର ଅବିଦିତ ନାହିଁ । ଫାର୍‍କଷାଇର ଜୀର୍ଣ୍ଣୋଦ୍ଧୃତ ବୀଣା ଧରି ଶାହାଜାଦୀଙ୍କ ନିକଟକୁ ଫେରିବା ପରେ, ତାହା ଦେଖି ରୌଶନ୍ୱାରା ବିଶେଷ ପ୍ରୀତ ହୋଇ ସନ୍ତୋଷ-ସିକ୍ତ ମୁଖରେ କହିଲେ,–‘ଏତେ ଶୀଘ୍ର କେଉଁଠି ମରାମତି କରି ଆଣିଲୁ ? ବେଶ ! ପୁଣି ସୁନ୍ଦର ହୋଇଗଲା ଯନ୍ତ୍ରଟି ।’ ତାହାଙ୍କୁ ନିରତିଶୟ ପ୍ରସନ୍ନ ଥିବାର ଦେଖି ଫାରକ୍‍ଷାଇର ଜଣାଇଲା,–‘ଦେବି ! ବୀଣାଟି ଧରି ବଜାରକୁ ଯିବାବେଳେ, ମହାଲ୍‍ ଭିତରେ ଜଣେ ଚିତ୍ରକରକୁ ଦେଖିଲି–ତାହାର ନାମ ଛୋଟସିଂହ । କହିପାରେଁ, ସେ ଜଣେ ଅବତାର-ପୁରୁଷ । ତାହାପରି ମସ୍ତବଡ଼ ଚିତ୍ରକର ପୃଥିବୀରେ କେହି ଥିବ, ଆଉ କେବେ ଜନ୍ମ ହେବ ବୋଲି ବିଶ୍ୱାସ ହେଉନାହିଁ । ଆହା କି ସୁନ୍ଦର ଛବି ! ସେ ତାହାର ଚିତ୍ରରେ ପ୍ରାଣ ପ୍ରତିଷ୍ଠା କରି ପକାଉଛି–ସତେ ଯେପରି ଠିକ ଜୀବନ୍ତ ମୂର୍ତ୍ତି ।

 

‘ଏହା ଦେଖି ତାହାର ଗୋଲାମି କରିବାକୁ ଇଚ୍ଛା ହେଉଛି । ବାଦ୍ୟଯନ୍ତ୍ର ସବୁ ତିଆରି କରିବା ବି ତାହାକୁ ବେଶ୍‍ ମାଲୁମ୍‍ । ବୀଣାଟି ଏକ ମୁହୂର୍ତ୍ତ ଭିତରେ ଠିକ୍‍ କରିଦେଲା । ସଙ୍ଗୀତ ମଧ୍ୟ ଭଲ ଜାଣେ । ହାତୀଦାନ୍ତରେ ସେ ଖଣ୍ଡିଏ ବିଞ୍ଚଣା ତିଆରି କରିଛି ମା, କଣ କହିବି ସେ କଥା । ସେ ଭଳି କେବେ ଦେଖି ନାହିଁ କି ଦେଖିବି ନାହିଁ । ବିଞ୍ଚଣା ମଧ୍ୟରେ ଉଦିପୁରୀ ଆଉ ବାଦ୍‍ଶାହାଙ୍କର ଛବି ସୁନ୍ଦର ଫୁଟାଇ ଉଦିପୁରୀଙ୍କୁ ନାନା ଅଳଙ୍କାରରେ ମଣ୍ଡି ଦେଇଛି, ବିଞ୍ଚଣାଟିରେ ଗୁଡ଼ାଏ ମଣି ମାଣିକ୍ୟ ହୀରା ନୀଳା ଗୁଞ୍ଜି ଦେଇଛି । ବଡ଼ ବିଚିତ୍ର ! ତାହା ମହିଷୀଙ୍କୁ ଦେଇ ବଖ୍‍ଶିସ୍‍ ନେବା ପାଇଁ ଆସିଛି ।’

 

ରୌଶନ୍ୱାରାଙ୍କ ଦେହରେ ଯେପରି ତପ୍ତ ଶଳାକା ବିଦ୍ଧ ହୋଇଗଲା ! ସେ କୋପରେ କମ୍ପି, ଚକ୍ଷୁ ପିତୁଳା ଥରାଇ ଦେଇ ଅଧର କାମୁଡ଼ିପକାଇ ରୁଦ୍ର କଣ୍ଠରେ କହିଲେ,–‘ଏତେ ସାହସ ସେ ଦରପୋଡ଼ା ଚିତ୍ରକରର ! ଏତେ ଗର୍ବ ! ଜାହାନ୍ନ।ମକୁ ଯାଉ ତା’ର ଚିତ୍ରବିଦ୍ୟା–ଚୁଲିରେ ପଶୁ ତା’ର ସଙ୍ଗୀତ-ଜ୍ଞାନ ! ଆଗେ ମୋଠାକୁ ନ ଆସି ଯାଉଛି ଉଦିପୁରୀ ପାଖକୁ ? ବଖ୍‍ଶିସ୍‍ ପାଇବ ! ଭାରତର ଦ୍ଵିତୀୟ ବାଦ୍‍ଶାକୁ ହୀନ, ନୀଚ ଦୃଷ୍ଟିରେ ଦେଖି ଅପମାନ ଦେଇଛି । ପାଇବ ତା’ର ଉଚିତ ଫଳ–ଦେଖିବି ତା’ର କେଡ଼େ କରାମତ୍‍ ।’

 

ଛୋଟସିଂହ-ଗୁଣ-ମୁଗଧ ଫାରକ୍‍ଷାଇରର ଆଶଙ୍କା ହେଲା–ଛୋଟସିଂହ ଶାହାଜାଦୀଙ୍କ ହାତରେ କଥିବ ଦଣ୍ଡ ପାଇବେ । କରଯୋଡ଼ି କହିଲା,–‘ଅକାରଣ ରାଗ କର ନାହିଁ, ଶାହାଜାଦୀ ! ଛୋଟସିଂହର ସେପରି କିଛି ଗର୍ବ, ଅହଂକାର ନାହିଁ । ତାହାକୁ ତୁମ ଛାମୁକୁ ଆଣିବା ପାଇଁ ସେ ମୋତେ କେତେ ପ୍ରାର୍ଥନା କରିଛି–ହାତ ଧରି ପକାଇ କେତେ କହିଛି ! ଆଗେ ତୁମ ଠାକୁହିଁ, ବୋଧହୁଏ, ଆସିବା ତା’ର ଉଦ୍ଦେଶ୍ୟ । ଏଠାକୁ ନ ଆସି ଯିବ ନାହିଁ । ଆହୁରି ଉଦିପୁରୀ ପାଖକୁ ଯାଇ ନ ଥିବ ।’

 

ତଥାପି ରୌଶନ୍ୱାରାଙ୍କର କ୍ରୋଧଭାର ଶିଥିଳ ହେଲା ନାହିଁ । ଚଞ୍ଚଳ ଯାଇ ଛୋଟସିଂହଙ୍କୁ ଡାକୁ ଆଣିବା ନିମିତ୍ତ ଫାରକ୍‍ଷାଇରକୁ ଆଦେଶ କଲେ । ସେବକ ସେହିକ୍ଷଣି ଧାଇଁଗଲା । ସେତେବେଳେ କିନ୍ତୁ ଛୋଟସିଂହ ଉଦିପୁରୀ-ମହାଲ୍‍କୁ ବାହାରି ଗଲେଣି । ଫାରକ୍‍ ଭୟ କଲା, ଆଗକୁ ଆପଦ ଥୁଆ । ଡରି ଥରି ଶାହାଜାଦୀଙ୍କ ନିକଟକୁ ବାହୁଡ଼ି ସେ କଥା ଜଣାଇଲା-। କ୍ରୋଧରେ ଆହୁତି ମାତ୍ର ! ରୌଶନ୍ୱାରା ଉଗ୍ର ଯମ-ମୂର୍ତ୍ତି ଦେଖାଇ ଦୁଇ ଜଣ ଚାକରଙ୍କୁ କହିଲେ ଯେ, ଛୋଟସିଂହ ମହିଷୀ-କକ୍ଷରୁ ପାଦ କାଢ଼ିବା ମାତ୍ରେ ସେମାନେ ତାଙ୍କୁ ବାନ୍ଧି ନେଇ ମହାଲ୍‍ ମଧ୍ୟରେ ବନ୍ଦି କରିଦେବେ ।

 

ଦୁହେଁ ତରତର ହୋଇ ଉଦିପୁରୀ-ମନ୍ଦିରକୁ ଦୌଡ଼ିଲେ, ସେତେବେଳେ ସନ୍ଧ୍ୟା ଆଗତ ପ୍ରାୟ । ରାତ୍ରି ପର୍ଯ୍ୟନ୍ତ ସେମାନେ ସେଠାରେ ଲୁଚି ଅପେକ୍ଷା କରି ରହିଲେ । ସମ୍ରାଟ ସେଠାକୁ ଆସିବାର ଅବ୍ୟବହିତ ପୂର୍ବେ ମଶାବତ୍‍ ଛୋଟସିଂହଙ୍କୁ ଗୋଟିଏ ନିର୍ଜ୍ଜନ କକ୍ଷରେ ରଖି ଦ୍ୱାର ରୁଦ୍ଧ କରିଦେଲା । ସେ ଦୁଇ ଜଣ ତତ୍‍କ୍ଷଣାତ ସେହି କୋଠରିର ଚାବି ଭାଙ୍ଗି, ଭିତରେ ପଶି ବିଚରା ଛୋଟସିଂହଙ୍କ ମୁଖ ବସ୍ତ୍ର-ଖଣ୍ଡରେ ବନ୍ଦ କରି ଦେଲେ ଏବଂ ତାହାଙ୍କୁ ନେଇ ମହାଲ୍‍ କାରାଗାରରେ ଭରତି କରିଦେଲେ ।

 

ଫାରକ୍‍ଷାଇର୍‍ ଅନେକ ଥର ଛୋଟସିଂହଙ୍କର ମୁକ୍ତି-ଚେଷ୍ଟା କଲା, କିନ୍ତୁ ଦୁଃଖର ବିଷୟ, କୃତକାର୍ଯ୍ୟ ନ ହୋଇ ବ୍ୟଥିତ ହୋଇପଡ଼ିଲା । ତଥାପି ସେ ଜଇଲରେ ଛୋଟସିଂହଙ୍କର ସକଳ ସୁବିଧା କରିଦେଲା ଏବଂ ପ୍ରତ୍ୟହ ତାହାଙ୍କୁ ଆବଶ୍ୟକୀୟ ପଦାର୍ଥ ଯୋଗାଇ ବିବିଧ ସାନ୍ତ୍ୱନା ଦେବାକୁ ଲାଗିଲା । କେବଳ ସେ ନୁହେ–ଛୋଟସିଂହଙ୍କ ଠାରୁ ନିଜ ନିଜର ଅଦ୍‍ଭୁତ ମନୋହର ଫଟୋ ପାଇ ଆପ୍ୟାୟିତ, ବଶୀଭୂତ ହୋଇଥିବା ରୌଶନ୍ୱାରାଙ୍କର ଅନ୍ୟାନ୍ୟ ସକଳ ଭୃତ୍ୟ ସୁଦ୍ଧା ପ୍ରତି ମୁହୂର୍ତ୍ତ ବନ୍ଦିଶାଳାକୁ ଯାଇ ତାହାଙ୍କୁ ପ୍ରବୋଧ ଦେଉଥିଲେ, ଏବଂ ଦରକାର ହେବା ଜିନିଷ ଯୋଗାଉ ଥିଲେ । ସମସ୍ତଙ୍କ ଅପେକ୍ଷା କିନ୍ତୁ ଫାରକ୍‍ଷାଇରର ଅଧିକ ଯତ୍ନ–ଛୋଟସିଂହଙ୍କ ପ୍ରତି ତାହାର ବିଶେଷ ବିଶ୍ୱାସ, ପ୍ରଗାଢ଼ ପ୍ରେମ । ତାହାର ଅପୂର୍ବ ଆଦର ସ୍ନେହର ଛୋଟସିଂହ, ବନ୍ଦି ହେଲେହେଁ, ସୁଖୀ ଓ ତୁଷ୍ଟ ।

 

ଦିନେ ମଧ୍ୟାହ୍ନବେଳେ ରୌଶନ୍ୱାରା ଭୋଜନାଦି ସମାପନ କରି ନିଜ ମନ୍ଦିର ମଧ୍ୟରେ ବସି ବହୁ ସମୟ ବିସ୍ତର ଚିନ୍ତା କରିବାକୁ ଲାଗିଲେ । ପରେ ଛୋଟସିଂହଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ ଫାରକ୍‍ଷାଇର୍‍କୁ ଆଦେଶ କଲେ । ସେ ଶାହାଜାଦୀଙ୍କ ହୁକୁମ ଜଣାଇ ସେହିକ୍ଷଣି କାରାଗୃହରୁ ଛୋଟସିଂହଙ୍କୁ ବାହାର କଲା ଏବଂ ତାଙ୍କୁ ରୌଶନ୍ୱାରାଙ୍କ ଆଗରେ ନେଇ ଠିଆ କରାଇ ଦେଲା । ସେଠାରେ ପହଞ୍ଚିବା ମାତ୍ରେ ଛୋଟସିଂହଙ୍କ ପ୍ରାଣରେ ଆପଦାଶଙ୍କା ଉଦ୍ରିକ୍ତ ହେଲା–ତାହା କିନ୍ତୁ ଶୀଘ୍ର ତିରୋହିତ ହୋଇଗଲା । ନିଜର ସମସ୍ତ ଭାଗ୍ୟ-ଭାର ମଙ୍ଗଳମୟଙ୍କ ଚରଣରେ ଅର୍ପଣ କରି, ଛୋଟସିଂହ ହୃଦୟରେ ଧେର୍ଯ୍ୟ ସଞ୍ଚୟ କରି ରୌଶନ୍ୱାରାଙ୍କ ସମ୍ମୁଖରେ ଧୀର ସ୍ଥିର ଭାବରେ ଠିଆ ହେଲେ । ରୌଶନ୍ୱାରା କିଛି ସମୟ ନିର୍ନିମେଷ ଚକ୍ଷୁରେ ବନ୍ଦୀ ଚିତ୍ରକରଙ୍କ ମଥାରୁ ପାଦ ଯାଏଁ ନିରୀକ୍ଷଣ କଲେ । ଆକାର ଦେଖି ଠଉରେଇବାରେ ସେ ଅତି କୁଶଳା । ସ୍ଥିର କଲେ, ଛୋଟସିଂହ କପଟବେଶୀ ଜଣେ ରାଜପୁତ୍‍ । ଚକ୍ଷୁ ଆରକ୍ତ କରିଦେଇ ପଚାରିଲେ,–‘କିଏ ତୁ ? ଉଦିପୁରୀ ମହାଲ୍‍କୁ ଯାଇଥିଲୁ କାହିଁକି ?’

 

‘ମା, ମୁଁ ଜଣେ ଚିତ୍ରକର । ହାତୀଦାନ୍ତରେ ନାନା ରକମ ଜିନିଷ ବନାଇ ତୁମ ଭଳି ବଡ଼ ବଡ଼ ଲୋକଙ୍କୁ ଦେଇ ରୋଜଗାର କିଛି କରିବା ମୋର ଉଦ୍ଦେଶ୍ୟ । ଏଥିପାଇଁ ଆସିଛି ।’

 

‘ଛି ଗଧ ! ମିଛ କହ ନା । ଉଦିପୁରୀ ସଙ୍ଗେ କି ସମ୍ବନ୍ଧ ତୋର ? କାହିଁକି ସେଠାକୁ ଯାଇଥିଲୁ ?

 

‘ଏହିକ୍ଷଣି ତ କହିଲି ମା’ । ବିଞ୍ଚଣାଟି ଦେଇ ତାଙ୍କଠୁଁ କିଛି ବଖ୍‍ଶିସ୍‍ ପାଇବା ଆଶାରେ ଯାଇଥିଲି । ଏହାଠାରୁ ଅଧିକ ସତ୍ୟ ଆଉ କଣ ହୋଇପାରେ ?’

 

‘ଦୁଷ୍ଟ ! ପ୍ରାଣର ଯଦି ଲୋଭଥାଏ, ପୁଣି ପଚାରେ–କହ ଠିକ୍‍ ! ତୋର ସମସ୍ତ ଖବର ରଖିଛି । କିଏ ତୁ ଜାଣେ ମୁଁ । ତଥାପି, ତୋ କଥାର ସତ୍ୟାସତ୍ୟ ପରୀକ୍ଷା କରିବାକୁ ଏହା ପଚାରୁଛି-। କିଛି କଣ ବୁଝିନାହିଁ, ମନେ କରିଛୁ ? ଖବର୍‍ଦାର୍‍ !’

 

‘ତୁମେ ଜାଣ ବା ନ ଜାଣ–ଯାହା କହିଛି, ସତ୍ୟ । ଏହା ପରିହାସ ନୁହେ । ଏହାଠାରୁ ବଳି ଗମ୍ଭୀର ଭାବରେ ଜୀବନରେ କେବେ ମୁଁ କଥା କହି ନାହିଁ । ମୁଁ ଜଣେ ଗରିବ ସନ୍ତାନ । ତୁମପରି ଲୋକଙ୍କ ଦୟାରେ ଜୀବନ ଚଳାଇବା ପାଇଁ ଆସିଛୁଁ ଏ ସହରକୁ । ମାତ୍ର ଦେଖୁଛି ଏବେ, ମୋ ଦଶା ଏ ଭଳି–ଦୈବ ମୋ ପ୍ରତି ନିର୍ଦ୍ଦୟ ।’

 

‘ଉଚିତ ଦଣ୍ଡ ନ ଦେଲେ ତୁ ଯେ ଠିକ କଥା କହିବୁ ନାହିଁ, ଏହା ମୁଁ ଆଗରୁ ଜାଣେ । ପଚାରିବା ମାତ୍ରେ ସତ କହିଲେ ତୋ ଦଣ୍ଡ କିଛି କମାଇ ଦେବି, ବିଚାରି ଥିଲି । ଦେଖୁଛି, ତୋ ଗତି ମତି ଭଲ ନୁହେ । ତୋ ଅଦୃଷ୍ଟ ତ ହୀନ–କରାଯିବ କଣ?’

 

ଏହା କହି ଛୋଟସିଂହଙ୍କୁ ପୁନର୍ବାର ବନ୍ଦିଶାଳାରେ ନେଇ ରଖିବା କାରଣ ସେ ଫାରକ୍‍ଷାଇର୍‍କୁ ଆଦେଶ କଲେ । ସେ ସେହିକ୍ଷଣି ତାଙ୍କ ଆଜ୍ଞା ପାଳନ କଲା । ରୌଶନ୍ୱାରା ଅତିରିକ୍ତ ଉତ୍ତ୍ୟକ୍ତ ଭାବରେ କେତେକ ସମୟ ତଳକୁ ଉପରକୁ ଚାହିଁ ଭାବିଲେ,–ଛୋଟସିଂହକୁ ବନ୍ଦି କରି ବଡ଼ ଚତୁର କାମ କରିଛି ମୁଁ । ତାହାକୁ ନିମିତ୍ତ କରି, ବାଦ୍‍ଶା ଆଗରେ ନିଆଁଲାଗି ଉଦି ବିରୁଦ୍ଧରେ ଏଣୁତେଣୁ ଧଳା କଳା ମିଛ କହି ପିଶାଚିକୁ ଉପଯୁକ୍ତ ଯାତନା ଦିଆଇବି । ତାହାର ଗର୍ବ, ଗୁମାନ ଏଥର ଗଣ୍ଡରେ ପଶିବ !’ ପାର୍ଶ୍ୱରେ ଫାରକ୍‍ଷାଇର୍‍କୁ ଦେଖି କହିଲେ,–‘ଚଞ୍ଚଳ ଯାଇ ବାଦ୍‍ଶାହାଙ୍କୁ ଜଣାଅ, ଫାରକ୍‍, ସେ ଯେଉଁ ସଜରେ ଥିବେ ସେହି ସଜରେ ହିଁ ଏଠାକୁ ଆସିବେ ।’

 

ଫାରକ୍‍ ଶୀଘ୍ର ଯାଇ ଦେଖିଲା, ସମ୍ରାଟ ସେତେବେଳେ ଉଦିପୁରୀଙ୍କ ସଂଗେ ବସି କଥାବାର୍ତ୍ତା କରୁଛନ୍ତି । ଫେରି ଯାଇ ଶାହାଜାଦୀଙ୍କୁ ତାହା ଶୁଣାଇବା ମାତ୍ରେ, ସେ ରୋଷ-ଜର୍ଜ୍ଜରିତ ହୋଇ କହିଲେ,–‘ସେ କକ୍ଷରୁ ବାହାରିବା ଯାଏ ଜଗି ରହିଲୁ ନାହିଁ କାହିଁକି, ମୂର୍ଖ ?’ ଏହା କହି ତାହାକୁ ପ୍ରହାର କରିବାକୁ ଉଠିଲେ; ଏବଂ ପୁନର୍ବାର ସମ୍ରାଟଙ୍କ ନିକଟକୁ ଯିବା ନିମନ୍ତେ କର୍କଶ ଆଜ୍ଞା ଜାରି କଲେ ।

 

ଭୀତ ଫାରକ୍‍ଷାଇର୍‍ ସେହି ମୁହୂର୍ତ୍ତରେ ଉଦିପୁରୀ-ମହାଲ୍‍କୁ ଯାଇ ଦ୍ୱାର ଦେଶରେ ବାଦ୍‍ଶାହାଙ୍କର ପ୍ରତୀକ୍ଷା କରିବାକୁ ଲାଗିଲା । କିନ୍ତୁ କରିବ କଣ ? ବାଦ୍‍ଶା ରାତ୍ରି ପର୍ଯ୍ୟନ୍ତ ମହିଷୀ ନିକଟରେ ବସି ରହିଲେ । ସେତେବେଳେ ଯାଏ ସେ ବରାବର ଜଗି ରହିଛି । ଶେଷରେ ତାହାଙ୍କୁ କକ୍ଷରୁ ବାହାରିବାର ଦେଖି କୁର୍ଣ୍ଣିସ କରି, ଶାହାଜାଦୀ କହି ପଠାଇବା ବିଷୟ ଜଣାଇଲା । ସମ୍ରାଟ କହିଲେ,–‘ହେଉ ହୈ କହି ଆଉ ଏକ ଘଣ୍ଟା ପରେ ମୁଁ ଆସୁଛି ।’ ଫାରକ୍‍ଷାଇର୍‍ ସେଠାରୁ ବିଷୟ ନେଇ, ରୌଶନ୍ୱାରାଙ୍କୁ ସେ କଥା ଶୁଣାଇଲା । ସମ୍ରାଟଙ୍କ ଉତ୍ତର ଶୁଣିବା ମାତ୍ରେ ରୌଶନ୍ୱାରା ମନେ ମନେ କଣ ଗୁଡ଼ାଏ କହି, ମୁହଁ ଛିଞ୍ଚାଡ଼ି ଦେଇ ଗାଳି ଦେଲେ,–‘ଦୂର ହୁଅ ମୋ ଆଗରୁ, ପଶୁ ।’

Image

 

ତ୍ରୟୋବିଂଶ ପରିଚ୍ଛେଦ

(ସମ୍ରାଟ ନିକଟକୁ ରାଣାଙ୍କ ପତ୍ର)

 

ଔରଂଜୀବ୍‍ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି, ପୂର୍ବ ପରି ରାଜକୀୟ କାର୍ଯ୍ୟ ସଂପାଦନର ସମର୍ଥ ହେଲେ । ବୈଦ୍ୟ, ହାକିମମାନଙ୍କୁ ପ୍ରଚୁର ଧନ, ରତ୍ନ, ଭୂମି, ଗ୍ରାମ ଉପହାର ଦେଲେ । ଦୁଃସ୍ଥ, ଦରିଦ୍ର, ନିଃସହାୟ, ବିକଳାଙ୍ଗ ପଠାଣମାନଙ୍କୁ ଦାନ କଲେ; ଫକୀରମାନଙ୍କୁ ଭୋଜନ ଦେଲେ ଏବଂ ବହୁ ଧନ ବ୍ୟୟରେ କେତେ ଗୋଟି ନୂତନ ମସଜିଦ୍‍ ନିର୍ମାଣ କରାଇଲେ ।

 

ହିନ୍ଦୁ ଜାତିର କୁତ୍ସିତ, କୁଟିଳ ଦୃଷ୍ଟିରେ ହିଁ ସେ ରୋଗାକ୍ରାନ୍ତ ଓ ଦୀର୍ଘକାଳ ଶଯ୍ୟାଗତ ହୋଇଥିଲେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ । ଏହା, ତାଙ୍କ ମତରେ, ହିନ୍ଦୁର ଏକ ଅସହନୀୟ, ଅମାର୍ଜ୍ଜନୀୟ ଅପରାଧ । ହିନ୍ଦୁ ଜାତିର ଅନିଷ୍ଟ କରିବା ସକାଶେ ତାଙ୍କର ଜନ୍ମ ! ଅତଏବ ସେ ଗରଳ ଉଦ୍‍ଗାରରେ ପ୍ରବୃତ୍ତ ହେଲେ–ସମଗ୍ର ହିନ୍ଦୁ ଜଗତର ଉତ୍‍ପୀଡ଼ନହିଁ ଅଭିପ୍ରେତ କଲେ । ସେ ପୀଡ଼ିତ ଥିବାବେଳେ ଔଷଧ ପତ୍ରାଦିରେ ଯାହା ଖର୍ଚ୍ଚ ହୋଇଥିଲା, ସେଥିର କ୍ଷତିପୂରଣ ନିମିତ୍ତ କେବଳ ହିନ୍ଦୁମାନଙ୍କ ଉପରେ ଗୋଟିଏ ଘୃଣ୍ୟ କର ଧାର୍ଯ୍ୟ କଲେ–ଏହାର ନାମ ଜେଜେୟା କର । ଅନ୍ୟାନ୍ୟ ଧର୍ମର ଲୋକେ ଏହା ଦେବାକୁ ବାଧ୍ୟ ହେଲେ ନାହିଁ । ଏହାକୁ ‘ଚୁଟୀ-କର’ ଆଖ୍ୟା ବି ଦିଆଯାଇପାରେ, ଯେହେତୁ କେବଳ ହିନ୍ଦୁ ହିଁ ସାଧାରଣରେ ମୁଣ୍ଡରେ ବେଶିବାଳ ରଖି ଜୁଡ଼ା ବାନ୍ଧୁଥିଲା କିମ୍ବା କେବଳ ଶିଖା ବା ଚୁରିକି ଖଣ୍ଡିଏ ରଖୁଥିଲା ।

 

ଜେଜେୟା ଅନିଷ୍ଟକାରିତା ବୁଝିପାରି ଉଦାର ହୃଦୟ ପରମ ରାଜନୀତି-ନିପୁଣ ସମ୍ରାଟ ଆକବର ଏହା ଉଠାଇ ଦେଇଥିଲେ । ସେହିଦିନୁ ଏହା ବନ୍ଦ ଥିଲା । ବର୍ତ୍ତମାନ ଔରଂଜୀବ୍‍ ଏହା ପୁନର୍ବାର ସ୍ଥାପନ କରି ହିନ୍ଦୁର ବେଦନା ବଢ଼ାଇବାରେ ତତ୍ପର ହେଲେ । ସ୍ତ୍ରୀ, ବାଳକ, ଯୁବକ, ବୃଦ୍ଧ–ପ୍ରତ୍ୟେକ ହିନ୍ଦୁ ନିକଟରୁ ଏହି କର ଆଦାୟ କରାଗଲା । ନିତାନ୍ତ ଗରିବକୁ ଗୃହ-ସାମଗ୍ରୀ ସବୁ ବିକ୍ରି କରି ଏହା ଦେବାକୁ ହେଉଥିଲା । ଯେଉଁମାନେ ଅନିଚ୍ଛୁକ, ସମ୍ରାଟଙ୍କ କର୍ମଚାରିଗଣ ସେମାନଙ୍କ ଘରେ ପଶି ସମସ୍ତ ଜିନିଷ ପତ୍ର, ଧନ ବସ୍ତ୍ର ଜବଦ କରି ନେଉଥିଲେ । ଏହି ଅତ୍ୟାଚାରରେ ହିନ୍ଦୁମାନେ ଭୀତ, ମର୍ମ୍ମପୀଡ଼ିତ ହେଲେ । ଲକ୍ଷ ଲକ୍ଷ ହିନ୍ଦୁ ବାଦ୍‍ଶାହାଙ୍କ ନିକଟରେ ଯୋଡ଼ହସ୍ତ ହୋଇ କର-ଦାନରେ ଅସାମର୍ଥ୍ୟ ଜଣାଇଲେ କ୍ଷମା ଭିକ୍ଷା କଲେ । କିନ୍ତୁ ବାଦ୍‍ଶାହାଙ୍କ ମନରେ ବିନ୍ଦୁ ମାତ୍ର ଦୟା, କ୍ଷମା ବସିଲା ନାହିଁ ।

 

ବାଦ୍‍ଶାହା ପ୍ରତି ଶୁକ୍ରବାର ନମାଜ ପଢ଼ିବା ପାଇଁ ମସଜିଦ୍‍କୁ ଯାଉଥିଲେ । ଥରେ ସେ ପ୍ରାର୍ଥନା-ମନ୍ଦିରକୁ ଯିବାବେଳେ, ସହସ୍ରାଧିକ ବ୍ରାହ୍ମଣ ତାଙ୍କୁ ବାଟରେ ଭେଟି ଦୁଃସହ ଜେଜେୟା ଉଠେଇଦେବା କାରଣ କାନ୍ଦି କାନ୍ଦି ଗୁହାରି କଲେ । କିନ୍ତୁ ହିନ୍ଦୁ-ହିଂସକ ଔରଂଜୀବ୍‍, ବିଷ୍ଣୁ-ବିଦ୍ୱେଷୀ ଦାନଵ ହିରଣ୍ୟକଶିପୁ ପରି, ସେହି ବ୍ରାହ୍ମଣମାନଙ୍କୁ ହସ୍ତି-ପଦତଳେ ଦଳି ଚକଟି ମାରିବା ପାଇଁ ଆଜ୍ଞା ପ୍ରଚାର କଲେ । ସେହିକ୍ଷଣି ତାଙ୍କର ନିଷ୍ଠୁର ଆଦେଶ କାର୍ଯ୍ୟରେ ପରିଣତ ହେଲା । ହରଭକ୍ତ ହିରଣ୍ୟକଶିପୁ ଯେପରି ହରି-ନାମ ଶୁଣିବା ମାତ୍ରେ କ୍ରୋଧରେ ଜଳି ଯାଉଥିଲା, ହିନ୍ଦୁହନ୍ତା ଔରଂଜୀବ୍‍ ହିନ୍ଦୁ-ନାମ ମନେ ପଡ଼ିବାକ୍ଷଣି ସେହିପରି ତାତି ଉଠୁଥିଲେ । ଏଣୁ ତାଙ୍କୁ ସପ୍ତଦେଶ ଶତାବ୍ଦୀର ଯବନ-ହିରଣ୍ୟ ଆଖ୍ୟା ଦେଲେ ବୋଧହୁଏ ଦୋଷ ହେବ ନାହିଁ । ଏଭଳି ପର-ଧର୍ମ-ଦ୍ୱେଷ–ସାଧନରେ ଔରଂଜୀବ୍‍ ଙ୍କର ସ୍ଵଧର୍ମ-ପାଳନ ଯୁକ୍ତି-ସଙ୍ଗତ ଓ ଶାସ୍ତ୍ର-ସମ୍ମତ ମନେ କରି ମୁସଲମାନ ଜାତି ତାଙ୍କର ଅବଶ୍ୟ ପ୍ରଶଂସା କରିଥାନ୍ତି । ଆଶାକରୁଁ କିନ୍ତୁ, ଏହି ବଂଶ ଶତାବ୍ଦୀରେ, ସାର୍ଥକ-ଜନ୍ମା ପୂତ-ପ୍ରାଣ ଉଦାର-ମନା ମାନବ-ଶ୍ରେଷ୍ଠ ମହାତ୍ମା ଗାନ୍ଧୀଙ୍କ ସାମ୍ୟ–ପ୍ରଚାରରେ ଯୁଗରେ, ମୁସଲମାନ ମୁସଲମାନର ଏହି ଧର୍ମ୍ମୋନ୍ମତ୍ତତାର ପ୍ରଶ୍ରୟ ଦେବନାହିଁ; ଏହି ହିନ୍ଦୁ-ହିଂସାର ପ୍ରଶଂସା ଗାଇବ ନାହିଁ–ଦୂର ଭବିଷ୍ୟତରେ ସୁଦ୍ଧା ଯେ ଏପରି କରିବ ନାହିଁ, ଏହା ହିନ୍ଦୁର ବିରାଟ ବିଶ୍ୱାସ ।

 

ଜେଜେୟା-ସ୍ଥାପନ ସଙ୍ଗେ ସଙ୍ଗେ, ରାଜ୍ୟର ଗୋବଧ କରିବା ପାଇଁ ଏବଂ ଦେବାଳୟ ସକଳ ଭାଙ୍ଗି ଦେବା ସକାଶେ ବାଦ୍‍ଶାହା ଆଦେଶ ଘୋଷଣା କଲେ । ବ୍ରହ୍ମପୁତ୍ରଠାରୁ ସିନ୍ଧୁତୀର ଯାଏଁ ହିନ୍ଦୁ ଜାତିର ଦେବ ପ୍ରତିମା ଚୂର୍ଣ୍ଣ, ଆକାଶଚୁମ୍ବି ଦେବ-ମନ୍ଦିର ସକଳ ବିନଷ୍ଟ ହେଲା; ଏବଂ ଭଗ୍ନ ଦେବାଳୟ ସ୍ଥାନରେ ମସ୍‍ଜିଦ୍‍ ମଥା ଟେକି ଠିଆ ହେଲା । ହିନ୍ଦୁସ୍ଥାନର ସ୍ଥାପତ୍ୟ କୀର୍ତ୍ତି ସବୁ ଲୋପ ପାଇଲା ।

 

ମରହଟ୍ଟା ଓ ରାଜପୁତ୍‍ମାନଙ୍କ ପ୍ରତି ଔରଂଜୀବ୍‍ଙ୍କର ଆନ୍ତରିକ ଘୃଣା, ଭୟଙ୍କର କ୍ରୋଧ । ସେମାନେ ହିନ୍ଦୁ, ଏଣୁ ଦାରୁଣ ଜେଜେୟା-ପୀଡ଼ନରୁ ଅବ୍ୟାହିତ ପାଇଲେ ନାହିଁ ! ଉଦୟପୁର ଭିନ୍ନ ରାଜପୁତ୍‍ନାର ଅନ୍ୟାନ୍ୟ ରାଜ୍ୟ ସକଳ ସେତେବେଳେ ଅତ୍ୟନ୍ତ ଦୁର୍ବଳ ଥିଲା । ସେହି ସେହି ପ୍ରଦେଶର ଶାସକମାନେ ତ୍ରସ୍ତ ହୋଇ, ଅନିଚ୍ଛା ବିରୁଦ୍ଧରେ, କରଦେବାକୁ ଲାଗିଲେ । ଆଲବାର, ଭରତପୁର, ବୁନ୍ଦି ଇତ୍ୟାଦି ସ୍ଥାନରେ ରାଜାମାନେ ‘ଆଉଳି ପାଉଳିରୋଗ ରାଉଳି ଯାଉ’ ଭାବି ବିରକ୍ତି ସହିତ ‘ନିମୁଛା ନିମୁଛି’ କରି କର ଦେଇ ପକାଉଥିଲେ । ସମ୍ରାଟ ସଙ୍ଗେ ଶତ୍ରୁତା କରିବା ସେମାନଙ୍କର ଉଦ୍ଦେଶ୍ୟ ନ ଥିଲା । ଜୟପୁରପତି ଜୟସିଂହଙ୍କ ବାହୁବଳ ଯେତେବେଳେ ମୋଗଲ–ସାମ୍ରାଜ୍ୟର ଏକ ପ୍ରଧାନ ଆଶ୍ରୟ–ସେ ବା କିପରି ଜେଜେୟା ନ ଦିଅନ୍ତେ ?

 

କିନ୍ତୁ ହିନ୍ଦୁ-ବୀରଚୂଡ଼ାମଣି ରାଣା ରାଜସିଂହ ବାଦ୍‍ଶାହାଙ୍କ ଆଦେଶ ପ୍ରଚାର ପ୍ରତି ଭ୍ରୂକ୍ଷେପ କଲେ ନାହିଁ–ଜେଜେୟା ପ୍ରତି ଆସ୍ଥା, ଭୟ ଆଦୌ ଦେଖାଇଲେ ନାହିଁ । ଜେଜେୟା ଦେବା ତେଣିକି ଥାଉ, ସମ୍ରାଟଙ୍କର କର ସଂଗ୍ରହକାରୀ କର୍ମଚାରୀଦଳ ଉଦୟପୁରର ପାଦ ଦେବାମାତ୍ରେ ରାଜସିଂହ ସେମାନଙ୍କୁ ଲାଞ୍ଛନା ଦେଇ, ବାନ୍ଧି ମାରି ରାଜ୍ୟସୀମାରୁ ତାଡ଼ି ଦେବାପାଇଁ ଆଜ୍ଞା ପ୍ରଚାର କଲେ । ସୁତରାଂ ଉଦରରେ ପ୍ଳୀହା ରୋଗ ଭଳି, ରାଣା ବାଦ୍‍ଶାହାଙ୍କର ବିଷମ ବୈରୀ ହୋଇ ବାହାରିଲେ । ତାହାଙ୍କୁ ଦାରୁଣ ଦୋଷୀ ବିବେଚନା କରି ବାଦ୍‍ଶାହା ତାଙ୍କୁ ଶାସ୍ତି ଦେବାକୁ ଯତ୍ନବାନ ହେଲେ; କିନ୍ତୁ, ଏହା ତାଙ୍କ ପକ୍ଷରେ ଦୁଃସାଧ୍ୟ ହୋଇପଡ଼ିଲା । କାରଣ, ରାଣା ସାମାନ୍ୟ ଜଣେ ରାଜପୁତ୍‍ ନୁହନ୍ତି, ସେ ହିନ୍ଦୁ ଜାତିର ଶିରୋଭୂଷଣ; ମେବାର ଖଣ୍ଡିଏ ଛୋଟ ରାଜ୍ୟ ହେଲେହେଁ, ସେଠାରେ ପ୍ରଜା ସମସ୍ତେ ବୀରପୁରୁଷ ।

 

ଅତ୍ୟାଚାରଗ୍ରସ୍ତ ହିନ୍ଦୁମାନଙ୍କ ଦୁଃଖରେ କରୁଣହୃଦୟ ରାଜସିଂହ ନିତାନ୍ତ ଦୁଃଖିତ ହୋଇ ପଡ଼ିଲେ; ସେମାନଙ୍କ ଦୁର୍ଦ୍ଦଶା, ଦୀନାବସ୍ଥା ଆଉ ସମ୍ଭାଳି ପାରିଲେ ନାହିଁ । ହସ୍ତି-ପଦ ତଳେ ଵୀଭତ୍ସ କାନ୍ଦ ଦେଖି ସେ ଅତିଶୟ ଉତ୍ତ୍ୟକ୍ତ ହୋଇଉଠିଲେ । ଉପଦେଶ ଦ୍ୱାରା ସମ୍ରାଟଙ୍କୁ ଦୁଷ୍କର୍ମରୁ ବିରତ କରିବା ଉଦ୍ଦେଶ୍ୟରେ ରାଣା ତାଙ୍କ ଠାକୁ ନିମ୍ନ ମର୍ମରେ ଖଣ୍ଡିଏ ପତ୍ର ଲେଖି ପଠାଇଲେ ।

 

ଭାରତେଶ୍ୱର !

 

ମୁଁ ତୁମ ଦରବାରରେ ଯୋଗ ଦେଉ ନଥିଲେହେଁ, ତୁମପ୍ରତି ସ୍ନେହ ଦେଖାଇବା, ଦରକାରବେଳେ ତୁମର ସହାୟ ହେବ ମୋର ଧର୍ମ–ଏହା ମୁଁ ମାନେଁ । ତୁମେ ମୁକ୍ତ କଣ୍ଠରେ ସ୍ୱୀକାର କରିବ ଯେ, ମୁଁ ଅନେକ ବିଷୟରେ ବରାବର ତୁମକୁ ସାହାଯ୍ୟ କରି ଆସୁଛି । ତେବେ ମୋର ଏହି ସାହାଯ୍ୟରେ ହିନ୍ଦୁସ୍ଥାନର ପ୍ରତ୍ୟେକ ରାଜା, ନବାବ, ସର୍ଦ୍ଦାର, ସାମନ୍ତ ଉପକୃତ ହୁଅନ୍ତୁ–ଏହା ମୋର ଉଦ୍ଦେଶ୍ୟ । ତୁମେ ଯେତେବେଳେ ଭାରତର ଏକଛତ୍ର ସମ୍ରାଟ, ନିରଙ୍କୁଶ ପ୍ରଭୁ–ଭାରତର ସର୍ବାଙ୍ଗୀନ ଉନ୍ନତି ତୁମକୁ ହିଁ ଲାଗେ । ଦେଶର ସକଳ ଧର୍ମ, ସକଳ ଜାତି ପ୍ରତି ସହାନୁଭୂତି ଦେଖାଇବା ତୁମର ଧର୍ମ–ସେମାନଙ୍କର କଲ୍ୟାଣ କାମନା ତୁମର କର୍ତ୍ତବ୍ୟ । ଜାଣିରଖ ବାଦ୍‍ଶା, ବିଭିନ୍ନ ଜାତିର ମିଳନରେ ହିଁ ସାମ୍ରାଜ୍ୟର ଗଠନ, କ୍ରମବିକାଶ, ପୂର୍ଣ୍ଣତା ଓ ଶକ୍ତି । ଜାତି-ଧର୍ମ-ନିର୍ବିଶେଷରେ ପ୍ରଜାମାନଙ୍କର ମଙ୍ଗଳବାଞ୍ଛା, ହିତଚେଷ୍ଟା ନ କଲେ, ସାମ୍ରାଜ୍ୟ ଅଧିକ କାଳ ତିଷ୍ଠି ପାରିବ ନାହିଁ ଏବଂ ଦେଶ ଛାରଖାର ହୋଇ ପଡ଼ିବ–ଶାସକର କଳଙ୍କ-ଚିତ୍ରଣରେ ଇତିହାସ-ପୃଷ୍ଠା ଦୂଷିତ ହେବ ।

 

ଥରେ ସ୍ମରଣ କର ସମ୍ରାଟ, ତୁମ ପୂର୍ବପୁରଷମାନଙ୍କ ମଧ୍ୟରୁ କେତେଜଣ ଶାସକ ହିନ୍ଦୁ ଓ ଇସ୍‍ଲାମ୍‌ ଧର୍ମ ପ୍ରତି ସମଦୃଷ୍ଟି ଦେଇ କିପରି ଯଶ ଅର୍ଜ୍ଜନ କରି ଯାଇଛନ୍ତି । କିନ୍ତୁ ଅତ୍ୟନ୍ତ ଆପେକ୍ଷ ଓ ଲଜ୍ଜାର ବିଷୟ, ତୁମର ସଂକୀର୍ଣ୍ଣ ଧର୍ମ-ଭେଦ-ଭାବ ଭାରତବାସିଙ୍କ ମନରେ ଘୋର ଆତଙ୍କ ଆଣିଛି, ପ୍ରଧାନତଃ ହିନ୍ଦୁ ହୃଦୟରେ ତୀବ୍ର ବେଦନା ଲଗାଇଛି । ତୁମର କୁତ୍ସିତ ପକ୍ଷପାତ, ଗର୍ହିତ ଆଚରଣ ଦେଖି, ତୁମ ପ୍ରଜାବର୍ଗ ବନ୍ଧୁବାନ୍ଧବଗଣ ତୁମ ପ୍ରତି ଉତ୍ତ୍ୟକ୍ତ, ଖଡ୍‌ଗହସ୍ତ, । ସାମ୍ରାଜ୍ୟର ଅଧିକାଂଶ ଲୋକ ନିଷ୍ପେଷିତ, କ୍ଷତିଗ୍ରସ୍ତ । ହିନ୍ଦୁସ୍ଥାନର ପ୍ରତ୍ୟେକ ଅଞ୍ଚଳରେ ଚାଲିଛି ଚୋରି, ଡକାଇତି, ଦାରିଦ୍ର୍ୟ, ଅଭାବର ଅବାଧ ଗତି । ବାଣିଜ୍ୟ, ବ୍ୟବସାୟ, କୃଷି, ଶିଳ୍ପ ନଷ୍ଟ ଓ ଭ୍ରଷ୍ଟ । ଆଶ୍ଚର୍ଯ୍ୟର କଥା, ମୁସଲମାନ ସୁଦ୍ଧା ତୁମ ପ୍ରତି ସନ୍ତୁଷ୍ଟ ଥିବାର ଦେଖାଯାଏ ନାହିଁ । ସାମ୍ରାଜ୍ୟର ଯେଉଁଆଡ଼େ ଦେଖ, ସେଠାରେ ହିନ୍ଦୁର ବିରକ୍ତି, ପଠାଣର ଅତୃପ୍ତି-ବଣିକର ନିସ୍ତେଜତା, ସୈନିକର ଉଦାସୀନତା । ଏଥିରୁ ବୁଝାଯାଏ କଣ ? ତୁମର ସୁଶାସନ, ନା, ଦୁର୍ବଳ ରାଜତ୍ୱ ?

 

କି ଦମ୍ଭ, ବିଶ୍ୱାସରେ, କି ନ୍ୟାୟବଳରେ ଜେଜେୟା ଆଦାୟ କରି ହିନ୍ଦୁ ପ୍ରାଣରେ ପୀଡ଼ା ହେଉଛ, କିଛି ବୁଝି ପାରୁ ନାହିଁ । ଏହାର ପରିମାଣ ଯେ କଣ ହେବ, ଥରେ ଭାବିଛି ? କେବେ କଳ୍ପନା କରିଛ ? କି ସାହାସରେ କି ଯୁକ୍ତିବଳରେ କେ ଜାଣି, ଗରିବ ହିନ୍ଦୁ, ସ୍ତ୍ରୀ ଓ ବ୍ରାହ୍ମଣ ଉପରେ ଅତ୍ୟାଚାର ଝାଡ଼ୁଛ । ଏମାନଙ୍କ କାତର ଅଶ୍ରୁପାତର ଫଳ କଣ ହାତେ ହାତେ ପାଇବ ନାହିଁ ମନେ କରିଛ ? ଏପରି ଭାବିଥାଅ ଯଦି, ତାହାହେଲେ ତୁମଠାରୁ କେହି କେବେ ଅଧିକ ଭ୍ରମରେ ପଡ଼ି ନାହିଁ, କହିଲେ ଚଳେ । ହିନ୍ଦୁ ଜାତିର ନିତ୍ୟ ଆରାଧନାର ପଶୁ, ନିରୀହ ପବିତ୍ର ଗୋଜାତିକୁ ହତ୍ୟା କରାଇ ହିନ୍ଦୁ-ହୃଦୟରେ ଯେଉଁ ହୁତାଶନ ଜାଳିଛି, ସେଥିରେ ଯବନ–ରାଜ୍ୟ ଦିନେ ଭସ୍ମ, ନାରଖାର ହେବ, ସନ୍ଦେହ ନାହିଁ । ହିନ୍ଦୁର ଦେବ ପ୍ରତିମା, ଦେବ-ମନ୍ଦିର ସବୁ ଭାଙ୍ଗିବା, ଆଉ ବିଶୁଦ୍ଧ ବ୍ରାହ୍ମଣମାନଙ୍କୁ ହାତୀ ପାଦ-ତଳେ ମନ୍ଥି ମାରିବା କଣ ଆଲ୍ଲାଙ୍କ ଶିକ୍ଷା ନା କୋରାଣ୍‌ର ଦୀକ୍ଷା ? ଅନ୍ୟ କେହି ବଳବାନ୍‌ ଲୋକ ବା ଜାତି ପଠାଣମାନଙ୍କ ଉପରେ ଉତ୍‌ପାତ ଅନ୍ୟାୟ ଚଳାଇଲେ, ତମେ ମୁଣ୍ଡ ପୋତି, ପିଠି ଦେଖାଇ ସହିବ ତ ? ତେବେ ଏହି ଅଢ଼ାଇଦିନିଆ ଗର୍ବ, ଅକାରଣ ଉପଦ୍ରବର ଅର୍ଥ କଣ ? ରାମାୟଣ ପଢ଼ିଲେ ଜାଣି ପାରିବ, ଦେବ ଦ୍ୱିଜ ଓ ପରସ୍ତ୍ରୀ ପ୍ରତି ଦୁରାଚାର, ଦ୍ୱେଷ କରିବାରୁ ମହା ପ୍ରତାପଶାଳୀ ରାବଣ କିପରି ସର୍ବଶ ନଷ୍ଟ ହୋଇଥିଲା, ସ୍ୱର୍ଣ୍ଣ ଲଙ୍କାପୁରୀ କିପରି ଦଗ୍‌ଧ ହୋଇଥିଲା, ଆଉ ରାକ୍ଷସକୁଳ କିପରି ଧ୍ୱଂସ ପାଇଥିଲା । ଚତୁର୍ଦ୍ଦଶ ଶତାବ୍ଦୀର ଇତିହାସ-ପୃଷ୍ଠା ଲେଉଟାଇଲେ ବୁଝି ପାରିବ, ପତିବ୍ରତା ପଦ୍ମିନୀଙ୍କ ଫୁତ୍‌କାରରେ ଖିଲଜୀବୀର ଆଲ୍ଲାଉଦ୍ଦୀନଙ୍କର ପରାକ୍ରମ, ଗୌରବ କିପରି ଧୂଳି ଉଡ଼ି ଯାଇଥିଲା । ଦିନ ଆସିବ ଯେତେବେଳେ, ତୁମ ଅଧୀନ ଭାରତର ଗୋ ବ୍ରାହ୍ମଣ ଓ ହିନ୍ଦୁ କୁଳମାମିନୀମାନଙ୍କ ଉଷ୍ଣ ଦୀର୍ଘ ନିଶ୍ୱାସ ଓ ଅଭିଶାପ ପଠାଣ-ପ୍ରତାପକୁ ପଣ୍ଡ, ପଙ୍ଗୁ କରିଦେବ–ଯେତେବେଳେ ସମଗ୍ର ହିନ୍ଦୁଜାତିର ରୁଦ୍ଧ ଘୃଣା, ବଦ୍ଧ କ୍ରୋଧ ସଜୀବ ସତେଜ ମୂର୍ତ୍ତି ଧରି ମୋଗଲ-ଶକ୍ତିକୁ ବିକଳ, ବିକଳାଙ୍ଗ କରି ପକାଇବ । ସେହି ଦିନର କଳ୍ପନା-ମୁକୁର ସମ୍ମୁଖରେ ଧରି ରଖ, ସମ୍ରାଟ, ଦେଖିବ ସେଥିରେ ତୁମ ଦୁଃସାହସର ପ୍ରତିବିମ୍ବ–ସେହି ଦିନର ଚିତ୍ର ଚକ୍ଷୁ ଆଗରେ ନଚାଅ, ବୁଝିବ, ତୁମ ଅବିଚାରରେ ଅନୁତାବ ନ କଲେ ଆଉ ରକ୍ଷା ନାହିଁ ।

 

ଆଉ ପଦେ ମାତ୍ର ଲେଖି ପତ୍ର ଶେଷ କରେଁ । ଈଶ୍ୱର ଜଣେ ଅଦ୍ୱିତୀୟ, ଅତୁଲ୍ୟ ଚିତ୍ରକର । ସେ ଏହି ବିଶ୍ୱାଳ ବିଶ୍ୱ–ବ୍ରହ୍ମାଣ୍ଡକୁ ଗୋଟିଏ ମହାନ୍‌ ସୁବିସ୍ତୀର୍ଣ୍ଣ ପଟରେ ବିବିଧ ଧର୍ମ, ବିଭିନ୍ନ ମାନବ ଜାତି, ନାନା ଜୀବର ଚିତ୍ର ଅଙ୍କିତ କରିଛନ୍ତି । ତାଙ୍କ ଚକ୍ଷୁରେ ସମସ୍ତେ ସମାନ–ହିନ୍ଦୁ ମୁସଲମାନ ଏକ । ପ୍ରତ୍ୟେକ ପ୍ରାଣିରେ ତାଙ୍କର ସତ୍ତା ଅଛି । ମସ୍‌ଜିଦ୍‌ରେ ସେ ପଠାଣର ପ୍ରାର୍ଥନା ଶୁଣିଥାନ୍ତି, ଦେବାଳୟରେ ହିନ୍ଦୁର ପୂଜା ଗ୍ରହଣ କରିଥାନ୍ତି । ପ୍ରାର୍ଥନା–ମନ୍ଦିରର ଗଠନପ୍ରଣାଳୀରେ ହିଁ ପ୍ରଭେଦ ସିନା ! ଚିତ୍ରକର ଆଗରେ ତାହାର ଚିତ୍ରିତ ଛବିଟି ଭାଙ୍ଗି ରୁଜି ଫିଙ୍ଗି ଦେଲେ ତାହା ମନରେ ଯେପରି କଷ୍ଟ ହୁଏ; ଇତର ଧର୍ମ ଓ ଆଚାର ବିଚାର ବିରୁଦ୍ଧରେ ବିଦ୍ୱେଷ କଲେ ଈଶ୍ୱର ସେହିପରି ଚିଡ଼ିଥାନ୍ତି । ଏଣୁ ହିନ୍ଦୁ ଉପରେ ଅକାରଣ ହିଂସା କରିବା ଯାହା, ସୃଷ୍ଟି କର୍ତ୍ତାଙ୍କର ଅନର୍ଥକ ବିରୋଧାଚରଣ କରି ତାଙ୍କ ବାଣର ବଧ୍ୟ, ତାଙ୍କ କୋପର ଜିନିଷ ହେବା ତାହା । ତୁମକୁ ତୁମର ତ୍ରୁଟି ସବୁ ଚିହ୍ନାଇ ଦେବାହିଁ ଏହି ପତ୍ରର ଏକ ମାତ୍ର ଉଦ୍ଦେଶ୍ୟ । ଏଣୁ ଭଲ କରି ଭାବି ଦେଖ ବାଦ୍‌ଶା । ତୁମେ ତ ଚତୁର ରାଜନୀତିଜ୍ଞ, ଆଉ ଅଧିକ କିଛି ଲେଖୁନାହିଁ । ଶେଷରେ, ତୁମ ନିକଟରୁ ସଦାଚରଣ ଆଶା କରି ପାରିବ ତ ?

 

ହିନ୍ଦୁସ୍ଥାନ-ହିତାକାଂକ୍ଷୀ,

ରାଜସିଂହ

 

ପତ୍ରଟି ଅଦମ୍ୟ ଗାମ୍ଭୀର୍ଯ୍ୟ, ଉନ୍ନତ ଅଥଚ ଶାନ୍ତ ସଂଯତ ସଂକଳ୍ପ, ଅସୀମ-ଦୟା-ମିଶ୍ରିତ ଚମକପ୍ରଦ ଉଦ୍ଦୀପକ ତିରସ୍କାର, ମହତ୍ ଐଶଭାବ ଓ ଧର୍ମତତ୍ତ୍ୱ ଏବଂ ବିଶୁଦ୍ଧ ବିଶ୍ୱ-ପ୍ରୀତି ଓ ମାନବ ପ୍ରେମରେ ପୂର୍ଣ୍ଣ ଥିଲା । ରାଣାଙ୍କ ପତ୍ରର ବିଶେଷ ପ୍ରଂଶସା କରି ମହାମତି ଟଡ଼୍‌ ସାହେବ ତାଙ୍କ ‘ରାଜସ୍ଥାନ’ ନାମକ ଗ୍ରନ୍ଥରେ ଲେଖିଛନ୍ତି ଯେ, ଅନ୍ୟ କୌଣସି ଯୁଗ, ଦେଶ ଓ ଜାତିର ସାହିତ୍ୟରେ ଏଭଳି ପତ୍ର ଖଣ୍ଡିଏ ଦେଖିବାକୁ ମିଳେ ନାହିଁ ।

 

ପତ୍ରଟି ପଢ଼ାଇ ଶୁଣିବାକ୍ଷଣି ଦାମ୍ଭିକ ଔରଂଜୀବ୍‍ଙ୍କ ଅହଙ୍କାରରେ ଯୁଗପତ୍‌ ଗୋଟିଏ ଚମକ ଆସିଲା । କ୍ରୋଧରେ ସେ ଚାରିଆଡ଼େ ଘୋର ଘନ ଅନ୍ଧକାର ଦେଖିଲେ । ଦାନ୍ତ କଡ଼ମଡ଼ କରି ବାଣ-ବିଦ୍ଧ ବ୍ୟାଘ୍ର ତୁଲ୍ୟ ହୁଙ୍କର ଛାଡ଼ି ଉଠିଲେ । ଏଥି ପୂର୍ବେ ରାଣା ଚନ୍ଦ୍ରାବତୀଙ୍କ ଉଦ୍ଧାର ପାଇଁ ସୈନ୍ୟ ପଠାଇଥିବା, ବିକ୍ରମସିଂହଙ୍କ ସାହାର୍ଯ୍ୟର୍ଥ ସେ ରୂପନଗରକୁ ଯିବାର ଆୟୋଜନ କରୁଥିବା ଏବଂ ଜେଜେୟା ନ ଦେଇ ପଠାଣ କର୍ମଚାରିମାନଙ୍କୁ ପରାଭାବ ଦେଇଥିବା ବିଷୟର ସ୍ମରଣ ଇନ୍ଧନ ତୁଲ୍ୟ ବାଦ୍‌ଶାହାଙ୍କ ରୋଷାଗ୍ନିକୁ ଉଦ୍ଦୀପ୍ତ କରି ପକାଇଲା । ସେ ଯୁଦ୍ଧର ବିରାଟ ଆୟୋଜନରେ ଲାଗିଗଲେ । ସେ ଉଦୟପୁର ରାଜ୍ୟର ରାଜା ରାଜସିଂହ ବିରୁଦ୍ଧରେ ଯେଉଁ ଭୀଷଣ ସମର-ଲଜ୍ଜା କଲେ, ରୁଷିୟା, ଚୀନ, କିମ୍ବା ପାରସ୍ୟ ତାଙ୍କର ପ୍ରତିଦ୍ୱନ୍ଦୀ ହୋଇଥିଲେ ବୋଧ ହୁଏ ସେ ଏହିପରି ଉଦ୍‌ଯୋଗ କରି ନ ଥାନ୍ତେ । ଏହା ଭଳି ଏକମାତ୍ର ଘଟନା ଇତିହାସ-ପାଠକ ଜାଣେ–ତାହା, କ୍ଷୁଦ୍ର ଭୂମିଖଣ୍ଡ ଗ୍ରୀସ ଜୟ କରିବା ନିମିତ୍ତ ଅର୍ଦ୍ଧଆସିଆର ଅଧୀଶ୍ୱର ପାରସ୍ୟ-ରାଜା ଶେର୍‌ ସେର୍‌ସେସ୍‌ଙ୍କର ଅକଳିତ ସେନା-ଯୋଗାଡ଼ । ବାଦ୍‌ଶା କିନ୍ତୁ ତାଙ୍କର ଏହି ଉଦ୍ଦେଶ୍ୟ ଗୁପ୍ତ ରଖିଲେ–ରୂପନଗର ଜୟ ଓ କମଳକୁମାରୀ ଲାଭ ସକାଶେ ହିଁ ଯୁଦ୍ଧୋଦ୍ୟମ କରା ଯାଉଛି ବୋଲି ପ୍ରଚାର କଲେ ।

 

ପତ୍ରରେ ଉତ୍ତ୍ୟକ୍ତ ହୋଇ ସମ୍ରାଟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବେ ଅନୁମାନ କରି, ବିବେକୀ ରାଜନୀତିକୁଶଳ ରାଣା ମଧ୍ୟ ସତର୍କ ହେଲେ, ସମରାୟୋଜନ କରିବାକୁ ଲାଗିଲେ । ରାଜସିଂହଙ୍କ ଗୌରବ ଓ ବିକ୍ରମ ଅନ୍ୟାନ୍ୟ ରାଜପୁତ୍‌ ରାଜାମାନଙ୍କର ସହାନୁଭୂତି ଟାଣି ଆଣିଲା, ସେମାନେ ସମସ୍ତେ ତାଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତ ହେଲେ । ହିନ୍ଦୁ-ମମତା ଜାଗ୍ରତ ହେଲା–ରାଜପୁତ୍‍ମାନଙ୍କର ଯବନ-ବିଦ୍ୱେଷ ଜ୍ଜ୍ୱଳନ୍ତ ଉଗ୍ର ମୂର୍ତ୍ତିରେ ବ୍ୟୋମ ସ୍ପର୍ଶ କରି ଉଠିଲା ।

Image

 

ଚତୁର୍ବିଂଶ ପରିଚ୍ଛେଦ

(ଗୋଲକୋଣ୍ଡାରେ ବ୍ରାହ୍ମଣ)

 

ସପ୍ତଦଶ ଶତାବ୍ଦୀରେ ଦକ୍ଷିଣ ଭାରତର ଗୋଲକୋଣ୍ଡା ରାଜ୍ୟ ସିଆଶାଖାବଲମ୍ବୀ ଜଣେ ନବାନ ଦ୍ୱାରା ଶାସିତ ହେଉଥିଲା । ଇସ୍‌ଲାମ୍‌ ଧର୍ମର ସିଆ ସଂପ୍ରଦାୟ ପ୍ରତି ଔରଂଜବ୍‌ଙ୍କର ଆନ୍ତରିକ ଘୃଣା, କ୍ରୂର ଦୃଷ୍ଟି । ପ୍ରତିମା-ପୂଜାର ବିନାଶା ସାଧନ ଏବଂ ବିଧର୍ମ୍ମୀ ଓ ସିଆ-ମୁସଲମାନର ଦଣ୍ଡବିଧାନ ତାଙ୍କ ଜୀବନର ପ୍ରଧାନ ବ୍ରତ । ଏହି ବ୍ରତ-ପାଳନହିଁ ଈଶ୍ୱରଙ୍କୁ ତୁଷ୍ଟ କରିବାର ଏକମାତ୍ର ଉପାୟ ବୋଲି ତାଙ୍କର ଦୃଢ଼ ବିଶ୍ୱାସ । ସ୍ୱଧର୍ମ ପ୍ରତି ଅନ୍ଧାନୁରାଗ ଥିବାରୁ, ସର୍ବଦା ସେ ଗୋଲକୋଣ୍ଡା ନବାବ୍‌ଙ୍କୁ ଭୟାନକ ବିଷ-ଦୃଷ୍ଟିରେ ଦେଖୁଥିଲେ ଏବଂ ତାଙ୍କୁ ପରାସ୍ତ କରି ମୋଗଲ ସାମ୍ରାଜ୍ୟରେ ଗୋଲକୋଣ୍ଡା ମିଶାଇ ଦେବାକୁ ଚେଷ୍ଟା କରୁଥିଲେ ।

 

ଦିନେ ଅତି ପ୍ରତ୍ୟୁଷରେ–ଯେତେବେଳେ ଦେବାଳୟର ଶଙ୍ଖଧ୍ୱନି ଓ ମସ୍‌ଜିଦ୍‌ର ନମାଜ ଧ୍ୱନିରେ ଗୋଳକୋଣ୍ଡା ନଗର ମୁଖରିତ–ନଗରଠାରୁ ପ୍ରାୟ ଏକ ମାଇଲ ଦୂରରେ ଥିବା ସ୍ୱଚ୍ଛ-ବାରି ଏକ ପୁଷ୍ପରିଣୀରେ ଜଣେ ବ୍ରାହ୍ମଣ ‘ପତିତୋଦ୍ଧାରିଣୀ ଜାହ୍ନବି ଗଙ୍ଗେ, ଖଣ୍ଡିତ ଗିରବର ମଣ୍ଡିତ ଭଙ୍ଗେ’ ଇତ୍ୟାଦି ସ୍ତ୍ରୋତ୍ର ଶ୍ଳୋକ ପାଠ କରୁଁ କରୁଁ ଛୋଟ ଗୋଟିଏ ଗାମୁଛାରେ ନିଜେ ଦେହ ଘଷା ଘଷି କରି, ଥରକୁ ଥର ଯଜ୍ଞୋପବୀତଟି ମଜା ମଜି କରି ତଡ଼ବଡ଼ ହୋଇ ସ୍ନାନ କରୁଥିଲେ । ସେତେବେଳେ ତାଙ୍କର ଶିଷ୍ୟ ବଡ଼ ଗୋଟିଏ ବୁଜୁଳା ଧରି ପୋଖରୀହିଡ଼ ଉପରେ ବସିଥିଲା । ବ୍ରାହ୍ମଣ ଟାଉ ଟାଉ ସ୍ନାନ ସାରି, ଗାମୁଛାଟି ଚିପୁଡ଼ି ଚିପୁଡ଼ି ଜଳରୁ ବାହାରି ପାହାଚରେ ଠିଆ ହେଲେ, ଏବଂ ପୋଛା ପୋଛି ହୋଇ ବନ୍ଧ ଉପରକୁ ଉଠିବା ମାତ୍ରେ, ଶିଷ୍ୟ ଗଣ୍ଡିରିରୁ ଶୁକ୍ଳ ବସ୍ତ୍ରଟିଏ ବାହାର କରି ତାଙ୍କ ହାତକୁ ବଢ଼ାଇ ଦେଲା । ସେ ତାହା ପିନ୍ଧିବାବେଳେ ଶିଷ୍ୟ ତାଙ୍କର ପାଲଟା ଓଦା ଲୁଗାଟି ପାଣିରେ ଝଟ୍‌ପଟ୍‌ ବୁଡ଼ାଇ ଦେଇ, ଦୁଇ ତିନି ଥର ପାହାଚ ଉପରେ ତାହା କାଚି ଚିପୁଡ଼ି ପକାଇଲା । ପରେ ତାହା ଚଉତା ଚଉତି କରି ଦକ୍ଷିଣ କାନ୍ଧରେ ଧରି ଉପରକୁ ଉଠି ବୁଜୁଳାରୁ ବଟପତ୍ର ବନ୍ଧା ବିଭୂତିଗୁଳାଟିଏ କାଢ଼ି ଗୁରୁଙ୍କ ଦେଲା । ବ୍ରାହ୍ମଣ ସର୍ବାଙ୍ଗରେ ବିଭୂତି ବୋଳି କପାଳରେ ତ୍ରିପୁଣ୍ଡ୍ର ରେଖା ଟାଣି ଦେଲେ ଏବଂ ଶିଷ୍ୟ ହାତରୁ ସ୍ଫଟିକମାଳାଟି ନେଇ ଗଳାରେ ଲମ୍ବାଇ ଦେଲେ । ସଂପୂର୍ଣ୍ଣ ପ୍ରାତଃସନ୍ଧ୍ୟାରେ ସେତେବେଳେ ଅଧିକ କାଳ କଟାଇବା ଅନୁଚିତ ମନେ କରି, ଦଶ ଥର ମାତ୍ର ଝପ୍‌ ଝପ୍‌ ଗାୟତ୍ରୀ ଜପ କରି ପକାଇଲେ । ପୂର୍ବଦିଗ ଆଡ଼େ ମୁଖ ବୁଲାଇ, ଚକ୍ଷୁ ବୁଜି କରିଯୋଡ଼ି ଥରେ ନମସ୍କାର କରିବା ପରେ ଉଠି ସମୂଚ୍ଚ ମଧୁର ସ୍ୱରରେ ଗାଇଲେ,–

 

କରଚରଣକୃତଂ ବାକ୍‌କ୍‌କାୟଜଂ କର୍ମଜଂ ବା,

ଶ୍ରବଣନୟଜଂ ବା ମାନସଂ ବାପରାଧଂ ।

ବିହିତମବିହିତଂ ବା ସର୍ବମେତତ୍‌ କ୍ଷମସ୍ୱ,

ଜୟ ଜୟ କରୁଣାବ୍‌ଧେ ଶ୍ରୀ ମହାଦେବ ଶମ୍ଭୋ ।

 

ଶେଷରେ ସେ ମୁଣ୍ଡରେ ଷାଲଟି ଭିଡ଼ୁଁ ଭିଡ଼ୁଁ ଶିଷ୍ୟକୁ କହିଲେ,–ଚଟ୍‌ପଟ୍‌ ଚାଲ ଏଥର ବାବା । ଆଉ ଡେରି କଲେ ଚଳିବ ନାହିଁ । ସୂର୍ଯ୍ୟେଦୟ ନ ହେଉଣୁ ଗୋଲକୋଣ୍ଡାରେ ଯାଇ ପହଞ୍ଚିବା ଦରକାର । ଦକ୍ଷିଣସ୍କନ୍ଧରେ ଗାମୁଛାଟି ଏବଂ ବାମ ସ୍କନ୍ଧରେ ଉତ୍ତରୀୟ ଖଣ୍ଡିଏ ପକାଇ, ଯଷ୍ଟିହସ୍ତରେ ପ୍ରୟାଣ ପାଇଁ ପ୍ରସ୍ତୁତ ହେଲେ । ଶିଷ୍ୟ ବୁଜୁଳାରେ ବିଭୂତି ଖଣ୍ଡଟି ଭରତି କରି ଦେଇ, ତାହା ଆଉ ଥରେ ବାନ୍ଧିଦେଲା ଏବଂ ତାହା ପିଠି ଉପରେ ଝୁଲାଇ ଦେଇ ଠିଆ ହେଲା । ବ୍ରାହ୍ମଣ ଯାତ୍ରାରମ୍ଭ କଲେ । ତାଙ୍କ ପଛେ ପଛେ ଶିଷ୍ୟ ଚାଲିବାକୁ ଲାଗିଲା ।

 

ଦୁହେଁ ଗୋଲକୁଣ୍ଡା ନଗର ଅଭିମୁଖରେ ତ୍ୱରାନ୍ୱିତ ହୋଇ ଚାଲୁଥିବାବେଳେ, ଶିଷ୍ୟ ପ୍ରଶ୍ନ କଲା,–ଗୁରୁଜୀ ! ଗୋଲକୁଣ୍ଡା ତ ଗୋଟିଏ ପଠାଣ ରାଜ୍ୟ । ଆପଣଙ୍କ ଶୁଦ୍ଧ ଶ୍ରୋତ୍ରିୟ ବ୍ରାହ୍ମଣ ବେଶ ଦେଖି କେହି କିଛି ଅନିଷ୍ଟ କରିବେ ନାହିଁ ?’ ବ୍ରାହ୍ମଣ କହିଲେ,–‘ବାବା, ଏଠା ନବାବଙ୍କ ସମ୍ବନ୍ଧରେ କିଛି ଜାଣି ନାହୁଁ ପରା ! ଏ ପଠାଣ ହେଲେହେଁ. ବ୍ରାହ୍ମଣ ଭଳି ଆଚରଣ କରିଥାନ୍ତି । ଏ ହିନ୍ଦୁ, ଏ ମୁସଲମାନ–ଏହି ଭେଦଭାବ ନ ରଖି ପ୍ରଜାମାନଙ୍କୁ ପୁଅ କରି ପାଳିଥାନ୍ତି । ପ୍ରଜାମାନଙ୍କ ଦୁଃଖ କଷ୍ଟ ନିଜର ବୋଲି ଭାବି ନେଇଥାନ୍ତି । ବ୍ରାହ୍ମଣ, ସାଧୁ, ସନ୍ନ୍ୟାସୀ, ମୌଲବୀ ଓ ଫକୀର–ଏମାନଙ୍କ ନିକଟରେ ତାଙ୍କର ସମାନ ଭକ୍ତି, ସମାନ ସ୍ନେହ ।’

 

‘ଗୁରୁଜୀ, ଜଣେ ମୁସଲମାନର ଏଇ ସତ୍ୱ ଗୁଣ ଆସିଲା କେଉଁଠୁ ?

 

‘ପୂର୍ବ ପୁଣ୍ୟ ସଂଚୟରୁ ।’

 

ଶିଷ୍ୟ ନବାବଙ୍କ ଗୁଣରେ ବିମୁଗ୍‌ଧ ହୋଇଯିବା ମନେ ମନେ ତାଙ୍କୁ ପ୍ରଂଶସାରେ ସ୍ନାତ କରାଇଦେଲା । ପଚାରିଲା,–‘ଗୁରୁଦେବ ! ଆମେ ଏବେ କଣ ଏ ମହାତ୍ମାଙ୍କ ଠାକୁ ଯିବା ?’ ବ୍ରାହ୍ମଣ କହିଲେ, ‘ନା, ନବାବଙ୍କ ପାଖରେ ଆମର କିଛି କାମ ନାହିଁ, ତାଙ୍କ ମନ୍ତ୍ରିଙ୍କ ସଙ୍ଗେ ଦେଖା କରିବାକୁ ହେବ । ମନ୍ତ୍ରୀ ଉଚ୍ଚ ଶ୍ରେଣୀର ଜଣେ ବ୍ରାହ୍ମଣ । ସେ ବେଶ୍‌ ସଂସ୍କୃତ ଜାଣନ୍ତି, ବେଦ ବେଦାନ୍ତ ନ୍ୟାୟ ସାଂଖ୍ୟ ସଙ୍ଗୀତ ଷଡ଼୍‍ଦର୍ଶନରେ ତାଙ୍କର ଖୁବ୍‌ ପ୍ରବେଶ ଅଛି, ବ୍ରାହ୍ମଣର ଷଟକର୍ମ ତାଙ୍କୁ ଆଚ୍ଛା ମାଲୁମ୍‌ । ସେ ପ୍ରତ୍ୟହ ଝଟ ଝଟିଆ ସକାଳେ ସ୍ନାନ ସାରି ସୂର୍ଯ୍ୟୋଦୟଠାରୁ ଘଡ଼ିଏ ବେଳଯାଏଁ ଶିବପୂଜା, ବେଦପାଠ, ପୁରାଣ ଶ୍ରବଣ ଇତ୍ୟାଦି କରିଥାନ୍ତି । ସେହି ସମୟତକ ମଧ୍ୟରେ ଯେ କୌଣସି ପଣ୍ଡିତ ବା ଗାୟକ ତାଙ୍କ ସହିତ ସାକ୍ଷାତ୍‌ କରନ୍ତି ଏବଂ ନିଜର ବିଦ୍ୟା-ପ୍ରଭାବ ଦେଖାଇ ତାଙ୍କ ନିକଟରୁ ଉପଯୁକ୍ତ ପୁରସ୍କାର ପା’ନ୍ତି । ଚାଲ ବାବା ଜଲ୍‍ଦୀ, ଏହି ଗପ୍‌ସପ୍‌ ଗଳ୍ପ ଗୁଜବ୍‌ରେ କିଛି ଫଳ ନାହିଁ–ଶୀଘ୍ର ଯାଇ ତାଙ୍କ ସାଙ୍ଗେ ଦେଖା କରିବା ଚାହି ।’

 

ସୂର୍ଯ୍ୟୋଦୟର କିଛି କ୍ଷଣ ପୂର୍ବା ବ୍ରାହ୍ମଣ ଓ ଶିକ୍ଷ୍ୟ ଗୋଲକୁଣ୍ଡା ସହରରେ ଯାଇ ପ୍ରବିଷ୍ଟ ହେଲେ ଏବଂ ମନ୍ତ୍ରିଭବନର ଅନୁସନ୍ଧାନ କରୁଁ କରୁଁ ଚଞ୍ଚଳ ସେଠାରେ ଉପସ୍ଥିତ ହେଲେ । ମନ୍ତ୍ରିଙ୍କ ପ୍ରସାଦଟି ଶକ୍ତ ପ୍ରାଚୀରବେଷ୍ଟିତ, ଏଣୁ ଦୁର୍ଗ ଭଳି ଦୁର୍ଭେଦ୍ୟ । ଚାରି ଦିଗରେ ଚାରୋଟି ଦ୍ୱାର । କେବଳ ପ୍ରାତଃକାଳ ଭିନ୍ନ ଅନ୍ୟ କୌଣସି ସମୟରେ ବିନାନୁମତିରେ ଭିତରକୁ ଯିବା କାହାର ସାଧ୍ୟ ନ ଥିଲା । ମନ୍ତ୍ରିଙ୍କ ଶିବାରାଧନା ସମାପ୍ତ ନ ହେଉଣୁ, ବିଦ୍ୱାନ ଓ ସଙ୍ଗୀତଜ୍ଞ ବ୍ରାହ୍ମଣମାନେ କୌଣସି ବାଧା ନ ପାଇ ଭିତରେ ପ୍ରବେଶ କରିପାରୁଥିଲେ । କିନ୍ତୁ ଆଗନ୍ତୁକ ବ୍ରାହ୍ମଣମାନଙ୍କ ବିଦ୍ୟା, ନିଷ୍ଠା, ସ୍ୱଭାବ ଓ ଚରିତ୍ର ପରୀକ୍ଷା କରିବା ନିମିତ୍ତ ଚାରିଦ୍ୱାରରେ ଚାରିଜଣ ବେତନଭୋଗୀ ବ୍ରାହ୍ମଣ ରଖା ଯାଇଥିଲେ । ଏମାନେ ସନ୍ଧ୍ୟା, ଶ୍ରାଦ୍ଧ, ପିତୃତର୍ପଣ. ବ୍ରହ୍ମଯଜ୍ଞ, ଗାୟତ୍ରୀ ପ୍ରଭୃତି ବିଷୟକ ଜ୍ଞାନର ପରିଚୟ ପାଇବା ପରେ ଯେ କୌଣସି ବ୍ରାହ୍ମଣକୁ ଭିତରକୁ ଯିବା ପାଇଁ ଆଦେଶ ଦେଉଥିଲେ । ଆମର ଏହି ବ୍ରାହ୍ମଣ ସବୁ ଜାଣିଥିଲେ; ଏଣୁ ପ୍ରସାଦ ମଧ୍ୟରେ ପ୍ରବେଶ କରିବା ତାଙ୍କ ପକ୍ଷରେ କଷ୍ଟକର ହେଲା ନାହିଁ । ସେ ‘ଅସତୋ’ ମେ ସଦ୍‌ଗମୟ, ତମସୋ ମା ଜ୍ୟୋତିର୍ଗମୟ’ ଇତ୍ୟାଦି ବେଦମନ୍ତ୍ର ଉଚ୍ଚସ୍ପଷ୍ଟ କଣ୍ଠରେ ପାଠ କରୁଁ କରୁଁ କ୍ରମେ ମନ୍ତ୍ରିଙ୍କ ପୂଜା-ମନ୍ଦିରରେ ଯାଇ ପ୍ରବିଷ୍ଟ ହେଲେ-। ସେଠାରେ ଦେଖିଲେ, ମନ୍ତ୍ରୀ ମରକତମଣିର ଏକ ଶିବ-ଲିଙ୍ଗ-ମୂର୍ତ୍ତି ଧରି ପଦ୍ମାସନରେ ଭକ୍ତି ସହିତ ପୂଜାରେ ଆସୀନ ଏବଂ ତାଙ୍କ ଚାରିଆଡ଼େ ପଣ୍ଡିତ ଓ ଗାୟକ କେତେ ଜଣ କାଷ୍ଠାସନରେ ଉପବିଷ୍ଟ । ମନ୍ତ୍ରିଙ୍କ ଦକ୍ଷିଣ ପାର୍ଶ୍ୱରେ ବେଦପାଠକଦଳ, ବାମଭାଗରେ ବାଦକ, ଗାୟକଗଣ, ଏବଂ ଠିକ୍‌ ଆଗରେ ଶଙ୍କର-ରାମାନୁଜ-ମତାବଲମ୍ବୀ ବହୁଭାଷା କେତେଜଣ ପଣ୍ଡିତ ବସିଛନ୍ତି ।

 

ମନ୍ତ୍ରିଙ୍କ ଶିବ-ପୂଜା ଶେଷ ହେବା ସଙ୍ଗେ ସଙ୍ଗେ, ସମବେତ ପଣ୍ଡିତଗଣ ପରସ୍ପର ସହିତ କଥାବାର୍ତ୍ତା ଆରମ୍ଭ କଲେ,–‘ଆପଣ ଆରମ୍ଭ କରନ୍ତୁ ।’ ‘ଆପଣ ଆଗେ ଆରମ୍ଭ କରନ୍ତୁ ।’ ଏହାହିଁ ଉପଯୁକ୍ତ ସମୟ ବିବେଚନା କରି, ଆମର ଏହି ଶ୍ରୋତ୍ରିୟ ବ୍ରାହ୍ମଣ ହଠାତ୍‌ ବେଦପାଠକଦଳ ମଧ୍ୟରେ ପ୍ରବେଶ କରି, ଗୋଟିଏ ଆସନରେ ବସି ପଡ଼ି ସଂସ୍କୃତରେ କହିଲେ,–‘ଆପଣମାନଙ୍କ ମଧ୍ୟରୁ କେହି ଆରମ୍ଭ କରନ୍ତୁ ନା, ଅନୁମତି ଦିଅନ୍ତୁ–ମୁଁ ଆରମ୍ଭ କରେ ।’ ସେ ସୁସ୍ପଷ୍ଟ ସୁମଧୁର ସ୍ୱରରେ ଗୋଟିଏ ଆଶୀର୍ବାଦ-ଶ୍ଳୋକର ଆବୃତ୍ତି କରି, ସଂସ୍କୃତ ଭାଷାରେ ହିଁ ସେଥିରେ ସମାସ, ବ୍ୟାଖ୍ୟାଦି କଲେ ।

 

ପରେ, ବେଦାନ୍ତର ଏକ ସୂତ୍ର ପାଠକରି, ତାହା ଶଙ୍କରାଚାର୍ଯ୍ୟକୃତ ଅଦ୍ୱୈତ ଭାଷ୍ୟ, ମାଧ୍ୱାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ ଓ ଶ୍ରୀଧରସ୍ୱାମିଙ୍କର ବିଭିନ୍ନ ଭାଷ୍ୟ ଏବଂ ରାମାନୁଜାଚାର୍ଯ୍ୟଙ୍କ ବିଶିଷ୍ଟାଦ୍ୱୈତ ଭାଷ୍ୟ ସାହାଯ୍ୟରେ ପୃଥକ୍‌ ପୃଥକ୍‌ ବୁଝାଇ ଦେଲେ, ଶେଷରେ ସମସ୍ତ ଭାଷ୍ୟର ସମନ୍ୱୟାର୍ଥ ପ୍ରକାଶ କଲେ । ମନ୍ତ୍ରୀ ଓ ଉପସ୍ଥିତ ପଣ୍ଡିତମଣ୍ଡଳୀ ବ୍ରାହ୍ମଣଙ୍କ ଅଗାଧ ପାଣ୍ଡିତ୍ୟରେ ଅତିଶୟ ବିସ୍ମିତ, ବିମୋହିତ ହୋଇଗଲେ ।

 

ଅନ୍ୟାନ୍ୟ ପଣ୍ଡିତମାନେ ନିଜ ନିଜର ବାକ୍‌-ଚାତୁରୀ, ବିଦ୍ୟା-ନୈପୁଣ୍ୟ ଓ ବୁଦ୍ଧିକୌଶଳର ପରିଚୟ ଦେବାକୁ ଲାଗିଲେ । ଏହି ଅବସରରେ ଏହି ବ୍ରାହ୍ମଣ ବାଦକ ଓ ଗାୟକମାନଙ୍କ ଶ୍ରେଣୀକୁ ଯାଇ, ଜଣକ ନିକଟରୁ ବୀଣାଟିଏ ମାଗି ସରସ ସୁନ୍ଦର ସ୍ୱରରେ ଗାନ ଆରମ୍ଭ କଲେ । ତାଙ୍କ ପାଣ୍ଡିତ୍ୟ ସଙ୍ଗେ ସଙ୍ଗେ ସଙ୍ଗୀତ-ଜ୍ଞାନର ଆଭାସ ପାଇ, ମନ୍ତ୍ରୀ ବିସ୍ମୟ-ରସରେ ବୁଡ଼ିଗଲେ ଏବଂ ତାଙ୍କୁ ଦ୍ୱିତୀୟ ବେଦବ୍ୟାସ ବିବେଚନା କଲେ । ତାଙ୍କ ପ୍ରତି ବିଶେଷ ପରିତୁଷ୍ଟ ହେଇ, ତାଙ୍କୁ ଟ୧୧୧୬ ଙ୍କା ପୁରସ୍କାର ଦେବାର ଘୋଷଣା କଲେ ।

 

ବ୍ରାହ୍ମଣ ସଂସ୍କୃତ ଭାଷାରେ କହିଲେ–‘ମନ୍ତ୍ରିଶ୍ରେଷ୍ଠ ! ମୁଁ ପୁରସ୍କାର ପାଇଁ ଏଠାକୁ ଆସି ନାହିଁ; ଆସିଛି କିନ୍ତୁ ସାମାନ୍ୟ ଗୋଟିଏ କାର୍ଯ୍ୟରେ । ଅନୁମତି ହେଲେ, ତାହା ଏକାନ୍ତରେ ଜଣାଇବି-।’

 

ମନ୍ତ୍ରୀ କହିଲେ,–‘ତେବେ, ଆପଣ ଆଜି ଏଠାରେ ରହି ଭୋଜନାଦି କରନ୍ତୁ । ପରେ ଯାହା ବକ୍ତବ୍ୟ ଶୁଣାଇବେ ।’

 

ଏପରି ଆଳାପ, ଗାନ, ବାଦନ, ଶାସ୍ତ୍ରଚର୍ଚ୍ଚା ପ୍ରଭୃତି ଶେଷ ହେବା ପରେ ସଭା-ଭଙ୍ଗ-ଜ୍ଞାପକ ଘଣ୍ଟାଧ୍ୱନି ଶୁଣାଗଲା । ସେହିକ୍ଷଣି ପଣ୍ଡିତ-ସଭା ବରଖାସ୍ତ ହେଲା ।

 

ଭୋଜନ ପରେ, ମନ୍ତ୍ରୀ ଓ ତାଙ୍କର ସେନାପତି ନିର୍ଜ୍ଜନ ଏକ ସ୍ଥଳରେ ବସି, ସେହି ବ୍ରାହ୍ମଣ ପଣ୍ଡିତଙ୍କୁ ସେଠାକୁ ଡକାଇଲେ । ବ୍ରାହ୍ମଣ ସେଠାରେ ପହଞ୍ଚିବା ପରେ, ମନ୍ତ୍ରୀ ତାଙ୍କୁ କହିଲେ,–‘ପଣ୍ଡିତ୍‌ଜୀ ! ଯାହା କହିବାର ଅଛି ବର୍ତ୍ତମାନ କହିପାରନ୍ତି ।’ ବ୍ରାହ୍ମଣ ସତେଜ ଅଥଚ ବିନୀତ ସ୍ୱରରେ କହିବାକୁ ଲାଗିଲେ,–‘ଶୁଣନ୍ତୁ ତେବେ । ମୁଁ ଆପଣଙ୍କ ନିକଟରେ ଯାଚ୍‌ଞ୍ଜା କରିବାକୁ ଆସିନାହିଁ–ଆସିଛି ଗୋଟିଏ ସମ୍ବାଦ ଦେବା ପାଇଁ । ତାହା ଏଇ । ହିନ୍ଦୁ-ଶତ୍ରୁ ଔରଂଜୀବ୍‌ ଦିଲ୍ଲୀରେ ପ୍ରକାଣ୍ଡ ସେନାସଜ୍ଜା ଲଗାଇଛନ୍ତି । ସେ କାହା ବିରୁଦ୍ଧରେ ଯିବେ, କିଛି ଜଣା ଯାଇ ନାହିଁ । ତେବେ କେହି କେହି କହନ୍ତି, ସେ ରାଣା ରାଜସିଂହଙ୍କ ବିରୁଦ୍ଧରେ ଯୁଦ୍ଧ ଯାତ୍ରା କରିବେ; କେହି କେହି ଅନୁମାନ କରନ୍ତି, ସେ ମରହଟ୍ଟା ଜାତି ବିପକ୍ଷରେ ଉଠିବେ; ଆଉ କେହି କେହି ସ୍ଥିର କରିଛନ୍ତି ଯେ ସେ ଏହି ଗୋଲକୁଣ୍ଡା ପ୍ରତି ଯୁଦ୍ଧ ଚଳାଇବେ । କିନ୍ତୁ କୌଣସି ଏକ ହିନ୍ଦୁରାଜ୍ୟର ସର୍ବନାଶ ଘଟାଇବା ପାଇଁ ଯେ ବାଦ୍‌ଶା ସ୍ଥିରସଂକଳ୍ପ, ଏହା ସୁନଶ୍ଚିତ । ଏଣୁ, ପ୍ରତ୍ୟେକ ହିନ୍ଦୁ ରାଜ୍ୟର ଶାସକଙ୍କୁ ଏହି କବର ଦେଇ ତାଙ୍କୁ ସତର୍କ କରାଇ ଦେବାହିଁ ମୋ ପର୍ଯ୍ୟଟନର ଏକ ମାତ୍ର ଉଦ୍ଦେଶ୍ୟ-। ରାଜପୁତ୍‌ମାନଙ୍କୁ ବୁନ୍ଦଲ୍‌ଖଣ୍ଡର ମହାରାଜାଙ୍କୁ, ଏବଂ ପାନାହାଲ୍‌ ଦୁର୍ଗର ଶମ୍ବୁଜୀ ମହାରାଜାଙ୍କୁ ଏହା ଶୁଣାଇ, ଶେଷରେ ଏଠାକୁ ଆସିଛି । ଏଠାକୁ ଆସିବାର କାରଣ,–ଏଠାର ନବାବ୍‌ ସାହେବ ମୁସଲମାନ୍‌ ହେଲେହେଁ. ହିନ୍ଦୁ-ପଠାଣ-ଭେଦଭାବ ନ ରଖି ଶାସନ ଚଳାନ୍ତି; ଏବଂ ଏ ରାଜ୍ୟର ସର୍ବାଧିକାରୀ ମନ୍ତ୍ରୀ ମହାଶୟ ଶୁଦ୍ଧପୂତ ଉଚ୍ଚକୁଳୀନ ଜଣେ ବିଦ୍ୱାନ୍‍ ବ୍ରାହ୍ମଣ; ଏଣୁ ଏହାକୁ ହିନ୍ଦୁ ରାଜ୍ୟ ମନେ କରିଛିଁ । ମୋ କାମ ବର୍ତ୍ତମାନ ସରିଛି–ବିଦାୟ ଦିଅନ୍ତୁ ଏଥିର । ମୋ ପ୍ରତି ଆପଣଙ୍କ ସୁଦୃଷ୍ଟି ଆକର୍ଷଣ କରିବା ସକାଶେ ହଁ ଅପରିଚିତ ହେଲେହେଁ, ପଣ୍ଡିତ-ସଭାରେ ଆଗତୁରା ହୋଇ ବେଦାର୍ଥ ଗାନାଦି କରିଥିଲି ।’

 

ଏହା ଶୁଣିବା ମାତ୍ରେ ବିସ୍ମୟ ମନ୍ତ୍ରୀ ଓ ସେନାପତିଙ୍କୁ ଆପଣାର ସଂପୂର୍ଣ୍ଣ ଆୟତ୍ତ କରି ପକାଇଲା । ମନ୍ତ୍ରୀ କିଛି କହି ନ ପାରି ବ୍ରାହ୍ମଣଙ୍କ ଉପରେ କିଛି ସମୟ ଯାଏଁ ଗଭୀର ଭାବପୂର୍ଣ୍ଣ ଦୃଷ୍ଟିପେକ୍ଷ କରିବାକୁ ଲାଗିଲେ । ସେନାପତି ଧୀର ଉଦାର ଭାବରେ କହିଲେ,–‘ପଣ୍ଡିତ୍‌ଜୀ ! ଆମେମାନେ ଭାବିଥିଲୁ, ଆପଣ ଏଠାକୁ କିଛି ଅନୁଗ୍ରହ ଭିକ୍ଷା କରିବାକୁ ଆସିଛନ୍ତି । ଦେଖୁଛୁଁ କିନ୍ତୁ ଏବେ, ସାକ୍ଷାତ୍‌ ଦେବଗୁରୁ ବୃହସ୍ପତିହିଁ ଆପଣଙ୍କ ରୂପରେ ଏଠାରେ ପହଞ୍ଚି ଆମମାନଙ୍କୁ ଅନୁଗୃହୀତ କରିଛନ୍ତି । ଅନୁରୋଧ–ଆପଣଙ୍କ ନାମ ଓ ନିବାସ କହି ସୁଖୀ କରିବେ ?’

 

‘ଆଜ୍ଞା ! ମୋ ପରିଚୟ-ଲାଭର ପ୍ରୟୋଜନ କଣ ? ମୁଁ କହିଥିବା ବିଷୟରେ ସତର୍କ ରହିଲେ ହେଲା । ମୋ ଉଦ୍ଦେଶ୍ୟ ସଫଳ ହୋଇଛି । ଆସୁଛି ଏଥର ।’

 

ଏହା କହି ବ୍ରାହ୍ମଣ ସେଠାରୁ ନିଷ୍କ୍ରାନ୍ତ ହେଲେ–ଆଉ ଦିନେ ସେଠାରେ ରହିବା ପାଇଁ ମନ୍ତ୍ରୀ ବାରମ୍ବାର ଅନୁରୋଧ କଲେ ସୁଦ୍ଧା ମାନିଲେ ନାହିଁ । ମନ୍ତ୍ରି-ଭବନର ଦ୍ୱାର ଦେଶରେ ଯାଇ ଦେଖିଲେ, ତାଙ୍କ ଶିଷ୍ୟ ସ୍ନାନ ଭୋଜନାଦି ସାରି ତାଙ୍କୁ ଅପେକ୍ଷା କରି ରହିଛି । ଦୁହେଁ ମିଶି ସେହି ମୁହୂର୍ତ୍ତରେ ଗୋଲକୋଣ୍ଡା ତ୍ୟାଗ କଲେ ।

 

ବ୍ରାହ୍ମଣ ଚାଲିଯିବା ପରେ, ସେନାପତି ମନ୍ତ୍ରିଙ୍କୁ କହିଲେ,–ଆଜ୍ଞା ! ଏ ବ୍ରାହ୍ମର ଆଚରଣ ଦେଖି ବଡ଼ ଆଶ୍ଚର୍ଯ୍ୟ ଲାଗୁଛି । ନିଜର ପରିଚୟ ଦେଲେ ନାହିଁ; ପୁରସ୍କାର ଯାଚିବାରୁ ନେଲେ ନାହିଁ; ରହିବା ପାଇଁ କେତେ ବଳାଇଲେ ବି ରହିଲେ ନାହିଁ । ଏହାର ରହସ୍ୟ ଭେଦ କରି ହେଉ ନାହିଁ । ଏହା କୌଣସି ଚକ୍ରାନ୍ତର ସୂଚନା ନୁହେ ତ ?’

 

‘ସେନାପତେ ! ତୁମେ ସବୁବେଳେ ଏ ଭଳି ସନ୍ଦେହ, ଅନୁମାନ କରି ବସିଲ ଯେ । ବ୍ରାହ୍ମଣଙ୍କ କଥାରେ କପଟ କଣ ରହିପାରେ ? ବାଦ୍‌ଶା ସେନା-ଯୋଗାଡ଼ କରୁଛନ୍ତି–କାହା ବିରୁଦ୍ଧରେ ଉଠୁଛନ୍ତି, ଜଣା ନାହିଁ । ଏଣୁ ସେ ସତର୍କ ରହିବା ପାଇଁ କହି ଗଲେ । ଏଥିରେ ତ ଆମର ଉପକାର ହେବା କଥା–ଦୂରଭିସନ୍ଧି ରହିଲା ଆଉ କଣ ?’

 

‘ଆପଣଙ୍କ ପରି ମୁଁ ବି ସେଇୟା ଭାବୁଛି । କିନ୍ତୁ ରାଜନୀତି ଆଲୋଚନାରେ ଏ ଭଳି ସନ୍ଦେହର ତ ଫେର୍‌ ସ୍ଥାନ ଅଛି !’

 

‘ସମସ୍ତ ସନ୍ଦେହ ଛାଡ଼ି, ବ୍ରାହ୍ମଣ କହିବା ଅନୁସାରେ ନୂତନ ସୈନ୍ୟ-ସଜ୍ଜା କରି ଯୁଦ୍ଧ ପାଇଁ ସିଦ୍ଧ ହେବା ଭଲ । ମିଛଟାରେ ଅବିଶ୍ୱାସ ଆଉ କର ନାହିଁ ।’

 

‘ଧରନ୍ତୁ, ଔରଂଜବ୍‌ ଗୋଲକୋଣ୍ଡା ବିପକ୍ଷରେ ଯୁଦ୍ଧ-ଯୋଗାଡ଼ ଚଳାଉଛନ୍ତି; ତେବେ ସେଥିର କାରଣ ତ ବୁଝି ନେବାକୁ ହେବ । ଏଣୁ ବ୍ରାହ୍ମଣଙ୍କ କଥାରେ ହଠାତ୍‌ ବିଶ୍ୱାସ–’

 

‘କଣ କହୁଛ, କିଛି ବୁଝି ପାରୁ ନାହିଁ । ଜାଣିଛ, ଗୋଲକୋଣ୍ଡା ଉପରେ ବାଦ୍‌ଶାହାଙ୍କର ବରାବର ଶନି-ଦୃଷ୍ଟି ପଡ଼ିଛି । ଆସି ପାରନ୍ତି, ଆଶ୍ଚର୍ଯ୍ୟ କଣ ?’

 

‘ଆମର ସେନା-ସଜ୍ଜାକୁ ଉପଲକ୍ଷ୍ୟ କରି ଗୋଲକୋଣ୍ଡା ପ୍ରତି ଯୁଦ୍ଧ ଯାତ୍ରା ଚଳାଇବା ଉଦ୍ଦେଶ୍ୟରେ ହିଁ ସମ୍ରାଟ ଏ ମାୟା ଭିଆଣ କରିଚନ୍ତି ବୋଲି ଆଶଙ୍କା ହୁଏ । ତାହାହେଲେ, ପ୍ରତାପୀ ଦିଲ୍ଲୀଶ୍ୱରଙ୍କୁ ତୁଚ୍ଛଟାରେ ଶତ୍ରୁ ରୂପେ ଘରକୁ ବରଣ କରିବା ଭଳି ହେବ ସିନା !’

 

‘ତୁମେ ତ ବରାବର ସନ୍ଦେହ-ଶିଡ଼ିରେ ଉଠିଲ ! ଏ ଅନୁମାନ କିନ୍ତୁ ଠିକ୍‌ ନୁହେଁ । ଯଦି ଠିକ୍‌ ବୋଲି ଧର, ତେବେ ଯୁଦ୍ଧାୟୋଜନ ତ ନିତାନ୍ତ ଦରକାର । ଯେତେ ସୈନ୍ୟ ଆବଶ୍ୟକ, ଦଶ ଦିନ ମଧ୍ୟରେ ସବୁ ମୁଁ ଠିକ୍‌ କରିଦବି ।’

 

‘ହେଲା–ଆପଣଙ୍କର ଯେ ଅଭିରୁଚି । ଯୋଗଡ଼ଟା କିନ୍ତୁ ଗୁପ୍ତ ରଖିବା ଉଚିତ । ଦିଲ୍ଲୀକୁ ଗୁପ୍ତଚର ପଠାଇ ପ୍ରକୃତ ବିଷୟଟି ବୁଝିନେବା ପରେ, ପ୍ରକାଶ ଭାବରେ କରିବା ।’

 

ଏହିପରି କଥୋପକଥନ ପରେ, ସେମାନେ ରାଜପୁତ୍‌ ସର୍ଦ୍ଦାର ରୂପସିଂହଙ୍କୁ ଦିଲ୍ଲୀ ପଠାଇବାର ସ୍ଥିର କଲେ ।

 

ରୂପସିଂହ ୩୦।୩୨ ବର୍ଷ ବୟସର ଜଣେ ତେଜୀୟାନ୍‌ ରାଜପୁତ୍‌ ବୀର । ଏହି ଘଟନାର ୧୦।୧୨ ବର୍ଷ ଆଗରୁ, ସେ ରାଜପୁତାନାରୁ ଆସି ଗୋଲକୋଣ୍ଡା-ରାଜ୍ୟର ସୈନ୍ୟ-ବିଭାଗରେ ନିଯୁକ୍ତି ହୋଇଥିଲେ । ଅପୂର୍ବ ବୀରତ୍ୱ, ବିକ୍ରମ ଓ ବୁଦ୍ଧି ବଳରେ କ୍ରମେ ସେ ପଦୋନ୍ନତି ପାଇବାକୁ ଲାଗିଲେ । ତାଙ୍କର ଚତୁରତା ଓ କର୍ମତତ୍ପରତା ଯୋଗୁଁ କେତେକ ଦିନପରେ ସେ ଚାରି ହଜାର ପଦାତିକ ସେନା ଏବଂ ଏକ ହଜାର ଅଶ୍ୱାରୋହୀ ସୈନ୍ୟର ଅଧ୍ୟକ୍ଷ ହୋଇ ରହିଲେ । ଗୋଲକୋଣ୍ଡା-ସରକାର ରାଜ୍ୟର ଯେଉଁ ଚୋର ତସ୍କରମାନଙ୍କର ଆଦୌ ଟେର ପାଇ ପାରୁ ନ ଥିଲେ, ରୂପସିଂହ ଗୁପ୍ତ ବେଶ ଧରି ସେମାନଙ୍କୁ ଅତି କୌଶଳରେ ଧରି ଦେଉଥିଲେ । ଏହା ତାଙ୍କର ଏକ ବିଶେଷ ଗୁଣ । ଏଣୁ ତାଙ୍କ ପ୍ରତି ନବାବ ଓ ମନ୍ତ୍ରୀ ସମଧିକ ପ୍ରସନ୍ନ ଥିଲେ । ସେ ଗୋଲକୁଣ୍ଡାକୁ ଆସିବା ପୂର୍ବେ, ଦିଲ୍ଲୀରେ ବହୁଦିନ କଟାଇଥିଲେ । ଅତଏବ, ଦିଲ୍ଲୀ ଯାଇ, ପ୍ରଚ୍ଛନ୍ନ ଭାବରେ ଅଥବା ଅନ୍ୟ କୌଣସି କୌଶଳରେ ସମ୍ରାଟଙ୍କ ଉଦ୍ଦେଶ୍ୟ, ଦିଲ୍ଲୀରେ ନୂତନ ସମରାୟୋଜନର ପ୍ରକୃତ୍ କାରଣ ବୁଝି ଆସିବା ନିମିତ୍ତ ରୂପସିଂହ ଅପେକ୍ଷା ଗୋଲକୋଣ୍ଡାରେ ଅନ୍ୟ କାହାରିକୁ ଅଧିକ ଯୋଗ୍ୟ ଓ ସମର୍ଥ ନ ଦେଖି, ମନ୍ତ୍ରୀ ତାଙ୍କୁହିଁ ପଠାଇବାର ସ୍ଥିର କଲେ । ସେ ଏହି କାର୍ଯ୍ୟ ଅତ୍ୟନ୍ତ ଆଗ୍ରହ ସହିତ ସଂପନ୍ନ କରିବାକୁ ଦିଲ୍ଲୀ ଯାତ୍ରା କଲେ ।

Image

 

ପଞ୍ଚବିଂଶ ପରିଚ୍ଛେଦ

(ଅନୁତପ୍ତର ଅପୂର୍ବ ପରିବର୍ତ୍ତନ)

 

ଔରଂଜୀବ୍‌ଙ୍କ ସମୟରେ ଲୋକେ ସାମାନ୍ୟ ଦୋଷରେ ସୁଦ୍ଧା କଠିନ, କଦର୍ଯ୍ୟ କାରାଦଣ୍ଡ ଭୋଗୁଥିଲେ । ସେତେବେଳେ କଇଦିଖାନାର କାୟିଦା କଟକଣା ବଡ଼ ବିଚିତ୍ର ଧରଣର ଥିଲା । କାରାବଦ୍ଧ ଲୋକର ଖଲାସ କଥା ସମ୍ରାଟ ଜମାରୁ ମନରେ ଆଣୁ ନ ଥିଲେ–ଜଇଲ କର୍ମଚାରିମାନେ ସେ ପ୍ରସଙ୍ଗ ବା କାହିଁକି ଟେକିବେ । ବନ୍ଦୀ ମଲା କି ଗଲା, ପଚିଲା କି ସଢ଼ିଲା, ସେଥିପ୍ରତି କାହାର ନଜର ନ ଥିଲା ।

 

ପାଠକମାନେ ଜାଣନ୍ତି, ବାଦ୍‍ଶାଙ୍କ ଆଦେଶରେ ଦୁର୍ଦ୍ଦଶାଗ୍ରସ୍ତ ନୟନପାଳ ଦିଲ୍ଲୀ କାରାଗୃହରେ ପଡ଼ିଥିଲେ । ବାଦ୍‌ଶା ଶୀଘ୍ର ତାଙ୍କୁ ମୁକ୍ତ କରିଦେବେ ବୋଲି ତାଙ୍କର ବଡ଼ ଆଶା ଥିଲା; କିନ୍ତୁ ଏହି ବୃଥା ଆଶା ମାତ୍ର ସାର ହେଲା–ଅନେକ ଦିନ ଯାଏଁ ତାଙ୍କ ଉପରେ ବାଦ୍‌ଶାଙ୍କର ଲେଶ ମାତ୍ର ଶୁଭ ଦୃଷ୍ଟି ପଡ଼ିଲା ନାହିଁ । ଶେଷରେ ସେ ଆଶାର ଅସାର ଆଶ୍ରୟ ଏକାବେଳକେ ତ୍ୟାଗ କରି ଦେଲେ–ସମ୍ରାଟଙ୍କ ନିଷ୍ଠୁରତା ଏବଂ ନିଜର ମୂର୍ଖତାକୁ ଶତ ଧିକ୍‌କାର କରି ପ୍ରଚଣ୍ଡ ପଶ୍ଚାତ୍ତାପରେ ଦଗ୍‌ଧ ହେବାକୁ ଲାଗିଲେ ।

 

ଦିନେ ସେ ଭାବିଲେ,–‘ଆହା, କି ବିବେକାହୀନ ମୁଁ ! ଖାଣ୍ଟି ରାଜପୁତ୍‌ ହୋଇ ସୁଦ୍ଧା ବିଦେଶୀ ଯବନ ସଙ୍ଗରେ ସୌହାର୍ଦ୍ଦ କରିଥିବାରୁ ହିଁ ମୋର ଏହି ହାସ୍ୟାସ୍ପଦ ଗତି, ଶୋଚନୀୟ ଦଶା ! ପାପୀକ୍ରୂର ସମ୍ରାଟକୁ ତୁଷ୍ଟ କରିବା ଉଦ୍ଦେଶ୍ୟରେ, ମୁଁ ବୁଦ୍ଧିବଣା ହୋଇ ସତୀ ସ୍ୱାଧୀ ମାତୃତୁଲ୍ୟା ଚନ୍ଦ୍ରାବତୀଙ୍କ ଗଳାରେ ଅଦାଢ଼ କାତି ବସାଇବାକୁ ଯାଇ ତାଙ୍କ ପ୍ରତି ଭୟଙ୍କର ଅଧର୍ମ, ଅନ୍ୟାୟ କରିଛି । ଏଣୁ ନୟନପାଳ ତ ଏହି ଯାତନା ସହିବ ନାହିଁ, ଏହି ଶାସ୍ତି ଭୋଗିବ ନାହିଁ–ଆଉ ସହିବ, ଭୋଗିବ ତେବେ କିଏ ? ଅଦ୍ୱିତୀୟ ପ୍ରଭୁଭକ୍ତ ଚତୁର ବୀର ଦୁର୍ଗାଦାସ ନିକଟରେ ମୋ ବାହାଦୂରୀ, କପଟ-ଚାତୁରୀ କି ଛାର ! ଦୁର୍ଗାଦାସ ! ତୁମେ ଉଦାର, ଉନ୍ନତ–ମୋ ଠାରୁ ଅନେକ ଉଚ୍ଚରେ । ରାଜପୁତ୍‌ଜନନୀଙ୍କର ଅଯୋଗ୍ୟ ସନ୍ତାନ–ନରକର କୀଟାଣୁ ମୁଁ । କ୍ଷମା କର ବନ୍ଧୋ, ଏହି ବିଶ୍ୱାସଘାତକ ରାଜପୁତ୍‌କୁ । ଆହା, ହୀନତା କଣ ମୋଟେ ସେ ଜାଣନ୍ତି ନାହିଁ–ଭୟ କି ପଦାର୍ଥ ଆଦୌ ସେ ଚିହ୍ନନ୍ତି ନାହିଁ । ମୁନି-ମନ-ମୋହିନୀ ଇନ୍ଦିରାଙ୍କ କଥା ବା ଭାବିବି କଣ ? ସାହସ, ବୁଦ୍ଧି ଓ ସ୍ୱାମି-ଭକ୍ତିରେ ତାଙ୍କଠାରୁ ବଳି କୌଣସି ସ୍ତ୍ରୀ ଜନ୍ମି ନାହିଁ କିମ୍ବା ଜନ୍ମିବ ନାହିଁ । ମୋର ସକଳ ଛନ୍ଦ ଛଳନା, ସମସ୍ତ ମାୟାମନ୍ତ୍ରଣା ତାଙ୍କ ଚାତୁର୍ଯ୍ୟ ଆଗରେ ତୁଚ୍ଛ, ଅସାର ହୋଇ ପଡ଼ିଲା ସିନ ! ହାୟ ! ସେହି କୁସୁମ-କୋମଳା, ଲାବଣ୍ୟ-ଲତିକା ଯୁବତୀକୁ ଅକାରଣ ଅଣି ଚଣ୍ଡାଳ ବାଦ୍‌ଶା ହାତରେ ଅର୍ପଣ କରିଦେଲି ! ରାଜପୁତ୍‌-ରମଣୀକୁ ବଳ ପ୍ରୟୋଗରେ ଟାଣି ନେଇ ମ୍ଳେଚ୍ଛ ପଠାଣ ପାଖରେ ଛାଡ଼ି ଦେଲି । ଭବିଷ୍ୟତ୍‌ ଇତିହାସ-ଲେଖକମାନେ ମୋର ଯେ କେତେ କୁତ୍ସା ରଟନା କରିବେ ! ରାଜପୁତ୍‌–ଇତିହାସ କଳଙ୍କିତ ହେବ ସିନା ! ମୁଁ ଯେଉଁ ଦ୍ରୋହ କରିଛି, ତାହାର ଅନୁପାତରେ ମୋର ଏହି ଅନୁତାପ କିଛି ନୁହେ । କୁଳାଙ୍ଗାର ଔରଂଜୀବ୍‍ ଏକା ମୋ ଦୁର୍ଗତିର ମୂଳ, ମୋ ଲାଞ୍ଛନାର କାରଣ । ଏଣୁ ପ୍ରତିହିଂସା, ପ୍ରତିହିଂସାହିଁ ମୋ ଜୀବନର ବଳିଷ୍ଠ ବ୍ରତ, ପ୍ରାଣର ପ୍ରଧାନ ସାଧନ ବର୍ତ୍ତମାନ । ତାହାକୁ ସର୍ବଶ ଧ୍ୱସ୍ତ ନ କଲେ, ମୋ ଦୀପ୍ତ କୋପାଳନର ଶାନ୍ତି ହେବ ନାହିଁ । ତାହାର ମନରେକ କୌଣସି ପ୍ରକାରେ ବିଶ୍ୱାସ ଜନ୍ମାଇ, ତାହାର ମିତ୍ର ହୋଇ ଅନିଷ୍ଟ ଘଟାଇ ପାରେଁ–ଶତ୍ରୁ ହୋଇ କିନ୍ତୁ ସେପରି କରିବା କଠିନ ।

 

‘ଏ କଣ ଭାବୁଛି ମୁଁ ? ବେଙ୍ଗ ସାପ-ତଣ୍ଡରେ ପଡ଼ି ଆଗରେ ଉଡ଼ୁଥିବ ପତଙ୍ଗ ଧରି ଗିଳିବାକୁ ଚେଷ୍ଟା କରିବା ଭଳି ଦିଲ୍ଲୀ-ଜଇଲ୍‌ରେ ପଡ଼ି ଦିଲ୍ଲୀ–ପତିର ବିନାଶ-ଉପାୟ ପାଞ୍ଚୁଛି ! ଖାସା ଚିନ୍ତା‌ ଏ ! କିନ୍ତୁ ଈଶ୍ୱରଙ୍କ କୃପାରେ ଯଦି କୌଣସି ଉପାୟରେ ମୁଁ ବନ୍ଦିଶାଳାରୁ ଫିଟେ–ମୋର ଏହି ବିଚାର କଣ ସଫଳ ହୋଇ ପାରିବ ନାହିଁ ? ଇନ୍ଦିରାଙ୍କ ଉଦ୍ଧାର ପାଇଁ ପ୍ରାଣ ପର୍ଯ୍ୟନ୍ତ ବିସର୍ଜ୍ଜନ ଦେବାକୁ ମୁଁ ପ୍ରସ୍ତୁତ । ଇନ୍ଦିରାଙ୍କ ନାମ ଯେତେବେଳେ ଥରକୁ ଥର ଜିଭ ଆଗରେ ନାଚୁଛି, ଜଇଲରୁ ମୁକ୍ତି ପାଇବାର ଉପାୟ କିଛି କଣ ନ ଦିଣି ଯିବ ? ଏତେବେଳେ ଇନ୍ଦିରା ସ୍ମରଣ ହିଁ ଏକ ମାତ୍ର ଉପାୟ । ସଙ୍କଟ ସମୟରେ ଲୋକେ ‘ରଖ ଇନ୍ଦିରା’ ନ କହି ‘ତ୍ରାହି ମଧୁସୂଦନ’ ବୋଲି ଯେ କାହିଁକି ରଡ଼ି ପକାନ୍ତି, କିଛି ବୁଝାଯାଉ ନାହିଁ ।’

 

କିଛି ସମୟ ନୀରବ ରହି ପୁନର୍ବାର ଚିନ୍ତା କଲେ,–‘ଇନ୍ଦିରାଙ୍କୁ ବାଦ୍‌ଶା-ମହାଲ୍‍ରୁ ଉଦ୍ଧାର କରି ତାଙ୍କୁ ଦୁର୍ଗାଦାସଙ୍କ ହାତରେ ସମର୍ପଣ ନ କଲେ ମୋ ଜୀବନ ବ୍ୟର୍ଥ ହୋଇଯିବ, ଏ ପଶ୍ଚାତ୍ତାପର ମହତ୍ତ୍ୱ ଉଠିଯିବ ସିନା ! କିନ୍ତୁ କେତେ ଉପକାର, ସେବା କଲେହେଁ ଦୁର୍ଗାଦାସ ଓ ଇନ୍ଦିରା ମୋତେ ବିଶ୍ୱାସ କରିବେ କିପରି ? ସେମାନଙ୍କ ଅନୁଗ୍ରହ-ପାତ୍ର ହେବା ସୁଯୋଗ ବୋଧହୁଏ ଆଉ ଏ ଫଟା ଭାଗ୍ୟରେ ଘଟିବ ନାହିଁ । ମଲା, ଏବେ ଏ ଭାବନା କିଆଁ ? ପରେ ଦେଖାଯିବ । ବର୍ତ୍ତମାନ ଯାହା କରିବା ଦରକାର, ସେହି କାମରେ ହିଁ ହାତ ଦେବା ଉଚିତ ।’

 

ଏପରି ଅନେକ ବିଷୟ ଭାବି, ସେ ସେହି ଦିନଠାରୁ କାରାଗାର କର୍ମଚାରୀ ସଙ୍ଗେ ବିଶେଷ ସଖ୍ୟ କରି ତାହାର ଅନୁଗ୍ରହ-ଊପାର୍ଜ୍ଜନରେ ପ୍ରୟାସୀ ହେଲେ । କିଛିଦିନ ପରେ ସେ ତାହାକୁ ନିଜର ଅଭିପ୍ରାୟ ଜଣାଇଲେ ଏବଂ କାରଗାରରୁ ମୁକ୍ତ କରିଦେଲେ, ତାହାକୁ ଉପଯୁକ୍ତ ପୁରସ୍କାର ଦେବେ ବୋଲି ସ୍ୱୀକୃତ ହେଲେ । ଜଇଲ୍‌ କର୍ମଚାରୀ ବିଚରା ମହାଧନ୍ଦାରେ ପଡ଼ିଲ । ନୟନପାଳଙ୍କୁ ଗୁପ୍ତଭାବରେ ମୁକ୍ତ କରିଦେବା କଥା ବାଦ୍‌ଶାଙ୍କ କାନରେ ପହଞ୍ଚିଲେ, ତାହାର ମୁଣ୍ଡ ଉଡ଼ିଯିବ ଭାବି ଭୟ କଲା । ଏଣେ କିନ୍ତୁ ପୁରସ୍କାର ଲୋଭ, ଧନାଶା ତୁଟି ପାରିଲା ନାହିଁ । ଆଶା ଓ ଆଶଙ୍କା ମଧ୍ୟରେ ଏଭଳି ଘଣ୍ଟା ଚକଟା, ଲଣ୍ଡଭଣ୍ଡ ହୋଇ ଅନେକ ଦିନ ଯାଏଁ ସେ ନୟନପାଳଙ୍କ ଅନୁରୋଧ ରକ୍ଷାରେ ସାହସୀ ହୋଇ ପାରିଲାନାହିଁ ।

 

ପ୍ରଲୋଭନ ଏଡ଼ି ନ ପାରି ଦିନେ ସେ ଭାବିଲା,–‘ଆଜକୁ ପ୍ରାୟ ଛ’ମାସ ହେଲା, ନୟନପାଳ ଜଇଲରେ ପଡ଼ି ସଢ଼ୁଛନ୍ତି–ବାଦ୍‌ଶା ଆଜି ଯାଏଁ ତାଙ୍କ କଥା ଉଠାଇଲେ ନାହିଁ । ଏହା ଛଡ଼ା, ଅନ୍ୟ କେତେ ଜଣ ମଧ୍ୟ ପ୍ରାୟ ଦୁଇ ବର୍ଷ ହେଲା ବନ୍ଦୀ ହୋଇ ରହିଛନ୍ତି–ସେମାନଙ୍କୁ ବା ଛୁଇଁ ପଚାରିଲା କିଏ ? ଏଣୁ ମୁଁ ଖିଆଲ ଅନୁସାରେ କାମ କଲେ ବି ଚଳିବ । ମାଇଲା ଘରେ ଭୂତ ନାହିଁ-। ମୁନିବ ପଠାଣ, ଚାକର ପଠାଣ ଯେ ମାରିଲା ତା’ର ଟାଣ । ନୟନପାଳଙ୍କୁ ଛାଡ଼ି ଦେଲେ କେହି ଜାଣିବେ ନାହିଁ, ବାଦ୍‌ଶା ତତ୍ତ୍ୱ ନେବେ ନାହିଁ । ଆଉ ଗୋଟିଏ କଥା, ମୃତ କଏଦିମାନଙ୍କ ତାଲିକାରେ ନୟନପାଳଙ୍କ ନାମ ଲଗାଇ ଦେଲେ ବି ଖବର ନାହିଁ–ତଦନ୍ତ କରୁଛି କିଏ-? ଏ ସୁଯୋଗ ଛାଡ଼ିବ କିଆଁ ?’

 

ଏହା ଭାବି ନୟନପାଳଙ୍କୁ ମୁକ୍ତ କରିବା ସ୍ଥିର କଲା । ଦିନେ ନୟନପାଳ ସ୍ଥାନୀୟ ତାଙ୍କର ଜଣେ ବନ୍ଧୁଙ୍କୁ ଡକାଇ, ବହୁ ସମୟ ତାଙ୍କ ସଙ୍ଗେ କଥାବାର୍ତ୍ତା କଲେ । ତାଙ୍କ ସାହାଯ୍ୟରେ ସେ କାରାଧ୍ୟକ୍ଷକୁ ପ୍ରତିଶ୍ରୁତ ପୁରସ୍କାରର କେତେକାଂଶ ଦେଲେ ଏବଂ ମୁକ୍ତି ଲାଭ ପରେ ଅବଶିଷ୍ଟାଂଶ ଦେବା ପାଇଁ ବାଗ୍‌ ଦାନ କଲେ ।

 

ଧନ-ମୋହାଧୀନ କାରା-କର୍ମଚାରୀ ପରିତୁଷ୍ଟ ହୋଇ, ଦିନେ ରାତ୍ରି ପ୍ରାୟ ଦୁଇପ୍ରହର ସମୟରେ ନୟନପାଳଙ୍କୁ ମୁକ୍ତ କରିଦେଲା । ସେତେବେଳେ କାରାଗାର-ପ୍ରହରି ସକଳ ଗାଢ଼-ନିଦ୍ରା-ମଗ୍ନ, ପ୍ରବଳ ବୃଷ୍ଟି ଓ ତୋଫାନ ଯୋଗୁଁ ଦିଲ୍ଲୀ ଘୋରାଅନ୍ଧକାରଚ୍ଛନ୍ନ । ଅନୁତାପ-ତପ୍ତ ସୁପଥ-ଗମନାକାଂକ୍ଷୀ ନୟନପାଳଙ୍କ ଉପରେ ମେଘ-ମଣ୍ଡଳ ଯେପରି ଅଭୟ ଢାଳି ଦେଲା । ଅନୁତାପୋଜ୍ୱଳ ମନୁଷ୍ୟ ଜଡ଼ ପଦାର୍ଥ ନିକଟରୁ ସୁଦ୍ଧା କରୁଣା ଆକର୍ଷଣ କରିବାକୁ ସମର୍ଥ ହୋଇଥାଏ । ମହାଲ୍‌ ଆଲୋକ ଶୂନ୍ୟ, ମୁହଁକୁ ମୁହଁ ଦିଶୁନାହିଁ–ନୟନପାଳ ଅନାୟାସରେ ନିର୍ଭୟ ହୃଦୟରେ ପ୍ରତ୍ୟେକ ଦ୍ୱାର ଅତିକ୍ରମ କରି ଅଳ୍ପକାଳ ମଧ୍ୟରେ ବାଦ୍‌ଶା-ପୁରୀ ବାହାରେ ଯାଇ ପହଞ୍ଚିଲେ । ସେ ଦିଲ୍ଲୀର ବାଟଘାଟ ସହିତ ପୂର୍ଣ୍ଣ ପରିଚିତ-ସେହି ଅନ୍ଧକାରରେ ସୁଦ୍ଧା ଠିକ୍‌ ରାସ୍ତା ଧରି ଚଞ୍ଚଳ ଯାଇ ନିରାପଦରେ ନିଜ ଗୃହରେ ଉପସ୍ଥିତ ହେଲେ । କିଛିସମୟ ପରେ ଜଇଲ୍‌-କର୍ମଚାରୀ ତାଙ୍କ ନିକଟକୁ ଯାଇ ଅବିଶିଷ୍ଟ ପ୍ରାପ୍ୟ ଧନ ପ୍ରାପ୍ତ ହେଲା ।

 

ବର୍ତ୍ତମାନ, ନୟନପାଳ ଆଉ ପୂର୍ବର ନୟନପାଳ ନୁହନ୍ତି । ବନ୍ଦିଶାଳରୁ ବାହାରିବା ଦିନୁ ଅହୋରାତ୍ରି ସେ ବାଦ୍‌ଶାଙ୍କ ସର୍ବନାଶ ସାଧନୋପାୟ ଚିନ୍ତା କରିବାକୁ ଲାଗିଲେ–ପ୍ରଖର ପ୍ରତିଶୋଧ ନେବାକୁ ସିଦ୍ଧ ହେଲେ । ତାଙ୍କର ପ୍ରଧାନ ଉଦ୍ଦେଶ୍ୟ, ଯେ କୌଣସି କୌଶଳରେ ଇନ୍ଦିରାଙ୍କୁ ରଙ୍ଗମହଲ୍‍ରୁ ଉଦ୍ଧାର କରି ତାଙ୍କୁ ଦୁର୍ଗାଦାସଙ୍କ ନିକଟରେ ନେଇ ଛାଡ଼ି ଦେବେ । ଏଣୁ ପରଦିନଠାରୁ, ବିବିଧ କପଟ-ବେଶ ଧରି ସମ୍ରାଟଙ୍କ ଉଆସ ମଧ୍ୟରେ ବୁଲାବୁଲି ଆରମ୍ଭ କଲେ । ଦିଲ୍ଲୀର କେହି ହେଲେ ତାଙ୍କୁ ଚିହ୍ନି ପାରିଲେ ନାହିଁ । କିଏ ଭାବୁଥିଲା, ଯବନ ଦାସ ଏଭଳି ଯବନ-ଶତ୍ରୁରେ ପରିଣତ ହେବ ? କିଏ ଜାଣିଥିଲା, ନୟନପାଳଙ୍କ ପ୍ରାଣରେ ଏପରି ଅନୁତାପ ଆସିବ–ଇନ୍ଦିରା-ରକ୍ଷା-ବାସନ ଫୁଟି ବସିବ ? ବାସ୍ତବରେ ଏହା ଏକ ଅପୂର୍ବ ପରିବର୍ତ୍ତନ !

Image

 

ଷଡ଼୍‌ବିଂଶ ପରିଚ୍ଛେଦ

(ଯବନୀ–ରୂପୀ ।ago)

 

‘‘ଏତେ ଡକରା ହକରାରେ ସୁଦ୍ଧା ଭାଇ ଭଉଣୀ ପାଖକୁ ଆସିବାକୁ ନାରାଜ ! କହି ପଠାଇଲେ ‘ହେଇଟି ଆସୁଛି’ ବୋଲି ତୁନିତାନି ! ଏ କଣ ? କିନ୍ତୁ ବାଦ୍‌ଶାଙ୍କୁ ଦୋଷ ଦେବାଟା ଦୋଷ । ସେଇ ମାୟାବନୀ ନିଜ କୁହୁକ-ଜାଲରେ ତାଙ୍କୁ ବାନ୍ଧି ରୁନ୍ଧି ପକାଇଛି–ତାଙ୍କୁ ଖେଳନା କରି ନଚାଉଛି । ଭାବିଛି ପରା ପିଶାଚୀ, ପତି ପାଖରେ ମୋ ନା’ରେ ମିଛ ଖଚ ଲଗା ଯୋଡ଼ା କରି ମୋତେ ଫାଶି ଦିଆଇ ଦେବ ? ଶାଜାହାନ୍‌ ଭଳି ଲୋକକୁ ଯେ ହଇରାଣ, ଅସ୍ତ ବ୍ୟସ୍ତ କରି ପକାଇଛି, ସେହି ରୌଶନ୍ୱାରା କଣ ଏ ଛାର ନଟକୂଟ, ଫନ୍ଦଫିକରରେ ଡରିଯିବ ? ପୋଡ଼ାମୁହିଁ ନିଜକୁ ସାରା ସାମ୍ରାଜ୍ୟର ପାଟ-ରାଣୀ ମନେ କରି ଆଖି ଦିଓଟି ମୁଣ୍ଡ ଉପରେ ନେଇ ଥୋଇଛି–ତଳ ଉପର ବିଚାର କରୁନାହିଁ । କିନ୍ତୁ ମୁଁ ଯଦି ପ୍ରକୃତ ରୌଶନ୍ୱାରା–ତା’ ମେରୁହାଡ଼ ଚୂନା ନ କରି ଛାଡ଼ୁଛି କେତେକେ ? ସୂତା ଯେତେବେଳେ ଅଛି, ହାଟ ବସିବାରେ ବିଳମ୍ବ ଆଉ କଣ ? ଉଦ୍ଦେଶ୍ୟ-ସିଦ୍ଧି ପାଇଁ ଛୋଟସିଂହକୁ ତ ହାତରେ ରଖିଛି, ଭୟ ଭାବନା ଆଉ କେଉଁଠି ? ତାହାକୁ ହିଁ ଧରି କପଟ-ନାଟକ ଦେଖାଇବି, ଉଦିର ଉତ୍ପାତ ଭାଙ୍ଗିବା ।’’

 

କୁକର୍ମ-କୁଶଳା ଷଡ଼୍‍ଯନ୍ତ୍ର ନିପୁଣା ମାୟାବିନୀ ରୌଶନ୍ୱାରା ଦିନେ ତାଙ୍କ ବିଳାସ-ମନ୍ଦିରରେ ବସି ମନେ ମନେ ଉଦିପୁରୀ ଉପରେ ଏପରି ଗରଳ ଝାଡ଼ୁଛନ୍ତି, ଏହି ସମୟରେ ଔରଂଜୀବ୍‌ ତାଙ୍କ ନିକଟରେ ଯାଇ ଉପସ୍ଥିତ । ବାଦ୍‌ଶା କହିଲେ,–‘ଦିଲ୍ଲୀର ଦ୍ୱିତୀୟ ବାଦ୍‌ଶାଙ୍କ ମୁହଁ ଆଜି ଶୁଖି ଯାଇଛି କାହିଁକି ?’

 

ରୌଶନ୍ୱାରା–ଏ ଟେକାଟେକି ମନ-ଧରା କଥାରେ ଆଉ ଲାଭ କଣ ଭାଇ ? ସେ କାଳଗଲା, ସେ ବେଳ ଗଲା–ରୌଶନ୍ୱାରା ଆଜି ଦିଲ୍ଲୀର ମହେନ୍ତ୍ରାଣୀ ହୋଇପଡ଼ିଛି ।

 

ସମ୍ରାଟ–ଏଇ ନିଷ୍ଠୁର କଥାର କାରଣ, ଶାହାଜାଦୀ ?

 

ରୌଶନ୍ୱାରା–ଭଉଣୀ ପ୍ରତି ଭାଇର ନିଷ୍ଠୁର ବ୍ୟବହାର । ପାପୁଲିର ଗୁଡ଼ କହୁଣୀକୁ ଖସିବା ପର୍ଯ୍ୟନ୍ତ ତ ତୁନି ରହିଲି; କାହାକୁ କହିଲେ ଏବେ କଣ ହେବ ? ହେଲା–ଛାଡ଼ି ସେ କଥା । ଦିଲ୍ଲୀରେ ରହିବାକୁ ଆଉ ମନ ଯାଉ ନାହିଁ, ମକ୍‌କାକୁ ପଳାଇବା ଠିକ୍‌ କରିଛିଁ ।

 

ସମ୍ରାଟ–ମକ୍‌କା ? ହେଉ, ଚାଲ ମୁଁ ବି ତୁମ ସଙ୍ଗେ ଆସୁଛି ।

 

ରୌଶନ୍ୱାରା–ତୁମର ଯିବା ଆସିବା କଥା ତୁମ ହାତରେ ଥିଲେ ତ ?

 

ସମ୍ରାଟ–ମକ୍‌କା ଯିବାର ଉଦ୍ଦେଶ୍ୟ ?

 

ରୌଶନ୍ୱାରା–ପରାଧୀନ ହୋଇ ନଗରରେ ରହିବା ଅପେକ୍ଷା; ସ୍ୱାଧୀନ ହୋଇ ମରୁଭୂମିରେ ବାସ କରିବା ଶତ ଗୁଣ ଭଲ

 

ସମ୍ରାଟ–ରୌଶନ୍ୱାରା ପରାଧୀନ ! ଅଧିକ ସ୍ୱାତନ୍ତ୍ର୍ୟ ଦେଇଛିଁ ମୁଁ କାହାକୁ ତେବେ ?

 

ରୌଶନ୍ୱାରା–ଯାହା କଥାରେ ତୁମେ ଏବେ ବସୁଛ ଉଠୁଛ ।

 

ସମ୍ରାଟ–ସେ ତ ରୌଶନ୍ୱାରା !

 

ରୌଶନ୍ୱାରା–ମିଥ୍ୟା କଥା !

 

ସମ୍ରାଟ–ତୁମ ମନରେ କ୍ରୋଧ ଜନ୍ମାଇଛି କିଏ, କହ ଖୋଲି ଶାହାଜାଦୀ ! ପ୍ରାଣ ଯିବ ତାହାର ଏଇକ୍ଷଣି ବାଦ୍‌ଶା ହାତରେ !

 

ରୌଶନ୍ୱାରା–ତା’ତ କାଠିକର ପାଠ ! ଯଥାର୍ଥ କହିବା କ୍ଷଣି ମୁଁ ଦଣ୍ଡ ନ ପାଇଲେ ରକ୍ଷା-!

 

ସମ୍ରାଟ–ଏତେ କଥାରେ ଅଛି କଣ–କହ ଚଞ୍ଚଳ କଣ ଚାଲିଛି ।

 

ରୌଶନ୍ୱାରା–ଯବନ-କୁଳ ଯେ ଲାଞ୍ଛିତ କଳଙ୍କିତ ହେବା ଉପରେ–କହିବି ଆଉ କଣ ?

 

ସମ୍ରାଟ–କଣ କହିଲ ! ପବିତ୍ର ପଠାଣ କୁଳରେ କଳଙ୍କ ! କାହାଦ୍ୱାରା ?

 

ରୌଶନ୍ୱାରା–ତୁମର ସେବକମନେ ତ ମୋ ଅଧୀନ ନୁହନ୍ତି । ମହାଲ୍‌ ଭିତରକୁ......ଯାଉ, ମୋ’ର କି ଯାଏ ? ସେଇ କଥା ମୋର କହିବା ଭଲ ନୁହେ–ତୁମର ଶୁଣିବା ବି ଉଚିତ ନୁହେ ।

 

ସମ୍ରାଟ–’ମହାଲ୍‌ ଭିତରକୁ’ ବୋଲି କଣ କହିବାକୁ ଯାଉଥିଲ ? କହ ଶୀଘ୍ର ପ୍ରକୃତ ଘଟନା ।

 

ରୌଶନ୍ୱାରା–ଅନେକ ରାଜପୁତ୍‌ କପଟ ବେଶ ଧରି ମହାଲ୍‌ ଭିତରକୁ ଆସୁଛନ୍ତି ।

 

ସମ୍ରାଟ–ଜାଣି ଶୁଣି ଦେଇ ସେମାନଙ୍କୁ ଦଣ୍ଡ ନ ଦେଇ ତୁନି ରହୁଛ ?

 

ରୌଶନ୍ୱାରା–ଜଣକର ଇଚ୍ଛାରେ ଆଉ ଜଣେ ବାଧା ଦେଇ ଲାଭ କଣ ?

 

ସମ୍ରାଟ–ଏଇ କାର୍ଯ୍ୟରେ ଏପରି ଇଚ୍ଛା କାହାର ?

 

ରୌଶନ୍ୱାରା–ତୁମର ଅପ୍ରିୟ ହେଲେହେଁ, ଦେଖୁଛି ମୋତେ ଠିକ୍‌ କହିବାକୁ ହେବ । ସେ ଅନ୍ୟ କେହି ନୁହେ–ଆମର ଉଦିପୁରୀ ।

 

ସମ୍ରାଟ–ଉଦିପୁରୀ ! ଉଦିପୁରୀ ! ତାଙ୍କ ସହିତ ରାଜପୁତ୍‌ମାନଙ୍କର ସମ୍ବନ୍ଧ କଣ ?

 

ରୌଶନ୍ୱାରା–ତାହା ତୁମେ ନିଜ ବୁଝିନିଅ । ମୁଁ ତ ସ୍ତ୍ରୀ–କହିବି କଣ ? ଦୋଷୀ କିନ୍ତୁ ନିଜେ ତୁମେ–ସେ ନୁହେ । ଏତେ ପଠାଣ ସୁନ୍ଦରୀ ଥାଉଁ ଥାଉଁ, ରାଜପୁତ୍‍ ସ୍ତ୍ରୀକୁ ସାଦୀ କଲ କିଆଁ ? କେବଳ ଏବେ ନୁହେ, ଏଠାରେ ଗୋଡ଼ ଦେବା ଦିନୁ ଉଦିପୁରୀର ଏ ଦୁର୍ବୁଦ୍ଧି ଚାଲିଛି । ରାଜପୁତ୍‌ ମାଈ ତ ସେ–ସ୍ୱଜାତି ମମତା ଛାଡ଼ିବ କିପରି ? ଏହାର ପ୍ରମାଣ ଦେଉଛି ରହ ।

 

ବିକଟ ସନ୍ଦେହରେ ସମ୍ରାଟଙ୍କ ମନ ପ୍ରାଣ ପୋଡ଼ି ଜଳି ଉଠିଲା । ତାଙ୍କର ବୋଧ ହେଲା, କେହି ଜଣେ ଯେପରି ତପ୍ତ ତରବାରିରେ ତାଙ୍କ ଶିରଛେଦନ କରି ପକାଉଛି । ରାଜପୁତ୍‌-ନାମ ତ ତାଙ୍କ ନିକଟରେ ହଳାହଳ–ସେ ଅଗ୍ନିବତାର ହୋଇ ବସିଲେ । ରୌଶନ୍ୱାରା ସେହିକ୍ଷଣି ଛୋଟସିଂହଙ୍କୁ ସେଠାକୁ ଅଣାଇ ବାଦ୍‌ଶାଙ୍କ କୋପ ଉଦ୍ଦୀପ୍ତ କଲେ । ସମ୍ରାଟ ରୁଦ୍ର ରୂପ ଧରି ଆରକ୍ତ ମୁଖରେ କିଛି ସମୟ ଛୋଟସିଂହଙ୍କ ଉପରେ କ୍ରୂର ଦୃଷ୍ଟି ପକାଇବା ପରେ ରୌଶନ୍ୱାରାଙ୍କୁ ପଚାରିଲେ, ‘କିଏ ଏ, ଶାହାଜାଦୀ ?’ ରୌଶନ୍ୱାରା କହିଲେ,–‘ଏ ପ୍ରଶ୍ନର ପ୍ରୟୋଜନ କଣ ? ଉଦିପୁରୀର ପ୍ରେମିକ ଦଳ ମଧ୍ୟରେ ଏ ଜଣେ । ଏ ଛଦ୍ମବେଶ ଧରି ନିର୍ଭୟରେ ମହାଲ୍‌ ମଧ୍ୟରେ ପଶୁଥିବାବେଳେ, ତୁମକୁ ଦେଖାଇବା ସକାଶେ ଏହାକୁ ବନ୍ଦି କରି ରଖିଲି । ରଙ୍ଗମହାଲ୍‌ରେ ଏପରି କାଣ୍ଡ କାରଖାନା ବରାବର ଲାଗିଛି, ତୁମକୁ ଏହା ବୁଝାଇବା ଉଦ୍ଦେଶ୍ୟରେ ହିଁ ଏହାକୁ ଏଠାକୁ ଅଣାଇଛି । କିନ୍ତୁ ଜାଣି ରଖ, ଉଦିପୁରୀ ଉପରେ ମୋର ହିଂସା ରାଗ ନାହିଁ । ତାହାର କିଛି ଦୋଷ ନାହିଁ–ସେ ବଡ଼ ସରଳ, ଉଦାସୀନ । ରାଜପୁତ୍‌-ସଙ୍ଗ-ସୁଖ-ପିଲାଦିନୁ ଜାଣି ନଥିବାରୁ, ଏପରି କରିଛି ମାତ୍ର । ତାହାର ବୟସ ତ ଅଳ୍ପ–ଭଲମନ୍ଦ ବିଚାର ଆସିବ କୁଆଡ଼ୁ ?

 

ଔରଂଜୀବ୍‌ ଏକାବେଳକେ ପଥର ପାଲଟି ଗଲେ–ତାଙ୍କର ବାକ୍‌ସ୍ପୁର୍ତ୍ତି ହୋଇ ପାରିଲାନାହିଁ । ଏକ ମୁହୂର୍ତ୍ତ ମାତ୍ର ବିଳମ୍ବ ନକରି, ସେ ଛୋଟସିଂହଙ୍କୁ ସଙ୍ଗେ ଧରି ଉଦିପୁରୀ-ମହାଲ୍‍ ପ୍ରତି ଅଗ୍ରସର ହେଲେ ।

 

ଆୟୋଗୋ (lago) ଏଭଳି, ସରଳା, ସ୍ୱାମି-ସୁଆଗିନୀ ଡ଼େସ୍‌ଡିମାନଙ୍କ ପ୍ରତି ଅଥଲୋଙ୍କ ମନ ଦୂଷିତ, ବିଷାକ୍ତ କରିଦେଲା ! ଦେଖାଯାଉ ଏଥର ଘଟୁଛି କ’ଣ ।

 

ଉଦିପୁରୀ ଇନ୍ଦିରାଙ୍କ ସହିତ ପ୍ରେମାଳାପ କରୁଥିବାବେଳେ ଔରଂଜୀବ୍‌ ହଠାତ୍‌ ସେଠାରେ ଯାଇ ପ୍ରବେଶ କଲେ । ତାଙ୍କୁ ଦେଖିବାମାତ୍ରେ ଦୁଇ ଜଣ ଠିଆ ହେଲେ । ତାଙ୍କ ପଛରେ ଛୋଟସିଂହଙ୍କୁ ଠିଆ ହୋଇଥିବାର ଦେଖି, ଇନ୍ଦିରା ଚମକିତ ହୋଇଗଲେ ଏବଂ ବହୁଦିନ ପରେ ତାଙ୍କୁ ପୁଣି ଦେଖି ସଙ୍ଗେ ସଙ୍ଗେ ଆଶ୍ୱସ୍ତ ହେଲେ । ସେଠାରେ କଣ ଘଟିବ, ତାହା ବୁଝିବା ଉଦ୍ଦେଶ୍ୟରେ ସେ ଗୋଟିଏ କବାଟ-କୋଣରେ ଲୁଚି ରହି ଦେଖିବାକୁ ଲାଗିଲେ । ତାଙ୍କୁ ଦେଖିବା କ୍ଷଣି ଛୋଟସିଂହ ମୁହଁ ତଳକୁ କରିଦେଲେ ।

 

ଉଦିପୁରୀ ବାଦ୍‌ଶାଙ୍କୁ ଆସନ ଦେଇ ବସିବାକୁ ଅନୁରୋଧ କଲେ; କିନ୍ତୁ ତାଙ୍କର ସମ୍ମାନ-ପ୍ରକାଶରେ ବାଦ୍‌ଶା ପୂର୍ବପରି ସନ୍ତୁଷ୍ଟ ହେବାର ଦେଖାଗଲା ନାହିଁ । ସରଳା ନିର୍ମ୍ମଳ ହୃଦୟା ଉଦିପୁରୀ ଏହାର ରହସ୍ୟ କିଛି ବୁଝି ପାରିଲେ ନାହିଁ । ଆଗ ପରି ପତିଙ୍କୁ ଆଦର, ଅଭ୍ୟର୍ଥନା କରିବାକୁ ଲାଗିଲେ । କିନ୍ତୁ ସମ୍ରାଟଙ୍କ ହୃଦୟ-କ୍ଷେତ୍ରରେ ତ ରୌଶନ୍ୱାରା ବାପିତ ବିଷବୀଜ ଅଙ୍କୁରିତ, ବୃଦ୍ଧିପ୍ରାପ୍ତ ହୋଇ ଯାଇଛି–ସେ ମହିଷୀଙ୍କ ସ୍ୱାଭାବିକ ପ୍ରେମ-ପ୍ରଦର୍ଶନ ଅତି ଅସ୍ୱାଭାବିକ ଅନାସ୍ଥା ଦେଖାଇଲେ ।ଏଣୁ ସନ୍ଦେହ ଓ ଭୟ ମହିଷୀଙ୍କ ମନପ୍ରାଣ ଦଖଲ କରି ବସିଲା । ତଥାପି ସେ ପତିବ୍ରତା-ସୁଲଭ ଭକ୍ତି ଓ ପ୍ରେମ ବ୍ୟକ୍ତ କରି ବାଦ୍‌ଶାଙ୍କ ନିକଟକୁ ଯିବାକୁ ଉଦ୍ୟତ ହେବାମାତ୍ରେ, ବାଦ୍‌ଶା କିଛି ଦୂରକୁ ଘୁଞ୍ଚି ଯାଇ ଘନ-ଘୋଷ ତୁଲ୍ୟ ଗର୍ଜ୍ଜନ କରି କହିଲେ–‘ଦୂର ପିଶାଚୀ ! ତୋ ମାମୁଲି ଗେଲ କୌତୁକ ଅଙ୍ଗ ଭଙ୍ଗୀ ସବୁ ରଖ୍‌ ।’

 

ଉଦିପୁରୀଙ୍କ ହୃଦୟ ହଠାତ୍‌ ଶୁଷ୍କ ପଡ଼ିଲ–ସେ ବରଡ଼ା ପତ୍ର ଭଳି ଥରିଗଲେ । ତାଙ୍କ ଆଗରେ ଛୋଟସିଂହଙ୍କୁ ଛିଡ଼ା କରାଇ, ସମ୍ରାଟ ଘୃଣା-ବିକୃତ କଣ୍ଠରେ ମହିଷୀଙ୍କୁ ପ୍ରଶ୍ନ କଲେ,–‘କିଏ ଏ, ଜାଣୁ ?’

 

ମହିଷୀ–ବାଟରେ ଯା’ଆସ କରିବା ଜଣେ ଲୋକକୁ ଟାଣି ଆଣି ତା’ର ପରିଚୟ ଲୋଡ଼ିଲେ, ବାଦ୍‌ଶାଙ୍କ ଅନ୍ତଃପୁରର ସ୍ତ୍ରୀ କି ଉତ୍ତର ଦେଇପାରିବ ?

 

ବାଦ୍‍ଶା–ତୁ ଜଣେ ପକକା ଅବିଶ୍ୱାସୀ ମାଈ ବୋଲି ଆଗଠୁଁ ବୁଝିଛି ।

 

ମହିଷୀ–ଖୋଦାବନ୍ଦ୍‍ ! ଅକାରଣ ରାଗ କଲେ କି ଜବାବ୍‌ ଦେଇପାରିବ ଏ ଦାସୀ ? କାରଣ ଜଣାଇଲେ ସିନା ମୋର ରକ୍ଷା !

 

ବାଦ୍‌ଶା–ଡାକିନୀ ! ଛୋଟସିଂହ ତୋ ମହଲ୍‍କୁ ଆସିଥିଲା କାହିଁକି ?

 

ଏହା ଶୁଣି ଇନ୍ଦିରାଙ୍କ ପ୍ରାଣରେ ଯୁଗପତ୍‌ ଗୋଟିଏ ଚମକ ଖେଳିଗଲା । ସେ ଅଧିକ ଉତ୍କଣ୍ଠା ସହିତ ବାଦ୍‌ଶା ଓ ମହିଷୀଙ୍କ କଥାବାର୍ତ୍ତା ଶୁଣିବାକୁ ଲାଗିଲେ ।

 

ଉଦିପୁରୀ କହିଲେ,–‘ବେଶ୍‌ ବାଦ୍‌ଶା ! ଏହା ପଚାରି ମୋ ସନ୍ଦେହ, ଭୟ ଘୁଞ୍ଚାଇ ଦେଇଛ । ଶୁଣ୍‌ ତେବେ, ଛୋଟସିଂହ ଜଣେ ଦରିଦ୍ର ଚିତ୍ରକର । ଶୁଣେ, ପେଟ ପୋଷିବା ପାଇଁ ଏ ଦିଲ୍ଲୀକୁ ଆସିଛି । ହାତି-ଦାନ୍ତର ବିଞ୍ଛଣା ଖଣ୍ଡିଏ ଧରି କିଛିଦିନ ତଳେ ମୋ ପାଖକୁ ଆସିଥିଲା । ପରଦିନ ଆସିଲେ ଉଚିତ ପୁରସ୍କାର ଦେବି ବୋଲି କହି ଏହାକୁ ସେଦିନ ବିଦାୟ କଲି । ଆଜି ଯାଏଁ ଏହାର ଦେଖା ନ ଥିଲା । ତୁମକୁ ସେଇ ବିଞ୍ଛଣାଟି ଦେଖାଇବାକୁ ଭୁଲି ଯାଇଥିଲି । ହେଇଟି ଆଣୁଛିଁ–ତାହା ଦେଖିଲେ ତୁମର ସନ୍ଦେହ ଦୂର ହେବ !

 

ମହିଷୀ ସେହି ମୁହୂର୍ତ୍ତରେ ବିଞ୍ଚଣାଟି ଆଣି ସମ୍ରାଟଙ୍କୁ ଦେଖାଇଲେ । ତାଙ୍କର ବଡ଼ ଆଶା ଥିଲା, ବାଦ୍‌ଶା ତାହା ଦେଖି ବିଶେଷ ଚମତ୍କୃତ ଓ ତୁଷ୍ଟ ହେବେ । କିନ୍ତୁ ସମ୍ରାଟଙ୍କ ମନ ବର୍ତ୍ତମାନ ଯେ ପ୍ରତିକୂଳ, ବିକୃତ ଭାବ ଧରିଛି ! ଏଣୁ ସେ ଉଦିପୁରୀଙ୍କ ହାତପୁର ବିଞ୍ଚଣାଟି ଛଡ଼ାଇ ନେଇ ତାଙ୍କ ମୁଖ ଉପରେ ତାହା ଫୋପାଡ଼ି ଦେଇ ଦୃଢ଼ ସ୍ୱରରେ କହିଲେ–‘ଗୁପ୍ତବେଶୀ ରାଜପୁତ୍‍ମାନଙ୍କୁ ମହାଲ୍‍ ଭିତରକୁ ଅଣାଉଛ । ଏ ଅପମାନ କାହାର ? ତୋ ଭଳି ପାପୀ, ବିଶ୍ୱାସଘାତକ ସ୍ତ୍ରୀକୁ ଯେ ମହାଲ୍‌ରେ ସ୍ଥାନ ଦେଇଛି, ଏହାଠାରୁ ବଳି ପାପ ଆଉ କଣ ହୋଇପାରେ ? ମୁସଲମାନ୍‌କୁଳର ଯଶରେ କାଳିମା ଲଗାଇଛୁ, ପିଶାଚୀ ।’

 

ଏହି ନିଷ୍ଠୁର, ନିଦାରୁଣ ବାକ୍ୟ ସାଧ୍ୱୀ ଉଦିପୁରୀଙ୍କୁ ହୃଦୟରେ ସୁତୀକ୍ଷ୍‌ଣ ବାଣ ବିଦ୍ଧ କରି ପକାଇଲା । ସେ ଅଶ୍ରୁପୂର୍ଣ୍ଣ ନେତ୍ରରେ ଥର ଥର ସ୍ୱରରେ କହିଲେ,–‘ଖୋଦାବନ୍ଦ୍‌ ! ତୁମେ ଏପରି ସନ୍ଦେହ ଓ ରାଗ କରିବ ବୋଲି ଆଗଠୁଁ ଆଶଙ୍କା କରିଥିଲି ! ତୁମ ମନରେ ଯେଉଁ ଭ୍ରଷ୍ଟା ଏହି ଗରଳ ଇଡ଼ିଛି, ତାହାକୁ ବି ମୁଁ ଜାଣେ । ଆଉ ଅଧିକ ବିଳମ୍ବ ନକରି ମୋ ମୁଣ୍ଡକାଟି ତୁମ କ୍ଷୁଧିତ୍‌ ଖଡ଼୍‍ଗକୁ ତୁଷ୍ଟ କର । ତେବେ, ନ୍ୟାୟାନ୍ୟାୟ ବିଚାର କରି ଦେଖ । ଛୋଟସିଂହ ସମ୍ବନ୍ଧରେ ଯାହା କହିଛି, ସେତିକି ମାତ୍ର ମୁଁ ଜାଣେଁ । ଏହା ମିଥ୍ୟା ବୋଲି ଭାବିଲେ, ମଶାବତ୍‌କୁ ପଚାରି ପାର ।’

 

ରୋଦନ-ତତ୍ପରା ଉଦିପୁରୀଙ୍କ କରୁଣ ଉକ୍ତି ପ୍ରତି କର୍ଣ୍ଣପାତ ନ କରି ବାଦ୍‌ଶା ରୋଷକର୍ଷାୟିତ ମୁଖରେ କହିଲେ,–‘ଇଚ୍ଛା ଅନୁସାରେ ବକି ଯାଉଛୁ ଯେ । ଏ ଦୁରାଚାର ବହୁ ଦିନ ହେଲା ରଙ୍ଗମହଲ୍‌କୁ ଆସୁଛି, ଶୁଣିଛି । ଆଉ କ୍ଷମା ନାହିଁ । ଉପଯୁକ୍ତ ଦଣ୍ଡ ଦେଉଛି, ଦେଖ୍‌ ।’

 

ଏହା କହି ସେ ଖଡ଼୍‍ଗ ଉତ୍‌ଥିତ କରି ମହିଷୀଙ୍କୁ ବଧ କରିବାକୁ ଉଦ୍ୟତ ହେବାବେଳେ, ପରୋପକାର–ସାଧନ–ତତ୍ପରା ଇନ୍ଦିରା ଉଦିପୁରୀଙ୍କୁ ମୃତ୍ୟୁ ସମ୍ମୁଖରେ ଦେଖି ତାଙ୍କର ଦାରୁଣ ଦୁଃଖ ସମ୍ଭାଳି ନପାରି ଅତିଶୟ ଧୈର୍ଯ୍ୟ ସହିତ ହଠାତ୍‌ ଧାଇଁ ଯାଇ ସମ୍ରାଟ ଓ ମହିଷୀଙ୍କ ମଧ୍ୟରେ ଠିଆ ହୋଇଗଲେ । ଏଣେ ଉଦିପୁରୀ ସମ୍ରାଟଙ୍କ ଭୟଙ୍କର ମୂର୍ତ୍ତି ଦେଖି ବ୍ୟାକୁଳ ପ୍ରାଣରେ ମୂର୍ଚ୍ଛିତ ହୋଇ ପଡ଼ିଲେ । ଇନ୍ଦିରା ସତେଜ ସୁଦୀପ୍ତ କଣ୍ଠରେ କହିଲେ,–କ୍ଷାନ୍ତ ହୁଅ, ଶାନ୍ତ ହୁଅ ବାଦ୍‌ଶା ! ଆଗେ ମୋ କଥା ଶୁଣ ପରେ ଯାହା ଇଚ୍ଛା କରିବ । ଯେଉଁ ବୀରର ଅମିତ ତେଜ, ବିଚିତ୍ର ଭୁଜବଳ ଶତ୍ରୁ-ମନରେ ଭୀତି ଜନ୍ମାଇଛି, ଯଶୋବନ୍ତ ସିଂହଙ୍କ ବଂଶରକ୍ଷା ସକାଶେ ଯେ ଶକ୍ତ ଶପଥାବଦ୍ଧ, ଯେ ଭୀଷଣ ସାହସରେ କାବୁଲ୍‌ର ଶତ୍ରୁଦଳକୁ ପଦଦଳିତ କରି ସେଠାର ପ୍ରଜା-ବିଦ୍ରୋହ ଦମନ କରିଥିଲେ, ଯେଉଁ ରାଜପୁତ୍‌ ନୟନପାଳଙ୍କ ଜାଲରେ ନ ପଡ଼ି ଜାଲରେ ହିଁ ତାହାଙ୍କୁ ବାନ୍ଧି ପକାଇ ଥିଲେ, ଯେଉଁ ପରାକ୍ରମଶାଳୀ ହିନ୍ଦୁ ଆବୁ ପାହାଡ଼ ପ୍ରାନ୍ତରେ ସମ୍ରାଟ-ସେନାକୁ ଏକ ନିମେଷ ମଧ୍ୟରେ ନଷ୍ଟ କରି ଦେଇଥିଲେ, ସେହି ତେଜସ୍ୱୀ ବିକ୍ରମ-ଦୀପ୍ତ ରାଜପୁତ୍‌ ବୀର ଦୁର୍ଗାଦାସ ହିଁ ବର୍ତ୍ତମାନ ତୁମ ନିକଟରେ ଠଇଆ କଥାଟା ଆଉ ଗୁପ୍ତ ରଖିବା ଦରକାର ନାହିଁ, ସମ୍ରାଟ ଏଠାରୁ ମୋତେ ଉଦ୍ଧାର କରିବା ଉଦ୍ଦେଶ୍ୟରେ ହିଁ ଏ ଚିତ୍ରକର ବେଶରେ ଛୋଟସିଂହ ନାମ ଧରି ମହାଲ୍‌ରେ ପ୍ରବେଶ କରିଛନ୍ତି । ଉଦିପୁରୀଙ୍କର କିଛି ଦୋଷ ନାହିଁ । ରାଜପୁତ୍‌ ସ୍ତ୍ରୀ କିମ୍ବା ପୁରୁଷ ବିପଦରେ ପଡ଼ି ସଢ଼ି ମୁଣ୍ଡପୋତି ସବୁ ସହିପାରେ, ତଥାପି ଅନ୍ୟକୁ ଆପଦଗ୍ରସ୍ତ ଦେଖିବା ମାତ୍ରେ ତାହାକୁ ସାହାଯ୍ୟ ନ କରି ତୁନି ରହେ ନାହିଁ । ତୁମର ଅନ୍ୟାୟ ଦେଖି ନିର୍ଦ୍ଦୋଷ ମହିଷୀଙ୍କୁ ମରଣ-ମୁଖରୁ ରକ୍ଷା କରିବା ପାଇଁ ମୁଁ ଏ ସାହାସ କରିଛି । ମୁଁ ଓ ମୋ ଭାଇ ଦୁର୍ଗାଦାସ ବର୍ତ୍ତମାନ ତୁମ ହାତରେ, ଯାହା କରିବାର ଇଚ୍ଛା ଆମ ଦୁହିଁଙ୍କୁ କରିପାର । ଉଦିପୁରୀଙ୍କୁ କିନ୍ତୁ ଶାସ୍ତି ଦିଅ ନାହିଁ–ସେ ନିତାନ୍ତ ନିର୍ଦ୍ଦୋଷ, ନିର୍ଦ୍ଦୋଷ, ନିର୍ଦ୍ଦୋଷ ।’

 

ଏହି ଧୈର୍ଯ୍ୟ-ଶାଣିତ ଝଙ୍କୃତ ବାକ୍ୟ-ବର୍ଷଣରେ ଔରଂଜୀବ୍‌ ଅବାକ୍‌, ଅପ୍ରତିଭ ! ପ୍ରସ୍ତର ପରି ନିଶ୍ଚଳ । ମହିଷୀ ମୂର୍ଚ୍ଛା–ମୁକ୍ତ ହୋଇ, ଇନ୍ଦିରାଙ୍କ ପୃଷ୍ଠ ଦେଶରେ ଠିଆ ହେଲେ । ବାଦ୍‌ଶା ମନେ ମନେ କହିଲେ,–’ଏ ଇନ୍ଦିରାଙ୍କର ଜନ୍ମ କଣ ଏ ଜଗତରେ ?’ ସେ ମହିଷୀଙ୍କୁ ହତ୍ୟା କରିବା ନିମନ୍ତେ ଯେପରି ତରବାରି ଉଠାଇଥିଲେ, ତାହା ସେପରି ହିଁ ଉତ୍‌ଥିତ; ନମିତ ହେଲା ନାହିଁ–ଇନ୍ଦିରାଙ୍କ ପ୍ରତି ଯେପରି ଏକ ଦୃଷ୍ଟିରେ ଚାହିଁ ରହିଲେ, ସେ ପରି ଚାହିଁ ରହିଲେ; ପଲକପାତ ନାହିଁ । ଇନ୍ଦିରାଙ୍କ ମୁଖରୁ ଉଦିପୁରୀ ନିତାନ୍ତ ନିର୍ଦ୍ଦୋଷ ବୋଲି ସ୍ଥିର କରି ଏବଂ ରୌଶନ୍ୱାରାଙ୍କ ଷଡ଼ଯନ୍ତ୍ର ସବୁ ବୁଝି ପାରି ସମ୍ରାଟ ଆଶ୍ୱସ୍ତ ହେଲେ, ନିଜର ରୁ ଭାଷଣ ଓ କର୍କଶ ଆଚରଣ ପାଇଁ ବିଶେଷ ଲଜ୍ଜିତ ହେଲେ ।

ସେକସ୍‍ପିଅରଙ୍କ ଅଥେଲୋ Othelo ଡେସ୍‌ଡିମନାଙ୍କୁ ହତା କରିବାପରେ ନିଜର ଭ୍ରମ ବୁଝି ପାରି ଅନୁତପ୍ତ ହୋଇଥିଲେ, କିନ୍ତୁ ଆମର ଅଥେଲୋ ମହିଷୀଙ୍କୁ ବଧ ନ କରୁଣୁ, ମଧ୍ୟସ୍ଥା ଇନ୍ଦିରାଙ୍କ ସାହସଯୋଗୁଁ, ଆପଣାର ଦୋଷ ଚିହ୍ନି ପାରି ଅନୁତାପ କଲେ, ଆଶ୍ୱାସନା ପାଇଲେ-ପତ୍ନୀ-ବଧପଶ୍ଚାତ୍ତାପ ତାଙ୍କ ଜୀବନରେ ଘଟି ନ ଥିଲା । ଏତିକି ମାତ୍ର ପ୍ରଭେଦ । ରୌଶନ୍ୱାରା କପଟ-ଗର୍ଭା, ବିଦ୍ୱେଷ ପରାୟଣା, ଜଘନ୍ୟ ଚରିତ୍ରା ଓ ପରାନିଷ୍ଟ ସାଧନ-ପ୍ରବତ୍ତିଶୀଳାଏଣୁ ସେ logo ସହିତ ତୁଳନୀୟ । ଉଦିପୁରୀ ସରଳ ସ୍ୱଭାବା ଓ ପତିଗତପ୍ରଣା–ଏଣୁ ସେ ଓ Desdemona ପରସ୍ପର ତୁଳନୀୟା ।

ଔରଂଜୀବ୍‌ ଏଥି ପୂର୍ବେ ତ ଦୁର୍ଗାଦାସଙ୍କ ଆଲୌକିକ ବିକ୍ରମ ଓ ଅସାମାନ୍ୟ ଯୁଦ୍ଧ–ନୈପୁଣ୍ୟ ସମ୍ବନ୍ଧରେ ଶୁଣୀଥିଲେ–ବର୍ତ୍ତମାନ ସମ୍ମୁଖରେ ତାଙ୍କୁ ଛଦ୍ମବେଶରେ ଠିଆ ହୋଇ ଥିବାର ଦେଖି ବିସ୍ମିତ ହୋଇଗଲେ, ତାଙ୍କ ଛାତି ଥରିଗଲା, ମସ୍ତିଷ୍କ ଆଲୋଡ଼ିତ ହୋଇ ପଡ଼ିଲା । ସୂକ୍ଷ୍ମ ବୁଦ୍ଧି ସମ୍ରାଟ ଭାବିଲେ, ମୋଗଲମାନଙ୍କ ମଧ୍ୟରେ ଦୁର୍ଗାଦାସ ଭଳି ସମର ବିଶାରଦ, ବିଚିତ୍ର ପରାକ୍ରମ-ତୃପ୍ତ ବୀର କେହି ନାହିଁ ଏବଂ ତାଙ୍କୁ ଆୟତ୍ତ କରି ପାରିଲେ ଭବିଷ୍ୟତ୍‌ ଯୁଦ୍ଧରେ ତାଙ୍କ ନିକଟରୁ ବହୁ ଉପକାର ପାଇ ପାରିବେ । ଏଣୁ ସେ ମିଷ୍ଟ ବାକ୍ୟରେ ଦୁର୍ଗାଦାସଙ୍କୁ ଅପ୍ୟାୟିତ କରିବାକୁ ଯତ୍ନବାନ୍‌ ହେଲେ । କହିଲେ,–‘ଦୁର୍ଗାଦାସ ! ତୁମ ବୀରତ୍ୱ ଚାତୁର୍ଯ୍ୟ ଓ ପ୍ରତିଭା ସମ୍ବନ୍ଧରେ ଅନେକ ଥର ଶୁଣିଛି–ଯଶୋବନ୍ତଙ୍କ ସୈନ୍ୟ ମଧ୍ୟରେ ତୁମକୁ ଅନେକ ଥର ଦେଖିଛି । ତୁମେ ତାଙ୍କ ତାଙ୍କ ଯୁଦ୍ଧରେ ଯୋଗ ଦେଇ, କାବୁଲର ପ୍ରଜା–ବିଦ୍ରୋହ ଦମନ କରି ଯେଉଁ ରାଜଭକ୍ତି ଦେଖାଇଛ ସେଥିରେ ମୁଁ ବିଶେଷ ତୁଷ୍ଟ । ତୁମ ଠାରୁହିଁ ରାଜଭକ୍ତି, ପ୍ରଭୁଭକ୍ତ ଶିକ୍ଷା କରିବାର କଥା । ଆଶାକରେଁ, ଆଜିଠାରୁ ତୁମେ ଏଠାରେ ସେନାପତତି ହୋଇ ରହିବ । ତୁମର ଅବଶ୍ୟ କୌଣସି ଅଭାବ ହେବ ନାହିଁ ।

ଦୁର୍ଗାଦାସ ଜଣାଇଲେ,–’ସମ୍ରାଟ ! ଯଶୋବନ୍ତ ସିଂହଙ୍କ ମୃତ୍ୟୁ ହେବା ଦିନୁ, ଅନ୍ୟ କାହାର ସେବକ ହେବି ନାହଁ ବୋଲି ପ୍ରତିଜ୍ଞା କରିଛି । ଏଣୁ ମହାରାଣଶଙ୍କ ଜୀବନ ସଙ୍ଗେ ସଙ୍ଗେ ମୋ ପ୍ରାଣ ବି ଚାଲିଯାଇଛି ମନେ କରି ମୋ ନିକଟରୁ ସେବା ଆଶା କରନ୍ତୁ ନା ।’

ସମ୍ରାଟ ମୃର୍ଦୁଦାସ ପ୍ରକାଶ କରି କହିଲେ,–‘ଏହିକ୍ଷଣି କିଛି ଉଦ୍‌ବେଗ ନାହିଁ, ଦୁର୍ଗାଦାସ ! ଇନ୍ଦିରାଙ୍କ ସଙ୍ଗେ ସଙ୍ଗେ ପରାମର୍ଶ କରି ମତ ଜଣାଇବ ।’ ପରେ ସେ ମହାଲ୍‌ ମଧ୍ୟରେ ସୁନ୍ଦର ଏକ ପ୍ରାସାଦରେ ଦୁର୍ଗାଦାସଙ୍କୁ ବାସସ୍ଥାନ ଦେଇ, ତାଙ୍କର ସମସ୍ତ ସୁଖ ସୁବିଧା କରିଦେଲେ ଏବଂ ସେହି ପ୍ରସାଦ ପ୍ରତି ମୁହୁର୍ତ୍ତ ଘେରି ରହିବା ସକାଶେ ଭୃତ୍ୟମାନଙ୍କୁ ଗୋପନରେ ଆଦେଶ କଲେ । ରୌଶନ୍ୱାରାଙ୍କୁ କୁଚକ୍ରରେ ପଡ଼ି ମହିଷୀଙ୍କୁ ସେ ଯେଉଁ ଲାଞ୍ଛନା ଦେଇଥିଲେ ସେଥିପାଇଁ ଉଦିପୁରଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ । ଇନ୍ଦିରାଙ୍କୁ ବହୁ ପ୍ରଂଶସା କରି, ସେ ମୁହୂର୍ତ୍ତଠାରୁ ତାଙ୍କୁ ଅଧିକ ସମ୍ମାନ କରିବାକୁ ଲାଗିଲେ । କହିବା ବାହୁଲ୍ୟ, ଇନ୍ଦିରାଙ୍କ ପ୍ରତି ଉଦିପୁରୀଙ୍କ ଆଦର, ସ୍ନେହ ଓ ଭକ୍ତି ସହସ୍ର ଗୁଣ ବୃଦ୍ଧି ପାଇଲା ।

ଏଣେ ରୌଶନ୍ୱାରା ସ୍ପଷ୍ଟ ବୁଝିନେଲେ ଯେ, କେବଳ ଇନ୍ଦିରାଙ୍କ ଯୋଗୁଁ ତାଙ୍କର ପୂର୍ଣ୍ଣ ପରାଭାବ ହୋଇଛି–ତାଙ୍କର ଦୁଷ୍ଟ ମତଲବ, କୂଟ ସଂକଳ୍ପ ନିଷ୍ଫଳ ହୋଇଅଛି । ସୁତରାଂ ଇନ୍ଦିରାଙ୍କ ଉପରେ ତାଙ୍କ କ୍ରୋଧ ଦ୍ୱେଷ ଓ କପଟ ଘନୀଭୂତ ହେବାକୁ ଲାଗିଲା ।

Image

 

ସପ୍ତବିଂଶ ପରିଚ୍ଛେଦ

(ସମ୍ରାଟଙ୍କ ଅନ୍ତଃପୁରରେ ଫକୀର)

 

ଉଦିପୁରୀ-ମହାଲ୍‍ରେ ସମ୍ରାଟ ମହିଷୀ, ଇନ୍ଦିରା ଓ ଦୁର୍ଗାଦାସ ମଧ୍ୟରେ ଯେଉଁସବୁ କଥାବାର୍ତ୍ତା ଚଳିଥିଲା, ଯାହା ଯାହା ଘଟିଥିଲା ସମସ୍ତ ଶୁଣି ପାରି ଏବଂ ନିଜର କୁଟିଳ ଉଦ୍ଦେଶ୍ୟ ଓ କୁମନ୍ତ୍ରଣା ସକଳ ବାଦ୍‌ଶା ବୁଝିପାରିଥିବାର ଜାଣି, ରୌଶନ୍ୱାରା ଅତିଶୟ ଚିନ୍ତିତ ହୋଇ ପଡ଼ିଲେ–ବିବିଧ ଭାବନାରେ ତାଙ୍କ ହୃଦୟ ବିକ୍ଷୋଭିତ୍‌ ହେବାକୁ ଲାଗିଲା । ଇନ୍ଦିରାଙ୍କ ଉପରେ କୌଣସି ପ୍ରକାର ପ୍ରତିଶୋଧ ନେବା ପାଇଁ ସେ ଦୃଢ଼ପ୍ରତିଜ୍ଞ ହେଲେ । ଏହି ଗୋଳମାଳରେ ଉଦିପୁରୀଙ୍କୁ ଜୟଲାଭ କରିଥିବାର ଦେଖି, ତାଙ୍କ ମନପ୍ରାଣ ଜଳି ଉଠିଲା ।

 

ତଦବସ୍ଥାପନ୍ନ ରଙ୍ଗମହଲ୍‌ ମଧ୍ୟରେ ଦିନେ ଦୀର୍ଘ ଶୁଭ୍ର ଶ୍ମଶ୍ରୁ, ରକ୍ତବସନ-ପରିହତ, ମାଳାବିଭୂଷିତ ଜଣେ ଫକୀର ପ୍ରବିଷ୍ଟ ହେଲେ । ଯେ କୌଣସି ସମୟରେ ମହାଲ୍‌ ମଧ୍ୟରେ ପ୍ରବେଶ କରିବା ପାଇଁ ଫକୀର, ମୌଲବୀମାନଙ୍କୁ ଅନୁମତି ଦେବା କାରଣ ଦ୍ୱାରରକ୍ଷକମାନଙ୍କ ପ୍ରତି ସ୍ୱଧର୍ମନିଷ୍ଠ, ସ୍ୱମତାଭିମାନୀ ଔରଂଜୀବ୍‍ଙ୍କର ଆଦେଶ ଥିଲା । ଏଣୁ ଏ ଫକୀର ବାଦ୍‌ଶାଙ୍କ ଅନ୍ତଃପୁର ମଧ୍ୟରେ ପ୍ରତ୍ୟହ ସ୍ୱଚ୍ଛନ୍ଦ ଭାବରେ ନିର୍ଭୟ ହୃଦୟରେ ବିଚରଣ କରି ମହାଲ୍‌ର ପ୍ରହରୀ, ପରିଚାରକ ଓ ଅନ୍ୟାନ୍ୟ କର୍ମଚାରିମାନଙ୍କୁ ନାନା ଧର୍ମୋପଦେଶ ଦେଉଥିଲେ । ତାହାଙ୍କୁ ଦିବ୍ୟଜ୍ଞାସଂପନ୍ନ ଥିବାର ଦେକି, ସେଠାର ସମସ୍ତ ତାଙ୍କ ପ୍ରତି ଅପୂର୍ବ ଭକ୍ତି ଓ ସମ୍ମାନ ଦେଖାଉଥିଲେ ଏବଂ ତାଙ୍କୁ ମବଶ୍ୟକୀୟ ପଦାର୍ଥ ଦେଉଥିଲେ । ଏପରି କିଛିଦିନ ଚାଲିଲା ।

 

ଦିନେ ଫକୀର ମହାଲ୍‌ରେ ଏଣେ ତେଣେ ବିହାର କରିବା ପରେ, ଉଦିପୁରୀଙ୍କ ମନ୍ଦିର ଦ୍ୱାରରେ ଯାଇ ପାରସୀ ଭଜନ ଗାନାଦି ଆରମ୍ଭ କଲେ । ସେତେବେଳେ ଉଦିପୁରୀ ଓ ଇନ୍ଦିରା ପରସ୍ପର ସହିତ ସ୍ନେହସମ୍ଭାଷଣରେ ରତ । ମହିଷୀ ଫକୀରଙ୍କର ମନୋମୁଗ୍‌ଧକର ଭକ୍ତିପୂର୍ଣ୍ଣ ଗାନରେ ପରିତୁଷ୍ଟ ହୋଇ, ଇନ୍ଦିରାଙ୍କ ହାତରେ ତାଙ୍କ ନିକଟକୁ ଗୋଟିଏ ମୋହର ପଠାଇଲେ । ଇନ୍ଦିରା ଫକୀରଙ୍କୁ ସ୍ୱର୍ଣ୍ଣ ମୁଦ୍ରାଟି ଦେଇ କହିଲେ,–‘ମହିଷୀ ଆପଣଙ୍କୁ ଏ ପୁରସ୍କାର ଦେଇଛନ୍ତି, ଗ୍ରହଣ କରନ୍ତୁ ।’

 

ଇନ୍ଦିରାଙ୍କୁ ଦେଖିବା ମାତ୍ରେ ଫକୀରଙ୍କ ପ୍ରଶାନ୍ତ ପ୍ରସନ୍ନ ମୁଖ ଉପରେ ଏକ ନୂତନ ଅପୂର୍ବ ଭାବର ଲହରୀ ଖେଳିଗଲା । କ୍ଷଣକାଳ କିଛି ଚିନ୍ତା କରି ସେ ଇନ୍ଦିରାଙ୍କୁ ପ୍ରଶ୍ନ କଲେ,–‘ତୁମ ପରିଚୟ ପାଇ ପାରିବ ମା ?’

 

‘ମୁଁ ଉଦିପୁରୀ ବେଗମଙ୍କ ଦାସୀ ।’

 

‘ତୁମେ ପଠାଣ ସ୍ତ୍ରୀନା ହିନ୍ଦୁ ସ୍ତ୍ରୀ ।’

 

‘ହିନ୍ଦୁ ଯୁବତୀ ।’

 

‘ହିନ୍ଦୁ ହୋଇ ଏଠାକୁ ଆସିଛ କାହିଁକି ?’

 

‘ମୁଁ ନିଜ ଇଚ୍ଛାରେ ଆସି ନାହିଁ–ମୋ ଫଟା କପାଳ ମୋତେ ଏଠାକୁ ଝିଙ୍କି ଆଣିଛି ।’

 

ଫକୀର ଆଉ କଣ ପ୍ରଶ୍ନ କରିବାକୁ ବାହାରୁଥିଲେ, ଏହି ସମୟରେ, ତାଙ୍କ ସଙ୍ଗେ ଅଧିକ କଥାବାର୍ତ୍ତା କରିବା ଅସୁନ୍ଦର ଅନାବଶ୍ୟକ ମନେ କରି ଇନ୍ଦିରା ମହିଷୀଙ୍କ ନିକଟରୁ ଫେରିଲେ । ଫକୀରଙ୍କ ଉତ୍ସୁକ ଦୃଷ୍ଟି ଇନ୍ଦିରାଙ୍କ ଦେହ ସଙ୍ଗେ ସଙ୍ଗେ ମହିଷୀକକ୍ଷ ମଧ୍ୟକୁ ଆକୃଷ୍ଟ ହୋଇ ଚାଲିଲା-। ପରେ ସେ ମୁଖ ଈଷତ୍‌ କୁଞ୍ଚିତ, ଚକ୍ଷୁ ମୁଦ୍ରିତ କରି ଦେଇ, ଊର୍ଦ୍ଧ୍ୱପ୍ରତି ଚାହିଁ ରହି କିଛି ସମୟ କିଛି ଚିନ୍ତା କଲେ–ଯେପରି କୌଣସି ବିଷୟ ତାଙ୍କର ସ୍ମୃତି-ପଥାଋୂଢ ହେଲା । ଶେଷରେ ସେ ମୋହରଟି ଧରି ସେଠାରୁ ଚାଲିଗଲେ ।

 

ମହାଲ୍‍ରୁ ଦାସୀମାନେ କ୍ରମା ଫକୀରଙ୍କର ଏପରି ବଶ ହୋଇ ପଡ଼ିଲେ ଯେ, ସେ କେବେ କୌଣସି ଗୁପ୍ତ କଥା ପଚାରିଲେ ସେମାନେ ବିନୟ ସୌଜନ୍ୟ ଦେଖାଇ ତାଙ୍କୁ ସବୁ ଫିଟାଇ କହି ଦେଉଥିଲେ । ଅତଏବ ସେ ସୁବିଧା ଦେଖି ସମୟ ସମୟରେ ସେମାନଙ୍କୁ ଇନ୍ଦିରାଙ୍କ ବିଷୟ ପଚାରି ବୁଝୁଥିଲେ । ତାଙ୍କର ପ୍ରଶ୍ନ ଓ ସମ୍ବାଦ-ସଂଗ୍ରହପ୍ରୟାସ ସେମାନଙ୍କ ମନରେ ସନ୍ଦେହ ଜନ୍ମାଉ ନଥିଲା । ଇନ୍ଦିରାଙ୍କ ମହାଲ୍‍ ମଧ୍ୟରେ ପୃଥକ ଏକ କୋଠରିରେ ଅବସ୍ଥାନ କରି ପ୍ରତ୍ୟହ ନିଜେ ନିଜ ଭୋଜନଦ୍ରବ୍ୟାଦି ପ୍ରସ୍ତୁତ କରୁଥିବା, ପଠାଣ ହାତରୁ ଜଳ ଗ୍ରହଣ କରୁ ନଥିବା, ମୋଗଲ-ପୁରୀରେ ରହି ସୁଦ୍ଧା ନିଜର ଧର୍ମ କର୍ମ, ଆଚାର ବ୍ୟବହାର, ଜାତୀୟ ମମତା ଅକ୍ଷୁର୍ଣ୍ଣ ରଖିଥିବା ପ୍ରଭୃତି ବିଷୟ ଶୁଣଇ ଫକୀର ଗଭୀର ସନ୍ତୋଷ ଲାଭ କଲେ । ଦୁର୍ଗାଦାସ ଛଦ୍ମବେଶ ଧରି ଇନ୍ଦିରାଙ୍କୁ ଉଦ୍ଧାର କରିବା ସକାଶେ ମହାଲ୍‍ରେ ପ୍ରବେଶ କରିଥିବାର ଜାଣି ପାରି, ସେ ତାଙ୍କ ସାହସରେ ଚକିତ, ମୁଗ୍‌ଧ ହୋଇଗଲେ । ଯେ କୌଣସି ଉପାୟରେ ଶତ୍ରୁ ହାତରୁ ଦୁର୍ଗାଦାସ ଓ ଇନ୍ଦିରାଙ୍କୁ ମୁକ୍ତ କରିବା ପାଇଁ ସେ ଦୃଢ଼ ବ୍ରତ କଲେ ଏବଂ ତାଙ୍କର ସଂକଳ୍ପ ସିଦ୍ଧି ନିମନ୍ତେ ପ୍ରାଣପଣେ ଚେଷ୍ଟା କରିବାକୁ ଲାଗିଲେ ।

 

ଦୂରଦର୍ଶୀ ବୁଦ୍ଧିମାନ ଫକୀର ରଙ୍ଗମହଲ୍‌ର ଅନ୍ୟାନ୍ୟ ସକଳ ରହସ୍ୟ ଭେଦ କରିବାକୁ ସମର୍ଥ ହେଲେ । ରୌଶନ୍ୱାରା ଓ ଉଦିପୁରୀଙ୍କ ଶତ୍ରୁତା ଏବଂ ମଶାବତ୍‌ ଓ ଫାରକ୍‌ଷାଇର୍‌ଙ୍କ ସ୍ୱଭାବ ତାଙ୍କ ନିକଟରେ ଆଉ ଅଜ୍ଞାତ ରହିଲା ନାହିଁ । ସେ ଏତେ ଗୁପ୍ତ ଖବର ରଖିଥିଲେ ଯେ, କେବେ କେବେ ମହାଲ୍‍ର କେତେଜଣ ସେବକ ସେବିକା କେତେକ ବିଷୟ ତାଙ୍କ ମୁଖରୁ ଶୁଣିବାକୁ ପାଉଥିଲେ । ତାଙ୍କୁ ତ୍ରିକାଳଜ୍ଞ ମହାତ୍ମା ଜ୍ଞାନ କରି ସମସ୍ତା ତାଙ୍କର ସଂପୂର୍ଣ୍ଣ ବଶ ହୋଇପଡ଼ିଲେ । ଫକୀର ପ୍ରତ୍ୟେକ ସମ୍ବାଦ ଖଣ୍ତିଏ କାଗଜରେ ଲେଖି ନିଜ ଅଙ୍ଗରଖା-ଜେବ୍‌ରେ ରଖୁଥିଲେ ।

 

ଦିନେ ଫକୀର ଉଦିପୁରୀ-ମହାଲ୍‌ ନିକଟରେ ଯାଇ ଦେଖିଥିଲେ, ସେଠାରେ ଗୋଟିଏ କୋଳାହଳ ଉଠୁଛି, ସେବକମାନେ ଅଣାବଣା ହୋଇ ଏଣେ ତେଣେ ଧାଁ ଦୌଡ଼ି କରୁଛନ୍ତି, କାହା ହାତରେ କିଛି କାମ ପଡ଼ୁ ନାହିଁ, ଉଦିପୁରୀ ବିଷର୍ଣ୍ଣ ଚିତ୍ତରେ ଲୋତକ ବୁହାଇ ବସିଛନ୍ତି ଏବଂ କେତେଜଣ ଦାସୀ ମହାଲ୍‌ରେ ପ୍ରତ୍ୟେକ ସ୍ଥାନରେ ଅନ୍ୱେଷଣ କରୁଛନ୍ତି । ଏହି ସମୟରେ ମଶାବତ୍‌ କେଉଁଆଡ଼ୁ ସେଠାକୁ ଆସି ଜଣେ ପରିଚାରିବାକୁ ପଚାରିଲା, ‘କଣ ? ହୋଇଛି କଣ ?’

 

ପରିଚାରିକା ଉତ୍ତର କଲା,–‘ଆରେ ବାପରେ, ଏକାଥରକେ ଲଙ୍କାକାଣ୍ଡରେ । ହେବ ଆଉ କଣ ? ଇନ୍ଦିରା ଆଉ ଦିଶୁ ନାହାନ୍ତି । ଗାଁ ନଅର ସବୁ ଖୋଜା ସରିଲାଣି ବେଗମ୍‌ ନ ଖାଇ ନ ପିଇ କାନ୍ଦି କାନ୍ଦି ମୁଣ୍ଡରେ ହାତ ଦେଇ ବସିଚନ୍ତି ।’

 

ଏହା ଶୁଣି ମଶାବତ୍‌ ଏକାବେଳକେ ତାଟକା ହୋଇ ଛାତିରେ ହାତ କଚାଡ଼ି ତଳେ ଗଡ଼ି ଯାଇ ରଡ଼ି ଛାଡ଼ିଲା,–‘ଆହା ମୋ ଇନ୍ଦିରା, କୁଆଡ଼େ ପଳାଇଲେ ମୋ ଜାନ୍‌ ।’ ସେ ଭାବିଲା, ସତେ ଯେପରି ତା ମଥା ଉପରେ ହଠାତ୍‌ ଚଡ଼କ ପଡ଼ିଛି ।

 

ଏହା ଦେଖି ଫକୀର କିଞ୍ଚିତ୍‌ ବିଚଳିତ ହୋଇ ଭାବିଲେ,–‘କି ଚମତ୍କାର ଏ ! ତାଙ୍କୁ କାଲି ତ ଦେଖିଥିଲି । ଗଲେ କେଉଁଆଡ଼େ ? ବୋଧହୁଏ ମହାଲ୍‌ ବାହାରକୁ ଯାଇଥିବେ । ତାହାହେଲେ, ଦୁର୍ଗାଦାସ ତ ସଙ୍ଗରେ ଥିବେ......ନା, ନା, ସେପରି କିଛି ହୋଇ ନାହିଁ, ନିଶ୍ଚୟ ରୌଶନ୍ୱାରା ତାଙ୍କର ଅନିଷ୍ଟ ଘଟାଇଛି । ନ ହେଲେ, ଅନ୍ୟ କାହାର ଏପରି ସାହସ ହେବ ? ତିନି ଦିନ ପର୍ଯ୍ୟନ୍ତ ଫାରକ୍‌ଷାଇର ଏଠାକୁ ଛାପି ଛାପି ଆସି କଣ ଦେଖି ଯାଉଥିଲା, ମୁଁ ନିଜେ ଦେଖିଛି । ଭାବିଥିଲି, ତାହାର କୌଣସି ଜିନିଷ ହଜିଯାଇଥିବାରୁ ଖୋଜୁଛି । କିନ୍ତୁ ସେ ଏଭଳି ଯେ ବଦ୍‌ମାସ୍‌ କାମ କରିବ, ଏହା ମୋଟେ ମନେ ଆଣି ନ ଥିଲି । ଅନ୍ୟାନ୍ୟ ଦାସମାନଙ୍କ ଉପରେ ରୌଶନ୍ୱାରାର ବିଶ୍ୱାସ ନାହିଁ-। ଏଣୁ ମନେ କରେଁ, ସେ ଏ କାର୍ଯ୍ୟ କେବଳ ଫାରକ୍‌ଷାଇର୍‌ ହାତରେ କରାଇଛି । ତେବେ ଫାରକ୍‌କୁ କିପରି ଆୟତ୍ତ କରି ତା’ଠାରୁ ସତ୍ୟ କଥା ବାହାର କରିବି ? ମୋ ପାଲରେ ପଡ଼ିଲେ ତ-! .....ହଁ ବୁଝିଲ । ତାହା ପ୍ରତି ରୌଶନ୍ୱାରାର ଅନୁରାଗ ଦିନୁ ଦିନ କିପରି ବଢ଼ିବ, ସେ ତାହାହିଁ ଚେଷ୍ଟା କରି ଆସୁଛି, ମୁଁ ଜାଣେଁ । ତା’ ମନରେ ଦୁରାଶା ଜନ୍ମାଇ, ତାହାକୁ ବିରାଡ଼ି–ନଖରେ ତିଆରି ହୋଇଥିବା ମୁଦିଟି ଦେଇ କହିବି, ତା’ ମନୋରଥ ଅବଶ୍ୟ ସିଦ୍ଧ ହେବ । ଏ ଉପାୟରେ ହିଁ ତାହାକୁ ମୋ ବଶରେ ଆଣିବି ।’

 

ଏହା ସ୍ଥିର କରି ସେ ସେଠାରୁ ବାହାରି ଉଚ୍ଚ କଣ୍ଠରେ ଆରବୀ ଭଜନାଦି ଗାଉଁ ଗାଉଁ ରୌଶନ୍ୱାରା-ଭବନ ନିକଟରେ ଯାଇ ଉପସ୍ଥିତ ହେଲେ । ସେଠାରେ ତାଙ୍କୁ ଦେଖିବା ମାତ୍ରେ ଫାରକ୍‌ଷାଇର୍‌ ବିନୀତଭାବରେ ତାଙ୍କୁ ସାଲାମ୍‌ କରି ଆଗରେ ଠିଆହେଲା । ଫକୀର ମନ୍ଦହାସ ପ୍ରକାଶ କହିଲେ,–‘ଫାରକ୍‌ ! ଶୁଣୁଛି ଆଉ ଦେଖୁଛି, ତୁ ବଡ଼ ଚତୁର, ଧାର୍ମ୍ମିକ, ବୁଦ୍ଧିମାନ୍‌ । ତୋତେ ଦେଖିବା କ୍ଷଣି ବଡ଼ ଆନନ୍ଦ ଲାଗୁଛି । ବେଶ୍‌ ! ଆଚ୍ଛା ଆଦିମ୍‌ ! ଆନନ୍ଦର ବିଷୟ, ତୁ ସବୁବେଳେ ଶାହାଜାଦୀଙ୍କ ଆଜ୍ଞା ବରାବର ମାନି ଚଳୁଛି । ତୋର ଭଲ ଦିନ ପାଖେଇଲାଣି–ଶାହାଜାଦୀ ତୋତେ ଆଗଠୁଁ ବେଶି ସ୍ନେହ ଆଦର କରିବେ । ଅନେକ ଦିନ ହେଲା ଯାହାଭାବି ଆସୁଛି, ତାହା ଜଲ୍‌ଦି ସିଦ୍ଧ ହେବ, କିଛି ପରୋବା ନାହିଁ । ଉଚ୍ଚ ଦଶା ପାଇବୁ, ସନ୍ଦେହ ନାହିଁ ।’

 

ଫାରକ୍‌ଷାଇର୍‌ ଅଳ୍ପ ହସି ଦେଇ ନୀରବ ରହିଲା । ଫକୀର କହିଲେ,–ହସୁଛୁ କଣ, ଫାରକ୍‌ ? ମିଛ କହିଛି, ବିଚାରୁଛୁ ? ତୋ ମୁହଁ ଦେଖି ତୋ ମନ କଥା ସବୁ ବୁଝି ପାରିଛି ।’ ପରେ ତା’ କାନରେ କୌଣସି ଏକ ଗୁପ୍ତ ବିଷୟ କହିଲେ ।

 

ଫାରକ୍‌ଷାଇର୍‌ ବିସ୍ମୟରେ ଏକାବେଳକେ ହତବୁଦ୍ଧି ! ଭାବିଲା,–‘କି ଆଶ୍ଚର୍ଯ୍ୟ ! ମୋ ମନର କଥା ଜାଣିଲେ କିପରି ? ଏ ଜଣେ ସାମାନ୍ୟ ଫକୀର ନୁହନ୍ତି–ସାକ୍ଷାତ୍‌ ଆଲ୍ଲା ଅବତାର ! ଏହାଙ୍କ ଛଡ଼ା, ଆହୁରି କେତେ ଜଣ ଫକୀର ଦେଖିଛି, କିନ୍ତୁ ସେମାନେ ସମସ୍ତେ ଧନଲୋଭୀ । ଏ ମହାତ୍ମାଙ୍କ ସିଦ୍ଧ ଅଧିକ ସ୍ନେହ କରି ଅନୁଗ୍ରହ ପାଇଲେ, ମୋ କାମନା ନିଶ୍ଚୟ ସିଦ୍ଧ ହେବ ।’ ପଚାରିଲା,–‘ଫକୀର ଜୀ ! ତୁମେ ଆଉ କେତେ ଦିନ ଦିଲ୍ଲୀରେ ରହିବ ?’

 

ଫକୀର କହିଲେ,–ଠିକ୍‌ ନାହିଁ । ଇଚ୍ଛା ହେଲେ ଆଉ ଗୋଟିଏ ଜାଗାକୁ ପଳାଇ ପାରେଁ-। ବୁଲି ବୁଲି ଭକ୍ତମାନଙ୍କର କାମନାପୂରଣ କରିବା ପାଇଁ ମୋ ଗୁରୁଦେବଙ୍କ ହୁକୁମ୍‍-। ଦିବ୍ୟ ଜ୍ଞାନରେ ଧାର୍ମିକ, ଭକ୍ତମାନଙ୍କ ହୃଦୟର ଭାବ ବୁଝି ନେଇ ସେମାନଙ୍କୁ ତୃପ୍ତ, ସୁଖୀ କରିବା ମୋର ପ୍ରଧାନ କାର୍ଯ୍ୟ । ତୋତେ ଦେଖିବା କ୍ଷଣି ତୋ କଥା ସବୁ ଜାଣିପାରିଛି । ଆଲ୍ଲାଙ୍କଠାରେ ତୋ ଭକ୍ତି ଢେର୍‌ ଅଛି । ତୋ ଭଳି ଅନ୍ୟ କୌଣସି ଚାକରକୁ ଏ ମହାଲ୍‌ ଭିତରେ ଦେଖୁ ନାହିଁ-। ଆଉ ଗୋଟିଏ କଥା, ପ୍ରତିଦିନ ତୁ ନମାଜ୍‌ କରୁଛୁ ଜାଣେଁ । ଏହା ଭିନ୍ନ ସେ ତାହାକୁ ଅନ୍ୟାନ୍ୟ ଅନେକ ବିଷୟ ଶୁଣାଇଲେ । ଫାରକ୍‍ଷାଇର୍‌ ତାହାଙ୍କୁ କେତେକ ଗୁପ୍ତ କଥା କହିବେ ନିମିତ୍ତ ତା’ ଘରକୁ ଯିବାକୁ ତାଙ୍କୁ କେତେକ ଗୁପ୍ତ କହିବା ନିମିତ୍ତ ତା’ ଘରକୁ ଯିବାକୁ ତାଙ୍କୁ ଅନୁରୋଧ କଲା । ଫକୀର ତାହାର ଅନୁରୋଧ ରକ୍ଷା କଲେ ।

 

ନିଜ ଗୃହର ଏକ ନିର୍ଜ୍ଜନ କକ୍ଷରେ ଫକୀରଙ୍କ ସହିତ ବସି ଫାରକ୍‌ଷାଇର୍‌ ଯୋଡ଼ହସ୍ତ ହୋଇ କହିଲା,–‘ଫକୀର୍‌ ଜୀ ! ତୁମେ ସାକ୍ଷାତ୍‌ ଆଲ୍ଲା ! ମୁଁ ତୁମର ପୁଅ ଭଳି । ମୋ ଉପରେ ମେହରବାନି ରଖି, କିପରି ହେଉ ମୋ ମନୋବାଞ୍ଛା ସିଦ୍ଧ କର । ଏ ଭାରି ତୁମରି ହାତରେ ରହିଲା-। ମୋ କାମ ସଫଳ ହେଲେ ଶକ୍ତିକୁ ଚାହିଁ ପାଦତଳେ କିଛି ପୁରସ୍କାର ନ ଦେଇ ଛାଡ଼ିବି ନାହିଁ-।’

 

ଫକୀର୍‌ ସାହସ ମୁଖରେ କହିଲେ–‘ପାଗଳ ! ପୁରସ୍କାର ଗ୍ରହଣ କରିବା ଲୋକ ନୁହେଁ ମୁଁ । ଭକ୍ତର କାର୍ଯ୍ୟ ସିଦ୍ଧି ଏକା ମୋ ବ୍ରତ । ପୁରସ୍କାର ନେବାକୁ ଗୁରୁ ମନା କରିଛନ୍ତି । ମୋ କଥା ଅନୁସାରେ ଯେ ଚାଲେ, ତାହାର ଅଭୀଷ୍ଟ ନିଶ୍ଚୟ ସଫଳ ହୁଏ । ଲାଞ୍ଚ ଲୁଞ୍ଚା ବଖ୍‌ଶିସ୍‌ ଦରକାର ନାହିଁ ।’

 

‘ତୁମ ଆଜ୍ଞା ଅନୁସାରେ ଅବଶ୍ୟ ଚଳିବି । ଏ ଦୀନକୁ ଉଦ୍ଧାର କର । ପୁରସ୍କାର କଥା ଉଠାଇ ଦୋଷ କରିଛି, ମାଫ୍‌ କର ।’

 

‘କିଛି ଭୟ ନାହିଁ ବାବା । ତୋ ମନର କଷ୍ଟ ସବୁ ଫୁଟୁକି ମାରି ଉଡ଼ାଇ ଦେବି । ମୁଦିଟିଏ ଦେବି, ଆଙ୍ଗୁଠିରେ ଲଗାଅ । ମିଛ ମାତ୍ର କହିବାକୁ ହେବ ନାହିଁ । ଆଙ୍ଗୁଠିରେ ମୁଦିଟି ରକି ସବୁବେଳେ ସତ କହିଲେ ତୋ କାମନା ନିଶ୍ଚୟ ସଫଳ ହେବ....ମାତ୍ର ମିଛ ନ କହି ଚଳିବା ବଡ଼ କଷ୍ଟ ହେବ ପରା !

 

‘ସନ୍ଦେହ କର ନାହିଁ, ଫକୀର ଜୀ । ପ୍ରାଣ ଯିବ ପଛକେ, ପଦେ ବି ମିଛ କହିବି ନାହିଁ ।

 

‘ଏ ମୁଦି ପିନ୍ଧି ମିଛ କହିଲେ ବଡ଼ ଆପଦ ଘଟିବ, ବିଶେଷ କ୍ଷତି ହେବ । ଆଉ ମିଛ କହିବାର ଦଶ ଦିନ ଭିତରେ ପ୍ରାଣ ଯିବ, ସାବଧାନ ! ଏହାହିଁ ଏ ମୁଦିର ରହସ୍ୟ । ....କିନ୍ତୁ ମନୁଷ୍ୟ-ଜନ୍ମ ଧରି ମିଛ ନ କହି ରହି ହେବ ନାହିଁ ତ–ପରିହାସରେ ମିଛ କଥା ବାହାରି ପଡ଼ିବ । ସବୁ ବୁଝାଇଲି, ଏଥର ତୋ ଇଚ୍ଛା ।’

 

‘ଫକୀର ଜୀ ! ଏତେ ଅବିଶ୍ୱାସ କାହିଁକି ? ମିଛ କହି ଲାଭ ବା କଣ ? ତୁମ ହୁକୁମରେ, ସ୍ୱପ୍ନରେ ବି ମିଛ କହିବି ନାହିଁ । ଏଣୁ ମୁଦିଟି ଦିଅ ।’

 

‘ମୁଦିଟିର ମହିମା ଜାଣୁ ତ ? ତାହା ଆଙ୍ଗୁଠିରେ ଲଗାଇ ରୌଶନ୍ୱାରା ପାଖକୁ ଗଲେ, ତାଙ୍କ ଆଖିରେ ତୁ ଜଣେ ଦିବ୍ୟ ପୁରୁଷ ଭଳି ଦିଶୁବୁ । ତୋ କଥାକୁ ସେ ମୁଣ୍ଡରେ ବହିବେ–ତୋ ପ୍ରତ୍ୟେକ କାର୍ଯ୍ୟର ପ୍ରଶଂସା ନ କରି ଯିବେ ନାହିଁ । କିନ୍ତୁ ଭଲ କରି ମନେ ରଖ୍‌, ନିଦରେ ସୁଦ୍ଧା ମିଛ କହିଲେ ଦଶ ଦିନ ମଧ୍ୟରେ ମରଣ ନିଶ୍ଚିତ ! ତୁ ଯଦି ମୋ କଥା ନ ମାନୁ, ତାହାହେଲେ ଗୁରୁଦେବ ମୋ ଉପରେ ରାଗିବେ ।’

 

‘ଆଜ୍ଞା, ସତ କହିବ ବୋଲି ତୁମ ମନରେ ଆଉ କି ଉପାୟରେ ବିଶ୍ୱାସ ଜନ୍ମାଇ ପାରିବି-? ଦରକାର ହେଲେ, ମୋତେ ଥରେ ପରୀକ୍ଷା କରି ଦେଖ । ଆଉ ଥରେ କହୁଛି ଶୁଣ–ମୁଁ କେବେ ମିଛ କହିବି ନାହିଁ, ଏହା ତ୍ରିବାର ସତ୍ୟ ।’

 

‘ଫାରକ୍‌ ! ତୁ ମିଛ କହିବୁ ନାହିଁ ବୋଲି ମୋ ମନରେ ଏବେ ବିଶ୍ୱାସ ଜନ୍ମିଛି । କିନ୍ତୁ ପରୀକ୍ଷା ନ କରି, ମୁଦିଟି ଦେଇ ପାରୁ ନାହିଁ । ଏଣୁ ଗୋଟିଏ ପ୍ରଶ୍ନ କରିବି, ତା’ର ଠିକ୍‌ ଜବାବ୍‌ ଦିଅ-।’

 

‘ଆଚ୍ଛା ପଚାର–ସତ କହିବି !’

 

‘ସେଦିନ ଶାହାଜାଦୀଙ୍କ ଚନ୍ଦ୍ରହାରଟି ଚୋରେଇ ନେଇ କଣ କଲୁ ?’

 

ବିସ୍ମୟ ଓ ଲଜ୍ଜାରେ ଫାରକ୍‌ଷାଇ୍‌ର ଦେହ ଥରଥର ହୋଇଗଲା । ପ୍ରକୃତ ଘଟନାଟି ଫକୀର୍‌ ଜାଣିଥିବାରୁ, ତାଙ୍କ ପ୍ରତି ତାହାର ଅଧିକ ପ୍ରତ୍ୟୟ ଜାତ ହେଲା । ଭୟ-ଭକ୍ତି-କଂପତି କଣ୍ଠରେ କହିଲା,–ଫକୀର୍‌ ଜୀ ! ତାହା ଚନ୍ଦ୍ରହାର ନୁହେ–ମୁକ୍ତହାର । ତାହା ଚୋରାଇ ନେଇ ବିକ୍ରି କରି ଦେଇଛି ।’

 

‘ଆରେ ବାବା ! ତାହା ମୁକ୍ତହାର, ମୁଁ ଜାଣେଁ । ତାହା ବିକ୍ରିକରି ଟଙ୍କାର ଆଣିଛୁ, ଏହା ବି ଜାଣେ । ତୁ ସତ କି ମିଛ କହିବୁ, ବିଡ଼ିବା ପାଇଁ ଚନ୍ଦ୍ରହାର ବୋଲି କହିଥିଲି । ଆଉ ଏକ କଥା । ରୌଶନ୍ୱାରା କେତେ ଜଣ ସେବକଙ୍କୁ ଜେଲ୍‌ ଦେଇଛନ୍ତି, କହିବୁ ?’

 

‘ତେଇଶି ଜଣଙ୍କ ।’

 

ଫକୀର୍‍ ତାଙ୍କ ପାଇଜାମା-ପକେଟରୁ କାଗଜ ଖଣ୍ଡିଏ ବାହାରକରି, ତହିଁରେ ଲେଖାଥିବା କେତୋଟି ପଂକ୍ତି ଫାରକ୍‌କୁ ନ ଦିଶିବାଭଳି ଘୋଡ଼ାଇ ରଖି, ଗୋଟିଏ ଧାଡ଼ି ମାତ୍ର ପାଠ କରିବାକୁ କହିଲେ । କାଗଜର ସେହି ଭାଗରେ ପାରସୀ ଲିପିରେ ଲେଖାଥିଲା–’ତେଇଶି ଜଣ ବନ୍ଦୀ ।’ ଫାରକ୍‌ ତାହା ପଢ଼ି ମହା ବିସ୍ମୟରେ ବୁଡ଼ିଗଲା । ଫକୀରଙ୍କୁ ମହାଲ୍‌ର ଅତି ଗୁପ୍ତ ଖବର ସବୁ ଟିପି ରଖୁଥିବାର ଦେଖି ଆବା କାବା ହୋଇଗଲା ।

 

ଫକୀର ପଚାରିଲେ,–‘ଭଲା କହ ତ–ଗତ ରାତ୍ରି ଶାହାଜାଦୀଙ୍କ ହୁକୁମ ଅନୁସାରେ କଣ କଲୁ ?’

 

ଫାରକ୍‌ଷାଇର୍‍ ନିରୁତ୍ତର ହୋଇ କିଛି କାଳ କଟାଇଲା । ଫକୀର୍‌ କହିଲେ,–‘ଥକି ଯାଉଛୁ କିଆଁ, ବାବା ? ମୁଁ କିଛି ନ ଜାଣି ନ ଶୁଣି ପଚାରୁଛି ଭାବୁଛୁ ? ଦିବ୍ୟଦୃଷ୍ଟି ବଳରେ ସମସ୍ତ କଥା ବୁଝି ରଖିଛି ! ତୋତେ ପରୀକ୍ଷା କରିବା ଉଦ୍ଦେଶ୍ୟରେ ହିଁ ଏ ପ୍ରଶ୍ନ ! କହ, ତାହାକୁ ଧରି ଆଣି କଣ କଲୁ ।’

 

ଫକୀରଙ୍କ ଆଗରେ ରହସ୍ୟ ଆଉ ଲୁଚାଇ ରଖିବା ନିଷ୍ପ୍ରେୟୋଜନ ସ୍ଥିର କରି, ସେହି ଐନ୍ଦ୍ରଜାଲିକ ମୁଦ୍ରିକା ଲୋଭରେ କହିଲା,–‘ଫକୀରଜୀ ! ତୁମେ ଜାଣ, ବେଗମ ଆଉ ଶାହାଜାଦୀ ମଧ୍ୟରେ ଅନେକ ଦିନ ହେଲା କଳି କଜିଆ ଲାଗିଛି । ଶୁଣିଥିବ, ଅଳ୍ପ କେତେକ ଦିନ ହେଲା ଜଣେ ହିନ୍ଦୁ ଯୁବତୀ ବେଗମ୍‌ଙ୍କ ଦାସୀ ହୋଇ ରହିଛି । ତାହାକୁ ଯେପରି ହେଉ ଧରି ମରାଇ ଦେବା ପାଇଁ ଶାହାଜାଦୀଙ୍କର ଇଚ୍ଛା । ଏଣୁ ସମୟ ଜଗି, କିଏ ନ ଦେଖିଲା ପରି, ତାହାକୁ ଟାଣି ଆଣି ବନ୍ଦ କରିବା ପାଇଁ ସେ ମୋତେ ହୁକୁମ୍‌ ଦେଇଥିଲେ । ଦୁଇ ତିନି ଦିନ ହେଲା ତାକୁ ଧରିବାକୁ ଚେଷ୍ଟା କରୁଥିଲି । କାଲି ରାତି ତା’କୁ ଅନ୍ଧାରରେ ଏକଲା ଦେଖି ଛାପି ଛାପି ଯାଇ ଧରି ପକାଇଲି, ତା’ ତୁଣ୍ଡରେ ଲୁଗା ଭରତି କରି; ଗୋଡ଼ ହାତ ବାନ୍ଧି ତା’କୁ ବନ୍ଦିଶାଳାରେ ନେଇ ରଖିଲି । ଏ କଥା କାହାରିକୁ ନ ଜଣାଇବା ପାଇଁ ଶାହାଜାଦୀଙ୍କର କଡ଼ା ହୁକୁମ୍‌ ।’

 

‘ବେଶ୍‌, ଭଲ କରିଛୁ । କାଫର୍‌ କୁ କେତେ ଦଣ୍ଡ ଦେଲେ ବି ପାପ ହେବ ନାହିଁ । ତୋ ଭଳି ଭଲ ଚାକରକୁ ଆଉ କେଉଁଠାରେ ଦେଖି ନାହିଁ ।’

 

‘ଫକୀର ଜୀ, ତୁମ ସନ୍ଦେହ, ଅବିଶ୍ୱାସ ଏଥର ଘୁଞ୍ଚିଲା ତ ?’’

 

‘ସନ୍ଦେହ କଣ ବାୟା ? ତୋତେ କ’ଣ ମୁଁ ଚିହ୍ନି ନାହିଁ ?

 

ଦେଖୁଛି ତୋ ଅଦୃଷ୍ଟ ବଡ଼ ଭଲ । ମୁଦିଟି ଧର ।’

 

ଫକୀର ନିଜ ଅଙ୍ଗରଖାରୁ ମାର୍ଜାର–ନଖ ନିର୍ମିତ ଅଙ୍ଗୁରୀଟି ବାହାର କରି ଫାରକ୍‌ଷାଇର୍‍ ଅନାମିକାଙ୍ଗୁଳିରେ ଗଳାଇ ଦେଇ କହିଲେ,–‘ସବୁବେଳେ ସତ କହିଲେ ବଡ଼ ଲୋକ ହେବୁ; ମିଛ କହିଲେ ଜୀବନ ହରାଇବୁ । ସାବଧାନ ।’ ଫାରକ୍‌ ସନ୍ତୋଷରେ ଛାତି ଫୁଲାଇ ଦେଇ, ଚକ୍ଷୁରୁ ଆନନ୍ଦାଶ୍ରୁ ଗଡ଼ାଇ ଫକୀରଙ୍କୁ କୁର୍ଣିସ କଲା ।

 

ସାଧାରଣରେ ଫକୀର୍‌ମାନେ ନିକଟରେ ଏଭଳି କୁହୁକୁ-ଯୁକ୍ତ ସମ୍ମୋହକ ମୁଦ୍ରିକା ରଖିଥାନ୍ତି । ସେମାନଙ୍କ ଠାରୁ ତାହା ପାଇଲେ ସୌଭାଗ୍ୟ ଉଦିତ ହୁଏ ବୋଲି ପଠାଣମାନଙ୍କର ବିଶ୍ୱାସ ।

 

ଫାରକ୍‌ଷାଇର କୃତାଞ୍ଜଳିପୁଟରେ ଜଣାଇଲା–‘ଫକୀର୍‌ ଜୀ ! ବିଦାୟ ଦିଅ ଏଥର–ଶାହାଜାଦୀଙ୍କ ନିକଟକୁ ଯିବି । ବଡ଼ ସକାଳେ ତାଙ୍କ ଠାକୁ ଯିବାକୁ ତାଙ୍କର ହୁକୁମ୍‌ ହୋଇଥିଲା । ଏବେ ଏତେ ଡ଼େରି ହୋଇଗଲାଣି । କଣ କରିବେଟି କେ ଜାଣି !’

 

‘ପାଗଳ, ତୁଚ୍ଛାଟାରେ ଏତେ ଭୟ କରୁଛୁ କାହିଁକି ? ଶାହାଜାଦୀଙ୍କ ଠାକୁ ଯିବା କ୍ଷଣି ମୁଦିର ଗୁଣ ବୁଝି ପାରିବୁ । କିଛି ବାଧା ନାହିଁ, ଯା । ଏଠାରେ ମୁଁ ଜଗି ରହିଛି, ଜଲ୍‍ଦି ଆ ।’

 

ଫାରକ୍‌ଷାଇର୍‌ ଫକୀରଙ୍କୁ ପୁନର୍ବାର ପ୍ରଣାମ କରି ରୌଶନ୍ୱାରା ମନ୍ଦିର ଆଡ଼େ ଧାଇଁଗଲା । ସେତେବେଳେ ରୌଶନ୍ୱାରା ଉଲ୍ଲସିତ ମନରେ ବସି ଭାବୁଥିଲା,–‘ବେଶ୍‌ ଏତେ ଦିନକେ ମୋ ଇଚ୍ଛାର ଫଳ ପାଇଛି । କିନ୍ତୁ ଫାରକ୍‌ ଭଳିଆ ଚତୁର ଚାକର ଥିଲେ କାମ ସିଦ୍ଧ ନ ହୋଇ ଯିବ କୁ’ଆଡ଼େ ? ଯାହା ହେଉ ଇନ୍ଦିରାକୁ ଏଠାରୁ ଘୁଞ୍ଚିଇବା ଯାଏଁ, ଫାରକ୍‌କୁ ଚକା ଚକା ଗୋଲ ଗୋଲ କଥା କହି ଖୁସି କରିବି ।’

 

ସେହି ସମୟରେ ଫାରକଷାଇର୍‌ ତାଙ୍କ ସମ୍ମୁଖରେ ଯାଇ ଭୟ ଓ ବିନୟରେ ଠିଆ ହେଲା । ରୌଶନ୍ୱାରା ମନ୍ଦ ହାସରେ ତାଙ୍କ ସୁନ୍ଦର ମୁଖଟି ଅଧିକ ସୁନ୍ଦର କରି ଦେଇ ଧୀର କୋମଳ ସ୍ୱରରେ କହିଲେ,–‘ଓହୋ, ଫାରକ୍‌ ! ତୋ କଥା ଏକା ଭାବୁଥିଲି । ଧନ୍ୟ ତୋ ଚତୁରତା-! ତୁ ପାଖରେ ଥିଲେ, ମୋର ଆଉ ଭୟ, ଅଭାବ କଣ ? ସମସ୍ତଙ୍କ ଅଜଣାରେ ଗତ କାଲି ଯେଉଁ ସାହସ କଲୁ, ସେଥିପାଇଁ ଧନ୍ୟବାଦ ଦେଉଛି । ଏ ମାଳାଟି ବଖ୍‌ଶିସ୍‌ ଦେଉଛି ଧର୍‌ । ଆଉ କଣ ଦରକାର, କହ । ଯାହା ମାଗିବୁ, ଦେବି ।’

 

ସେ ତା’ ହାତରେ ମୋହର-ମାଳାଟିଏ ଦେଇ ତାହାକୁ ଆନନ୍ଦ ତୋଫାନରେ ଉଡ଼ାଇ ଦେଲେ । ସେ ତାହା ନିଜ ଗଳାରେ ଲମ୍ବାଇ ଦେଇ, ସଙ୍ଗେ ସଙ୍ଗେ ମୁଦ୍ରିକାର ପ୍ରଭାବକୁ ମନେ ମନେ ଅଶେଷ ପ୍ରଶଂସା କରି ହସ ହସ ମୁହଁ ଦେଖାଇ ଠିଆ ହେଲା । ତାହାର ସନ୍ତୋଷ ବର୍ଣ୍ଣିତ ହୋଇ ପାରିବ ନାହିଁ–ପାଠକମାନେ ନିଜେ ନିଜେ ଠୌରାଇ ନିଅନ୍ତୁ ।

 

ରୌଶନ୍ୱାରା ନିଜ ଦାସଦାସୀମାନଙ୍କୁ ମୃଦୁ ମଧୁର ବାକ୍ୟରେ ତୁଷ୍ଟ କରି ସେମାନଙ୍କ ହାତରେ ସମସ୍ତ କାର୍ଯ୍ୟ ସଂପାଦିତ କରାଉଥିଲେ । ଏହା ତାଙ୍କ ପ୍ରକୃତିର ଏକ ବିଶେଷତ୍ୱ । ଫକୀର ଏହା ଉତ୍ତମରୂପେ ଜାଣିଥିଲେ । ଏଣୁ, ଇନ୍ଦିରାଙ୍କୁ କାରାରୁଦ୍ଧ କରି ଥିବାରୁ ସାହାଜବାଦୀ ଫାରକ୍‌ଷାଇର୍‌ ପ୍ରତି ବିଶେଷ ପ୍ରସନ୍ନ ହେବା ସ୍ୱାଭାବିକ ବୋଲି ସ୍ଥିର କରି ଅଙ୍ଗୁରୀୟ ଦେବା ପରେ ରୌଶନ୍ୱାରା ନିକଟକୁ ତାହାକୁ ପଠାଇଲେ । ଅନ୍ଧବିଶ୍ୱାସୀ ଫାରକ୍‌ କିନ୍ତୁ ଏହି ସକଳ ବିଷୟ ଆଦୌ ବୁଝି ନ ପାରି ଭାବିଲା, ରୌଶନ୍ୱାରାଙ୍କ ପ୍ରସନ୍ନତା ଓ ପ୍ରଶଂସା-ବର୍ଷଣ କେବଳ ମୁଦ୍ରିକା ପ୍ରାପ୍ତିର ଫଳ-

 

ରୌଶନ୍ୱାରା ଫାରକ୍‌ଷାଇର୍‌ ପ୍ରତି ଅପୂର୍ବ ଅନୁରାଗ ଦେଖାଇ ଏବଂ ପ୍ରାୟ ଅର୍ଦ୍ଧଘଣ୍ଟା କାଳ ତାହାକୁ ନାନପ୍ରକାର ଶ୍ରୁତିପ୍ରୀତିକାର କଥା କହି, ଶେଷରେ ଇନ୍ଦିରାଙ୍କୁ ହତ୍ୟା କରିବା ସକାଶେ ଆଜ୍ଞା ପ୍ରଚାର କଲେ । ତାଙ୍କ ଆଦେଶ ପାଳନ କରିବାକୁ ବିନୟ ସହିତ ସ୍ୱୀକୃତ ହୋଇ ଫାରକ୍‌ଷାଇର୍‌ ତାଙ୍କଠାରୁ ବିଦାୟ ନେଇ ପୁଣି ଫକୀରଙ୍କ ନିକଟକୁ ଗଲା । କିଛି ଦୂରରୁ ତାହାର ସନ୍ତୋଷୋତ୍‌ଫୁଲ୍ଲ ମୁଖ, ହର୍ଷଭରା ଗତି ଏବଂ ଗଳାଲମ୍ବିତ ମୋହର-ମାଳା ଦେଖି ଫକୀର ଆଶ୍ୱସ୍ତ ହେଲେ । ସେ ପାଖରେ ପହଞ୍ଚିବା ମାତ୍ରେ ଅଳ୍ପ ହସି କହିଲେ,–‘ବୁଝିଲୁ ଫାରକ୍‌ ଏବେ ମୁଦିର ଶକ୍ତି-। ଶାହାଜାଦୀ ତୋ ସଙ୍ଗେ କେତେ ଆଦରରେ କଥାବାର୍ତ୍ତା କଲେ, ତୋତେ କେତେ ପ୍ରଶଂସା କଲେ-! ସାବାସ୍‌ ! ବେକରେ ମାଳଟି ଝୁଲୁଥିବାରୁ ନୂଆ ବର ଭଳି ଦିଶୁଛୁ ଯେ ।’

 

ସେ କହିବା ପୂର୍ବରୁ, ଫକୀର ପ୍ରକୃତ ଘଟନା ସବୁ ଗାଇ ଯିବାର ଦେଖି ଫାରକ୍‌ଷାଇର୍‌ ଏକ ମୁହୂର୍ତ୍ତ କାଳ ବାକ୍‌ଶୂନ୍ୟ ହୋଇ ରହିଲା ।

 

ଫକୀର କହିଲେ,–‘ଆଶ୍ଚର୍ଯ୍ୟ ହୋଇ ଭାବୁଛୁ କଣ ? ରୌଶନ୍ୱାରା ତୋତେ କିଛି ଗୁପ୍ତ କଥା କହିଛନ୍ତି ମଧ୍ୟ ।’

 

ଫକୀର ଜୀ ! ସାକ୍ଷାତ୍‌ ଆଲ୍ଲାଙ୍କର ଜଣ ଅଜଣା ହୋଇ ରହିପାରେ ? ମୋତେ ସେ ଦେଖିବା କ୍ଷଣି ଏ ମାଳାଟି ଦେଲେ । ଏହାଠାରୁ ବଳି ଆଉ କଣ ଲୋଡ଼ା ମୋର ?’

 

‘ବାୟାରେ ବାୟା ! ଅଳ୍ପ ଲାଭରେ ତୃପ୍ତ ହୋଇଯିବା ଲୋକ ଭଳି ଦିଶୁଛୁ ତ ! ତୋ ଦେହଟା ଯାକ ମୁଦିର ପ୍ରଭାବ ଖେଳିଗଲେ, ଦେଖିବୁ ଶାହାଜାଦୀ ତୋତେ ଆଲିଙ୍ଗନ କରି ପକାଇବେ’

 

ଫାରକ୍‌ଷାଇର୍‌ ଆନନ୍ଦରେ କରତାଳି ଦେଇ ହସି ହସି କ୍ଳାନ୍ତ ହୋଇପଡ଼ିଲା । କହିଲା–‘ଠିକ୍‌ ଠିକ୍‌ । ମୋର ତେବେ ଅଭାବ ଆଉ କଣ ? ଶେଷରେ କେଜାଣି, ବାଦ୍‌ଶା ହୋଇପାରିବି ।’

 

‘କି, ସନ୍ଦେହ କଣ ? ଆଉ ଗୋଟିଏ ମୁଦି ଦେବି–ତାହା ଲଗାଇ ବାଦ୍‌ଶାଙ୍କ ପାଖକୁ ଗଲେ, ସେ ତୋତେ କୁଣ୍ଢାଇ ପକାଇ ସିଂହାସନରେ ବସାଇବେ । ମାତ୍ର କିଛିଦିନ ପରେ ତାହା ଦେବି । ତା’ସଙ୍ଗେ ଆଉ ଏକ ରକମର ମୁଦି ଦେବି, ତାହା ହାତରେ ରଖିଲେ ଯେ କୌଣସି ସ୍ତ୍ରୀ ତୋ ସହିତ ସାଦୀ କରିବାକୁ ମନ ବଳାଇବ ।’ ସରଳବିଶ୍ୱାସୀ ଫାରକ୍‌ ହୃଦୟରେ ଆନନ୍ଦ ନାଚି ନାଚି ଅଥୟ ହୋଇପଡ଼ିଲା । ପଚାରିଲା–‘ସେ ସବୁ ଦେବ ତ ?’

 

‘ତୋତେ ଆଉ କେତେ ଥର ପରୀକ୍ଷା କରିବା ପରେ ଦେବି । ଆଚ୍ଛା କହଟି, ରୌଶନ୍ୱାରା ଆଜି କି କି ଗୁପ୍ତ କଥା କହିଛନ୍ତି ।’

 

‘ଆଜ୍ଞା, ମୁଣ୍ଡ ଛିଡ଼ିଗଲେ ବି ମିଛ କହିବି ? ଶୁଣ । ସେଇ ହିନ୍ଦୁ ଯୁବତୀକୁ ମାରିବାର ଉପାୟ ପଚାରିଲେ । ତାହାକୁ ହାଣି ପୋତି ଦେବାକୁ ମୁଁ ବତାଇଲି । ଶାହାଜାଦୀ ମାତ୍ର ମୋ କଥାରେ ଅମଙ୍ଗ ହେଲେ; କହିଲେ,–‘ଇନ୍ଦିରାକୁ ପୋତି ଦେଲେ, ବେଗମ୍‌ ବାଦ୍‌ଶାଙ୍କୁ କହି ମହାଲ୍‌ ଖାନ୍‌ ତଲ୍ଲାସ୍‌ କରାଇ ତା’ର ଶବ ବାହାର କରାଇ ଦେଇ ପାରନ୍ତି । ତା’ ଅଣ୍ଟାରେ ମୋଟା ରୋଟା ଲମ୍ବା ଦଉଡ଼ିଟିଏ ବାନ୍ଧି ତାକୁ ଯମୁନାରେ ଫିଙ୍ଗି ଦେବା ପାଇଁ ଆଜ୍ଞା ଦେଇଛନ୍ତି ।’

 

‘ଦଉଡ଼ି କି ଦରକାର ? ହେଲା–ଆଉ କଣ କହିଲେ ?’

 

‘ଦଉଡ଼ି ନ ବାନ୍ଧି ବୁରୁଜ ଉପରୁ ଏକାଥରକେ ନଦୀରେ ଠେଲି ଦେଲେ, ଶବ୍ଦ ହେବ; ତାହା କେହି ଶୁଣିଲେ କଥାଟା ପଦାରେ ପଡ଼ିଯିବ । ଆଜି ଦୁଇପହରେ ରାତିରେ ମହାଲ୍‌ କାନ୍ଥର ଦକ୍ଷିଣ ପାଖରେ ଥିବା ବୁରୁଜ ଉପରୁ ତା’କୁ ଆସ୍ତେ ଆସ୍ତେ ନଈ ଭିତରକୁ ଖସାଇଦେବା ପାଇଁ ଶାହାଜାଦୀଙ୍କର ହୁକୁମ୍‌ । ବୁଝିଲି ?’

 

‘ଆଜି ରାତି ନା କାଲି ? ମିଛ କହ ନାହିଁଟି । ସାବଧାନ !

 

‘ମୋ ରାଣ ଆଜ୍ଞା । ଆଖି ଛୁଉଁଛି । ଛି ! ଆଉ ମିଛ କହିବି ? ଦିବ୍ୟ ଜ୍ଞାନରେ ତ ସବୁ ଜାଣିସାରି ଥିବ ! ଖାଲି ପରୀକ୍ଷା କରିବାକୁ ସିନା ତୁହାକୁ ତୁହା ପଚରା ଲଗାଇଛ ।’

 

‘ଠିକ୍‌ ବୁଝିଛୁ । ତୁ ଏତେ ଚତୁର ହୋଇ ଉଠିଛୁ ଏକା ସେ ମୁଦିବଳରେ । ହଁ, ଥାଉ ଏ କଥା–ଦୁଇ ପ୍ରହର ରାତ୍ରିରେ ତାହାକୁ ନଦୀରେ ପେଲିବାର ଉଦ୍ଦେଶ୍ୟ ? ଦକ୍ଷିଣ ଭାଗଗର ବୁରୁଜ ଉପରୁ କାହିଁକି ? ଆଉ କୋ’ ଜାଗାରେ ହୋଇ ପାରିବନାହିଁ ?’

 

‘ଦୁଇ ପହର ରାତିରେ ମହାଲ୍‌ର ସମସ୍ତେ ଶୋଇ ପଡ଼ିଥିବେ । ଆଉ, ଦକ୍ଷିଣ ପାଖରେ ବୁରୁଜଟି ଦୁଇ କାନ୍ଥର ଠିକ୍‌ ସନ୍ଧିରେ ଅଛି । ଆଜ୍ଞା ! ଏକ୍‌ ବଦ୍‌ମାସ୍‌ କାମ କରିବାକୁ ଯାଉଛି; ମଲେ ଜାହାନ୍ନାମରେ ପଶିବି; ସେତେବେଳେ କୋ’ ବାପା ଆଉ ପିଠିରେ ପଡ଼ିବ ନାହିଁ ।’

 

‘କିଛି ବାଧା ନାହିଁ । ପ୍ରଭୁ ଆଜ୍ଞା ନ ମାନିଲେ ଯେ ବଡ଼ ପାପ । କୋରାଣରେ ଏଇଆ ଅଛି । ମୁଦିଟି ଯେତେବେଳେ ତୋ ପାଖରେ ଅଛି–ପାପ ତୋତେ କଦାପି ଛୁଇଁବ ନାହିଁ । ଏଣୁ ଆଜି ରାତି ଠିକ୍‌ ଦୁଇ ପ୍ରହର ବେଳେ ସେଇ କାମ ହାସଲ କରିବା ଦରକାର ।’

 

‘ତୁମର ହୁକୁମ୍‌ ହେଲାଣି, ହେଳା କରିବି ? ଆଜି ରାତି ଠିକ୍‌ ସେତିକି ବେଳେ କାମଟି ଛିଣ୍ଡାଇଦେବି ।’

 

ପରିଣାମଦର୍ଶୀ କୌଶଳୀ ଫକୀର ଫାରକ୍‌ଷାଇର୍‌ ମୁଖରୁ ଏହିପରି ସକଳ ରହସ୍ୟ ଉନ୍ମୋଚନ କରିବା ପରେ, ପରଦିନ ପୁଣି ତାହା ସହିତ ସାକ୍ଷାତ୍‌ କରିବେ ବୋଲି କହି ସେଠାରୁ ଚାଲିଗଲେ । ଫାରକ୍‌ଷାଇର୍‌ ନିଜ କାମରେ ଯାଇ ଲାଗିଲା ।

Image

 

ଅଷ୍ଟାବିଂଶ ପରିଚ୍ଛେଦ

(ଅଚଳେଶ୍ୱର ମନ୍ଦିରରେ ରାଜସିଂହ)

 

କମଳକୁମାରୀଙ୍କ ପତ୍ରିପାଠ କରିବା ମୁହୂର୍ତ୍ତରୁ ରାଜସିଂହ ତାଙ୍କ ପ୍ରତି ଆକୃଷ୍ଟ ହୋଇ ସମୟୋଚିତ ଆୟୋଜନରେ ବିବ୍ରତ ହେଲେ । ସେ କମଳକୁମାରୀଙ୍କ ନିକଟକୁ ଗଭୀର ଉତ୍ସାହ-ଆଶ୍ୱାସନାପୂର୍ଣ୍ଣ ଖଣ୍ଡିଏ ପ୍ରେମ ପତ୍ର ପଠାଇଲେ ।

 

ଭୀମଲାଲ ପଣ୍ଡିତ, ଶିବସିଂହ ଓ ଭୀଲଦଳ ଉଦୟପୁର ଯାତ୍ରା କରିବାବେଳେ, ଯେଉଁ ପନ୍ଦର ଜଣ ମୋଗଲ ସୈନିକ ସେମାନଙ୍କୁ ପଥମଧ୍ୟରେ ଆକ୍ରମଣ କରି ପରାସ୍ତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଦୁଇ ଜଣ, ଶିବସିଂହ ଓ ଭାଲମାନଙ୍କୁ ରୂପନଗରକୁ ବାହୁଡ଼ିବାର ଦେଖି, ମାର୍ଗରେ ପଣ୍ଡିତଙ୍କ ପ୍ରତ୍ୟାଗମନ ପ୍ରତୀକ୍ଷା କରି ରହିଲେ । ପ୍ରତ୍ୟାବୃତ୍ତି ପଣ୍ଡିତଙ୍କ ହାତରୁ ରାଣାଙ୍କ ପତ୍ର ଛଡ଼ାଇ ନେବା ସେମାନଙ୍କର ଉଦ୍ଦେଶ୍ୟ । ଦୁହେଁ ରାଜସିଂହଙ୍କ ପତ୍ର-ବାହାକ ବାଟରେ ଆକ୍ରମଣ କରି, ପତ୍ରଟି ଧରି ଯାଇ ସାଦତ୍‌ ଖାଁ ହାତରେ ଦେଲେ । ଖାଁ ତାହା ଜଣେ ରାଜପୁତ୍‍ ସର୍ଦ୍ଦାର ଦ୍ୱାରା ପଢ଼ାଇ ଶୁଣିଲେ । ରାଣା ଅଳ୍ପ କେତେକ ଦିନ ପରେ ସସେନା ରୂପନଗର ଯାଇ ପଠାଣମାନଙ୍କ ସଙ୍ଗେ ଯୁଦ୍ଧରେ ଯୋଗଦେବେ ବୋଲି ପତ୍ରରୁ ଜାଣିପାରି ସେ ଅତିରିକ୍ତ ଭୀତି-ବିହ୍ୱଳ ହୋଇ ପଡ଼ିଲେ । ବିଶେଷତଃ ପଠାଣସେନା ଅଳ୍ପ ସଂଖ୍ୟକଥିବାରୁ ରାଣାଙ୍କ ହାତରେ ପୂର୍ଣ୍ଣ ପରାଭବ ଆଶଙ୍କା କରି, ସେ ଚାରିହଜାର ସୈନ୍ୟ ଚଞ୍ଚଳ ପଠାଇବା ନିମିତ୍ତ ସମ୍ରାଟଙ୍କ ନିକଟକୁ ପତ୍ର ଲେଖି ପଠାଇଲେ । ସେହି ମୁହୂର୍ତ୍ତରୁ ନିଜ ଫଉଜ୍‌ ସୁସଜ୍ଜିତ କରି ରାଣାଙ୍କ ପ୍ରତୀକ୍ଷା କରିବାକୁ ଲାଗିଲେ ।

 

କ୍ଷାତ୍ତ୍ର-ଧର୍ମ-ପାଳନ ଓ ପରୋପକାର-ସାଧନ ରାଜସିଂହଙ୍କର ସ୍ୱଭାବସିଦ୍ଧ ଗୁଣ । ଔରଂଜୀବ୍‌ଙ୍କ ସହିତ ଯୁଦ୍ଧ ଚଳାଇ ରୂପନଗର ରାଜକନ୍ୟାଙ୍କୁ ଉଦ୍ଧାର କରିବା ସକାଶେ ସେ ବଦ୍ଧପରିକର ହେଲେ । ଯେ କୌଣସି ଉପାୟରେ ରାଜପୁତ୍ତ୍ରୀଙ୍କୁ ରକ୍ଷା କରିବା ରାଣାଙ୍କର ଦୃଢ଼ ପଣ-। ସେ ବିରାଟ ସମରାୟୋଜନ କଲେ ଏବଂ ସାହାଯ୍ୟ ନିମିତ୍ତ ଅନ୍ୟାନ୍ୟ ରାଜପୁତ୍ ରାଜାମାନଙ୍କ ନିକଟକୁ ପତ୍ର ଦେଲେ । ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ନିମିତ୍ତ ସେମାନେ ସମସ୍ତେ ନିଜ ନିଜର ସାଗ୍ରହ ସମ୍ମତି ଜଣାଇଲେ । ରାଣା ଯେତେବେଳେ ସେମାନଙ୍କର ନେତା–ସେମାନେ ନୀରବ ରହିବେ କିପରି ? ମହା ଆନନ୍ଦରେ, ବିପୁଳ ଉତ୍ସାହରେ ସ୍ୱ ସ୍ୱ ସୈନ୍ୟ-ସଜ୍ଜାରେ ଲାଗିଗଲେ-

 

ଆଗେ କହା ଯାଇଅଛି, ବୈକୁଣ୍ଠ ଯୋଗୀଙ୍କ ବିନା ପରାମର୍ଶରେ ରାଜସିଂହ ଯେ କୌଣସି ଗୁରୁତର ଓ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ କଦାପି କରୁ ନଥିଲେ । ବର୍ତ୍ତମାନ ପରାମର୍ଶର ସମୟ ଉପସ୍ଥିତ । ସୁତରାଂ ଦିନେ ସେ ଆବୁପାହାଡ଼ର ଅଚଳେଶ୍ୱର ମନ୍ଦିରକୁ ଗଲେ । ସେଠାରେ ପହଞ୍ଚିବାବେଳେ ବୈକୁଣ୍ଠ ଯୋଗୀ ସମାଧି-ରତ ଥିବାରୁ, ସେ ମନ୍ଦିର ସମୀପସ୍ଥ ଏକ ମଣ୍ଡପରେ ଯୋଗୀଙ୍କୁ ଅପେକ୍ଷା କରି ବସି ଦେଖିଲେ ।

 

ସେଠାରେ ବସି ଦେଖିଲେ, ଜଣେ ଭୀଲ ସ୍ତ୍ରୀ ଛୋଟ ଏକ ଶିଶୁକୁ କାଖରେ ଧରି ତାହା ସଙ୍ଗେ ମୃଦୁ ମନ୍ଦ କଥାବାର୍ତ୍ତା କରୁଁ କରୁଁ, ତାହାକୁ ଉଡ଼୍‌ଡ଼ୀନ ପକ୍ଷୀସବୁ ଦେଖାଉଁ ଅଚଳେଶ୍ୱର ମନ୍ଦିର ମଧ୍ୟରେ ପ୍ରବିଷ୍ଟ ହେଲା । ଯୋଗୀଙ୍କ ନିକଟରୁ ଶିଶୁଟିର ପରିଚୟ ପାଇବା ନିମନ୍ତେ ବିଶେଷ ଉତ୍କଣ୍ଠିତ ହୋଇ, ରଣା ପ୍ରତୀକ୍ଷା କରିବାକୁ ଲାଗିଲେ ।

 

ଏହି ଅବସରରେ ବୈକୁଣ୍ଠ ଯୋଗୀ ନିମୀଳିତ ଚକ୍ଷୁ ଉନ୍‌ମୀଳିତ କରି ଧ୍ୟାନରୁ ବିରତ ହେଲେ ଏବଂ ରାଜସିଂହଙ୍କୁ ଦେଖି ମନ୍ଦହାସ ବ୍ୟକ୍ତ କଲେ । ପରେ ନିଜ ଜପ-ମାଳାଟି ମନ୍ଦିର-ଗାତ୍ର ସଂଲଗ୍ନ ଗୋଟିଏ ଲୌହକୀକଳରେ ଝୁଲାଇ, କୃଷ୍ଣାଜିନ କବାଟ-କୋଣରେ ଆଉଜାଇ, ବିଭୂତି-ଗୁଳାଟି କାନ୍ଥ-ଠଣାରେ ଥୋଇ, ଦୀପଟି ଠାକୁରଙ୍କ ଆଗରେ ରଖି ଦେଇ, ମନ୍ଦିର ମଧ୍ୟର ପ୍ରଜ୍ଜ୍ୱଳିତ ହୋମ-କୁଣ୍ଡରେ ସମିଧ ନିକ୍ଷେପ କଲେ ଏବଂ ପାଦରେ ପାଦୁକା ଲଗାଇ, ମନ୍ଦିର-ଦ୍ୱାର ରୁଦ୍ଧ କରି ଦେଇ ବାହାରକୁ ଆସିଲେ । ଯୋଗୀଙ୍କୁ ଦେଖିବାମାତ୍ରେ ରାଣା ତାଙ୍କ ଚରଣରେ ପ୍ରଣତ ହୋଇ ଭକ୍ତି ଓ ସୌଜନ୍ୟ ପ୍ରଦର୍ଶନ କଲେ । ଦୁହେଁ ମନ୍ଦିରର ପୃଷ୍ଠଭାଗରେ ଥିବା ଗୋଟିଏ ମଣ୍ଡପରେ ବସି, ସୁମନ୍ଦ ସୁଶୀତଳ ସମୀର ସଂସ୍ପର୍ଶରେ ଶ୍ରମାପନୋଦନ କରୁଁ କରୁଁ କଥୋପକଥନରେ ପ୍ରବୃତ୍ତ ହେଲେ ।

 

ରାଣା–ଦେବ । ଆପଣ ଧ୍ୟାନରେ ଥିବାବେଳେ, ମନ୍ଦିର ଆଗରେ ଥିବା ମଣ୍ଡପରେ ବସି ଦେଖି ପାରିଲି, ଜଣେ ଭୀଲ ସ୍ତ୍ରୀ ଗୋଟିଏ ଶିଶୁକୁ କାଖେଇ ମନ୍ଦିର ଭିତରେ ପଶିଲା । ଶିଶୁଟି କିଏ ଜାଣି ପାରିବି ?

 

ଯୋଗୀ–ଜାଣି ନାହିଁ, ରାଜସିଂହ ? ଶିଶୁଟି ଯୋଧପୁର-ରାଜା ।

 

ରାଣା–କଣ କହିଲେ ! ଚନ୍ଦ୍ରାବତୀଙ୍କ ପୁଅ–ଅଜିତ୍‍ସିଂହ !

 

ଯୋଗୀ ତାହାଙ୍କୁ ଚନ୍ଦ୍ରାବତୀ ପ୍ରତି ନୟନପାଳଙ୍କ ଅତ୍ୟାଚାର, ଦୁର୍ଗାଦାସ ଓ ଇନ୍ଦିରାଙ୍କ ବୀରତ୍ୱ ଓ ସାହସ, ପଦ୍ମାଙ୍କର ବିଚିତ୍ର ବୁଦ୍ଧି-କୌଶଳ ଏବଂ ଭବିଷ୍ୟତ୍‌ରେ କେତେକ ବିଷୟ ଶୁଣାଇ ତାଙ୍କ ଉତ୍କଣ୍ଠା ଦୂର କଲେ । ପରେ କହିଲେ ଯେ, ଆଉ କିଛି ଦିନ ସକାଶେ ଅଜିତ୍‌ ସିଂହଙ୍କୁ ନିକଟରେ ରଖିବାକୁ ହେବ । ଏହି ସମସ୍ତ ବିଷୟ ଶୁଣିବା ମାତ୍ରେ, ରଣାଙ୍କ ହୃଦୟ ଅତିଶୟ ଚଞ୍ଚଳ ହୋଇଉଠିଲା–କାଳୋଚିତ କୌଶଳ ପ୍ରୟୋଗରେ ବାଦ୍‌ଶାଙ୍କ ଉପଦ୍ରବ ଦମନ କରିବା ପାଇଁ ତାଙ୍କ ପ୍ରାଣ ସ୍ପନ୍ଦନ ଅନୁଭବ କଲା ।

 

ଯୋଗୀ–ବତ୍ସ ! ତୁମେ ଏଠାକୁ ଆସିବାର ବୋଧହୁଏ କୌଣସି କାରଣ ଅଛି ।

 

ରାଣା–ଅନ୍ତର୍ଯ୍ୟାମିଙ୍କ ନିକଟରେ ଲୁଚି ରହିବ, ଏପରି ବିଷୟ ଅଛି କଣ ? ଏ ଦୁଇ ତିନି ଦିନ ମଧ୍ୟରେ ଔରଂଜୀବ୍‌ ସଙ୍ଗେ ଯୁଦ୍ଧ କରିବାକୁ ଯାଉଛି ।

 

ଯୋଗୀ–କଣ ! ଦୁଇ ତିନି ଦିନ ମଧ୍ୟରେ ! ଉଦ୍ଦେଶ୍ୟ ?

 

ରାଣା–ରୂପନଗର ରାଜା ବିକ୍ରମ ସିଂହହ ସୋଲାଙ୍କିଙ୍କୁ ତ ଜାଣନ୍ତି । ତାଙ୍କ କନ୍ୟା କମଳକୁମାରୀଙ୍କୁ ବଳପୂର୍ବକ ଧରି ନେବା ସକାଶେ ସମ୍ରାଟ ଫୌଜ ପଠାଇ ରୂପନଗର ଅବରୋଧ କରିଛି । ବିକ୍ରମସିଂହ ଅନ୍ୟାନ୍ୟ ରାଜପୁତ୍‌ ରାଜାମାନଙ୍କର ସାହାଯ୍ୟ ଭିକ୍ଷା କରିଛନ୍ତି । କମଳକୁମାରୀ ନିଜର ଦୂରବସ୍ଥା ଜଣାଇ ପିତାଙ୍କ ସାହାଯ୍ୟ ନିମିତ୍ତ ସୈନ୍ୟ ପଠାଇ ତାଙ୍କୁ ପଠାଣ ହାତରୁ ରକ୍ଷା କରିବା କାରଣ ମୋ ଠାକୁ ଖଣ୍ଡିଏ କରୁଣୋଦ୍ଦୀପକ ପତ୍ର ଲେଖିଛନ୍ତି । ତାଙ୍କୁ ଉଦ୍ଧାର ନ କଲେ ଆତ୍ମହତ୍ୟା କରିବେ ବୋଲି ହଟି ବସିଛନ୍ତି । ଯୁଦ୍ଧାୟୋଜନ କରିବା ସକାଶେ ସାମନ୍ତ ରାଜାମାନଙ୍କ ନିକଟକୁ ଆଦେଶପତ୍ର ପଠାଇ ଆପଣଙ୍କ ପରାମର୍ଶ ଆଶାରେ ଆସିଛି ଏଠାକୁ ।

 

ଯୋଗୀ–କଣ ! ବାଦ୍‌ଶା ଏ ଭଳି କ୍ରୂର କାଣ୍ଡ ସବୁ ଭିଆଣ କରି ବସିଛି ?

 

ରାଣା–ପ୍ରଭୋ ! ଏତିକି ମାତ୍ର କରି ନିଶ୍ଚିନ୍ତ ହୋଇ ନାହିଁ ଚଣ୍ଡାଳ–ହିନ୍ଦୁମାନଙ୍କଠାରୁ ଜେଜେୟା ଆଦାୟ କରୁଛି । ଦରିଦ୍ର ଲୋକେ ଘରର ଜିନିଷ ପତ୍ର ବିକି ଭାଙ୍ଗି କର ଦେବାକୁ ବାଧ୍ୟ ହେଉଛନ୍ତି ।

 

ଯୋଗୀ ସହାସ୍ୟ ମୁଖରେ ପଚାରିଲେ,–‘ତୁମେ ବି ଜେଜେୟା ଦେଉଛ ତ ?’

 

ରାଣା–ଯୋଗେନ୍ଦ୍ର ! ଆପଣଙ୍କ କୃପା ଥିଲେ, ବାଦ୍‌ସା ଏ ଭଳି ଶତ ସହସ୍ର କର ଧାର୍ଯ୍ୟ କଲେ ସୁଦ୍ଧା, ମୁଁ ନଜରରେ ଆଣିବି ନାହିଁ । କର ସଂଗ୍ରହ କରିବା ପଠାଣ କର୍ମଚାରିଦଳକୁ ଉପଯୁକ୍ତ ଲାଞ୍ଛନା, ଦଣ୍ଡ ଦେଇ ବାଦ୍‌ସା ଠାକୁ ଧର୍ମୋପଦେଶ ଛଳରେ ଖଣ୍ଡିଏ ପତ୍ର ପଠାଇଛି ।

 

ଯୋଗୀ–ହେଲା-କମଳକୁମାରୀଙ୍କ ପତ୍ରରେ ବିଶେଷ କିଛି ବିଷୟ ଅଛି ?

 

ରାଣା–ଗୁରୁଦେବ ! ବିଶେଷ କିଛି ନାହିଁ । ଯଦି ଥାଏ, ଆପଣଙ୍କ ନିକଟରେ ତ ଗୁପ୍ତ ରହିବ ନାହିଁ ।

 

ଯୋଗୀ–ପତ୍ରଟିରେ, ତୁମେ ପ୍ରକାଶ ନ କରିବା ଭଳି, ବିଷୟ ଅବଶ୍ୟ ରହିପାରେ ।

 

ରାଜସିଂହ ଲଜ୍ଜା-ରଞ୍ଜିତ ଓ ହାସ୍ୟପ୍ରସନ୍ନ ମୁଖରେ ନତ ମସ୍ତକ ହେଲେ ।

 

ଯୋଗୀ–ରାଣା ! ମନରେ କମଳକୁମାରୀଙ୍କ ପାଣିଗ୍ରହଣ ଇଚ୍ଛା ପୋଷିଛ ପରା ! ଆଚ୍ଛା, ତାଙ୍କୁ କେବେ କେଉଁଠାରେ ଦେଖିଛ ?

 

ରାଣା–ଆପଣଙ୍କର ଆଦେଶ, ଅନୁମତି ପାଇଲେ, ତାଙ୍କୁ ନିଶ୍ଚୟ ବିବାହ କରିବି । ସେ ଦଶ ବର୍ଷର ବାଳିକା ଥିବାବେଳେ, ଥରେ ତାଙ୍କୁ ଦେଖିବାର ସୁଯୋଗ ପାଇଥିଲି ।

 

ଯୋଗୀ–ପରେ ଆଉ କେବେ ଦେଖିବାର ସୁବିଧା ଘଟି ନାହିଁ ? ସ୍ମରଣ କର ଥରେ ଭଲା, ପରେ ତାଙ୍କୁ କେବେ ଦେଖିଛ କି ନା ।

 

ରାଣା–ନାହିଁ ସ୍ୱାମିନ୍ ! ଦ୍ୱିତୀୟ ଥର ଦେଖି ନାହିଁ ।

 

ଯୋଗୀ–ଯାଉ–ଅଳ୍ପ ଦିନ ତଳେ କାହାରିକୁ ତୁମେ ମୁଦ୍ରିକା ଦେବାକଥା ମନେ ପଡ଼େ ?

 

ରାଣା–ହଁ ମନେ ପଡ଼ିଲା । ଦିନେ ଶିକାର କରିବା ପାଇଁ ଯୋଧପୁର ବନରେ ବୁଲୁଥିବାବେଳେ, କେତେ ଜଣ ପଠାଣ ସିପାହୀ ମୋ ବାଟ ଆଗୁଳି ଦେଇ ଅନିଷ୍ଟ କରିବାକୁ ବାହାରିଲେ । ସେମାନଙ୍କ ସଙ୍ଗେ ମୁଁ ଏକାକୀ ଯୁଦ୍ଧ କରୁଛି, ଏହି ସମୟରେ ଅଶ୍ୱାରୂଢ଼ କେହି ଦୁଇଜଣ ରାଜପୁତ୍ର ଚପଳା ବେଗରେ ସେଠାକୁ ଆସି ମୋର ସହାୟ ହେଲେ । ସେମାନଙ୍କ ଚମତ୍କାର ଯୁଦ୍ଧରେ ପ୍ରୀତ, ଆଉ ଉପକାର ପାଇଁ କୃତଜ୍ଞ ହୋଇ, ସେ ଦୁହିଁଙ୍କ ମଧ୍ୟରୁ ଜଣକୁ ମୋ ମୁଦିଟି ଉପହାର ଦେଇଥିଲି ।

 

ଯୋଗୀ–ତେବେ, କମଳକୁମାରୀଙ୍କୁ ଦ୍ୱିତୀୟ ଥର କେବେ ଦେଖି ନାହିଁ ବୋଲି କହିବାର ଅର୍ଥ ?

 

ରାଣା–କାହିଁ-ଦେଖିଲି କିପରି, ଯୋଗେନ୍ଦ୍ର ?

 

ଯୋଗୀ–ବତ୍ସ ! ପୁରୁଷବେଶଧାରିଣୀ ସେ ଦୁଇଜଣ ଯେ କମଳକୁମାରୀ ଓ ପଦ୍ମା, ତାହା ବୋଧହୁଏ ବୁଝାଇବା ଆଉ ଦରକାର ନାହିଁ ।

 

ରାଣା–ସେ ଦୁହେଁ କମଳକୁମାରୀ, ପଦ୍ମା ! ଆଶ୍ଚର୍ଯ୍ୟ ! ଆଶ୍ଚର୍ଯ୍ୟ ! ମୋଟେ ଚିହ୍ନି ପାରିଲିନାହିଁ । କିନ୍ତୁ ଦୁହିଁଙ୍କ ଦେହର କାନ୍ତି, ମୁଖର ସରସତା ଓ ଦୀପ୍ତି ମୋତେ ଚକିତ, ମୋହିତ କରି ପକାଇ ଥିଲା ।

 

ଯୋଗୀ–ଯେଉଁ ରାଜପୁତ୍ରଙ୍କୁ ମୁଦ୍ରିକା ଉପହାର ଦେଇଥିଲ, ସେହି କମଳକୁମାରୀ । ବୁଝି ପାରିଛ ?

 

ରାଣାଙ୍କ ସରଳ ସତେଜ ଅଧର-ପ୍ରାନ୍ତରେ ମନ୍ଦ ମଧୁର ହାସଲାସ୍ୟ ଯୁଗପତ୍ ଖେଳିଗଲା । ସେ କିଛି ସମୟ ଚିନ୍ତାନ୍ଦୋଳିତ ଚିତ୍ତରେ ନୀରବ ଭାବରେ ବସି ରହିଲେ । ସେତେବେଳେ ତାଙ୍କ ମୁଖ-ମଣ୍ଡଳ ପ୍ରେମୋଜ୍ଜ୍ୱଳ, ଅପୂର୍ବ ଭାବ-ମାଧୁରୀରେ ଢଳ ଢଳ !

 

କମଳକୁମାରୀ ଓ ପଦ୍ମା, ବୀର-ବେଶରେ ଯୋଧପୁର ବନରେ ରାଜସିଂହଙ୍କୁ ସାହାଯ୍ୟ କରିବାର କିଛିଦିନ ପରେ, ବୈକୁଣ୍ଠଯୋଗୀଙ୍କ ଦର୍ଶନ-ଲାଭ ଉଦ୍ଦେଶ୍ୟରେ ଦିନେ ଅଚଳେଶ୍ୱର ମନ୍ଦିରକୁ ଯାଇଥିଲେ । ଯୋଗୀ ଅନେକ ସମୟ ପର୍ଯ୍ୟନ୍ତ ସେମାନଙ୍କ ସହିତ ମଧୁରାଳାପ କରି, ବହୁ ପ୍ରାଚୀନ କଥା ଧର୍ମ ଶାସ୍ତ୍ରାଦି ଶୁଣାଇଲେ । କଥାବାର୍ତ୍ତା ଚାଲିଥିବାବେଳେ, କମଳକୁମାରୀଙ୍କ ଅଙ୍ଗୁଳି-ଯୁକ୍ତ ରାଣା-ଦତ୍ତ ଅଙ୍ଗୁରୀୟ ଉପରେ ହଠାତ୍ ଯୋଗୀଙ୍କ ଦୃଷ୍ଟି ପଡ଼ିଲା । ତହିଁରେ ରାଣାଙ୍କ ନାମ ଅଙ୍କିତ ଥିବାର ଦେଖି, ତାହା କମଳକୁମାରୀଙ୍କ ଆଙ୍ଗୁଠିକୁ କେବେ କିପରି ଆସିଲା, ଯୋଗୀ ପ୍ରଶ୍ନ କଲେ । ଲଜ୍ଜାଭାବରେ କିନ୍ତୁ ରାଜକନ୍ୟା ନୀରବ ରହିଲେ । ପଦ୍ମା ପରେ ଯୋଗୀଙ୍କୁ ସୁବିସ୍ତୃତ ଭାବରେ ମୁଦ୍ରିକା-ପ୍ରସଙ୍ଗ ଶୁଣାଇଲେ । ସେହି ବିବରଣ ଶୁଣି, ଯୋଗୀଙ୍କ ମନରେ ଅପୂର୍ବ ଆଶା ଓ ଆନନ୍ଦ ସମୁତ୍ପାଦିତ ହେଲା । ଶେଷରେ ଦୁହେଁ ତାଙ୍କ ନିକଟରୁ ବିଦାୟ ଗ୍ରହଣ କରି ରୂପନଗରକୁ ପ୍ରତ୍ୟାବୃତ୍ତ ହେଲେ ।

 

ଉପରୋକ୍ତ ବୃତ୍ତାନ୍ତ ରାଜସିଂହଙ୍କର ସଂପୂର୍ଣ୍ଣ ଅବିଦିତ ! ଏଣୁ ଯୋଗୀ ମୁଦ୍ରିକା-ଦାନ-ଚରିତ ଜାଣିପାରି ଥିବାର ଦେଖି, ସେ ଏବାବେଳକେ ଚମତ୍କୃତ ! ଯୋଗୀଙ୍କ ପ୍ରଭାବ, ପ୍ରତିଭା ଓ ପ୍ରଜ୍ଞାରେ ପୁଲକିତ ! ରାଣାଙ୍କୁ ଭାବନାପନ୍ନ ଥିବାର ଲକ୍ଷ୍ୟ କରି ଯୋଗୀ କହିଲେ–‘କି ଆଲୋଚନାରେ ବ୍ୟସ୍ତ ଅଛ କୁମାର ? କମଳକୁମାରୀଙ୍କ ସୌନ୍ଦର୍ଯ୍ୟ ତୁମ ହୃଦୟ ଟାଣି ନେଇଛି ତ-?’’

 

ରାଣା–ପ୍ରଭୋ ! ତାଙ୍କ ପତ୍ର ଦେଖବା ମୁହୂର୍ତ୍ତରୁ ହିଁ ତାଙ୍କର ମଧୁର ସରସ ସୌନ୍ଦର୍ଯ୍ୟ ମୋ ପ୍ରାଣରେ ଲାଖି ରହି ଯାଇଛି । ମୋ ହୃଦୟ ବର୍ତ୍ତମାନ ତାଙ୍କରି ନିକଟରେ ।

 

ଯୋଗୀ–ପତ୍ରରୁ ତାଙ୍କ ସୌନ୍ଦର୍ଯ୍ୟ ଆଭାସ ପାଇଲ କିପରି ? ସେଥିରେ କଣ ନିଜର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଛନ୍ତି ?

 

ରାଣା–ପତି-ଭକ୍ତି, ବିନୟ ଓ ପରୋପକାର–ଏ ସମସ୍ତ ରମଣୀର ସୌନ୍ଦର୍ଯ୍ୟ, ସମ୍ପଦ । ଶାରୀରିକ ସୌନ୍ଦର୍ଯ୍ୟ ଥାଉ ବା ନଥାଉ, ବାଧା ନାହିଁ ।

 

ଯୋଗୀ–ତୁମେ ଏକା ସେଇ ଯୁବତୀ-ରତ୍ନର ଯୋଗ୍ୟ ପାତ୍ର । ଅନ୍ୟାନ୍ୟ ରାଜାମାନଙ୍କ ସଙ୍ଗେ ରୂପନଗର ଯାଇ, ଅତି ଶୀଘ୍ର ସେଇ ସରଳ ସୁକୁମାରୀ କୁମାରୀ-ମଣି ଲାଭ କର । ଏହାହିଁ ମୋର କାମନା । ଆଶା ଓ ବିଶ୍ୱାସ କରେଁ, ଅତି ଅଳ୍ପ କାଳ ମଧ୍ୟରେ ତୁମର ଯଶ, ଗୌରବ ହିନ୍ଦୁସ୍ଥାନର ସୀମା ଲଙ୍ଘନ କରି ସାରା ଜଗତରେ ବ୍ୟାପ୍ତ ହେବ । ସେହି ଦିନ, ଦେଖୁଛିଁ, ଖୁବ୍ ନିକଟରେ । ରାଜସ୍ଥାନର ମାନ-ରକ୍ଷା-ଭାର କେବଳ ତୁମରି ହାତରେ । ଯଦି ରାଜପୁତ୍ ଜାତିର, କ୍ଷତ୍ରିୟ କୁଳର, ହିନ୍ଦୁଧର୍ମର ମହତ୍ତ୍ୱ ବଢ଼ିବ–ତାହା ଏକା ତୁମରି ତେଜରେ, ବାହୁବଳରେ । ରାଜପୁତ୍ ଆଜି ଯାଏଁ ନୀରବ ନିଶ୍ଚେଷ୍ଟ ରହିବାରୁ, ସମ୍ରାଟର ଉତ୍ପାତ, ଗର୍ବ ମଥା ଟେକି ଉଠିଛି–ତାହାର ଦାରୁଣ ସାହସ, ପୈଶାଚିକ ପ୍ରଭାବ ଚାରିଆଡ଼େ ବ୍ୟାପିଛି ।

 

ରାଣା–ମୁନିଶ୍ରେଷ୍ଠ, ଯଥାର୍ଥ କହିଛନ୍ତି । କ୍ରମେ ପାଷଣ୍ଡର ହୃଦୟହୀନ କାଣ୍ଡ ବଢ଼ୁଛି–ଛିଡ଼ିବାର ଦେଖା ଯାଉ ନାହିଁ । ଦେଖିବେ କିନ୍ତୁ ଏଥର, ସମଗ୍ର ରାଜପୁତାନାର ରୁଦ୍ଧ ଘୃଣା, ସୁପ୍ତ କୋପ ଭୀମ ମୂର୍ତ୍ତି ଧରି ଝଟକ ବିଜୁଳି ପରି ଧାଇଁ ବୁଲିବ । ରଣସ୍ଥଳରେ ତାହାର ପ୍ରତିଶୋଧ ନେବା ପାଇଁ ସମୟ ଜଗି ବସିଥିଲି–ଭଗବାନ୍ ଉଚିତ ସୁଯୋଗ ଆଣି ପହଞ୍ଚାଇ ଦେଇଛନ୍ତି । ଜୟ ଆମର, ସନ୍ଦେହ ନାହିଁ ।

 

ଦୁହେଁ ଏପରି କଥାବାର୍ତ୍ତା କରିବା ସମୟରେ, କେହି ଜଣେ ଲୋକ ଦ୍ୱାର ଫିଟାଇ ମନ୍ଦିର ଭିତରେ ପ୍ରବେଶ କରିବାର ଶବ୍ଦ ଶୁଣାଗଲା । ଯୋଗୀ କହିଲେ,–‘ରାଜସିଂହ ! କେହି ଜଣେ ବୋଧହୁଏ ମନ୍ଦିରରେ ପଶିଛି । ଦେଖିବା ଆସ ।’

 

ଉଭୟେ ଦେବାଳୟ-ଗର୍ଭରେ ଯାଇ ପ୍ରବିଷ୍ଟ ହେଲେ । ଦେଖିଲେ, ଜଣେ ରାଜକର୍ମଚାରୀ ସେଠାରେ ଠିଆ ହୋଇ ଏଣେତେଣେ ଦୃଷ୍ଟିପାତ କରୁଛି । ଯୋଗୀଙ୍କୁ ଦେଖିବା କ୍ଷଣି ସେ ତାଙ୍କୁ ପ୍ରଣାମ କରି ଜଣାଇଲା,–‘ପ୍ରଭୋ ! ଚନ୍ଦ୍ରାବତୀ ଆପଣଙ୍କ ଦର୍ଶନ ପାଇଁ ଆସି, ପୁଅଙ୍କୁ ଧରି ଏଇ ସାମନାରେ ଗୋଟିଏ କୁଡ଼ିଆରେ ବସିଛନ୍ତି ।’ ଏହି ସମ୍ବାଦରେ ଅତିଶୟ ପ୍ରସନ୍ନ ହୋଇ ଯୋଗୀ ରାଣାଙ୍କୁ ସଙ୍ଗେ ଧରି, ସେହି କର୍ମଚାରୀ ସହିତ ଚନ୍ଦ୍ରାବତୀଙ୍କ ନିକଟକୁ ଗଲେ ।

 

ସେତେବେଳେ ଚନ୍ଦ୍ରାବତୀ ଅଜିତ୍‌ଙ୍କୁ କୋଳରେ ଧରି ବସି, ପୂର୍ବ କଥାସବୁ ମନେ ପକାଇ ଶୋକାର୍ତ୍ତ ପ୍ରାଣରେ, ମଳିନ ମୁଖରେ ବାହୁନି ବାହୁନି କାନ୍ଦୁଥିଲେ । ଯୋଗୀ କୁଟୀର ମଧ୍ୟକୁ ଯାଇ ତାଙ୍କୁ ପ୍ରବୋଧ ଦେଲେ । ଚନ୍ଦ୍ରାବତୀ କିଞ୍ଚିତ୍ ଆଶ୍ୱସ୍ତ ହୋଇ ଶିଶୁକୁ ଧରି କୁଟୀର ବାହାରକୁ ଆସିବା ମାତ୍ରେ, ରାଜସିଂହ ଶୁଷ୍କ ମୁଖରେ ଅଜିତ୍‌ଙ୍କୁ କୋଳରେ ଧରି ଚୁମ୍ବନ କଲେ । ଭାଇଙ୍କୁ ସମକ୍ଷରେ ଦେଖି, ଚନ୍ଦ୍ରାବତୀଙ୍କ ହୃଦୟ ଗଭୀର ଆଶ୍ୱାସନା ଓ ଅଗାଧ ସନ୍ତୋଷରେ ଆର୍ଦ୍ର ହୋଇଗଲା । ନାନା ନିର୍ଯ୍ୟାତନା, ଉତ୍ପୀଡ଼ନ ଓ ମନୋବେଦନା ସତ୍ତ୍ୱେ, ଭଉଣୀଙ୍କୁ ଧର୍ମରତା ଥିବାର ଦେଖି ରାଣା ଅସୀମ ପରିତୋଷ ପ୍ରାପ୍ତ ହେଲେ ।

 

ଯୋଗୀ ଚନ୍ଦ୍ରାବତୀଙ୍କୁ କହିଲେ,–‘ମା, ରାଜସିଂହ ଏଇ ଦୁଇ ତିନି ଦିନ ମଧ୍ୟରେ ମୋଗଲ ସଙ୍ଗେ ଯୁଦ୍ଧ କରିବାକୁ ଯାଉଛନ୍ତି । ତାଙ୍କ ସହିତ ତୁମର ସୈନ୍ୟ ପଠାଅ ।’

 

ଚନ୍ଦ୍ରାବତୀ ବିନୟ ସହିତ ଯୋଗୀଙ୍କ ପ୍ରସ୍ତାବରେ ସମ୍ମତି ଜ୍ଞାପନ କଲେ ଏବଂ କମଳକୁମାରୀଙ୍କ ଉଦ୍ଧାର ନିମିତ୍ତ ରାଣା ବାଦ୍‌ସା ସଙ୍ଗେ ବିବାଦ କରିବାକୁ ଅଣ୍ଟା ଭିଡ଼ି ବାହାରିବାର ଦେଖି, ତାଙ୍କୁ ବହୁ ପ୍ରଶଂସା ଓ ଉତ୍ତେଜିତ କରିବାକୁ ଲାଗିଲେ ।

 

ରାଜସିଂହ ବିଦାୟ ଭିକ୍ଷା କରିବାରୁ, ଯୋଗୀ ଆଶିଷ ସହିତ ତାଙ୍କୁ ଆଦେଶ ଦେଲେ ଯେ, ସେ ଚନ୍ଦ୍ରାବତୀଙ୍କୁ ଯୋଧପୁରରେ ନେଇ ଛାଡ଼ି ଦେବେ । ପରେ ଚନ୍ଦ୍ରାବତୀଙ୍କୁ କହିଲେ,–‘ମା, ତୁମେ ଏଠାକୁ ଆସୁ ଆସୁ ଯଦି ଶତ୍ରୁ ଦୃଷ୍ଟିରେ ପଡ଼ିଥାନ୍ତ, ତାହା ହେଲେ କି ବିପଦ ଘଟି ନ ଥାନ୍ତା ! କେବେ ଆଉ ଏପରି ଦୁଃସାହସ କରିବ ନାହିଁ । ଅଜିତ୍‌କୁ ଏଠାରେ ଆଉ କିଛିଦିନ ରହିବାକୁ ହେବ–ତାହାର ଅବଶ୍ୟ କୌଣସି କଷ୍ଟ, ଅସୁବିଧା ହେବ ନାହିଁ । ଆଉ ବିଳମ୍ବ ନ କରି, ଭାଇଙ୍କ ସଙ୍ଗେ ଯୋଧପୁର ଯାଅ ।’

 

ଚନ୍ଦ୍ରାବତୀ ଅଜିତ୍‌ସିଂହଙ୍କୁ ଘନଘନ ଆଲିଙ୍ଗନ ଚୁମ୍ବନ କରିବା ପରେ, ତାଙ୍କୁ ପାର୍ଶ୍ୱସ୍ଥ ଭୀଲାଙ୍ଗନା ହାତରେ ଅର୍ପଣ କରି ଦେଲେ । ଶେଷରେ ସେ ଓ ରାଜସିଂହ ଯୋଗୀଙ୍କୁ ପ୍ରଣାମ କରି, ସେହି ରାଜକର୍ମଚାରୀ ସମଭିବ୍ୟାହାରରେ ଆବୁ ପାହାଡ଼ ତ୍ୟାଗ କଲେ ।

Image

 

ଊନତ୍ରିଂଶ ପରିଚ୍ଛେଦ

(ମୋଗଲ ଫୌଜ୍)

 

ରାଜପୁତ୍ ରାଜନ୍ୟବର୍ଗ ବିକ୍ରମସିଂହ ସୋଲାଙ୍କିଙ୍କ ନିକଟକୁ ଆହୁରି ସୈନ୍ୟ ପଠାଇ ନଥିବାର ଦେଖି, ରୂପନଗର ଆକ୍ରମଣ କରିବାର ଏହାହିଁ ଉପଯୁକ୍ତ ସମୟ ମନେ କରି, ସାଦତ୍ ଖାଁ ସେନା ପଠାଇବା ନିମିତ୍ତ ବାଦ୍‌ସାଙ୍କ ଠାକୁ ମୁହୁର୍ମୁହୁଃ ପତ୍ର ଲେଖିବାକୁ ଲାଗିଲେ । ଏଣେ ରାଜପୁତ୍‌ମାନଙ୍କର ଆକସ୍ମିକ ସମ୍ମିଳିତ ଆକ୍ରମଣର ଆଶଙ୍କା କରି, ସେ ଆବଶ୍ୟକୀୟ ଯୁଦ୍ଧାୟୋଜନ କରୁଥିଲେ ।

 

ଔରଂଜୀବ୍ ରାଣା ରାଜସିଂହଙ୍କ ବଳ ପରାକ୍ରମ, ଶୌର୍ଯ୍ୟ ବୀର୍ଯ୍ୟ ଉତ୍ତମରୂପେ ବୁଝିଥିଲେ; ଏଣୁ ରୂପନଗରକୁ ଅଳ୍ପ ସୈନ୍ୟ ପଠାଇଲେ ଜୟ ଲାଭହୋଇ ନ ପାରେ ଭାବି, ସେ ଦିଲ୍ଲୀର ସମସ୍ତ ଫୌଜ୍ ସଜ୍ଜିତ କରିବା ସ୍ଥିର କଲେ । ଯୁଦ୍ଧ ବିଷୟ ମନେ ପଡ଼ିବା ମାତ୍ରେ ସେ ଗର୍ବ ଓ କୋପରେ ବାତୁଳ ହୋଇ ବାରମ୍ବାର ତାଙ୍କର ବୀରକେଶ ସ୍ପର୍ଶ କରି ପକାଉଥିଲେ । ସାଦତ୍‌ଖାଁଙ୍କ ସମସ୍ତ ପତ୍ରରୁ, ସେ ତ୍ରସ୍ତ ହୋଇ ଓ ନିରୁତ୍ସାହିତ ଥିବାର ଠଉରାଇ ପାରି ବାଦ୍‌ସା ସ୍ଥିର କଲେ ଯେ, ପ୍ରଥମରେ କେତେକ ସେନା ପଠାଇ ପଛେ ପଛେ ସ୍ୱୟଂ ସମର-ଯାତ୍ରା କରିବେ । ଏହି ଅବସରରେ ସେ ସାଦତ୍‌ଖାଁଙ୍କ ନିକଟରୁ ଅନ୍ୟ ଏକ ପତ୍ର ପାଇ ବିଚଳିତ ହୋଇପଡ଼ିଲେ । ସ୍ପଷ୍ଟ ସନ୍ଦେହ କଲେ ଯେ, ଅବିଳମ୍ବେ ସେନା ନ ପଠାଇଲେ ତାଙ୍କ ପରାଭବ ସୁନିଶ୍ଚିତ ।

 

ସେହି ମୁହୂର୍ତ୍ତରେ ସେ ତାଙ୍କ ସୈନ୍ୟାଧ୍ୟକ୍ଷଗଣଙ୍କୁ ଡକାଇ କହିଲେ, ‘ଆଜି ସନ୍ଧ୍ୟା ନ ହେଉଣୁ, ଦିଲ୍ଲୀର ଅର୍ଦ୍ଧେକ ସୈନ୍ୟଧରି ରୂପନଗର ଯାତ୍ରା କରିବାକୁ ହେବ । ଜଲ୍‌ଦି ଯୋଗାଡ଼ କର-। ସାଦତ୍‌ଖାଁଙ୍କୁ ଜଣାଇବ, ମୁଁ ପଛେ ପଛେ ଆସୁଛି, ଆଉ ମୁଁ ସେଠାରେ ପହଞ୍ଚିବା ଯାଏଁ ଖୁବ୍ ହୁସିଆର୍ ହୋଇ ସେ ଫୌଜ୍ ରକ୍ଷା କରିବେ । ମନେ ରଖ, ରାଜପୁତ୍ ସୈନ୍ୟ ଆସିବା ମାତ୍ରେ ତୁମମାନଙ୍କୁ ନ ଡରି ନ ଥରି ଯୁଦ୍ଧ ଚଳାଇବାକୁ ହେବ । ଆମ ପକ୍ଷରହିଁ ଜୟ ହେବ । ଯାଅ ଏଥର-।’

 

ଆଲମ୍‌ଗୀର୍‌ଙ୍କର ଏହି ଆଦେଶ ସୈନିକମାନଙ୍କ ମଧ୍ୟରେ ଅତି ଶୀଘ୍ର ପ୍ରଚାରିତ ହୋଇଗଲା । ସମସ୍ତେ ଯୁଦ୍ଧ-ଯାତ୍ରା ନିମିତ୍ତ ପ୍ରସ୍ତୁତ ହେଲେ ।

 

ମହାଲ୍‌ରୁ ଇନ୍ଦିରା ଅଦୃଶ୍ୟ ହେବା ଦିନୁ, ଉଦିପୁରୀଙ୍କ ପ୍ରାଣରେ ସୁଖ ଶାନ୍ତି ନାହିଁ–ପ୍ରତିକ୍ଷଣ ସେ ଚିନ୍ତା କରି ବସି ରହିଲେ । ସମଗ୍ର ନଗରରେ ଯଥାସାଧ୍ୟ ଇନ୍ଦିରାଙ୍କ ସନ୍ଧାନ କରାଇ ଶେଷରେ ବିଫଳ-ପ୍ରୟାସ ହୋଇ ପଡ଼ିଲେ । ଉପକାର ପାଇଁ, ନିଜ ଜୀବନ ରକ୍ଷା ପାଇଁ ତାଙ୍କୁ କୌଣସି ପୁରସ୍କାର ଦେଇ ପାରି ନାହାନ୍ତି ବୋଲି ହୃଦୟରେ ଘୋର ବେଦନା ଅନୁଭବ କଲେ । କେବଳ ରୌଶନ୍ୱାରା ହିଁ ଇନ୍ଦିରାଙ୍କର ଅନିଷ୍ଟ କରିଛନ୍ତି ସ୍ଥିର କରି, ସେଥି ସମ୍ବନ୍ଧରେ ସମ୍ବାଦ ସଂଚୟ କରିବାକୁ ଲାଗିଲେ ।

 

ଶାହାଜାଦୀଙ୍କ ସେବକମାନଙ୍କ ପରି ମହିଷୀଙ୍କ ପରିଚାରକ ଦଳ ତେତେ କୁମନ୍ତ୍ରଣା-କୁଶଳ, ନିର୍ମ୍ମମ-ପ୍ରକୃତି ଓ ଅସାଧ୍ୟ-ସାଧନ-ତତ୍ପର ନଥିଲେ । ତାଙ୍କ ପ୍ରତି ସେମାନଙ୍କର ଅଧିକ ଭୟ ନଥିଲା । ମଶାବତ୍‌ର କିନ୍ତୁ ତାଙ୍କ ନିକଟରେ ବଡ଼ ଭୟ ଓ ବିଶ୍ୱାସ ଶାହାଜାଦୀଙ୍କ ଚାକର ଦଳ ବିରୁଦ୍ଧରେ ଏଭଳି ଜଣେ ସେବକ କଣ କରି ପାରିବ ?

 

ସେ ଦିନ ସୈନ୍ୟାଧ୍ୟକ୍ଷମାନଙ୍କୁ ଆଦେଶ ପ୍ରଦାନ କରିବା ପରେ, ବାଦ୍‌ସା ଉଦିପୁରୀଙ୍କୁ ଯୁଦ୍ଧଯାତ୍ରା ସମ୍ବାଦ ଶୁଣାଇବା ଉଦ୍ଦେଶ୍ୟରେ ତାଙ୍କ କକ୍ଷକୁ ଗଲେ । ସେତେବେଳେ ମହିଷୀ ଇନ୍ଦିରା-ଭାବନାରେ ଆଲୋଡ଼ିତ । ତାଙ୍କ ମୁଖ-ଲକ୍ଷଣରୁ, ଗାଢ଼ ଚିନ୍ତାଭାର ଓ ଶୋକାବେଗ ସ୍ପଷ୍ଟ ଲକ୍ଷ୍ୟ କରି ସମ୍ରାଟ୍ ପ୍ରଶ୍ନ କଲେ,–‘ପ୍ରିୟେ, ଫେରେ କି ଦୁଃଖ ଧରି ବସିଛ ?’

 

‘ଜାଁହାପନା ! ରୌଶନ୍ୱାରା ମୋ ଉପରୁ ତାର କୋପଦୃଷ୍ଟି ଆହୁରି ଘୁଞ୍ଚାଇ ନାହିଁ ।’

 

‘ପୁଣି କରିଛି କଣ ?’

 

‘ନୂଆ କିଛି କରି ନାହିଁ । ତେବେ କାଲି ରାତିଠୁଁ ଇନ୍ଦିରା ମହାଲ୍ ଭିତରେ ଦିଶୁ ନାହାନ୍ତି । ନଗର ତମାମ୍ ଖୋଜାଇଲି–ଦେଖା ଯାଉନାହାନ୍ତି ।’

 

‘ହେଲା, ସେ ତ ଭାରି ଚତୁର–ଫିଟି କେଉଁଆଡ଼େ ପଳାଇ ଥିବ । ଏଥିପାଇଁ ଚିନ୍ତା କରୁଛ କାହିଁକି ?’

 

‘ନଗର ମଧ୍ୟରେ, ବୋଧହୁଏ, କୌଣସି ସ୍ଥାନରେ ଥିବେ ।’

 

‘ପ୍ରତ୍ୟେକ ସ୍ଥାନ ଖୋଜାଇଲ ପରା ? ଥିବ କହୁଛ କଣ ? ଦିଲ୍ଲୀରେ ଏପରି କେଉଁ ଜାଗା ଅଛି, ଯେଉଁଠି ତୁମର ଜୁଲୁମ୍ ଚଳି ନ ପାରେ ?’

 

‘ଅଛି ଗୋଟିଏ ଜାଗା–ତା’ ଶୟତାନ-ମନ୍ଦିର ।’

 

‘ଶୟତାନ–ମନ୍ଦିର ! କଣ ସେ ?’

 

‘ରୌଶନ୍ୱାରା-ମହାଲ୍–ଯେଉଁଠିକି ତୁମର ବି ଯିବା ଅସାଧ୍ୟ । ଶକ୍ତି ଥିଲେ, ସେଇଠି ଥରେ ତଦାରଖ କରି ଦେଖ ।’

 

‘ପ୍ରିୟେ, ଇନ୍ଦିରା ଲାଗି ଏତେ ଘଣ୍ଟା ଚକଟା କରିବା କିଆଁ ? ଦରକାର ହେଲେ, ତା’ଠାରୁ ବଳି ଚତୁର ହିନ୍ଦୁ କନ୍ୟାମାନେ ଆସି ତୁମ ପାଦ ତଳେ ଖଟିବେ । ଏତେ ବ୍ୟସ୍ତ ହେଉଛ କାହିଁକି ? କଥାଟିଏ ଭାବି ଆସିଛି, ଅଲୋଡ଼ା ପ୍ରସଙ୍ଗ ସବୁ ଉଠାଇ ମୋତେ ଆଉ ତାହା କୁହାଇ ଦେବ ନାହିଁ, ଦେଖୁଛି । କମଳକୁମାରୀ ଉପରେ ପ୍ରତିହିଂସା ନେବାକୁ ଇଚ୍ଛା କରିଛ ପରା ! ତୁମ ଇଚ୍ଛା ପୂରଣ କରିବା ପାଇଁ କାଲି ରୂପନଗରକୁ ଯୁଦ୍ଧ-ଯାତ୍ରା କରି ଯାଉଛି । ସଙ୍ଗେ ଆସିବ ତ ?’

 

‘ତୁମେ ନିଜେ ଯିବ ? ଫୌଜ୍ ପଠାଇ ଦେଲେ ଚଳିବ ନାହିଁ !’

 

‘ନା, ତା’ ହେବ ନାହିଁ । ରାଜପୁତ୍ ସମସ୍ତେ ବିକ୍ରମସିଂହର ସାହାଯ୍ୟ କରିବାକୁ ବାହାରିଛନ୍ତି । ମୁଁ ନ ଗଲେ, ସବୁ ଉଲଟ ପାଲଟ ହୋଇଯିବ । ହେଲା–ତୁମେ ଆସୁଛି କି ନା କହଟୀ ।’

 

‘କହିବି ଆଉ କଣ ? ମୁଁ ବଞ୍ଚି ରହିବା ଯଦି ତୁମର ଅଭିପ୍ରେତ, ତାହାହେଲେ ମୋତେ ସଙ୍ଗେ ନିଅ ।’

 

‘ତୁମକୁ ଏଠାରେ ଛାଡ଼ି ଗଲେ କ୍ଷତି କଣ ?’

 

‘ଶୟତାନ ଯେ ଏଠାରେ ବୁଲଚାଲ କରୁଛି । କ୍ଷତି ପଚାରୁଛ ?’

 

‘ଏ ସବୁ ବାଜେ କଥା ! ତେବେ, କାଲି ଯିବା ପାଇଁ ସିଦ୍ଧ ହୁଅ ।’

 

‘ଦୁହେଁ ଏପରି କଥାବାର୍ତ୍ତା କରୁଥିବା ସମୟରେ, ମଶାବତ୍ ହଠାତ୍ ସେଠାକୁ ଯାଇ, ବାଦ୍‌ସାଙ୍କୁ କୁର୍ଣ୍ଣିସ୍ କରି ଜଣାଇଲା,–’ଖୋଦାବନ୍ଦ୍ ! ଫୌଜ୍ ଯାତ୍ରା ପାଇଁ ଠିକ୍ ହୋଇଗଲା ।’

 

‘ଆଚ୍ଛା । ଜଲ୍‌ଦି ଯାଇ ସେନାପତିମାନଙ୍କୁ ଜଣାଅ, କୋଡ଼ିଏ କ୍ରୋଶ ଭିତରେ କେଉଁଠି ନ ରହି, ଠାଏଁ ମାତ୍ର ବିଶ୍ରାମ ନେଇ ରୂପନଗର ଯିବାକୁ ହେବ ।’

 

ମଶାବତ୍‌କୁ ବିଦାୟ କରି, ସମ୍ରାଟ ଫୌଜ୍ ଦେଖିବା ଉଦ୍ଦେଶ୍ୟରେ ମହିଷୀଙ୍କ ସଙ୍ଗେ ଗୁମ୍ଭଜ ଉପରକୁ ଉଠିଲେ । ପ୍ରକାଣ୍ଡ ସୈନ୍ୟ ଦେଖିବା ମାତ୍ରେ, ଜୟ ଅବଶ୍ୟମ୍ଭାବୀ ମନେ କରି ଦୁହେଁ ସାତିଶୟ ତୁଷ୍ଟ ଓ ଆଶାନ୍ୱିତ ହୋଇଗଲେ । ଦେଖୁଁ ଦେଖୁଁ, ବିଶାଳ ଅଜଗର ସାପ ଭଳି ଚାଲି ବିରାଟ ମୋଗଲ ବାହିନୀ ଯାତ୍ରାରମ୍ଭ କଲେ । ସେ ଦିନ ମସ୍‌ଜିଦ୍‌କୁ ଯାଇ ନମାଜ୍ ପଢ଼ିବା ପାଇଁ ସମୟ ନ ହେବାରୁ, ବାଦ୍‌ସା ଗୁମ୍ବଜରେ ହିଁ କିଛି ସମୟ ରହି ପ୍ରାର୍ଥନାଦି ସମାପନ କଲେ । ପରେ ତଳକୁ ଓହ୍ଲାଇ ଦୁହେଁ ଯୁଦ୍ଧ-ପ୍ରୟାଣ-ଆୟୋଜନରେ ନିଜ ନିଜକୁ ନିୟୋଜିତ କଲେ ।

 

ପରଦିନ ଔରଂଜୀବ୍ ଦିଲ୍ଲୀର ଅବଶିଷ୍ଟ ସୈନ୍ୟ ଓ ମହିଷୀଙ୍କୁ ସଙ୍ଗେ ଧରି ରୂପନଗର ପ୍ରତି ପ୍ରୟାଣ ଆରମ୍ଭ କଲେ । ସର୍ବପ୍ରଥମେ ସଶସ୍ତ୍ର ପଥପରିଷ୍କାରକ ସୈନିକ ଦଳ ଦୀନ୍ ଦୀନ୍ ଶବ୍ଦ କରି ଧାବିତ । ସେମାନଙ୍କ ପଛେ ପଛେ ଗୋଲନ୍ଦାଜ ସେନା ଅଗ୍ରସର ହେଲେ । ସଙ୍ଗେ ସଙ୍ଗେ କାଳାନ୍ତକ ସଦୃଶ କମାଣଶ୍ରେଣୀ । ବିସ୍ତୃତ ମୁଖ-ଆଗ୍ନେୟାସ୍ତ୍ରବାହୀ ଶତ ଶତ ଶକଟର ଘଡ଼୍ ଘଡ଼୍ ଧ୍ୱନିରେ କର୍ଣ୍ଣ ବଧିର ଓ ହୃଦୟ କଂପିତ ହୋଇ ଯାଉଥିଲା । ଗୋଲନ୍ଦାଜସୈନ୍ୟ ପଶ୍ଚାତ୍, ହସ୍ତି-ପୃଷ୍ଠାରୂଢ଼ ଅକଳନା ଧନରତ୍ନ-ଗର୍ଭ ରାଜକୋଷାଗାର । ପରେ ବାଦ୍‌ସାହୀ ଦଫ୍‌ତର୍ ଖାନାବାହୀ ଉଷ୍ଟ୍ର-ଶ୍ରେଣୀ । ତା’ ପରେ ବିବିଧ ଭୋଜନ ସାମଗ୍ରୀ–ପକ୍ୱ ଅପକ୍ୱ ପ୍ରସ୍ତୁତ ଅପ୍ରସ୍ତୁତ ଭୋଜ୍ୟ, ପେୟ, ଚୋଷ୍ୟ ଓ ଲେହ୍ୟ ଏବଂ ଚାଉଳ, ଅଟା, ଘିଅ, ମଶଲା, ଶର୍କରା, ବିଭିନ୍ନ ପକ୍ଷୀ, ପଶୁ ଇତ୍ୟାଦି । ସଙ୍ଗେ ସଙ୍ଗେ ଶତଶତ ବାବୁର୍ଚ୍ଚି ଚାଲିଲେ । ଆହାର୍ଯ୍ୟ ପଛେ ପଛେ, ଉଷ୍ଟ୍ର ଉପରେ ଅଗ୍ନିପୂର୍ଣ୍ଣ ଅସଂଖ୍ୟ ଲୌହ-ପାତ୍ର–ତହିଁରେ ମୃଗନାଭି, ଗୁଗ୍‌ଗୁଳ, ଚନ୍ଦନ, ଧୂପଧୂନକାଦି ଗନ୍ଧ ଦ୍ରବ୍ୟ । ପରେ, ମଣିରତ୍ନ-ଶୋଭିତ, ସୁ-ଉଚ୍ଚ ବଳବାନ୍ ଘୋଟକ ପୃଷ୍ଠରେ ବାଦ୍‍ଶା–ତାଙ୍କ ମସ୍ତକ ଉପରେ ସମୁଜ୍ଜ୍ୱଳ ସୁନ୍ଦର ଶ୍ୱେତ ଛତ୍ର, ଦୁଇ ପାର୍ଶ୍ୱରେ ଶ୍ରେଣୀବଦ୍ଧ ଅଶ୍ୱାରୂଢ଼ ଖାସ୍ ରକ୍ଷି-ସେନା; ଠିକ୍ ପୃଷ୍ଠଭାଗରେ ତାଙ୍କର ବ୍ୟକ୍ତିଗତ ପରିଚାରକଦଳ ଚାଲିଲେ । ପଶ୍ଚାତ୍, ମଖମଲ୍ ହାଉଦାମଣ୍ଡିତ ଗଜପୃଷ୍ଠରେ ଲମ୍ବିତବେଣୀ, ରକ୍ତାଧରା, ହାସ୍ୟମୟୀ ଉଦିପୁରୀ । ତାଙ୍କ ପଛେ ଅଶ୍ୱାରୂଢ଼ା ଦାସୀବୃନ୍ଦ-। ସେମାନଙ୍କ ପଛରେ ଅଶ୍ୱାରୋହୀ ସୈନ୍ୟ । ଅସ୍ତାଚଳଶିଖରାବଲମ୍ବୀ ସୂର୍ଯ୍ୟ-କିରଣରେ ସେମାନଙ୍କ ଉର୍ଦ୍ଧ୍ୱୋତ୍‌ଥିତ ଉଜ୍ଜ୍ୱଳ ଖଡ୍‌ଗ ଓ ବର୍ଚ୍ଛା–ଫଳକ ସକଳ ଝଲ୍ ମଲ୍‌ ଝଟକୁଥିଲା-। ଅଶ୍ୱାରୋହୀଦଳ ପଶ୍ଚାତ୍ ପଦାତିସେନା । ସର୍ବଶେଷରେ ଅନ୍ୟାନ୍ୟ ସେବକ ସେବିକା, ବାଦକ ଗାୟକ, ଗାୟିକା ନର୍ତ୍ତକୀ, ମୋଟିଆ ପ୍ରଭୃତି ଏବଂ ଧାଡ଼ି ଧାଡ଼ି ତମ୍ବୁ ଓ ଅଶ୍ୱ । ବୋଧ ହେଲା, ବାଦ୍‌ସାହୀ ଫୌଜ୍ ଯେପରି ଉଦୟପୁର ଓ ରୂପନଗରକୁ ଏକ ସମୟରେ ଗ୍ରାସ କରିବା ଉଦ୍ଦେଶ୍ୟରେ ଚାଲିଛନ୍ତି । କେତେ ଦୂର ଅଗ୍ରସର ହେବାପରେ, ଜଣେ ଫକୀର ମୋଗଲ ସୈନ୍ୟ ସଙ୍ଗେ ମିଳିତ ହୋଇ, କାହା ସହିତ କଥାବାର୍ତ୍ତା ନ କରି ଧୀରେ ଧୀରେ ଚାଲିବାକୁ ଲାଗିଲା ।

Image

 

Unknown

ତ୍ରିଂଶ ପରିଚ୍ଛେଦ

(ଉଦୟପୁରରେ ରାଜପୁତ୍ ସେନା)

 

ରାଜସିଂହଙ୍କ ଆଦେଶରେ ତାଙ୍କ ଅଧୀନସ୍ଥ ସମସ୍ତ ସାମନ୍ତରାଜା ସସୈନ୍ୟ ଉଦୟପୁରରେ ସମବେତ ହେଲେ । ପହଞ୍ଚିବା ମାତ୍ରେ ରାଣା ସେମାନଙ୍କର ଯଥୋଚିତ ଆଦର ଅଭ୍ୟର୍ଥନା କରି ସେମାନଙ୍କୁ ଉପଯୁକ୍ତ ବାସସ୍ଥାନ, ଖାଦ୍ୟଦ୍ରବ୍ୟାଦି ଯୋଗାଇଲେ । ସମସ୍ତ ସୈନ୍ୟ ସକାଶେ ନଗର ମଧ୍ୟରେ ସ୍ଥାନାଭାବ ହେବାରୁ, କେତେକ ସେନା ଚତୁଃର୍ପାଶ୍ୱସ୍ଥ ବିସ୍ତୃତ ପ୍ରାନ୍ତରରେ ଶିବିର ସ୍ଥାପନ କରି ରହିଲେ । ଯେଉଁଆଡ଼େ ଅନାଇବ, ସେହି ସ୍ଥଳରେ ସୈନିକମାନଙ୍କର ଆନନ୍ଦ କୋଳାହଳ, ଉତ୍ସବ ଓ ଉଲ୍ଲାସର ଘମାଘୋଟ ଏବଂ ତୁରଙ୍ଗାରୂଢ଼ ସର୍ଦ୍ଦାରଗଣଙ୍କ ଘନ ଘନ ବିଚାରଣ-। ଉଦୟପୁରର ରାଜଦାଣ୍ଡ, ବାଟ, ଘାଟ, ସାହୀ ଗଳି, ସନ୍ଧି କନ୍ଦି, ଭିତର ବାହାର ସର୍ବତ୍ର ସୈନ୍ୟ ଜକାଜକି, ଜନ୍ତାଜନ୍ତି–ପିମ୍ପୁଡ଼ି ଚାଲିବା ପାଇଁ ବାଟ ନାହିଁ ଅଥବା ଛୁଞ୍ଚି ପଡ଼ିବା ପାଇଁ ସ୍ଥାନ ନାହିଁ-। ପ୍ରତ୍ୟେକ ସ୍ଥାନ ଅସ୍ତ୍ରଶସ୍ତ୍ରାଲୋକରେ ଆଲୋକିତ, ରଣ-ବାଦ୍ୟ ଓ ଚାରଣ-ଗୀତ ଧ୍ୱନିରେ ମୁଖରିତ-। ବିଭିନ୍ନ ରାଜାମାନଙ୍କ ସମାଗମରେ ଏବଂ ଅଗଣିତ ବୀର, ଯୋଦ୍ଧା ଓ ସୈନ୍ୟମାନଙ୍କ ଅବସ୍ଥାନରେ ଉଦୟପୁର ମହାଭାରତ-ସମର-ସମୟର ହସ୍ତିନାପୁର ତୁଲ୍ୟ ଶୋଭା ପାଉଥିଲା ଏବଂ ଦର୍ଶକ ମନରେ ଚମକ ଓ ଭୀତି ଜାଗରିତ କରି ଦେଉଥିଲା । ପ୍ରତ୍ୟହ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ଯାଏଁ ରାଜସିଂହ ଖୋଦ୍ ଚତୁର୍ଦ୍ଦିଗରେ ବୁଲି କିମ୍ବା ମନ୍ତ୍ରିଙ୍କୁ ପଠାଇ, ଉପସ୍ଥିତ ରାଜନ୍ୟବର୍ଗଙ୍କ ଯୋଗ୍ୟ ସମାଦର, ସୁଖ ସୁବିଧା କରାଯାଉଛି କି ନା ତାହା ପରୀକ୍ଷା କରି ଦେଖୁଥିଲେ ।

 

ନଗରୋପକଣ୍ଠରେ ସେନାଦଳ ସ୍ୱଚ୍ଛନ୍ଦ ବିହାର କରି ଅତିଶୟ ଆନନ୍ଦାନୁଭବ କରୁଥିଲେ-। ସହସ୍ରାଧିକ ସେନାନିବେଶ, ଲକ୍ଷାଧିକ ସୈନ୍ୟ, ଅଗଣନ ଗଜବାଜି, ଅସଂଖ୍ୟ କମାଣାଦି ଅସ୍ତ୍ରଶସ୍ତ୍ର ଚତୁର୍ଦ୍ଦିଗରେ ପ୍ରାୟ ଦଶ ମାଇଲ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥିବାରୁ, ସେହି ସ୍ଥାନ ସଦ୍ୟ-ନିର୍ମିତ ଗୋଟିଏ ମହାନଗରୀ ତୁଲ୍ୟ ଦୃଷ୍ଟ ହୋଇ ମନପ୍ରାଣ ରଞ୍ଜନ କରି ଦେଉଥିଲା । କେତେଜଣ ସିପାହୀ ଅଶ୍ୱପୃଷ୍ଠ ଚଢ଼ି ବିଳାସ ମୃଗୟାରେ ଆସକ୍ତ; କେତେ ଜଣ ତୀକ୍ଷ୍‌ଣ ତରବାରିହସ୍ତରେ ଏଣେତେଣେ ବିହାର କରି ନିଜ ନିଜର ଅସି ଚାଳନ-ନୈପୁଣ୍ୟ ପ୍ରଦର୍ଶନ, କେହି କେହି ବୃକ୍ଷ ଉପରେ ବସି ବଂଶୀ-ବାଦନ, କେହି କେହି ଛାଉଣୀ-ଦ୍ୱାରରେ ବସି ମୃଦୁ ମନ୍ଦ ମଳୟ ମାରୁତରେ ମଗ୍ନ ହୋଇ ଧୂମ-ପାନ, କେତେ ଜଣେ ଯୁଦ୍ଧ ନିମନ୍ତେ କମାଣ-ଗର୍ଭରେ ବାରୁଦ ପୂରଣ, କେତେଜଣ ବା ରବି-କର-ଦୀପ୍ତ ଅସ୍ତ୍ରଶସ୍ତ୍ର ସମୂହ ଅଧିକ ମାର୍ଜ୍ଜିତ, ଶାଣିତ କରିବାକୁ ଲାଗିଲେ । କେଉଁ ସ୍ଥାନରେ କୌତୁକ ମଲ୍ଲଯୁଦ୍ଧ, କେଉଁ ସ୍ଥାନରେ ପୁରାଣ–ପଠନ, ପୂର୍ବ-ଚରିତ-କଥନ, କେଉଁ ସ୍ଥାନରେ ବୀର-ଗାଥା-ଗାନ, କେଉଁ ସ୍ଥାନରେ ଅବା ହରିସଂକୀର୍ତ୍ତନ–ମୃଦଙ୍ଗ ଶବ୍ଦ ଓ କରତାଳି-ଧ୍ୱନି ଚାଲିଲା । ଉଦୟପୁରବାସୀଗଣ ଏହୀ କ୍ରୀଡ଼ାକୌତୁକ, ମଜାମଜଲିସ୍ ଓ ଆମୋଦ ପ୍ରମୋଦରେ ଯୋଗ ଦେଇ ଆନନ୍ଦ ସନ୍ତୋଷରେ ବିଭୋର ଏବଂ ଜାତୀୟ-ମମତାରେ ତନ୍ମୟ ହୋଇଗଲେ । ନଗରର ଯୁବତୀଗଣ ନିଜ ନିଜ ପ୍ରାସାଦରେ ଠିଆ ହୋଇ ସେମାନଙ୍କ ଫୁଲ୍ଲ-ଶତଦଳ-ବିନିନ୍ଦୀ ମୁଖପୁଞ୍ଜରେ ଗବାକ୍ଷ-ପଥ ଉଜ୍ଜ୍ୱଳ ଆଭାମୟ କରି ରାଜପୁତ୍-ବାହିନୀ ଉପରେ ପୁନଃ ପୁନଃ ସରଳ ସ୍ନିଗ୍‌ଧ ଚାରୁ ଚଟୁଳ ଦୃଷ୍ଟିପାତ କରିବାକୁ ଲାଗିଲେ ।

 

ଏହି ଅବସରରେ ପଣ୍ଡିତ କାଳୀକିଙ୍କର ଧୀରେ ଧୀରେ ସୈନିକ ଦଳ ମଧ୍ୟରେ ପ୍ରବିଷ୍ଟ ହୋଇ ଉଚ୍ଚ କଣ୍ଠରେ କହିବାକୁ ଲାଗିଲେ,–‘ଶୁଣ ସିପାହି ଭାଇମାନେ ! ମୁଁ ଜଣେ ଜ୍ୟୋତିଷୀ-ସାମୁଦ୍ରିକ ଭଲ ଜାଣେଁ । ଆସ ଫଳାଫଳ ଶୁଣାଇବି ।’

 

ପଣ୍ଡିତ କାଳୀକିଙ୍କର ଜ୍ୟୋତିଷ ପାରଦର୍ଶୀ-ଉଦୟପୁର ରାଜସଭାର ପ୍ରଧାନ ଜ୍ୟୋତିଷୀ-। ଉଦୟପୁର ରାଜ୍ୟବାସୀ ସମସ୍ତେ ପଣ୍ଡିତଙ୍କୁ ଅତ୍ୟନ୍ତ ଭକ୍ତି ଓ ବିଶ୍ୱାସ କରୁଥିଲେ-। ତାଙ୍କ ଜ୍ୟୋତିଷ-ଜ୍ଞାନ ଓ ଗ୍ରହ ଦଶାଫଳ–କଥନ-କୌଶଳରେ ସ୍ୱୟଂ ରାଣାଙ୍କର ଅସୀମ ଆସ୍ଥା-। ତାଙ୍କ ସହିତ ପରାମର୍ଶ ନ କରି ସେ କୌଣସି ଗୁରୁତର ଉଦ୍ୟମରେ ବ୍ରତୀ ହେଉ ନଥିଲେ ।

 

ପଣ୍ଡିତଙ୍କର ଡାକ ଶୁଣିବା ମାତ୍ରେ କେତେ ଜଣ ସୈନିକ, ଜଣକ ପରେ ଜଣେ ଆସି, ବୃତ୍ତାକାରରେ ତାଙ୍କୁ ଘେରି ଠିଆ ହୋଇଗଲେ । ସେ କାହାର ହାତଚକି ଓ କପାଳର ରେଖା ଦେଖି, କାହାର ନାମ ବା ରାଶି ନକ୍ଷତ୍ର ବୁଝି ଆୟୁଷ, ଧନ, ସନ୍ତାନ ପ୍ରଭୃତି ସମ୍ବନ୍ଧରେ ଭୂତ, ଭବିଷ୍ୟତ୍‌ର ଅନେକ କଥା ଶୁଣାଇଲେ ଏବଂ ରାଶିଚକ୍ର ଟାଣି କାହା କାହାର ଅବା ଭାଗ୍ୟ ଗଣନା କରି ବସିଲେ । ବିପଦବେଳେ କିମ୍ବା କୌଣସି ବିଶେଷ କାର୍ଯ୍ୟରେ ପ୍ରୟାସୀ ଥିବା ସମୟରେ ଅନେକେ ଅନେକ ସମୟରେ ଜ୍ୟୋତିଷିକୁ ଜନ୍ମ-ପତ୍ରିକା ଦେଖାଇ ଏବଂ ବିବିଧ ପ୍ରଶ୍ନ ପଚାରି ତାହା ମୁଖରୁ ନିଜ ନିଜର ଦଶା-ପରୀକ୍ଷା ଓ ଭାଗ୍ୟ-ଗଣନା ବୁଝିଥାନ୍ତି, ଗ୍ରହଫଳ ଶୁଣି ଆଶ୍ୱସ୍ତ କିମ୍ବା ଭୀତ ହୋଇଥା’ନ୍ତି । ତଥାକଥିତ ଉଚ୍ଚଶିକ୍ଷିତ ଓ ପାଶ୍ଚାତ୍ୟ-ଶିକ୍ଷା ପ୍ରାପ୍ତ ଲୋକଙ୍କ ମଧ୍ୟରୁ ଅନେକେ, ଲଜ୍ଜାଭୟରେ ଅଥବା ଉପହାସାଶଙ୍କାରେ ପ୍ରକାଶ୍ୟ ଭାବରେ ନ କରି, କେବେ କେବେ ଏହି ସମସ୍ତ କଥା ଗୁପ୍ତ ଭାବରେ କରି ନେଇଥା’ନ୍ତି ।

 

ଏତିକିବେଳେ ପାଠକମାନେ ଆମର ଭୀମଲାଲ ପଣ୍ଡିତଙ୍କୁ ଯେପରି ଭୁଲି ନ ଯା’ନ୍ତି । ଉଦୟପୁରରେ ପହଞ୍ଚିବାର ପର ଦିନ କାଳୀକିଙ୍କରଙ୍କ ସହିତ ଭୀମଲାଲଙ୍କର ପ୍ରଥମ ସାକ୍ଷାତ୍ ଓ ପରିଚୟ ହେଲା । ସେହି ଦିନଠାରୁ ଦୁହିଁଙ୍କ ସ୍ନେହ ବଢ଼ିବାକୁ ଲାଗିଲା । ଏକତ୍ର ଶାସ୍ତ୍ର-ବିଚାର, ପୁସ୍ତକ ପାଠ ଓ ଭ୍ରମଣ କରୁଥିଲେ ।

ଆଜି ପଣ୍ଡିତ କାଳୀକିଙ୍କରଙ୍କୁ ତାଙ୍କ ଗୃହରେ ଅଥବା ଉଦୟପୁର ନଗର ମଧ୍ୟରେ, କେଉଁଠାରେ ଖୋଜି ଦେଖି ନ ପାରି, ଭୀମଲାଲ ଅନୁମାନ କଲେ, ଜ୍ୟୋତିଷୀ ସୁଯୋଗ ପାଇ ସେନାଦଳ ମଧ୍ୟରେ ଯାଇ ପଶିଛନ୍ତି । ତାଙ୍କ ମନରେ ଏହି ଅନୁମାନ ଉଦିତ ହେବା ସଙ୍ଗେ ସଙ୍ଗେ, ସେ ନଗରର ବହିର୍ଭାଗକୁ ଯାଇ କ୍ରମେ ଜନତା ମଧ୍ୟରେ ପ୍ରବେଶ କଲେ । ପ୍ରଧାନ ଉଦ୍ଦେଶ୍ୟ, ଜ୍ୟୋତିଷିଙ୍କ ସଙ୍ଗେ ଦେଖା କରିବା । ସେ ସିପାହି-ଭିଡ଼ ଭିତରେ ପଶି କାହାକୁ ଠେଲି ପେଲି ଆଡ଼େଇ ଦେଇ ଚାଲିଲେ । ସେତେବେଳେ ତାଙ୍କୁ ଜଣେ ସୈନିକ ପଚାରିଲା,–‘ମହାଭାରତ-ଯୁଦ୍ଧ-ଭୂମିରେ ଭୀମ ଭଳି କିଏ ହେ ତୁମେ ସମସ୍ତଙ୍କୁ ଧକ୍‌କା ଦେଇ ଚାଲିଛ ?’

ପଣ୍ଡିତେ ହଠାତ୍ ଉତ୍ତର କଲେ,–‘ହାଁ, ମୋ ନାମ ବି ଭୀମ । ମୁଁ ଜଣେ ଶ୍ରେଷ୍ଠ ବ୍ରାହ୍ମଣ, ସକଳ ଶାସ୍ତ୍ରରେ ପଣ୍ଡିତ । ଦ୍ୱାପର ଭୀମ ପରି, କଷି ଭୋଜନ କରି ପାରେଁ । ସୈନିକଟି ହସି ହସି ତାଙ୍କୁ ବାଟ ଛାଡ଼ିଦେଲା । ପଣ୍ଡିତେ ଆସ୍ତେ ଆସ୍ତେ ଯାଇ ଜ୍ୟୋତିଷିଙ୍କ ପାଖରେ ପହଞ୍ଚିଲେ । କହିଲେ,–‘କି କାଳୀ ବାବୁ, ମୋତେ ଛାଡ଼ି ଦେଇ ବାହାରି ଆସିଲ ଯେ । ହେଲ–ଧନ ଆଗରେ ସ୍ନେହ କି ଛାର । ବୁଝିଲି ବୁଝିଲି, ନିନ୍ଦା କରିବା ଅଧର୍ମ ।’ କାଳୀକିଙ୍କର ସହାସ ମୁଖରେ ଭୀମଲାଲଙ୍କୁ ପାଖରେ ବସାଇଲେ ।

କାଳୀକିଙ୍କର ସିପାହିମାନଙ୍କୁ ଜ୍ୟୋତିଷ କହୁଥିବାର ଦେଖି, ଭୀମଲାଲ କହିଲେ,–‘କାଳୀବାବୁ, କେତେଜଣ ଏକ ପଂକ୍ତିରେ ବସିଥିବାବେଳେ, ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିବା ଭଲ-ଊଣା ଅଧିକ, ଅଳ୍ପ ବହୁତ ଆଦର ଦେଖାଇବା ଅନ୍ୟାୟ ।’

ଜ୍ୟୋତିଷୀ–କି, ହୋଇଛି କଣ ?

ଭୀମଲାଲ–ମୋତେ ବି ଜ୍ୟୋତିଷ କହୁ ନାହିଁ କିଆଁ ?

ଜ୍ୟୋତିଷୀ–ଆଚ୍ଛା, କହୁଛି ଶୁଣ ।

ସେ କିଛିକ୍ଷଣ ତୁନି ରହି ପରେ କହିଲେ,–‘ତୁମେ ବିଚାରିବା କଥା ଅବଶ୍ୟ ସିଦ୍ଧ ହେବ । ଯୁଦ୍ଧରେ ନିଶ୍ଚୟ ଜୟ ଲାଭ ହେବ ।’

ଭୀମ ଲାଲ ହସି ପକାଇ କହିଲେ,–‘ସାବାସ୍, ତୁମେ ତ ଖାସା ଜ୍ୟୋତିଷ ବତାଉଛ ! ମୋତେ ଗଛରୁ ଓହ୍ଲାଇ ଯୁଦ୍ଧ-ଭୂମିରେ ଠିଆ କରାଇ ଦେଲ !’

ଜ୍ୟୋତିଷୀ–ଗଛରୁ ଓହ୍ଲାଇ ଦେଲି ! ଏ କଣ ? କିଛି ବୁଝି ପାରୁନାହିଁ ।

ଭୀମ ଲାଲ–ମୁଁ ଏଠାକୁ ଆସିବାର ଦୁଇ ଦିନ ତଳେ ଘର ପଛଆଡ଼େ ଗଛଟିଏ ଲଗାଇଥିଲି । ସେଇ କଥା ବିଚାରୁ ଥିଲି । ତୁମେ ତ କହିଲଣି କ’ଣ ଯୁଦ୍ଧରେ ଜୟ ହେବା କଥା । ଭଲା ତେବେ କହଟୀ–ମୁଁ ଏଠାରୁ ବାହୁଡ଼ିବାବେଳକୁ ଗଛଟି କେତେ ବଢ଼ି ଯାଇଥିବ ।

ଜ୍ୟୋତିଷୀ ଅଳ୍ପ ଚିନ୍ତା କରି କହିଲେ,–‘ଭୀମ ବାବୁ, ତୁମେ ରୂପନଗରରେ ପହଞ୍ଚିବାବେଳକୁ ଗଛଟି ଡ଼ାଳ ପତ୍ର, ଫୁଲ ଫଳ ଧରି ଦଶ ହାତ ଉଚ୍ଚକୁ ଉଠିଥିବ ।’

ପଣ୍ଡିତେ ହୋ ହୋ ହସି କହିଲେ,–‘ଭାଇ, ତୁମର ଏ କଥା ଶୁଣିବାକ୍ଷଣି ମୋ ମନରେ ଆଉ ଗୋଟିଏ ପ୍ରଶ୍ନ ଅଣ୍ଟା ଭିଡ଼ି ଛିଡ଼ା ହେଲାଣି । ଆଚ୍ଛା, ତୁମେ ଜ୍ୟୋତିଷ ଅଭ୍ୟାସ କରିବାରୁ, ଜ୍ୟୋତିଷ-ଶାସ୍ତ୍ରର ମହତ୍ତ୍ୱ କେତେ ମହଣ ଊଣା ହୋଇଯାଇଛି, କହି ପାରିବ ?’

 

ଜ୍ୟୋତିଷୀ–ଯା–ତୁମକୁ ତ ପ୍ରଶ୍ନ ପ୍ରଚାରି ଆସେ ନାହିଁ ।

 

ଭୀମଲାଲ–ଆସେ ନାହିଁ ! ପିତଳ ଗୁଣାକୁ ନାକ ଟାଉଁ ଟାଉଁ ସୁନା ଗୁଣା ଥିଲେ କେତେ-। ଏତକୁ ତ ଏତେ, ଆଉ ହୋଇଥିଲେ କଣ ହୋଇ ନଥାନ୍ତା ସତେ ! ଏ ପ୍ରଶ୍ନର ଉତ୍ତର ଦେଲାବେଳକୁ ତ ଅଠର ଊଣସି–ଆହୁରି ଭଲ ପ୍ରଶ୍ନ ପଚାରିଲେ କରିବ କଣ ?

 

ଜ୍ୟୋତିଷୀ–କି, ମୋର କହିବାରେ କଣ ଭୁଲ ହୋଇଛି ?

 

ଭୀମ ଲାଲ–ଭୁଲ ? ଖାଲି ଭୁଲ ! ‘ଭୁଲ’ ପଦର ବିଶେଷଣ ଛାଡ଼ି ଦେଲ କିଆଁ ? ଏବେ କାହିଁକି, ମୋ ଚତୁର୍ଥ ନାତୁଣୀ ଜନ୍ମ ହେଲାବେଳକୁ ଗଛଟି ଦଶ ହାତ ବଢ଼ି ନ ଥିବ ଯେ ! ଆଜକୁ ପ୍ରାୟ ଦଶ ଦିନ ହେବ ଗାଁ ଛାଡ଼ି ଆସିଛି ।

 

ଜ୍ୟୋତିଷୀ–କି ଗଛ ଲଗାଇ ଆସିଛ ?

 

ଭୀମଲାଲ–ନଡ଼ିଆ ଗଛ ।

 

ଏହା ଶୁଣି ପାର୍ଶ୍ୱସ୍ଥ ସୈନିକମାନେ ଏପରି ହସି ଗଡ଼ିଲେ ଯେ, ନିଜ ନିଜ ପେଟ ଉପରେ ହାତ ନ ପକାଇ ଆଉ ରହି ପାରିଲେ ନାହିଁ । ସେମାନଙ୍କ ଦେହ ହାତ, ମୁହଁ ନାକ ଧୂଳି ସର ସର ନ ହୋଇ ରହିଲା ନାହିଁ । କାଳୀକିଙ୍କର ଲଜ୍ଜାରେ ଜଡ଼ ସଡ଼ ହୋଇଗଲେ ।

 

ଭୀମଲାଲ–ଭୟ ହେଉଛି, ଆମର ଏ ଯୁକ୍ତି ତର୍କ ବାଦାନୁବାଦରୁ ପ୍ରସଙ୍ଗ କ୍ରମେ ବିଧା ଚାପୁଡ଼ା, ହଣା ମରା ପର୍ଯ୍ୟନ୍ତ ଉଠି ବସିବ । ଯାହା ହେଉ ଜ୍ୟୋତିଷୀ ଭାଇ, ଦୁଃଖ କିଛି କର ନାହିଁ । ଆଚ୍ଛା କହ ତ, ଘରଠାରୁ କେତେ ଦୂରରେ ନଡ଼ିଆ ଗଛଟି ଲଗାଇ ଆସିଛି ।

 

ଜ୍ୟୋତିଷୀ–ନା ଭାଇ, ଆଉ କହି ପାରିବି ନାହିଁ ।

 

ଭୀମ ଲାଲ–ରାଣ ଅଛି କହ ।

 

ଜ୍ୟୋତିଷୀ–ଶୁଣ ତେବେ । ତୁମ ଘରକୁ ଲାଗି କରି ଅଛି ଗଛଟି ।

 

ଭୀମ ଲାଲ–ଭବିଷ୍ୟତ୍‌ରେ ତୁମଭଳି ଲୋକ ଜ୍ୟୋତିଷ-ବିଦ୍ୟା ଶିଖିବେ ବୋଲି ପରାଶର, ବରାହମିହିର, ଆର୍ଯ୍ୟଭଟ୍ଟ, ଜାଣିଥିଲେ, ବୋଧହୁଏ ଆଉ ଜ୍ୟୋତିଷ ଲେଖି ନଥାନ୍ତେ ।

 

ଜ୍ୟୋତିଷୀ–ଫେର୍ ଏ କି ସୁଆଙ୍ଗ ବାଢ଼ି ବସିଲେଣି ? ହେଲା କଣ ?

 

ଭୀମ ଲାଲ–ହେବ ଆଉ କଣ ? ସାତ ପୁରୁଷ ଠୁଁ ଆମ ଘର-ଅଗଣାରେ ବା ପଛଆଡ଼େ କେବେ ହେଲେ ନଡ଼ିଆ ଗଛ ଲାଗି ନାହିଁ–ମୁଁ ବି ଲଗାଇ ନାହିଁ ।

 

ଜ୍ୟୋତିଷୀ–ଘର ପଛ ଆଡ଼େ ଲଗାଇ ଆସିଛ ବୋଲି ଏବେ କହୁଥିଲ ! ପୁଣି ଏ କଣ କହୁଛ ?

 

ଭୀମ ଲାଲ–ବାଃ ରେ ବାଃ ! ପୃଥିବୀରେ ଆଉ କାହାର କଣ ଘର ନାହିଁ ? ରୂପନଗର ଗଡ଼ଟା ଯାକରେ ଅଛି କଣ ଏକମାତ୍ର ମୋ ଘରଟି ?

 

ସମସ୍ତଙ୍କ ଗୁରୁ ହାସ୍ୟ-ରୋଳ ମଧ୍ୟରେ କାଳୀକିଙ୍କର ଲଜ୍ଜାଆହତ ହୋଇ ମଥା ନତ କରି ଦେଇ କହିଲେ,–‘ଆଜି ସକାଳେ, ଶେଯରୁ ଉଠିଲାବେଳକୁ କା’ ମୁହଁ ଚାହିଁଥିଲି କେ ଜାଣି, ଏଠାରେ ବଡ଼ ପରାଭବ ପାଇଲ ଆଜି ।

 

ଭୀମ ଲାଲ–କାଲି ରାତି ତ ଏକୁଟିଆ ଶୋଇଥିଲ–ପାଖରେ ତ ଆଉ କିଏ ନ ଥିଲା । ଶେଯ ଆଗରେ ଦର୍ପଣ ହେରିକା ଠିଆ କରାଇ ପହୁଡ଼ କରି ଥିଲ କି ?

 

ସେଠା ବାୟୁମଣ୍ଡଳ ହାସ୍ୟୋଜ୍ଜ୍ୱଳ ହୋଇ ଉଠିଲା । ଦୁହେଁ ନଗରକୁ ଫେରିଲେ ।

 

ସକାଳ ସମୟ । ଅରୁଣ-ରଥର ଚୂଡ଼ାଟି ଦେଖା ଦେଇଛି ମାତ୍ର । ପବନର ଦେହ ଅଳ୍ପ ଆର୍ଦ୍ର ଥିଲେହେଁ, ତାହା କ୍ରମେ ଶୁଖିଆସୁଛି–ତାହା ଉପରେ ନୂତନ ଶିଶିର ଆଉ ପଡ଼ୁନାହିଁ । ଚନ୍ଦ୍ରଦେବ ମ୍ଲାନ, ପ୍ରଭାହୀନ ମୁଖ ଦେଖାଇ ଆକାଶରେ ବସିଛନ୍ତି ଏବଂ ତାଙ୍କ କ୍ଷୀଣାଲୋକରେ ପଦାର୍ଥର ଛାୟା ବର୍ତ୍ତମାନ ସୁଦ୍ଧ ପୂର୍ବାଭିମୁଖୀ ରହିଅଛି । ତେବେ ସେହି ଛାୟାରେ ପ୍ରକାଶୋନ୍ମୁଖ ପ୍ରଭାତର ପରିଶୁଭ୍ରତା ପଡ଼ିଥିବାରୁ ତାହା ଆସ୍ତେ ଆସ୍ତେ ଲୀନ ହୋଇଯାଉଛି । ପକ୍ଷୀ ଜାଗରିତ ହୋଇ ଗାନ ଶୁଣାଇବା ନିମିତ୍ତ ସ୍ୱର-ସଜ୍ଜା କରୁଛି । ପୁଷ୍ପ ପ୍ରସ୍ଫୁଟିତ ହୋଇ ରୂପ ଦେଖାଇବା ପାଇଁ ଅପେକ୍ଷା କରିଛି । ଉଷାଦେବୀ ଅନ୍ଧକାର–ଗର୍ଭରୁ ଉଠି ଜଗତ୍-ରଙ୍ଗମଞ୍ଚରେ ଅଭିନୟ ଦେଖାଇବା ସକାଶେ ଯେଉଁ ଟିକକ ବେଶଭୂଷା ଧରିଥିଲେ, ତାହା ଶେଷ ପ୍ରାୟ । ସୁପ୍ତ ପଥ ଘାଟ ଦୁଇ ଏକ ଜଣ ପଥିକଙ୍କ ପଦ-ଧ୍ୱନିରେ କ୍ରମଶଃ ସଚେତ ହୋଇଉଠୁଛି । ଏହି ସମୟରେ ରାଜସିଂହ ରାଜପ୍ରାସାଦ ଉପରେ ସୁଶୋଭିତ ସୁପ୍ରଶସ୍ତ ଏକ କକ୍ଷରେ ସମବେତ ସମସ୍ତ ସାମନ୍ତ ରାଜ ଓ ନିଜ ମନ୍ତ୍ରିମାନଙ୍କ ସଙ୍ଗେ ବସି ଯୁଦ୍ଧ ସମ୍ବନ୍ଧରେ ଆଲୋଚନା କରୁଥିଲେ ।

 

ଏହି ମନ୍ତ୍ରଣା ଚାଲିଥିବାବେଳେ ରାଣା ଗବାକ୍ଷ ବାଟେ ଅତି ଦୂରରେ ଦେଖିପାରିଲେ ଯେ, ଜଣେ ସର୍ଦ୍ଦାର ଉଦୟପୁର ଅଭିମୁଖରେ ବାୟୁବେଗରେ ଅଶ୍ୱ ଚଳାଉଛି । ରାଜାମାନଙ୍କ ସହିତ ପରାମର୍ଶ କରିବା ସଙ୍ଗେ ସଙ୍ଗେ ସେ ସେହି ଅଶ୍ୱାରୋହୀ ଉପରେ ଘନ ଘନ ଉତ୍ସକୁ ଦୃଷ୍ଟି ପକାଇବାକୁ ଲାଗିଲେ । ରାଜାମାନେ ମଧ୍ୟ ତାହା ଆଡ଼େ ଉତ୍କଣ୍ଠିତ ହୋଇ ଚାହିଁ ରହିଲେ । ଦେଖୁଁ ଦେଖୁଁ ସର୍ଦ୍ଦାରଟି ଉଦୟପୁର ଦୁର୍ଗରେ ପ୍ରବେଶ କଲା, ଏବଂ ରାଜପଥ ସବୁ ପାର ହୋଇ ରାଜ ମନ୍ଦିର ନିକଟରେ ଯାଇ ଉପସ୍ଥିତ ହେଲା । ସେଠାରୁ ଅଶ୍ୱପୃଷ୍ଠରୁ ଓହ୍ଲାଇ ରାଜପୁରୀ-ଦ୍ୱାରକୁ ଯାଇ ଦ୍ୱାରପାଳମାନଙ୍କୁ ପଚାରିଲା,–‘ରାଣୀ ଏବେ କେଉଁଠି ?’ ରାଣା ଉପରେ ଅଛନ୍ତି ବୋଲି କହି ସେମାନେ ତାହାକୁ ପ୍ରାସାଦ ଉପରକୁ ଯିବା ମାର୍ଗ ଚିହ୍ନାଇ ଦେଲେ । ସେ ଚଞ୍ଚଳ ଉପରକୁ ଉଠି, ମନ୍ତ୍ରଣା–ମନ୍ଦିରକୁ ଯାଇ ରାଜସିଂହଙ୍କୁ ପ୍ରଣାମ କରିବା ମାତ୍ରେ, ରାଣା ପ୍ରଶ୍ନ କଲେ,–‘ସମ୍ବାଦ କଣ, ସର୍ଦ୍ଦାର ?’

 

ସର୍ଦ୍ଦାର ବିନୀତ ଭାବରେ ଚଞ୍ଚଳ ସ୍ୱରରେ ଉତ୍ତର କଲା,–‘ମହାରାଜ ! ଦିଲ୍ଲୀର ବିଶେଷ କିଛିଖବର ଆଣିଛି । ବାଦ୍‌ସା ଗତ କାଲି ରୂପନଗରକୁ କେତେ ସେନା ପଠାଇଲା । ଆଶାନ୍ତା କାଲି ଦିଲ୍ଲୀର ବଳକା ସୈନ୍ୟ ସଙ୍ଗେ ଧରି ଆପେ ସେ ଯାତ୍ରା କରିବ । ଶୁଣିଲି, ଆଗେ ସେ ବିକ୍ରମକୁ ପରାସ୍ତ କରି ପରେ ଏଇ ଦୁର୍ଗକୁ ଆସିବ ?’

 

ରାଣା କିଛି କାଳ ଭାବିତ ରହିଲେ । ପରେ ରାଜା ଓ ମନ୍ତ୍ରିମାନଙ୍କ ସଙ୍ଗେ ପରାମର୍ଶ କରି ସ୍ଥିର କଲେ ଯେ, ମୋଗଲ ଫୌଜ୍ ଓ ସମ୍ରାଟ ରୂପନଗରରେ ପହଞ୍ଚିବା ପୂର୍ବେ, ସେ ମିଳିତ ରାଜପୁତ୍‍ସେନା ସହିତ ଯାଇ ସାଦତ୍ ଖାଁକୁ ହଟାଇ କମଳକୁମାରୀଙ୍କୁ ଉଦୟପୁରରେ ଆଣି ରଖିବା ପରେ ପୁଣି ଯାଇ ଶତ୍ରୁ ସଙ୍ଗେ ଯୁଦ୍ଧ କରିବେ । ଏପରି ନ ହେଲେ ରୂପନଗରର ଅଶେଷ କ୍ଷତି ହୋଇପାରେ ଭାବି, ସେ ଏହି ପ୍ରସ୍ତାବ ଉଠାଇଲେ । ଅନ୍ୟାନ୍ୟ ରାଜାମାନେ ତାଙ୍କ ପ୍ରସ୍ତାବରେ ବିଶେଷ ପରିତୃଷ୍ଟ ହେଲେ । ସେମାନଙ୍କ ପ୍ରାଣରେ ଜାତୀୟ ମମତା ସ୍ପନ୍ଦିତ, ଉଜ୍ଜୃମ୍ଭିତ ହୋଇ ଉଠିଲା । ରାଣା ପ୍ରତିଜ୍ଞା କରି ଜଳଦ–କଣ୍ଠରେ କହିଲେ,–‘ରୂପନଗର ଯାଇ ଶତ୍ରୁକୁ ପରାସ୍ତ ନ କରିବା ଯାଏ ଉଦୟପୁର-ମୁଖ ଚାହିଁବି ନାହିଁ-ଆଜି ମଧ୍ୟାହ୍ନ ଆଗରୁ ଆମର ସମସ୍ତ ସୈନ୍ୟ ଯୁଦ୍ଧଯାତ୍ରା ଆରମ୍ଭ ନ କରିବା ଯାଏଁ ଭୋଜନ କରିବି ନାହିଁ ।’

 

ପରେ ସେ ସେଠାକୁ ନିଜର ଏବଂ ଅନ୍ୟାନ୍ୟ ରାଜାମାନଙ୍କ ସୈନ୍ୟାଧ୍ୟକ୍ଷଗଣଙ୍କୁ ଡକାଇ ସମସ୍ତଙ୍କ ସମକ୍ଷରେ ଉତ୍ତେଜନା–ଉଦ୍‌ବେଳିତ ଉଚ୍ଚ ସ୍ୱରରେ କହିଲେ,–‘ଶୁଣ ରାଜନ୍ୟବର୍ଗ, ମନ୍ତ୍ରିଗଣ ଓ ସେନାପତିବୃନ୍ଦ ଶପଥ କରୁଛି, ରାଜସିଂହର ଧମନୀ–ଗତି ଯେତେବଳ ଯାଏଁ ନିରୁଦ୍ଧ ନ ହୋଇଛି, ସେହି ସମୟ ପର୍ଯ୍ୟନ୍ତ ଏ ବାହୁ, ଏ ଖଡ୍‌ଗ ରୂପନଗର–ସେବାରେ ନିଯୁକ୍ତ ରହିବ । ଯଦି ସମଗ୍ର ବିଶ୍ୱ ବିରୁଦ୍ଧରେ କମଳକୁମାରୀ ପାଇଁ ଏଇ ତରବାରି ଉଠାଇବାକୁ ହୁଏ, ରାଜସିଂହ ସେଥିରେ ବି କଦାପି ଭୀତ, ପଶ୍ଚାତ୍‍ପଦ ହେବ ନାହିଁ । ଏହି ଶପଥ ନ୍ୟାୟ ପାଇଁ, ଧର୍ମ୍ମ ପାଇଁ । ସକଳ ଦେଶରେ, ସକଳ ଜାତିରେ, ସମସ୍ତ ଯୁଗରେ ରମଣୀ ଶକ୍ତିରୂପେ ପୂଜିତା, ଦେବୀ ନାମରେ ଅଭିହିତା ଏଣୁ ପୁରୁଷର କର୍ତ୍ତବ୍ୟ ନାରୀ ସମ୍ମାନ ରକ୍ଷା କରିବା । ପାପୀ ଅନ୍ଧ ବାଦ୍‌ସା ଦେବୀ-ରୂପା ଶକ୍ତିସମା କୁମାରୀର ଧର୍ମ୍ମ, ମର୍ଯ୍ୟାଦା ନଷ୍ଟ କରିବାକୁ ବାହାରିଛି । ଯାଅ ଧାଇଁ ଦୀପ୍ତ ବହ୍ନି–ଶିଖାରେ ଚକ୍ଷୁ ରଞ୍ଜିତ କରି । ଚାଲ ଚଞ୍ଚଳ, କିଏ ଅଛ ମନୁଷ୍ୟ–କିଏ ଅଛ ରାଜସ୍ଥାନ–ଜନନୀର ସୁସନ୍ତାନ । ଯାଅ ବଜ୍ର ବେଗରେ, ବଜ୍ର ବଳରେ । ମାତି ଉଠୁ ହର୍ଷ–କଂପନରେ ଉତ୍ସାହ–ସ୍ପନ୍ଦନରେ ରାଜପୁତ୍‌ର ପ୍ରାଣ ହିନ୍ଦୁର ହୃଦୟ, କ୍ଷତ୍ରିୟର ବକ୍ଷ । ଥରି ଉଠୁ ତୁମମାନଙ୍କ ବିକ୍ରମରେ ମୋଗଲ-ସିଂହାସନ । ରକ୍ଷା ପାଉ ହିନ୍ଦୁ–ଉଦ୍ଧାର ପାଉ ହିନ୍ଦୁସ୍ଥାନର ଗୋ, ବ୍ରାହ୍ମଣ, ନାରୀ । ସଙ୍ଗେ ସଙ୍ଗେ ପ୍ରତିଷ୍ଠିତ ହେଉ ଜଗତରେ ସାମ୍ୟ–ଶାନ୍ତି–ଶୃଙ୍ଖଳା । ଏହା ଯଦି ହୋଇ ନ ପାରେ, ତାହା ହେଲେ ହେଉ ଏ ଯୁଦ୍ଧ ସଙ୍ଗେ ରାଜପୁତ୍‍ ଅସ୍ତିତ୍ୱର ଅବସ୍ଥାନ । ଘୃଣିତ ଜୀବନ ଅପେକ୍ଷା ଗୌରବମୟ ମରଣ ଭଲ । ତାହା ହେଲେ ଇତିହାସ ତା’ ବକ୍ଷରେ ସଗର୍ବେ ଧରିବ ତୁମମାନଙ୍କର ମହିମାପୂର୍ଣ୍ଣ କାହାଣୀ–ରାଜପୁତ୍‌ର ବୀରତ୍ୱ ଶୁଣି ପୃଥିବୀ ଢ଼ାଳି ଦେବ ଶ୍ରଦ୍ଧାର ପୁଷ୍ପାଞ୍ଜଳି । ଯାଅ ସେନାପତିଗଣ ! ହିନ୍ଦୁଭିନାଦରେ ସୈନ୍ୟ ମଧ୍ୟରେ ପ୍ରଚାର କର ଏ ଦରବାର କଥା–ଘୋଷଣା କର ଏ ରାଜପୁତ୍‌ଜନନୀର ମର୍ମଭେଦୀ ହୃଦୟ ବ୍ୟଥା । ସେମାନଙ୍କୁ ଉତ୍ସାହିତ, ଉତ୍ତେଜିତ କରି କହ, ଏ ଯୁଦ୍ଧ ନୁହେ କିନ୍ତୁ ପୂଜା; ଏଇ ପୂଜାର ସାମଗ୍ରୀ ଅର୍ଘ୍ୟ ନୁହେ କିନ୍ତୁ ଅସ୍ତ୍ର ଶସ୍ତ୍ର; ନୈବେଦ୍ୟ–ଜୀବନ । ଉଦୟପୁର–ରକ୍ଷା ପାଇଁ ଚାରି ହଜାର ସୈନ୍ୟମାତ୍ର ଏଠାରେ ରହି; ଅନ୍ୟାନ୍ୟ ସମସ୍ତ ସେନା ସର୍ଦ୍ଦାର ଓ ସେନାପତି ଆଜି ମଧ୍ୟାହ୍ନ ପୂର୍ବରୁହିଁ ଯାତ୍ରା କରନ୍ତୁ । ଆଜି ସନ୍ଧ୍ୟାବେଳେ ଏଠାରେ ଯେପରି ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଦେଖା ନ ଯାଏ ।’

 

ମନ୍ତ୍ରଣା–କକ୍ଷରେ ସହସା ଅପୂର୍ବ ଉତ୍ସାହ ଓ ଉତ୍ତେଜନାର ଗୋଟିଏ ଘନ ତଡ଼ିତ୍-ପ୍ରବାହ ଖେଳିଗଲା । ସେନାଦଳ ମଧ୍ୟରେ ରାଣାଙ୍କ ଆଦେଶ ବିଦ୍ୟୁତ୍ ବେଗରେ ପ୍ରଚାରିତ ହୋଇଗଲ । ସେହିକ୍ଷଣି ସମସ୍ତେ ସମରାଭିଯାନ ନିମନ୍ତେ ପ୍ରସ୍ତୁତ ହେଲେ ।

 

ସେ ଦିନ ମଧ୍ୟାହ୍ନରେ ରାଜସିଂହ ତାଙ୍କ କୁଳଦେବତା ଏକଲିଙ୍ଗ ମହାଦେବଙ୍କୁ ସ୍ମରଣ କରି ଯୁଦ୍ଧ-ଯାତ୍ରା ଆରମ୍ଭ କଲେ । ପ୍ରଥମରେ ରଣଦୁନ୍ଦୁଭି ଭୀଷଣ ଗର୍ଜ୍ଜନରେ ରାଣାଙ୍କ ଦିଗ୍‌ବିଜୟର ସୂଚନା ଦେଲା–ଯେପରି ଶତ ଶତ କେଶରୀ ସମ୍ମୁଖରେ ଗଜଯୂଥ ଦେଖି ଏକ ସମୟରେ ଭୀମନାଦ କରି ଉଠିଲେ । ରାଣା ମଣିରତ୍ନ-କିଙ୍କିଣୀ ମଣ୍ଡିତ ଉଚ୍ଚୈଃଶ୍ରବା ତୁଲ୍ୟ ସୁଦୃଶ୍ୟ ସୁଦୃଢ଼ ସୁଉଚ୍ଚ ଏକ ଘୋଟକ ଉପରେ ସଶସ୍ତ୍ର ଆରୂଢ଼ ହୋଇ ଅଶ୍ୱମାନଙ୍କ ହ୍ରେଷାରବ, ବାରଣପଲର ବୃହିଁତ ବିବିଧ ଢକ୍‌କାଶବ୍ଦ ରାଜପୁତ୍‌ମାନଙ୍କ ଜୟନାଦ, ପୁରାଙ୍ଗନାଗଣଙ୍କ ହୁଳହୁଳି, ଶଙ୍ଖ ନାଦ ଓ ବ୍ରାହ୍ମଣ ଦଳର ଆଶୀଷଧ୍ୱନି ମଧ୍ୟରେ ଉଦୟପୁର ତ୍ୟାଗ କଲେ । ପଶ୍ଚାତ୍, ରଙ୍ଗ-ମଖମଲ-ରଞ୍ଜିତ ସୁବର୍ଣ୍ଣ-ହାଉଦା-ଯୁକ୍ତ ଗଜପୃଷ୍ଠରେ ସାମନ୍ତ ରାଜାମାନେ, ଶାଣିତ ସୁ-ଉଜ୍ଜ୍ୱଳ ତରବାରି ହସ୍ତରେ ପଦାତିକ ସେନା ଏବଂ ଆୟୁଧ–ଭୂଷିତ ପାରସ୍ୟ-ଅଶ୍ୱାରୂଢ଼ ସର୍ଦ୍ଦାରଗଣ ଅଗ୍ରସର ହେଲେ । ସେତେବେଳେ ରାଜପୁତ୍‌ମାନଙ୍କ ପ୍ରଚଣ୍ଡ ଗତି ନିକଟରେ ରୌଦ୍ରର ପ୍ରଖରତା ପରାଭବ ପାଇଲା–ସେମାନଙ୍କ ହୃଦୟର ଦୁର୍ଦ୍ଧର୍ଷ ଦୀପ୍ତି ନିକଟରେ ଦୁଃସହ, ଉଗ୍ର ରବି-ରଶ୍ମିର ଉତ୍ତାର ଏକାବେଳକେ ପରାସ୍ତ ହେଲା । ଶ୍ରେଣୀ ପରେ ଶ୍ରେଣୀ ସେନାଦଳ, ଚାକର ବାକର, ବାହକ ବାଦକ, କେହି ବାହନରେ, କେହି ଯାନରେ, କେହି ପଦବ୍ରଜରେ ଅରଣ୍ୟ ପଥ କଂପିତ କରି ଚାଲିଲେ । ପ୍ରକାଶ ଥାଉ, ଆମ ଭୀମ ଲାଲ ପଣ୍ଡିତେ ମଧ୍ୟ ଗୋଟିଏ ପାଲିକୀରେ ବସି ସୈନ୍ୟ ସଙ୍ଗେ ସଙ୍ଗେ ବାହାରିଲେ ।

 

ନିଶାନ ଉଡ଼ିଲା, ବିଷାଣ ବାଜିଲା । ଅଶ୍ୱସମୂହର କ୍ଷୁର ଧ୍ୱନିରେ, ଅସ୍ତ୍ରଶସ୍ତ୍ରର-ଝନ୍ ଝନ୍ ନାଦରେ, ଯାନାଦିର ରୋଳରେ, ସୈନ୍ୟମାନଙ୍କ ଗଣ୍ଡଗୋଳରେ ଏବଂ ଅନ୍ୟାନ୍ୟ ସମସ୍ତଙ୍କ ଡାକହାକ ଓ କୋଳାହଳରେ ସେହି ଶବ୍ଦଶୂନ୍ୟ ସ୍ଥିର ବିଜନ ବନଭୂମି ପ୍ରତିଧ୍ୱନିତ ହୋଇଉଠିଲା । ସାତ ସମୁଦ୍ର ଏକ ହୋଇ ପ୍ରବାହିତ ହେବା ଭଳି ବିରାଟ ବିଶାଳ ରୋମହର୍ଷଣକର ରାଜପୁତ୍‌ବାହିନୀ ଅଗ୍ରସର ହେଲେ । ମଧ୍ୟାହ୍ନର ଚଣ୍ଡ କିରଣ ପ୍ରଥମରେ ଅସଂଖ୍ୟ ବର୍ଚ୍ଛାଫଳକରେ, ସମୁଜ୍ଜ୍ୱଳ ପତାକାଗ୍ରରେ ଏବଂ ବିଭିନ୍ନ ଦଣ୍ଡ ଚୂଡ଼ାରେ ପଡ଼ି ବଡ଼ ତୋରା, ଝକ୍‌ମକ୍ ଦିଶୁଥିଲା । କିନ୍ତୁ କ୍ରମେ ସୂର୍ଯ୍ୟ ଅସ୍ତଗିରି ତଳକୁ ଖସିବାରୁ, ବନର ମଧ୍ୟଭାଗ ଶତ ଶତ ବର୍ମ, ଚର୍ମ, ଉଷ୍ଣୀଷ ଓ ଅଶ୍ୱ ସଜ୍ଜାରେ ପ୍ରତିଫଳିତ ହୋଇ ଅଧିକତର ଆଭାଯୁକ୍ତ ହୋଇଉଠିଲା । ସେହି ଚିରନିଭୃତ ଅରଣ୍ୟରେ ଯେଉଁ ସମସ୍ତ ପଶୁ, ପକ୍ଷୀ, କୀଟ ଓ ପତଙ୍ଗ ନିର୍ଭୟ ଚିତ୍ତରେ ବାସ କରୁଥିଲେ, ସେମାନଙ୍କ ମଧ୍ୟରେ ମହା ଗୋଳଯୋଗ ସଂଘଟିତ ହେଲା । ସୈନ୍ୟ ଦେଖି ସେଠାର ବ୍ୟାଘ୍ର, ବରାହ, ଭଲ୍ଲୁକ ପ୍ରଭୃତି ବନଚର ବୀରମାନେ ସୁଦ୍ଧା ସଂତ୍ରସ୍ତ ହୋଇ ଦ୍ରୁତ ପଳାୟନ କଲେ–ହରିଣ, ଶଶା ଭଳି କ୍ଷୁଦ୍ର ଭୀରୁ ପଶୁମାନଙ୍କ କଥା ବା କ’ଣ କହିବୁଁ ? ଶବ୍ଦାଘାତରେ ବୃକ୍ଷ, ଲତା ଓ ଗୁଳ୍ମର ପତ୍ର ସବୁ ଥର ଥର ହୋଇଗଲା । ପକ୍ଷିମାନଙ୍କ ମଧ୍ୟରେ ଏହି ନବାରତ ମାନବ ଅତିଥିଗଣଙ୍କୁ ଅଭ୍ୟର୍ଥନା କରିବାର ପ୍ରୟାସ ଦେଖାଗଲା ନାହିଁ । କେତୋଟି ପକ୍ଷୀ ତୁନି ହୋଇ ପତ୍ର ଆଢ଼ୁଆଳରେ ଛପି ରହିଲେ, କେତୋଟି ଦୂରକୁ ଉଡ଼ି ପଳାଇଲେ, କେତୋଟି ବା ଭୟରେ ଚିତ୍କାର କରି ଉଠିଲେ । କିନ୍ତୁ ଅତି ସାହସୀ ପକ୍ଷିଗୁଡ଼ିକ ଏହି ଅନଧିକାର ପ୍ରବେଶକାରିମାନଙ୍କ ମଥା ଉପରେ ଦୁଇ ଏକ ଥର ଫର୍ ଫର୍ ଉଡ଼ି ପଦେ ଅଧେ କଡ଼ାକଥା ନ ଶୁଣାଇ ରହିଲେ ନାହିଁ । ବର୍ଷା-ବିପ୍ଲାବିତ ଭୟଙ୍କର ନଦୀ ଯେପରି ଗୁରୁ ଗର୍ଜ୍ଜନରେ ଗ୍ରାମ, ପ୍ରଦେଶ ଭସାଇ ଛୋଟ ବାଲୁକା-ମୟ ତଟକୁ ବୁଡ଼ାଇ ଦେବାକୁ ଧାଇଁଯାଏ, ସେହିପରି ଅଗଣନୀୟ ବିସ୍ମୟକର ଭୀତଜନକ ରାଜପୁତ୍ ସୈନ୍ୟ ଘୋର ଘଟାଟୋପରେ ମହାକୋଳାହଳରେ, ତୀବ୍ର ବେଗରେ ବନସ୍ଥଳୀ ମନ୍ଥିତ ଦଳିତ କରି ମୋଗଲମାନଙ୍କୁ ଧୂଳିସାତ୍ କରିବା ଉଦ୍ଦେଶ୍ୟରେ ରୂପନଗର ପ୍ରତି ଧାବିତ ହେଲେ ।

Image

 

ଏକତ୍ରିଂଶ ପରିଚ୍ଛେଦ

(ଭାଇ ଭଉଣୀଙ୍କ ମୁକ୍ତି)

 

ଫକୀର ଫାରକ୍‌ଷାଇର୍‌କୁ ନିଜ ମାୟା ଜାଲରେ ପକାଇ ଦେଇ ତାହା ମୁଖରୁ ରୌଶନ୍ୱାରା କର୍ତ୍ତୃକ ଇନ୍ଦିରା-ଅନିଷ୍ଟ ସାଧନ ବିଷୟ ସବୁ ବୁଝି ନେଲେ । ସେହି ରାତ୍ରି ଇନ୍ଦିରା ନଦୀରେ ପଡ଼ିବା ପୂର୍ବେ ତାଙ୍କୁ କିପରି ରକ୍ଷା କରି ପାରିବେ, ସେଥି ସମ୍ବନ୍ଧରେ ନାନାଉପାୟ ଚିନ୍ତା କରିବାକୁ ଲାଗିଲେ । ଅଧିକ କାଳ ବିଳମ୍ବ ନ କରି ଉପସ୍ଥିତ କାର୍ଯ୍ୟରେ ଯାଇ ଲାଗିବା ଉଦ୍ଦେଶ୍ୟରେ ସେ ଫାରକ୍‌ଷାଇର୍‌କୁ ବିଦାୟ କରି ମହାଲ୍ ଭିତରୁ ଡଗଡଗ ବାହୁଡ଼ିବାବେଳେ ବାଟରେ ଆଉ ଜଣେ ଫକୀରଙ୍କୁ ଭେଟିଲେ । ଏହି ଘଟନାରେ କେତେକ ଦିନ ଆଗରୁ ଅନ୍ୟ ଫକୀରଟି ପ୍ରତ୍ୟହ ବିଭିନ୍ନ ବେଶରେ ରଙ୍ଗମହାଲ୍‍ରେ ବୁଲି ଇନ୍ଦିରାଙ୍କୁ ସେଠାରୁ ଉଦ୍ଧାର କରିବା ନିମନ୍ତେ ଚେଷ୍ଟା କରୁଥିଲେ । ଦୁଇ ଫକୀରଙ୍କ ମଧ୍ୟରେ ଅନେକ ଥର ସାକ୍ଷାତ୍ ହୋଇଛି ସତ୍ୟ; କିନ୍ତୁ କଥାବାର୍ତ୍ତାର ସୁବିଧା କେବେ ଘଟି ନାହିଁ । ପୂର୍ବ ବର୍ଣ୍ଣିତ ଫକୀର୍ ନବାଗତ ଫକୀରଙ୍କୁ ପ୍ରଥମ କିଛି ଦିନ ଯାଏଁ ଜମାରୁ ଚିହ୍ନି ପାରିଲେ ନାହିଁ; ପରେ କିନ୍ତୁ କ୍ରମେ ବୁଝି ପାରିଲେ ଯେ, ସେ ତାଙ୍କର ପୂର୍ବପରିଚିତ, ଏବଂ ଇନ୍ଦିରା-ମୁକ୍ତି ପାଇଁ ସତତ ଉଦ୍ୟତ । ତାଙ୍କ ସହିତ ପରାମର୍ଶ କରି ସାହାଯ୍ୟ ଲୋଡ଼ିବା ସକାଶେ ସେ ସୁଯୋଗ ଅପେକ୍ଷା କରୁଥିଲେ–ଆଜି ଅକସ୍ମାତ୍ ମୁହା ମୁହିଁ ଦେଖି ପାରି ତାଙ୍କ ସଙ୍ଗେ ଗୁପ୍ତାଳାପ ଆରମ୍ଭ କଲେ ।

 

‘ସଲାମ୍, ସାହା ସାହେବ ! ଯାଉଛନ୍ତି କେଉଁଆଡ଼େ ?’

 

‘ଭିକ୍ଷା ପାଇଁ ଅନ୍ତଃପୁରକୁ ଯାଉଛୁ ।’

 

‘କେତେଦିନ ହେଲା ଫକୀର୍–ଦୀକ୍ଷା ଧରିଛନ୍ତି ?’

 

‘ସେଇ ପ୍ରସଙ୍ଗ ଏବେ ଏଠାରେ କାହିଁକି ?’

 

‘ଆପଣଙ୍କ ପୂର୍ବ ଚରିତ ସବୁ ମୁ ଜାଣେଁ । ଆପଣ ଛଦ୍ମବେଶରେ ଯେଉଁ କାମ ପାଇଁ ମହାଲ୍‌ରେ ଯା’ ଆସ କରୁଛନ୍ତି, ତାହା ବି ଜାଣେଁ । ଆପଣଙ୍କୁ ସାହାଯ୍ୟ କରିବା ମୋ ଉଦ୍ଦେଶ୍ୟ । ଏଣୁ କଥାଟା ଆଉ ଲୁଚାଇ ରଖିବା ଦରକାର ନାହିଁ ।’

 

ନବାଗତ ଫକୀର୍ ଅଳ୍ପ ଭୟ ପାଇ ତୁନି ରହିଲେ । ଏ କିନ୍ତୁ ଛାଡ଼ିବାର ପାତ୍ର ନୁହନ୍ତି କହିଲେ,–‘ସନ୍ଦେହ କରନ୍ତୁ ନା । ଆପଣ ନୟନପାଳ ନୁହନ୍ତି କି ?’

 

ନୟନପାଳ ବିସ୍ମୟରେ ଚମକି ପଡ଼ିଲେ ଏବଂ ସହକର୍ମୀଙ୍କ ହାତ ଧରି ପକାଇ ବିନୟ-ନମ୍ର ନିମ୍ନ ସ୍ୱରରେ କହିଲେ–‘ଆଜ୍ଞା, ମୋତେ ପଦାରେ ପକାଇ ଦିଅନ୍ତୁ ନା–ରକ୍ଷା କରନ୍ତୁ ।’

 

‘କିଛି ଭୟ ନାହିଁ । ଆପଣଙ୍କ ଅନିଷ୍ଟ କରିବା ମୋ ଅଭିପ୍ରେତ ନୁହେ । ଆପଣଙ୍କର ସହାୟ ହେବାକୁ ପ୍ରସ୍ତୁତ ମୁଁ–ଦମ୍ଭ ଧରନ୍ତୁ ।’

 

‘ଆପଣଙ୍କ ଘର କେଉଁଠି ଜାଣି ପାରିବି ?’

 

‘ଫକୀର୍‌ର ଘର କଣ ଗୋଟାଏ ସ୍ଥାନରେ ? ଗାଁ ଗାଁ ବୁଲି ବିପନ୍ନକୁ ସାହାଯ୍ୟ କରିବାହିଁ ତା’ର ଧର୍ମ । ଛାଡ଼ନ୍ତୁ ସେ କଥା । ଇନ୍ଦିରା ଏବେ ଉଦିପୁରୀ ପାଖରେ ନାହାନ୍ତି ।’

 

‘କଣ ! ଫିଟି ପଳାଇଛନ୍ତି ? ତାହା ହେଲେ ସୁଖୀ ହେଲି ମୁଁ ।’

 

‘କେଉଁଆଡ଼େ ପଳାଇ ନାହାନ୍ତି–ରୌଶନ୍ୱାରା ହାତରେ ଯାଇ ପଡ଼ିଛନ୍ତି ।’

 

‘ଉଦିପୁରୀର ସେବା ଛାଡ଼ି ଶାହାଜାଦୀର ସେବାରେ ଲାଗିଲେ ? ସେ ଦୁଷ୍ଟା କି ଆପଦ ପହଞ୍ଚାଇବେ କେ ଜାଣି !’

 

‘ନା, ନା, ରୌଶନ୍ୱାରା ତାଙ୍କ ହାତରେ କାମ୍‌ଦାମ୍ କିଛି କରାଉ ନାହିଁ ।’

 

‘ତେବେ, ପୋଷି ଆଦର କରି ରଖିଛି ?’

 

‘ହଁ, ରଖିଛି ଜଇଲ୍‌ରେ ।’

 

‘ଜଇଲ୍‌ରେ ! ଇନ୍ଦିରାଙ୍କର ତେବେ ସହାୟ ଏବେ କିଏ ?’

 

‘ଯମୁନା ନଦୀ ।’

 

‘ଫକୀର୍‌ଜୀ ! ରୌଶନ୍ୱାରା ଇନ୍ଦିରା ବିରୁଦ୍ଧରେ କି ଷଡ଼୍‌ଯନ୍ତ୍ର ଚଳାଇଛି, କହି ପାରିବେ ?’

 

‘ସେ ଆଜି ରାତି ଦୁଇ ପ୍ରହରବେଳେ ଇନ୍ଦିରାଙ୍କୁ ଯମୁନାରେ ଫିଙ୍ଗି ମାରି ଦେବାକୁ ସିଦ୍ଧ ହୋଇଛି । ଏଣୁ କଥାବାର୍ତ୍ତାରେ ଏପରି କାଳ ହରଣ କରିବା ଅନୁଚିତ । ଚଞ୍ଚଳ ଡ଼ଙ୍ଗାଟିଏ ଯୋଗାଡ଼ କରିବାକୁ ହେବ । ଆମ ଦୁହିଁଙ୍କୁ ଡଙ୍ଗାରେ ବସି ନଦୀରେ ରୌଶନ୍ୱାରା-ମହାଲ୍‍-ପାଖର ବୁରୁଜ ତଳକୁ ଯାଇ ଇନ୍ଦିରାଙ୍କ ପ୍ରାଣ ରଖିବାକୁ ହେବ । ଚାଲନ୍ତୁ ଶୀଘ୍ର ।’

 

‘ଡଙ୍ଗାଟିଏ ତ ! ଏଇକ୍ଷଣି ଯାଇ ଠିକ୍ କରୁଛି ।’

 

‘ତେବେ ଉଛୁର କିଆଁ, ଯାନ୍ତୁ ।’

 

ଦୁହେଁ ସେହି ମୁହୂର୍ତ୍ତରେ ହିଁ ସେଠାରୁ ନିଷ୍କ୍ରାନ୍ତ ହେଲେ । ଏହି ସମୟରେ ଦିବସର ଅନ୍ତିମ କିରଣ ଟିକକ ହଠାତ୍ ସନ୍ଧ୍ୟାବକ୍ଷରେ ଲଂଫ ଦେଲା । ପକ୍ଷିଗଣ ପକ୍ଷ ବିସ୍ତାର କରି ଗଗନ-ମାର୍ଗରେ ମଣ୍ଡଳାକାରରେ ଉଡ଼ି ନିଜ ନିଜ ନୀଡ଼ ପ୍ରତି ଧାବିତ ହେଲେ । ଦୁଷ୍ଟ, ଦୁଷ୍କର୍ମସାଧନୋଦ୍ୟତ ମାନବର ପ୍ରଧାନ ସହାୟ ରାତ୍ରି ଆସି ଦେଖା ଦେଲା । ଘୋର ଘନାନ୍ଧକାରର ଅତ୍ୟାଚାରରେ ପ୍ରକୃତିର ମାଧୁର୍ଯ୍ୟ, ସନ୍ଧ୍ୟା-ରାଗ ଓ ଆକାଶର ଘନଘଟା, ତାରକା କାନ୍ତି କେଉଁଆଡ଼େ ତିରୋହିତ ହୋଇଗଲା । ଦିଲ୍ଲୀର ସମ୍ରାଟ-ପୁରୀ ପାର୍ଶ୍ୱରେ ଗାଢ଼-ନୀଳ-ସଲିଳା ଯମୁନା ଭୀମ ଭୈରବ ଉତ୍ତାଳ ତରଙ୍ଗ-ଭଙ୍ଗ ସହ ଖର ବେଗରେ ଚାଲିଛି । ଶାହାଜାଦୀ-ମହାଲ୍‍ ନିକଟରେ ଥିବା ଗୁମ୍ବଜର ଠିକ୍ ନିମ୍ନରେ ପ୍ରାଚୀରକୁ ଲାଗି ନଦୀ ଅଧିକ ତୀବ୍ର ଗତିରେ, ଉଗ୍ର ଭାବରେ ପ୍ରବାହିତା । ଭୀଷଣ ଅନ୍ଧକାରରେ ଜଳ ସ୍ପଷ୍ଟ ଦେଖା ଯାଉ ନ ଥିବାରୁ ଯମୁନା ଦିବସ ଅପେକ୍ଷା ଅଧିକ ଭୟଙ୍କର ଓ ବିସ୍ମୟକର ବେଶରେ ଦେଖା ଯାଉଛି ।

 

ସେତେବେଳେ ରୌଶନ୍ୱାରା ଫାରକ୍‌ଷାଇର୍ ଭିନ୍ନ ଅନ୍ୟାନ୍ୟ ସେବକମାନଙ୍କୁ କୌଣସି କାର୍ଯ୍ୟ ବ୍ୟପଦେଶରେ ବିଭିନ୍ନ ସ୍ଥାନକୁ ପଠାଇ ଦେଲେ । ଦେଖୁ ଦେଖୁଁ ରାତ୍ରି ଦେଢ଼ ପ୍ରହରରେ ଆସି ପାଦ ଦେଲା । ଅଳ୍ପ କେତେ ଜଣଙ୍କ ବ୍ୟତୀତ ଦିଲ୍ଲୀରେ ସମସ୍ତେ ସୁଖ ନିଦ୍ରାରେ ନିଶ୍ଚଳ । ସେହି ସମୟରେ କେବଳ ଦୁଇ ଜଣ ଲୋକ ଏକ ନୌକାରେ ବସି ଯମୁନା-ଧାରରେ ତାହା ଧୀରେ ଧୀରେ ଚଳାଇ ଚାଲିଛନ୍ତି । ଦୁହେଁ ନୌ-ଚାଳନରେ ଶିକ୍ଷାନବିଶ, ଏଣୁ ପ୍ରାଣ–ଭୟରେ ଅଧୀର । ତଥାପି ସେମାନଙ୍କ ସାହସ ଭୟ ଅପେକ୍ଷା ଅଧିକ ବଳବାନ୍ ହୋଇ ଉଠିଲା । ଯମୁନାର ତୀକ୍ଷ୍‌ଣ ତରଙ୍ଗ ତାଡ଼ନାରେ ସେମାନଙ୍କ ନୌକାଟି ଥରକୁ ଥର ଥର ଥର ହେବାକୁ ଲାଗିଲା । ପ୍ରବାହ-ବେଗରେ ଡଙ୍ଗାଟି କୌଣସି ଗଣ୍ଡରେ ହାବୁଡ଼ି ଯାଇପାରେ, ଏହି ଆଶଙ୍କାରେ ଦୁହେଁ ଇଷ୍ଟଦେବତା ସ୍ମରଣ କରି, ସତର୍କ ହୋଇ କଷ୍ଟେ ମଷ୍ଟେ ଉଦ୍ଦାମ ସ୍ରୋତର ବକ୍ଷ ବିଦାରି ଚାଲିଲେ । ଶେଷରେ ନୌକାଟି ରୌଶନ୍ୱାରା-ମନ୍ଦିରର ଦକ୍ଷିଣ ପାର୍ଶ୍ୱସ୍ଥ ଗୁମ୍ବୁଜ ତଳେ ପ୍ରାଚୀର-ଦେହ ସ୍ପର୍ଶ କଲା, ଏବଂ ସେମାନେ ମହାଲ୍-କାନ୍ଥ ଓ ନଦୀଧାରର ଠିକ୍ ସନ୍ଧି ସ୍ଥଳରେ ତାହା ରଖି କିଛି ସମୟ ଅପେକ୍ଷା କରି ରହିଲେ ।

 

ଏହି ଅବସରରେ ସେମାନେ ବୁରୁଜ ଉପରେ ମନୁଷ୍ୟ-କଣ୍ଠ-ଧ୍ୱନି ଶୁଣି ପାରି ଉତ୍କର୍ଣ୍ଣ ହୋଇରହିଲେ । କିଟିକିଟିଆ ଅନ୍ଧାର–ତଳର ଲୋକେ ଉପର ଲୋକକୁ ଏବଂ ଉପର ଲୋକେ ତଳର ଲୋକକୁ ଦେଖି ପାରୁ ନ ଥିଲେ । ତଥାପି ଏ ଦୁହେଁ ଅନ୍ଧକାର ଭେଦ କରି ଉପରକୁ ଲକ୍ଷ୍ୟ କରି ରହିଲେ । ଏହି ସମୟରେ ଗମ୍ବୁଜ ଉପରୁ କୌଣସି ଗୋଟିଏ ପଦାର୍ଥ ଆସ୍ତେ ଆସ୍ତେ ତଳକୁ ଖସିବାର ଜଣା ଗଲା । ସେହି ଖସ୍ ଖସ୍ ଶବ୍ଦରେ ଦୁହେଁ ଖୁବ୍ ସାବଧାନ ହୋଇ ଧୀରେ ଧୀରେ କଥାବାର୍ତ୍ତା କରି ଡଙ୍ଗାଟି ପୂର୍ବ ପରି ପ୍ରାଚୀରକୁ ଲଗାଇ ରଖିଲେ । ଜିନିଷଟି କ୍ରମେ ତଳକୁ ଖସି ପଡ଼ି ନଦୀ-ଜଳ ସ୍ପର୍ଶ କଲା-ସେଥିରେ ଲାଗିଥିବା ଦଉଡ଼ିଟି ମଧ୍ୟ ପାଣିରେ ପଡ଼ିଲା । ସେହିକ୍ଷଣି ଦୁହେଁ ପଦାର୍ଥଟି ଧରି ଡଙ୍ଗାରେ ଭରତି କରି ଦେଇ ତାହା ଦରାଣ୍ଡି ବସିଲେ । ବୁଝିପାରିଲେ, ସେ କାଠ, ପଥର ବା ଅନ୍ୟ କୌଣସି ବସ୍ତୁ ନୁହେ–କିନ୍ତୁ ମନୁଷ୍ୟ ଜଣେ । ଲୋକଟି ମୂର୍ଚ୍ଛିତ–ଦେହରେ ଦୀର୍ଘ ପାଇଜାମା । ଦୁହେଁ ଅତି ଧୀର ସ୍ୱରରେ କାନରେ କୁହାକୁହି ହୋଇ ଚେତନାଶୂନ୍ୟ ଲୋକଟିର ଦେହରୁ ଓଦାଲୁଗା ସବୁ ବାହାର କରି ଦେଲେ, ଏବଂ ତାହାକୁ ଶୁଖିଲା ଲୁଗାଟିଏ ପିନ୍ଧାଇ ନୌକାର ଏକା କୋଣର ଶୁଆଇ ଦେଲେ । ତାହାର ଜୀବନ ଅଛି କି ନା ସନ୍ଦେହ ଜନ୍ମିବାରୁ, ସେମାନେ ତାହା ଛାତି ଉପରେ ହାତ ରଖି ଦେଖିଲେ, ଦକ୍ ଦକ୍ ଶବ୍ଦ ହେଉଛି ।

 

ପୁନର୍ବାର ଆଉ ଜଣେ ଲୋକ ବୁରୁଜ ଉପରୁ ଖସିବା ପରି ଦେଖାଗଲା । ସେ ନଦୀର ନ ପଡ଼ୁଣୁ ହାତ ବଢ଼ାଇ ତାହାକୁ ଧରିବାପାଇଁ ଏହି ଦୁଇ ଜଣ ପ୍ରସ୍ତୁତ ଥିଲେ । ବଦ୍ଧ ଲୋକଟି କ୍ରମେ ସେମାନଙ୍କର ନିକଟବର୍ତ୍ତୀ ହେବା ମାତ୍ରେ ଚଟ୍‌ପଟ୍ ତାହାକୁ ଧରି ପକାଇଲେ । ଦ୍ୱିତୀୟ ଲୋକଟି ଜଣେ ସ୍ତ୍ରୀ ବୋଲି ଜାଣିବାକୁ ସେମାନଙ୍କର ଆଉ ବାକି ରହିଲା ନାହିଁ । ସେମାନେ ଆଶ୍ୱସ୍ତ ଆନନ୍ଦିତ ହୋଇ ତାହାର ନାଡ଼ୀ ପରୀକ୍ଷା କରି ଦେଖିଲେ ଯେ, ସେ ବି ସଂଜ୍ଞାହୀନ । ତାହାକୁ ନୌକାରୁ ଅନ୍ୟ ଏକ କୋଣରେ ଯତ୍ନରେ ଶୁଆଇ ଦେଇ, ସେମାନେ ପୁଣି ଊର୍ଦ୍ଧ୍ୱକୁ ଚାହିଁ କିଛି କାଳ ଠିଆ ହେଲେ । କିନ୍ତୁ ଆଉ କେହି ତଳକୁ ଖସିଲା ନାହିଁ–ଗୁମ୍ବଜ ଉପରେ କଥାବାର୍ତ୍ତା-ଧ୍ୱନି ଆଉ ଶୁଭିଲା ନାହିଁ । ଅତଏବ ଦୁହେଁ ସେଠାରୁ ନୌକା ଫେରାଇଲେ ।

 

ଜଣେ ମନ୍ଥର ଗତିରେ ଡଙ୍ଗା ଚଳାଇଲା–ଅପର ବ୍ୟକ୍ତିଟି ମୂର୍ଚ୍ଛାପ୍ରାପ୍ତ ପୁରୁଷ ଓ ସ୍ତ୍ରୀଙ୍କ ପରିଚର୍ଯ୍ୟାରେ ଲାଗିଲା । କିଛି ଦୂର ଅଗ୍ରସର ହେବା ପରେ ଦୁହେଁ ନିକଟରେ ଥିବା ଝକମକି ପଥର ସାହାଯ୍ୟରେ ଆଲୋକ ବାହାର କରି ସ୍ପଷ୍ଟ ପରୀକ୍ଷା କରି ଦେଖିଲେ, ମୂର୍ଚ୍ଛିତ ଲୋକ ଦୁଇଜଣ ଦୁର୍ଗାଦାସ ଓ ଇନ୍ଦିରା ବ୍ୟତୀତ ଆଉ କେହି ନୁହନ୍ତି । ସେମାନଙ୍କ ପ୍ରୟାସ ଆଶାତିରିକ୍ତ ଫଳ ପ୍ରସବ କରିଥିବାରୁ, ଦୁହେଁ ଅପୂର୍ବ ସନ୍ତୋଷରେ ବିହ୍ୱଳ ହୋଇ ଗଲେ । କୁଳପ୍ଲାବିନୀ ଚଣ୍ଡସ୍ରୋତା ଯମୁନା ଯେପରି ଲହରୀ–ନାଦ ବ୍ୟାଜରେ ସେମାନଙ୍କୁ ଧନ୍ୟବାଦ ପ୍ରଦାନ କଲା ।

 

ନୌକାବାହକ ଦୁଇ ଜଣ ଯେ ଫକୀର୍ ଓ ନୟନପାଳ, ଏହା ପାଠକମାନେ ଜାଣନ୍ତି । ଫକୀର୍ ଭାଇ ଭଉଣୀଙ୍କ ସେବା ଶୁଶ୍ରୂଷାରେ ଏବଂ ନୟନପାଳ ନୌଚାଳନରେ ବରାବର ନିଯୁକ୍ତ ରହିଲେ । ଏହି ଅବସ୍ଥାରେ ଆଉ କିଛି ଦୂର ଯିବା ପରେ ଫକୀର୍ ନୟନପାଳଙ୍କୁ କହିଲେ––

 

‘ଭାଇ, ଦିଲ୍ଲୀ ଟପି ବହୁ ଦୂର ବାହାରି ଆସିଲେଇଁ । ମୋତେ ଆହୁରି ଅନେକ ଗୁରୁତର କାମ କରିବାକୁ ହେବ । ଏଣୁ ଏଠାରେ ଆଉ ରହିପାରୁ ନାହିଁ । ଡଙ୍ଗାଟି କୂଳରେ ନେଇ ଲଗାଅନ୍ତୁ । ଏଇ ପାଖରେ ଗ୍ରାମଟିଏ ଅଛି–ଏ ଦୁହିଁଙ୍କୁ ସେଠାରେ ନେଇ ରଖନ୍ତୁ । ରାତି ପାହି ଆସିଲାଣି । ଏଠାରେ ମୁଁ ଆଉ ଅଧିକ ସମୟ ରହି ପାରିବି ନାହିଁ ।’

 

ନୟନପାଳ କହିଲେ–‘ଆଶାନ୍ତୁ ତେବେ । ଆପଣଙ୍କର ଏହି ଉପକାର କେବେ ଭୁଲିବାର ନୁହେ । ଆପଣଙ୍କ ଆଜ୍ଞାନୁସାରେ ଏ ଦୁହିଁଙ୍କୁ ପଲ୍ଲୀରେ ନେଇ ଯତ୍ନରେ ରଖିବି ।’

 

ଏହା କହି ସେ ନୌକାଟି ନଦୀତଟରେ ନେଇ ଲଗାଇ ଦେଲେ । ଦୁହେଁ ଡଙ୍ଗାରୁ ଓହ୍ଲାଇ ମୂର୍ଚ୍ଛିତ ଦୁର୍ଗାଦାସ ଓ ଇନ୍ଦିରାଙ୍କୁ ଭୂମି ଉପରେ ନେଇ ଯତ୍ନ ସହିତ ଶୁଆଇ ଦେଲେ । ପରେ ଫକୀର୍ ସେଠାରୁ କେଉଁଆଡ଼େ ଚାଲିଗଲେ । ସେଠାରେ ନୟନପାଳଙ୍କ ବିଶେଷ ଯତ୍ନରେ ଦୁର୍ଗାଦାସ ଓ ଇନ୍ଦିରାଙ୍କ ମୂର୍ଚ୍ଛାଭଙ୍ଗ ହେଲା । ଭାଇ ଭଉଣୀ ଦୁହେଁ ସମ୍ମୁଖରେ ଫକୀର୍ ବେଶଧାରୀ ଜଣେ ବ୍ୟକ୍ତିକୁ ଦେଖିବାମାତ୍ରେ ବିସ୍ମିତ, ବ୍ୟଗ୍ର ଓ ବିଚଳିତ ହୋଇ ପଡ଼ିଲେ ।

 

ନୟନପାଳ କହିଲେ–‘କିଛି ଭୟ ବା ସନ୍ଦେହ କର ନାହିଁ । ରୌଶନ୍ୱାରା ହାତରୁ ତୁମ ତୁହିଁଙ୍କୁ ମୁଁ ରକ୍ଷା କରିଛି ।’

 

ଦୁର୍ଗା ଦାସ–ସାହା ସାହେବ୍ ! ଆମ ଜୀବନ-ରକ୍ଷକଙ୍କ ପରିଚୟ ପାଇ ପାରିବି ତ ?

 

ନୟନପାଳ–ମୁଁ ଆଗେ ତୁମ ଦୁହିଁଙ୍କର ଶତ୍ରୁ ଥିଲି, ବର୍ତ୍ତମାନ କିନ୍ତୁ ବନ୍ଧୁ । ଏହା ଅପେକ୍ଷା ଅଧିକ ପରିଚୟ ଦେବା ବୋଧହୁଏ ଅନାବଶ୍ୟକ ।

 

ଦୁର୍ଗାଦାସ–ଆମେମାନେ ନୟନପାଳ ଛଡ଼ା ଆଉ କାହାରିକୁ ତ ଶତ୍ରୁ ବୋଲି ମାନୁ ନାହୁଁ-। ତେବେ ସେ ଯେ ଏତେ ଶୀଘ୍ର ଆମର ବନ୍ଧୁ ହୋଇ ପାରିବେ, ଏହା କାହିଁକି କେଜାଣି ବିଶ୍ୱାସ ହେଉ ନାହିଁ ।

 

ନୟନପାଳ–ଅବିଶ୍ୱାସ କର ନାହିଁ, ଦୁର୍ଗାଦାସ ! ଅନ୍ଧକାରରେ ମୋତେ ଚିହ୍ନି ପାରି ନାହଁ-। ତୁମମାନଙ୍କର ଯେ ଅନିଷ୍ଟ କରିଥିଲା, ସେହି ନୟନପାଳହିଁ ମୁଁ । ମୋ ପୂର୍ବକୃତ ବିଶ୍ୱାସଘାତକତା, ଅତ୍ୟାଚାର ପାଇଁ ଯଥେଷ୍ଟ ଅନୁତାପ କରିଛି–ଭ୍ରମ ବୁଝିପାରିଛି ।

 

ପରେ ନୟନପାଳ, ନିଜେ ଦିଲ୍ଲୀ-ମହାଲ୍‌ରେ କାରାରୁଦ୍ଧ ହେବା ମୁହୂର୍ତ୍ତଠାରୁ ଫକୀର୍ ନଦୀତଟରେ ନୌକାରୁ ଅବତରଣ କରି ସେଠାରୁ ବାହାରିଯିବା ସମୟ ପର୍ଯ୍ୟନ୍ତ ଯାହା ଯାହା ଘଟିଥିଲା ସବୁ ବିଶଦ ଭାବରେ ବର୍ଣ୍ଣନ କଲେ । ତାଙ୍କ କଥାରେ ଦୁର୍ଗାଦାସ ଓ ଇନ୍ଦିରାଙ୍କର ପୂର୍ଣ୍ଣ ପ୍ରତ୍ୟୟ ଜନ୍ମିଲା ଏବଂ ଦୁହେଁ ପ୍ରୀତ ହୋଇ ତାଙ୍କ ନିକଟରେ କୃତଜ୍ଞତା ଜଣାଇଲେ । ସଙ୍ଗେ ସଙ୍ଗେ ନୟନପାଳଙ୍କ ସ୍ୱଭାବ ଓ କାର୍ଯ୍ୟକଳାପରେ ଅଦ୍‌ଭୁତ ପରିବର୍ତ୍ତନ ଲକ୍ଷ୍ୟ କରି ସାତିଶୟ ମୁଗ୍‌ଧ ଓ ଚକିତ ହୋଇଗଲେ । ଇନ୍ଦିରା ବିଷର୍ଣ୍ଣ ମୁଖରେ କହିଲେ,–‘ସବୁ ହେଲା; କିନ୍ତୁ ସେ ଫକୀର୍ କିଏ ଏବଂ ଦର୍ଶନ ନ ଦେଇ କେଉଁଆଡ଼େ ବାହାରିଗଲେ, ଏହା ଜଣାଗଲା ନାହିଁ । ମନରେ ଏତିକି ମାତ୍ର ଦୁଃଖ ରହିଗଲା ।’

 

ନୟନପାଳ କହିଲେ,–‘ମୋତେ ବି ତାଙ୍କ ପରିଚୟ ଦେଇ ନାହାନ୍ତି ମା । ବାସ୍ତବିକ, ଈଶ୍ୱରଙ୍କ ଭଳି ଲୋକ ଜଣେ ସେ । ହେଲା ଥାଉ ସେ କଥା । ଦୁର୍ଗାଦାସ ! ଆଗେ ତୁମ ଦୁହିଁଙ୍କ ପ୍ରତି ଦ୍ରୋହ ଦେଖାଇ ବଡ଼ ପାପ କରିଛି ମୁଁ । ଏଣୁ ମୋର ବଞ୍ଚି ରହିବା ଉଚିତ ନୁହେ–ଅନୁମତି ଦିଅ, ନଦୀରେ ଡେଇଁ ଜୀବନ ଶେଷ କରିବି ।’

 

ଦୁର୍ଗାଦାସ–ଆଉ ବ୍ୟକ୍ତ ହୁଅ ନାହିଁ, ବନ୍ଧୋ ! ମନୁଷ୍ୟର ଇଷ୍ଟ କିମ୍ବା ଅନିଷ୍ଟ କେବଳ ଭଗବାନଙ୍କ ଇଚ୍ଛାରେ ହିଁ ହୋଇଥାଏ । ଅନୁତାପ ଆଉ କର ନାହିଁ–ଗତ କଥା ସବୁ ପାଶୋରି ଦିଅ-। ରାତ୍ରି ପ୍ରାୟ ସରିଛି । ଚାଲ ଏବେ, ଅଚଳେଶ୍ୱର ମନ୍ଦିରକୁ ଯାଇ ବୈକୁଣ୍ଠ ଯୋଗୀଙ୍କୁ ଦର୍ଶନ କରିବା, ଅଜିତ୍ ସିଂହଙ୍କର ହାଲ ଚାଲ ବୁଝିବା । ପରେ ଅନ୍ୟାନ୍ୟ ବିଷୟ ।

 

ନୟନପାଳ ଦୁର୍ଗାଦାସଙ୍କ କଥାରେ ଆଶ୍ୱସ୍ତ ଓ ପ୍ରସ୍ତାବରେ ସମ୍ମତ ହେଲେ । ତାଙ୍କ ପରାମର୍ଶାନୁସାରେ ତିନିଜଣ ନିକଟସ୍ଥ ପଲ୍ଲିରେ ସେ ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ବିଶ୍ରାମ ନେଇ, ପରେ ଆବୁପାହାଡ଼-ଆରୋହଣ ଆରମ୍ଭ କଲେ । ନୟନପାଳ ତାଙ୍କର ଫକୀର୍-ବେଶ ତ୍ୟାଗ କଲେ । ପାଠକବୃନ୍ଦ ! ସେମାନେ ଦିଲ୍ଲୀରୁ ଯମୁନା ଉପରେ ଯେଉଁ ନୌକା ଚଢ଼ି ଆସିଥିଲେ, ତାହାର ଦଶା ଯେ କଣ ହେଲା, ଆପଣମାନେ ନିଜେ ନିଜେ ଠିକ୍ କରନ୍ତୁ–ଆମେ ତହିଁର ଖବର ରଖି ପାରିନାହୁଁ ।

 

ଇନ୍ଦିରାଙ୍କ ସଙ୍ଗେ ଦୁର୍ଗାଦାସ କି ହେତୁ ଯମୁନା-ଗର୍ଭରେ ନିକ୍ଷିପ୍ତ ହେଲେ, ତାହା କୁହାଯାଉଛି ଶୁଣନ୍ତୁ । କେବଳ ଇନ୍ଦିରାଙ୍କୁ ନଦୀରେ ପେଲି ମାରି ଦେଲେ, ଦୁର୍ଗାଦାସ ତାହା ଶୁଣିପାରି କାଳେ କୌଣସି ବିପଦ ଘଟାଇ ପାରନ୍ତି ଏହି ଆଶଙ୍କାରେ ରୌଶନ୍ୱାରା ତାଙ୍କୁ ବି ବଧ କରିବା ସ୍ଥିର କଲେ । ବାଦ୍‌ସା ଦୁର୍ଗାଦାସଙ୍କୁ ତାଙ୍କ ମହାଲ୍‍ର ଏକ ସୌଧରେ ରଖାଇଥିବା କଥା ପାଠକମାନେ ଶୁଣିଛନ୍ତି । ଶାହାଜାଦୀ ଘଟନା-ରାତ୍ରିରେ ଫାରକ୍‌ଷାଇର୍ ସାହାଯ୍ୟରେ ସେହି ପ୍ରାସାଦର ପ୍ରହରିମାନଙ୍କୁ ଉତ୍‌କୋଚରେ ଆପ୍ୟାୟିତ କରି ନିଦ୍ରା-ମଗ୍ନ ଦୁର୍ଗାଦାସଙ୍କ ମୁଖ ବସ୍ତ୍ରରେ ବନ୍ଦ କରାଇ, ହାତ ଗୋଡ଼ ବନ୍ଧାଇ ଇନ୍ଦିରାଙ୍କ ସଙ୍ଗେ ଯମୁନାରେ ପକାଇ ଦେବା ପାଇଁ ତାଙ୍କୁ ନିଜ ମହାଲ୍‍ରେ ନେଇ ରଖାଇଲେ । ଲାଞ୍ଚ ପାଇ ଦୁର୍ଗାଦାସଙ୍କୁ ଛାଡ଼ିଦେବାକୁ ସମ୍ରାଟଙ୍କ ନିଯୁକ୍ତ ପ୍ରହରିଦଳ ପ୍ରଥମରେ ଭୀତ ହେଲେ ସତ୍ୟ, କିନ୍ତୁ କରିବେ କଣ ? ରାବଣ ନିର୍ଯ୍ୟାତନା ଅପେକ୍ଷା ସୂର୍ପଣଖା ଶାସ୍ତି ପ୍ରତି ସେବକମାନଙ୍କର ଯେ ଅଧିକ ଆଶଙ୍କା ! ବାଦ୍‌ସା ପଚାରିଲେ, ଦୁର୍ଗାଦାସ କୌଣସି ଉପାୟରେ ଫିଟି ପଳାଇଛନ୍ତି ବୋଲି କୈଫିୟତ୍ ଦେବାର ସ୍ଥିର କରି, ସେମାନେ ଦୁର୍ଗାଦାସଙ୍କୁ ମୁକ୍ତ କରିଦେଲେ ।

Image

 

ଦ୍ୱାତ୍ରିଂଶ ପରିଚ୍ଛେଦ

(ଜହର-ପାଳନରେ ବାଧା)

 

ବହୁ ସମୟ ହେଲା ବୋଧ ହୁଏ ପାଠକମାନେ ରୂପନଗର କଥା ଏକାବେଳକେ ପାଶୋରି ପକାଇଛନ୍ତି । ଅନୁରୋଧ-ପୁନର୍ବାର ସେଠାକୁ ଚାଲନ୍ତୁ । ଏହି ଦୁର୍ଗର ଅବରୋଧରେ ସାଦତ୍ ଖାଁ ଯେ ମନ ପ୍ରାଣ ଢାଳି ଦେଇଥିଲେ, ଏହା ଆଉ ଥରେ କହିବା ନିଷ୍ପ୍ରାୟୋଜନ । ତାଙ୍କର ବଡ଼ ଭୟ ଥିଲା–ରାଜସିଂହ ଓ ଅନ୍ୟାନ୍ୟ ରାଜପୁତ୍ ରାଜାମାନେ ଶୀଘ୍ର ଆସି ବିକ୍ରମସିଂହଙ୍କ ସେନା ସହିତ ମିଳିତ ହେବେ । ସଙ୍ଗେ ସଙ୍ଗେ ତାଙ୍କର ପ୍ରବଳ ଆଶା–ସମ୍ରାଟ ଅଧିକ ସୈନ୍ୟ ଧରି ଚଞ୍ଚଳ ରୂପନଗରରେ ଆସି ପହଞ୍ଚିବେ । ଆଶା ଓ ଆଶଙ୍କା ମଧ୍ୟରେ ନିଷ୍ପେଷିତ ହୋଇ ମନୁଷ୍ୟ ଯାହା କରେ, ଖାଁ ତାହାହିଁ କରୁଥିଲେ । ବାଦ୍‌ସା ଆସିବାର ଏକ କ୍ଷଣ ବିଳମ୍ବ ସୁଦ୍ଧା ତାଙ୍କ ପକ୍ଷରେ ଏକ ଯୁଗ ପ୍ରାୟ ବୋଧ ହେଲା ।

 

ମିଥ୍ୟା ସମ୍ବାଦରେ ବିକ୍ରମଙ୍କୁ ଡରାଇବା ଉଦ୍ଦେଶ୍ୟରେ ଦିନେ ସେ ତାଙ୍କୁ କହି ପଠାଇଲେ ଯେ, ବାଦ୍‌ସା ଦିଲ୍ଲୀର ସମସ୍ତ ସୈନ୍ୟ ସଙ୍ଗେ ଧରି ରୂପନଗର ନିକଟବର୍ତ୍ତୀ; ଏଣୁ କନ୍ୟାଦାନରେ ସନ୍ଧିଭିକ୍ଷା କରିବା ଶ୍ରେୟସ୍କର । ବୃଦ୍ଧ ବିକ୍ରମ ତ ଯୁଦ୍ଧବେଳେ ଯୁବକ ଭଳି–ଅଧୈର୍ଯ୍ୟ, ନୈରାଶ୍ୟ ଓ ଆଶଙ୍କାର ଚାରା କଣ ଯେ ତାଙ୍କୁ ସହଜରେ ପ୍ରତାରିତ କରି ପାରିବ ? ରାଜପୁତ୍‌କୁ ଡରାଇ ପାରିବ ବା କିଏ ? ରାଜପୁତ୍ ବୀରଜାତି–ରଣଭୂମି ସେମାନଙ୍କର ନିତ୍ୟ କ୍ରୀଡ଼ା-ସ୍ଥଳୀ, ତରବାରି ଚିର-ସହଚର, କମାଣ ଅନ୍ତରଙ୍ଗ ବନ୍ଧୁ । ବିକ୍ରମସିଂହ ଏବଂ ତାଙ୍କର ମନ୍ତ୍ରିଦଳ, ସେନାପତି ଓ ସୈନିକଗଣ ନୂତନ ଧୈର୍ଯ୍ୟ, ନୂତନ ବଳ ଧରି ସମର-ସାଗରରେ ଝାସ ଦେବା ପାଇଁ ଅଗ୍ରସର ହେଲେ । ରାଜପୁତ୍ ସେନା ସେହିକ୍ଷଣି ଦୁର୍ଗ-ପ୍ରାଚୀର ଆରୋହଣ କଲେ ଏବଂ ଗୁମ୍ବଜ ଉପରୁ ମୋଗଲ ବାହିନୀ ଉପରେ ଅଜସ୍ର ଅଗ୍ନି ବର୍ଷଣ କରି ଖାଁ ପ୍ରେରିତ ଖବରର ଉପଯୁକ୍ତ ଉତ୍ତର ଦେଲେ । ସଂଗ୍ରାମ ଚାଲିଲା । କମାଣ ଡାକିଲା । ଶ୍ରାବଣ ମାସର ବୃଷ୍ଟିଧାରା ପରି ମୋଗଲମାନଙ୍କ ମସ୍ତକରେ ରାଜପୁତ୍‌ମାନଙ୍କର ଅବିରାମ ଗୁଳି-ବୃଷ୍ଟି ହେବାକୁ ଲାଗିଲା । ତିନି ମାସ ହେଲା ପଠାଣମାନଙ୍କର ଉପଯୁକ୍ତ ଆହାର ନାହିଁ, ଯଥେଷ୍ଟ ନିଦ୍ରା ନାହିଁ, ସହଜେ ତ ଅଳ୍ପ ସଂଖ୍ୟକ; ଏଣୁ ସେମାନେ ରୂପନଗରବାସିଙ୍କ କୋପାନଳର ତୀବ୍ରତା ସମ୍ଭାଳି ନ ପାରି ସଂପୂର୍ଣ୍ଣ ପରାଜୟ ପାଇଲେ । ସାଦତ୍‌ଖାଁଙ୍କ ଚାତୁରୀ ପରାଭୂତ ହେଲା । କାଳ ବିବେଚନାରେ ଯୁଦ୍ଧ ବନ୍ଦ କରିବା କାରଣ ଖାଁ ନିଜ ସେନାକୁ ଆଦିଷ୍ଟ କଲେ ।

 

ନିଜ ସୈନିକ-ସଂଖ୍ୟା କମିଯିବାରୁ ଏବଂ ବହୁ ପତ୍ର-ପ୍ରେରଣ ସତ୍ତ୍ୱେ ସମ୍ରାଟ ଆଜ ସୁଦ୍ଧା ସୈନ୍ୟ ପଠାଇ ନ ଥିବାରୁ, ଅନ୍ୟାନ୍ୟ ରାଜପୁତ୍ ରାଜାମାନେ କେତେବେଳେ କେଉଁ ଦିଗରୁ ଆସି ଉପରେ ପଡ଼ି ଯାଇପାରନ୍ତି ଏହି ଆଶଙ୍କା ଓ ସନ୍ଦେହରେ ସାଦତ୍ ଖାଁ ଅନାବନା ହୋଇପଡ଼ିଲେ । ତଥାପି ସେ ଜଣେ ବିଚକ୍ଷଣ ସେନାପତି ଓ ବୀରପୁରୁଷ । ପ୍ରତିପକ୍ଷର ଦମନକଳ୍ପେ ନାନା ଉପାୟ ଉଦ୍ଭାବନରେ ତାଙ୍କ ମସ୍ତିଷ୍କ ଉର୍ବର । ବାଧ୍ୟ ହୋଇ ସମ୍ରାଟଙ୍କ ଆଦେଶରେ କୂଟ ଯୁଦ୍ଧ ଚଳାଇବାକୁ ସୁଦ୍ଧା ତତ୍ପର । ସୁତରାଂ କୌଣସି ଛଳନା, ମିଥ୍ୟା-ପ୍ରମାଣ ଦ୍ୱାରା ବାଦ୍‌ସା ସସେନା ସେଠାରେ ପହଞ୍ଚିଛନ୍ତି ବୋଲି ବିକ୍ରମସିଂହଙ୍କ ମନରେ ବିଶ୍ୱାସ ଜନ୍ମାଇ, ତାଙ୍କୁ ଭୟ ଭେଳ୍‌କି ଦେଖାଇବା ସ୍ଥିର କଲେ ।

 

ଦେଖୁଁ ଦେଖୁଁ ଦିବସ-ଦେବ ସ୍ନାନାଭିଳାଷରେ ପଶ୍ଚିମ ସାଗରରେ ଯାଇ ଅବତୀର୍ଣ୍ଣ ହେଲେ । କ୍ରମେ ଆଲୋକ-ଗାତ୍ର କ୍ଷୀଣ ହୋଇପଡ଼ିଲା ଅନ୍ଧକାରର ଦୌରାତ୍ମ୍ୟ ସର୍ବତ୍ର ବ୍ୟାପ୍ତ ହୋଇଗଲା । ସାଦତ୍‌ଖାଁ ତାଙ୍କର ସୈନ୍ୟ ଭାଗ ଭାଗ କରି ଦେଇ ଅଳ୍ପ ଅଳ୍ପ ଦୂରରେ ସ୍ଥାପନ କଲେ-। ପ୍ରତ୍ୟେକ ଦଳ ରହିବା ସ୍ଥାନ ମଶାଲ ଦ୍ୱାରା ଆଲୋକିତ ହେଲା । ସେ ସ୍ୱୟଂ ଭାଗେ ସୈନ୍ୟ ଧରି ଦୁର୍ଗ ନିକଟରେ ଅବସ୍ଥାନ କଲେ । ସେ ସୈନ୍ୟ ଏପରି ବିଭକ୍ତ କରି ବିଭିନ୍ନ ସ୍ଥଳରେ ରଖିବାର ଦୁଇଗୋଟି କାରଣ ଅନୁମିତ ହୋଇପାରେ । ରାଜପୁତ୍‌ସେନା ଯେ କୌଣସି ଦିଗରୁ ଆସି ରୂପନଗରରେ ପ୍ରବେଶ କରିବା ସମୟରେ ସେମାନଙ୍କୁ ଆଗୁଳି ଦେବା ଉଦ୍ଦେଶ୍ୟରେ, ଏବଂ ଠାଏଁ ଠାଏଁ ସୈନ୍ୟ ରଖିଲେ ଦିଲ୍ଲୀରୁ ଅନେକ ସେନା ଆସିଛନ୍ତି ଭାବି ଶତ୍ରୁପକ୍ଷ ଭୀତ ହୋଇଯିବେ, ଏହି ଅଭିପ୍ରାୟରେ, ସେ ଏ ଭଳି ବ୍ୟୂହ ରଚନା କଲେ । ନିଜ ସୈନ୍ୟ ଅଳ୍ପ ସଂଖ୍ୟକଥିବାରୁ, ସମସ୍ତଙ୍କୁ ଏକ ସ୍ଥାନରେ ରଖିଲେ, ନିଜ ବଳକଳ ପଦାରେ ପଡ଼ିଯାଇ ପାରେ ବୋଲି ତାଙ୍କର ବଡ଼ ଆଶଙ୍କା ହେଲା । ଏହା ବ୍ୟତୀତ ସେ ରଣଢ଼କ୍‌କା ଓ ଜୟଭେରୀ ବଜାଇ କୋଳାହଳ ସୃଷ୍ଟି କରିବା ସକାଶେ ସୈନିକମାନଙ୍କୁ ଆଦେଶ କଲେ । ଏପରି ତାଙ୍କର କୁଟିଳ କଳ୍ପନା ଘଟନାରେ ପର୍ଯ୍ୟବସିତ ହେଲା-

 

ସତକୁ ସତ ରାଜପୁତ୍‌ମାନେ ଭାବିଲେ, ଅଗଣ୍ୟ ପଠାଣ ଫୌଜ୍ ଆସି ପହଞ୍ଚିଛି । ତଥାପି ସେମାନେ ଡରି ଥରି ଆତ୍ମ ସମର୍ପଣ କରିବାର ଲୋକ ନୁହନ୍ତି । ସେମାନେ ପ୍ରାଣକୁ ତୃଣ ଜ୍ଞାନ କରି ମରଣକୁ ଆଲିଙ୍ଗନ କରିବାକୁ ବାହାରିଲେ । ଶତ୍ରୁ-ସଂଖ୍ୟା ଯେତେ ବଡ଼ ହେଉ ପଛକେ, ପୃଷ୍ଠଭଙ୍ଗ ଦେବା ସେମାନେ ଜାଣନ୍ତି ନାହିଁ । ଅନ୍ୟାନ୍ୟ ରାଜପୁତ୍ ରାଜାମାନେ ସାହାଯ୍ୟ ନ ପଠାଇଲେ ସୁଦ୍ଧା, ପ୍ରାଣପଣେ ଲଢ଼ାଇ କରିବେ ବୋଲି ବିକ୍ରମସିଂହ ପୂର୍ବରୁ ସ୍ଥିର କରିଛନ୍ତି । ତ୍ରିଲୋକ ଉଲଟ ପାଲଟ ହୋଇଯାଉ, ମୋଗଲ ଫୌଜ୍ ଭସ୍ମସାତ୍ ହୋଇ ଯାଉ ପଛକେ, କମଳକୁମାରୀଙ୍କୁ ଦିଲ୍ଲୀକୁ ନେଇ ଯିବା ପାଇଁ ଔରଂଜୀବ୍‌ଙ୍କ ପ୍ରଚଣ୍ଡ ପଣ । ଏଣେ, ଜଗତର ପ୍ରସିଦ୍ଧ ପ୍ରବଳ ବୀରବୃନ୍ଦ ଏକତ୍ର ହୋଇ ରୂପନଗର ଧୂଳିସାତ୍, ରାଜପୁତ୍, କୁଳ ନିର୍ମୂଳ କରି ଦିଅନ୍ତୁ ପଛକେ, ବାଦ୍‌ସା ହାତରେ ଦୁହିତାକୁ କଦାପି ଦେବେ ନାହିଁ ବୋଲି ବିକ୍ରମସିଂହଙ୍କର ଶକ୍ତ ଶପଥ । ଏପରି ସ୍ଥଳେ, ଦୁଇ ଜଣଙ୍କ ମଧ୍ୟରେ ସାଲିସ୍ ଘଟିବ କିପରି ? ସୁମେରୁ–କୁମେରୁ ମିଳିତ ହେବ କିପରି ? ଯେଉଁ କାର୍ଯ୍ୟଦ୍ୱାରା କ୍ଷତ୍ରିୟ-ଧର୍ମ ନଷ୍ଟ ହେବ, ତାହା ବିକ୍ରମଙ୍କ ହାତରେ ସମ୍ପନ୍ନ ହେବା ଅସମ୍ଭବ । ସେହି ରାତ୍ରି ସେ ଦୁର୍ଗ-ପ୍ରାଚୀର ଓ ଗମ୍ବୁଜ ଉପରେ ବାରମ୍ବାର ବିଚରଣ କରି ସୈନିକମାନଙ୍କୁ ଉତ୍ସାହରେ ଅନୁପ୍ରାଣିତ କରିବାକୁ ଲାଗିଲେ ।

 

ଦୁର୍ଗାବରୋଧ ହେବା ଦିନୁ କମଳକୁମାରୀ ଯୁଦ୍ଧସମ୍ବନ୍ଧୀୟ ବିବିଧ ଆୟୋଜନ କରି, ନାନାକୌଶଳର ଆଶ୍ରୟ ନେଇ ବୀରବାକ୍ୟରେ ବିକ୍ରମଙ୍କୁ ଓ ସୈନିକଦଳକୁ ଉତ୍ସାହିତ, ଉତ୍ତେଜିତ କରୁଥିଲେ । ଏହା ପାଠକଗଣଙ୍କ ଅଗୋଚର ନାହିଁ । ଆଜି କିନ୍ତୁ ତାଙ୍କ ହୃଦୟରେ ସେହି ପାବକୋଚ୍ଛ୍ୱାସ ନାହିଁ । ତାଙ୍କ ମୁଖରେ ସେହି ଦୀପ୍ତି, ଚକ୍ଷୁରେ ସେହି ଜ୍ୟୋତି, ଅଧରରେ ସେହି ହାସ, ଦେହରେ ସେହି କାନ୍ତି ନାହିଁ । ତାଙ୍କ ଅଙ୍ଗରେ ଏବେ ସୁଦ୍ଧା ମଧୁର ମନୋହର ବେଶ ରହିଅଛି, କିନ୍ତୁ ତାହା ଯେପରି ଏକ ଶୁଷ୍କ କୁସୁମ ନିକଟରେ ଚିତ୍ରିତ ପଲ୍ଲବ । ସେହି ପତ୍ରରେ ବି ପୂର୍ବ ଭଳି ପାରିପାଟ୍ୟ ନାହିଁ । ତାଙ୍କ ସୁଚିକ୍‌କଣ ସୁବାସିତ କବରୀବଦ୍ଧ କେଶଦାମ ଶିଥିଳ ହୋଇ କେତେକ ପୃଷ୍ଠରେ, କେତେକ ବକ୍ଷରେ ଇତସ୍ତତଃ ବିଞ୍ଚି ହୋଇ, ମୂର୍ତ୍ତିମାନ୍ ଶୋକ ପରି ତାଙ୍କୁ ଘେରି ରହିଛି । ତାଙ୍କ ଭୂଷଣ ସକଳ ଭଗ୍ନ ଓ ଅର୍ଦ୍ଧଭଗ୍ନାବସ୍ଥାରେ, ବିସର୍ଜ୍ଜନାନ୍ତେ ପ୍ରତିମାସଂଲଗ୍ନ ରଙ୍ଗ ଭଳି, ଶରୀରରେ ଲାଗି ରହିଛି । ଯେ କିଛିଦିନ ପୂର୍ବେ ପୁଳିନପ୍ଲାବିନୀ ଶ୍ରାବଣ-ତଟିନୀ, ବର୍ଷାସ୍ନାତ ପ୍ରଫୁଲ୍ଲ ଲତିକା, ଶାରଦାକାଶର ପୂର୍ଣ୍ଣିମାରୂପିଣୀ ଥିଲେ, ଆଜି ତାଙ୍କର ସେହି ଚିତ୍ତହାରୀ ଲାବଣ୍ୟ କାହିଁ ? ସେହି ଉଚ୍ଛ୍ୱାସପୂର୍ଣ୍ଣ ତରଙ୍ଗ କାହିଁ ? ସେହି ସର୍ବବ୍ୟାପିନୀ ଦ୍ୟୁତି କାହିଁ ? କେହି ଯେପରି ଏବେ ସେହି ଲତିକାର ମୂଳ କାଟି ଦେଇଛି–ଦାରୁଣ ନିଦାଘରେ ସେହି ଜଳଭରା ତରଙ୍ଗିଣୀ ଶୁଷ୍କ ହୋଇ ପଡ଼ିଛି–କରାଳ ରାହୁ ସେହି ହାସ୍ୟମୟୀ ପୂର୍ଣ୍ଣିମା ଗ୍ରାସ କରିଅଛି । ସତେ କଣ ଏ ସେହି ପ୍ରଫୁଲ୍ଲରକ୍ତୋତ୍ପଳ-ବିନିନ୍ଦୀ କାନ୍ତିବିଶିଷ୍ଟା ଉଜ୍ଜ୍ୱଳ ଅଗ୍ନିଶିଖାମୟୀ ବିଦ୍ୟୁତ୍‌ବର୍ଣ୍ଣା ବୀରାଙ୍ଗନା କମଳକୁମାରୀ ? ପାଠକମାନେ ବୋଧ ହୁଏ ବିଶ୍ୱାସ କରି ପାରିବେ ନାହିଁ । ଏହା କିନ୍ତୁ ବିଶ୍ୱାସ୍ୟ, ସତ୍ୟ, ଯଥାର୍ଥ ।

 

ତେବେ କମଳକୁମାରୀଙ୍କ ଏହି ଦୁଃଖାବେଗ, ଭାବନାଭାରର କାରଣ କଣ ? କାରଣ ଆଉ କିଛି ନୁହେଁ–ରାଣା ଆସି ତାଙ୍କୁ ଉଦ୍ଧାର କରିବେ ବୋଲି ମନରେ ସେ ଯେଉଁ ଆଶାର ସୁବର୍ଣ୍ଣ ସୌଧ ଗଢ଼ିଥିଲେ, ତାହାର ଏକାବେଳକେ ଧ୍ୱସ୍ତ ହୋଇ ପଡ଼ିଲା । ରାଣାଙ୍କ ନିକଟରୁ ଅନ୍ତତଃ ଉତ୍ତର ଖଣ୍ଡିଏ ନ ପାଇ ତାଙ୍କ ସାହସ ଉଡ଼ିଗଲା, ପ୍ରାଣ ସଢ଼ିଗଲା, ମନ ପୋଡ଼ିଗଲା । ଅନ୍ୟାନ୍ୟ ରାଜପୁତ୍ ରାଜାମାନେ ସାହାଯ୍ୟ ଦେବାକୁ ଆହୁରି ଆସିନାହାନ୍ତି, ତାଙ୍କ କୁମାରୀ-ଧର୍ମ ନଷ୍ଟ ହେବା ଉପରେ, ଏଣେ ବୃଦ୍ଧ ପିତାଙ୍କର ଦୁର୍ଦ୍ଦଶା, ରୂପନଗରର ଦୁର୍ଗତି, ଅଳ୍ପ ସଂଖ୍ୟକ ସୈନ୍ୟର ଆପଦ । ଏହାଛଡ଼ା, କୁଳଧର୍ମପରାୟଣା ସ୍ୱଦେଶାଭିମାନିନୀ ଜଣେ ବୀରକୁମାରୀଙ୍କ ଦୁଃଖର କାରଣ ଆଉ କଣ ହୋଇପାରେ ?

 

ସମୁଦ୍ର ଉପରେ ଭଗ୍ନତରୀ ସ୍ଖଳିତ ନିଃସହାୟ ନିରୂପାୟ ମରଣୋନ୍ମୁଖ ଲୋକ ଆଗରେ କ୍ଷୁଦ୍ର ଯଷ୍ଟି ଖଣ୍ଡିଏ ଦେଖିବାମାତ୍ରେ ତାହା ଉଦ୍‌ବେଗ ସହିତ ଭିଡ଼ି ଧରି ତାହାର ଆଶ୍ରୟରେ ହିଁ ଯେପରି ଜୀବନୋଦ୍ଧାର ଆଶା କରେ, କମଳକୁମାରୀ ସେପରି କ୍ଷୀଣ ଉତ୍ସାହର ଅଞ୍ଚଳ ଧରି ମହତ୍ତ୍ୱ–ରକ୍ଷାର ଚେଷ୍ଟା କରିବାକୁ ଲାଗିଲେ । ସେ ଦିନ ରାତ୍ରି ସେ, ପଦ୍ମା ଓ ବିକ୍ରମସିଂହ ଥରକୁଥର କୋଠା ଉପରକୁ ଯାଇ ଶତ୍ରୁସେନା ଦେଖୁଥିଲେ ଏବଂ ଆବଶ୍ୟକୀୟ ଯୁଦ୍ଧାୟୋଜନ କରୁଥିଲେ । କମଳକୁମାରୀଙ୍କର ବିଷାଦମୟୀ ମୂର୍ତ୍ତି ଦେଖି ପଦ୍ମା ଭୟ ଓ ଦୁଃଖରେ, ବିସ୍ମୟ ଓ ଉଚ୍ଛ୍ୱାସରେ ତାଙ୍କୁ ବାରମ୍ବାର ଆଲିଙ୍ଗନ କରି ପ୍ରବୋଧ ଦେଉଥିଲେ । କମଳକୁମାରୀ ବିଷର୍ଣ୍ଣ ମୁଖରେ ପଦ୍ମାଙ୍କୁ କହିଲେ,–‘ପଦ୍ମା, ପଠାଣମାନଙ୍କ ସଂଖ୍ୟା ବୋଧହୁଏ ଖୁବ୍ ବଢ଼ିଛି । ଦିଲ୍ଲୀରୁ ସତେ କଣ ଅଧିକ ସୈନ୍ୟ ଆସି ମିଶିଛନ୍ତି ?’

 

‘ଆସନ୍ତୁ ଭଉଣୀ, ଭୟ କଣ ? ଆମ ଲୋକେ କଣ କମ୍ ଅଛନ୍ତି ?’

 

‘ରାଣୀଙ୍କ ଆଚରଣ ଦେଖିଲୁ ତ ପଦ୍ମା ! ଶେଷରେ ଜବାବ୍ ବି ନ ଦେଇ ତୁନି ରହିଲେ ! ହେଲା, ଅନ୍ୟର ସାହାଯ୍ୟକୁ ଚାହିଁ ରହିବା କିଆଁ ? ନିଜ ଗୋଡ଼ରେ ଛିଡ଼ା ହୋଇ ଯୁଦ୍ଧ କରୁଁ କରୁଁ ଯାହା ହେବ । ମାନରକ୍ଷା ଭାର ତ ଆମରି ହାତରେ ।’

 

‘ବ୍ୟସ୍ତ ହୁଅ ନା କମଳ । ରାଣା ତ ଆପେ ଏଠାକୁ ଆସିବେ–ଜବାବ୍ ଦେବେ କାହିଁକି ?’

 

‘ମାତ୍ର ଚିଠିଟି ସେ ପାଇଛନ୍ତି କି ନା ଜଣା ଗଲା ନାହିଁ । ବାଟରେ ପଣ୍ଡିତଙ୍କୁ ବାଡ଼େଇ ତାଙ୍କ ହାତରୁ ଚିଠିଟି ଛଡ଼ାଇ କିଏ ନେଇ ଯାଇଥିବ ପରା !’

 

‘ସେଭଳି ସନ୍ଦେହର କଥା କିଛି ନାହିଁ । ପତ୍ରଟି ଖୁବ୍ ବନ୍ଦୋବସ୍ତ କରି ପଠାଇଛି–ରାଣା ଅବଶ୍ୟ ପାଇଥିବେ ।’

 

‘ପଦ୍ମା, ପତ୍ର ଯଦି ପାଇଛନ୍ତି, ଏତେ ବିଳମ୍ବ କଲେ କାହିଁକି ? ତାଙ୍କ ଗୁଣଗ୍ରାମ ଯେପରି ଶୁଣାଯାଏ–ଏଭଳି କାର୍ଯ୍ୟରେ ସେ କେବେ ତ ହେଳା କରିବେ ନାହିଁ । ହେଲା–ରଙ୍କ କପାଳକୁ ତ ସମୁଦ୍ର ଶୁଖିଯାଏ ।’

 

‘କମଳ, ସେ ଆଉ କୋ’କାମରେ ହାତ ଦେଇ ଯେ ହରକତ ହରବର ହୋଇ ପଡ଼ିଥିବେ, ଏହା କାହିଁକି ବିଚାରିବା ନାହିଁ ?

 

‘ତେବେ ସେ ଆସିବେ ନାହିଁ ନିଶ୍ଚୟ ।’

 

‘ଏପରି କହିବାକୁ ବି ବାଟ ନାହିଁ ।’

 

କ୍ରମେ କମଳକୁମାରୀଙ୍କ ହୃଦୟ ଅଧିକ ଆନ୍ଦୋଳିତ ହେବାକୁ ଲାଗିଲା । ପଦ୍ମାତାଙ୍କୁ ବାରମ୍ବାର ଆଶ୍ୱସ୍ତ କରୁଥିଲେ ସତ୍ୟ; କିନ୍ତୁ ସେ ନିଜେ ମଧ୍ୟ ଚିନ୍ତିତା ହୋଇ ପଡ଼ିଲେ । କେଉଁକ୍ଷଣରେ କେଉଁ ଦିଗରୁ ଶତ୍ରୁ ଆସି ଦୁର୍ଗ ଆକ୍ରାନ୍ତ କରି ଦେବେ, ଏହି ସନ୍ଦେହରେ ରାଜପୁତ୍‌ମାନେ ପକ୍ଷ୍ମପାତ ନ କରି ପ୍ରତୀକ୍ଷା କରି ରହିଲେ ।

 

ଦେଖୁଁ ଦେଖୁଁ ରାତ୍ରିର ଅବସାନ ହେଲା । ଅନ୍ଧକାର ଆହୁରି ସମ୍ପୂର୍ଣ୍ଣରୂପେ ଅନ୍ତର୍ହିତ ହୋଇ ନାହିଁ, ଏହି ସମୟରେ ରୂପନଗରର ଲୋକେ ଦେଖିପାରିଲେ ଯେ, ଉତ୍ତର ଦିଗରୁ ବହୁସୈନ୍ୟ ସମୁଦ୍ର ପରି ଗର୍ଜ୍ଜନ କରି ଶର–ବେଗରେ ଦୁର୍ଗ ଆଡ଼େ ଧାଇଁ ଆସୁଛନ୍ତି । ସେମାନଙ୍କ ଦିହୁଡ଼ି ସବୁ ଆହୁରି ଲିଭିନାହିଁ । ଯେଉଁଆଡ଼େ ଅନାଇବ, ଧାଡ଼ି ଧାଡ଼ି ମୁଣ୍ଡମାଳ–ଧାଁ ଦଉଡ଼ ଗୋଳମାଳ । ବୋଧ ହେଲା ଯେପରି ନବାଗତ ସୈନ୍ୟ ସେହି ସ୍ଥାନରେ ହିଁ ପାତାଳରୁ ଜଣକ ପରେ ଜଣେ ଉଠି ଠିଆ ହେଲେ । ସେମାନଙ୍କର କଳନା କରି ନପାରି ରାଜପୁତ୍‌ମାନେ ସ୍ଥିର କଲେ ଯେ, ନିଶ୍ଚୟ ଅଧିକ ମୋଗଲ ସୈନ୍ୟ ଉପସ୍ଥିତ ହୋଇଛନ୍ତି । ବିକ୍ରମସିଂହ, କମଳକୁମାରୀ ଓ ପଦ୍ମା ବୁରୁଜ ଉପରକୁ ଉଠି ଏହି ଭୀଷଣ ଦୃଶ୍ୟ ଦେଖିଲେ । କମଳକୁମାରୀ ହାଇଁପାଇଁ ହୋଇ ବସିଲେ । ବିକ୍ରମସିଂହ ସ୍ଥିର କଲେ, ରାଜପୁତ୍‌ର ପରାଜୟ ସୁନିଶ୍ଚିତ ।

 

ଏଣୁ ମୋଗଲମାନେ ଦୁର୍ଗ ମଧ୍ୟରେ ପ୍ରବେଶ କରିବା ପୂର୍ବେ ପୁରାଙ୍ଗନାଗଣଙ୍କ ମାନରକ୍ଷା ଚେଷ୍ଟା କରିବା ଉଚିତ ମନେ କରି, ସେ କମଳକୁମାରୀଙ୍କୁ କହିଲେ,–‘ମା କମଳ, ଆଜିଠାରୁ ଆମର ଓ ରୂପନଗରର ସମ୍ବନ୍ଧ ଛିଡ଼ିଲା । ଔରଂଜୀବ୍ ଅସଂଖ୍ୟ ସୈନ୍ୟ ଧରି ହାଜିର୍ ହେଲାଣି–କ୍ରମେ ଅଧିକ ସେନା ଦିଲ୍ଲୀରୁ ଆସୁଛନ୍ତି; ଶେଷ ନାହିଁ, ବିରାମ ନାହିଁ । ଆମ ସୈନିକମାନେ ଆଜିଯାଏ ଯୁଦ୍ଧ କରି କ୍ଲାନ୍ତ, ଦୁର୍ବଳ ହୋଇ ପଡ଼ିଲେଣି । ଆମର ଜୟ ସ୍ୱପ୍ନ ଭଳି ମିଥ୍ୟା, କୁହୁଡ଼ି ପରି ଅସ୍ଥିର ! ଅନ୍ୟାନ୍ୟ ରାଜାମାନେ ସାହାଯ୍ୟ କରିବାକୁ ଆସିବେ ବୋଲି ଯେଉଁ ଆଶା ଥିଲା, ତାହା ଧୂଳିଲେ ମିଶିଛି । ତଥାପି...’

 

କମଳକୁମାରୀ ହଠାତ୍ ତାଙ୍କ କଥାରେ ବାଧାଦେଇ ପ୍ରସନ୍ନ ମୁଖରେ କହିଲେ,–‘ବ୍ୟସ୍ତ ହୁଅ ନାହିଁ, ବାବା । କିଛି ଭୟ ନାହିଁ । ପଠାଣ ଦୁର୍ଗରେ ପଶି ଆମମାନଙ୍କ ମହତ୍ତ୍ୱ ହରଣ କରିବା ଆଗରୁ, ଅଗ୍ନିଦେବତାଙ୍କ ଶରଣ ନେବୁଁ । ଏହା ତ କିଛି ନୂଆ କଥା ନୁହେ । ସଂଯୁକ୍ତା, ପଦ୍ମିନୀ, ମୀରାବାଇ ପବିତ୍ର ଜହର-କୁଣ୍ଡରେ ଜୀବନ ଦେଇ, ଧର୍ମ ରକ୍ଷା କରି ଜଗତରେ ଚିରକାଳ ପାଇଁ ଉଜ୍ଜ୍ୱଳ କୀର୍ତ୍ତି ରଖି, ଉଚ୍ଚ ଆଦର୍ଶ ଫୁଟାଇ ଯାଇଛନ୍ତି । ଏଣୁ ଜହର ହିଁ ବର୍ତ୍ତମାନ ଆମର ପରମ ମୁକ୍ତିମାର୍ଗ, ପ୍ରଧାନ ସହାୟ, ପ୍ରକୃତ ବନ୍ଧୁ । ଆଶ୍ୱସ୍ତ ହୁଅ–କୁଳଧର୍ମରେ କାଳିମା ନ ବୋଳି କମଳ ମଧ୍ୟ ଇତିହାସରେ ନାମ ରଖିଯିବ । ଚିନ୍ତା କରନାହିଁ ବାବା–ଅନ୍ତଃପୁରର ସମସ୍ତ ସ୍ତ୍ରୀ ଏହିକ୍ଷଣି ଜହର ପାଳିବେ । ତୁମେ କିନ୍ତୁ ଧାଅଁ ବାବା, ଯୁଦ୍ଧଭୂମିକୁ, ନିର୍ବାଣୋନ୍ମୁଖ ପ୍ରଦୀପର ଅନ୍ତିମ ଦୀପ୍ତିଶିଖାରେ–ଜୀବନସନ୍ଧ୍ୟାର ଅନ୍ତିମ ଆଲୋକଚ୍ଛଟାରେ । ପ୍ରାଣର ଶେଷ ନିଃଶ୍ୱାସ ନ ଉଡ଼ିବା ଯାଏଁ–ଦେହର ଶେଷ ଶୋଣିତବିନ୍ଦୁ ନ ଖସିବାଯାଏଁ ଯୁଦ୍ଧ କର, ଯୁଦ୍ଧ କର । ଆମେମାନେ ପୁଣ୍ୟକାର୍ଯ୍ୟ କରିବାକୁ ଯାଉଛୁଁ–ଆଉ ଭୟ ନାହିଁ, ଆଉ ଦୁଃଖ ନାହିଁ–ଆନନ୍ଦ, କେବଳ ଆନନ୍ଦ, ଗଭୀର ଆନନ୍ଦ । ଏହାହିଁ ମୋର ଶେଷ କଥା ବାବା–ଏହାହିଁ ମୋର ଶେଷ ଦେଖା ।’

 

ଏହା ଶୁଣି ବିକ୍ରମସିଂହଙ୍କ ପ୍ରାଣରେ ଉତ୍ସାହର ଏକ ଚଞ୍ଚଳ ପ୍ରବାହ ମାତିଗଲା–ଅପୂର୍ବ ବଳ, ନୂତନ ସାହସର ଆକସ୍ମିକ ପ୍ରେରଣାରେ ସେ ନିଜକୁ ଯୁବକ ଜ୍ଞାନ କଲେ । କମଳକୁମାରୀ ଓ ପଦ୍ମାଙ୍କ ପ୍ରଣାମ ଗ୍ରହଣ କରି ସେହି ମୁହୂର୍ତ୍ତରେ ରଣ-ସ୍ଥଳ ପ୍ରତି ଅଗ୍ରସର ହେଲେ ।

 

ରାଜପୁତ୍‌-ଇତିହାସ-ପାଠକମାନେ ଜାଣନ୍ତି, ଶତ୍ରୁ ହାତରେ ପରାଜୟର ଆଶଙ୍କା ଜନ୍ମିବାମାତ୍ରେ, ରାଜପୁତ୍ ପୁରୁଷମାନେ ଯୁଦ୍ଧରେ ଲମ୍ଫ ଦେଇ ଏବଂ କୁଳକାମିନୀଗଣ ଜହର-ବ୍ରତ ଅବଲମ୍ବନ କରି ନିଜ ନିଜର ମାନ ଧର୍ମ ରକ୍ଷା କରୁଥିଲେ । କମଳକୁମାରୀଙ୍କ ଆଦେଶରେ ପଦ୍ମା ଶୀଘ୍ର ଯାଇ ଗୋଟିଏ ବିସ୍ତୃତ ସ୍ଥାନରେ ବିରାଟ ଏକ ଅଗ୍ନି-କୁଣ୍ଡ ସ୍ଥାପନ କରାଇଲେ । ଅସଂଖ୍ୟ କାଠଗଣ୍ଡି ସଙ୍ଗେ ଚନ୍ଦନକାଷ୍ଠ, କର୍ପୂର ଓ ଘୃତ ଆହୁତି ଦିଆଯିବା କ୍ଷଣି ଅଗ୍ନି ପ୍ରଦୀପ, ପ୍ରଜ୍ଜ୍ୱଳିତ ହୋଇଉଠିଲା । ସତେ ଯେପରି ଅନଳ ଦେବ ରାଜପୁତ୍‌ରମଣୀମାନଙ୍କ ମହତ୍ତ୍ୱରକ୍ଷା କରିବା ଉଦ୍ଦେଶ୍ୟରେ ଭୀଷଣ ଗର୍ଜ୍ଜନସହ ଉଗ୍ର ରସନା ବାହାର କରି ଶିଖା ଟେକି ଉଠିଲେ । ପୁରବାସିନୀଗଣ ରକ୍ତବସ୍ତ୍ର ପରିଧାନ କରି ଏବଂ ବିବିଧ ଅଳଙ୍କାରରେ ଭୂଷିତ ହୋଇ ହଳଦୀକୁଙ୍କୁମ କୁସୁମ ହସ୍ତରେ ଜହର-କୁଣ୍ଡର ଚତୁର୍ଦ୍ଦିଗରେ ଯାଇ ଠିଆ ହେଲେ । କମଳକୁମାରୀ ଆନନ୍ଦ-ଗଦ୍‌ଗଦ କଣ୍ଠରେ ସେମାନଙ୍କୁ କହିଲେ–‘ଦେଖ ଭଉଣୀମାନେ–ଶତ ଶତ ଅମୂଲ୍ୟ ଜୀବନ ଯେଉଁ ଅଗ୍ନିରେ ନିଜକୁ ଆହୁତି ଦେଇଛି; ମୋହ, ଆଶା, ରୂପ ଓ ଯୌବନରୂପ ଇନ୍ଧନରେ ଯାହା ପୁଷ୍ଟ; ଘରେ ଘରେ ଯାହା ପୂଜା ସତ୍କାର ପାଇ ଆସୁଛି; ଶତ ଶତ ସହଚରୀ ଅନୁଚରୀ ବେଷ୍ଟିତା ପଦ୍ମିନୀଙ୍କ ପବିତ୍ର ଜ୍ୟୋତିରେ ଯେ ଅଧିକତର ଜ୍ୟୋତିଷ୍ମାନ୍ ହୋଇଥିଲା, ଯାହାର ଉତ୍ତାପ ଆଜସୁଦ୍ଧା ମେବାରବାସିଗଣଙ୍କ ଅନ୍ତସ୍ଥଳ ବିଦ୍ଧ କରି ରହିଛି, ସେହି ପୁଣ୍ୟପ୍ରଭ ଉଦାର ଜହରାଗ୍ନିର ଲୀଳାସ୍ଥଳ ବର୍ତ୍ତମାନ ଆମମାନଙ୍କ ସମ୍ମୁଖରେ । ସତୀତ୍ୱ-ରକ୍ଷା, ଧର୍ମ-ପାଳନହିଁ ନାରୀର ଭୂଷଣ । ଚାଲ, ଏହି କୁଣ୍ଡର ଆଶ୍ରୟ ନେଇ ଗୌରବ ରକ୍ଷା କରିବା, କୀର୍ତ୍ତି ଅର୍ଜ୍ଜିବା, ପରମ ପଦ ଲାଭ କରିବା ।’

 

ପବିତ୍ରତାର ମହାଯଜ୍ଞରେ ଜୀବନର ପୂର୍ଣ୍ଣାହୁତି ! ଏହି ଯାଗରେ ଭୋଗେଚ୍ଛା ନାହିଁ, ଆକାଂକ୍ଷା ନାହିଁ, ଜିଗୀଷା ନାହିଁ । ଏହା ଏକାନ୍ତ ନିଷ୍କାମ, ନିଷ୍କଳଙ୍କ, ନିର୍ମଳ । କେବଳ ମେବାର କାହିଁକି–ଏ ଅଗ୍ନି ଯେ ସମଗ୍ର ବିଶ୍ୱଗ୍ରାସୀ । କେବଳ ରାଜପୁତ୍‌ର ନୁହେ–ଏ ବହ୍ନି ପ୍ରତ୍ୟେକ ମାନବର ଆରାଧ୍ୟ । ଶତ୍ରୁ କିମ୍ବା ମିତ୍ର ହେଉ, ସ୍ୱଜାତୀୟ କିମ୍ବା ବିଜାତୀୟ ହେଉ, ସ୍ୱଧର୍ମୀ କିମ୍ବା ବିଧର୍ମୀ ହେଉ–କାହାର ହୃଦୟ ରାଜପୁତାନାର ଏହି ଅଲୌକିକ ଆତ୍ମୋତ୍ସର୍ଗରେ ନ ତରଳି ରହିପାରେ ? ମନୁଷ୍ୟ ଯେତେଦିନ ମନୁଷ୍ୟ ରହିବ, ସେହିଦିନ ଯାଏ ପବିତ୍ର ଜହରର ପ୍ରଦୀପ୍ତ ଶିଖା ଅତୀତର ତମୋମୟ ଗହ୍ୱରରୁ ଜଳି ଉଠି ମନୁଷ୍ୟର ଅନ୍ତର ସନ୍ତପ୍ତ କରିବହିଁ କରିବ ।

 

ଜହରାନଳ ସତେକ ରୂପ ଧରିଥିବାବେଳେ, ପୂର୍ବଦିଗରେ ଅଧରରେ ଯେଉଁ ସୂକ୍ଷ୍ମ ସ୍ମିତ ହାସ୍ୟଟିକକ ଖେଳୁଥିଲା, ତାହାର ସଂସ୍ପର୍ଶରେ ପ୍ରକୃତି ମଧ୍ୟ କିଞ୍ଚିତ୍ ହାସ୍ୟମୟୀ ହୋଇଉଠିଲା । ମାରୁତର ସ୍ନିଗ୍‌ଧ ଶୀତଳ ହିଲ୍ଲୋଳରେ, ପୁଷ୍ପର ମୃଦୁ ମଧୁର ସୌରଭରେ, ଅର୍ଦ୍ଧାଲୋକରେ, ଅର୍ଦ୍ଧାନ୍ଧକାରରେ ସେହି ପ୍ରଶାନ୍ତ ସ୍ଥଳଟି ଗୋଟିଏ ସ୍ୱପ୍ନଦୃଷ୍ଟ ମାୟାରାଜ୍ୟର ଆକୃତି ଧରି ଉଠିଲା । ରାଜପୁତ୍ ମହିଳାମଣ୍ଡଳୀ ବିବାହୋତ୍ସବ ସୁଲଭ ସନ୍ତୋଷ ପ୍ରାପ୍ତ ହୋଇ, ଶରୀର ତୁଚ୍ଛ, ଜୀବନ ହେଉ ଓ ଜଗତ ଅସାର ମନେ କରି, ବାହୁ ଉତ୍ତୋଳନ କରି ଅପୂର୍ବ ଭୋବାବେଶରେ ଅଗ୍ନିକୁଣ୍ଡକୁ ତିନିଥର ପ୍ରଦକ୍ଷିଣ କଲେ । ଶେଷରେ କମଳକୁମାରୀ କୁଣ୍ଡକୁ ଚାହିଁ କହିଲେ,–‘ମନେ ଅଛି, ବହ୍ନିଦେବ ! ଥରେ ପଦ୍ମିନୀ ଓ ଅନ୍ୟାନ୍ୟ ଚିତୋର-ଅନ୍ତଃପୁର-ବାସିନୀଗଣଙ୍କୁ ଗର୍ଭରେ ସ୍ଥାନ ଦେଇ ସେମାନଙ୍କର ସତୀତ୍ୱ ରକ୍ଷା କରିଥିଲେ ? ବର୍ତ୍ତମାନ ତୁମର ସେହି ସାଧନାର, କର୍ତ୍ତବ୍ୟପାଳନର ସମୟ ଉପସ୍ଥିତ ! ଆମମାନଙ୍କୁ ଏବେ ବକ୍ଷରେ ଆଶ୍ରୟ ଦେଇ ଉଦ୍ଧାର କର ।’

 

ସେମାନେ ଜହର–କୁଣ୍ଡରେ ପ୍ରବେଶ କରିବାକୁ ଠିକ୍ ଉଦ୍ୟତ ହୋଇଛନ୍ତି, ଏହି ସମୟରେ କେହି ଜଣେ ସେମାନଙ୍କ ପୃଷ୍ଠଭାଗରୁ ହଠାତ୍ ଚିତ୍‌କାର କଲା,–‘କ୍ଷାନ୍ତ ହୁଅ ବୀରାଙ୍ଗନାଗଣ ! ରାଜପୁତ୍ ଜୟ କରିଛି ଜହର ପାଳିବା ଆଉ ଦରକାର ନାହିଁ ।

 

ଏହି ଶୁଣିବାମାତ୍ରେ ସେମାନେ ନିର୍ବାକ୍ ନିଶ୍ଚଳ ହୋଇ, ବିସ୍ମୟସ୍ଫୁରିତ ମୁଗ୍‌ଧ ନେତ୍ରରେ ପଶ୍ଚାଦ୍ଦେଶ ପ୍ରତି ନିରୀକ୍ଷଣ କରି ରହିଲେ ।

Image

 

ତ୍ରୟତ୍ରିଂଶ ପରିଚ୍ଛେଦ

(କମଳକୁମାରୀଙ୍କ ମାନରକ୍ଷା)

 

ରାଜସିଂହ ଓ ତାଙ୍କର ସାମନ୍ତ ରାଜାମାନେ ମହତୀ ସେନା ସଙ୍ଗେ ଧରି ଶର ବେଗରେ ରୂପନଗର ନିକଟରେ ଯାଇ ଉପସ୍ଥିତ ହେଲେ । ସେତେବେଳେ ମୋଗଲମାନେ ଓ ବିକ୍ରମସିଂହଙ୍କ ସୈନ୍ୟ ଅତି ପ୍ରଚଣ୍ଡ ଭାବରେ ଯୁଦ୍ଧ ଚଳାଉଥିବାର ଦେଖି, ରାଣା ସେଥିରେ ଯୋଗଦେଇ ଅତି ଅଳ୍ପକାଳ ମଧ୍ୟରେ ଶତ୍ରୁ ସେନାକୁ ପରାସ୍ତ କରିଦେଲେ । ଅଧିକାଂଶ ପଠାଣ ସିପାହୀ, କୃଷକର ଅସ୍ତ୍ରାଘାତରେ ଧାନ୍ୟ ଭଳି, ଛିନ୍ନ ହୋଇ ରଣ ସ୍ଥଳରେ ପତିତ ହେଲେ । ସାଦତ୍‌ଖାଁ ତାଙ୍କ ସୈନ୍ୟ ଭାଗ ଭାଗ କରି ସ୍ଥାନେ ସ୍ଥାନେ ରଖିଥିବା ଯୋଗୁଁ, ସେମାନେ ସେତେବେଳେ ଏକତ୍ର ହୋଇ ନ ପାରି ରାଣାଙ୍କୁ ହଟାଇବାର ସୁଯୋଗ ପାଇଲେ ନାହିଁ । ରାଣା ଓ ଅନ୍ୟାନ୍ୟ ରାଜପୁତ୍ ରାଜାମାନଙ୍କ ସାହାଯ୍ୟ ପାଇ ରୂପନଗରର ସୈନ୍ୟ ନବ ଧୈର୍ଯ୍ୟ ଓ ଅଭିମାନ ସହ ପଠାଣ ସଙ୍ଗେ ତୀବ୍ର ଯୁଦ୍ଧ ପ୍ରାରମ୍ଭ କରିବାକୁ ଲାଗିଲେ । ଫଳରେ ପଠାଣମାନେ ଅସମର୍ଥ ହୋଇ ଇତସ୍ତତଃ ପଳାୟନ କଲେ-

 

ଏହି ସମୟରେ ଦୁର୍ଗ ଭିତରୁ ପ୍ରଖର ଅଗ୍ନି-ସ୍ଫୁଲିଙ୍ଗ ଓ ଧୂମ ନିର୍ଗତ ହେବାର ଦେଖି ରାଣା ଭାବିଲେ ଯେ, ଅନ୍ତଃପୁର ବାସିନୀଗଣ ଜହର-କୁଣ୍ଡରେ ଆତ୍ମୋତ୍ସର୍ଗ କରିବାକୁ ଉଦ୍ୟତ । ସେ ପ୍ରମାଦ ଗଣିଲେ । ଏଣୁ ଆଉ ବିଳମ୍ବ ନ କରି ସ୍ୱୟଂ ଦୁର୍ଗ ମଧ୍ୟରେ ଯାଇ ପ୍ରବେଶ କଲେ । ପରଦାନସୀନ୍ ସ୍ତ୍ରୀମାନଙ୍କ ପାଖକୁ ଯିବା ନିଷିଦ୍ଧ ବୋଲି ଜାଣିଥିଲେହେଁ ସେମାନଙ୍କ ଜୀବନ ରକ୍ଷା ନିମିତ୍ତ ଦ୍ରୁତ ଗତିରେ ଯାଇ ଅଗ୍ନି-କୁଣ୍ଡ ନିକଟରେ ଉପସ୍ଥିତ ହେଲେ ।

 

ଏଥିପୂର୍ବେ କମଳକୁମାରୀ ଅନ୍ୟାନ୍ୟ ପୁରାଙ୍ଗନାଙ୍କ ସଙ୍ଗେ ଅଗ୍ନିପ୍ରବେଶ ପାଇଁ ସିଦ୍ଧ ହେବା ମାତ୍ରେ, ବିକ୍ରମସିଂହ ଅପରିମିତ ସାହସ ଓ ରାଜପୁତ୍ ଯୁବକ ସୁଲଭ ଉତ୍ସାହ ସହିତ ଯୁଦ୍ଧ-ସ୍ଥଳରେ ଯାଇ ପହଞ୍ଚିଲେ । ସେ ତୀକ୍ଷ୍‌ଣ ମାର୍ତ୍ତଣ୍ଡ-ବିମ୍ବ ଭଳି ସତେଜ, ଭୀଷଣ ମୂର୍ତ୍ତି ଧରି ଅବିଶ୍ରାନ୍ତ ଭାବରେ ଯୁଦ୍ଧ ଚଳାଇ ଶତ୍ରୁ-ଦଳନ କରିବାକୁ ଲାଗିଲେ । ବୃଦ୍ଧଙ୍କର ଉଗ୍ର ଆକ୍ରମଣ ଶତ୍ରୁ ମନରେ ଚମକ, ବିସ୍ମୟ ଓ ଆତଙ୍କ ଆନୟନ କଲା ।

 

ରଣ-ଭୂମିରେ ପ୍ରମତ୍ତ ଥିବାବେଳେ, ବିକ୍ରମଙ୍କ ହୃଦୟରେ ଗୋଟିଏ ଆକସ୍ମିକ ଭାବ-ପରିବର୍ତ୍ତନ ଅନୁଭୂତ ହେଲା । ବହୁକାଳ-ନିର୍ବାସିତ କୁମାର ଶିବସିଂହଙ୍କୁ ଥରେ ଦେଖିବା ପାଇଁ ନିତାନ୍ତ ଇଚ୍ଛୁକ ଓ ଉତ୍ସୁକ ହୋଇଉଠିଲେ । କିନ୍ତୁ ସଙ୍ଗେ ସଙ୍ଗେ ହତାଶ ହୋଇ ପଡ଼ିଲେ ଯେ, ପୁତ୍ର-ମୁଖ-ଦର୍ଶନ-ଲାଭ ତାଙ୍କ ଭାଗ୍ୟରେ ଆଉ ଘଟିବ ନାହିଁ । ପରକ୍ଷଣରେ ପୁତ୍ର-ମମତା ଓ ଜୀବନାଶା ଏକାବେଳକେ ପଛରେ ଫିଙ୍ଗି ଦେଇ ପୁଣି ଯୁଦ୍ଧରେ ମାତି ଗଲେ । ସେତେବେଳେ ରଣ-କ୍ଷେତ୍ରର ଏକ ଦିଗରୁ ଶିବସିଂହ ମୋଗଲ ବିପକ୍ଷରେ ଯୁଦ୍ଧ କରି ଆସୁଥିବାର ଦୈବାତ୍ ବିକ୍ରମସିଂହଙ୍କୁ ଦେଖାଗଲା । ସେ ଆଶାନ୍ୱିତ ହେଲେ; କିନ୍ତୁ ପର ମୁହୂର୍ତ୍ତରେ ଚେଷ୍ଟା କରି ତାଙ୍କୁ ଆଉ ଥରେ ଦେଖି ପାରିଲେ ନାହିଁ । ଭାବିଲେ, ଆନ୍ଦୋଳିତ ମନର ଏହା ଏକ ବିଷମ ଭ୍ରମ ମାତ୍ର । ସେତେବେଳେ ଜଣେ ସୈନିକ ତାଙ୍କ ନିକଟରେ ଯାଇ ଜଣାଇଲା,–‘ମହାରାଜ, କେହି ଜଣେ କ୍ଷତ୍ରିୟ ଯୁବକ ସଦଳବଳ ଆସି ମୋଗଲ ସେନାକୁ ପଛ ଭାଗରୁ ଆକ୍ରମଣ କରି ସେମାନଙ୍କୁ ପରାସ୍ତ କରି ପକାଇଲା ।’ ପଠାଣ ସୈନ୍ୟ ପରାସ୍ତ ହୋଇ ଭୟରେ ଏଣେ ତେଣେ ଧାଇଁ ପଳାଇବାର ଦେଖି ବିକ୍ରମ ସାତିଶୟ ଆଶ୍ୱସ୍ତ, ସନ୍ତୁଷ୍ଟ ହେଲେ । ଏଣୁ ଜହର ବନ୍ଦ କରି ଦେବା ପାଇଁ ଦୁର୍ଗ ମଧ୍ୟକୁ ତରତର ହୋଇ ଧାଇଁଗଲେ । ଯିବାବେଳେ ମାର୍ଗରେ ଅନ୍ୟ ଏକ ରାଜପୁତ୍ ସିପାହୀ ଚଞ୍ଚଳ ଆସି ତାଙ୍କୁ କହିଲା ଯେ, କେହି ଜଣେ ରାଜପୁତ୍ ଯୋଦ୍ଧା ସ୍ତ୍ରୀମାନଙ୍କ ପ୍ରାଣରକ୍ଷା କରିବା ଉଦ୍ଦେଶ୍ୟରେ ଅନ୍ତଃପୁର ଆଡ଼େ ଚାଲିଛନ୍ତି । ଏହା ଶୁଣି ସେ ଅଧିକ ବେଗରେ ଜହର କୁଣ୍ଡ ପ୍ରତି ଧାବିତ ହେଲେ ।

 

ଏଣେ ରାଣା ମାନବତୀ କୁଳକାମିନୀଗଣଙ୍କ ଜୀବନ ଉଦ୍ଧାର ପାଇଁ ଅନ୍ତଃପୁର ମଧ୍ୟରେ ପ୍ରବିଷ୍ଟ ହୋଇ ସେମାନଙ୍କ ପୃଷ୍ଠ ଭାଗରୁ ଚିତ୍କାର କଲେ, ‘କ୍ଷାନ୍ତ ହୁଅ ମହିଳାଗଣ ! ରାଜପୁତ୍ ଜୟଲାଭ କରିଛି । ଆଉ କିଛି ଭୟ ନାହିଁ ।’ ଅଗ୍ନି-ପତନୋନ୍ମୁଖ ସୁନ୍ଦରୀଗଣ ରାଣାଙ୍କର ଏହି ଆଶା-ଗର୍ଭ ବାକ୍ୟ ଶୁଣିବା ମାତ୍ରେ ଚମକିତ ହୋଇ ତାଙ୍କ ପ୍ରତି ଦୃଷ୍ଟି ବୁଲାଇ ଠିଆ ହେଲେ । ଏ କଥା ଆଗେ ବର୍ଣ୍ଣିତ ହୋଇଅଛି । ଦେଖୁଁ ଦେଖୁଁ ରାଣା ସେମାନଙ୍କର ନିକଟବର୍ତ୍ତୀ ହୋଇ, ହଠାତ୍ କମଳକୁମାରୀଙ୍କ ହାତ ଧରି ପକାଇ ତାଙ୍କୁ ପଛଆଡ଼େ କିଛି ଦୂର ଓଟାରି ନେଇଗଲେ । ସଙ୍ଗେ ସଙ୍ଗେ କେତେ ଜଣ ସୈନିକ ସେଠାରେ ଶୀଘ୍ର ପ୍ରବିଷ୍ଟ ହୋଇ ଅଗ୍ନି ନିର୍ବାପିତ କରିଦେଲେ ।

 

ଅକସ୍ମାତ୍ ଜଣେ ଅପରିଚିତ ପରପୁରୁଷର କରସ୍ପର୍ଶରେ କମଳକୁମାରୀ ନିତାନ୍ତ ବିସ୍ମିତ ଓ ବ୍ୟାକୁଳ; ଏଣେ ଉଚିତ ସମୟରେ ଶୁଭବାର୍ତ୍ତା ଶୁଣି ଆଶ୍ୱସ୍ତ ଓ ହର୍ଷୋତ୍‌ଫୁଲ୍ଲ । ସେତେବେଳେ ପ୍ରତ୍ୟୁଷ ଅନ୍ଧକାର ପୂର୍ଣ୍ଣଭାବରେ ବିଲୀନ ହୋଇନାହିଁ । ସୁତରାଂ ସେ ରାଣାଙ୍କୁ ଚିହ୍ନି ନ ପାରି ଚକିତ ଓ ଚିନ୍ତିତ ହେଲେ । ଆଲୋକରେ ସୁଦ୍ଧା ତାଙ୍କୁ ସେ ସହଜରେ ସ୍ପଷ୍ଟଭାବରେ ଚିହ୍ନି ପାରିଥାନ୍ତେ, ଏହା କୁହାଯାଇ ନ ପାରେ; କାରଣ ତାଙ୍କୁ ସେ ଅନେକ ଦିନ ପୂର୍ବେ ଥରେ ମାତ୍ର ଦେଖିଥିଲେ । କମଳକୁମାରୀ ଆକୁଳ ମୁଖରେ, ସତେଜ ସ୍ୱରରେ ରାଣାଙ୍କୁ ପଚାରିଲେ,–‘ଆପଣଙ୍କ ପରିଚୟ ? ଅପରିଚିତ ହୋଇ କି ସାହସରେ, କି ଉଦ୍ଦେଶ୍ୟରେ ଆସି ପରସ୍ତ୍ରୀ ଦେହ ଛୁଇଁଛନ୍ତି ?’

 

ରାଣା ମନ୍ଦ ମଧୁର ହାସରେ ଉତ୍ତର ଦେଲେ, ‘ତୁମ ଅବିବାହିତା ପରା ? ‘ପରସ୍ତ୍ରୀ’ ର ଅର୍ଥ ତେବେ କଣ ?’

 

‘କୁମାରୀ ଯଦି ମନରେ ପତି-ବରଣ କରିସାରିଥାଏ ?’

 

‘ହଁ ବୁଝିଲି, ବୁଝିଲି । ରାଜକନ୍ୟାମାନେ ଅନେକ ସମୟରେ ବିଭିନ୍ନ ବେଶ ଧରି ନାନାସ୍ଥାନକୁ ଯାଇ ମନ ମୁତାବକ୍ ସୁନ୍ଦର ପୁରୁଷମାନଙ୍କୁ ପତିରୂପେ ବରି ନେଇଥାନ୍ତି । ଉଦ୍ୟାନ ବିହାର ସମୟରେ କିମ୍ବା ବନମଧ୍ୟରେ ମୃଗୟା କରିବାବେଳେ, ସେମାନେ ଅପରିଚିତ ରାଜାମାନଙ୍କ ସାକ୍ଷାତ୍, ପରିଚୟ ପାଇ ସେମାନଙ୍କ ନିକଟରୁ ମୁଦ୍ରିକା ଉପହାର ନେଇଥାନ୍ତି । ଏହାହିଁ ତ ସ୍ୱୟମ୍ବର, ଠିକ୍ କହିଛ କୁମାରୀ ।’

 

ଯୋଧପୁର-ବନ-ଘଟନା-ସ୍ମୃତି କମଳକୁମାରୀଙ୍କ ମାନସ-ପଟରେ ବିଦ୍ୟୁତ୍ ଦ୍ୟୁତିରେ ଅଙ୍କିତ ହୋଇଗଲା । ଲଜ୍ଜା-ରାଗରେ ତାଙ୍କ କର୍ଣ୍ଣମୂଳ ଓ ଗଣ୍ଡସ୍ଥଳ ଯୁଗପତ୍ ଆରକ୍ତ ହୋଇଉଠିଲା-। ସନ୍ନ୍ୟାସୀ-ବେଶଧାରୀ ଅର୍ଜ୍ଜୁନଙ୍କର ଆକସ୍ମିକ ସାକ୍ଷାତ୍ ଓ ନିର୍ଜ୍ଜନ ପରିଚୟ ଲାଭରେ ଅର୍ଘ୍ୟସ୍ଥାଳୀ-ହସ୍ତା ସୁଭଦ୍ରାଙ୍କ ତୁଲ୍ୟ, କମଳକୁମାରୀ ପ୍ରେମ-କମ୍ପନରେ ଥରହର, ସ୍ନେହ-ସ୍ପନ୍ଦନରେ ଟଳମଳ, ବ୍ରୀଡ଼ା-ତାଡ଼ନାରେ ହସ ହସ ହୋଇଗଲେ । ରଙ୍କିକୁ ହଠାତ୍ ପୋତାମାଲ୍ ମିଳିଗଲେ ତାହାର ମୁଖ ଯେପରି ସରସ, ଆନନ୍ଦ-ଢଳଢଳ ହୋଇଯାଏ, ସେ ସେପରି ସନ୍ତୋଷ ଜୁଆରରେ ବୁଡ଼ୁ ନ ବୁଡ଼ୁ ଭାସିଗଲେ । ବାରିଦ-ମୁକ୍ତ ଶଶାଙ୍କ ଦର୍ଶନରେ ବାରିଧି-ବକ୍ଷ ଉତ୍‌ଫୁଲ୍ଲ, ଉଲ୍ଲସିତ ! ନବୋଦିତ ଦିବସନାଥ ଦର୍ଶନରେ ରକ୍ତ ପଙ୍କଜ ପ୍ରଫୁଲ୍ଲ, ବିକଶିତ ।

 

କମଳକୁମାରୀ ସେହିକ୍ଷଣି ପଦ୍ମାଙ୍କ ପଛଭାଗରେ ଯାଇ ଅଧୋବଦନ ହୋଇ ଠିଆ ହେଲେ । ତାଙ୍କର ଦୁଃଖ ଭୟ ସବୁ ପାଣିପରି କେଉଁଆଡ଼େ ବହିଗଲା । ମରଣ-ପ୍ରୟତ୍ନ ପରିଣୟ ସୁଖୋନ୍ମେଷରେ ପର୍ଯ୍ୟବସିତ ହେଲା । ପଦ୍ମା ଓ ସମବେତ ଅନ୍ୟାନ୍ୟ କାମିନୀଗଣଙ୍କ ଶୋକାଶ୍ରୁ ଆନନ୍ଦାଶ୍ରୁରେ ପରିଣତ ହେଲା ।

 

ଲଜ୍ଜା-ସଙ୍କୁଚିତା କମଳକୁମାରୀଙ୍କୁ ପଦ୍ମା ମନ୍ଦହାସରେ କହିଲେ,–‘କମଳ ! ଚିଠି ଲେଖି ଯେଉଁ ମହାତ୍ମାଙ୍କୁ ତୁ ଏଠାକୁ ଡାକି ଆଣିଛୁ, ସେ ଯେ ତୋ ଆଗରେ ଠିଆ ! ସେ ତୋ ମାନରକ୍ଷା କରିଛନ୍ତି–ତାଙ୍କ ପଛକୁ ନ ଯାଇ ମୋ ପଛରେ କିଆଁ ଠିଆ ହୋଇଛୁ ?’ କମଳକୁମାରୀଙ୍କ ଲଜ୍ଜା-ଭାର ଅଧିକ ମାତ୍ରାରେ ବୃଦ୍ଧି ପାଇଲା–ସେ ମୌନାବଲମ୍ବନ କରି ରହିଲେ । ସେତେବେଳେ ତାଙ୍କର ମୁଖମଣ୍ଡଳ ଅପରିସ୍ଫୁଟ ଗୋଲାପର ବ୍ରୀଡ଼ା-ରକ୍ତିମ ଚାହାଁଣି ଅପେକ୍ଷା ଅଧିକ ମନୋହର ହୋଇଉଠିଲା ।

 

ଏହି ଅବସରରେ ବିକ୍ରମସିଂହ ସେଠାରେ ଯାଇ ଉପସ୍ଥିତ । ରାଣାଙ୍କୁ ଦେଖିବାକ୍ଷଣି ତାଙ୍କ ହୃଦୟରେ ଆନନ୍ଦ ଉଛୁଳି ପଡ଼ିଲା । ଆଶ୍ୱାସନା ଅଙ୍କିତ ମୁଖରେ କହିଲେ,–‘ଓହୋ, ରାଣା ଏଠାରେ ଯେ ! କି ଭାଗ୍ୟର ବିଷୟ ! ଆଉ ତେବେ ଏ ଭଳି ଉପକାର କରନ୍ତା କିଏ ? ଅନ୍ଧକାର ଯୋଗୁଁ ଆପଣଙ୍କ ସୈନ୍ୟକୁ ପ୍ରଥମରେ ଚିହ୍ନି ନ ପାରି ବାଦ୍‌ସାର ସେନା ମନେକରି ପ୍ରାଣର ଆଶା ଛାଡ଼ି ବସିଥିଲୁଁ । ଉପଯୁକ୍ତ ସମୟରେ ଆସି ଆମର ବହୁ ଉପକାରର କରିଛନ୍ତି । ଆପଣଙ୍କ ନିକଟରେ କୃତଜ୍ଞ ରହିଲୁଁ ।’ ଏହା କହି ସେ ରାଣାଙ୍କୁ ଆଲିଙ୍ଗନ କରି ପକାଇଲେ ।

 

ରାଜସିଂହ ନମ୍ରଭାବରେ କହିଲେ,–‘ଆଜ୍ଞା, ମୁଁ କରିଛି ବା କଣ ? ଏଣୁ ଏ ପ୍ରଶଂସାର ଯୋଗ୍ୟ ନୁହେଁ । ଆପଣ ବିଜ୍ଞ ବୟୋବୃଦ୍ଧ–ଆପଣଙ୍କ ପରାମର୍ଶ ଓ ଆଦେଶ ଅନୁସାରେହିଁ ଚଳିବା କଥା । ଏଠାକୁ ଆସିବାରେ ବିଳମ୍ବ ଘଟିଛି, କ୍ଷମା କରିବେ ।’

 

‘ରାଣା, ବାଦ୍‌ସା ମସ୍ତବଡ଼ ଫୌଜ୍ ଧରି ଆସୁଛି–ଏବେ ପାଖେଇ ଥିବଣି । ଏତିକିବେଳେ କମଳକୁ ଏଠାରେ ରଖିବା ନିରାପଦ ନୁହେ–ଅନ୍ୟ କୌଣସି ସ୍ଥଳକୁ ନେଇଯିବା ନିତାନ୍ତ ଦରକାର । କଣ କହୁଛନ୍ତି ?’

 

‘ଠିକ୍ କହିଛନ୍ତି । ମ୍ଲେଚ୍ଛ ସମ୍ରାଟ ଯେତେବେଳେ କେବଳ ଏହାଙ୍କ ପାଇଁ ଆସୁଛି, ଏହିକ୍ଷଣି ଆପଣଙ୍କ ପ୍ରସ୍ତାବ ଅନୁସାରେ ଚଳିବାହିଁ ଶ୍ରେୟସ୍କର । ଆପଣଙ୍କ ଅନୁମତି ହେଲେ, କମଳକୁମାରୀଙ୍କୁ ନେଇ ଉଦୟପୁରରେ ରଖି ଆସିବି । ଆପଣ ଜାଣନ୍ତି, ମୋ ଦୁର୍ଗଟ ଅଭେଦ୍ୟ । ଭୟ କରନ୍ତୁ ନା–ଶୀଘ୍ର ଫେରି ବାଦ୍‌ସାର ଦର୍ପ ଚୂର୍ଣ୍ଣ କରିବି । ମୁଁ ବାହୁଡ଼ିବା ଯାଏଁ ଅବଶ୍ୟ ମୋ ସୈନ୍ୟ ରୂପନଗର ରକ୍ଷା କରିବେ ।’

 

‘ମୋ ଅନୁମତି ଦରକାର ନାହିଁ ରାଣା । କମଳ ଆପଣଙ୍କର, ମୋର ନୁହେ । ତାହାର ରକ୍ଷା-ଭାର ଆପଣଙ୍କ ହାତରେ । ଆଉ ବିଳମ୍ବ ଯେପରି ନ ହୁଏ ।’

 

ଏହା କହି ସେ କମଳକୁମାରୀଙ୍କ ହାତ ଧରି ଆଗକୁ ଟାଣି ନେଇ କହିଲେ,–‘ମା କମଳ-! ଏବେ ତୁ ଧନ୍ୟ, ନିଶ୍ଚିନ୍ତ । ଉପଯୁକ୍ତ ସମୟରେ ଉପଯୁକ୍ତ ଲୋକ ଆସି ତୋର ସହାୟ ହୋଇଛନ୍ତି-। ଶୁଣିଛି, ଏ ମହାପୁରୁଷଙ୍କ ନିକଟରେ ତୁ ମନ ପ୍ରାଣ ଅର୍ପଣ କରିଛୁ । ବାସ୍ତବିକ, ତୋ ସ୍ୱୟମ୍ବର ଠିକ୍ ହୋଇଛି । ସଙ୍ଗେ ସଙ୍ଗେ ମୁଁ ବି ଭାରି ଖୁସି ।’

 

ସେ କମଳକୁମାରୀଙ୍କର ଫୁଲ୍ଲରକ୍ତୋତ୍ପଳବିନିନ୍ଦୀ ହସ୍ତଟି ରାଣାଙ୍କ ଭୀମ କାନ୍ତ-ଗୁଣ-ଭୂଷିତ ହସ୍ତରେ ଅର୍ପଣ କରି ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ । ଉପସ୍ଥିତ ସ୍ତ୍ରୀମାନଙ୍କ ହୃଦୟ ଉନ୍ମିଷିତ ଏବଂ ମୁଖ ବିକଶିତ ହୋଇଗଲା । ବିକ୍ରମ ପଦ୍ମାଙ୍କ କହିଲେ,–‘ମା ପଦ୍ମା, ବାସ୍ତବିକ ତୁ ରୂପନଗର-ସରସୀର ଢଳଢଳ ପଦ୍ମ । ପିଲାଦିନୁ ତୁ କମଳକୁ କେତେ ଆଦର ଯତ୍ନରେ ବଢ଼ାଇଛୁ । ତୁ ବି ତା’ ସଙ୍ଗେ ଯିବା ବାଞ୍ଛନୀୟ ।’

 

ସର୍ବଶୋଭାମୟୀ ଦେବୀପ୍ରତିମା କମଳକୁମାରୀଙ୍କ ବଦନ-ମଣ୍ଡଳ ଘନକୃଷ୍ଣ ମେଘାନ୍ତରିତ ଶରଚ୍ଚନ୍ଦ୍ର ଅପେକ୍ଷା ଅଧିକ ସ୍ୱଚ୍ଛ ମନୋହର ଦିଶିଲା । ତାଙ୍କ ଉଜ୍ଜ୍ୱଳ ହୃଦୟର ପ୍ରତିଭା ଫୁଟି ଉଠି ତାଙ୍କ ମୁଖରେ ପଡ଼ି ନୂତନ ଏକ ରାଜ୍ୟର ରଚନା କରିଦେଲା । ତାଙ୍କ ନୀଳ-ଇନ୍ଦୀବର-ନିନ୍ଦୀ ଚକ୍ଷୁର ବିଦ୍ୟୁଦ୍ଦାମକ୍ରୀଡ଼ା ସମଧିକ ଆଭାରେ ସ୍ଫୁରିତ ହେଲା ଏବଂ କୃଷ୍ଣ ଭ୍ରୂଯୁଗ ଓ ସମୁଜ୍ଜ୍ୱଳ କଜ୍ଜ୍ୱଳରେଖା ଅଧିକ କୃଷ୍ଣୋଜ୍ଜ୍ୱଳ ହୋଇଉଠିଲା । ଫୁଟନ୍ତା ଫୁଲ ଭଳି ପଦ୍ମାଙ୍କ ମୁଖ ସର୍ବଦା ପ୍ରଫୁଲ୍ଲ–ତାହା ଅଧିକ ଉତ୍‌ଫୁଲ୍ଲ ହେଲା । ରାଣା, କମଳକୁମାରୀ ଓ ପଦ୍ମା ବିକ୍ରମସିଂହଙ୍କୁ ପ୍ରଣାମ କରି ବିଦାୟ ଗ୍ରହଣ କଲେ । କମଳକୁମାରୀ ଓ ପଦ୍ମା ପୁରୁଷ ବେଶ ଧରି ଦୁଇଗୋଟି ଦ୍ରୁତଗାମୀ ଘୋଟକ ପୃଷ୍ଠରେ ବସିଲେ । ରାଜସିଂହ ଅଶ୍ୱାରୂଢ଼ ହୋଇ ସେ ଦୁହିଁଙ୍କୁ ସଙ୍ଗେ ଧରି ସେହିକ୍ଷଣି ରୂପନଗର ତ୍ୟାଗ କଲେ । ସର୍ବାଗ୍ରେ ରାଣା, ତାଙ୍କ ପଛେ କମଳକୁମାରୀ ଏବଂ ଶେଷରେ ପଦ୍ମା ହସ ହସ ମୁଖରେ ଅଶ୍ୱ ଚଳାଇବାକୁ ଲାଗିଲେ । ରାଣା ପହଞ୍ଚିବା ପୂର୍ବେ ଯେଉଁ ପୁରାଙ୍ଗନାମଣ୍ଡଳୀ ନିଦାଘକାଳୀନ ଉନ୍‌ମୂଳିତା ଲତିକା ତୁଲ୍ୟ ଛିନ୍ନବିଚ୍ଛିନ୍ନା ପରିଶୁଷ୍କା, ଶୀର୍ଣ୍ଣା ଓ ମୃତକଳ୍ପା ଥିଲେ, ସେମାନେ ବର୍ତ୍ତମାନ ରାଜକନ୍ୟାଙ୍କ ଭାଗ୍ୟୋଦୟରେ ପ୍ରସନ୍ନା ଓ ହାସ୍ୟମୟୀ ହୋଇ ଉଠିଲେ ।

 

କେତେ ଦୂର ଯିବା ପରେ, ରଙ୍ଗପ୍ରିୟା ପଦ୍ମା ନିଜ ଅଶ୍ୱଟି କମଳକୁମାରୀଙ୍କ ଅଶ୍ୱ ପାର୍ଶ୍ୱକୁ ନେଇ ନାନା କୌତୁକ ରହସ୍ୟ କଥା ଆରମ୍ଭ କଲେ । କହିଲେ,–‘କମଳ, ରାଣାଙ୍କୁ ଦେଖିବା ମାତ୍ରେ ମୋ ପଛଆଡ଼େ ତ ଲୁଚି ରହିଥିଲୁ, ଏବେ କିପରି ତାଙ୍କ ପଛେ ପଛେ ଗୋଡ଼ାଉଛୁ ? ମୋତେ ପଛେ ପକାଇ ଦେଇ ଚାଲିଛୁ ? ହେଲା–ସେ ସମୟ ଆଉ ଏବେ ଅଛି କି ?’ କମଳକୁମାରୀଙ୍କ ମୁଖ ବେଳା-ବିଲୀନ ତରଙ୍ଗ-ତାଣ୍ଡବ ଅପେକ୍ଷା ଅଧିକ ସୁନ୍ଦର ଦେଖାଗଲା । ସେ ତୃପ୍ତି-ରଞ୍ଜିତ କଟାକ୍ଷ ଖେଳାଇ ଦେଇ କହିଲେ,–‘ପଦ୍ମା, ଏଥି ପୂର୍ବେ ମୋ ପାଖରେ ବସି ଯେଉଁ ଗୀତଟି ଗାଉଥିଲୁ, ତାହା ଏବେ ଗା’ଟୀ ।’

 

‘ଏବେ କାହିଁକି ଆଉ ସେ ବିରହ-ସଙ୍ଗୀତ ? ସେ କାଳ ଯାଇଛି–ରାଣା ତ ଏବେ ତୋ ହାତ ପାଖରେ !’

 

‘ଭଉଣୀ, ସେ ସ୍ମୃତି ବଡ଼ ମଧୁର, ପ୍ରୀତିକର । ମିଳନ ପରେ ସୁଖ, ପ୍ରେମରେ ଭାସୁଥିବାବେଳେ ପୂର୍ବର ବିରହ-ବେଦନା ମନେ ପଡ଼ିଲେ, କେଜାଣି କାହିଁକି, ପ୍ରାଣରେ ଶାନ୍ତି ଆସେ–ସୁଖ ପ୍ରେମ ଅଧିକ ଫୁଲି ଉଠେ । ଗା’ ପଦ୍ମା ଗା’ ।’

 

ପଦ୍ମା ରାଜସିଂହଙ୍କୁ ଶୁଭେ ନ ଶୁଭିବା ଭଳି ପଥବାୟୁର ହୁଙ୍କାର ଭେଦ କରି ମାଧୁରୀମୟ ନିମ୍ନ ସ୍ୱରରେ ଗାଇଲେ–

 

‘ଶରମ୍ ଭରମ୍‌ସେ ପିୟାରୀ, ସୁମରତ ବଂଶୀଧାରୀ;

 

ଝରତ ଲୋଚନସେ ବାରି, ନ ସମ୍‌ଝେ ଗୋପକୁମାରୀ,

 

ବେହିନ୍ ବୈଠତ ମୂରାରି, ବିହରିତ ବାହ ତୁମାରି ।’

 

କମଳକୁମାରୀ ତୁଷ୍ଟ, ତୃପ୍ତ ! ଯାଉଁ ଯାଉଁ ଦୁହିଁଙ୍କ ମଧ୍ୟରେ ଏପରି ରସ-ଉତ୍ସ ଉଛୁଳି ପଡ଼ିଲା । ବହୁ ସମୟ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ମଧୁର ସୁନ୍ଦର ହସ କୌତୁକ, ଠରାଠରି, ଚାହାଁ ଚାହିଁ ଚାଲିଲା । ଶେଷରେ, ବର୍ଷା ପରେ ଧୀର ସ୍ଥିର ଚପଳା-ଖେଳା ପରି, ନିଜ ନିଜ ଓଷ୍ଠାଞ୍ଚଳରେ ଦରଭଙ୍ଗା ହାସ ଧରି ଅଗ୍ରସର ହେଲେ ।

Image

 

ଚତୁତ୍ରିଂଶ ପରିଚ୍ଛେଦ

(ଆବୁ ପାହାଡ଼ ତଳେ ମନ୍ତ୍ରଣା)

 

ସତେଜ ସ୍ୱଚ୍ଛ ଶୁଭ୍ର ପ୍ରଭାତ ଆଲୋକରେ ଶ୍ୟାମ-ଶରୀର ଆବୁ ପାହାଡ଼ ଉଦ୍‌ଭାସିତ । ସତେ ଯେପରି ଅଚଳେଶ୍ୱର ମନ୍ଦିର ଉତ୍ସବଉଲ୍ଲାସରେ ଆମୋଦିତ । ପକ୍ଷିରାବ, ମୟୂରନୃତ୍ୟଧ୍ୱନି ଓ କୋକିଳସଙ୍ଗୀତରେ ପାହାଡ଼ଟି ମୁଖରିତ । ରାଣା ଓ କମଳକୁମାରୀଙ୍କ ମିଳନ ଯୋଗୁଁ ଅଚଳେଶ୍ୱର ବୋଧହୁଏ ଏହି ସମସ୍ତ ନୃତ୍ୟ ଗୀତ କରାଇ ଆନନ୍ଦାନୁଭବ କରୁଛନ୍ତି ।

 

ଏହି ସମୟରେ ତିନିଜଣ ଲୋକ ଶ୍ରାନ୍ତ କ୍ଲାନ୍ତ ହୋଇ ଘର୍ମାକ୍ତ ଶରୀରରେ ଅଚଳେଶ୍ୱର ମନ୍ଦିର ଉପରକୁ କଷ୍ଟେ ମଷ୍ଟେ ଧୀରେ ଧୀରେ ଉଠୁଛନ୍ତି । ସେମାନଙ୍କ ମନ୍ଥର ଗତି, ବିବର୍ଣ୍ଣ ମୁଖ, ଘନଘନ ନିଶ୍ୱାସ ଓ ସ୍ୱେଦାର୍ଦ୍ର ବସ୍ତ୍ରରୁ ଜଣା ଯାଉଥିଲା, ସେମାନେ ବହୁଦୂରରୁ ବହୁ ସମୟ ହେଲା ଚାଲି ଆସୁଛନ୍ତି ।

 

ପାହାଡ଼ ଉପରକୁ ଉଠିବା ପଥଟି କଣ୍ଟା, ଲତା ବୁଦାରେ ପରିପୂର୍ଣ୍ଣ । ସ୍ଥାନେ ସ୍ଥାନେ ବଡ଼ ବଡ଼ ଭୟଙ୍କର ବୃକ୍ଷ–ଯେପରି ହିଂସ୍ରଜନ୍ତୁମାନଙ୍କୁ ଆଶ୍ରୟ ଦେବାକୁ ଠିଆ ହୋଇଛି । ପ୍ରତ୍ୟୟ ଭୀଲମାନଙ୍କର ଯାତାୟାତ ଯୋଗୁଁ, ପାହାଡ଼ ତଳୁଁ ଉପର ଯାଏଁ ଗୋଟିଏ ରାସ୍ତା ଫିଟିଛି । ତାହା କିନ୍ତୁ ଅତି ସଂକୀର୍ଣ୍ଣ–ଏକ ସମୟରେ ଦୁଇ ଜଣ ମାତ୍ର ଚାଲି ପାରିବେ । ପଥଟି ଏପରି ବକ୍ରଭାବରେ ଚାଲିଛି ଯେ, ଯାଉଥିବାବେଳେ ପ୍ରତି ପଦବିକ୍ଷେପରେ ପଥିକର ବରାବର ମାର୍ଗ-ଭ୍ରମ ହୋଇଥାଏ । ଅନେକ ସ୍ଥଳରେ ବଡ଼ ବଡ଼ ବୃକ୍ଷ-ଶାଖା ତଳକୁ ଓହଳି ପଥରୁଦ୍ଧ କରି ପକାଇଛି । ସେହି ସେହି ସ୍ଥାନରେ ପାହାଡ଼ାରୋହିକୁ ମୁଣ୍ଡ ନୁଆଁଇ ଚାଲିବାକୁ ହୋଇଥାଏ ।

 

ବିଚାରା ବାଟୋଇ ତିନିଜଣ ଦାରୁଣ କଷ୍ଟ, ଅସୁବିଧା ସହ୍ୟ କରି, ଲତା ବୁଦା କଣ୍ଟାପ୍ରତି ତିଳେମାତ୍ର ଭୟ ଭ୍ରୂକ୍ଷେପ ନ କରି କ୍ରମେ ଉପରକୁ ଉଠିଲେ । ସେମାନଙ୍କ ମଧ୍ୟରୁ ଜଣେ, ଅନ୍ୟ ଦୁହିଁଙ୍କ ଅପେକ୍ଷା ଆକୃତିରେ ଓ ବୟସରେ କିଛି ସାନ–ସେ ନିତାନ୍ତ ଦୁର୍ବଳ ହୋଇପଡ଼ିଲା । ଏଣୁ ଅନ୍ୟ ଦୁଇ ଜଣ ତାହାର ଦୁଇ ହାତ ଦୁଇ ପାଖରୁ ଧରି ଅଚଳେଶ୍ୱରଙ୍କୁ ସ୍ମରଣ କରି ଚାଲିବାକୁ ଲାଗିଲେ । ଦେଖୁଁ ଦେଖୁଁ ସେମାନେ ଗିରିଶୀର୍ଷକୁ ଉଠି ଅଚଳେଶ୍ୱର ମନ୍ଦିର ନିକଟରେ ଯାଇ ଉପସ୍ଥିତ ହେଲେ । ସେତେବେଳେ ବୈକୁଣ୍ଠ ଯୋଗୀ ମନ୍ଦିର ପାର୍ଶ୍ୱସ୍ଥ ଏକ ମଣ୍ଡପରେ ବସି ବିଶ୍ରାମ ନେଉଥିଲେ । ତିନିଜଣ ତାଙ୍କୁ ସଭକ୍ତି ପ୍ରଣାମ କରିବା ପରେ, ଅଳ୍ପ ବୟସ୍କ ଲୋକଟି ସେଠାରୁ ଚଞ୍ଚଳ ଚାଲିଯାଇ ଦେବାଳୟ ମଧ୍ୟରେ ପ୍ରବେଶ କଲା ।

 

ଅବଶିଷ୍ଟ ଦୁହିଁଙ୍କ ମଧ୍ୟରୁ କେବଳ ଜଣକୁ ଚିହ୍ନିପାରି ବୈକୁଣ୍ଠ ଯୋଗୀ ସବିସ୍ମୟ ଆନନ୍ଦଭରା ମୁଖରେ ଉତ୍କଣ୍ଠିତ ହୋଇ କହିଲେ,–‘ଓହୋ ଦୁର୍ଗାଦାସ, କେତେଦିନ ପରେ ଯେ ! ସବୁ ଭଲ ତ ? ଦିଲ୍ଲୀରୁ କେବେ କିପରି ଫିଟି ଆସିଲ ? ଇନ୍ଦିରା କେଉଁଠି ? ଏ ଲୋକଟି କିଏ ?’ ଦୁର୍ଗାଦାସ କହିଲେ,–‘ଯୋଗେନ୍ଦ୍ର ! ଆପଣ ତ ତ୍ରିକାଳଜ୍ଞ–ଆପଣଙ୍କର ଅଜଣା ଅଛି କଣ ? ତଥାପି ଶୁଣନ୍ତୁ । ଏ ନୟନପାଳ, ଆମ ସଙ୍ଗେ ଇନ୍ଦିରା ବି ଆସିଛନ୍ତି । ସେ ପୁରୁଷ ବେଶରେ ଥିବାରୁ ସେ ଆପଣଙ୍କୁ ପ୍ରଣାମ କରିବାବେଳେ ବୋଧହୁଏ ତାଙ୍କୁ ଚିହ୍ନିପାରିଲେ ନାହିଁ ।’

 

ଯୋଗୀ ଏକାବେଳକେ ଚମତ୍କୃତ ଓ ଆପ୍ୟାୟିତ ! ଦୁର୍ଗାଦାସ ଦିଲ୍ଲୀରେ ପହଞ୍ଚିବା ଦିନୁ ଇନ୍ଦିରା ଓ ନୟନପାଳ ସହିତ ଆବୁ ପାହାଡ଼କୁ ଆସିବା ଯାଏଁ ସଂଘଟିତ ପ୍ରତ୍ୟେକ ବିଷୟ ବିସ୍ତୃତ ଭାବରେ ଜଣାଇବା ପରେ କହିଲେ,–‘ପ୍ରଭୋ ! ଆପଣଙ୍କୁ ଏବଂ କୁମାର ଅଜିତ୍‌ଙ୍କୁ ଦେଖିବା ଉଦ୍ଦେଶ୍ୟରେ ଆମେମାନେ ଆସିଛୁଁ ।’ ଯୋଗୀ ନୟନପାଳଙ୍କ ହାତ ଧରି ସନ୍ତୋଷ-ଗଦ୍‌ଗଦ୍‍ କଣ୍ଠରେ ପ୍ରସନ୍ନ ମୁଖରେ କହିଲେ,–‘ବାବା, ତୁମେ ତୁମ ଗତ ଦୁଷ୍କର୍ମର ଯଥେଷ୍ଟ ଅନୁତାପ କରି ପୁଣି ଉତ୍ତମ ମାର୍ଗରେ ଉଠିଥିବା କଥା ଆଗଠୁଁ ଶୁଣି ପାରି ବିଶେଷ ପ୍ରୀତ ହୋଇଛି । ଯାହା ହେବାର ହୋଇଯାଇଛି । ଏଥର ବାବା, କ୍ଷତ୍ରିୟ-ଧର୍ମ ପାଳନ କର ।’

 

ନୟନପାଳ ଅତିଶୟ ଲଜ୍ଜାରେ ଅବନତମସ୍ତକ ହୋଇ, ଯୋଗୀଙ୍କ ପାଦରେ ପୁନର୍ବାର ପ୍ରଣାମ କଲେ । ଯୋଗୀ ସେମାନଙ୍କୁ ରାଣା ସମ୍ବନ୍ଧୀୟ ସକଳ ବୃତ୍ତାନ୍ତ କହି ତାଙ୍କ ସଙ୍ଗେ ମିଶି ଯୁଦ୍ଧରେ ଯୋଗ ଦେବା ପାଇଁ ଆଦେଶ ଦେଲେ । ରାଣା ସେଠାକୁ ପର ଦିନ କମଳକୁମାରୀକୁ ସଙ୍ଗେ ଧରି ଆସିବେ ବୋଲି କହି, ସେ ଆସିବା ଯାଏଁ ସେଠାରେ ଅବସ୍ଥାନ କରିବା ନିମିତ୍ତ ଦୁହିଁଙ୍କୁ ସାଗ୍ରହ ଅନୁରୋଧ କଲେ । ଦୁର୍ଗାଦାସ ତାଙ୍କ ପ୍ରସ୍ତାବରେ ଅଙ୍ଗୀକୃତ । ନୟନପାଳ କିନ୍ତୁ ବିନୀତ ଭାବରେ ଯୋଡ଼ହସ୍ତରେ ଯୋଗୀଙ୍କୁ କହିଲେ,–‘ଦେବ ! କ୍ଷମା କରନ୍ତୁ । ମୋର ଢେର୍ କାମ କରିବାର ଅଛି । ବାଦ୍‌ସାର ଯେପରି ହେଉ ଅନିଷ୍ଟ କରିବା ପାଇଁ ମୁଁ ପ୍ରତିଜ୍ଞାବଦ୍ଧ, ଏହା ଆପଣ ଜାଣନ୍ତି । ମୁଁ ଆଗେ ଆଗେ ଯାଇ ରାଜପୁତ୍ ସୈନ୍ୟ ସଙ୍ଗେ ମିଳିତ ହୋଇ କାର୍ଯ୍ୟକ୍ରମ ଠିକ୍ କରି ନେବି । ଏଣୁ ବିଦାୟ ଦିଅନ୍ତୁ ।’ ଏହା କହି ସେ ଯୋଗୀ ଓ ଦୁର୍ଗାଦାସଙ୍କ ନିକଟରୁ ବିଦାୟ ନେଇ ପାହାଡ଼ ଉପରୁ ଓହ୍ଲାଇଲେ ।

 

ଅଚଳେଶ୍ୱର ମନ୍ଦିର ନିକଟରେ ପ୍ରବିଷ୍ଟ ହେବା ମାତ୍ରେ ଇନ୍ଦିରା ଯୋଗୀଙ୍କୁ ପ୍ରଣାମ କରିବାର ଅବ୍ୟବହିତ ପରେ ମନ୍ଦିର ଭିତରକୁ ଯାଇ ତାଙ୍କର ପୁରୁଷ ବେଶ ତ୍ୟାଗ କଲେ । ସେଠାରେ ସେତେବେଳେ ଶିଶୁ ଅଜିତ୍‌ ଜଣେ ଭୀଲ ସ୍ତ୍ରୀ କୋଳରେ ବସି ଖେଳୁଥିଲେ । ଇନ୍ଦିରା ତାଙ୍କୁ କାଖରେ ଧରି ମନ ପୂରାଇ ତାଙ୍କ ମସ୍ତକରେ ଚୁମ୍ବନ କଲେ । ସେ ଜୀବନ ପର୍ଯ୍ୟନ୍ତ ଦେଇ ଯାହାଙ୍କୁ ରକ୍ଷା କରିବା ନିମିତ୍ତ ପ୍ରସ୍ତୁତ, ସେହି ବହୁ ଦିନର ସଞ୍ଚିତ ଆଶା କୁମାରଙ୍କୁ ଦେଖି ତାଙ୍କର ଯେ କେତେ ଆନନ୍ଦ ହୋଇଥିବ, ତାହା ବୁଝାଇବା ଅନାବଶ୍ୟକ । ପରେ ସେ ସେଠାରେ ବସି, ଅଜିତ୍‌ଙ୍କୁ କୋଳରେ ଧରି ତାଙ୍କୁ ଘନ ଘନ ଚୁମ୍ବନ ଓ ଗାଢ଼-ସ୍ନେହାଲିଙ୍ଗନ କଲେ ଏବଂ ତାଙ୍କର ସରସ ଦରବିକଶିତ ମୁଖକୁ ଚାହିଁ ବହୁ ସମୟ ପର୍ଯ୍ୟନ୍ତ ପୂର୍ବ ଘଟନା ସ୍ମରଣରେ ଚିନ୍ତିତ, ଭାବିତ ହୋଇ ପଡ଼ିଲେ । ତାଙ୍କ ପ୍ରାଣ ପୁଷ୍ପ ଭଳି କୋମଳ ଏବଂ ଲୌହ ପରି ଶକ୍ତ । ଏଣୁ ଶୋକାବେଗ ସମ୍ଭାଳି ନ ପରି କିଛି କ୍ଷଣ ପରେ ବାହୁନି ବାହୁନି ବିଳାପ କରିବାକୁ ଲାଗିଲେ । ଅଜିତ୍ ସେତେବେଳେ ହାତ ଗୋଡ଼ ହଲାଇ, ଇନ୍ଦିରାଙ୍କ ମୁଖକୁ ବାଲୁ ବାଲୁ ଚାହିଁ ଥରକୁ ଥର ହସି ଉଠୁଥିଲେ । ନିରୀହ ସରଳ ଶିଶୁର ଏହି ଖେଳ କୌତୁକ, ଦରହାସପୂର୍ଣ୍ଣ ମଧୁର ସୁନ୍ଦର ମୁଖ ଦେଖି ଇନ୍ଦିରା ପୂର୍ବ ଦୁଃଖ ତାପ ସମସ୍ତ ଭୁଲି ଗଲେ, କ୍ରନ୍ଦନରୁ ବିରତ ହେଲେ ।

 

ସେ ପାର୍ଶ୍ୱସ୍ଥ ଭୀଲାଙ୍ଗନା ସହିତ କଥାବାର୍ତ୍ତା କରିବାବେଳେ, ଯୋଗୀ ଓ ଦୁର୍ଗାଦାସ ସେଠାରେ ଉପସ୍ଥିତ ହେଲେ । ଇନ୍ଦିରା ହଠାତ୍ ଠିଆ ହୋଇ ଅଜିତ୍‌ଙ୍କୁ ନିଜେ ସ୍କନ୍ଧ ଉପରକୁ ଉଠାଇ ଯୋଗୀଙ୍କୁ ପୁଣି ପ୍ରଣାମ କଲେ । ଯୋଗୀ ଆଶୀର୍ବାଦ କରି କହିଲେ,–‘ମା, ତୁମର ନିର୍ମଳ ଚରିତ୍ର, ପ୍ରଖର ବୁଦ୍ଧି, ଅପୂର୍ବ ସାହସ ଓ ତୀକ୍ଷ୍‌ଣ ଚତୁରତା ବଳରେ ହିଁ ଯୋଧପୁର ବଂଶ ଆଜି ରକ୍ଷା ପାଇଛି-। ନାନା ବିଧାବିଘ୍ନ, ଜ୍ୱାଳା ଯନ୍ତ୍ରଣା ମୁଣ୍ଡରେ ଲଦି ତୁମେ ଯଶୋବନ୍ତ ସିଂହଙ୍କର ଯଥେଷ୍ଟ ଉପକାର କରିଛ । ଧନ୍ୟ ତୁମର ପ୍ରଭୁ-ଅନୁରାଗ, ଶତବାର ଧନ୍ୟ ତୁମର ବୀରତ୍ୱ !’ ଇନ୍ଦିରା ଭକ୍ତି, ବିନୟ ଓ ଲଜ୍ଜାରେ ଅଧୋମୁଖ ହୋଇ କହିଲେ,–‘ପ୍ରଭୋ ! ମୋର ଏଥିରେ କରିବାର ଅଛି କଣ-? ଆପଣଙ୍କ କଲ୍ୟାଣ ଓ କରୁଣା, ଭାଇଙ୍କ ବିକ୍ରମ ଓ ବୁଦ୍ଧି ଅଜିତ୍‌ଙ୍କ ସୌଭାଗ୍ୟ, ଆଉ ଚନ୍ଦ୍ରାବତୀ ସତୀତ୍ୱ ପ୍ରଭାବରେ ହିଁ ଯୋଧପୁର ଉଦ୍ଧାର ପାଇବାକୁ ସମର୍ଥ ହୋଇଛି ।’

 

ନୟନପାଳ ଯୋଗୀଙ୍କ ନିକଟରୁ ବିଦାୟ ନେଇ ପାହାଡ଼ତଳକୁ ଧୀରେ ଧୀରେ ଖସିବା ବେଳେ, ହଠାତ୍ ବହୁ ଦୂରରୁ ବାଦ୍‌ସାହୀ ଫୌଜ୍ ଦେଖି ପାରିଲେ । ସେ ମାର୍ଗରେ ବାରମ୍ବାର ଗତି ବନ୍ଦ କରି, ଊର୍ଦ୍ଧ୍ୱକୁ ମୁଖ ଟେକି, କିଞ୍ଚିତ ଭ୍ରୂକୁଞ୍ଚନ କରି ଗଭୀର ଚିନ୍ତା କରିବାକୁ ଲାଗିଲେ,–’ଦୁର୍ଗାଦାସ, ଇନ୍ଦିରା ଓ ଅଜିତ୍ ସିଂହ ବର୍ତ୍ତମାନ ମୋର ଆୟତ୍ତ । ରାଜସିଂହ ତ କାଲି କମଳକୁମାରୀଙ୍କ ସହିତ ଏଠାକୁ ଆସୁଛନ୍ତି । ଇଚ୍ଛା ହେଲେ, ଏ ସମସ୍ତଙ୍କୁ ଧରାଇ ଦେଇ ବାଦ୍‌ସା ହାତରେ ଯାତନା ଦିଆଇ ପାରିବି । ତାହାହେଲେ ସମ୍ରାଟ୍ ଏକା ଯୋଧପୁର କାହିଁକି, ଉଦୟପୁର ରାଜ୍ୟ ବି ମୋତେ ଦେଇପାରନ୍ତି । ....କିନ୍ତୁ ପୁଣି ଏ କି ପାପ ବିଚାର ! ରାଜ୍ୟ ଲୋଭରେ ସ୍ୱଜାତି ପ୍ରତି ବିଶ୍ୱାସଘାତକତା କରିବି ! ନା, ନା, କଦାପି ଏହା ହେବ ନାହିଁ । ଭାଇ ସଙ୍ଗେ ଭାଇ ମିଶି ବିଦେଶୀ ବିଧର୍ମ୍ମୀ ଅବିଶ୍ୱାସୀ ବାଦ୍‌ସାର ନିଶ୍ଚୟ ଅନିଷ୍ଟ କରିବ । ଏହାହିଁ ସିଦ୍ଧାନ୍ତ !’

 

ନୟନପାଳ ଏହିପରି ବିସ୍ତର ଚିନ୍ତାକଲେ । ଥରକୁ ଥର ପାହାଡ଼ ଶିଖର ଓ ମୋଗଲ ସୈନ୍ୟଆଡ଼େ ଚାହିଁ ଏପରି ଭାବି ଭାବି ଚାଲିଲେ । ପାହାଡ଼ର ପାଦଦେଶରେ ପାଦ ଦେବାକ୍ଷଣି ଦେଖିଲେ, ଗୋଟିଏ ବୃକ୍ଷ ମୂଳରେ ଘୋଡ଼ାଟିଏ ବନ୍ଧା ହୋଇଛି । ସେଠାକୁ କେହି ସୈନିକ ବା ଯୋଦ୍ଧା ଆସିଥିବା ସ୍ଥିର କରି ସେ ଇତସ୍ତତଃ ସନ୍ଧାନ-ଚଞ୍ଚଳ ଦୃଷ୍ଟି ନିକ୍ଷେପ କରୁଛନ୍ତି, ଏହି ଅବସରରେ କୁମାର ଶିବସିଂହ ତାଙ୍କ ସମ୍ମୁଖଦିଗରୁ ଧାଇଁ ଆସି ପଚାରିଲେ,–‘କିଏ ତୁମେ ? କି ଉଦ୍ଦେଶ୍ୟରେ ଏଠାରେ ।’ ତାଙ୍କ ଆକୃତିରୁ ସେ ଜଣେ ରାଜପୁତ୍ ବୋଲି ଅନୁମାନ କରି ନୟନପାଳ ହଠାତ୍ ଉତ୍ତର ଦେଲେ,–‘ମୁଁ ନୟନପାଳ, ଔରଂଜୀବ୍ ବିରୁଦ୍ଧରେ ରାଜପୁତ୍ ସଙ୍ଗେ ଯୋଗ ଦେବାକୁ ଆସିଛି ।’ ଶିବସିଂହ ବିସ୍ମିତ ଓ ଆଶ୍ୱସ୍ତ । ପରେ ନୟନପାଳ ଶିବସିଂହଙ୍କର ପରିଚୟ ପାଇ ସୁଖୀ ହେଲେ । ଦୁହେଁ କିଛି ସମୟ ସେଠାରେ ଠିଆ ହୋଇ କଥାବାର୍ତ୍ତା କଲେ । ନୟନପାଳ କହିଲେ, ‘ଶିବସିଂହ, ବର୍ତ୍ତମାନ ମୁଁ ଗୋଟିଏ ଗୁରୁତର କାମରେ ଯାଉଛି–ଅନ୍ୟାନ୍ୟ ବୃତ୍ତାନ୍ତ ସବୁ ଏହିକ୍ଷଣି କହିପାରୁ ନାହିଁ । କ୍ଷମା କରିବେ । ଅଚଳେଶ୍ୱର ମନ୍ଦିରରେ ଦୁର୍ଗାଦାସ, ଇନ୍ଦିରା ଅଛନ୍ତି । ସେଠାକୁ ଗଲେ ସେମାନଙ୍କ ମୁଖରୁ ଆପଣ ସବୁ କଥା ଶୁଣି ପାରିବେ । ଗୋଟିଏ ଅନୁରୋଧ–ଚଞ୍ଚଳ ପାହାଡ଼ ଉପରକୁ ଉଠି ଦୁର୍ଗାଦାସଙ୍କୁ କହିବେ ଯେ, ସେ ଏହି ମୁହୂର୍ତ୍ତରେ ଏଠାକୁ ଆସି ମୋ ସଙ୍ଗେ କିଛି କଥାବାର୍ତ୍ତା କରିବେ । ତାଙ୍କ ପାଇଁ ଏଠାରେ ଅପେକ୍ଷା କରି ରହିଲି । ଆଉ ଗୋଟିଏ କଥା–ଅନୁଗ୍ରହ କରି ଆପଣଙ୍କ ଘୋଡ଼ାଟି ମୋତେ ଦେବେ ।’

 

ଶିବସିଂହ ତାଙ୍କ ନିକଟରେ ଅଶ୍ୱଟି ଛାଡ଼ି ପାହାଡ଼ ଉପରକୁ ଯାଇ ଯୋଗୀ, ଦୁର୍ଗାଦାସ ଓ ଇନ୍ଦିରାଙ୍କ ସହିତ ସାକ୍ଷାତ୍‌ କଲେ । ଦେଖିବା ମାତ୍ରେ, ଯୋଗୀ, ଦୁର୍ଗାଦାସ ଓ ଶିବସିଂହଙ୍କୁ ପ୍ରେମାଲିଙ୍ଗନ କଲେ । ଶିବସିଂହଙ୍କ ଅନୁରୋଧରେ ଦୁର୍ଗାଦାସ ତାଙ୍କୁ ନୟନପାଳଙ୍କର ସକଳ ବୃତ୍ତାନ୍ତ ଶୁଣାଇଲେ । ଶିବସିଂହ ନିର୍ବାକ୍ ହୋଇ କିଛି କାଳ ଠିଆ ହୋଇରହିଲେ । ପରେ, ପାହାଡ଼ ତଳେ ନୟନପାଳ ପ୍ରତୀକ୍ଷା କରିଥିବା କଥା ଦୁର୍ଗାଦାସଙ୍କୁ ଜଣାଇଲେ । ସେହିକ୍ଷଣି ସେ ଓ ଦୁର୍ଗାଦାସ ପର୍ବତରୁ ଓହ୍ଲାଇ ନୟନପାଳଙ୍କ ନିକଟରେ ଯାଇ ଉପସ୍ଥିତ ହେଲେ ।

 

ଦୁହେଁ ସେଠାରେ ପହଞ୍ଚିବା ପୂର୍ବେ ନୟନପାଳଙ୍କ ମନରେ ନାନା ଚିନ୍ତାତରଙ୍ଗ ନାଚି ଗଲା । କେତେବେଳେ ଭାବିଲେ, ସେ ବାଦ୍‌ସାଙ୍କୁ ସାହାଯ୍ୟ କରିବେ–କେତେବେଳେ ବା ମନସ୍ଥ କଲେ ଯେ ସେ ରାଣାଙ୍କ ପକ୍ଷରେ ରହି ସ୍ୱଦେଶାଭିମାନ ଓ ଜାତୀୟମମତାର ପରିଚୟ ଦେବେ । ଯେ କୌଣସି ପକ୍ଷ ଧରନ୍ତୁ, ସେଇ ଦଳର ନେତାକୁ ତୋଷାମୋଦ୍ କରି କର୍ମକ୍ଷେତ୍ରରେ ଅଗ୍ରହର ହେବାର ଶେଷରେ ସ୍ଥିର କଲେ । ସେ ଦୁର୍ଗାଦାସ ଓ ଶିବସିଂହଙ୍କ ସଙ୍ଗେ କିଛିକ୍ଷଣ ଅନେକ ବିଷୟରେ ଆଳାପ କଲେ । ପରେ କେବଳ ଦୁର୍ଗାଦାସଙ୍କୁ ଅଳ୍ପ କିଛି ଦୂରକୁ ନେଇ ତାଙ୍କ କାନରେ କୌଣସି କଥା କହିଲେ । ଦୁର୍ଗାଦାସ ହର୍ଷୋତ୍‌ଫୁଲ୍ଲ ମୁଖରେ କହିଲେ,–‘ବେଶ୍ ପ୍ରସ୍ତାବ ! ହେଲା–ସେପରି ହିଁ ହେଉ ।’

 

ଶେଷରେ ନୟନପାଳ ଅଶ୍ୱାରୋହଣ କରି ସେଠାରୁ ଚାଲିଗଲେ । ଦୁର୍ଗାଦାସ ଓ ଶିବସିଂହ ଶୀଘ୍ର ଅଚଳେଶ୍ୱର ମନ୍ଦିରକୁ ବାହୁଡ଼ିଲେ । ଯୋଗୀଙ୍କ ପରାମର୍ଶରେ ବାଧ୍ୟ ହୋଇ, ଇନ୍ଦିରା ଶିଶୁ ଅଜିତ୍‌ଙ୍କ ସହିତ ଆବୁ ପାହାଡ଼ ଉପରେ ଆଉ କେତେକ ଦିନ ଅବସ୍ଥାନ କଲେ ।

Image

 

Unknown

ପଞ୍ଚତ୍ରିଂଶ ପରିଚ୍ଛେଦ

ପ୍ରତାରକ କର୍ତ୍ତୃକ ପ୍ରତାରକ ପ୍ରତାରିତ

 

ଔରଂଜୀବ୍‌ଙ୍କୁ ରୂପନଗର ସମୀପବର୍ତ୍ତୀ ହେବାର ଦେଖି, ତାଙ୍କର ସାକ୍ଷାତ୍ ଲାଭ ସକାଶେ ନୟନପାଳ ସେହି ଦିଗ ପ୍ରତି ଦ୍ରୁତ ବେଗରେ ଅଶ୍ୱ ଚଳାଇଲେ । ଯିବାବେଳେ ବିବିଧ ଚିନ୍ତା ଆଘାତରେ ତାଙ୍କ ପ୍ରାଣ ଉଦ୍‌ବେଳିତ ହୋଇଗଲା । ତାଙ୍କୁ ଦୂରରୁ ଦେଖିବା ମାତ୍ରେ ସମ୍ରାଟଙ୍କ ସୈନିକଦଳ ଅନୁମାନ କଲେ ଯେ, ସେ ଶତ୍ରୁ ପକ୍ଷର । ଏଣୁ ସତର୍କ ହୋଇ ଠିଆ ହେଲେ । ନୟନପାଳ ବାଦ୍‌ଶାଙ୍କ ଶିବିରଠାରୁ କିଛି ଦୂରରେ ଅଶ୍ୱ-ଗତି ବନ୍ଦ କରି, ଅଶ୍ୱଟିକୁ ଗୋଟିଏ ଗଛ-ଗଣ୍ଡିରେ ବାନ୍ଧି ଦେଇ ଶିବିର ଆଡ଼େ ଧୀରେ ଧୀରେ ଚାଲିବାର ଆରମ୍ଭ କଲେ । ତାଙ୍କୁ ଚିହ୍ନିବାକ୍ଷଣି ପଠାଣ ସିପାହିମାନେ ହସି ହସି କହିଲେ,–‘ଆରେ ! ଏ ଯେ ନୟନପାଳ–ଆମର ଆଦିମ୍ ।’

 

ଗଭୀର ବନମଧ୍ୟସ୍ଥ ବିଶାଳ ଏକ ପ୍ରାନ୍ତରରେ ଅସଂଖ୍ୟ ବାଦ୍‌ସାହୀ ଶିବିର ବହୁ ଦୂର ବିସ୍ତୃତ । ସେଗୁଡ଼ିକର ଗଠନ, ବର୍ଣ୍ଣ ଓ ଶ୍ରେଣୀ ବିଚିତ୍ର, ମନୋମୁଗ୍‌ଧକର । ବସ୍ତ୍ର-ନିର୍ମିତା ଏହି ମହାନଗରୀକୁ ଦ୍ୱିତୀୟ ଦିଲ୍ଲୀ ଆଖ୍ୟା ଦେଲେ ବି ଚଳେ । ସେନାନିବେଶ ପୁଂଜର ବିଭିନ୍ନ ବର୍ଣ୍ଣରେ ପ୍ରତିଫଳିତ ସୂର୍ଯ୍ୟାଲୋକରେ ପାର୍ଶ୍ୱସ୍ଥ ଅରଣ୍ୟରାଜି ପ୍ରାଣାହ୍ଲାଦକର ବେଶ ଧରି ଠିଆ ହୋଇଅଛି । କେଉଁ ପଟାବାସଟି ମହାର୍ହ ଉପାଦାନରେ ପ୍ରସ୍ତୁତ, କେଉଁଟି ତାହା ଅପେକ୍ଷା ହୀନ, କେଉଁଟି ବା ଅତି ସାମାନ୍ୟ । ଅଧିକାଂଶ ଛାଉଣୀ ଝାଲର-ମଣ୍ଡିତ । କେତେଗୋଟି ଝାଲରରେ ରତ୍ନ ଝଟକୁଛି, କେତୋଟିରେ ସୁନା ରୂପାରେ ତିଆରି ନକ୍ଷତ୍ର ଜକ୍ ଜକ୍ ଦିଶୁଛି । ପ୍ରତ୍ୟେକ ତମ୍ବୁ ଶୀର୍ଷରେ ପତାକା ଫରଫର୍ ଉଡ଼ୁଛି–କେଉଁ ପତାକାଟି ମଣି-ମୁକ୍ତା-ସ୍ୱର୍ଣ୍ଣ-ଭୂଷିତ, କେଉଁଟି ତଦପେକ୍ଷା ନିକୃଷ୍ଟ, କେଉଁଟି ବା ସାମାନ୍ୟ କାର୍ପାସ-ବସ୍ତ୍ର-ନିର୍ମିତ । ବାଦ୍‌ସା ଦିଲ୍ଲୀରେ ଯେପରି ମହାର୍ଘ ହର୍ମ୍ମ୍ୟମାଳା ମଧ୍ୟରେ ବାସ କରୁଥିଲେ, ଏଠାରେ ମଧ୍ୟ ସେହିପରି ରହିଛନ୍ତି । ସେପରି ଦରବାର-ଭବନ, ସେପରି ବୈଠକଖାନା, ସେପରିହିଁ ରଙ୍ଗମହାଲ୍ । ଏହି କେତେ ଗୋଟି ଶିବିରରେ ଲୌହ ପିତ୍ତଳର ସାଜସଜ୍ଜା-ଦ୍ୱିତଳ ପ୍ରଶସ୍ତ କକ୍ଷ–ସୁଉଚ୍ଚ ସୁବିସ୍ତୃତ ଦ୍ୱାରା । ଖାସ୍ ଦରବାର-ଶିବିର ଓ ଉଦିପୁରୀ-ମହାଲ୍‌ ପଟ୍ଟବସ୍ତ୍ର-ନିର୍ମିତ, ଚାରୁକାରୁ କାର୍ଯ୍ୟ ଖଚିତ ଓ ବିବିଧ ମନୋରମ ଚିତ୍ର-ବିମଣ୍ଡିତ–ଚତୁର୍ଦ୍ଦିଗରେ ପଟ୍ଟ-ଝାଲର । ଏହି ଦୁଇ ଛାଉଣିର ପ୍ରାଚୀନ ବଡ ବଡ ପିତ୍ତଳ ସ୍ତମ୍ଭଦ୍ୱାରା ସୁରକ୍ଷିତ–ଉପରେ, ଦିଲ୍ଲୀ–ପ୍ରାଚୀର ଭଳି, ଗୁମ୍ବଜ । ଏ ଦୁଇ ତମ୍ବୁ ଶିଖରର ସୁବର୍ଣ୍ଣ କଳସ ସୂର୍ଯ୍ୟ ଚନ୍ଦ୍ର କିରଣରେ ଝଲ୍‌ ମଲ୍‌ ହୋଇ ଚିତ୍ତ ଚକ୍ଷୁ ରଞ୍ଜନ କରି ଦେଉଛି । ଦରବାର-ଶିବିର ମଧ୍ୟରେ ରତ୍ନ-ଖଚିତ ରକ୍ତ ମଖମଲ୍ ନିର୍ମିତ ବିସ୍ତୃତ ଚନ୍ଦ୍ରାତପ-ନିମ୍ନରେ ବିଚିତ୍ର ଗାଲିଚା–ଶିବିରର ମଧ୍ୟସ୍ଥଳରେ ଉନ୍ନତ, ଶକ୍ତ ଏକ ମଣ୍ଡପ–ତହିଁ ଉପରେ ସ୍ୱର୍ଣ୍ଣ-ସଂଯୁକ୍ତ ସୁଦୀପ୍ତ ସୁନ୍ଦର ରାଜସିଂହାସନ ।

 

ସିଂହାସନ ସମ୍ମୁଖ ଓ ପାର୍ଶ୍ୱରେ କେତେଗୋଟି ଚଉକି । ଉଦିପୁରୀ-ମହାଲ୍‌ର ଚତୁର୍ଦ୍ଦିଗରେ ଅସ୍ତ୍ରଧାରିଣୀ ତାହାର ସୁନ୍ଦରୀମାନଙ୍କ ପ୍ରହରା । ଦରବାର–ଛାଉଣିଟି ପ୍ରସିଦ୍ଧ ମୋଗଲ ଯୋଦ୍ଧାମାନଙ୍କ ଦ୍ୱାରା ରକ୍ଷିତ ।

 

ମୋଗଲ ସର୍ଦ୍ଦାର ଓ ସୈନ୍ୟାଧ୍ୟକ୍ଷଗଣ ନୟନପାଳଙ୍କୁ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଗଲେ । ବହୁକାଳ ସେ ବାଦ୍‌ସାଙ୍କ ଅଧୀନରେ କାର୍ଯ୍ୟ କରିଥିବାରୁ, ସେଠାରେ ଏପରି କୌଣସି ପଠାଣ କର୍ମଚାରୀ ନଥିଲା, ଯେ ତାଙ୍କର ଅପରିଚିତ । ତଥାପି ସେ କାହାରି ସଙ୍ଗେ ଆଳାପ ନ କରି ବରାବର ବାଦ୍‌ସା–ତମ୍ବୁଆଡ଼େ ଚାଲିଲେ । ମଧ୍ୟ ମଧ୍ୟରେ ତାଙ୍କର ଗତି ରୁଦ୍ଧ କରି ଦେଇ କେତେ ଜଣ ସୈନିକ ପଚାରିବାକୁ ଲାଗିଲେ,–‘ନୟନପାଳ ! ଜଇଲରୁ ଫିଟି ବାହାରି ଆସିଛ କିପରି ?’ କେତେଜଣ କହିଲେ,–‘ଫିଟିଲ ତ ଫିଟିଲ–ଲୁଚି ଆଉ କେଉଁ ଆଡ଼େ ନ ପଳାଇ, ବାଦ୍‌ସାଙ୍କ ଠାକୁ ଆସିଲ କିଆଁ ?’ କେହି କେହି କହିଲେ,–‘ବାଦ୍‌ସା ଏଥର ତୁମକୁ କଡ଼ା ଦଣ୍ଡ ନ ଦେଇ ଛାଡ଼ିବେ ନାହିଁ ।’ କେହି କେହି ଅତିଶୟ ଉତ୍କଣ୍ଠା ସହ ତାଙ୍କୁ ପ୍ରଶ୍ନ କଲେ,–‘ବାଦ୍‌ସାଙ୍କ ନିକଟରେ ତୁମର କି କାମ ଅଛି ?’ ଏପରି ଅନେକ ଲୋକ ତାଙ୍କୁ ନାନା ବିଷୟ କହିଲେ, ବିବିଧ ପ୍ରଶ୍ନ ପଚାରିଲେ । ନୟନପାଳ କାହାକୁ କୌଣସି ଉତ୍ତର ନ ଦେଇ କ୍ରମାଗତ ଅଗ୍ରସର ହେଲେ । ସମ୍ରାଟ ସେତେବେଳେ କେଉଁଠାରେ ଅଛନ୍ତି ବୋଲି ସେ କେତେ ଜଣଙ୍କୁ ପଚାରିଲେ ମାତ୍ର । ତାଙ୍କ ସହିତ ବହୁକାଳ ପରିଚିତ ଏବଂ ତାଙ୍କ ଦ୍ୱାରା ବିଶେଷ ଉପକୃତ ହୋଇଥିବା ଯୋଗୁଁ, ପଠାଣ ସୈନିକମାନେ ତାଙ୍କ ଗତରେ ବାଧା ଦେଲେ ନାହିଁ । ସେ କ୍ରମେ ବାଦ୍‌ସାଙ୍କ ଶିବିର ସମୀପରେ ଯାଇ ଉପସ୍ଥିତ ହେଲେ । ସେଠାରେ ପ୍ରହରିଦଳ କିନ୍ତୁ ତାଙ୍କୁ ଛାଉଣି ଭିତରକୁ ଛାଡ଼ିଲେ ନାହିଁ । ଏଣୁ ସେ ସେମାନଙ୍କୁ ଭୟ ଦେଖାଇ କହିଲେ,–‘ଶୁଣ, ବାଦ୍‌ସାଙ୍କୁ ଅନେକ ଗୁରୁତର କଥା ଶୁଣାଇବାକୁ ଆସିଛି । ମୋତେ ଭିତରକୁ ଛାଡ଼ିବାକୁ ନ ଦେଲେ, ବାଦ୍‌ସାଙ୍କର ବିଶେଷ କ୍ଷତି ହେବ । ରାସ୍ତା ପରିଷ୍କାର କରି ଚଞ୍ଚଳ–ନ ହେଲେ ସାବଧାନ, ବାଦ୍‌ସା ତୁମମାନଙ୍କୁ କଠିନ ଦଣ୍ଡ ଦେବେ ।’ ପ୍ରହରିଗଣ ଭୀତ, ତ୍ରସ୍ତ ହୋଇ ତାଙ୍କୁ ବାଟ ଛାଡ଼ିଦେଲେ ।

 

ନୟନପାଳ ବର୍ତ୍ତମାନ ଔଂରଜୀବ୍‌ଙ୍କ ଛାଉଣି ମଧ୍ୟରେ । ବାଦ୍‌ସା ସିଂହାସନରେ ଆସୀନ ହୋଇ ଧୂମପାନ ସଙ୍ଗେ ସଙ୍ଗେ ପାର୍ଶ୍ୱସ୍ଥ ଓ ସମ୍ମୁଖସ୍ଥ ଉଚ୍ଚ ସମର-କର୍ମଚାରିମାନଙ୍କ ସହିତ ଉତ୍ସାହ-ସ୍ଫୁରିତ ମୁଖରେ, ସାନନ୍ଦ ଚିତ୍ତରେ ଯୁଦ୍ଧବିଷୟକ ଆଲୋଚନାରେ ଲାଗିଛନ୍ତି । କର୍ମଚାରିଦଳ ତାଙ୍କ ପ୍ରତି ନିବଦ୍ଧ ଦୃଷ୍ଟିରେ ଚାହିଁ ରହିଛନ୍ତି । ଏହି ସମୟରେ ନୟନପାଳ ଧୀରେ ଧୀରେ ବାଦ୍‌ସାଙ୍କ ଆସନ ନିକଟକୁ ଯାଇ ତାଙ୍କୁ କୁର୍ଣ୍ଣିସ କଲେ ଏବଂ ବିନୟ-ନମ୍ର, ଭକ୍ତିସୂଚକ ଠାଣିରେ ଭୀତି-ଚଞ୍ଚଳ ଦୃଷ୍ଟି ନିକ୍ଷେପ କରି କିଛି ଦୂରରେ ଠିଆ ହୋଇରହିଲେ । ସମ୍ରାଟ ହଠାତ୍ ଚମକିତ ହୋଇ ଦୃଢ଼ ସ୍ୱରରେ କହିଲେ,–‘ନୟନପାଳ, ବନ୍ଦୀ ଥିଲ ପରା ? ଆସିଲ କିପରି ?’

 

ନୟନପାଳ ଶଙ୍କିତ ଦୃଷ୍ଟିପାତ କରି କହିଲେ,–‘ଜନାବ୍, ଆପଣ କ୍ରୁଦ୍ଧ ହୋଇ ମୋତେ ବନ୍ଦୀ କରିଥିଲେ ସତ୍ୟ; ମୁଁ କିନ୍ତୁ ବାଦ୍‌ସାଙ୍କ ଅନ୍ନ ଜଳରେ ପୁଷ୍ଟ–ଉପସ୍ଥିତ ସମୟରେ ବାଦ୍‌ସାଙ୍କ ଉପକାରରେ ନ ଲାଗି ନେମକହାରାମ ହୋଇ ରହିବାକୁ ମୋ ମନ ମାନିଲା ନାହିଁ । ଏଣୁ ପ୍ରଭୁ-ଭକ୍ତି ଦେଖାଇବାର ଉପଯୁକ୍ତ ସମୟ ଦେଖି–ଯୁଦ୍ଧରେ ଆପଣଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବା ପାଇଁ–ଗୁପ୍ତଭାବରେ ଜଇଲ୍‌ରୁ ଫିଟି ଆପଣଙ୍କ ପଛେ ପଛେ ଆସିଛି ।’

 

ଔରଂଜୀବ୍ ତାଙ୍କ ଉପରେ ହାସ୍ୟୋଜ୍ଜ୍ୱଳ କଟାକ୍ଷ ନିକ୍ଷେପ କରି ପରିହାସ-କମ୍ପିତ ସ୍ୱରରେ କହିଲେ,–‘ଲଜ୍ଜାହୀନ ! ଯଥେଷ୍ଟ ପ୍ରଭୁ-ଭକ୍ତି ତ ଦେଖାଇଛୁ ! ଫେର୍ କାହିଁକି ଏ ପ୍ରୟାସ ?’

 

‘ଜାଁହାପନା, ସେଭଳି କିଛି ନୁହେଁ । ରାଜପୁତ୍‌ମାନେ ଆପଣଙ୍କ ବିରୁଦ୍ଧରେ ଭୟଙ୍କର କାଣ୍ଡ ଉଠାଇଲେଣି, ଚମତ୍କାର ବ୍ୟୁହ ସାଜିଲେଣି । ଏହା ଶୁଣିପାରି, ଆପଣଙ୍କୁ ଜଣାଇବାକୁ ଆସିଛି-। କଥାଟା ଥଟ୍ଟାରେ ଉଡ଼ାଇ ଗାଳି ଦିଅନ୍ତୁ ନା ।’

 

ନୟନପାଳ ଏଭଳି ଗୁଡ଼ାଏ ଚମକପ୍ରଦ, ବାହ୍ଵାଡ଼ମ୍ବରପୂର୍ଣ୍ଣ କଥା ବାଢ଼ି ବସିଲେ । କିନ୍ତୁ ଚତୁର ସମ୍ରାଟ ତାଙ୍କ କଥା ହଠାତ୍‍ ବିଶ୍ଵାସ ନ କରି, ସତ୍ୟାସତ୍ୟ ପରୀକ୍ଷା କରିବ ଉଦ୍ଦେଶ୍ୟରେ ତିରସ୍କାର କରିବାକୁ ଲାଗିଲେ । କହିଲେ,–‘ନୟନପାଳ ! ତୁମ ବଡିମା-ବୁଜୁଳି ବାନ୍ଧିରଖ ଏଥର । ସାନ ତୁଣ୍ଡରେ ବଡ଼ କଥା ଶୋଭା ପାଏ ନାହିଁ । ଚନ୍ଦ୍ରାବତୀଙ୍କୁ ଆଣିବା ପାଇଁ ଏଭଳି ଘଟାଟୋପ ଦେଖାଇ ଯାଇଥିଲ–ସେକଥା ହୃଦୟରେ ଗାର ହୋଇ ରହିଛି । ଶେଷରେ କିନ୍ତୁ ହେଲା କଣ ? ଡରି ଥରି, କାନ ମୁଣ୍ଡ ଆଉଁସି, ପାଟି ଲେସିଡ଼ି ହାତ ମନ୍ଥି ମନ୍ଥି ବାହୁଡ଼ିଲି ସିନା ! ଏହା କିଛି ନୂଆ କଥା ନୁହେଁ–ଅଧିକ ଆଉ କହ ନାହିଁ ।’

 

‘ଖୋଦାବନ୍ଦ ! ଏପରି କହିବା ଅନ୍ୟାୟ ଆପଣଙ୍କର । ରାଜପୁତ୍‍ମାନଙ୍କର ଷଡ଼ଯନ୍ତ୍ର ସବୁ ଜଣାଇବା ପାଇଁ ଆସିଛି । ମୋତେ ବନ୍ଦୀ କରି କେତେ କଠିନ ଶାସ୍ତି ଦେଇଥିଲେ ହେଁ, ବିପଦବେଳେ ଆପଣଙ୍କର ଯତ୍‍କିଞ୍ଚିତ୍‍ ସହାୟ ହେବ ମୋର ଧର୍ମ । କୃତଜ୍ଞତା ଦେଖାଇ ଆପଣଙ୍କ କୃପାରେ ଯୋଧପୁର ରାଜ୍ୟ ଲାଭ କରିବା ପାଇଁ ମୁଁ ଲାଳାୟିତ । ଆଜି ଆପଣଙ୍କର ଉପକାର କରି ବହୁଦିନର ବାସନା ପୂରଣ କରିବି, ଭାବିଛି । ଅନୁମତି ହେଲେ, ଏକାନ୍ତରେ କେତେ କଥା ଜଣାଇବି-।’

 

ବାଦ୍‍ଶା ଏକାବେଳକେ ଆଶାନ୍ଵିତ ! ସେ ସମବେତ କର୍ମଚାରୀମାନଙ୍କୁ କିଛି କ୍ଷଣ ଶିବିର ତ୍ୟାଗ ପାଇଁ ଆଦେଶ କରି, ନୟନପାଳଙ୍କୁ ନିକଟକୁ ଡାକି ତାଙ୍କ ସାଙ୍ଗେ ଗୁପ୍ତ କଥା ବାର୍ତ୍ତା ଆରମ୍ଭ କଲେ ।

 

‘ନୟନପାଳ ! ଯାହା ଇଚ୍ଛା, କହିପାର ଏବେ ।

 

ଜନାବ ! ମୁଁ ରାଜପୁତ୍‍ମାନଙ୍କ ସଙ୍ଗେ କପଟ ସ୍ନେହ କରି, ସେମାନଙ୍କୁ ଆପଣଙ୍କ ବିରୁଦ୍ଧରେ ଏଣୁତେଣୁ ଗୁଡ଼ାଏ କହି, ଦୁର୍ଗାଦାସ ପ୍ରଭୃତିଙ୍କ ମନକଥା ବାହାର କରିନେଲି । ଦୁର୍ଗାଦାସ ବନ୍ଦିଶାଳାରୁ ଫିଟି ଇନ୍ଦିରା ସହିତ ବର୍ତ୍ତମାନ ଆବୁପାହାଡ଼ ଉପରେ ଜଣେ ଯୋଗୀଙ୍କ ପାଖରେ ଅଛି-। ଚନ୍ଦ୍ରାବତୀର ଦ୍ଵିତୀୟ କୁମାର ବି ସେଠାରେ । କାଲି ସକାଳେ ରାଜସିଂହ କମଳକୁମାରୀକୁ ସଙ୍ଗେ ଧରି ସେହି ପାହାଡ଼କୁ ଆସିବ । ଗୋଟିଏ ଉପାୟ କଲେ ସେମାନେ ସମସ୍ତେ ଆପଣଙ୍କ ହାତରେ ପଡ଼ିଯିବେ ।’

 

‘ସାବାସ ନୟନପାଳ ! ଦେଖୁଛି, ତୁମେ ଖାଲି ପ୍ରଭୁଭକ୍ତ ନୁହ–ଚତୁର ରାଜନୀତିଜ୍ଞ ମଧ୍ୟ-। ତୁମ ସଙ୍ଗେ ଚତୁରୀ ନିଷ୍ଫଳ । ଧନ୍ୟ ତୁମର ବୁଦ୍ଧି-କୌଶଳ ! ଉପଯୁକ୍ତ ସମୟରେ ଏ ଖବର ଆଣି ଶୁଣାଇଛ । ଚଞ୍ଚଳ ସେଠାକୁ ସୈନ୍ୟ ପରଓଆନା କରି ସେମାନଙ୍କୁ ବାନ୍ଧି ଆଣିବା-। ଏହା ତ ସାମାନ୍ୟ ବିଷୟ !’

 

ମହାରାଜାଧିରାଜ ! ଏପରି କହନ୍ତୁ ନା । ଏ ଖବର ପାଇଲେ ସେମାନେ ପର୍ବତ-ଗୁମ୍ଫାରେ ଲୁଚି ଯାଇପାରନ୍ତି । ତାହାହେଲେ ସେମାନଙ୍କୁ ଧରିବା କଠିନ ହୋଇପଡ଼ିବ । ଏଣୁ ଗୁପ୍ତ ଭାବରେ ଯାଇ ସେମାନଙ୍କୁ ଆକ୍ରମଣ କରିବ ଦରକାର ।’

 

‘ପାଗଳ ! ପର୍ବତ ଚାରିଆଡ଼େ ସୈନ୍ୟ ଘେରି ରହିଲେ ଲୁଚିବେ ସେମାନେ କେଉଁଠି ?

 

‘ପୁଣି ସେଇୟା କହୁଛନ୍ତି ବାଦ୍‍ଶା! ପର୍ବତ ଉପରେ ଥିବା ଯୋଗୀ ବଡ଼ ମାୟାବୀ । ତିନିକାଳର ଘଟଣା ଜାଣିପାରୁଛି ବୋଲି ତାର ଖୁବ୍ ଦମ୍ଭ । ଫେର୍‍ ଦୁର୍ଗା ଦାସ, ଇନ୍ଦିରାଙ୍କ କଥା ତ ଆମର ଅଜଣା ନାହିଁ । ଆମେମାନେ ସେଠାକୁ ଯିବାର ଶୁଣି ପାରିଲେ, ଯେ କୌଣସି ଉପାୟରେ କେଉଁଆଡ଼େ ଲୁଚି ପଳାଇ ପାରନ୍ତି ।’

 

‘ତେବେ କହୁଛ କଣ ?’

 

‘କହିବାର ଆଉ ଅଛି କଣ, ସମ୍ରାଟ? ରାଜସିଂହ, କମଳକୁମାରୀ ତ କାଲି ଯୋଗୀ ନିକଟକୁ ଯିବେ । ଏଣୁ କାଲି ମଧ୍ୟାହ୍ନରେ ଯାଇ ପାହାଡ଼ ଘେରାଉ କରିଦେବାକୁ ହେବ । ତାହା ହେଲେ, ସେମାନେ ଆଉ କେଉଁଠାକୁ ଯାଇପାରିବେ ନାହିଁ । ଏ ପାହାଡ଼ ଚାରି ପାଖ ଝାଡ଼ ବନ ମଧ୍ୟରେ ସେଥି ଭିତରେ ସଂକୀର୍ଣ୍ଣ ରାସ୍ତା ଅନେକ । ଆମ ସୈନ୍ୟ ଗୁପ୍ତଭାବରେ ବନ ମଧ୍ୟରେ ପଶି, ପାହାଡ଼ ଚାରିଆଡ଼େ ଛକା ଛକି ରହିଲେ, ଉପରର ଲୋକେ ଆପଣମାନଙ୍କୁ ଆଉ ଦେଖିପାରିବେ ନାହିଁ । ପର୍ବତ ରାସ୍ତା, ବନବାଟ ମୋର ଅପରିଚିତ ନୁହେ । ଏଣୁ ଗୁପ୍ତ ମାର୍ଗରେ ମୁଁ ସେନା ଚଳାଇ ପାରିବି । ଏପରି ଧୀର ସ୍ଥିର ହୋଇ ଛପି ଛପି ଯିବାକୁ ହେବ ଯେ, ଗଛର ପକ୍ଷୀମାନେ ବି ଆମର ଶବ୍ଦ ଶୁଣି ପାରିବେ ନାହିଁ । ଏଥିରେ ଆପଣଙ୍କର କି ଅଭିମତ ? ମୋ ହାତରେ ଯୋଧପୁର ଦେବା କାମ କିନ୍ତୁ ବାଦ୍‍ଶାଙ୍କର । ଏତିକି ମାତ୍ର ଗୁହାରି । ‘

 

ଔରଂଜୀବ୍‍ ସନ୍ତୋଷ ଓ ଆଶାରେ ଉତ୍‍ଫୁଲ୍ଲ ହୋଇଗଲେ । ଧୀର କୋମଳ ସ୍ଵରରେ କହିଲେ,–‘ନୟନ ପାଳ, ଏ ସାମାନ୍ୟ ବିଷୟ ଥରକୁ ଥର ସ୍ମରଣ କରାଇବା ଦରକାର ନାହିଁ । ଦେଖିବି, ଏ କାମରେ ତୁମେ କିପରି ବୁଦ୍ଧି ପ୍ରୟୋଗ କରିବ । ପରେ, ଯୋଧପୁର ସିଂହାସନ ତୁମର-।’

 

ସମ୍ରାଟ ଏତିକି ମାତ୍ର କହି ତୁନି ରହିଲେ ନାହିଁ–ସେହିକ୍ଷଣି ଆନନ୍ଦ ସହିତ ନୟନପାଳଙ୍କ ଗଳାରେ ଗୋଟିଏ ମୁକ୍ତାମାଳା ଲମ୍ବାଇ ଦେଲେ ।

 

ବାସ୍ତବିକ ବଞ୍ଚକ ବଞ୍ଚକଦ୍ୱାରା ହିଁ ବଞ୍ଚିତ ହେଲା । କଣ ହେବ ଏଥର ଦେଖାଯାଉ ।

 

ପରେ ସମ୍ରାଟ ତାଙ୍କର ସେନାପତିମାନଙ୍କୁ ଡକାଇ ଆଦେଶ କଲେ ଯେ, ସେମାନେ ଏକ କ୍ଷଣ ସୁଦ୍ଧା ବିଳମ୍ବ ନ କରି ଯୁଦ୍ଧ ପାଇଁ ସେନା ସଜ୍ଜିତ କରିବେ । ତାଙ୍କ ଆଦେଶ ସୈନ୍ୟ ମଧ୍ୟରେ ଶୀଘ୍ର ଘୋଷିତ ହେଲା । ସେମାନେ ଅସ୍ତ୍ର ଶସ୍ତ୍ର ଧରି ବାହାରିଲେ । ସୈନ୍ୟକମାନେ ଏହି ଆକସ୍ମିକ ସମର-ସଜ୍ଜାର ଉଦ୍ଦେଶ୍ୟ କିଛି ବୁଝିପାରିଲେ ନାହିଁ । କିନ୍ତୁ ଏକଥା ସମ୍ରାଟଙ୍କୁ ପଚାରି ବୁଝିବ, ଏପରି ସାହସ କାହାର ? ତଥାପି ସାଦତ୍‍ ଖାଁ ହୃଦୟରେ ସାହସ ସଞ୍ଚୟ କରି ବାଦ୍‍ଶାଙ୍କ ନିକଟକୁ ଯାଇ ବିନୀତ ଭାବରେ କହିଲେ,–‘ଜନାବ, ସୈନ୍ୟ ବର୍ତ୍ତମାନ କେଉଁଠାକୁ ନେବା ଦରକାର-? ଏପରି ହଠାତ୍‍ ବାହରିବାର କାରଣ ଜାଣି ପାରିବ ତ ? ଏ ପ୍ରଶ୍ନ ଜଣେ ସେନାପତିର–ଏଣୁ କ୍ଷମା ଚାହେଁ ।’’

 

ଔରଂଜୀବ୍‍ ଅତ୍ୟନ୍ତ ବିରକ୍ତ ହୋଇ କହିଲେ,–‘ଏ ପ୍ରଶ୍ନରେ ଅଧିକାର ନାହିଁ ତୁମର । ବର୍ତ୍ତମାନ ସେନାପତି ତୁମେ ନୁହ–ନିଜେ ମୁଁ । ଯାହା କହୁଛି, କର–ପ୍ରଶ୍ନର ବେଳ କାଳ ଏ ନୁହେଁ-।’ ଖାଁ ଚୁପ୍‍ ଚାପ୍‍ !

 

ନୟନପାଳ ତାଙ୍କ ଅଶ୍ଵଟି ସେହିକ୍ଷଣି ଅଣାଇ, ତାହା ଉପରେ ବସି ଆଗେ ଆଗେ ଚାଲିଲେ । ତାଙ୍କ ପଛେ ବାଦ୍‍ଶା ଏବଂ ତାଙ୍କର ସମସ୍ତ ସୈନ୍ୟ ପୌରଙ୍ଗନା ଗଣ, ଯୁଦ୍ଧସାମଗ୍ରୀ, ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଅନୁଚର ବର୍ଗ ଅଗ୍ରସର ହେଲେ । ଯିବାବେଳେ ମାର୍ଗରେ ନୟନପାଳ ବାରମ୍ବାର ବାଦ୍‍ଶାଙ୍କ ନିକଟକୁ ଯାଇ କଥାବାର୍ତ୍ତା କରୁଥିଲେ । ତାଙ୍କ ପ୍ରଦର୍ଶିତ ପଥରେ, ତାଙ୍କର ପରାମର୍ଶ ଅନୁସାରେ ସମ୍ରାଟଙ୍କ ଫୌଜ ଚାଲିବାକୁ ଲାଗିଲେ । ନୟନପାଳ ବାଦ୍‍ଶାଙ୍କୁ ସେହି ବନର ରାସ୍ତା କଣ୍ଟା, ଲତା, ବୁଦା ଗିରି ଗୁମ୍ଫା ଇତ୍ୟାଦି ଦେଖାଇ କହିଲେ,–‘ଜନାବ୍‍, ମୁଁ ଦିଲ୍ଲୀ ଯାଇ ଆପଣଙ୍କ ସେବାରେ ଲାଗିବା ପୂର୍ବେ, ଏହି ପ୍ରଦେଶରେ ହିଁ ବେଶି ବୁଲା ବୁଲି କରୁଥିଲି । ଏ ସବୁ ମୋର ପାଣି-ବାଟ । ମୁଁ ତ ଜାଣିବା ରାସ୍ତା ଏଠାରେ କିଛି ନାହିଁ ।’

 

କେତେକ ସମୟ ପରେ ବାଦ୍‍ଶାହା ସୈନ୍ୟ ସଂକୀର୍ଣ୍ଣ ଗୋଟିଏ ପର୍ବତ-ରନ୍ଧ୍ର-ପଥ ସମ୍ମୁଖରେ ଯାଇ ଉପସ୍ଥିତ ହେଲେ । କୌଶଳ-କୁଶଳ ନୟନପାଳଙ୍କ ଉପଦେଶ ଅନୁଯାୟୀ ସମ୍ରାଟ ଓ ତାଙ୍କର ଫୌଜ କ୍ରମଶଃ ସେହି ରନ୍ଧ୍ର ପଥରେ ପ୍ରବେଶ ଆରମ୍ଭ କଲେ । ଅଳ୍ପ ସମୟ ଅଳ୍ପ କେତେ ଦୂର ଚାଲିବାପରେ ବାଦ୍‍ଶା ନୟନପାଳଙ୍କୁ ପଚାରିଲେ,–‘ଏଠାରେ ପଥରଗୁଡ଼ାକ କଣ୍ଟାପରି ମୁନିଆ–ତାହା ଉପରେ ପାଦ ପକାଇବାକ୍ଷଣି ଉଭୟଙ୍କର ବାଧା ହେଉଛି । ଏ ରାସ୍ତାରେ ଚାଲିବା ବଡ଼ ମୁସ୍କିଲ୍‍ । ଯିବ କିପରି ?’’

 

‘ଆଉ କେତେ ଦୂର ମାତ୍ର ଏଭଳି ବାଟ ପଡ଼ିବ–ପରେ ସୁନ୍ଦର ଜାଗା ଦିଶିବ, ଚାଲନ୍ତୁ । ସେଠାରେ ଚାଲିବା ବଡ଼ ସୁବିଧାଜନକ ।’

 

ପଠାଣମାନେ କଷ୍ଟେ ମଷ୍ଟେ ଗହ୍ୱର ମଧ୍ୟରେ କ୍ରମାଗତ ଚାଲିଲେ । ଔରଂଜୀବ୍‍, ନୟନପାଳ ଓ କେତେ ଜଣ ଅଶ୍ଵାରୋହୀ ସୈନ୍ୟ ଗୁହରେ ପଶି ସାରିଲେଣି–ଉଦିପୁରୀ, ଦାସୀ, ଗାୟିକା ନର୍ତ୍ତକୀ, ପଦାତିକ ସେନା ପ୍ରଭୃତି ଆହୁରି ପ୍ରବେଶ କରି ନାହାନ୍ତି–ଭୋଜନସାମଗ୍ରୀ, ଅସ୍ତ୍ର ଶସ୍ତ୍ର ଓ ଅନ୍ୟାନ୍ୟ ଯୁଦ୍ଧୋପକରଣ ଭିତରକୁ ଆହୁରି ଯାଇ ନାହିଁ, ଏହି ସମୟରେ କେଉଁ ଦିଗରୁ କେଜାଣି ରାଜପୁତ୍‍ ସୈନ୍ୟ ଅଦିନ ମେଘଭଳି ବାୟୁ ବେଗରେ ଧାଇଁ ଯାଇ ରନ୍ଧ୍ର-ଦ୍ଵାର ରୁଦ୍ଧ ପକାଇଲେ । ମୋଗଲର ବିପଦ୍ ଉପରେ ବିପଦ ! ପଠାଣ ପଦାତିକସେନା, ଉଦିପୁରୀ ଦାସଦାସୀ ପ୍ରଭୃତିଙ୍କ ଗତି ସହସା ବନ୍ଦ ହୋଇଗଲା–ସେମାନେ ବାଧ୍ୟତଃ ଆହାର୍ଯ୍ୟ ଅସ୍ତ୍ର ଶସ୍ତ୍ରାଦି ସହିତ ଗହ୍ୱରର ବହିର୍ଭାଗରେ ବିଶାଳ ରାଜପୁତ୍‍ ସୈନ୍ୟମଧ୍ୟରେ ଶଙ୍କିତ, ବିକଳଚିତ୍ତ ହୋଇ ରହିଲେ । ଅଗଣିତ ରାଜପୁତ୍‍ମାନଙ୍କ ଆଗରେ ଅତ୍ୟଳ୍ପ ସଂଖ୍ୟକ ମୋଗଲ ପଦାତି କରିପାରିବେ କଣ ? ଏଣୁ ସେମାନେ ଭୀତ ଅସ୍ତ୍ର, ନିଃସହାୟ ନିରୁପାୟ ହୋଇ ରହିଲେ । କ୍ଷୁଦ୍ର ଚଢ଼େଇପଲ ମଧ୍ୟରେ ହଠାତ୍‍ ଏକ ଆମିଷଲୋଲୁପ ଶ୍ୟେନ ପହଞ୍ଚିଲେ, ସେମାନେ ଯେପରି ଭଗ୍ନ ପ୍ରାଣରେ କିଚିରି ମିଚିରି ଶବ୍ଦ କରିଥାନ୍ତି–ସମ୍ମୁଖରେ ଗରୁଡ଼କୁ ଦେଖି ସର୍ପଦଳ ଯେପରି ଚକିତ ହୋଇ କାତର ଧ୍ୱନି କରିଥାନ୍ତି, ବିରାଟ ରାଜପୁତ୍‍ ସେନା ମଧ୍ୟରେ ରହି ସେପରି ଉଦିପୁରୀ ପ୍ରଭୃତି ସ୍ତ୍ରୀବର୍ଗ ଭୟ ଓ ବିସ୍ମୟରେ ଆର୍ତ୍ତନାଦ କରି ଉଠିଲେ–ବିନା ଯୁଦ୍ଧରେ ବନ୍ଦିନୀ ହୋଇପଡ଼ିଲେ । ଏଣେ ବାଦ୍‍ଶା ତାଙ୍କର ଅଧିକାଂଶ ସେନା ସହିତ ରନ୍ଧ୍ର-ପଥ ମଧ୍ୟରେ, ଜାଲନିବଦ୍ଧ ବୃହତ୍‍ ରୋହିତ ତୁଲ୍ୟ, ଆବଦ୍ଧ ହୋଇ ରହିଲେ ।

 

ସର୍ପ ସର୍ପ ଦ୍ଵାରହିଁ ଦଷ୍ଟ ହେଲା । ଗରଳାଘାତରେ ତାହାର କି ଅବସ୍ଥା ଦେଖନ୍ତୁ ପାଠକବର୍ଗ !

Image

 

ଷଟତ୍ରିଂଶ ପରିଚ୍ଛେଦ

(ଗିରିଗହ୍ୱରରେ ମୋଗଲକେଶରୀ ଆବଦ୍ଧ)

 

ଯେଉଁ ଗହ୍ଵର ମଧ୍ୟରେ ଅଧିକାଂଶ ମୋଗଲ ସେନା ଆବଦ୍ଧ ହୋଇରହିଲେ, ତାହା ପ୍ରାୟ ବାର ମାଇଲ୍‍ ଦୀର୍ଘ । ଉଭୟ ପାର୍ଶ୍ଵରେ ବିରାଟ ସମୁଚ୍ଚ, ସରଳୋନ୍ନତ ପର୍ବତ । ଉଭୟ ଗିରି ମଧ୍ୟସ୍ଥ ମାର୍ଗର ଦ୍ଵାରଦେଶଟି ଏକ ସମୟରେ ଚାରିଜଣ ମନୁଷ୍ୟ ପ୍ରବେଶ କରିବା ଭଳି ଓସାର । ଗୁମ୍ଫା ମଧ୍ୟରେ ବାର ମାଇଲ ଯିବ ପରେ ଅନ୍ୟ କୌଣସି ନିର୍ଗମ ପଥ ଦେଖାଯାଏ ନାହିଁ–ଦ୍ଵାଦଶ ମାଇଲ ନିକଟରେ ଦୁଇ ପର୍ବତ ମିଳିତ । ରନ୍ଧ୍ର-ପଥଟି ଗୋଟିଏ ଏକ ମୁଁହା ଛାତହୀନ ଦେଉଳ । ତିନି ଦିଗରେ ପର୍ବତ, ଉର୍ଦ୍ଧ୍ଵ ଭାଗ କିନ୍ତୁ ଉନ୍ମୁକ୍ତ–ଉପରେ ଉଭୟ ପର୍ବତ ମିଶିନଥିବା ଯୋଗୁଁ ଗୁମ୍ଫାରେ ଥିବା ଲୋକମାନଙ୍କୁ ଆକାଶ ଦେଖାଯାଏ । ଏଣୁ ଉଭୟେ ପାର୍ଶ୍ଵର ପର୍ବତ ଶିଖରରେ ଠିଆ ହୋଇ ଗହ୍ଵର ମଧ୍ୟସ୍ଥ ଲୋକମାନଙ୍କ ଉପରେ ଗୁଳି ବା ଶିଳା ବର୍ଷଣ କରିବା ସୁବିଧାଜନକ । ରନ୍ଧ୍ର-ମାର୍ଗଟି ଅତିଶୟ ଦୁର୍ଗମ, ସଂକୀର୍ଣ୍ଣ, ବନ୍ଧୁର, ଅନ୍ଧକାରପୂର୍ଣ୍ଣ, ତୀକ୍ଷଣାଗ୍ରପ୍ରସ୍ତରମୟ ଓ କଣ୍ଟକସମାକୀର୍ଣ୍ଣ । ସାନୁଦେଶ ଅତୀବ ଦୁରାରୋହ ଓ କଣ୍ଟକଯୁକ୍ତ ଥିବାରୁ, ଗହ୍ଵର ତଳୁ ଉପରକୁ ଉଠିବା ଅତ୍ୟନ୍ତ କଷ୍ଟକର ଓ ଅସମ୍ଭବ । ଗୁହାର ଦ୍ଵାରଟି ହିଁ ଏକ ମାତ୍ର ବହିର୍ଗମନ ପଥ । ଔରଂଜୀବ୍‍ ସସୈନ୍ୟେ ଏହି ମୃତ୍ୟୁ-ମନ୍ଦିର ସଦୃଶ ଭୀଷଣ ଗହ୍ଵର ମଧ୍ୟରେ ଅବରୁଦ୍ଧ । ଏଣେ ଦ୍ଵାର ଦେଶରେ ରାଜପୁତ୍‍ ସେନା ବାହାରର ଲୋକଙ୍କୁ ଭିତରକୁ ଏବଂ ଭିତରର ଲୋକଙ୍କୁ ବାହାରକୁ ଛାଡ଼ୁନାହାନ୍ତି ।

 

ପାଠକଗଣ ! ସେ ଦିନ ଆବୁ ପାହାଡ଼ର ପାଦଦେଶର, ନୟନପାଳ ଓ ଦୁର୍ଗାଦାସଙ୍କ ମଧ୍ୟରେ ଯେଉଁ ଗୁପ୍ତ ମନ୍ତ୍ରଣା ଚାଲିଲା, ତାହା ଶୁଣନ୍ତି । ଯୋଗୀଙ୍କ ନିକଟକୁ ଫେରିବାବେଳେ, ରୂପନଗର ସମୀପସ୍ଥ ପଠାଣସୈନ୍ୟ ନୟନପାଳଙ୍କ ଦୃଷ୍ଟିଗୋଚର ହେବା ମାତ୍ରେ, ତାଙ୍କ ମସ୍ତିଷ୍କ ବିଭିନ୍ନ ଦିଗରେ ଚାଳିତ ହେବାକୁ ଲାଗିଲା । ତାଙ୍କର ଶେଷ କଳ୍ପନା ଅତି ଚଞ୍ଚଳ କାର୍ଯ୍ୟରେ ପରିଣତ କରିବା ନିମିତ୍ତ କୃତନିଶ୍ଚୟ ହୋଇ, ସେ ଦୁର୍ଗା ଦାସଙ୍କୁ ଡକାଇ ଏକାନ୍ତରେ କହିଲେ,–‘ଭାଇ ଦୁର୍ଗାଦାସ ! ବାଦ୍‍ଶା ସୈନ୍ୟ ଧରି ବର୍ତ୍ତମାନ ରୂପନଗର ନିକଟରେ । ଏଣୁ ମୁଁ ଏହି କ୍ଷଣି ସେଠାକୁ ଯାଇ ମୋ ବାକ୍‍ଚାତୁରୀ ଖେଳାଇ କଳାକୁ ଧଳା, ଧଳାକୁ କଳା କରି ସମ୍ରାଟକୁ କହିବି–‘ରାଜପୁତ୍‍ମାନଙ୍କର ସକଳ ରହସ୍ୟ ଭେଦ କରି ପାରିଛ,–ବର୍ତ୍ତମାନ ତୁମର ଜୟ ନିଶ୍ଚିତ । ଇନ୍ଦିରା, ଦୁର୍ଗାଦାସ, ଅଜିତ୍‍ ସିଂ ପ୍ରଭୃତ ଆବୁ ପାହାଡ଼ ଉପରେ ଅଛନ୍ତି । ରାଣା କମଳକୁମାରୀଙ୍କୁ ସଙ୍ଗେ ଧରି କାଲି ଏହି ପାହାଡ଼ ଉପରକୁ ଆସିବେ । ରାଜପୁତ୍‍ମାନଙ୍କ ଅଜଣାରେ, ଛାପି ଛାପି ଯାଇ ପାହାଡ଼ଟି ଘେରାଉ କରିବା ଦରକାର । ‘ଏପରି କହି ତା’ ମନରେ ଦୃଢ଼ ବିଶ୍ଵାସ ଜନ୍ମାଇ ଦେଇ, ମୋଗଲ ସେନା ସହିତ ବାଦ୍‍ଶାହା କୁ ନିକଟସ୍ଥ ପର୍ବତ-ରନ୍ଧ୍ର-ପଥରେ ଆଣି ପୁରାଇ ଦେବି । ତୁମେ ଯାଇ ଚଞ୍ଚଳ ଆବଶ୍ୟକୀୟ ଆୟୋଜନାଦି କର । ରାଣା ଆସିବା ମାତ୍ରେ ତାକୁ ଏ କଥା ସବୁ ଜଣାଅ । ସେ ଯେପରି କେତେଦିନ ପାଇଁ ଉଦୟପୁରକୁ ନ ଫେରନ୍ତି । ବାଦ୍‍ଶା ଓ ତା’ ସେନା ସଙ୍ଗେ ମୁଁ ଗୁହା ଭିତରେ ପଶିବା କ୍ଷଣି, ଆମର ସୈନ୍ୟ ଧାଇଁ ଯାଇଁ ସେହି ଗହ୍ଵର ଦ୍ଵାର ହଠାତ୍‍ ବନ୍ଦ କରିଦେଇ ଯୁଦ୍ଧ ଚଳାଇବେ ।’

 

ଏହା କହି ନୟନପାଳ ସେହିକ୍ଷଣି ସମ୍ରାଟ ନିକଟକୁ ଧାଇଁଗଲେ ପରେ ଦୁର୍ଗାଦାସ ଅତିରିକ୍ତ ବିସ୍ମୟ ସହକାରେ ଶିବସିଂହ ସକଳ ରହସ୍ୟ ଶୁଣାଇ, ବୈକୁଣ୍ଠ ଯୋଗୀଙ୍କ ସଙ୍ଗେ ପରାମର୍ଶ କରିବା ଉଦ୍ଦେଶ୍ୟରେ ଶିବସିଂହ ସହିତ ଅଚଳେଶ୍ଵର ମନ୍ଦିରକୁ ପ୍ରତ୍ୟାବୃତ୍ତ ହେଲେ । ପରଦିନ ରାଜସିଂହ କମଳକୁମାରୀ ସଙ୍ଗେ ଅଚଳେଶ୍ଵର ମନ୍ଦିର ରେ ପହଞ୍ଚିବା ମାତ୍ରେ, ଦୁର୍ଗାଦାସ ତାଙ୍କୁ ନୟନପାଳଙ୍କର ସମସ୍ତ କଥା କହିଲେ । ସେ ରାଣା ଓ ଶିବସିଂହ ଦେବାଳୟରେ ବସି ଯୋଗୀଙ୍କ ସହିତ ଏହି ବିଷୟ ଆଲୋଚନା କରିବାକୁ ଲାଗିଲେ । ନୟନପାଳ ଯେଉଁ ଜାଲ ବୁଣିଛନ୍ତି, ସେଥିରେ ରାଜପୁତ୍‍ମାନଙ୍କର କ୍ଷତି କିମ୍ବା ଲାଭ ହେବ ତାହା ବିଚାରି ବସିଲେ । ନୟନପାଳଙ୍କ ବ୍ୟୁହ-ରଚନା ଆପାତତଃ ଉପକାର-ଜନକ ଓ ଜୟ-ସୂଚକ ଦେଖାଗଲେ ହେଁ, କାଳେ ସେ ଅନିଷ୍ଟ ଘଟାଇ ପାରନ୍ତି, ଏହି ସନ୍ଦେହ ଓ ଆଶଙ୍କାରେ ପୂର୍ବରୁ ଖୁବ୍ ସତର୍କ ରହିବା ଉଚିତ ମନେ କଲେ । ମୋଗଲ ସେନା ସେଠାରେ ଉପସ୍ଥିତ ହେବା ଆଗରୁ, ସେମାନେ ନିଜ ସୈନିକମାନଙ୍କୁ ବୃକ୍ଷଶାଖା, ଗିରିଗୁହା, ଲତା ବୁଦା ଇତ୍ୟାଦି ସ୍ଥଳରେ ଗୁପ୍ତଭାବରେ ରହିବାକୁ ଆଦେଶ ଦେଲେ । ସେମାନଙ୍କ ଧାରଣା, ଏହି କୌଶଳର ଆଶ୍ରୟ ନେଲେ, ନୟନପାଳ ପ୍ରତାରିତ କରିବାକୁ ବାହାରିଲେ ମଧ୍ୟ କୌଣସି କ୍ଷତି ନାହିଁ । ପରେ, ପଠାଣମାନଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ କେତେଜଣ ଭୀଲ ଓ ରାଜପୁତ୍‍ ସୈନିକଙ୍କୁ ରନ୍ଧ୍ରମାର୍ଗ ପାର୍ଶ୍ଵସ୍ଥ ଉଭୟ ପର୍ବତ ଉପରେ ରଖାଇଲେ; ଏବଂ ନୟନପାଳଙ୍କ ପ୍ରସ୍ତାବ ଅନୁସାରେ ବାଦ୍‍ଶାହୀ ଫୌଜ୍‍ ଗହ୍ଵର ମଧ୍ୟରେ ପ୍ରବିଷ୍ଟ ହେବା ମାତ୍ରେ, ଗହ୍ଵର-ମୁଖ ବନ୍ଦ କରିଦେଇ ଆକ୍ରମଣ କରିବା ସକାଶେ ଆଉ ଏକ ଦଳ ସୈନ୍ୟକୁ ରନ୍ଧ୍ର ପଥ ସମୀପସ୍ଥ ବୃକ୍ଷଶ୍ରେଣୀର ଅନ୍ତରାଳରେ ଲୁଚାଇ ରଖିଲେ ।

 

ସେଦିନ ଠିକ୍‍ ମଧ୍ୟାହ୍ନବେଳେ ଔରଂଜୀବ୍‍ ତାଙ୍କର ଅଧିକାଂଶ ସୈନ୍ୟ ସହିତ ପର୍ବତ ରନ୍ଧ୍ର ମଧ୍ୟରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ, ନିକଟରେ ଛାପି ରହିଥିବା ରାଜପୁତ୍‍ମାନଙ୍କ ଦ୍ଵାରା ସହସା ଆକ୍ରାନ୍ତ ହେଲେ । ଗହ୍ଵର-ଦ୍ଵାରଟି ଅତିଶୟ ସଂକୀର୍ଣ୍ଣ ଥିବାରୁ, ସେଠାରେ ଏକ ସମୟରେ ଚାରିଜଣ ଠାରୁ ଅଧିକ ସୈନିକ ଏକ ଧାଡ଼ିରେ ଠିଆ ହୋଇ ଯୁଦ୍ଧ ଚଳାଇବାର ସୁବିଧା ନଥିଲା । ଗୁହାର ଓ ବାହାର ର ମୋଗଲମାନଙ୍କୁ ଭୟ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ, ରାଜପୁତ୍‍ମାନଙ୍କର ନର-ନିର୍ମିତ-ବଜ୍ରଶ୍ରେଣୀ ଅନଳ ଉଦ୍‍ଗୀରଣ କରିବା ପାଇଁ ଦ୍ଵାରଦେଶରେ ମୁଖ୍ୟ ବ୍ୟାଦାନ କରି ଠିଆ ହୋଇଗଲେ । ଭିତରର ପଠାଣମାନେ ଆକ୍ରମଣ କରିବାକୁ ଯାଇ ରାଜପୁତ୍‍ମାନଙ୍କର କମାଣ ଓ କରବାଳ ଆଘାତରେ ନିଜ ନିଜକୁ ବଳି ଦେବାକୁ ଲାଗିଲେ । ସମ୍ରାଟ ନୟନପାଳଙ୍କ ସହିତ ରନ୍ଧ୍ର ପଥରେ ପ୍ରାୟ ଆଠମାଇଲ ଭିତରକୁ ଚାଲି ଯାଇଥିବାରୁ ସେ ଦ୍ଵାରଦେଶର ଘଟଣା, ଶତ୍ରୁପକ୍ଷର ଚକ୍ରାନ୍ତ କିଛି ବୁଝିପାରିଲେ ନାହିଁ । ଆହୁରି ଅଭ୍ୟନ୍ତରକୁ ଯାଉ ଯାଉ ସୈନ୍ୟ କୋଳାହଳ, ହଟ୍ଟଗୋଳ ଭୀଷଣରୁ ଭୀଷଣତର ହେବାରୁ ଗୁହାମୁଁହରେ କୌଣସି ଦୁର୍ଘଟନାର ଆଶଙ୍କା କରି ଔରଂଜୀବ୍‍ ନୟନପାଳଙ୍କୁ ସେହି କଥା ପଚାରିଲେ । ନୟନପାଳ କହିଲେ,–‘ଏଠାରେ ରହନ୍ତୁ ଖୋଦାବନ୍ଦ୍‍ ! ମୁଁ ଯାଏ–ସବୁ ବୁଝି ଆସିବି । କିଛି ଭୟ କରନ୍ତୁ ନା । ମୁଁ ଥିବାବେଳେ ଆପଣଙ୍କର କୌଣସି ଅନିଷ୍ଟ ହେବ ନାହିଁ, ଏହା ବିଶ୍ଵାସ କରନ୍ତୁ ।

 

ଏହା କହି ନୟନପାଳ ଗହ୍ଵର-ଦ୍ଵାର ପ୍ରତି କ୍ରମେ ଅଗ୍ରସର ହେଲେ । ଯିବା ବେଳେ ସେ ‘ହେଲା କଣ ? କି ଗୋଳମାଳ ? କିଛି ଭୟ ନାହିଁ ‘ବୋଲି ଚିତ୍କାର କରି ଅବରୁଦ୍ଧ ପଠାଣ ସୈନିକଙ୍କୁ ଉତ୍ସାହିତ କରିବାକୁ ଲାଗିଲେ । ଶେଷରେ ସେ ଦ୍ଵାର ନିକଟରେ ଯାଇ ପହଞ୍ଚିଲେ । ତାଙ୍କୁ ଦେଖି ସେଠାରେ ମୋଗଲ ସୈନିକ ଅତିରିକ୍ତ ଆଶ୍ଵସ୍ତ ଓ ଉତ୍ତେଜିତ ହେଲେ ଏବଂ ରାଜପୁତ୍‍ ପରାଜୟ ସୁନିଶ୍ଚିତ ମନେ କରି ଆନନ୍ଦରେ ନାଚିଲେ । ଦ୍ଵାରଭାଗରେ ଦୁଇ ଦଳର ଲଢ଼ାଇ ଦେଖି ନୟନପାଳ ଅଟ୍ଟହାସ ସହିତ କହିଲେ,–‘ଆଚ୍ଛା, ଚାଲୁ ଯୁଦ୍ଧ–କିଛି ପରୋବା ନାହିଁ ।’ ମୋଗଲମାନଙ୍କୁ ଏଭଳି ଉତ୍ସାହବାଣୀ ଶୁଣାଇ ସେ ରନ୍ଧ୍ର ପଥରୁ ବାହାରି ଉଲକା ବେଗରେ ଧାଇଁ ରାଜପୁତ୍‍ସେନାରେ ମିଳିତ ହୋଇଗଲେ । ବାଦ୍‍ଶା ବହୁ ସମୟ ଯାଏଁ ତାଙ୍କୁ ପ୍ରତୀକ୍ଷା କରି ରହିଲେ–ସେ କିନ୍ତୁ ଭିତରକୁ ଆଉ ଫେରିଲେ ନାହିଁ । ଦ୍ଵାରର ଗୋଳମାଳ, ଯୁଦ୍ଧ କୋଳାହଳ ଧ୍ୱନି କ୍ରମେ ବାଦ୍‍ଶାଙ୍କ ନିକଟରେ ପହଞ୍ଚିଲା । ସେତେବେଳେ ତାଙ୍କ ମୁଣ୍ଡ ଉପରେ ନିଶ୍ଚୟ ପ୍ରମାଦ-ଚଡ଼କ ପଡ଼ିଛି ବୋଲି ସ୍ଥିର କରିବାକୁ ତାଙ୍କର ଆଉ କିଛି ବାକି ରହିଲା ନାହିଁ ।

 

ଏହି ଅବସର ଗହ୍ୱର ଉପରେ ଦୁଇ ପର୍ବତ ଧାରରେ ସହସ୍ରାଧିକ ଭୀଲ ଓ ରାଜପୁତ୍‍ ସୈନ୍ୟ ଅବତୀର୍ଣ୍ଣ ହେଲେ । ବୋଧ ହେଲା ଯେପରି ମୋଗଲକୁ ଗ୍ରାସ କରିବା ପାଇଁ ସେମାନେ ସେଠାରେ ପ୍ରତିକ୍ଷଣ ଉପଯ୍ୟୁ ପରି ଜନ୍ମଲାଭ କରୁଛନ୍ତି । ପର୍ବତ ଶିଖରୁ ସେମାନେ ଗହ୍ଵରାବଦ୍ଧ ମୋଗଲମାନଙ୍କ ଉପରେ ଅବିଶ୍ରାନ୍ତ ଧାରାରେ ଲୌହ ଓ ପାଷାଣ ବୃଷ୍ଟି ଆରମ୍ଭ କଲେ । ଭାଦ୍ରମାସର ବର୍ଷାରେ ଯେପରି ଶସ୍ୟ-କ୍ଷେତ୍ର ବୁଡ଼ିଯାଏ, ପଠାଣମାନେ ସେପରି ବୃହତ ଉପଳଖଣ୍ଡ ଓ ଗୁଳି ବୃଷ୍ଟିରେ ମଗ୍ନ ହୋଇଗଲେ । କାହାର ହସ୍ତପଦ, କାହାର ବଷ, କାହାର ମସ୍ତକ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା–କାହାର ବା ସମସ୍ତ ଶରୀର କର୍ଦ୍ଦମପିଣ୍ଡ ପରି ତଳେ ପଡ଼ିଲା । ଏହି ଅଡ଼ୁଆ ଅଗତିକ ଅଖଞ୍ଜିଆ ଅବସ୍ଥାରେ ପଡ଼ି ଔରଂଜୀବ୍‍ ଙ୍କ ଅକଲ ଉଡ଼ିଗଲା । ନୟନପାଳଙ୍କ କୁଚକ୍ର ଯୋଗୁ ହିଁ ଏହି ବିପଦ ଘଟିଛି ବୋଲି ସ୍ଥିର କଲେ–ତାଙ୍କ ମନରେ ଛନକା ପଶିଲା । ସେ ଯେଉଁଠାରେ ଠିଆ ହୋଇଥିଲେ ସେହି ସ୍ଥାନରେ ହିଁ ରହି, ଅତର୍ଚ୍ଛ ଅଣାବଣା ହୋଇ ବାତୁଳ ଭଳି ଭଉଁରୀ ବୁଲି ବୁଲି ଚିତ୍କାର କଲେ,–‘ଆରେ ମହମ୍ମଦ ହୁସେନ୍‍, ଆରେ ରାହିମ, ଇସମେଲ୍‍ ଖାଁ, ଆରେ ମହବତ୍‍ ଖାଁ, ସାଦତ୍‍ ଖାଁ, ଆରେ ମହମ୍ମଦ ଆଲି । କାହିଁ ରୌଶନ୍ଵାରା ? କାହିଁ ମୋର ଉଦିପୁରୀ ।’ ଅନ୍ୟ କେଉଁ ସ୍ଥାନକୁ ଯାଇ ନ ପାରି ସେହି ଏକ ସ୍ଥାନରେ ହିଁ ଠିଆ ହୋଇ ଲଣ୍ଡଭଣ୍ଡ ହୋଇ ପଡ଼ିଲେ । ଉଦିପୁରୀଙ୍କ କଥା ମନେ ପଡ଼ିବା କ୍ଷଣି, ତାଙ୍କର ବୁଦ୍ଧି ହଜିଗଲା, ପ୍ରାଣ ତରଳିଗଲା । ସେତେବେଳେ ତାଙ୍କର ବ୍ୟାକୁଳତା ଯେ କିପରି ଥିଲା, ତାହା ସ୍ପଷ୍ଟ ବୁଝାଇବାକୁ ଲେଖନୀର ଚାରା ନାହିଁ । ଶେ ନୟନପାଳଙ୍କ ଉପରେ ଭୟଙ୍କର କ୍ରୋଧ ହୋଇ ଦାନ୍ତ କଡ଼ ମଡ଼ କରି ତାଙ୍କୁ ସେହି ସ୍ଥାନରେ ସେହି ମୁହୂର୍ତ୍ତରେ ହିଁ ଖଣ୍ଡ ଖଣ୍ଡ କାଟି ପକାଇବା ପାଇଁ ଆଗତୁରା ହୋଇ ବାହାରିଲେ–କିନ୍ତୁ ଏ ଯେ ବିଷମ ଭ୍ରମ ! ନୟନପାଳ କାହାନ୍ତି ସେଠାରେ ? ସେ ମହା ବ୍ୟତିବ୍ୟସ୍ତ, ବିଚଳିତ ହୋଇ କହି ପକାଇଲେ,–‘ଉପରକୁ ଉଠ, ଚଢ଼ । ଡେରି ନାହିଁ–ନାହିଁ । ଉଠ, ଚଞ୍ଚଳ ଉପରକୁ ।’ କିନ୍ତୁ ତାଙ୍କର ଏହି କାତର ଚିତ୍କାର, ବିକଳ ପ୍ରୟାସ ସମସ୍ତ ନିଷ୍ଫଳ ହେଲା ! ଗହ୍ଵର ତଳୁ ପର୍ବତ ଉପରକୁ ଉଠିବା ନିତାନ୍ତ ଦୁଃସାଧ୍ୟ, କଠିନ । ବିଶେଷତଃ ଗରିଶିରୋଭାଗରେ ସହସ୍ର ସହସ୍ର ରାଜପୁତ୍‍ ଓ ଭୀଲ ପଦାତିକ ପିପୀଲିକା ପରି ଶ୍ରେଣୀବଦ୍ଧ ହୋଇ କ୍ରମାଗତ ଅଜସ୍ର ଶର ଓ ପଥର ବର୍ଷଣ କରୁଛନ୍ତି–ଏଣୁ ପର୍ବତାରୋହଣ କରିବା ଆହୁରି ଅସମ୍ଭବ । ଚଢ଼ିବାକୁ ଚେଷ୍ଟା କରିବା ସୈନିକମାନେ ପଦସ୍ଖଳନ ଓ ଶିଳାଘାତରେ ପୀଡ଼ିତ, ପେଷିତ ହୋଇ ପଡ଼ିଗଲେ ।

 

ପର୍ବତ-ଗର୍ତ୍ତରେ ସହସ୍ରାଧିକ ପଦାତିକ ଓ ଅଶ୍ଵାରୋହୀ ଏ ଭଳି ଘଞ୍ଚ, ସାନ୍ଦ୍ର ଭାବରେ ପୂରି ରହିଛନ୍ତି ଯେ, ଏକ ପାଦ ସୁଦ୍ଧା ଘୁଞ୍ଚିବାର ଉପାୟ ନାହିଁ, ପାଶ୍ଵ ବୁଲାଇବାର ସୁବିଧା ନାହିଁ, ସ୍ଵାଧୀନ ଭାବରେ ନିଶ୍ଵାସ ଛାଡ଼ିବାକୁ ବି ଚାରା ନାହିଁ । ପ୍ରତି ମୂହୁର୍ତ୍ତରେ ଦଳା ଦଳି, ଠେଲା ଠେଲି, ପେଲା ପେଲି ଚାଲିଛି । ଯୁଦ୍ଧର ବିରାମ ନାହିଁ, ପ୍ରସ୍ତର-ପାତର ହ୍ରାସ ନାହିଁ, ବହ୍ନି-ବର୍ଷଣର ଶାନ୍ତି ନାହିଁ । ଏଣେ ଭିତରେ ବିଶ୍ରାମର ସ୍ଥାନ ନାହିଁ, ମୁକ୍ତିର ମାର୍ଗ ନାହିଁ, ଉଠିବାର ଉପାୟ ନାହିଁ । ଖାଦ୍ୟର ଏକାନ୍ତ ଅଭାବ, ଘୋଡ଼ା ପାଇଁ ଘାସ ବି ଦେଖା ଯାଉ ନାହିଁ ସମସ୍ତ ଆହାର୍ଯ୍ୟ ଯେ ଗହ୍ୱର ଶତ୍ରୁ ଅଧୀନରେ । ଏଣୁ ରୁଦ୍ଧ ପଠାଣମାନେ ଭୟଙ୍କର କ୍ଷୁତ୍‍ପିପାସାରେ କ୍ଳିଷ୍ଟ ଏବଂ ଗାଢ଼ ପରିଶ୍ରମ ଅବସନ୍ନ ହୋଇ ତଟସ୍ଥ, ମୃତ ପ୍ରାୟ । ଅନେକେ ମରଣ ଗ୍ରାସରେ ପଡ଼ିଲେ, କେତେ ଅଶ୍ଵଆରୋହୀ ସହିତ ତଳେ ପଡ଼ିଲେ–ଅନ୍ୟ ଅଶ୍ଵର ପଦ ଦଳନରେ ପିଷ୍ଟ ହୋଇ ଅଶ୍ଵ ଓ ଆରୋହୀ ଉଭୟେ ଆହତ ବା ନିହତ ହେବାକୁ ଲାଗିଲେ । କେତେ ଘୋଟକ ଏକାବେଳକେ ଦୁର୍ଦ୍ଦମନୀୟ ହୋଇ ବିକଟ ଚିତ୍କାର କରି ଏଣେତେଣେ ଧାଇଁଲେ, ଡେଇଁଲେ । କେଉଁ ଅଶ୍ଵର ବେକମୋଡ଼ି ହୋଇଗଲା, କାହାର ବା ଗୋଡ଼ ଭାଙ୍ଗିଗଲା । ମୋଗଲମାନେ ଭୂଶାୟୀ ହୋଇ ଓ ଅଶ୍ଵ-ପଦ -ମନ୍ଥିତ ହୋଇ ଘୋର ଆର୍ତ୍ତନାଦ କଲେ । ଯେ ଯେଉଁଠାରେ ଯେପରି ଥିଲା, ସେ ସେଠାରେ ହିଁ ସେପରି ରହିଲା । ଆକସ୍ମିକ ବିପଦ ! ଶୋଚନୀୟ ଅବସ୍ଥା !

 

ଔରଂଜୀବ୍‍ ଗିରି-ରନ୍ଧ୍ରର ଆହୁରି ଭିତରକୁ ଯାଇ ନିର୍ଗମ-ଉପାୟ ଅନ୍ଵେଷଣ କଲେ–କିନ୍ତୁ କାହିଁ ପଥ ତ ଦେଖାଯାଉ ନାହିଁ ! ପ୍ରାଣ କଲବଲ ମନ ଛନଛନ, ହୃଦୟ ଥର ହର–ସେ ‘ଘର ପୋଡ଼ି ବିରାଡ଼ି’ ଭଳି ଏଣେ ତେଣେ ବାଟ ଖୋଜିବାକୁ ଲାଗିଲେ; କିନ୍ତୁ ତାଙ୍କର ସକଳ ଚେଷ୍ଟା ବ୍ୟର୍ଥ, ସମସ୍ତ ଆଶା ଭସ୍ମ ହୋଇଗଲା । ପର୍ବତ ଶିଖରରେ ଶିବସିଂହ, ଦୁର୍ଗାଦାସ ଓ ନୟନପାଳ ଏବଂ ଅସଂଖ୍ୟ ରାଜପୁତ୍‍ ଓ ଭୀଲ ସୈନ୍ୟ ବିଚିତ୍ର ବେଗରେ ଯୁଦ୍ଧ-ରତ । ଯେଉଁଆଡ଼େ ଚାହିଁବ, କେବଳ ରାଜପୁତ୍‍ସେନା–ବାଣବୃଷ୍ଟି–ଶିଳା ବର୍ଷଣ–ଅନଳୋଦ୍ଗୀରଣ । ପର୍ବତ ଉପରେ ଓ ପାର୍ଶ୍ଵରେ ରାଜପୁତ୍‍–ବୃକ୍ଷଲତା ଗୁଳ୍ମରେ ରାଜପୁତ୍‍ ଚତୁର୍ଦ୍ଦିଗରେ ରାଜପୁତ୍‍ଗଣ ବଳୟ ମୂର୍ତ୍ତି ଧରି ଠିଆ ! ଗହ୍ଵର ଦ୍ଵାର ଦେଶରେ ପ୍ରତ୍ୟକ୍ଷ ମୂର୍ତ୍ତି ମୃତ୍ୟୁ–ରାଣାଙ୍କ ସୈନ୍ୟ, ଯୋଦ୍ଧୃ ବେଶଧାରିଣୀ କମଳକୁମାରୀ ଓ ପଦ୍ମା ରହି ସମୀର ବେଗରେ ନିରୁଦ୍ଧ ନିଶ୍ଵାସରେ ନିବଦ୍ଧ ଦୃଷ୍ଟିରେ ଅସ୍ତ୍ରଚାଳନା ଓ ଶସ୍ତ୍ର ପ୍ରୟୋଗ ଦ୍ଵାରା ମୋଗଲମାନଙ୍କୁ ଧ୍ଵସ୍ତ ନଷ୍ଟ କରୁଛନ୍ତି । ଆଲ୍ଲା–ସ୍ମରଣ ଇଷ୍ଟଦେବତା-ଧ୍ୟାନ, ବ୍ୟତୀତ ମୋଗଲମାନଙ୍କର ସେତେବେଳେ ଅନ୍ୟ ଉପାୟ, ଅନ୍ୟ କାର୍ଯ୍ୟ ନଥିଲା । ଔରଂଜୀବ୍‍ ପିଞ୍ଜରାବଦ୍ଧ ମୂଷିକ ଭଳି ଉଦବିଗ୍ନ, ବ୍ୟାକୁଳ । ଉଦିପୁରୀଙ୍କୁ ବାରମ୍ବାର ମନେ ପକାଇ ସେ ଛିଣ୍ଡାଇ, ରାମ୍ପୁଡ଼ି ଗଡ଼େଇ ତଡ଼େଇ ହେବାକୁ ଲାଗିଲେ–ହାତରେ କୌଣସି କାମ ପଡ଼ୁ ନାହିଁ । ବାସ୍ତବିକ ନୟନପାଳଙ୍କ ହଳାହଳରେ ସେ ନିସ୍ତେଜ, କଦାକାର, ହତବୁଦ୍ଧି ହୋଇଗଲେ ।

 

ଗହ୍ଵର-ମୁଖରେ କମଳକୁମାରୀ ଓ ପଦ୍ମା ସଦଳବଳ ଅମିତ ପରାକ୍ରମ ସହିତ ପ୍ରଚଣ୍ଡ ଯୁଦ୍ଧରେ ବ୍ୟାପୃତ ଥିବାବେଳେ, ସେମାନେ କିଛି ଦୂରରୁ କୋଳାହଳୋତ୍‍ଥିତ ଜଣେ ନିଃସହାୟ ରମଣୀର କରୁଣ କଣ୍ଠ ଧ୍ୱନି ଶୁଣି ପାରିଲେ । ତାହାର କାରଣ ବୁଝିବା ନିମିତ୍ତ ଦୁହେଁ ଯିବାକୁ ଉଦ୍ୟତ ହୋଇଛନ୍ତି, ଏହି ସମୟରେ ଜଣେ ରାଜପୁତ୍‍ ସୈନିକ ସେମାନଙ୍କ ନିକଟକୁ ଯାଇ ଜଣାଇଲା ଯେ କେତେ ଜଣ ରାଜପୁତ୍‍ ସୈନିକ ବାଦ୍‍ଶାହୀ ଅନ୍ତଃପୁର ଶିବିରଟିକୁ ଅବରୁଦ୍ଧ କରି ଉଦିପୁରୀ ପ୍ରଭୃତିଙ୍କ ଉପରେ ଅତ୍ୟାଚାର ଚଳାଇବାକୁ ପ୍ରସ୍ତୁତ । ଅତିଶୟ ରାଗରେ କମଳକୁମାରୀଙ୍କ ଦେହ ଓ ଚକ୍ଷୁ କମ୍ପିତ ହୋଇଗଲା । ଉଦିପୁରୀ ଏହି ଯୁଦ୍ଧର ଏକମାତ୍ର କାରଣ ବୋଲି ଜାଣିଥିଲେ ହେଁ, ରମଣୀ ପ୍ରତି ଅନ୍ୟାୟ, ଦୁରାଚାର ସହ୍ୟ କରି ନ ପାରି କମଳକୁମାରୀ ତତକ୍ଷଣାତ୍ ପଦ୍ମାଙ୍କୁ ସଙ୍ଗେ ଧରି ଘଟନା ସ୍ଥଳ ପ୍ରତି ବିଦ୍ୟୁତ୍‍ ଗତିରେ ଧାବିତ ହେଲେ । ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ଉଦିପୁରୀଙ୍କୁ ସମୟୋଚିତ ସାହାଯ୍ୟ ଦାନ କରିବା । ସେଠାରେ ଯାଇ ସେହି ରାଜପୁତ୍‍ ସିପାହୀ କେତେଜଣ ଉଦିପୁରୀଙ୍କ ଦାସୀମାନଙ୍କ ହାତରେ ଜଞ୍ଜିର ବାନ୍ଧି ଟାଣି ନେଉଛନ୍ତି । ଆକ୍ରାନ୍ତ ଶୃଙ୍ଖଳାବଦ୍ଧ ପରିଚାରିକା ଦଳ ପଛେ ପଛେ ପାଲିକୀ ଆସୀନା ଉଦିପୁରୀଙ୍କ ଓ ଅଶ୍ଵାରୂଢ଼ା ଅନ୍ୟ କେତେଜଣ କୁଟୁମ୍ବିନୀ, ଅନୁଚରୀ, ପ୍ରହରିଣୀ ବିଷର୍ଣ୍ଣ ବଦନରେ, ବିକଳ ପ୍ରାଣରେ ଚାଲିଛନ୍ତି । ଦୁଷ୍ଟ ରାଜପୁତ୍‍ ସିପାହୀଦଳ ସେମାନଙ୍କୁ କେଉଁ ସ୍ଥଳକୁ କେଜାଣି ଗାଳି ଦେଇ ତଡ଼ି ନେଉଛନ୍ତି । ସେତେବେଳେ ଉଦିପୁରୀ ଭୀତ ତ୍ରସ୍ତା ଓ ଅପ୍ରସନ୍ନା । ତାଙ୍କ ମୁଖ ମଳିନ, ଅଧର ଶୁଷ୍କ ବକ୍ଷସ୍ଥଳ ଥର ହର ଏବଂ ଲମ୍ବିତ ବେଣୀ ଶିଥିଳ । ତାଙ୍କର ବିଦ୍ୟୁତ କଟାକ୍ଷ ଶ୍ରୋକାଶ୍ରୁ ଅନ୍ତରାଳରେ ବିଲୀନ । କେତେବେଳେ ସେ ତୀରାହତା ହରିଣୀ ପରି କାତର, କେତେବେଳେ ବା ଦାବାଗ୍ନିବେଷ୍ଟିତା ବ୍ୟାଘ୍ରୀ ଭଳି ରୋଷ-ପରବଶା । ସେ ମନେ ମନେ କହୁଥିଲେ,–‘ଆହା ଅକାରଣ ମୁଁ ଏହି ଦୁଃଖକଷ୍ଟ ଲୋଡ଼ି ଆଣିଛି ସିନା ! ରୌଶନ୍ଵାରାକୁ ଭୟ କରି ବାଦ୍‍ଶାଙ୍କ ସଙ୍ଗେ ଆସିଲି–ଏବେ କିନ୍ତୁ ପ୍ରାଣ ଦେହରୁ ଛିନ୍ନ ହୋଇ ଯମଦୂତମାନଙ୍କ ହାତରେ ପଡ଼ିଛି । କମଳକୁମାରୀ ପତ୍ର ପଢ଼ି ଯେଉଁ କାଣ୍ଡ ଉଠାଇଲି, ତାହାରି ଫଳ ଏ । କାହାକୁ କହିଲେ କଣ ହବ ? ଭାରତର ମହିଷୀ ହୋଇ ସୁଖ ଶାନ୍ତିରେ ନ ବସି ଏ ନାଟ ଯେ ଭିଆଇଲି, ମୁଁ ତ ଅପମାନ ପାଇବି ନାହିଁ, ପାଇବ ଆଉ କିଏ ତେବେ ?

 

‘ସେ ଏପରି ନିଜ ଅବିବେକିତା, ଅଦୂରଦର୍ଶିତା ଓ ଉଦ୍ଧତ ପ୍ରକୃତି ପାଇଁ ପ୍ରଖର ପଶ୍ଚାତ୍ତାପ କରି କରି ଚାଲିଛନ୍ତି । କମଳକୁମାରୀ ଉଦିପୁରୀଙ୍କୁ ଅତ୍ୟନ୍ତ ଘୃଣା କରୁଥିଲେ ସତ୍ୟ; କିନ୍ତୁ ବର୍ତ୍ତମାନ ତାଙ୍କର ଏହି ନିଃସହାୟ, ନିଦାରୁଣ ଅବସ୍ଥା ଦେଖି କମଳକୁମାରୀଙ୍କ ମନପ୍ରାଣ ତରଳି ଗଲା । ମିତ୍ର କିମ୍ବା ଶତ୍ରୁପକ୍ଷୀୟ ସ୍ତ୍ରୀର ଅପମାନ, ଲାଞ୍ଛନା ଦେଖି ତୁନି ରହିବା କ୍ଷତ୍ରିୟ ବୀରାଙ୍ଗନା ଜଣେ ନାହିଁ । କମଳକୁମାରୀ ଶର-ବିଦ୍ଧ ସିଂହୀ ତୁଲ୍ୟ ହୁଙ୍କାର କରି ଉଠିଲେ–ଅତ୍ୟାଚାରୀ ରାଜପୁତ୍‍ମାନଙ୍କର ଗତି ହଠାତ୍‍ ବନ୍ଦ କରି ଦେଇ ବହ୍ନି-ସ୍ପୁଲିଙ୍ଗମୟୀ ସ୍ଵରରେ ସେମାନଙ୍କୁ କହିଲେ,–‘କ୍ଷାନ୍ତ ହୁଅ ଅଧମଗଣ ! ରମଣୀ ଉପରେ ଏ କି ଅତ୍ୟାଚାର କରୁଛ ? ତୁମେମାନେ ଯଦି ପ୍ରକୃତ ମନୁଷ୍ୟ-ସନ୍ତାନ, ତୁମମାନଙ୍କ ଯଦି ପ୍ରକୃତ ପୁରୁଷତ୍ଵ, ବୀରତ୍ଵ ଥାଏ, ତାହାହେଲେ ଯାଅ ଧାଇଁ ଯୁଦ୍ଧ ଭୂମିକୁ କର ଯୁଦ୍ଧ ପୁରୁଷ, ବୀର ସଙ୍ଗେ । ପୁରୁଷତ୍ଵ, ବୀରତ୍ଵ କଣ ଅସହାୟ ଅବଳାର ମାନ ନେବା ପାଇଁ ତିଆରି ହୋଇଛି ? ସ୍ତ୍ରୀ ମାନେ କଣ ତୁମମାନଙ୍କର ସମକକ୍ଷ ? ଲଜ୍ଜ୍ୟାହୀନ କୁକୁରଦଳ ! ଦୂର ହୁଅ ଏଠାରୁ ।’

 

ସୈନିକଦଳ ଚକିତ, ଲଜ୍ଜିତ ଓ ସଂନ୍ତ୍ରସ୍ତ ହୋଇ ସେହି ମୁହୂର୍ତ୍ତ ହିଁ ଉଦିପୁରୀଙ୍କ ଦାସୀମାନଙ୍କୁ ବନ୍ଧନରୁ ମୁକ୍ତ କରିଦେଇ ସେଠାରୁ ପଳାୟନ କଲେ । ପରେ କମଳକୁମାରୀ ଓ ପଦ୍ମା ବାଦ୍‍ଶାହୀ ପୁରାଙ୍ଗନାମାନଙ୍କୁ ଅତି ଯତ୍ନରେ ଶିବିର ମଧ୍ୟରେ ରଖାଇ, ସେଠାକୁ ନ ଯିବା ପାଇଁ ସେନା ମଧ୍ୟରେ ରୁକ୍ଷ ଆଜ୍ଞା ପ୍ରଚାର କଲେ । ଶିବିରଟି ସେହି କ୍ଷଣି ସବଳ ସଚ୍ଚରିତ୍ର ପ୍ରହରୀମାନଙ୍କ ଦ୍ଵାରା ସୁରକ୍ଷିତ ହେଲା । ଗହ୍ଵର ଦ୍ଵାରରେ ରାଜପୁତ୍‍ସୈନ୍ୟ ପହଞ୍ଚିବା ମାତ୍ରେ ସେମାନେ ମୋଗଲମାନଙ୍କ ଆହାରୀୟ ଦ୍ରବ୍ୟର ଅଧିକାଂଶ ଭ୍ରଷ୍ଟ ନଷ୍ଟ କରି ପକାଇଥିଲେ, ଅତ୍ୟଳ୍ପ କିନ୍ତୁ ଅବଶିଷ୍ଟ ଥିଲା–ଯାହା ହିନ୍ଦୁର ବ୍ୟବହାର୍ଯ୍ୟ । ସଦୟହୃଦୟା ଉଦାରପ୍ରାଣା କମଳକୁମାରୀ ବାଦ୍‍ଶାହୀ ଅନ୍ତଃପୁର ସୁନ୍ଦରୀଗଣଙ୍କୁ ସେହି ଖାଦ୍ୟ ଦ୍ରବ୍ୟାଦି ଯୋଗାଇ ସେମାନଙ୍କର ସମସ୍ତ ସୁଖ ସୁବିଧା କରିଦେଲେ । କମଳକୁମାରୀ ସଦ୍‍ବ୍ୟବହାରରେ ପଠାଣ ସେବକ ସେବିକାଦଳ ଅତିରିକ୍ତ ବିସ୍ମିତ ଓ ସନ୍ତୁଷ୍ଟ ହୋଇ ମୁକ୍ତ କଣ୍ଠରେ ତାଙ୍କର ପ୍ରଶଂସା ଗାଇବାକୁ ଲାଗିଲେ । ତାଙ୍କର ଏବଂ ତାଙ୍କ ଉଦାରତା ସ୍ପଷ୍ଟ ପରିଚୟ ପାଇ ଉଦିପୁରୀ ଅତିଶୟ ଚମକିତ, ପରିତୃପ୍ତ ହୋଇଗଲେ–ନିଜର ମୂର୍ଖତା ଓ ଉଗ୍ର ଆଚରଣ ପାଇଁ ବିଶେଷ ଅନୁତପ୍ତ, ଲଜ୍ଜିତ ହୋଇପଡ଼ିଲେ । ମନେ ମନେ କମଳକୁମାରୀଙ୍କୁ ସମ୍ବୋଧନ କରି କହିଲେ,–‘ଏବେ ମୋର ଭ୍ରମ ବୁଝିପାରିଛି, କମଳକୁମାରୀ ! ବାସ୍ତବିକ ତୁମେ ଦେବ-ସନ୍ତାନ–ନର-ସନ୍ତାନ ନୁହଁ ।’ କମଳକୁମାରୀ ଓ ପଦ୍ମା ପୁନର୍ବାର ଯୁଦ୍ଧରେ ଯାଇ ଯୋଗ ଦେଲେ ।

 

ରାଜସିଂହ ମୋଗଲମାନଙ୍କର ଦାରୁଣ ଅନଶନ-କ୍ଳେଶ ଦେଖି ନିତାନ୍ତ ଦୁଃଖିତ, ତଥାପି ଔରଜୀବ୍‍ଙ୍କୁ ସମ୍ପୂର୍ଣ୍ଣ ସ୍ଵାଧୀନ ନ କରି କଦାପି ଛାଡ଼ିବେ ନାହିଁ । ବୋଲି ଦୃଢ଼ ସଂକଳ୍ପ । ସେ ବୈକୁଣ୍ଠଯୋଗୀ, ଦୁର୍ଗାଦାସ ଓ ନୟନପାଳ ସହିତ ପରାମର୍ଶ କରି ବାଦ୍‍ଶାଙ୍କ ନିକଟକୁ ଖଣ୍ଡିଏ ପତ୍ର ପଠାଇଲେ ! ତହିଁର ମର୍ମ–

 

‘ବଡ଼ ଆଶା ଥିଲା ବାଦ୍‍ଶା ! ମୋ ପୂର୍ବ ପତ୍ର ପାଠ କରିବ କ୍ଷଣି ତୁମେ ଯଥେଷ୍ଟ ଅନୁତାପ କରି ସଦାଚରଣରେ ପ୍ରବୃତ ହେବ । ସେହି ଆଶା କିନ୍ତୁ ମୋତେ ପ୍ରତାରିତ କରିଛି–ତୁମର ଉଗ୍ର ଆଚରଣ ହ୍ରାସ ନ ପାଇ ବରଂ ବଢ଼ିଛି । ବୁଝି ରଖ ସମ୍ରାଟ, ଅତ୍ୟାଚାର ସବୁବେଳେ ଏକାପରି ଚାଲେ ନାହିଁ ।–ବାହୁବଳ ଓ ଦୁରାଚରରେ ଧର୍ମ କେବେ ସ୍ଥାପିତ ହୁଏ ନାହିଁ–ନିର୍ଯ୍ୟାତନା ଓ ନିଷ୍ପେଷଣରେ ବିଶ୍ଵାସ କେବେ ଜାତ ହୁଏ ନାହିଁ । ମନେ ରଖ–ତୁମେ ଭାବିବା ଭଳି, ରାଜପୁତ୍‍ ଜାତି ତୁଚ୍ଛ, ଭୀରୁ, ବିବେକଶୂନ୍ୟ, ଧର୍ମଜ୍ଞାନହୀନ ନୁହେ । ଯୋଧପୁର ବଂଶ ପ୍ରତି ତୁମେ ଯେଉଁ ଅନ୍ୟାୟ ଅଧର୍ମ କରିଛ, ତୁମର ବର୍ତ୍ତମାନ ଦୂରବସ୍ଥା ସେଥିର ହିଁ ବିଷମୟ ଫଳ ! ବୁଝୁଛ ? ନିରୀହ ଅନଶନ ପୀଡ଼ିତ ଗରିବ ହିନ୍ଦୁମାନଙ୍କ ଉପରେ ଯେଉଁ ଜେଜେୟା ଧାର୍ଯ୍ୟ କରିଛ, ତୁମର ବର୍ତ୍ତମାନ ଅନାହାର-ଯନ୍ତ୍ରଣା ତହିଁର ହିଁ ଦାରୁଣ ପରିଣାମ ! ମାନୁଛ ? ବଳପ୍ରୟୋଗରେ ବହୁ ହିନ୍ଦୁ ମହିଳାଙ୍କୁ ରଙ୍ଗମହଲ୍‍ରେ ନେଇ ଭରତି କରିଛ–ବର୍ତ୍ତମାନ ତୁମର ହୋଇଛି କଣ ? ତୁମର ମହିଷୀ, ଅନ୍ୟାନ୍ୟ ପୁରାଙ୍ଗନାଗଣ ବର୍ତ୍ତମାନ ଯେ ତୁମ ଶତ୍ରୁ ଅଧୀନରେ ! ଉଦିପୁରୀ ରାଜପୁତ୍‍ର ଗଳଗ୍ରହ, ଚକ୍ଷୁଃଶୂଳ ସତ୍ୟ;ତଥାପି ତାଙ୍କ ଉପରେ କୌଣସି ଅତ୍ୟାଚାର ନ କରି, ତାଙ୍କୁ ଅଭୟ ଦେଇ ଯତ୍ନ ରକ୍ଷା କରିଛୁଁ-। ଅନ୍ୟାନ୍ୟ ମୋଗଲ ଯୁବତିମାନଙ୍କ ଇଜ୍ଜତ୍‍ ନଷ୍ଟ ନ କରି ସେମାନଙ୍କୁ ବି ସୁବିଧା ମଧ୍ୟରେ ରଖିଛୁଁ-

 

ଯାହା ହେଉ, ଏବେ ସୁଦ୍ଧା ଏହି କଷ୍ଟରୁ ମୁକ୍ତି ପାଇବାର ଯଥେଷ୍ଟ ସମୟ ଓ ସୁବିଧା ଅଛି–ସୁଯୋଗ ହରାଅ ନାହିଁ । ନିଜ ସୈନ୍ୟ ରକ୍ଷା କରି ନିରାପଦରେ ସପରିବାର ଦିଲ୍ଲୀ ଫେରିବା ଯଦି ତୁମର ଅଭିପ୍ରେତ, ତାହାହେଲେ ନିମ୍ନଲିଖିତ ଶରତ ସବୁ ହୃଦୟ ସହିତ ସ୍ଵୀକାର କର । ନଚେତ ଏହି ଗହ୍ୱର-ଗର୍ଭ ଏକା ତୁମର ଚିରବାସ ହେବ, ସନ୍ଦେହ ନାହିଁ ।

 

୧–ବର୍ତ୍ତମାନ ତୁମ ସାମ୍ରାଜ୍ୟ ଅଧୀନସ୍ଥ ପ୍ରତ୍ୟେକ ରାଜପୁତ୍‍ ରାଜାକୁ ତାହାର ନିଜ ରାଜ୍ୟ ଫେରାଇ ଦେବ । ୨–ହିନ୍ଦୁ-ଦ୍ଵେଷ ଛାଡ଼ି ହିନ୍ଦୁ ସଙ୍ଗେ ବନ୍ଧୁତା କରିବ । ୩–ଜେଜେୟା ଏକାବେଳେ ଉଠାଇ ଦେବ । ୪–ଗୋ ବ୍ରାହ୍ମଣ-ବିଦ୍ଵେଷ ବନ୍ଦ କରିଦେବ । ୫–ବଳତ୍କାର ପୂର୍ବକ କ୍ଷତ୍ରିୟ କନ୍ୟାମାନଙ୍କୁ ଆଉ ବିବାହ କରିବେ ନାହିଁ । ୬–ସାମ୍ରାଜ୍ୟ ମଧ୍ୟରେ ଘୋଷଣା କରିବ, ହିନ୍ଦୁ ମୁସଲମାନ ଯେପରି ପରସ୍ପର ପ୍ରେମାଲିଙ୍ଗନ କରନ୍ତି–ମନ୍ଦିର ମସ୍‍ଜିଦ୍‍ ଯେପରି ସ୍ୱାଧୀନଭାବରେ ରାମ-ରହିମ, କୃଷ୍ଣ-ଆଲ୍ଲାଙ୍କ ନାମରେ ମୁଖରିତ ହୁଏ, ଏକ ସମୟରେ ଯେପରି ଶଙ୍ଖ–ଦାମାମା ଧ୍ୱନିରେ ନିନାଦିତ ହୋଇ ଉଠେ ।

 

ଆଶା କରେଁ, ଏବେ ହେଲେ ତୁମର ମତି ଗତି ବଦଳିବ–ତୁମେ ଆମମାନଙ୍କର ସ୍ନେହ ଅର୍ଜ୍ଜନ କରିବ–ପୂଣ୍ୟକାର୍ଯ୍ୟରେ ପୂର୍ବକୃତ ଅନୀତ ଅନାଚରର ପୂର୍ଣ୍ଣ ପ୍ରାୟଶ୍ଚିତ ହୁଏ । ଅଧିକ ଆଉ କିଛି ନ ଲେଖି, ତୁମର ସମ୍ମତି ଅପେକ୍ଷାରେ ରହୁଛି ।’’

 

ରାଣୀଙ୍କ ପତ୍ରଟି ଗହ୍ୱରାବଦ୍ଧ ମୋଗଲ ସୈନ୍ୟମାନଙ୍କ ହାତକୁ ହାତ ହୋଇ କ୍ରମେ ଔରଂଜୀବ୍‍ଙ୍କ ନିକଟରେ ଯାଇ ପହଞ୍ଚିଲା । ତାହା ପାଠ କରିବ ମାତ୍ରେ, ସାମ୍ରାଟଙ୍କ ଖାଦ୍ୟାଭାବ-ଦଷ୍ଟ ଦେହାତି ସୁଦ୍ଧା ପ୍ରଚଣ୍ଡ କୋପରେ କମ୍ପିତ ହୋଇଗଲା–ଯେଉଁ ପଠାଣ ସିପାହୀ ହାତରୁ ପତ୍ରଟି ପାଇଥିଲେ, ତାହାର ବକ୍ଷରେ ନିଜ ଖଡ୍‍ଗତି ଆମୁଷ୍ଟି ପ୍ରୋଥିତ କରିଦେଲେ । ଏହି ଶୋଚନୀୟ ଅବସ୍ଥାରେ ସୁଦ୍ଧା କି ସ୍ପର୍ଦ୍ଧା ! କି କ୍ରୋଧ ! ମୋଗଲ ସେନାର ବଡ଼ ଆଶା ଥିଲା ଯେ, ସମ୍ରାଟ ସରର୍ତ ସବୁ ମାନି ସେମାନକଙ୍କୁ କଷ୍ଟରୁ ଉଦ୍ଧାର କରିବେ, ଡଙ୍ଗା ହଙ୍ଗମା ସବୁ ବନ୍ଦ କରିଦେବେ । କିନ୍ତୁ ବାଦ୍‍ଶାଙ୍କର ଅଦ୍ଭୁତ ଅବିମୃଷ୍ୟକାରିତା ସେମାନଙ୍କ ଆଶା ଆଶ୍ଵାସନାର ମୂଳରେ କଠୋର କୁଠାରଘାତ କଲା । ନଛୋଡବନ୍ଦାର ଗଣ୍ଠି ଯେ ଶକ୍ତି ! ଦୁର୍ଜ୍ଜନର ଦୁଷ୍ଟାମି ଏକ ଯେ ସ୍ୱାଭାବିକ ସମ୍ବଳ-! କଣ କରାଯିବ-? ଜଣକ ଲାଗି ସମସ୍ତଙ୍କ ମୁଣ୍ଡରେ ବିପଦ୍-ବୋଝ !

 

ପତ୍ର ପ୍ରତି ଅପରିଣାମଦର୍ଶୀ ବାଦ୍‍ଶାଙ୍କ ତାଚ୍ଛଲ୍ୟ ଓ ଅବଜ୍ଞା ରାଣୀଙ୍କ ରୋଷାନଳରେ ଘୃତାହୁତି ହେଲା ମାତ୍ର । ସେ ନିଦାଘ-ସନ୍ଧ୍ୟା-କାଦମ୍ବିନୀ ତୁଲ୍ୟ ଭୟଙ୍କର କାନ୍ତି ଧରି ଉଠିଲେ–କ୍ରମାଗତ ଯୁଦ୍ଧ ଚଳାଇବା ସକାଶେ ନିଜ ସେନା ମଧ୍ୟରେ ସେହିକ୍ଷଣି ଆଜ୍ଞା ପ୍ରଚାର କଲେ । ରାଜପୁତ୍‍ ଓ ଭୀଲମାନେ ମୋଗଳମାନଙ୍କ ଉପରେ ପୂର୍ବ ପରି ଶର ଓ ଶିଳାବର୍ଷଣ କରିବାକୁ ଲାଗିଲେ ।

 

ନୟନପାଳ ଓ ଶିବସିଂହ ପର୍ବତ ଉପରେ ରହି ଯୁଦ୍ଧ କରିବାବେଳେ, ଆମର ପୂର୍ବ-ବର୍ଣ୍ଣିତ ଫକୀର ସେଠାକୁ ଦୁହିଁଙ୍କ ସଙ୍ଗେ ମିଳିତ ହେଲେ । ତାଙ୍କୁ ଦେଖିବା ମାତ୍ରେ ନୟନପାଳ ବିସ୍ମୟାହତ ମୁଖରେ କହିଲେ–‘ଓହୋ, ଆପଣ ଯେ ଏଠାରେ !’ ପରେ ସେ ଶିବ ସିଂହଙ୍କୁ କହିଲେ,–‘ଭାଇ, ଏ ମହାତ୍ମା କିଏ ଜାଣ ତ ? ଦୁର୍ଗା ଦାସ ଓ ଇନ୍ଦିରାଙ୍କ ପ୍ରାଣ ରଖିଛନ୍ତି ଏ ।’

 

ଶିବ ସିଂହ ଅସୀମ ଆନନ୍ଦ ଲାଭ କରି, ଫକୀରଙ୍କୁ ପ୍ରଶଂସା ପ୍ରବାହରେ ଭସାଇ ଦେଲେ-। ନୟନପାଳ ଫକୀର ପ୍ରଶ୍ନ କଲେ,–‘ଆପଣ ଏଠାକୁ ଆସିବାର ଉଦ୍ଦେଶ୍ୟ ?’

 

‘ରାଜପୁତ୍‍ ସଙ୍ଗେ ମିଶି ଯବାନ ବିରୁଦ୍ଧରେ ଯୁଦ୍ଧ କରିବା ।’

 

‘କି ଆଶ୍ଚର୍ଯ୍ୟ ! ଆପଣ ଯୁଦ୍ଧ ବି ଜାଣନ୍ତି ! ତେବେ, ଆମେମାନେ ଥାଉଁ ଥାଉଁ ଆପଣ କିଆଁ ଏ ଶ୍ରମ ସ୍ଵୀକାର କରିବେ ?’

 

‘ପରୋପକାର ସାଧନ ଫକୀର ଧର୍ମ–ଏଥିରେ ପରିଶ୍ରମ ବା କଣ ? ସଂସାରରେ ସକଳ ସୁଖ ଭୋଗ କରିବା ପରେ, ଜୀବନ ପ୍ରତି ମୋର ଏବେ ବିରାଗ ଜନ୍ମିଛି–ବର୍ତ୍ତମାନ ମୁକ୍ତି ଚାହେଁ । ଶତ୍ରୁ ସଙ୍ଗେ ଲଢ଼ାଇ କରି ଯୁଦ୍ଧ ଭୂମିରେ ମଲେ ତ ମୁକ୍ତି ମିଳିବ । ଥରେ ପ୍ରତିଜ୍ଞା କରିଥିଲି, ଶତ୍ରୁ ସହିତ ଯୁଦ୍ଧରେ ମାଟି ସର୍ବସାଧାରଣରେ ଆତ୍ମ ପରିଚୟ ଦେବି । ସେହି ସମୟ ଏବେ ଆସି ପହଞ୍ଚିଛି–ଏହି ମହାଯୋଗରେ ଯୋଗ ଦେଇ ପ୍ରାଣବଳି ଦେବି । ଚାଲ ଏଥର ।’

 

ଫକୀର ଯୁଦ୍ଧସନ୍ନଦ୍ଧ ହେଲେ । ଦେହରୁ କଷାୟ ପରିଧେୟ ଅଙ୍ଗରଖା ଓ କଣ୍ଠମାଳା ବାହାର କରିଦେଲେ । ସେତେବେଳେ ତାଙ୍କ ଦୀପ୍ତ ଶରୀରରୁ ରାଜପୁତ୍‍-କାନ୍ତି, କ୍ଷତ୍ରିୟାଲୋକ ଓ ବୀର-ତେଜ ଫୁଟି ବାହାରିଲା । ପରେ ସେ ଦ୍ରୋଣଙ୍କ ଜ୍ୟୋତି ଧରି ରଣକ୍ଷେତ୍ର ଆଡ଼େ ଉଗ୍ରଭାବରେ ଧାବିତ ହେଲେ । ପଠାଣ ସଙ୍ଗେ ଯୁଦ୍ଧ କରିବାବେଳେ, ଫକୀରଙ୍କର ଅଲୌକିକ ଭୁଜବଳ, ଭୀଷଣ ସାହସ ଓ ରଣ ନୈପୁଣ୍ୟର ପରିଚୟ ପାଇ ରାଜପୁତ୍‍ମାନେ ନିଜ ନିଜ ମୁଖ ଉପରେ ଆନନ୍ଦ-ବିସ୍ମୟ ରେଖା ଖେଳାଇଦେଲେ । କିନ୍ତୁ ସେ କିଏ, ତାହା କେହି ହେଲେ ଅନୁମାନ କରିପାରିଲେ ନାହିଁ । ତଥାପି, ତାଙ୍କ ସାହାଯ୍ୟ ଓ ପରିଶ୍ରମ ବଳରେ ହିଁ ଦୁର୍ଗାଦାସ ଓ ଇନ୍ଦିରା ମୋଗଲ ମନ୍ଦିରରୁ ଅବ୍ୟାହିତ ପାଇଥିବାର ଶୁଣି ପାରି, ରାଜପୁତ୍‍ମାନେ ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିବାକୁ ଲାଗିଲେ ।

Image

 

ସପ୍ତତ୍ରିଂଶ ପରିଚ୍ଛେଦ

(କେଶରୀ କୁକ୍‍କୁର ହେଲା)

 

ପରଦିନ ରାଜପୁତ୍‍ ଓ ମୋଗଲମାନଙ୍କ ମଧ୍ୟରେ ପୂର୍ବାପେକ୍ଷା ଉଗ୍ରତର ଯୁଦ୍ଧ ଚାଲିଲା । ନୟନପାଳ ଅତିରିକ୍ତ ରାଗରେ ଆତ୍ମବିସ୍ମୃତ ହୋଇ ସମ୍ରାଟ ଉପରେ ପୂର୍ଣ୍ଣ ପ୍ରତିଶୋଧ ନେଲେ । ଭୀଲ ଓ ରାଜପୁତ୍‍ ସୈନିକମାନଙ୍କୁ ଅଧିକ ଉତ୍ତେଜିତ ଉତ୍ସାହିତ କରି, ଅଦ୍ଵିତୀୟ ବୀରତ୍ଵ ଓ ବାହୁ ବିକ୍ରମର ଅଦ୍‍ଭୁତ ପ୍ରମାଣ ଦେଲେ । ଗହ୍ଵର-ଗର୍ଭସ୍ଥ ମୋଗଲମାନଙ୍କର ଗୁଳି ବା ଶର ରାଜପୁତ୍‍ ଓ ଭୀଲମାନଙ୍କ ମଧ୍ୟରୁ କେହି ଯେ ଜୀବନ ହରାଇ ନାହାନ୍ତି, ଏହା କହିବା ଆମର ଉଦ୍ଦେଶ୍ୟ ନୁହେଁ । ଅନେକେ ଅବଶ୍ୟ ମଲେ । ନୟନପାଳ ହିଁ ଏହି ସମସ୍ତ ଉତ୍ପାତ, ପ୍ରଳୟଙ୍କର ଘଟନାର ମୂଳ ବୋଲି ସ୍ଥିର କରି, ମୋଗଲ ସିପାହୀଦଳ ତାଙ୍କ ପ୍ରତି ପ୍ରଖର ଆକ୍ରମଣ କରିବାକୁ ଚେଷ୍ଟିତ ହେଲେ । କାହାରି ଦିନ ତ ଏକପରି ଯାଏ ନାହିଁ । ଯୁଦ୍ଧ କରୁ କରୁ, ଜଣେ ପଠାଣ ସୈନିକ ଭୀମ ଶରାଘାତରେ ନୟନପାଳ ପଞ୍ଚତ୍ଵ ପ୍ରାପ୍ତ ହେଲେ । ଆଶ୍ଵାସନାର କଥା, ଇନ୍ଦିରା-ଉଦ୍ଧାର ଓ ବାଦ୍‍ଶା ଅନିଷ୍ଟ ପାଇଁ ସେ ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ବର୍ତ୍ତମାନ ପାଳନ କରି ଚାଲି ଗଲେ ।

 

ନୟନପାଳଙ୍କ ଆକସ୍ମିତ ମରଣରେ ରାଜପୁତ୍‍ମାନେ ଗଭୀର ଶୋକ ପ୍ରକାଶ କଲେ । ସେ ପୂର୍ବକୃତ ଦୁରାଚର ପାଇଁ ଯଥୋଚିତ ଅନୁତପ୍ତ ହୋଇ ଶେଷରେ ଜାତୀୟତାର ଅଦ୍‍ଭୁତ ପରିଚୟ ଦେଇ ବୀରଜନୋଚିତ ମୃତ୍ୟୁ ଆଲିଙ୍ଗନ କରିବା ଯୋଗୁଁ, ରାଜପୁତ୍‍ମାନେ ତାଙ୍କର ଭୂରି ଭୂରି ପ୍ରଶଂସା କୀର୍ତ୍ତନ ନ କରି ରହି ପାରିଲେ ନାହିଁ । ଦୁର୍ଗା ଦାସଙ୍କ ଆଦେଶରେ ଚାରିଜଣ ରାଜପୁତ୍‍ ସୈନିକ ନୟନପାଳଙ୍କ ମୃତ କଳେବରଟି ଧରି ସେହି କ୍ଷଣି ଆବୁ ପାହାଡ଼ ଉପରକୁ ଉଠି ଅତିଶୟ ଗୌରବସହଜାରେ ଶବ-ସଂସ୍କାର କଲେ ।

 

ଗହ୍ଵରାବଦ୍ଧ ମୋଗଲମାନଙ୍କୁ ନିରୁପାୟ ଅନ୍ତଃସାରଶୂନ୍ୟ ଦେଖି ରାଜସିଂହ ହୃଦୟରେ ଯେଉଁ ଦାରୁଣ ବେଦନା ଜାତ ହୋଇଥିଲା, ଅଡ଼ିବାଜ୍‍ ଔରଂଜୀବ୍‍ଙ୍କ ଉଦ୍ଧତ ଆଚରଣ ଓ ଅବିବେକିତା ଦେଖି ତାହାର ସ୍ଥାନ ପ୍ରବଳ ରାଗ ଦ୍ଵାରା ଅଧିକୃତ ହୋଇଗଲା । ରାଣାଙ୍କ ସଦ୍‍ଗୁଣାବଳୀ ଅବର୍ଣ୍ଣନୀୟ । ତାଙ୍କ ସତ୍ୟନିଷ୍ଠା, ପରୋପକାର, ଦେଶଭିମାନ ଇତ୍ୟାଦି ଗୁଣ ସଙ୍ଗେ ପରାକ୍ରମ ସମନ୍ଵିତ ହୋଇଥିବା ଯୋଗୁଁ, ସୁବାସପ୍ରାପ୍ତ ସୁବର୍ଣ୍ଣ ପ୍ରାୟ, ତାଙ୍କ ଜୀବନର ମହତ୍ତ୍ଵ ବୃଦ୍ଧି ପାଇଥିଲା । ଯେ ମନ୍ଦ, ଅନ୍ୟକୁ ମନ୍ଦ ବିବେଚନା କରିବ ତାହା ପକ୍ଷରେ ସ୍ଵାଭାବିକ । କାମଳ ରୋଗିକୁ ଚତୁର୍ଦ୍ଦିଗ ହଳଦିଆ ଦିଶିଥାଏ ! ଏଣୁ କାମିନୀ-ଲୋଭୀ ଔରଂଜୀବ୍‍ଙ୍କର ସନ୍ଦେହ ହେଲା, ରାଜପୁତ୍‍ମାନଙ୍କ ହାତରେ ଉଦୀପୁରୀଙ୍କ ମହତ୍ତ୍ଵ ବାଧା ପ୍ରାପ୍ତ ହେବ । ତଥାପି ସେ ରାଣା ସନ୍ଧି-ପ୍ରସ୍ତାବରେ ଅଙ୍ଗୀକୃତ ହେଲେ ନାହିଁ । ଏହାହିଁ ଦୁଷ୍ପ୍ରବୃତ୍ତି ଦୁର୍ମତି ଲୋକର ସହଜ ପ୍ରକୃତି ସିନା ! କେଉଁ ମୁହୂର୍ତ୍ତରେ ରାଣାଙ୍କ ସୈନ୍ୟ ତାଙ୍କୁ ଛାଡ଼ି ସେଠାରୁ ଚାଲିଯିବେ, ଏହା ଚିନ୍ତା କରିବାକୁ ଲାଗିଲେ । ଗହ୍ଵରର ପଠାଣ ସୈନ୍ୟ କ୍ରମେ ଶୁଷ୍କ ଓ କର୍ମାକ୍ଷମ ହୋଇ ପଡ଼ିଲେ । ବୋଝ ଉପରେ ନଳିତା ବିଡ଼ା ଭଳି, ପର୍ବତର ଅବିଶ୍ରାନ୍ତ ବରଫ ପାତ ସେମାନଙ୍କୁ ନିଶ୍ଚେଷ୍ଟ ଦୁର୍ବଳ କରି ପକାଇଲା । ପଚା ସଡ଼ା ଶବସ୍ତୁପରେ ଗହ୍ଵର ଗର୍ଭଟି ପୂତିଗନ୍ଧମୟ ହୋଇଉଠିଲା । ଏହିପରି ଦୁଇ ଦିନ ଗତ ହେଲା ।

 

ତୃତୀୟ ଦିନ ରାଜପୁତ୍‍ଗଣ ପୂର୍ବ ପରି ଯୁଦ୍ଧ ଚଳାଇଲେ । ମୋଗଲ ସୈନ୍ୟ ଶକ୍ତ୍ୟନୁସାରେ ଆତ୍ମରକ୍ଷା ଚେଷ୍ଟା କଲେ । ସେ ଦିନ ସକାଳେ ଫକୀର ଭୀମ ବଳ ସହକାରେ ଯେଉଁ ବିଚିତ୍ର ସଂଗ୍ରାମ କଲେ, ତାହା ଦେଖି ରାଜପୁତ୍‍ମାନେ ଚିତ୍ରପଟ ତୁଲ୍ୟ ଠିଆ ହୋଇ ରହିଲେ-। ରାଜପୁତ୍‍ର ସାହାଯ୍ୟ ନିମନ୍ତେ ସାକ୍ଷାତ କୁମାର କାର୍ତ୍ତିକେୟ ଯେପରି ରଣସ୍ଥଳରେ ଅବତୀର୍ଣ୍ଣ-! ଶତ୍ରୁ ପକ୍ଷର ଅଜସ୍ର ବାଣକ୍ଷେପରେ ତାଙ୍କ ଦେହ ଚାଲୁଣି ପରି ଛିଦ୍ରମୟ ହୋଇଗଲା, ତଥାପି ସେ ଯୁଧ୍ୟରେ ଉନ୍ମତ୍ତ ! ଜଣାଗଲା ଯେପରି ଯୁଦ୍ଧରେ ପ୍ରାଣତ୍ୟାଗ ହିଁ ତାଙ୍କର ଏକମାତ୍ର ବାସନା । ଅପୂର୍ବ ସାହସ ଓ ପରାକ୍ରମ ସହ ଯୁଦ୍ଧ କରିବା ସମୟରେ, ଗହ୍ଵର ମଧ୍ୟରୁ ହଠାତ୍‍ ଏକ ଶର ଆସି ଫକୀରଙ୍କ ମସ୍ତକରେ ବିଦ୍ଧ ହୋଇଗଲା । ଅତିରିକ୍ତ ଅବିରାମ ରୁଧିର କ୍ଷୟରେ ସେ ନିଷ୍ପନ୍ଦ ହୋଇ ପଡ଼ିଲେ–ମୂର୍ଚ୍ଛା ଆସି ତାଙ୍କ ଶରୀର ସ୍ପର୍ଶ କରିଦେଲା । ଶିବସିଂହ ଶୀଘ୍ର ତାଙ୍କ ନିକଟକୁ ଧାଇଁ ଯାଇ, ତାଙ୍କ କ୍ଷତ ମସ୍ତକରେ ପଟି ବାନ୍ଧିଲେ । ପରେ ସେ କେତେଜଣ ଭୀଲଙ୍କ ସାହାଯ୍ୟରେ ଆହତ ଫକୀରଙ୍କୁ ଧୀରେ ଧୀରେ ବହି ନେଇ ଅଚଳେଶ୍ଵର ମନ୍ଦିର ନିକଟସ୍ଥ ବିଶାଳ ଏକ ବଟବୃକ୍ଷ ଛାୟାରେ ଗୋଟିଏ ପତ୍ର-ଶଯ୍ୟା ଉପରେ ଯତ୍ନ ସହିତ ଶୁଆଇ ଦେଲେ । ତାଙ୍କର ସେବା ଶୁଶ୍ରୂଷା କରିବ ପାଇଁ ସେଠାରେ ଜଣେ ଭୀଲ ରହିଲେ । ଶିବସିଂହ ପୁଣି ଯାଇ ଯୁଧ୍ୟରେ ଯୋଗ ଦେଲେ-

 

ଦେଖୁ ଦେଖୁ ମାର୍ତ୍ତଣ୍ଡଦେବ ନଭୋମଣ୍ଡଳର କେନ୍ଦ୍ର ସ୍ଥଳରେ ଉପନୀତ ହୋଇ ସୁତୀକ୍ଷଣ ରଶ୍ମୀ ବର୍ଷଣ କଲେ । ପ୍ରଖର କିରଣରେ ଗହ୍ଵରର ପ୍ରସ୍ତର ସକଳ ତପ୍ତ ହେବାରୁ ମୋଗଲମାନେ ଭୟଙ୍କର ଯାତନା ପ୍ରାପ୍ତ ହେଲେ । ଶୃଙ୍ଖଳା, ଆଦେଶ ଓ ଅଧିକାର ପ୍ରତି ତିଳେମାତ୍ର ଭୃକ୍ଷେପ ନ କରି, ସେମାନେ ଯେ ଯାହାର ମୁକ୍ତି ଉପାୟ ଖୋଜିବାକୁ ଲାଗିଲେ । ଏହା ଜାଣିପାରି ବାଦ୍‍ଶାଙ୍କ ହୃଦୟରେ ପ୍ରଚଣ୍ଡ କୋପ ଓ ବିରକ୍ତି ଜନ୍ମିଲା, କିନ୍ତୁ କରିବେ କଣ ? ସେତେବେଳେ ତାଙ୍କର ସୈନିକମାନଙ୍କୁ ଆୟତ୍ତ କରିବାର ଶକ୍ତି ଥିଲେ ତ ! ଅତଏବ ପ୍ରବଳ ଅନିଚ୍ଛା ସତ୍ତ୍ଵେ, ସେ ରାଜସିଂହଙ୍କ ସନ୍ଧି-ପ୍ରସ୍ତାବରେ ଅଗତ୍ୟା ଅଙ୍ଗୀକୃତ ହେଲେ–ଅବିଳମ୍ବେ ରାଣାଙ୍କ ନିକଟକୁ ନିଜର ବଶ୍ୟତା ସ୍ଵୀକାର ଜଣାଇ ପଠାଇଲେ, ପଠାଣମାନେ ଯେପରି ଗହ୍ଵର ମଧ୍ୟରେ ନିଜ ନିଜ ଅସ୍ତ୍ରଶସ୍ତ୍ର ସକଳ ରଖି ରିକ୍ତ ହସ୍ତରେ ବାହାରକୁ ଆସନ୍ତି, ଏବଂ ଦିଲ୍ଲୀକୁ ଫେରିବାବେଳେ ମାର୍ଗରେ ଯେପରି ଲୁଣ୍ଠନ ଉପଦ୍ରବାଦି ନ କରନ୍ତି । ବାଦ୍‍ଶା ବାଧ୍ୟତଃ ଏହି କଥାରେ ବି ନିଜ ସମ୍ମତି ଜଣାଇଲେ ଏବଂ ନିରସ୍ତ୍ର ହୋଇ, ରନ୍ଧ୍ର-ପଥ ତ୍ୟାଗ କରିବା ସକାଶେ ମୋଗଲମାନଙ୍କୁ ହୁକୁମ ଦେଲେ ।

 

ଏଣେ ରାଣାଙ୍କ ଆଦେଶରେ ରାଜପୁତ୍‍ମାନେ ଗହ୍ଵର ଅବରୋଧରୁ ବିରତ ହେଲେ । ମୋଗଲ ସୈନିକ ମାନେ ଗୁହାଭିତରେ ଅସ୍ତ୍ରଶସ୍ତ୍ର ସବୁ ପକାଇ ଦେଇ, ଜଣକ ପରେ ଜଣେ ବିଷରହିତ ଦଳିତ ସର୍ପ ଭଳି ନିଶ୍ଚଳ ନିଶ୍ଚେଷ୍ଟ ଗତିରେ ଗହ୍ଵରରୁ ବାହାର ହେଲେ । ବାଦ୍‍ସାଙ୍କୁ ବିଶେଷ କ୍ଷତିଗ୍ରସ୍ତ ଓ ଅପଦସ୍ଥ ହେବାର ଦେଖି, ରାଜପୁତ୍‍ ମାନେ ପ୍ରାୟ ତିନିଦିନ ନିଦ୍ରା ଆହାର-ଅଭାବ-ଜନିତ ଦୁଃଖ କଷ୍ଟ ସବୁ ଏକାବେଳକେ ଭୁଲି ଗଲେ । କିନ୍ତୁ ଭୀମଲାଲ ପଣ୍ଡିତ ଦୁର୍ଗାଦାସ ଓ ଶିବ ସିଂହଙ୍କ ନିକଟକୁ ଯାଇ କହିଲେ,–‘ଦେବବନ୍ଦିତ ଅସଂଖ୍ୟ ବ୍ରାହ୍ମଣଙ୍କୁ ଯେ ହାତୀ ପାଦତଳେ ମନ୍ଥି ମାରିଛି, ସେହି ପଠାଣ-ରାକ୍ଷସକୁ ଛାଡ଼ିଦେବାଟା ଅନ୍ୟାୟ ! ପ୍ରତିହିଂସା ଅତୃପ୍ତ ରହିଲା ।’ ଶିବସିଂହ କହିଲେ,–‘ପଣ୍ଡିତ ଜୀ ! ଔରଂଜୀବ୍‍ ଖୁବ୍ ଲାଞ୍ଛିତ ହୋଇଛି–ଏଥିରେ ବି ଆପଣଙ୍କର ସନ୍ତୋଷ ହେଲା ନାହିଁ !’ ପଣ୍ଡିତେ ମୁଖ କିଞ୍ଚିତ୍‍ ବକ୍ର କରି ଦେଇ କହିଲେ,–‘ସନ୍ତୋଷ ? ନନ୍ଦ-ବଂଶର କେବଳ ଲାଞ୍ଛନାରେ ନୁହେ କିନ୍ତୁ ନିଧନରେ ଚାଣକ୍ୟର ସନ୍ତୋଷ ରାବଣ-ବଂଶ ଧ୍ଵଂସରେ ହିଁ ଦେବତାକୁଳର ସନ୍ତୋଷ !

 

‘ଦୁର୍ଗା ଦାସ ମୃଦୁ ହାସ ବ୍ୟକ୍ତ କରି କହିଲେ,–‘ଯେପରି ହେଉ ସୀତା ତ ମାନ ଧର୍ମ ଧରି ଉଦ୍ଧାର ପାଇଲେ ।’

 

ସମସ୍ତ ସୈନ୍ୟ ଗିରି-ରନ୍ଧ୍ର-ପଥରୁ ବହିର୍ଗତ ହେବାପରେ, ବାଦ୍‍ଶାଙ୍କ ଆଦେଶରେ ସେମାନେ ସେଠାରେ ଶିବିର ସ୍ଥାପନ କରି ସେହି ଦିନଟି ବିଶ୍ରାମ ଗ୍ରହଣ କଲେ । ରାଜସିଂହ ସେମାନଙ୍କୁ ଯଥେଷ୍ଟ ଖାଦ୍ୟ-ଦ୍ରବ୍ୟ ଯୋଗାଇ, ସେମାନଙ୍କର ସମସ୍ତ ସୁବିଧା କରାଇଲେ । ପଠାଣମାନେ ରାଣାଙ୍କ ସୌଜନ୍ୟରେ ଅତ୍ୟନ୍ତ ଚକିତ, ମୋହିତ ହୋଇ ତାଙ୍କର ପ୍ରଶଂସା ଗାନ ଆରମ୍ଭ କଲେ–ପୂର୍ବଯନ୍ତ୍ରଣା-ସ୍ମୃତି ଯେପରି ସେମାନଙ୍କ ମନରୁ ଏକାବେଳକେ ଅନ୍ତର୍ହିତ ହୋଇଗଲା-। ସେମାନେ ଭାବିଲେ,–‘ବାସ୍ତବିକ ରାଜପୁତ୍‍ ଭଳି ବୀର, ଉଦାର, ମହତ୍‍, ଧର୍ମପ୍ରାଣ ଜାତି ଜଗତରେ ନାହିଁ ।’

 

ପର ଦିନ ବାଦ୍‍ଶା ତାଙ୍କର ହତାବଶିଷ୍ଟ ସୈନ୍ୟ ଏବଂ ପୁରାଙ୍ଗନାମାନଙ୍କୁ ସଙ୍ଗେ ଧରି ଦିଲ୍ଲୀ ଅଭିମୁଖେ ଧୀରେ ଧୀରେ ଅଗ୍ରସର ହେଲେ । ରାଣା, କମଳକୁମାରୀ, ପଦ୍ମା, ଦୁର୍ଗାଦାସ, ଶିବସିଂହ, ଭୀମଲାଲ ପ୍ରଭୃତି ଆବୁ ଉପରକୁ ଉଠି ସେଠାରେ ଅଳ୍ପ କେତେକ ଦିନ ମହା ଆନନ୍ଦରେ ଅବସ୍ଥାନ କଲେ ।

 

ଔରଂଜୀବ୍‍ ବିଫଳଚେଷ୍ଟା ଓ ଅପମାନିତ ହୋଇ, ବେତ୍ରାହତ କୁକୁର ତୁଲ୍ୟ ରୂପନଗରରୁ ପଳାୟନ କଲେ । ମୋଗଲ ଏପରି କଠିନ ଶିକ୍ଷା ପୂର୍ବେ କେବେ ପାଇ ନ ଥିଲା । ସ୍ପେନ୍‍ର କ୍ରୂର, ପ୍ରଜାପୀଡ଼କ ଓ କପଟଚାରି ରାଜା ଫିଲିପ୍‍ ଯେପରି ଛୋଟ ରାଜ୍ୟର ଅଧିକାରୀ ଓଲନ୍ଦାଜବୀର ଉଇଲିୟମ ଦ୍ଵାରା ପରାସ୍ତ ହୋଇ ଲାଞ୍ଛିତ ହୋଇଥିଲେ, ହିନ୍ଦୁପୀଡ଼କ, ନିଷ୍ଠୁର ଦାମ୍ଭିକ ଓ ଆତ୍ମମାତ୍ରହିତୈଷୀ ଔରଂଜୀବ୍‍ ସେହିପରି କ୍ଷୁଦ୍ର ଉଦୟପୁର ରାଜ୍ୟର ଅଧିପତି ରାଜପୁତ୍‍ ବୀର ରାଜସିଂହଙ୍କ ହାତରେ ପୂର୍ଣ୍ଣ ପରାଭବ ଓ ଅପମାନ ପାଇଲେ । ଇଉରୋପ–ଇତିହାସ–ପାଠକ ମାତ୍ରେ ଏହି ତୁଳନା ବିଶଦ ଭାବରେ ବୁଝି ପାରିବେ । ଫିଲପ୍‍ ଭଳି ସୈନ୍ୟବଳ, ଗୌରବ, ଐଶ୍ଵର୍ଯ୍ୟ ପ୍ରତାପରେ ଅନ୍ୟାନ୍ୟ ଶାସକଙ୍କ ଅପେକ୍ଷା ଉତ୍କୃଷ୍ଟତର, ଜଗ୍‍ତପ୍ରଥିତ ସାମ୍ରାଜ୍ୟ ଅଧୀଶ୍ଵର ଏବଂ ଶ୍ରମଶୀଳତା, ସତର୍କତା ଇତ୍ୟାଦି ରାଜକୀୟ ଗୁଣରେ ବିଭୂଷିତ ହେଲେହେଁ ଧୃର୍ତ୍ତ, ସ୍ଵାର୍ଥପର, ପରପୀଡ଼କ ଔରଂଜୀବ୍‍ ନିଜ ସାମ୍ରାଜ୍ୟ-ପତନର ବୀଜ ବପନ କରିଥିଲେ ।

Image

 

ଅଷ୍ଟତ୍ରିଂଶ ପରିଚ୍ଛେଦ

(ଫକୀରଙ୍କ ପରିଚୟ)

 

‘ଆହା, ବିଧି-ବିଧାନ କି ବିଚିତ୍ର ! ବୀର-କୁଳରେ ଜନ୍ମି, ବୀରର ହାତ ଧରି ଶେଷରେ ମୋତେ ଦୁଃଖ କଷ୍ଟ ସହିବାକୁ ହୋଇଛି । ହେଟି କାଲି ପରି ଲାଗୁଛି–ଯେତେବେଳେ ସେ ଯୁଦ୍ଧରେ ହାରି ବାହୁଡ଼ିଲେ, ଅଭିମାନିନୀ ଚନ୍ଦ୍ରାବତୀଙ୍କ ଭଳି, ମୁଁ ଅଲକ୍ଷଣି ବି ତାଙ୍କୁ କେତେ ଗାଳି ପରାଭବ ଦେଇ ଦୁର୍ଗ ଭିତରେ ପୂରାଇ ଦେଲି ନାହିଁ–ଦ୍ୱାର ବାହାରେ ରଖି ତାଙ୍କ ମନରେ ଦାହ ଲଗାଇ ଦେଲି-। ମୋଠାରୁ ଅପମାନ ପାଇ, ସେ ଯୋଧପୁରରେ ବି ନ ରହି କେଉଁଆଡ଼େ ଚାଲିଗଲେ-। ପରେ ଅନୁତାପ କରି ତାଙ୍କୁ କେତେ ଯେ ଖୋଜାଇଲି–କେଉଁଠି ଦିଶିଲେ ନାହିଁ । ଆହା ! ମାସେ ନାହିଁ, ବର୍ଷେ ନାହିଁ–ଆଜକୁ ପ୍ରାୟ ବାର ବର୍ଷ ହେଲା ତାଙ୍କର ଯେ ଦେଖା ନାହିଁ । ମୋ ଭଳି ଅଲାଜୁକ ଅଭାଗିନୀ ସ୍ତ୍ରୀ ସିନା ଜୀବନ ଧରି, ଛାତିକୁ ପଥର କରି କାଳ କଟାଇ ଆସୁଛି । ପାଣି ନ ଥିବା ନଈ ପରି, ସ୍ୱାମୀଛଡ଼ା ସ୍ତ୍ରୀର ମୂଲ୍ୟ ନାହିଁ, ମହତ୍ତ୍ୱ ନାହିଁ । ଯୁଦ୍ଧରେ ଜୟ ପରାଜୟ ତ ବୀରର ହାତର କଥା ନୁହେ–କିଛି ନ ବୁଝି ନ ସୁଝି ଅନ୍ଧୁଣୀ ବାୟାଣୀ ପରି, ତାଙ୍କ ଉପରେ ନାନାଗାଳି ନିନ୍ଦା ଝାଡ଼ି ଦେଇ ତାଙ୍କ ପ୍ରାଣରେ କେତେ ଆଘାତ ଆଣିଲା ! ଏଥି ଯୋଗୁଁ ସିନା ଆଜି ମୁଁ ଫଟା ପ୍ରାଣ ଧରି ବସିଛି ।

 

‘କେବେହେଲେ ମୁଁ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହି ପାରିଲି ନାହିଁ–ମନପ୍ରାଣ ମୋର ପ୍ରତି କ୍ଷଣ ଚଞ୍ଚଳ । ଭବିଷ୍ୟତରେ ମୁଁ ଏଭଳି ଚଞ୍ଚଳା ହେବା ଜାଣି ପାରି ବାପ ମା’ ବୋଧହୁଏ ମୋତେ ‘ଇନ୍ଦିରା’ ନାମ ଦେଇଛନ୍ତି । ସବୁ ମୋର ଏବେ ସରିଛି–ମନକୁ ଆଉ ଘାଣ୍ଟ ଚକଟ କରିବା ଦରକାର ନାହିଁ । ଏତେ କାଳ ହେଲା ଯାହାଙ୍କୁ ଦେଖିପାରିଲି ନାହିଁ, ତାଙ୍କ କଥା ଭାବି ବା ଲାଭ କଣ ? ପୁଣି ତାଙ୍କର ଦର୍ଶନ ପାଇ ଯେ ଚରଣ ସେବା କରି ପାରିବି, ଏହି ଆଶା ଏ ଜୀବନରେ ଆଉ କାହିଁ ? ସବୁ ହେଲା–ରାଜପୁତ୍‍ମାନେ ଜିଣିଲେ, ଚନ୍ଦ୍ରାବତୀ ନିରାପଦରେ ରହିଲେ, କମଳକୁମାରୀ ଲୋଡ଼ିବା ବର ପାଇ ସୁଖୀ ହେଲେ । ଇଚ୍ଛା କରିବା କଥା ସବୁ ଦେଖିଲି, ଶୁଣିଲି । ଏଥର ଆଉ ତେବେ କରିବି କଣ ? ଗୋଟିଏ ମାତ୍ର କର୍ତ୍ତବ୍ୟ ବାକି ରହିଲା–ତାହା ସନ୍ୟାସିନୀ ବ୍ରତ । ବୈକୁଣ୍ଠ ଯୋଗିଙ୍କ ଠାରୁ ଦୀକ୍ଷା ନେଇ ତପସ୍ୱିନୀ ବେଶରେ ଜୀବନର ଶେଷ ସମୟତକ କଟାଇ ନେବି । ପତି-ସେବା, ପତି-ସୁଆଗ ଯେତେବେଳେ ଏ ହୀନ ଭାଗ୍ୟରେ ନାହିଁ, ତପସ୍ୟାଠୁଁ ବଳି ପବିତ୍ର କାର୍ଯ୍ୟ ଆଉ କଣ ହୋଇପାରେ ? ମୋ ଭଳି ସ୍ତ୍ରୀର ଏବେ ଏହାହିଁ ତ ଧର୍ମ୍ମ-।’

 

ଦିନେ ଅଚଳେଶ୍ୱର ମନ୍ଦିର ନିକଟରେ ଇନ୍ଦିରା ଅଜିତ୍‍ସିଂହଙ୍କୁ ଧରି ଉପରୋକ୍ତ ଭାବରେ ଚିନ୍ତା କରୁଁ କରୁଁ ଏଣେତେଣେ ବୁଲୁଥିଲେ । ସେ ଏଠାକୁ ଆସିବା ଦିନୁଁ ସର୍ବଦା ଅଚଳେଶ୍ୱରଙ୍କ ପୂଜା ଏବଂ ବୈକୁଣ୍ଠ ଯୋଗିଙ୍କ ସେବା କରିବାକୁ ଲାଗିଲେ । ଏହା ବ୍ୟତୀତ, ସେ ଆବୁ ପାହାଡ଼ର ଅନ୍ୟାନ୍ୟ ତପସ୍ୱିମାନଙ୍କ ଶୁଶ୍ରୂଷାରେ ନିଜକୁ ନିୟୋଜିତ କରୁଥିଲେ । ତାଙ୍କର ଭକ୍ତି, ସାଧୁ ସରଳ ବ୍ୟବହାର ଓ ଧର୍ମନିଷ୍ଠା ଦେଖି ଯୋଗୀ ଏବଂ ଅନ୍ୟାନ୍ୟ ତପସ୍ୱୀମାନେ ତାଙ୍କ ପ୍ରତି ବିଶେଷ ପ୍ରୀତ ଥିଲେ । ତପସ୍ୱିମାନେ କେବେ କେବେ ତୁଳସୀ ଦାସ ରାମାୟଣ ପାଠ କରିବାବେଳେ, ଇନ୍ଦିରା ସେମାନଙ୍କ ପାର୍ଶ୍ୱରେ ବସି ହୃଦୟରେ ଭକ୍ତି ଫୁଟାଇ ମହା ଆଗ୍ରହ ସହିତ ତାହା ଶୁଣୁଥିଲେ । ମନରୁ ସାଂସାରିକ ଚିନ୍ତା ସକଳ ପରିହାର କରି ଜୀବନ ସଂଯତ ଓ ବିଶୁଦ୍ଧ ରଖିବା ସକାଶେ ବୈକୁଣ୍ଠ ଯୋଗୀ ଇନ୍ଦିରାଙ୍କୁ ସମୟ ସମୟରେ ଉପଦେଶ ଦାନ କରୁଥିଲେ ।

 

ଆଜକୁ ତିନି ଦିନ ହେଲା ବୈକୁଣ୍ଠ ଯୋଗୀ ପାହାଡ଼ ସୀମାରୁ ଏକାବେଳକେ ଅନ୍ତର୍ଦ୍ଧାନ-। ତାଙ୍କୁ ନ ଦେଖି ଇନ୍ଦିରା ଅତ୍ୟନ୍ତ ଚିନ୍ତିତ–ତାଙ୍କ ଅନୁପସ୍ଥିତିରେ କାରଣ କିଛି ଠିକ୍ କରି ନ ପାରି ବିଚଳିତ । ପତି-ଚିନ୍ତା ସଙ୍ଗେ ସଙ୍ଗେ ଯୋଗିଙ୍କ ଅନ୍ତର୍ଦ୍ଧାନ କଥା ଭାବି ଭାବି ବିଚରଣ କରିବା ସମୟରେ, ସେ ମନ୍ଦିର ଠାରୁ କିଛି ଦୂରକୁ ଚାଲିଗଲେ । ସେଠାରେ ହଠାତ୍‍ କୌଣସି ଜଣେ ଲୋକର କରୁଣ କୁନ୍ଥନ-ଧ୍ୱନି ଶୁଣି ପାରି ବିସ୍ମୟରେ ବୁଡ଼ିଗଲେ । ବୁଡ଼ିଗଲେ । ସେହି ସ୍ଥଳକୁ ଯାଇ ଦେଖିଲେ, ଗୋଟିଏ ବୃକ୍ଷ ମୂଳରେ ପଲ୍ଲବ-ଶଯ୍ୟା ଉପରେ ଆହତ ଉପରେ ଆହତ ରକ୍ତାକ୍ତକାୟ କେହି ଜଣେ ବିକଳ ହୋଇ ପଡ଼ି ରହିଛି ଏବଂ ଶଯ୍ୟା ପାର୍ଶ୍ଵରେ ଜଣେ ଭୀଲ ବସି ରହିଛି-। ସେ ସମୀପକୁ ଯାଇ ଭୀଲକୁ ପ୍ରଶ୍ନ କଲେ–‘କିଏ ଏ ? ଏପରି କୁନ୍ଥେଇ ହେଉଛନ୍ତି କାହିଁକି ?’

 

ଭୀଲ କହିଲା–‘ମା ଏ ଜଣେ ରାଜପୁତ୍ର ଭଳି ଦେଖା ଯାଉଛନ୍ତି । ଏହାଙ୍କର ଚରିତ୍ର ବିଚିତ୍ର । ଏ ଫକୀର ବେଶରେ ଆସି ଆମ ପକ୍ଷରେ ଯୁଦ୍ଧ କରୁଥିଲେ । ଏ ମହାତ୍ମାଙ୍କର ରୂପ, ଗୁଣ, ବଳ ଦେଖି ଆନନ୍ଦ ପାଇବା କଥା ସିନା–କହି ହେବ ନାହିଁ । ଏହାଙ୍କର ଆଶ୍ଚର୍ଯ୍ୟ ଯୁଦ୍ଧ ଦେଖି ଆମମାନଙ୍କର ଆଖି ନିଭିଗଲା–ସମସ୍ତେ କାବ୍‍ବା ହୋଇଗଲେ । ଛୁରୀରେ ଫୁଲ କାଟିଲା ପରି, ଏ ଯେ କେତେ ପଠାଣକୁ ଛେଦି ଭୂଇଁରେ ଗଡ଼େଇ ଦେଲେ, ତା କହିବାକୁ ମା ଜିଭ ଲେଉଟୁ ନାହିଁ । ଲଢ଼ାଇ କରୁ କରୁ ଏ ମାଡ଼ ଖାଇ ମୂର୍ଚ୍ଛା ହୋଇ ପଡ଼ି ଯିବାରୁ, କୁମାର ଶିବସିଂହ ଏହାଙ୍କୁ ଏଠାରେ ଆଣି ରଖାଇ ମୋତେ ଜଗିବାକୁ କହି ଯାଇଛନ୍ତି ।’

 

ଇନ୍ଦିରାଙ୍କ ଭାବନା-ମଳିନ ମନରେ ଯୁଗପତ ନୂତନ ଗୋଟିଏ ଭାବ-କମ୍ପନ ଖେଳିଗଲା-। ତାଙ୍କର ଚିନ୍ତା-ଦୀପ୍ତ ମୁଖ ଉପରେ ଏକ ଚମକ ଚଞ୍ଚଳ ଛଟା ଦେଖାଦେଲା । ନଷ୍ଟ ରତ୍ନ ବହୁଦିନ ପରେ ଲାଭ କରିବା ଭଳି ଅଭିନୟ କରି ମନେ ମନେ କହିବାକୁ ଲାଗିଲେ,–‘ଆହା, କାହିଁ ମୋର ସେ ଭାଗ୍ୟ ! ସେ ବା ଏ ଯୁଦ୍ଧରେ ଯୋଗ ଦେବେ କାହିଁକି ? ସମାନ ରୂପର ତ ଅନେକ ଲୋକ ଦେଖାଯାନ୍ତି ।’

 

ସେ ଆହତ ରାଜପୁତ୍‍ଙ୍କ କାତରତା, ଯନ୍ତ୍ରଣା ସମ୍ଭାଳି ନପାରି, ତାଙ୍କ ନିକଟକୁ ଯାଇ ଧୀର ସହାନୁଭୂତି-ସୂଚକ ସ୍ଵରରେ ପଚାରିଲେ,–‘ମହାଶୟ, ଆପଣଙ୍କ ପରିଚୟ ଦେଇ ପାରିବେ ?’

 

ରାଜପୁତ୍‍ ଚକ୍ଷୁ ଉନ୍‍ମିଳିତ କରି ନ ପାରି କଷ୍ଟେ ମଷ୍ଟେ ଅସ୍ପଷ୍ଟ କଣ୍ଠରେ ଉତ୍ତର କଲେ–‘ତୃ–ଷା–ତୃ–ଷା ।’

 

ଏହା ଶୁଣିବା ମାତ୍ରେ ଇନ୍ଦିରା ଶିଶୁ ଅଜିତ୍‍ଙ୍କୁ ସେଠାରେ ବସାଇ ଦେଲେ ଏବଂ ଖେଳିବା ପାଇଁ ତାଙ୍କ ଆଗରେ ସୁନ୍ଦର ଫଳଟିଏ ଥୋଇ ଦେଇ ପତ୍ର ଶଯ୍ୟାଗତ ପୁରୁଷଙ୍କ ତୃଷା ନିବାରଣାର୍ଥ ଜଳ ଆଣିବ ସକାଶେ ସେଠାରୁ ଚାଲିଗଲେ । ଅଜିତ୍‍ ଫଳଟି ହାତରେ ଧରି, ଥରକୁ ଥର ତାହା ପାଟିରେ ଭରତି କରି ତାଙ୍କ ସୁକୋମଳ ଅଧର-ଧାରରେ ସ୍ୱର୍ଗୀୟ ସୁନ୍ଦର ଦରୋଟି ହସ ଫୁଟାଇ ଖେଳିବାକୁ ଲାଗିଲେ ।

 

ଏହି ଅବସରରେ ଅକସ୍ମାତ ସୁତୀକ୍ଷଣ ତରବାରିହସ୍ତ ଜଣେ ମୋଗଲ ସୈନିକ ଅଟ୍ଟହାସ ପାହାଡ଼ର ଏକ ପ୍ରାନ୍ତରୁ ଆହତ ରାଜପୁତ୍‍ଙ୍କ ଶଯ୍ୟା ପ୍ରତି ରାକ୍ଷସ ବେଗରେ ଧାଇଁ ଆସୁଁ ଆସୁଁ ଦୂରରୁ ବର୍ବର ସ୍ଵରରେ ଚିତ୍କାର କରି କହିଲେ,–‘ପ୍ରତିହିଂସା, ଖାଲି ପ୍ରତିହିଂସା ! କାଫର୍‍, ମୋ ଭାଇର ପ୍ରାଣ ନେଇଥିଲୁ ପରା–ପାଇବୁ ଏବେ ତା’ର ଫଳ, ରହ । ଏଇକ୍ଷଣି ତୋର କଲବଲ ପ୍ରାଣକୁ କୋତଲ କରିଦେବି, ସେଇ ବାଚ୍ଚାକୁ ବି କାଟି ପକାଇବି, ଦେଖ୍‍ ।’ ତାହାକୁ ଦେଖି, ତାହାର ଅସଭ୍ୟ ଭୟଙ୍କର ଡାକ ଶୁଣି ଭୀଲ ସେବକଟି ଝଟ୍‍ପଟ୍‍ ସେଠାରୁ ଉଠି ସୁଦୀର୍ଘ ସୁତୀକ୍ଷ୍‍ଣ ସୁଦୃଢ଼ ଏକ ଭଲ୍ଲ ଧରି ତାହା ପ୍ରତି ତୀବ୍ର ବେଗରେ ଧାଇଁଗଲା । ହଠାତ୍‍ ସିପାହିର ଗତିରୋଧ କରି ଦେଇ, ତାହାର ଶ୍ମଶ୍ରୁ ଟାଣି ଧରିଲା । ପଠାଣ ତାହାକୁ ଭୀମ ବେଗରେ ଆକ୍ରମଣ କଲା । ଭୀଲ କିଛି କାଳ ଅପୂର୍ବ ବଳ ଓ ସାହସ ସହିତ ଆତ୍ମରକ୍ଷା ଚେଷ୍ଟା କରି ଶେଷରେ ଜୀବନ ହରାଇଲା । ସିପାହୀ ମୃତ ଭୀଲକୁ ଦୁଇ ତିନି ଥର ପଦାଘାତ କରି ବକ୍ର ସ୍ଵରରେ କହିଲା,–‘ଓଗାଳି ଥିଲୁ ପର, ଓଗାଳ ଏଥର-।’

 

ପୁନର୍ବାର ସେ ହୁଙ୍କାର କରି ଆହତ ରାଜପୁତ୍‍ ପ୍ରତି ଧାବିତ ହେଲା । ତାହାର ଏହି ନିଷ୍ଠୁର କାଣ୍ଡ, ପୁରୁଷ ଚିତ୍କାର ରାଜପୁତ୍‍ ଯୁବକଙ୍କ କ୍ଷତବିକ୍ଷତ ଦେହରେ ଅଚିନ୍ତିତ ଅପୂର୍ବ ଶକ୍ତିର ଗୋଟିଏ ପ୍ରଖର ସ୍ଫୁରଣ ଜାଗ୍ରତ କରିଦେଲା । ପତ୍ରଶଯ୍ୟା-ପାର୍ଶ୍ୱସ୍ଥିତ ନିଜର ତୀକ୍ଷ୍‍ଣଧର ଖଡ୍‍ଗଟି ଧରି ସେ ହଠାତ୍‍ ଠିଆ ହୋଇଗଲା । ସିପାହୀ ତାଙ୍କ ସମ୍ମୁଖରେ ଉପସ୍ଥିତ ନ ହେଉଣୁ, ସେ ପ୍ରଚଣ୍ଡ ଉଗ୍ରତା ସହ ତାହା ଉପରେ ତରବାରି ନିକ୍ଷେପ କଲେ । ଅସ୍ତ୍ରଟି ମୋଗଲର କଣ୍ଠଦେଶରେ ଯାଇ ସାଂଘାତିକ ଚୁମ୍ବନ କଲା–ସେହିକ୍ଷଣି ତାହାର ସଶ୍ମଶ୍ରୁ ମସ୍ତକ ସ୍କନ୍ଧଚ୍ୟୁତ ହୋଇ କିଛି ଦୂରରେ ଯାଇ ପଡ଼ିଗଲା । ସଙ୍ଗେ ସଙ୍ଗେ ରାଜପୁତ୍‍ ଯୁବକ ମୂର୍ଚ୍ଛିତ ହୋଇ ପଡ଼ିଲେ ।

 

ସେହିକ୍ଷଣି ଇନ୍ଦିରା ଖଣ୍ଡିଏ ପତ୍ର-ପାତ୍ରରେ ଜଳ ଧରି ଯୁବକ ନିକଟକୁ ବାହୁଡ଼ିଲେ । ଆସିବାବେଳେ ଦୂରରୁ ପଠାଣ ସୈନିକର ଶବ ଓ ରକ୍ତ ନିରୀକ୍ଷଣ କରି ସେ ତଟସ୍ଥ ହୋଇଗଲେ । ଶିଶୁ ଅଜିତ୍‍ଙ୍କର କୌଣସି ଅନିଷ୍ଟ ଆଶଙ୍କା କରି ସେ ତଟସ୍ଥ ହୋଇଗଲେ । ଶିଶୁ ଅଜିତ୍‍ଙ୍କର କୌଣସି ଅନିଷ୍ଟ ଆଶଙ୍କା କରି ଉଦବିଗ୍ନ ପ୍ରାଣରେ ଧାଇଁ ଆସିଲେ । ତାଙ୍କୁ ଦେଖିବା କ୍ଷଣି ଅଜିତ୍‍ ହାତ ଗୋଡ଼ ହଲାଇ, ଅଳ୍ପ ଅଳ୍ପ ହସି ତାଙ୍କ ଆଡ଼େ ହାମ୍ବୁଡି ଯିବାକୁ ଲାଗିଲେ । ପିଲାଟିକୁ ନିରାପଦରେ ଥିବାର ଦେଖି ଇନ୍ଦିରାଙ୍କ ବ୍ୟସ୍ତ ମନ ସୁସ୍ଥ ହେଲା । କିନ୍ତୁ ରାଜପୁତ୍‍ ଯୁବକଙ୍କୁ ସଂଜ୍ଞାହୀନ ଦେଖି ପୁଣି ଆଶଙ୍କା କଲେ । ସେହିକ୍ଷଣି ସେ ଯୁବକଙ୍କ ମୁଖରେ କିଛି ଜଳ ସିଞ୍ଚିବା ପରେ, ତାଙ୍କ ତୁଣ୍ଡରେ ଧୀରେ ଧୀରେ ଦେବାକୁ ଲାଗିଲେ । ଅଳ୍ପ ସମୟ ପରେ ଯୁବକଙ୍କର ମୂର୍ଚ୍ଛା ଭାଙ୍ଗିଲା । ସେ ଉଠି ଅଧିକ କିଛି ଜଳପାନ କଲେ । ପରେ କିଞ୍ଚିତ୍ ପ୍ରକୃତିସ୍ଥ ହୋଇ ଦୀର୍ଘ ନିଶ୍ୱାସ ତ୍ୟାଗ କଲେ । ସେତେବେଳେ ତାଙ୍କର ପ୍ରାଣରକ୍ଷକ, ଜଳଦାତାଙ୍କ ପରିଚୟ ପାଇବା ପାଇଁ ତାଙ୍କ ହୃଦୟ ବ୍ୟଗ୍ର ହୋଇଉଠିଲା । ସେ ଇନ୍ଦିରାଙ୍କର ଆପାଦମସ୍ତକ ନିରୀକ୍ଷଣ କରୁଁ କରୁଁ, ତାଙ୍କ ଚକ୍ଷୁ ସନ୍ତୋଷାଶ୍ରୁରେ ଛଳ ଛଳ ହୋଇଗଲା । ରୁଦ୍ଧ କଣ୍ଠରେ ହଠାତ୍ କହି ପକାଇଲେ,–‘ପ୍ରିୟେ, ମୋତେ ଏବେ ବି ଚିହ୍ନି ପାରୁନାହିଁ ?’ ଏହା କହିବା ସଙ୍ଗେ ସଙ୍ଗେ ପୁଣି ସେ ମୂର୍ଚ୍ଛା ଲାଭ କଲେ ।

 

ବିସ୍ମୟ ! ଇନ୍ଦିରାଙ୍କର ହୃଦୟଠାରୁ ବଳି ବର୍ତ୍ତମାନ ତୋର ଅଧିକ ଉପଯୁକ୍ତ ଲୀଳାସ୍ଥଳ ଆଉ କାହିଁ ? ପ୍ରାୟ ବାରବର୍ଷ କାଳ ପରେ ପୁଣି ସେ ଯେ ‘ପ୍ରିୟେ’ ସମ୍ବୋଧନ ଶୁଣି ପାରିଛନ୍ତି ! ମୂର୍ଚ୍ଛିତ ଯୁବକଙ୍କ ଅଙ୍ଗୁଳିରେ ତାଙ୍କ ପୂର୍ବ ପରିଚିତ ମୁଦ୍ରିକାଟି ଅକସ୍ମାତ୍ ଦେଖି ଇନ୍ଦିରା ଆନନ୍ଦାଶ୍ରୁଭରା ନେତ୍ରରେ କହିଲେ,–‘ପ୍ରାଣେଶ୍ୱର ! ଆହା, କେତେ ଦିନକେ ଅନ୍ଧ ଦିବ୍ୟ ଦୃଷ୍ଟି ପାଇଛି !’ ସେହି ସମୟରେ ତାଙ୍କ ହୃଦୟରେ ଯେଉଁ ବିସ୍ମୟ, ସନ୍ତୋଷ ଓ ଆଶ୍ୱାସନା ଉଦ୍ରିକ୍ତ ହେଲା, ତାହାରି ଚିତ୍ର ଅଙ୍କନରେ ନିଜର ଅସାମର୍ଥ୍ୟ ସ୍ୱୀକାର କରିବାକୁ ଲେଖକ ବାଧ୍ୟ ।

 

ଇନ୍ଦିରା ଯୁବକଙ୍କ ଜାନୁ ଉପରେ ମସ୍ତକ ନ୍ୟସ୍ତ କରି ଅନୁତାପ ସିଞ୍ଚିତ ମୁଖରେ ଆବେଶ-କମ୍ପିତ ସ୍ୱରରେ କହିବାକୁ ଲାଗିଲେ,–‘ନିଜ ମୂର୍ଖତାରୁ ହିଁ ଆଜିଯାଏଁ ଜୀବନ ହଜାଇ, ନୟନ ହରାଇ ବସିଥିଲି । ଆଜି କିନ୍ତୁ ନାଥ, ତୁମ ପାଦ ଦର୍ଶନରେ ଧନ୍ୟ ହୋଇଛି ।’ ହର୍ଷୋଚ୍ଛ୍ୱାସରେ ସେ ଆଉ କିଛି କହି ପାରିଲେ ନାହିଁ–ବିଳାପର ଅଧୀନ ହୋଇପଡ଼ିଲେ । ଅତିରିକ୍ତ ଆନନ୍ଦ ମନୁଷ୍ୟକୁ କନ୍ଦାଇ ଦିଏ–ଏହା ତାହାର ବିପରୀତ ଆଚରଣ ସିନା !

 

ପାଠକ ପାଠିକାଗଣ ! ଏ ଯୁବକ ତେବେ କିଏ ? ସେହି ରୂପସିଂହ, ଇନ୍ଦିରା-ହୃଦୟ-ଚନ୍ଦ୍ର ! ବୁଝିଲେ ତ ? ଇନ୍ଦିରାଙ୍କ ଲୋତକରେ ରୂପସିଂହଙ୍କ ସର୍ବାଙ୍ଗ ସିକ୍ତ ହେବା ସଙ୍ଗେ ସଙ୍ଗେ ସେ ପୁଣି ଚେତନା ପାଇ ବସିଲେ । କହିଲେ,–‘ଯୁଦ୍ଧରେ ହାରି ଫେରି ଥିବାରୁ, ଏବେ ହେଲେ କ୍ଷମା କରିବ ତ ପ୍ରାଣେଶ୍ୱର ?’

 

‘ଏଇ ନିଷ୍ଠୁର କଥାରେ ପ୍ରାଣକୁ ଆଉ ଜଳାଅ ନାହିଁ ନାଥ ! ମୋ ଅପରାଧ ସବୁ ମାର୍ଜ୍ଜନା କରି, ମୋତେ ଆଗ ପରି ପ୍ରେମ ଆଦର କର । ଏହାହିଁ ଏ ଦାସୀର ଭିକ୍ଷା ।’

 

ରୂପସିଂହ ଇନ୍ଦିରାଙ୍କ ଅଶ୍ରୁମୋଚନ କରୁଁ କରୁଁ କହିଲେ,–‘ଆଉ ଦୁଃଖ କର ନାହିଁ । ଅଚଳେଶ୍ୱରଙ୍କ କୃପାବଳରେ ଅନ୍ତିମକାଳରେ ମୁଁ ହୃଦୟକୁ ଫେରିପାଇ ଧନ୍ୟ, ଆଶ୍ୱସ୍ତ ହୋଇଛି । ଆସ୍ତେ ଆସ୍ତେ ମୋ ଦେହର ଜ୍ୱାଳା ବଢ଼ୁଛି, ବଞ୍ଚିବାର ଆଉ ଆଶା ନାହିଁ । ବଡ଼ ଆନନ୍ଦ ଲାଗୁଛି ପ୍ରିୟେ, ଅପୂର୍ବ ରାଜଭକ୍ତି ବଳରେ ଯୋଧପୁର ବଂଶ ରକ୍ଷା କରି ତୁମେ ଅକ୍ଷୟ କୀର୍ତ୍ତି ଅର୍ଜ୍ଜିଛ, ଆଗଠୁଁ ତୁମର ସମସ୍ତ ଖବର ରଖିଛି । ଧନ୍ୟ ତୁମର ଜନ୍ମ, ସାର୍ଥକ ତୁମର ଜୀବନ !’

 

ଇନ୍ଦିରାଙ୍କ ପ୍ରାଣ ଆନନ୍ଦ ଓ ଦୁଃଖରେ ଆଲୋଡ଼ିତ ହୋଇଗଲା । ଆନନ୍ଦ, ଦୁଃଖ–ଦୁଇ ଭାଇଙ୍କ ଉତ୍ତମ ସୁଯୋଗ ! ଇନ୍ଦିରା ଆନନ୍ଦିତ କାହିଁକି ? ଦୀର୍ଘ କାଳ ପରେ ପୁଣି ପତି-ଦର୍ଶନ ପାଇ ସେ ଯେ କୃତାର୍ଥ ହୋଇଛନ୍ତି ! ଦୁଃଖିତ ତେବେ କାହିଁକି ? ସ୍ୱାମିଙ୍କ ଜୀବନାଶା ଯେ କ୍ଷୀଣ !

 

‘ଇନ୍ଦିରା ! ମନରୁ ଚିନ୍ତା ଦୂର କରି, ଦମ୍ଭ ଧର । ଦୁର୍ଗ ଦ୍ୱାର ବନ୍ଦ କରି ଦେଇ ମୋତେ ତୁମେ ତଡ଼ିଦେବା ଦିନୁଁ କେଉଁଠାରେ ଥିଲି ଜାଣିଛ ?’

 

‘ଜାଣିବି କିପରି, ନାଥ ? କ୍ଷମା କର, ଦେଶ ତମାମ ତୁମର କେତେ ସନ୍ଧାନ କରାଇଲି–ମହାରଣା ବି ଚାରିଆଡ଼େ ଲୋକ ପଠାଇ କେତେ ଖୋଜାଇଲେ ! ସକଳ ଚେଷ୍ଟା କିନ୍ତୁ ବ୍ୟର୍ଥ ହେଲା ।’

 

‘ଆଜି ଯାଏ ଗୋଲକୋଣ୍ଡା ନବାବଙ୍କର ଜଣେ ସର୍ଦ୍ଦାର ହୋଇଥିଲି । ସେ ମୋତେ ଖୁବ୍ ଆଦର ସମ୍ମାନ କରୁଥିଲେ । ଦିନେ ଜଣେ ବ୍ରାହ୍ମଣ ଗୋଲକୋଣ୍ଡା ଯାଇ, ସେଠାରେ ମନ୍ତ୍ରୀଙ୍କୁ ଔରଂଜୀବ୍‍ର ଯୁଦ୍ଧ-ଯୋଗାଡ଼ କଥା ଶୁଣାଇଲେ । ଏହା ସତ୍ୟ କି ମିଥ୍ୟା, ବୁଝିବା ପାଇଁ ମନ୍ତ୍ରୀ ମୋତେ ଦିଲ୍ଲୀ ପଠାଇଲେ । କେତେକ ଦିନ ଗୁପ୍ତ ବେଶ ଧରି ଦିଲ୍ଲୀର ପ୍ରତ୍ୟେକ ସ୍ଥାନ ବୁଲି ପ୍ରକୃତ ଖବର ସଂଗ୍ରହ କଲି । ତା ନିକଟକୁ ପତ୍ର ଲେଖିଲି,–‘ବାଦ୍‍ଶାଠାରୁ କୌଣସି ଅନିଷ୍ଟର ଭୟ ନାହିଁ–ବ୍ୟସ୍ତ ହୁଅନ୍ତୁ ନା ।’ ପରେ ତୁମେ ରଙ୍ଗମହାଲ୍‍ ଭିତରେ ଆବଦ୍ଧ ଥିବାର ଶୁଣି ପାରି; କପଟବେଶରେ ସେଥିଭିତରେ ଯା’ଆସ କରିବାକୁ ଲାଗିଲେ । ସେଠାରେ ଅନେକ ଥର ଦେଖି, ତୁମ ସମ୍ୱନ୍ଧରେ ସମସ୍ତ କଥା ବାହାର କରି ନେଲି । ପରେ ସୁଯୋଗ ସୁବିଧା ଜଗି, ରାକ୍ଷସୀ ରୌଶନ୍ୱାରା ହାତରୁ ତୁମକୁ; ତୁମ ଭାଇ ଉଦ୍ଧାର କଲି । ମୋର ସେହି ପ୍ରତିଜ୍ଞା ରକ୍ଷା କରିବା ପାଇଁ ଏହି ଯୁଦ୍ଧରେ ଯୋଗ ଦେଇ ପରାକ୍ରମ ଦେଖାଉଛି ମନେପଡ଼େ, ପ୍ରିୟ ମୋର ସେହି ଦିନରେ ଶପଥ? ମୋର ଭୁଜବୀର୍ଯ୍ୟ କ୍ଷତ୍ତ୍ରିୟ ତେଜ ଯେତେବେଳେ ତୁମେ ଦେଖିଲଣିଏଥର ମୁଁ ସଂସାରରୁ ବିଦାୟ ନିଏ, ଦୁଖ ନାହିଁ। ପ୍ରତିଜ୍ଞା ପାଳି ବୀରପତ୍ନୀକୁ ତୃପ୍ତ କରି ପାରିଛ ?

 

ଇନ୍ଦିରା ନିରୁତ୍ତର !

 

ରୂପସିଂହ ଏପରି ଆପଣାର ପୂର୍ବ ଚରିତସକଳ ଇନ୍ଦିରଙ୍କୁ ଗୋଟି ଗୋଟି କରି ଶୁଣାଇଲେ । ଏହି ସମୟରେ ବୈକୁଣ୍ଠ ଯୋଗୀ ବୃକ୍ଷାନ୍ତରାଳରୁ ଆସି, ଦୂରରୁ ରୂପସିଂହ ଓ ଇନ୍ଦିରଙ୍କୁ ଦେଖିବା ମାତ୍ରେ କିଛି ଚିନ୍ତା କରିବା ପରେ ଦୁହିଁଙ୍କ ସମୀପକୁ ଗଲେ । ଦୁଇଦିନ ପରେ ପାହାଡ଼ରେ ଯୋଗୀଙ୍କ ଆବିର୍ଭାବ ଦେଖି ଇନ୍ଦିରା ଆଶ୍ଵାସନା ଓ ଶାନ୍ତି ପାଇଲେ । ଯୋଗୀ ଆନନ୍ଦୋନ୍ମତ୍ତ କଣ୍ଠରେ ଇନ୍ଦିରଙ୍କୁ କହିଲେ,–‘ମା ଇନ୍ଦିରା ଧନ୍ୟ ତୁମେ ! ଏ ତୁମର ସ୍ୱାମୀ ବୋଲି ତ ଜାଣି ସାରିଥିବ ! ଦିବ୍ୟଜ୍ଞାନରେ ସବୁ ମୁଁ ବୁଝିଛି । ରୂପସିଂହଙ୍କ ଦେହରେ କ୍ଷତ ଚିହ୍ନ ସବୁ ଚଞ୍ଚଳ ଘୁଞ୍ଚାଇ ଦେବି–ତାଙ୍କର ମରଣାଶଙ୍କା କରି ଆଉ ଚିନ୍ତିତ ହୁଅ ନାହିଁ । ଅଚଳେଶ୍ଵରଙ୍କ କୃପାରୁ ଏହାଙ୍କର କୌଣସି କ୍ଷତି ହେବ ନାହିଁ ।’

 

ପରେ ସେ ଗୋଟିଏ ବୃକ୍ଷରୁ କେତେ ଗୋଟି ପତ୍ର ତୋଳି, ସେଥିରୁ ରସ ବାହାର କରି, ତାହା ରୂପସିଂହଙ୍କ ସର୍ବାଙ୍ଗରେ ଲଗାଇ ଦେଲେ, ଏବଂ ଅନ୍ୟ ଏକ ବୃକ୍ଷର ଆଣି ତାଙ୍କୁ ପିଇବାକୁ ଦେଲେ । ରୂପସିଂହଙ୍କ ରକ୍ତ-ସ୍ରାବ ଏକାବେଳକେ ବନ୍ଦ ହୋଇଗଲା, ତାଙ୍କ ଶରୀରରେ ଶକ୍ତି ଆସିଲା ।

 

ଏହି ଅବସରରେ ଦୁର୍ଗାଦାସ ଶିବସିଂହଙ୍କୁ ସଙ୍ଗେ ଧରି ସେଠାରେ ଯାଇ ପ୍ରବିଷ୍ଟ ହେଲେ-। ସେତେବେଳେ ରୂପସିଂହ ଏହି ଅବସରରେ ଦୁର୍ଗାଦାସ ଶିବସିଂହଙ୍କୁ ସଙ୍ଗେ ଧରି ସେଠାରେ ଯାଇ ପ୍ରବିଷ୍ଟ ହେଲେ । ସେତେବେଳେ ରୂପସିଂହ ଇନ୍ଦିରାଙ୍କ ଜାନୁ ଉପରେ ମସ୍ତକ ରଖି ଶାୟିତ-। ରୂପସିଂହଙ୍କୁ ଚିହ୍ନି ନ ପରି ଦୁର୍ଗାଦାସ ଆଶ୍ଚର୍ଯ୍ୟାଙ୍କିତ ମୁଖରେ ତାକୁ ଚାହିଁବା ମାତ୍ରେ, ଇନ୍ଦିରା ଲଜ୍ଜାରେ ଅଧୋବଦନ ହୋଇଗଲେ । ଯୋଗୀ କହିଲେ,–‘ଚିହ୍ନି ପାରୁଛ ଦୁର୍ଗାଦାସ ଏହାଙ୍କୁ-? ଏ ରୂପସିଂହ–ତୁମର ଭିଣୋଇ । ଯୁଦ୍ଧରେ ତୁମକୁ ସାହାଯ୍ୟ କରିବା ପାଇଁ ଫକୀର ବେଶରେ ଆସିଥିଲେ ।’

 

ଦୁର୍ଗାଦାସ ସନ୍ତୋଷୋଜ୍ଜ୍ଵଳ, ଆଶ୍ଵାସନାଦୀପ୍ତ ମୁଖରେ କିଛି ସମୟ ନିଶ୍ଚଳ ଭବେ ଠିଆ ହୋଇ ରହିଲେ । ପରେ ସେ ରୂପସିଂହ ସଙ୍ଗେ ଅନେକ ସମୟ କଥାବାର୍ତ୍ତା କରି, ତାଙ୍କର ନୀରବ ଜାତୀୟ ସାଧନାରେ ଅପାର ଆନନ୍ଦ ପ୍ରକାଶ କଲେ । ଶିବସିଂହ ହର୍ଷପରବଶ ହୋଇ ଯୋଗୀଙ୍କୁ କହିଲେ,–‘ପ୍ରଭୋ ! ଏ ମହାତ୍ମା ଫକୀର ବେଶରେ ଆସି ନୟନପାଳଙ୍କ ସହିତ କଥାବାର୍ତ୍ତା କରିବାବେଳେ, ମୁଁ ଦୁହିଁଙ୍କ ପାଖରେ ଥିଲି । ଏ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ଫକୀର ବେଶତ୍ୟାଗ କରିବାରୁ ଏହାଙ୍କର ଦେହ କାନ୍ତି ଦେଖି ଅବାକ୍ ହୋଇଗଲି । ଏହାଙ୍କର ରଣ-ନୈପୁଣ୍ୟ ରାଜପୁତ୍‍ମାନଙ୍କ ମନରେ ବିସ୍ମୟ ବୁହାଇ ଦେଇଛି ।’ ଏହା ଶୁଣି ଇନ୍ଦିରାଙ୍କ ମନରେ ଅଧିକ ଆନନ୍ଦ ଓ ଗର୍ବର ଉଦୟ ହେଲା । କିଛି କାଳପରେ ରୂପସିଂହ ଅନ୍ୟର ସାହାଯ୍ୟ ବ୍ୟତୀତ ଉଠି, ସେମାନଙ୍କ ସଙ୍ଗେ ଆଳାପ କରୁଁ କରୁଁ ଅଜିତ୍‍ଙ୍କୁ କୋଳରେ ଧରି ଆଲିଙ୍ଗନ ଚୁମ୍ବନାଦି କଲେ ଏବଂ ଶିଶୁ ସହିତ କ୍ରୀଡ଼ା କୌତୁକ କରି ଆନନ୍ଦରେ ଅଧୀର ହୋଇଗଲେ ।

Image

 

ଊନଚତ୍ଵାରିଂଶ ପରିଚ୍ଛେଦ

(ଉଦ୍‍ଯାପନ)

 

ପାଠକ ପାଠିକାଗଣ !

 

ଯାହା କହିବାର ଥିଲା, ସବୁ କହାଯାଇଛି–ଆଖ୍ୟାୟିକାଟି ଏଠାରେ ଉଦ୍‍ଯାପିତ । ଏହି ଉଦଯାପନ ଅତି ସୁଖକର ଓ ପ୍ରୀତିପଦ । ଅନେକ କଥା କହି ଆପଣଙ୍କର ବହୁ ସମୟ ନଷ୍ଟ କରିଛି–ଏଥର ଅତି ଅଳ୍ପ ବାକ୍ୟରେ ଉପନ୍ୟାସର ଉପସଂହାର କରିଦିଏ ।

 

ରାଣା ରାଜସିଂହ ସହାୟତାରେ ବିକ୍ରମ ସିଂହ ସୋଲାଙ୍କି ଜୟଶ୍ରୀ-ମଣ୍ଡିତ–ତାଙ୍କ ଆଶଙ୍କା ଓ ମନୋବେଦନା ର ପୂର୍ଣ୍ଣାହୁତି ହେଲା, ତାଙ୍କ ମନୋରଥ ସିଦ୍ଧ ହେଲା । ସେ ଶିବସିଂହଙ୍କ ଆନ୍ତରିକ ଦେଶ ସେବାରେ ପରିତୃପ୍ତ ହୋଇ ତାଙ୍କୁ ପୁନର୍ବାର ଗ୍ରହଣ କଲେ ଏବଂ ତାଙ୍କ ସଙ୍ଗେ ପଦ୍ମାଙ୍କର ବିବାହ ହେଲା । ରୂପନଗର-ପ୍ରଜାସକଳ ତୁଷ୍ଟ ! ଶୁଭ ଲଗ୍ନରେ ମହା ସମାରୋହରେ ରାଜସିଂହଙ୍କ ସହିତ କମଳକୁମାରୀଙ୍କ ସଙ୍ଗେ ତାହାର ଜନ୍ମ ସ୍ଥାନ ଉଦୟପୁରକୁ ଫେରିଲା । ରାଣାଙ୍କ ବିବାହରେ ଭୀମଲାଲ ପଣ୍ଡିତ ପ୍ରଚୁର ଧନରତ୍ନ ଉପହାର ପାଇ ସୁଖୀ ହେଲେ । ପଣ୍ଡିତ ପତ୍ନୀ ଆଶ୍ଵସ୍ତ !

 

ଅଜିତ୍‍ସିଂହ ଯୋଦ୍ଧପୁର ସିଂହାସନରେ ଅଭିଷିକ୍ତ ହେଲେ । ଯୋଧପୁର ପ୍ରଜାବର୍ଗ ଆପ୍ୟାୟିତ ! ଚନ୍ଦ୍ରାବତୀ ତାଙ୍କର ଅନ୍ତିମ ଜୀବନ ଶାନ୍ତିରେ କଟାଇଲେ । ଇନ୍ଦିରା ଆନନ୍ଦିତ ! ରୂପସିଂହ ଓ ଇନ୍ଦିରା ଯୋଧପୁରରେ ପରମ ସୁଖ ସନ୍ତୋଷରେ ବାସ କଲେ । ଦୁର୍ଗା ଦାସ ଓ ଇନ୍ଦିରାଙ୍କ ଅପୂର୍ବ ବୁଦ୍ଧି କୌଶଳ, ଅସୀମ ପ୍ରଭୁଭକ୍ତି ଓ ଅପାର ସାହସ ବଳରେ ହିଁ ଯୋଧପୁର-ବଂଶର ପୁନରୁଦ୍ଧାର ହେବାର ଦେଖି ଲୋକେ ଦୁହିଁଙ୍କର ପ୍ରଭୂତ ପ୍ରଶଂସା ଗାନ କଲେ । ପ୍ରଭୁଭକ୍ତ ରାଜଭକ୍ତ ବୀରବର ଦୁର୍ଗାଦାସ ଅଜିତ୍‍ସିଂହଙ୍କ ସେନାପତି ପଦରେ ରହିଲେ । ସେ ତାଙ୍କର ଛୋଟସିଂହ ଅବତାରରେ ଦିଲ୍ଲୀ ଚିତ୍ରକରକୁ ହସ୍ତୀ-ଦନ୍ତ-ନିର୍ମିତ ବ୍ୟଜନ ସମ୍ୱନ୍ଧରେ କହିଥିଲେ–‘କ୍ଷତି ହେଲେ ମୁଁ ନିଜେ ପୂରଣ କରିବି ।’ ବର୍ତ୍ତମାନ ସେ ପ୍ରତିଶୃତି ପାଳନ ଦ୍ଵାରା ଚିତ୍ରକରକୁ ସନ୍ତୁଷ୍ଟ କଲେ-। ଔରଂଜୀବ୍‍ଙ୍କ ପରାଭବରେ ଜ୍ୟେଷ୍ଠ ମଲ୍ଲ ଓ ସାଦତ୍‍ ଖାଁଙ୍କ ସନ୍ତୋଷର ଆଉ ପରିସୀମା ରହିଲା ନାହିଁ ।

 

ଖାଇବର୍‍ ଗିରିସଂକଟ ମଧ୍ୟରେ ‘ଶୈତ୍ୟ-କମ୍ପିତ-ଶରୀର ‘ଯେଉଁ ବୃଦ୍ଧ ପଥିକଙ୍କ ଚତୁରୀ ଉପନ୍ୟାସ ପ୍ରଥମ ପରିଚ୍ଛେଦରେ ବର୍ଣ୍ଣିତ ହୋଇଅଛି, କାବୁଲରେ ଯଶୋବନ୍ତ ସିଂହଙ୍କ ମୃର୍ତ୍ୟୁ ପରେ ଯେଉଁ ଦୂତ ଦୁର୍ଗାଦାସଙ୍କୁ ପତ୍ର ଦେଇଥିଲେ ଏବଂ ଯେଉଁ ଶ୍ରୋତ୍ରିୟ ବିଦ୍ଵାନ୍‍ ବ୍ରାହ୍ମଣ ଗୋଲକୋଣ୍ଡାର ମନ୍ତ୍ରୀଙ୍କୁ ଔରଂଜୀବ୍‍ଙ୍କର ସମରୟୋଜନ-ସମ୍ବାଦ ଶୁଣାଇଥିଲେ, ସେ ଏକା ଆବୁ ପାହାଡ଼ରେ ବୈକୁଣ୍ଠ ଯୋଗୀ–ବିଭିନ୍ନ ଛଦ୍ମ ବେଶ ଧରି ଏହି ତିନୋଟି କାର୍ଯ୍ୟ କରିଥିଲେ । ଖାଇବର୍‍ ଗିରି ପଥରେ ପଠାଣକର୍ମଚାରୀ ଦୁହିଁଙ୍କ ଆଗରେ ତାଳ ରସର ମାହାତ୍ମ୍ୟ ବର୍ଣ୍ଣନା କରିବା ବେଳେ, ଯୋଗୀ ଅନବଧାନ ଭାବରେ ଅଜ୍ଞାତସାରରେ ହଠାତ୍‍ ‘ଅମୃତ’ ଶବ୍ଦ ଉଚ୍ଚାରଣ କରି ପକାଇ ପାର୍ଶ୍ଵସ୍ଥ ଶୃଙ୍ଖଳାବଦ୍ଧ ଲୋକଟିର ମନରେ ଚମକ ଆଣିଥିଲେ । ଆପଣମାନେ ଭୁଲି ଯାଇ ନାହାନ୍ତି ତ ? ଯୋଗୀ ଆବୁପାହାଡ଼ରେ ଦୁଇ ତିନି ଦେଖା ନ ଗଲେ, ସେ ଅନ୍ତର୍ଦ୍ଧାନ ହୋଇଛନ୍ତି ବୋଲି ସେଠାରେ ଭୀଲମାନେ କହୁଥିଲେ । ସେ ବିଭିନ୍ନ ପ୍ରଦେଶ ପର୍ଯ୍ୟଟନ କରି ପ୍ରତ୍ୟେକ ହିନ୍ଦୁ ରାଜ୍ୟର ସମସ୍ତ ସମ୍ବାଦ ସଂଗ୍ରହ କରୁଥିଲେ ଏବଂ ମୋଗଲ ସମ୍ରାଟ ଗୁପ୍ତ ମନ୍ତ୍ରଣା ସକଳ ବୁଝିନେଇ ରାଜପୁତ୍‍ ଓ ମରହଟ୍ଟାମାନଙ୍କର ସମୟୋଚିତ ସାହାଯ୍ୟ କରୁଥିଲେ । କେବେ କେବେ ରାଜପୁତ୍‍ ରାଜାମାନଙ୍କର ଦୌତ୍ୟ ସମ୍ପାଦନ କରୁଥିଲେ ମଧ୍ୟ । କଥିତ ଅଛି, ବିପଦବେଳେ ବୈକୁଣ୍ଠଯୋଗୀ ସ୍ମରଣ କରିବା ମାତ୍ରେ ମନରେ ବଳ ଉତ୍ସାହ ଆସେ ବୋଲି ଆଜି କଲି ସୁଦ୍ଧା ସେଠାରେ ଭୀଲମାନଙ୍କ ବିଶ୍ଵାସ ।

 

ସପ୍ତଦଶ ଶତାଦ୍ଦୀ ମୋଗଲ-ବୀର ଜଗତ୍‍ପ୍ରଥିତନାମା ରାଜାଧିରାଜ ଔରଂଜୀବ୍‍ ଧର୍ମହୀନ, ପାପରେ ସଙ୍କୋଚଶୂନ୍ୟ ଥିଲେ; ଏଣୁ ତାଙ୍କର ବିଶ୍ଵବିଖ୍ୟାତ ବିଶାଳ ସାମ୍ରାଜ୍ୟର ଏକପ୍ରକାର ଧ୍ୱଂସ ସାଧିତ ହେଲା । ରାଜପୁତ୍‍ କୁଳକିରୀଟ ହିନ୍ଦୁ ଜାତି-ଚୂଡ଼ାମଣି ସ୍ଵଦେଶିହିତୈଷୀ ସ୍ଵଜାତି-ଧର୍ମ-ମଙ୍ଗଳାକାଂକ୍ଷୀ ବୀରାଗ୍ରଗଣ୍ୟ ରାଣା ରାଜସିଂହ ଅତିଶୟ ପୁଣ୍ୟାତ୍ମା ଥିଲେ; ସୁତରାଂ ଖଣ୍ଡିଏ କ୍ଷୁଦ୍ର ରାଜ୍ୟର ନାୟକ ହୋଇ ସୁଦ୍ଧା ଜଗତ ପ୍ରସିଦ୍ଧ ବାଦ୍‍ଶାଙ୍କୁ ପରାସ୍ତ, ଅପମାନିତ କରିବାକୁ ସମର୍ଥ ହେଲେ । ଔରଂଜୀବ୍‍ ଓ ଉଦିପୁରୀ ପ୍ରଗାଢ଼ ପରିତାପ, ପଶ୍ଚାତାପରେ କାଳ କଟାଇଲେ–ରାଜସିଂହ ଓ କମଳକୁମାରୀ ଅଗାଧ ପ୍ରେମ, ଶାନ୍ତିରେ ଦିନ ଯାପନ କଲେ । ଚରିତ୍ର ଭେଦରେ କାହାର ସର୍ବନାଶ, କାହାର ବା ପୌଷମାସ ।

Image